Sunanda Mohanty

Others

4.0  

Sunanda Mohanty

Others

କିଏ କେମିତି

କିଏ କେମିତି

3 mins
164



ସେଦିନ ପ୍ରସ୍ତାବଟା ଅନୁମୋଦନ ହୋଇଗଲା । ସହରରେ ପ୍ରସିଦ୍ଧି ଲାଭ କରିଥିବା ଫାଇଭଷ୍ଟାର ହୋଟେଲକୁ ଯିବା । ଡ୍ରାଇଭର ପ୍ରତୀକକୁ ଖବର ଦିଅ, ଆଜି ରବିବାରରେ ଆସୁ, ଆମେ ସମସ୍ତେ ମିଶି ଖାଇବା । ଆଗରୁ ମଙ୍ଗୁଳି ହୋଟେଲକୁ ଯାଉଥିବାରୁ ପରେଶଙ୍କର ଟିକେ ଟିକେ ମନ ଢ଼ଳି ଥିଲା ସେଆଡକୁ ହେଲେ ଅନ୍ୟମାନଙ୍କ ମନରେ କାହିଁ କଷ୍ଟ ଦେବେ ଭାବି ଚୁପ ରହିଲେ ।

  ସୁଉଚ୍ଚ ଅଟ୍ଟାଳିକାରେ ପହଞ୍ଚି ପରେଶ ଲକ୍ଷ୍ୟ କଲେ ଦୁଇଟି କାଉଣ୍ଟର । ଗୋଟିକରେ ଲେଖା ହୋଇଛି ମାଗଣା ଭୋଜନ, ଅନ୍ୟଟି ଯେମିତି ହେବା କଥା । ଡ୍ରାଇଭର, ପ୍ରତୀକ ପରେଶଙ୍କ କାନରେ ଚୁପି ଚୁପି କହୁଥିଲା, ଚାଲୁ ନାହାନ୍ତି ବାବୁ ମାଗଣା ଭୋଜନ କାଉଣ୍ଟରକୁ, ବଢିଆ ଖାଦ୍ୟ, ମୁଁ କଣ, କେତେ କିଏ ଥିଲାଵାଲା ବି ଆସି ମାଗଣା ଖାଉଛନ୍ତି, ମାଲିକ ବଡ ଦିଲଦାର, ଆଖିମୁଜି ଦେଉଛନ୍ତି, ନହେଲେ ତାଙ୍କ ମନଟା ଭାରି ବଡ । ସେ ଦୁଃଖୀ ରଙ୍କି, ଦିବ୍ୟାଙ୍ଗ, ଅର୍ଥାତ୍ ପ୍ରକୃତ ଦୁଃଖିଲୋକ, ମାନେ ଗରୀବଙ୍କ ପାଇଁ ଦାତବ୍ୟ ହୋଟେଲ୍ ଖୋଲିଛନ୍ତି, ହେଲେ ଆମ ଦି ଗୋଡ଼ିଆ ମଣିଷମାନଙ୍କୁ ଚିହ୍ନି ନାହାନ୍ତି ଆଜ୍ଞା!

 ତୁମେ ନିଜେ ସବୁ ବୁଝି ଜାଣି ଆମକୁ ସିଆଡେ ଯିବାକୁ ପରାମର୍ଶ ଦେବା କେତେ ଦୂର ଯୁକ୍ତି ସଂଗତ?? ପ୍ରତୀକ କାନ କୁଣ୍ଡେଇ କୁଣ୍ଡେଇ କହୁଥିଲା ନାହିଁ ବାବୁ ଭୁଲ ହେଇଗଲା, ଆମ ଭଳି ଡ୍ରାଇଭରମାନେ ଗଲେ ଚଳିବ, ଆପଣଙ୍କ ପରି ବଡ଼ବଡ଼ିଆ! ପ୍ରତୀକକୁ କଥାଟା ବାଧିଲା ଜାଣି ପରେଶ କଥା ବୁଲାଇଲେ, ଜୋଇଁ ଅଛନ୍ତି ସାଙ୍ଗରେ, କଣ ଭାବିବେ, ବରଂ ତୁମ ସହ ମୁଁ ଆଉ କେବେ ଯାଇ ସେପଟେ ଖାଇନେବା ।

  ମେନୁ ଚାର୍ଟ ଦେଖି ପିଲାମାନେ ଯାହା ସବୁ ଅର୍ଡର୍ କଲେ ପରେଶ ବାବୁ ଓ ତାଙ୍କ ସ୍ତ୍ରୀଙ୍କର ଅଧାରୁ ଆଧ ବଳିଥାଏ । ପିଲାମାନଙ୍କ ଥାଳି ବି ଆଧା ନହେଲେ ବି ବହୁତ କିଛି ବଳିଛି । କହିବାକୁ କିଛି ଇଚ୍ଛା ଥିଲେ ବି ପରେଶ ବାବୁ, ଏକଦମ ଚୁପ୍ ।

  କାଉଣ୍ଟରରେ ପଶିଲେ ପରେଶବାବୁ । କୋଉଠି ଦେଖିଲା ପରି, ଚିହ୍ନା ଚିହ୍ନା ଲାଗୁଥିଲେ ମାଲିକ । ତାଙ୍କ ଆଶଙ୍କାକୁ ସତ କରି, ମାଲିକ ଯେବେ ନମସ୍କାର ସାର, ବହୁତଦିନ ପରେ ଦେଖା କହୁଥିଲେ, ପରେଶ ଦୋ ଦୋ ଚିହ୍ନା ହୋଇ କହୁଥିଲେ, ବାଇନ ତ?? ହଁ ଆଜ୍ଞା, ଠିକ୍ ଚିହ୍ନିଛନ୍ତି ବାଇନ । ଆଶ୍ଚର୍ଯ୍ୟରେ ପରେଶ ବାବୁ ଚାହିଁ ଥିଲେ, ମଙ୍ଗୁଳି ପାଖରେ ବାସନ ମାଜୁଥିବା, ଚା ବରା ପକୁଡ଼ି ମଟର ତରକାରୀ ଦେଉଥିବା, ପୁଣି ଗରାଖର ଡେରି ହେଲେ, ମଙ୍ଗୁଳିଠୁ, ଗାଳି ଖାଉଥିବା ବାଇନ, ଆଜି ମାଲିକ କେମିତି!

ତାଙ୍କ ହୃଦୟରେ ଲହଡ଼ି ଭାଙ୍ଗୁଥିବା ପ୍ରଶ୍ନର ଉତ୍ତର ରଖୁଥିଲା ବାଇନ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଆଜ୍ଞା, ମୋ ଭଳି ବହୁତ ପାଠ ପଢ଼ି ବେକାର ପିଲା ଗାଁରୁ ସହରକୁ ଆସି ଚିହ୍ନା ଜଣା ସାଇକେଲ ଦୋକାନ, ଜଳଖିଆ ଦୋକାନ ଇତ୍ୟାଦିରେ, ବାଇନ ନାମ ପାଇ, ମାଲିକଠୁ, କୌଶଳ ଶିକ୍ଷା କରି ମୋରି ପରି କେତେ ବାଇନ, ଆଜି ଗାଡି ଶୋ ରୁମର ମାଲିକ, ଆଉ କିଏ କେତେ ବଡ଼ ହେଇଛନ୍ତି । ଆଉ ଏସବୁ ପାଇଁ ଦିମାକ ଦରକାର ଵାବୁ । ପାଠ ପଢ଼ି କିଏ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ହୋଇପାରିଛନ୍ତି, ଆମେ ବାଇନ, ଅର୍ଥାତ୍ ଅଧାପାଠୁଆ ଗରୀବମାନେ, ଦିଲ, ଦିମାକ, ଅର୍ଥାତ୍ ବୁଦ୍ଧି ଓ କୌଶଳ ପ୍ରୟୋଗ କରି ବଡ ହେଇପାରିବୁନି ଆଜ୍ଞା??

  ନିଶ୍ଚୟ ନିଶ୍ଚୟ, ହେଲେ କୋଉ କୌଶଳ ତୁମକୁ ଏତେ ବାଟକୁ ଉଠେଇଲା, ବୁଝିହେଉନି ।

  ବୁଝିପାରୁନାହାଁନ୍ତି କଣ ଯେ ଆଜ୍ଞା, ସେହି ପ୍ରଥମ ଗୁରୁଙ୍କ ଠକାମୀ ଭିତରେ ଟିକେ ଜ୍ଞାନ କୌଶଳ ଭରିଦେବା କଥା ତ ଆଜ୍ଞା ।

 ମନକୁ ମନ ବାଇନରୁ ବାନାମ୍ବର ଛୋଟରାଏ ବନିଥିବା ମାଲିକ କହୁଥାନ୍ତି, ମଙ୍ଗୁଳି ଭାଇ, ବାସି ଓ ଗ୍ରାହକ ଛାଡ଼ିଯାଇଥିବା ଅଇଁଠା, କୌଶଳରେ ଖାଦ୍ୟରେ ମିଶାଇ ଗରମ କରି ଆମରି ହାତରେ ଗରାଖଙ୍କୁ ଠକେ । ଆଉ ମୁଁ ସେସବୁକୁ ଗରୀବ ଅସହାୟ, ଦିବ୍ୟାଙ୍ଗମାନଙ୍କୁ ବିନା ପଇସାରେ ଦିଏ । ଏଇ ଦେଖୁନାହାନ୍ତି, ଆପଣଂକ ଭଳି ପଇସା ଵାଲାମାନଙ୍କ ପ୍ଲେଟରେ ଯେଉଁ ଖାଦ୍ୟ ଭରା ଭରା ରହିଛି, ତାକୁ ଗରମ କରି ଖଟିଖିଆ, ଦିନମଜୁରିଆ, ତଥା ଅସହାୟ ଭିକାରୀ ମାନଙ୍କୁ ପରଷି ଦେବାରେ କ୍ଷତି କଣ??? ଆଉ ଏହି ବଦାନ୍ୟତା ପାଇଁ ସରକାରୀ ଓ ବେସରକାରୀ ସୂତ୍ରରୁ ବହୁତ୍ ପଇସା ଆସେ ଆଜ୍ଞା ।

 ପରେଶ ବାବୁ ଟଙ୍କା ପୈଠ କରି ପ୍ରତୀକକୁ ତିର୍ଯ୍ୟକ୍ ଦୃଷ୍ଟିରେ ଦେଖୁଥିଲେ । ବାଇନର ସବୁକଥା ଶୁଣି, ସେ କାନ କୁଣ୍ଡାଉଥିଲା, ସତ, ହେଲେ ତା ମୁଣ୍ଡରେ କୋଉ ଜ୍ଞାନ କୌଶଳ ବସା ବାନ୍ଧୁଥିଲା କିଏ ଜାଣେ !



Rate this content
Log in