Lipi Sahoo

Others

4.0  

Lipi Sahoo

Others

କକ୍ଷଚ୍ୟୁତ ନିଶବ୍ଦ

କକ୍ଷଚ୍ୟୁତ ନିଶବ୍ଦ

8 mins
206


ଏକ ଅଭିଶପ୍ତ ଜୀବନର ଭାରକୁ ଅଯାଚିତ ଭାବରେ ନିଜ କାନ୍ଧରେ ବୋହି ଚାଲିଛି ନିଶବ୍ଦ । ଦୀର୍ଘ ଦୁଇ ବର୍ଷ ହେବ । କେହି କୁହନ୍ତି ପାଗଳ କେହି କୁହନ୍ତି ଚୋର ଆଉ କେହି ଭିକାରୀ । କ'ଣ ଥିଲା ସେ, କ'ଣ ହେଇଗଲା ?? ଆକାଶକୁ ଛୁଇଁବାର ଯେଉଁ ସ୍ୱପ୍ନ କୁଆଡେ଼ ଧୂଳିସାତ ହେଇଗଲା ତା'ର । ମୁହଁରେ ଏବେ ଲମ୍ବା ଦାଢି ମଇଳା ସାର୍ଟ ପ୍ୟାଂଟ । ଠିକଣା ହଜାଇ ଖାଲି ଘୂରି ବୁଲୁଛି ଯେ ବୁଲୁଛି, କକ୍ଷ ପଥରୁ ଚ୍ୟୁତ ଏକ ଗ୍ରହ ଭଳି । 


        ଥକ୍କା ମାରି ବସି ପଡିଲା କେଉଁ ଏକ ପ୍ରାଚୀନ ଭଗ୍ନ ମନ୍ଦିରର ଅଗଣା ଭିତରେ ଥିବା ବୋଉଳ ଗଛର ଶିଉଳି ଲଗା ପିଣ୍ଡି ଉପରେ । ଖୁବ୍ ଶୋଷ ଲାଗୁଥାଏ ତାକୁ । ଚାରିଆଡ଼କୁ ଅନେଇଲା । ନା କୋଉଠି ହେଲେ ଟୋପାଏ ପାଣିର ଚିହ୍ନବର୍ଣ୍ଣ ନାହିଁ । ଗଛକୁ ଆଉଜେଇ ହେଇ ପଡ଼ିଲା । କେତେବେଳେ ଆଖି ଲାଗିଗଲା ଜଣା ନାହିଁ । ଆଖି ଖୋଲିଲା ଯେତେବେଳେ ଚାରିପଟେ କିଟ୍ କିଟ୍ ଅନ୍ଧାର । ଆଉ ସୁନ୍ଦର ବଉଳର ବାସ୍ନା । ଭୋକ ବି ଜୋରରେ ଲାଗୁଥାଏ ତାକୁ । ସେ କ'ଣ କରିବ କିଛି ବି ବୁଝିପାରୁ ନଥାଏ । ଦେଉଳ ଭିତରର ରୁଦ୍ଧଦ୍ଵାର ସେପାଖେ କେଉଁ ଠାକୁର ଅଛନ୍ତି ତାକୁ ଜଣାନାହିଁ । ହେଲେ ସେଇ ଆଡ଼କୁ ଚାହିଁ ମନେମନେ କହିଲା ଆଉ କେତେ ଯନ୍ତ୍ରଣା ଲେଖିଛୁ ମୋ ଭାଗ୍ୟରେ ସେତିକି ଖାଲି କହିଦେ । ଆଉ ମୋର କିଛି ଦରକାର ନାହିଁ । ତା ଆଖିରୁ ବୋହି ଆସିଲା ଦୁଇ ଟୋପା ଲୁହ । 


         ଠିକ୍ ସେଇ ସମୟରେ ଜଣେ ବୃଦ୍ଧ ଲୋକ ଗୋଟେ ଲଣ୍ଠନ ଧରି ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କଲେ । ଧଳାରଙ୍ଗର ଧୋତି ଆଉ ଚଦର ପିନ୍ଧି ଥାଆନ୍ତି । ଆଖି ଦୁଇଟି ବେଶ୍ ଉଜ୍ଜ୍ୱଳ । ତା ପାଖକୁ ଆସି ଆଖିରେ ଇସାରା କଲେ ତାଙ୍କ ପଛରେ ଚାଲିବାକୁ । ସେ ବି ତାଙ୍କ ପଛେ ପଛେ ଚାଲିବା ଆରମ୍ଭ କରିଦେଲା । ସେ କିଛି ବି କହୁନଥାନ୍ତି । ସେମିତି ଆଗେଇ ଚାଲିଥାନ୍ତି । ନିଶବ୍ଦ ଭାବିଲା ମୁଁ ଏଇ ଅଚିହ୍ନା ବ୍ୟକ୍ତିଙ୍କ ପଛରେ କାହିଁକି ଚାଲିଛି ?? ସେ ମୋତେ ସମ୍ମୋହିତ କରି ଦେଇ ନାହାନ୍ତି ତ ?? ମୋତେ ନେଇ କୋଉଠି ବଳୀ ପକେଇ ଦେବେନି ତ ?? ଏ ତ ପୂରା ଶୂନଶାନ ଜଙ୍ଗଲ ରାସ୍ତା ଭଳି ଲାଗୁଛି । ଯାଉଛି ପଛ ଆଡ଼େ ଦୌଡ଼ି କି ପଳେଇବି । ଏଇ ସମୟରେ ସେ ବୃଦ୍ଧ ପଛକୁ ଅନେଇ ଟିକେ ହସିଦେଲେ । ଇସ୍ !! କି ମଧୁର ସେ ହସ । ନିଶବ୍ଦ ସେମିତି ଚାଲିବା ଜାରି ରଖିଲା । ସେ ଜାଣି ପାରିଲେ କି, ମୁଁ କ'ଣ ଭାବୁଛି ?? ପଚାରିବି କି, ସେ କିଏ ?? ଆଉ କାହିଁକି ମୋତେ ତାଙ୍କ ପଛରେ ଆସିବାକୁ ଇସାରା କଲେ ?? ସେ ପୁଣି ପଛକୁ ଫେରି ଚାହିଁ ସାମ୍ନାକୁ ହାତ ଦେଖେଇଲେ । ସେଠି ଗୋଟେ କୁଡିଆ ଥିଲା । ଆଗରେ ଗୋଟେ ଛୋଟ ଅଣଓସାରିଆ ପିଣ୍ଡା । ସେମାନେ ଚାଲିଚାଲି ଯାଇ ସେଇଠି ପହଞ୍ଚିଲେ । ସେଇ ପିଣ୍ଡିରେ ନିଶବ୍ଦକୁ ବସିବା ପାଇଁ ବୃଦ୍ଧ ଇସାରା କଲେ । ସେ କୁଡିଆର ଛୋଟିଆ ଦ୍ୱାରକୁ ଖୋଲି ଭିତରେ ପଶିଲେ । ନିଶବ୍ଦକୁ ଏ ସବୁ ଆଈମା କାହାଣୀ ଭଳି ଲାଗୁଥାଏ । ବୃଦ୍ଧ ଭିତରୁ କହିଲେ, ଏବେ ଭିତରକୁ ଆସ ନିଶବ୍ଦ !! କି ଗୁରୁଗମ୍ଭୀର ସେ ସ୍ୱର । ଘର ଭିତରେ ଦୁଇ ତିନି ଥର ପ୍ରତିଧ୍ୱନୀତ ହେଲା ସେ ବାକ୍ୟ । ତାକୁ ଖୁବ୍ ବିଚଳିତ କରି ପକେଇଲା ବାକ୍ୟର ଶେଷ ଶବ୍ଦ । ବୃଦ୍ଧ କିପରି ଜାଣିଲେ ତା'ର ନାଁ ?? ସେ କ'ଣ ଆଗରୁ କେବେ ତାଙ୍କୁ ଭେଟିଥିଲା ?? କାଇଁ ତା'ର ତ କିଛି ମନେ ପଡୁନି ? ସେ କିଏ ?? ଧୀରେଧୀରେ ଆଗକୁ ବଢିଲା ନିଶବ୍ଦ । ଖୁବ୍ ଛୋଟିଆ କୋଠରୀ । ବୃଦ୍ଧ ଗୋଟିଏ ମାଟି ପିଣ୍ଡି ଉପରେ ବସିଥାଆନ୍ତି । ସାମ୍ନାରେ ତଳେ ପଡ଼ିଥାଏ ଆସନ ଟିଏ । ଘର ଭିତରେ ଖେଳି ବୁଲୁଥାଏ ଚନ୍ଦନ ଅଗୂରର ବାସ୍ନା । ଭାରି ରହସ୍ୟମୟ ଥିଲା ସବୁକିଛି ନିଶବ୍ଦ ପାଇଁ । ସେ ଭଲ ଭାବରେ ଆଖି ବୁଲେଇ ଆଣିଲା କୋଠରୀର ଚାରିଆଡ଼େ। କୋଉଠି ହେଲେ କିଛି ମାରଣାସ୍ତ୍ର ନାହିଁ ତ ?? ବୃଦ୍ଧ ପୁଣି ହସିଲେ ଆଉ ଇସାରା କଲେ ଆସନରେ ବସିବା ପାଇଁ । ନିଶବ୍ଦ ଟିକେ ଶଙ୍କି ଗଲା । ତାକୁ ଲାଗିଲା ସେ ଯାହା ଭାବୁଛି ବୃଦ୍ଧ ଜଣକ ସବୁ ଜାଣି ପାରୁଛନ୍ତି । ନୀରବରେ ଆସନ ଉପରେ ଯାଇ ବସି ପଡ଼ିଲା ।


          ବାବା !! କିଛି ଖାଇବ ?? ଭୋକ ହେଉଛି ନା ତୁମକୁ ?? ହଠାତ୍ ନିଶବ୍ଦର ମାଆ କଥା ମନେ ପଡିଗଲା । ଏତେ ସ୍ନେହବୋଳା ଥିଲା ବୃଦ୍ଧଙ୍କ ପ୍ରଶ୍ନ । ଆଖି ଛଳଛଳ ହେଇଗଲା ତା'ର । ଦୀର୍ଘ ଦୁଇବର୍ଷର ଦୁସ୍ଥ ଜୀବନରେ କେହି ତ ଜଣେ ମାଆ ପରି ତା'ର ମନକୁ ପଢିପାରି ନଥିଲେ । ସେ ସରଳ ବାଳକ ଭଳି କେବଳ ମୁଣ୍ଡ ହଲେଇଲା । ବୃଦ୍ଧ ଉଠିଯାଇ ଗୋଟିଏ ଥାଳି ଆଉ ଢାଳ ଆଣି ତା ଆଗରେ ରଖିଲେ । ସେଥିରେ ଥିଲା କିଛି ମିଠା ଆଉ ବିଭିନ୍ନ ପ୍ରକାରର ଫଳ । ଭୋକରେ ଆଉଟୁ ପାଉଟୁ ହେଉଥିଲା ସେ । ଗପାଗପ ସବୁତକ ଉଦରସ୍ତ କରି ପକେଇଲା ନିଶବ୍ଦ। ଢକ୍ ଢକ୍ କରି ଢାଳରେ ଥିବା ପାଣି ତକ ପିଇ ପକେଇଲା ଏକ ନିଃଶ୍ୱାସରେ । ବୃଦ୍ଧ ସାମାନ୍ୟ ହସିଲେ । ସେ ନିଜେ ବି ସାମାନ୍ୟ ଲଜ୍ଜିତ ହେଲା ନିଜର ହରକତକୁ ନେଇ । ଖାଇ ସାରି ଟିକେ ସାଷ୍ଟାମ ହେବାପରେ ତା ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରିବା ଆରମ୍ଭ କଲା । ୟେ ରହସ୍ୟମୟ ବୃଦ୍ଧ କିଏ ?? ସେ ମୋ ନାଁ ଜାଣିଲେ କେମିତି?? ମୋତେ ଏଠାକୁ ଆଣିଛନ୍ତି କାହିଁକି ??


     ନୀରବତା ଭାଙ୍ଗି ବୃଦ୍ଧ କହିଲେ ଏବେ ତୁମ ବିଷୟରେ କୁହ ନିଶବ୍ଦ !! ମୁଁ ସବୁ ଜାଣେ ହେଲେ ତୁମ ମୁହଁରୁ ତୁମ କାହାଣୀ ଶୁଣିବାକୁ ଚାହେଁ ।


    ଆପଣ ତ କହୁଛନ୍ତି ସବୁ ଜାଣନ୍ତି ପୁଣି କାଇଁ ପଚାରୁଛନ୍ତି ?? ମୁଁ ମୋ ଅତୀତକୁ ରୋମନ୍ଥନ କରିବାକୁ ଭୟ କରେ । ବହୁତ କରୁଣ ଆଉ ଦୁଃଖଦ । କ୍ରୋଧ ମଣିଷର ଜୀବନକୁ ଜାଳିପୋଡି ପାଉଁଶ କରିଦିଏ । ମୋ ଜୀବନ ବି ଏକ ପାଉଁଶ ଗଦା ଭିନ୍ନ ଆଉ କିଛି ନୁହଁ ।


    ଯାହାକୁ ଭୟକର ତାକୁ ସାମ୍ନା କରିବା ହିଁ ଜୀବନର ଲକ୍ଷ୍ୟ । ଅତୀତକୁ ସାମ୍ନା କର ସେଇଥିରେ ହିଁ ଅଛି ସବୁ ସମାଧାନ । ତମେ ତାକୁ କେବେବି ବିଶ୍ଲେଷଣ କରି ନାହିଁ ସେଇଥି ପାଇଁ ତ ଦୁଃଖ ଭୋଗି ଚାଲିଛ । କୁହ ନିର୍ଭୟ ହୋଇ ।


         ମୋ ଘର ବାଲେଶ୍ୱର ଜିଲ୍ଲାର ଏକ ଗାଁରେ । ମୋ ବାପା ଜଣେ ସରକାରୀ ଶିକ୍ଷକ । ଆମେ ଚାରି ଭାଇ ଭଉଣୀ । ମୋ ଉପରେ ଦୁଇ ଭଉଣୀ ତଳେ ଗୋଟେ ଭାଇ । ବାପାଙ୍କର ରୋଜଗାରରେ ପରିବାର ଚଳିବା କଷ୍ଟକର ଥିଲା । ସେଇଥି ପାଇଁ ମାଆ ଘରେ ସିଲେଇ କାମ କରୁଥିଲେ । ଶତ ଅଭାବ ସତ୍ତ୍ୱେ ବାପା ଆମ ଭାଇଭଉଣୀମାନଙ୍କୁ ପାଠ ପଢେଇଥିଲେ । ଦୁଇ ଭଉଣୀ ଯାକ ବିଏ ପାସ୍ କରିଛନ୍ତି । ବାପା ବହୁତ କଷ୍ଟେମଷ୍ଟେ ଯୋଗାଡ଼ଯନ୍ତ୍ର କରି ବଡ଼ ଭଉଣୀର ବାହାଘର କରେଇ ଦେଇଥିଲେ । ବାପାଙ୍କର ବହୁତ ଆଶା ଥିଲା ମୋ ପାଖରୁ । କାରଣ ମୁଁ ବହୁତ ମେଧାବୀ ଥିଲି । ବହୁତ ଖର୍ଚ୍ଚ କରି ମୋତେ ନବୋଦୟରେ ପଢେଇଲେ । ତାପରେ କଲେଜରେ ପଢିଲି । ଶେଷରେ ମୋତେ ଦିଲ୍ଲୀ ପଠେଇ ଦେଲେ ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ । ମାଆ ଆଉ ସାନ ଭଉଣୀ ଦିନରାତି ସିଲେଇ କରିବାରେ ଲାଗି ପଡିଲେ । ସାନ ଭାଇ ମାଟ୍ରିକ ପରେ ସରକାରୀ କଲେଜରେ ଡିପ୍ଲୋମା କରିବାକୁ ଚାଲିଗଲା । ଯେମିତି ସେ ସେଠୁ ପାସ୍ କରି ଶିଘ୍ର ଚାକିରୀ କରି ପାରିବ ଆଉ ଘରର ଖର୍ଚ୍ଚ ଉଠେଇ ପାରିବ । ସମସ୍ତଙ୍କର ନଜର ମୋ ଉପରେ ହିଁ ଥାଏ । ବାପାଙ୍କର ପୁରା ବିଶ୍ୱାସ ଥିଲା ମୁଁ ଆଇ .ଏ.ଏସ୍ ହେବି । ଘରର ସବୁ ଦୁଃଖ ଅଭାବ ଦୂର କରିବି । ମୋର ଭାଇଭଉଣୀ ଦୁଇ ଜଣ ଆଗକୁ ଆହୁରି ପଢ଼ିବାର ଇଚ୍ଛାକୁ ଜଳାଞ୍ଜଳି ଦେଇଥିଲେ କେବଳ ମୋରି ପାଇଁ । ମୁଁ ବି ମନପ୍ରାଣ ଦେଇ ନିଜକୁ ପ୍ରସ୍ତୁତ କଲି ସିଭିଲ ପାଇଁ । ପ୍ରଥମ ଥର ଇଣ୍ଟରଭ୍ୟୁ ରାଉଣ୍ଡରେ କଟିଗଲି । ବାପା ଖବର ଶୁଣି ଟିକେ ଭାଙ୍ଗି ପଡ଼ିଲେ ହେଲେ ନିଶ୍ଚିନ୍ତ ଥିଲେ ଦ୍ୱିତୀୟ ଥରରେ ପାସ୍ କରିଯିବି । ହେଲେ ସେଥର ବି ଭାଗ୍ୟ ସାଥ୍ ଦେଲାନି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ବି ପହଞ୍ଚି ପାରିଲିନି । ସେତେବେଳକୁ ସାନ ଭାଇ ଚାକିରୀ କରି ସାରିଥିଲା । ମୁଣ୍ଡ ଉପରେ ଦ୍ୱିତୀୟ ଭଉଣୀର ବାହାଘର ଥିଲା । ବାପା ମନୋବଳ ହରେଇ ବସିଲେ । ସେ ଆଉ ମୋ ଖର୍ଚ୍ଚ ଉଠେଇବା ଅବସ୍ଥାରେ ନଥିଲେ । ହେଲେ ମୁଁ ଜିଦ୍ କଲି ଆଉ ଥରେ ଦେବି । ସେତେବେଳେକୁ ବାପା ଅବସର ନେଇ ସାରିଥିଲେ । ଦରମା ବଦଳରେ ପେନସନ୍ ପାଉଥିଲେ । ମାଆର ଦେହ ଖରାପ ହେବା ଆରମ୍ଭ ହେଇ ଯାଇଥିଲା । ସେ ଦିନରାତି ସିଲେଇ କରୁଥିଲା ମୋ ଖର୍ଚ୍ଚ ଉଠେଇବା ପାଇଁ । ମୋ ଜିଦ୍ ଆଗରେ ବାପା ହାର ମାନିଲେ । ମୁଁ ତୃତୀୟ ଥର ପାଇଁ ପ୍ରସ୍ତୁତି ଆରମ୍ଭ କଲି । ଦିନରାତି ଏକାକାର କରିଦେଲି ହେଲେ ଈଶ୍ୱର ଏତେ ନିର୍ଦ୍ଦୟ ଥିଲେ ଯେ ଏଥର ବି ଫେଲ୍ ମାରିଲି । ବାଧ୍ୟ ହେଇ ଦିଲ୍ଲୀ ଛାଡିଲି ।


         ବାପା ଖୁବ୍ ଭାଙ୍ଗି ପଡିଥିଲେ । ଆଉ ରାଗି ବି ଯାଇଥିଲେ । ଝିଅ ବାହାଘର ଦାୟିତ୍ଵ ତାଙ୍କ ଉପରେ ଥିଲା । ହେଲେ ହାତରେ ଫୁଟି କଉଡ଼ିଟେ ବି ନଥିଲା । ସବୁ ତ ମୋ ଉପରେ ଖର୍ଚ୍ଚ ହେଉଥିଲା । ସେ ନିଜ କ୍ରୋଧକୁ ସମ୍ବରଣ କରି ପାରି ନଥିଲେ । ବହୁତ ଗାଳିମନ୍ଦ କରିଥିଲେ ସେଦିନ ମୋତେ । ଏକ ତ ପରାସ୍ତ ସୈନିକ ଥିଲି ତା ଉପରେ ତାଙ୍କର ଲାଞ୍ଛନାକୁ ମୁଁ ବରଦାସ୍ତ କରି ପାରି ନଥିଲି । ରାଗି କି ସେଇ ଦିନ ହିଁ ଘର ଛାଡ଼ି ଦେଲି । ଆଉ ଯେତେବେଳେ ମୋ ରାଗ ଶାନ୍ତ ହେଲା ଘର, ମାଆ, ଭଉଣୀ, ବାପା ଭାଇ ସମସ୍ତେ ବହୁତ ମନେ ପଡିଲେ । ହେଲେ ମୋ ସ୍ୱାର୍ଥପରତା କଥା ଭାବି ମୁଁ ଖୁବ୍ ଲଜ୍ଜିତ ହେଲି । ଯେଉଁ ମାନେ କେବଳ ମୋ ପାଇଁ ତିଳତିଳ କରି ନିଜକୁ ଜାଳିଥିଲେ ସେମାନଙ୍କୁ ମୁହଁ ବୁଲେଇ ଚାଲି ଆସିଲି । କୋଉ ମୁହଁରେ ଯାଇ ସେମାନଙ୍କ ସହ ଆଖି ମିଳେଇବି ?? ଆଉ ଗଲେ ବି ସେମାନଙ୍କ ଉପରେ ବୋଝ ହେବି ସିନା । ଏଇ କଥା ଭାବି କେବେ ବି ପଛକୁ ଫେରି ଚାହିଁନି । ସେବେଠାରୁ ପ୍ରତି କ୍ଷଣ ମୁଁ ଲାଞ୍ଛିତ ହେଇ ଚାଲିଛି । କୋଉଠି ବସେ ??କ'ଣ ଖାଏ ?? କୋଉଠି ଶୁଏ କିଛି ଠିକ୍ ଠିକଣା ନାହିଁ । ମନରେ ବି ଗୋଟେ ବିରାଟ ଅଭିମାନ ବୋହି ଚାଲିଛି । ମୁଁ କ'ଣ ଏତେ ଅଲୋଡ଼ା ଯେ ଘରେ କେହି ମୋତେ ଟିକେ ବି ଖୋଜିଲେନି । ପ୍ରଥମେ ପ୍ରଥମେ ବିକଳ ହେଇ ରୋଜ୍ ଖବରକାଗଜ ଓଲଟାଏ କାଳେ ମୋତେ ଫେରିଆସିବା ପାଇଁ ବାପା କି ଭାଇ ଖବର ଦେଇଥିବେ । ହେଲେ ନିରାଶ ହୁଏ......। ଧୀରେ ଧୀରେ ସେ ଆଶା ବି ମଉଳି ଗଲା । ନୀରବ ହେଇଗଲା ନିଶବ୍ଦ । ତା ମୁହଁ ମେଘମୁଖର ଆକାଶ ଭଳି ଦିଶୁଥିଲା । ଏଇନା ବରଷି ଯିବ ଯେମିତି ।


         ବୃଦ୍ଧ କହିଲେ, ଜାଣ ନିଶବ୍ଦ ଅସଫଳତା ମଣିଷକୁ ହରାଇ ପାରେନା । ମଣିଷ ହାରେ ସେତେବେଳେ ଯେତେବେଳେ ସେ ନିଜର ମୂଳଦୂଆରୁ ବିଚ୍ୟୁତ ହେଇଯାଏ ଅର୍ଥାତ୍ ଈଶ୍ୱରଙ୍କ ଉପରୁ ଅବା ନିଜ ଉପରୁ ବିଶ୍ବାସ ହରେଇ ବସେ । ଜୀବନର ସବୁକିଛି ଓଲଟପାଲଟ ହେଇଯାଏ । ତୁମ ସହ ବି ସେଇୟା ଘଟିଛି । ତୁମେ ତୁମ ଆତ୍ମାର ଦ୍ୱାରକୁ ରୁଦ୍ଧ କରି ପକେଇଛ । ସାମାନ୍ୟ ହସି ପଚାରିଲେ, ନ ହେଲେ ଈଶ୍ୱର କେବେ କ'ଣ ହାରି ପାରନ୍ତି ?? ତୁମେ ଏବେ ଘରକୁ ଫେରିଯାଅ ସମସ୍ତେ ତମ ଅପେକ୍ଷାରେ ଅଛନ୍ତି । ତୁମ ଭଉଣୀ ନିଜ ବାହାଘର ଗଡ଼େଇ ଚାଲିଛି ଏକା ଜିଦ୍ ନିଶବ୍ଦ ଆସିଲେ ବାହା ହେବି । ତା'ର ବିଶ୍ୱାସ ତମେ ଦିନେ ନା ଦିନେ ଫେରିଯିବ । ବାପା ଖୁବ୍ ନିଃସହାୟ ଭାବରେ ଦାଣ୍ଡପିଣ୍ଡାରେ ବସି ତୁମ ଫେରିବା ବାଟକୁ ଚାହିଁ ରହିଛନ୍ତି । ମାଆ ସବୁଦିନ କାଉକୁ ଚାଉଳ ଦେଇ ତୁମ ଫେରିଯିବା ସମ୍ବାଦକୁ ଅପେକ୍ଷା କରିଛନ୍ତି । ଆଉ ତୁମ ଭାଇ ଦିନ ରାତି ଠାକୁରଙ୍କୁ ଡାକୁଛି ମୋ ଭାଇଙ୍କୁ ଫେରେଇ ଆଣ । ତୁମକୁ ଫେରି ଯିବାକୁ ହେବ ନିଶବ୍ଦ !! ଆଦେଶ କଲା ଭଙ୍ଗୀରେ କହିଲେ ବୃଦ୍ଧ । 


        ଡରମିଶା ସ୍ୱରରେ ନିଶବ୍ଦ ପଚାରିଲା ଆପଣ ୟେ ସବୁ କଥା କେମିତି ଜାଣିଲେ ?? ମୋ ନାଁ ବି !! ଆପଣ କିଏ ??

        ଭାବି ନିଅ ମୁଁ ତୁମ ଅନ୍ତରର ଈଶ୍ୱର । ମୋତେ ତୁମେ ସେଇ ବଉଳ ଗଛ ମୂଳେ ବସି ବସି ଖୋଜୁଥିଲ ନା ?? ସମସ୍ତେ ଏଇ ଭୁଲ କରନ୍ତି । ଖୋଜନ୍ତି !! ହେଲେ ପାଇଲେ ଚିହ୍ନି ପାରନ୍ତିନି । ତୁମେ ଜଣେ ସାଧାରଣ ମଣିଷ ନୁହଁ । ଏକ ବିରାଟ କାର୍ଯ୍ୟ ତୁମ ଦ୍ୱାରା ସାଧନ ହେବାକୁ ଅଛି । ତୁମେ ଯାଇ ଏକ ସ୍କୁଲ ଖୋଲ ସେଇଠି । ପିଲାମାନଙ୍କୁ ପାଠ ପଢେଇବା ସହ ସେମାନଙ୍କୁ ତାଙ୍କ ନିଜ ସହ ପରିଚୟ କରାଅ, ଈଶ୍ଵରାଭିମୁଖୀ କରାଅ । ଯେଉଁ ଭୁଲ ତୁମେ କରିଛ ସେମାନେ ଯେମିତି ନ କରନ୍ତି ଜାଗ୍ରତ ପ୍ରହରୀ ଭଳି ସେମାନଙ୍କୁ ଜଗି ରୁହ । ଖୁବ୍ ଶିଘ୍ର ଯୁଗ ପରିବର୍ତ୍ତନ ହେବାକୁ ଯାଉଛି । ସେଥି ନିମନ୍ତେ ଆଗାମୀ ଭବିଷ୍ୟତ ଛାତ୍ର ସମାଜକୁ ପ୍ରସ୍ତୁତ କର । ସବୁବେଳେ ମୁଁ ତୁମ ପାଖେ ପାଖେ ଛାଇ ଭଳି ରହିବି । ତୁମକୁ ଆଉ ହାରିବାକୁ ଦେବି ନାହିଁ । ତୁମ ଉପରେ ଏବେ ଏଇ ଗୁରୁଦାୟିତ୍ଵ । ବୃଦ୍ଧ ଉଠିଆସି ତା ମୁଣ୍ଡ ଉପରେ ହାତ ରଖିଲେ । ଏକ ଅପୂର୍ବ ଶିହରଣ ସହ ଅସୀମ ଊର୍ଜା ଖେଳିଗଲା ତା ସାରା ଶରୀରରେ । ଅବଶେଷ ରହିଗଲା କେବଳ ଏକ ଅନନ୍ତ ଆନନ୍ଦର ଉତ୍ସ ......।


        ନିଶବ୍ଦର ଆଖି ଖୋଲିଲା ଚଢ଼େଇମାନଙ୍କର ରାବରେ । ଦେଖିଲା ସେ ସେହି ବଉଳ ଗଛ ମୂଳେ ଶୋଇଛି । ତା ଉପରେ ଗଦେଇ ହେଇ ପଡିଥିଲା ଅନେକ ବଉଳ ଫୁଲ । ଉଠି ପଡ଼ି ସେ ସେଇ ବୃଦ୍ଧ ଙ୍କୁ ଖୋଜିଲା । କାଇଁ କେହି ତ ନାହାନ୍ତି ?? ୟେ ସବୁ କ'ଣ କେବଳ ଏକ ସ୍ୱପ୍ନ ଥିଲା ?? ତେବେ ତା ଦେହରୁ କେମିତି ସେଇ ଚନ୍ଦନ ଅଗୁରର ମହ ମହ ବାସ୍ନା ଆସୁଛି ?? ସେ ଅନେଇଲା ଉଦିତ ସୂର୍ଯ୍ୟକୁ, ବଡ଼ ବଡ଼ ଗଛ ମାନଙ୍କୁ, ଡାଳରେ ବସିଥିବା ଚଢ଼େଇ ମାନଙ୍କୁ ସମସ୍ତେ ଯେମିତି ହାତ ବଢ଼େଇ ତାକୁ କୋଳେଇ ନେବାକୁ ଉଦ୍ୟତ। କାଲି ଆଉ ଆଜିର ପୃଥିବୀ ଭିତରେ ଆକାଶ ପାତାଳ ଫରକ । ତାକୁ ଲାଗିଲା ସେ ଯାହାକୁ ବି ଚାହୁଁଚି ତା'ର ଅନ୍ତରର କଥାକୁ ପ୍ରାଞ୍ଜଳ ଭାବରେ ପଢି ପାରୁଛି ଠିକ୍ ସେଇ ବୃଦ୍ଧଙ୍କ ପରି । ସେ ଆଗକୁ ପାଦ ବଢ଼େଇଲା ..... ବଡ ଗୁରୁଦାୟିତ୍ୱ ଏବେ ତା କାନ୍ଧରେ ବହୁତ କିଛି କରିବାକୁ ବାକି ଅଛି .......। ନିଜ ଘରେ ପହଞ୍ଚି ଦେଖିଲା ପିଣ୍ଡା ଉପରେ ବିଛେଇ ହେଇ ପଡିଥିଲା ଶୀତଳ ଜ୍ୟୋସ୍ନାର କିରଣ । ଆଉ ସେଇ କିରଣରେ ବାପାଙ୍କର ଅଶ୍ରୁପୂର୍ଣ୍ଣ ଆଖି ଦୁଇଟି ଦିଶୁଥିଲା ଚିକ୍ ଚିକ୍.... ।।।

         



Rate this content
Log in