କମ୍ପାନୀ
କମ୍ପାନୀ


ଥରେ କି ଦୁଇଥର ନୁହେଁ ଲଗାତାର ଦଶଥର ଅଭିଯୋଗ କରି ଆସିଥିଲେ ମଧ୍ୟ ଥାନାଧିକାରୀ କୈାଣସି ପଦକ୍ଷେପ ନେଉ ନାହାନ୍ତି କି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।
ନାମକୁ ମାତ୍ର ଥରେ ଅଧେ କମ୍ପାନୀକୁ ଯାଇ ମୁହଁ ମାରି ଆସୁଛନ୍ତି କିନ୍ତୁ କିଛି ଲାଭ ନାହିଁ ବୋଧେ କିଳାପତି ଭଲକି ପାଉଛନ୍ତି ଲାଗୁଛି ।
ଏଥର ବି ଠିଆଁ ମରୁଡି , ଏ କାରାଖାନାରୁ ବାହାରୁଥିବା ବିଷାକ୍ତ ଧୂଆଁରେ ଜମି ସାରା ଯେତେ ଯାହା ଚାଷ ହେଉଛି ସବୁ ସର୍ବନାଶ ହୋଇ ଯାଉଛି । କିନ୍ତୁ କଣ ଆଉ କରିପାରିବେ ଏ ପାଖ ଗାଁର ମଳି ମୁଣ୍ଡିଆ ଖଟିଖିଆ ଲୋକ ମାନେ । ବଡ଼ ବଡିଆ ମାନଙ୍କ ହାତ କାହିଁ କେତେ ଉପରେ କଣ ଆଉ କରି ପାରିବେ ଏମାନେ ? କମ୍ପାନୀ ଯେତେବେଳେ ବସିଲା କମ୍ପାନୀରେ କାମ ଦେବେ କହି ଭଲ ଦି ପଇସା ଲୋଭ ଦେଖେଇ ଜମି ହାତେଇ ନେଲେ । ହେଲେ ଏବେ ? ନାଁ କାମ ମିଳୁଛି ନାଁ ବାକି ଜମିରେ ଅମଳ ହେଉଛି ।
ପଇସା ବାଲାଏ ଭଲ ହାତ ଗୁଞ୍ଜା ଦେଇ କମ୍ପାନୀରେ ଭର୍ତ୍ତି ହୋଇଯାଉଛନ୍ତି । ଆଉ ଯିଏ ତାଙ୍କ ଦାବି ମୁତାବକ ପଇସା ଦେଇ ନପାରୁଛି ଗଲା ଆଜି କାଲି କହି ଦିନ ଗୋଡାଉଛନ୍ତି ସେମାନେ ।
ଘର ପାଖରେ କମ୍ପାନୀ ବାହାରୁ ଲୋକମାନେ ଆସି କାମ କରିବେ ଆଉ ଏଠିକା ଲୋକେ ଦୂରକୁ ଯିବେ ମୂଲ ଲାଗିବାକୁ ? ତେଣୁ ଗାଁ ଲୋକ ମାନେ ରାଗି ମାତି ବହୁଥର କମ୍ପାନୀ ଆଗରେ ଧାରଣା ଦେଇଥିଲେ ହେଲେ କିଛି ସମୟ ପରେ ପୋଲିସ ଗାଡି ଆସି ସେମାନଙ୍କୁ ଘଉଡ଼ାଇ ଦେଇଯାଏ ।
ତେଣୁ ଏହାର ବିକଳ୍ପ ଚିନ୍ତା କରି ଦିନେ ସମସ୍ତ ଗ୍ରାମବାସୀ ଏକାଠି ହୋଇ କମ୍ପାନୀ ହଷ୍ଟେଲରେ ଯାଇ ପିଲା ମାନଙ୍କୁ ଧମକ ଦେଇ ଆସିଲେ । " ଏକ୍ ଶୁଣ , ଯଦି ଜଣେ କିଏ ଆଜିଠୁ କମ୍ପାନୀ ଯାଇଥିବ , ଦେଖିବ । ସମସ୍ତଙ୍କ ଗୋଡ଼ ବାଡ଼େଇ ଚୁନା କରିଦେବୁ । ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଜଣେ ହେଲେ ବି ହଷ୍ଟେଲରୁ ପଦାକୁ ବାହାରିବନି । "
ଏଥର ପିଲାମାନେ କେହିବି ଭୟରେ ହଷ୍ଟେଲରୁ ବାହାରି ଲେନି କି କମ୍ପାନୀକୁ ଗଲେନି ।
ଏଥର କମ୍ପାନୀ 'ମ୍ୟାନେଜର୍' ଆଉ 'ଏଚ୍ .ଆର୍ ' ଦ୍ଵନ୍ଦ ରେ ପଡିଲେ । ଯାହା ବି ହେଲେ ଏ ସ୍ଥାନୀୟ ଲୋକ ମାନଙ୍କୁ କମ୍ପାନୀରେ କାମ ଦେବାକୁ ପଡିବ ନହେଲେ ଏମାନେ କିଛି ବି ଅସୁବିଧା ଘଟେଇ ପାରନ୍ତି ।
ତେଣୁ ସେମାନେ ସ୍ଥାନୀୟ ଲୋକ ମାନଙ୍କ ସହ ପରାମର୍ଶ କରି ସେ ଲୋକ ମାନଙ୍କୁ କାମରେ ରଖିବାକୁ ଜବାବ୍ ଦେଲେ । ତାପରେ ଯାଇ ସେମାନେ ପିଲା ମାନଙ୍କୁ ହଷ୍ଟେଲରୁ କାମକୁ ଛାଡ଼ିଲେ ।
କିଛି ମାସ ପରେ ଏବେ ପରିସ୍ଥିତି ବହୁତ କିଛି ସୁଧୁରିଛି । ଗାଁ ର ଅର୍ଦ୍ଧେକ ପିଲା ଏବେ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ।
ଠିକ୍ ସମୟରେ ମାସ ଶେଷରେ ପଇସା ମିଳି ଯାଉଛି କିଛି ଅସୁବିଧା ହେଉନି ।
ଦିନେ ରାତିରେ ପୁଅକୁ ତା ବାପା ପଚାରୁଛନ୍ତି -" ବାପାରେ ଏବେ ତ ଆଖି ଆଗରେ ସବୁ ସଫା ଦିଶୁଛି । କମ୍ପାନୀ କେତେଦିନ ଚାଲିବ ତାର କିଛି ଭରଷା ଅଛି ? ଯଦି କିଛି ଦୁର୍ଘଟଣା ଘଟି କମ୍ପାନୀ ବନ୍ଦ ହୋଇଗଲା ତେବେ ??
ସେତେବେଳେ ଅବସ୍ଥା ଆମର କଣ ହେବ ବୁଝି ପାରୁଛୁ ତ ?
ଅମଳ ପାଇଁ ସେତେବେଳେ ଭଲ ମାଟି ଥିବ ନା ପାଖରେ ଥିବ କିଛି ରୋଜଗାରର ପନ୍ଥା । "
ବାପାଙ୍କ ପାଦ ଘସି ଦେଉ ଦେଉ ପୁଅ କହିଲା -" ବ୍ୟସ୍ତ ହୁଅନି ବାପା । କିଛି ଅସୁବିଧା ହେବନି କମ୍ପାନୀ ଏମିତି ଚାଲୁ ରହିବ ସବୁଦିନ ।"
ବାପା ଦୁଇ ହାତ ଯୋଡ଼ି ଉପରକୁ ଚାହିଁ ପୁଣି ଆଖି ବୁଜି ଦେଇ କହିଲେ - " ହଁ , ମହାପ୍ରୁ କରନ୍ତୁ ସେମିତି ହିଁ ହେଉ " ।