T.Durga Prasad Rao

Others

3  

T.Durga Prasad Rao

Others

ଖୁସିର ଚାବିକାଠି

ଖୁସିର ଚାବିକାଠି

6 mins
550



ରାତି ଅନେକ ହେଲାଣି। ଚାରିପଟେ ନିରନ୍ଧ୍ର ନିରବତା। ସ୍ମିତାର ଶୟନକକ୍ଷ ଭିତରେ ଟେବୁଲ୍ ଲ୍ୟାମ୍ପଟି ତଥାପି ସେ ପର୍ଯ୍ୟନ୍ତ ଜଳୁଥିଲା। ଭାବନାର ବୁଢ଼ିଆଣୀ ଜାଲରେ ଅସ୍ତବ୍ୟସ୍ତ ସ୍ମିତା, ହାତରେ ଧରି ଥିଲା ତା ସ୍ୱହସ୍ତଲିଖିତ ଚିଠିଟିଏ, ଯାହାକୁ ସେ ଏବେ ଏବେ ସମ୍ପୂର୍ଣ୍ଣ କରିଛି। ହୃଦୟରେ ପୁଞ୍ଜିଭୁତ ଅସଂଖ୍ୟ ବେଦନା । ନା, ଅସହ୍ୟ ଏ ଜୀବନ। ଆଉ ତାର ପ୍ରତିକାରର ମଧ୍ୟ କୌଣସି ଆଶା ନାହିଁ। ଏ ପରିବାର ପାଇଁ ସେ ଖାପ୍ ଛଡ଼ା, ଅଲୋଡ଼ା। କାହାରି ମନରେ ତାର ଭବିଷ୍ୟତ ନେଇ କୌଣସି ଚିନ୍ତା ନାହିଁ ଯେତେବେଳେ ଏ ଘରେ ତାର ଆବଶ୍ୟକତା କଣ? ଏପରିକି ତା ବାପା ମଧ୍ୟ ତା ପାଇଁ ଚିନ୍ତିତ ନୁହଁନ୍ତି।

ଆରଘରେ ଶୟନରତ ଅଛନ୍ତି ଶୃତି ଓ ତାର ମାଆ। ଶୃତିର ମାଆଙ୍କୁ ସେ କେବେ ବି ନିଜର ମାଆର ମର୍ଯ୍ୟାଦା ଦେଇ ପାରିନାହିଁ। ସେ ହେଲେ ତା ବାପାଙ୍କର ଦ୍ୱିତୀୟ ସ୍ତ୍ରୀ। ପିଲାଟିବେଳୁ ସ୍ମିତା ହରାଇଛି ନିଜ ଜନ୍ମକଲା ମାଆକୁ। ଆଉ ମା ଛେଉଣ୍ଡ ହେତୁ ସେ ଖୁବ୍ ଗେଲବସର ହୋଇ ଯାଇଥିଲା ବାପାଙ୍କର। କିନ୍ତୁ କିଛି ବର୍ଷ ପରେ ବାପାଙ୍କର ଦ୍ୱିତୀୟ ବିବାହ ତା ପାଇଁ ସବୁ ବିପର୍ଯ୍ୟୟର ମାର୍ଗ ଖୋଲିଦେଇଥିଲା। ବାପା ଦେଇଥିବା ସ୍ୱାଧୀନତା ଛଡ଼େଇ ନେଇଥିଲେ ଶୃତିର ମାଆ। ପ୍ରତି କ୍ଷେତ୍ରରେ ସ୍ମିତା ଆହତ ହେଉଥିଲା ଶୃତିମାଆଙ୍କ ଆକଟରେ। ପ୍ରତ୍ୟେକ କ୍ଷେତ୍ରରେ ତାକୁ ଶୁଣିବାକୁ ପଡୁଥିଲା କିଛି କଟୁ କଥା। ପାର୍ଟି, ପିକ୍.ନିକ୍ ମନା। ପୁରୁଷବନ୍ଧୁଙ୍କ ସହ ଆଳାପ ମେଳାପ ମନା। କଲେଜ ଟାଇମ୍ ପରେ ପରିବାର ସଦସ୍ୟଙ୍କ ବିନା ବାହାରକୁ ବାହାରିବା ମନା। ଏପରିକି ବଜାରରୁ ମିନି ସ୍କଟ୍.ଟିଏ କିଣି ଆଣିଲେ, ସେ ନିଜେ ଯାଇ ଫେରାଇ ଦେଇ ଆସୁଥିଲେ। ପ୍ରତିଥର କଥା ଯୋଡ଼ନ୍ତି, ଭାରି ଉତ୍ସୃଙ୍ଖଳ ହେଇ ଯାଉଛୁ ଦିନକୁ ଦିନ। ଶୃତି ପୁଣି ଶିଖିବ କଣ, ତୁ ଯଦି ତାର ବଡ଼ ଭଉଣୀ ହେଇ ଡିସିପ୍ଳିନ୍ ନ ରଖିବୁ? ଡିସିପ୍ଳିନ୍, ମାଇଁ ଫୁଟ୍। କାହିଁ ଶୃତିକୁ ତ କିଛି କହନ୍ତି ନାହିଁ ଏମିତି କଠୋର ସ୍ୱରରେ?


ହେଲେ ଏସବୁ ଗୋଟିଏ ପାଖରେ। ଏଇ କ୍ଷୁଦ୍ରାତିକ୍ଷୁଦ୍ର କଥା ଓ ଘଟଣା ଯଦିଓ ତା ମନରେ ଶୈଶବରୁ ରେଖାପାତ କରି ଆସିଛି ଏବଂ ଶୃତିମାଆଙ୍କ ପ୍ରତି ତା ମନଟା ଧୀରେ ଧୀରେ ବିରକ୍ତିରେ ଭରି ଯାଇଛି, ତେବେ ବି ସେ ଭାବି ନେଉଥିଲା ସେ ଏ ଘରର ସଦସ୍ୟ। ଆଉ ଅନ୍ୟ ସଦସ୍ୟଙ୍କ ପରି ତାର ମଧ୍ୟ ପୂର୍ଣ୍ଣ ଦାୟିତ୍ୱ ଓ ଅଧିକାର ଅଛି ଏ ଘର ପରିବାର ଉପରେ। କିନ୍ତୁ ଆର ପାଖରେ ତା ଜୀବନର ଭବିଷ୍ୟତକୁ ନେଇ ସେ ଥିଲା ଚିନ୍ତିତ। ତାର ବିବାହ ବୟସ ଉପନୀତ। ଅଥଚ ସେଥିପ୍ରତି ତାର ବାପା ଓ ଶୃତିମାଆ ସମ୍ପୂର୍ଣ୍ଣ ଉଦାସୀନ। କୌଣସି ପ୍ରକାରେ ଗୋଟେ ଅଧେ ପ୍ରସ୍ତାବ ପହଞ୍ଚିଗଲେ, କୌଣସି ନା କୌଣସି କାରଣ ଦର୍ଶାଇ ଶୃତିମାଆ ଭାଙ୍ଗି ଦିଅନ୍ତି ପ୍ରସ୍ତାବ। ଏଇ କିଛି ଦିନ ହେଲା ସେ ଯାହା ଅନୁମାନ କରୁଛି ଅତ୍ୟନ୍ତ ବ୍ୟଗ୍ରତା ସହକାରେ ବିବାହର ଆଲୋଚନା ଚାଲିଛି ବାପା ଓ ଶୃତିମାଆଙ୍କ ମଧ୍ୟରେ। ଘନ ଘନ ମୋବାଇଲ୍ ଫୋନ୍.ରେ ବାର୍ତ୍ତାଳାପ ଚାଲିଛି କାହା ସହ। ତା ନିଜର ବିବାହ ସପକ୍ଷରେ ନ ଥିବା ଶୃତିମାଆ ତା ବାହାଘର ପାଇଁ ଏତେ ବ୍ୟଗ୍ରତା ଦେଖାଇବା ନିଶ୍ଚୟ ଅଯୌକ୍ତିକର। ଶୃତିକୁ ହେଲାଣି ଏବେ ଏକୋଇଶି ବର୍ଷ। ସେ ଜାଣେ ଏ ବିବାହର ଆୟୋଜନ ତା ପାଇଁ ନୁହେଁ ବରଂ ଶୃତି ପାଇଁ। ୟା ପରେ ଆଉ ସେ ଏ ଘରକୁ ନିଜର ମନେ କରି ପାରୁନାହିଁ। ତାକୁ ଲାଗୁଛି ସେ ଯେମିତି ସମସ୍ତଙ୍କ ପାଖରେ ପର ହୋଇ ଯାଇଛି। ପରର ଦୟାରେ ଖାଉଛି, ପିନ୍ଧୁଛି, ବଞ୍ଚିଛି, ଆଉ ଏମିତି ଚାଲିବ ତାର ଅବଶିଷ୍ଟ ସମୟ। ହୁଏତ ଦିନ ଆସିବ, ଗଳାଧକ୍କା ଖାଇ ତାକୁ ଘରୁ ବାହାରିବାକୁ ହେବ। ବରଂ ତା ଠାରୁ ଭଲ ସେଭଳି ପରିସ୍ଥିତି ଆସିବା ପୂର୍ବରୁ ସେ ଏ ଘର ଛାଡ଼ି ଚାଲିଯିବ।

ସ୍ମିତା ଚିଠିଟିକୁ ଟେବୁଲ୍ ଲ୍ୟାମ୍ପ୍ ତଳେ ଚାପି ଦେଇ ଭାରାକ୍ରାନ୍ତ ହୃଦୟରେ ପାଦ ବଢ଼େଇଲା ଲିଭିଙ୍ଗ୍ ରୁମ୍ ଆଡ଼କୁ। ପୂଜା କୋଠରୀର ଗୋଟିଏ କଡ଼ କାନ୍ଥରେ ମାଆଙ୍କର ଫଟୋ ଦେଖି ଅଟକିଗଲା କ୍ଷଣେ। ହୃଦୟରୁ ସତେକି ପଦଟିଏ ବାହାରୁ ଥିଲା, ମାଆ, ଦେଖ୍ ତୋ ଝିଅ ଆଜି କେତେ ଅସହାୟ। ତାର ଆଜି ଘରଦ୍ୱାର କିଛି ନାହିଁ। ନିଜର ବୋଲି କେହି ନାହିଁ। ଭବିଷ୍ୟତର ଠିକଣା ମଧ୍ୟ ତା ପାଇଁ ଅଜଣା। ତୁ କେମିତି ଏକା କରି ଛାଡ଼ିଗଲୁ ମାଆ? କଣ ଏଇ ଦିନ ଦେଖିବାକୁ? ଫଟୋଟିକୁ କାନ୍ଥରୁ ଉଠାଇ ଆଣି ଛାତିରେ ଜାବୁଡ଼ି ଧରିଲା ସ୍ମିତା। ଏ ଫଟୋଟି ହିଁ ତାର ସମ୍ବଳ। ସେ ନେଇଯିବ ତା ମାଆକୁ ତା ସାଙ୍ଗରେ। ଫଟୋ ସହ କିଛି ଖସି ପଡ଼ିଲା ଚଟାଣରେ। ଛୋଟ ଡାଏରୀଟିଏ। ତରତରରେ ଓଲଟାଇଦେଲା କିଛି ପୃଷ୍ଠା। ଏ ତ ଶୃତିମାଆଙ୍କ ଡାଏରୀ। ମାଆଙ୍କ ଫଟୋ ପଛରେ!

ଲେଖା ହୋଇଛି – ଅପା, ତମ ଝିଅ ଭାରି ମୁହଁଖୋର୍। ଯାହା କହିଲେ ମୁହଁରେ ମୁହଁରେ ଜବାବ୍ ଦେଉଛି। କେମିତି ସମ୍ଭାଳୁଥିଲ ତାକୁ...

ବିରକ୍ତିରେ ଆଠ ଦଶ ପୃଷ୍ଠା ଓଲଟାଇଲା ସ୍ମିତା।

- କାଲିକି ତା ଜନ୍ମଦିନ। ସକାଳୁ ଉଠାଇ ତାକୁ ସଜବାଜ କରି ମନ୍ଦିର ନେଇଯିବାକୁ ମନ ଥିଲା। ହେଲେ ମୋର ସେ ଆଶା ପୂରଣ ହେଲାନି। ଜିଦ୍ କରି ମୋବାଇଲ୍.ରେ ରାତି ଅଧଟାରେ କାହା କାହା ସହ ଅନେକ ରାତି ଯାଏଁ ଗପି ଚାଲିଥିଲା, ମ୍ୟାସେଜ୍ ପଢ଼ୁଥିଲା। ସକାଳେ ଉଠାଇ ଦେଲା ବେଳକୁ ରାଗରେ ଗର ଗର। ଶୋଇଲା ପୁଣି ଦିନ ଏଗାରଟା ଯାଏଁ। ଅପା, କେମିତି ଝିଅ ତମର…

ସ୍ମିତାର ନାସା କୁଞ୍ଚିତ ହୋଇ ଉଠିଲା। ଓଲଟାଇ ଦେଲା ଆଉ ଆଠ ଦଶ ପୃଷ୍ଠା।

- ଝିଅ ତମର ଆଜି ଖୁବ୍ ସୁନ୍ଦର ଦିଶୁଥିଲା ନିଜେ ପସନ୍ଦ କରି ନେଇ ଆସିଥିବା ସ୍କଟ୍.ରେ। ତା ଉପରୁ ମୁଁ ଆଖି ଫେରାଇ ପାରୁନଥିଲି। ଶୃତି ତା ପାଖରେ ପରା କିଛି ନୁହଁ। ହେଲେ, ତାକୁ ସେଇ ଡ୍ରେସ୍.ରେ ବାହାରକୁ ବାହାରିବାକୁ କେମିତି ଅନୁମତି ଦେଇଥାନ୍ତି। ସବୁ ଛତରା, ବଜାରୀ ଟୋକାଙ୍କ ଆଖି ପରା ତା ଉପରେ ବୁଲୁଥାନ୍ତା। ତାକୁ ମନା କଲି ସେ ଡ୍ରେସ୍ ପିନ୍ଧିବାକୁ। ରୁକ୍ଷ ହେବାକୁ ପଡ଼ିଲା ମୋତେ। ଡ୍ରେସ୍ ନେଇ ଫେରେଇ ଦେଲି ଦୋକାନରେ। ତା ମୁହଁ ଶୁଖି ଯାଇଥିଲା। ମୋତେ କ୍ଷମା କରିଦିଅ ଅପା। ତାରି ଭଲ ପାଇଁ ମୋତେ କଠୋର ହେବାକୁ ପଡୁଛି।

ଓଠ ଥରି ଉଠିଲା ସ୍ମିତାର। ଓଲଟାଇ ଦେଲା ଆଉ କିଛି ପୃଷ୍ଠା।

- ହଁ, ଗୋଟେ କଥା କହିବାକୁ ଭୁଲି ଯାଇଛି। ତମ ଝିଅ ମୋତେ କଣ ଡାକେ ଜାଣ? ଏ, ହଇହେ। ଆଉ ଶୃତି ଜନ୍ମ ହେଲା ପରଠାରୁ ଡାକୁଛି ଶୃତିମାଆ। ମୁଁ କାଳେ ତା ମାଆ ନୁହେଁ। ଯାହା ହେଉ, ମାଆ ଶବ୍ଦଟା ଯୋଡ଼ିକି ଡାକୁଛି। ମୁଁ ଖୁବ୍ ଆଶ୍ୱସ୍ତ।


- ଅପା, ଆଜିକାଲି ଦିନକୁ ଦିନ ଜିଦ୍ ଖୋର୍ ହୋଇ ଉଠୁଛି ତମ ଝିଅ। କେମିତି ସମ୍ଭାଳିବି ବୁଦ୍ଧିବାଟ ଦିଶୁନି। ପିଲାଟାକୁ କେତେ ଆକଟ କରିବି, କେତେ କଠୋର ହେବି। ତା ବାପାଙ୍କୁ କହିଲେ ଶୁଣୁନାହାନ୍ତି। କହୁଛନ୍ତି, ତୋ ପିଲା ତୁ ସମ୍ଭାଳେ। ଝିଅର ଅସୁବିଧା ଯଦି କିଛି ହୁଏ, ସେତେବେଳେ ତମ କଥା ବୁଝିବି। ମୁଁ ଏ ଆଡ଼େ ମଲି, ସେ ଆଡ଼େ ମଲି। କଠୋର ହେଲେ, ଲୋକ କହିବେ ସାବତ ମାଆ ବୋଲି ଝିଅଟାକୁ ଦି ଆଖିରେ ଦେଖି ପାରୁନି। କଠୋର ନ ହେଲେ ଯୋଉ ଘରକୁ ଯିବ, ସେ ଲୋକ କହିବେ, ମାଆ ତୋର କଅଣ ଶିଖେଇ ଛାଡ଼ିଛି?


ଆଜି ମୁଁ ଭାରି ଖୁସି। ସ୍ମିତା ପାଇଁ ପ୍ରଥମ ବିବାହ ପ୍ରସ୍ତାବ ଆସିଛି। ଘର, ବର ଭଲ ଜଣା ପଡ଼ୁଛନ୍ତି। ଆଉ ଟିକେ ଖାନ୍ ତଲାସ୍ କରିବାକୁ ତାର ବାପାଙ୍କୁ କହିଛି। ଦେଖାଯାଉ କଣ ହେଉଛି।


ଅପା, ସ୍ମିତାର ମନ ଏବେ ସବୁ କାମରେ ଲାଗିଲାଣି। ଆଜିକାଲି ସକାଳେ ଜଲ୍.ଦି ଉଠୁଛି। ମୋତେ ଛୋଟମୋଟ ଘର କାମ ଆଉ ରୋଷେଇରେ ମଧ୍ୟ ସାହାଯ୍ୟ କରୁଛି। ବୋଧେ ବିବାହ ପ୍ରସ୍ତାବ ପଡ଼ିଲା ପରଠାରୁ କି କଣ ସେ ତାର ଦାୟିତ୍ୱ, କର୍ତ୍ତବ୍ୟ ହୃଦୟଙ୍ଗମ କଲାଣି। ଭଲ ପ୍ରସ୍ତାବ ଖୋଜାରେ ଅଛି। ମୋ ଝିଅକୁ କଣ ଏମିତି ସେମିତି ଘରେ ବାହା ଦେଇଦେବି?

ସ୍ମିତା ଆଖି ଦୁଇଟାକୁ ଟିକିଏ ମନ୍ଥି ପକାଇ ଶେଷ ଦୁଇ ପୃଷ୍ଠା ଓଲଟାଇଲା।

ଅପା, ଭଲ ପ୍ରସ୍ତାବ ହାତରେ ଲାଗିଛି। ବାହାଘର ଏକ ରକମ ନିଶ୍ଚିତ କହିଲେ ଚଳେ। ପିଲାଟା ସ୍ମିତାକୁ ଜାଣେ। ତାରି କଲେଜର ଅଧ୍ୟାପକ। ଦେଖିବାକୁ ସୁନ୍ଦର, ଗୋରା, ଉଚ୍ଚା। ସ୍ମିତା ସହିତ ତାର ଯୋଡ଼ି ଖୁବ୍ ମାନିବ। ତମେ ଥିଲେ ବି ୟା ଠାରୁ ଭଲ ବର ତମେ ଖୋଜି ପାରିନଥାନ୍ତ ମ। ତାଙ୍କ ଘର ଲୋକ ବି ପସନ୍ଦ କରିଛନ୍ତି ସ୍ମିତାର ଫଟୋ ଦେଖି। ଔପଚାରିକ ଭାବରେ ସେମାନେ ଆସିବେ ଆସନ୍ତା ବୁଧବାର ଦିନ। ଏ ପ୍ରସ୍ତାବ ହାତଛଡ଼ା ନ ହେଉ ଆଶିର୍ବାଦ କର।


ସେମାନେ ଖବର ଦେବାଠୁ ନା କଣ ମୋ ଛାତିଟା ଭାରି ଧଡ଼ ଧଡ଼ ହେଉଛି ଅପା। ଖୁସିରେ କି କଣ କେଜାଣି? ପହରିଦିନ ସେମାନେ ଆସିବେ। ସ୍ମିତା ତ ତାଙ୍କର ପସନ୍ଦ ହୋଇଛି, ଖାଲି ଯାହା ତାଙ୍କ ପରିବାର ଲୋକ ସ୍ମିତାକୁ ସ୍ୱଚକ୍ଷୁରେ ଦେଖିଯିବେ। ସ୍ମିତା ବି ଦେଖିବ ତା ସାର୍.ଙ୍କୁ ଆଉ ତା ମନକଥା ରଖିବ ଆମ ଆଗରେ। ଆଉ ହଁ ଶୁଣିଲ, ସାଙ୍ଗରେ ସେମାନେ ପଣ୍ଡିତ ନେଇକି ଆସୁଛନ୍ତି। ସ୍ମିତାର ପସନ୍ଦ ହେଲେ ଏଇଠି ହିଁ ସେମାନେ ନିର୍ବନ୍ଧ ଆଉ ବିବାହର ଦିନ ସ୍ଥିର କରିବେ। ସେମାନଙ୍କର ଇଚ୍ଛା ଏଇ ଫଗୁଣରେ ହିଁ ବିବାହ ହେଉ। ଆଉ ମାତ୍ର ତିନି ମାସ ରହିଲା ହାତରେ। ତା ଭିତରେ ସବୁ ଯୋଗାଡ଼ଯନ୍ତ୍ର କରିବାକୁ ପଡ଼ିବ। ତମେ ଜାଣିଛ ଅପା, ସ୍ମିତା ପାଇଁ ଯାହା ଯାହା ଦରକାର ମୁଁ ପରା କିଛି କିଛି କିଣି ସାରିଲିଣି। ଶାଢ଼ୀ, ଶଙ୍ଖାଠୁ ଆରମ୍ଭ କରି ସୁନାଗହଣା ଯାଏଁ। ସବୁ ଲେଟେଷ୍ଟ ଡିଜାଇନ୍। ଆଉ ବାକି ଯାହା ତାର ପସନ୍ଦ ସେ ନିଜେ ଯାଇ ସପିଂ କରୁ। କୋଉଥିରେ ଅଭାବ କରିବିନି ମ। ତମ ଝିଅର ଦାୟିତ୍ୱ ମୋ ହାତରେ ବୋଲି କଣ ଈର୍ଷା ହେଉଛି କି ଅପା?

କେଉଁ ଏକ କକ୍ଷର କବାଟ ଖୋଲିବା ଶବ୍ଦରେ ସ୍ମିତା ତରତରରେ ଫଟୋ ଓ ଡାଏରୀଟିକୁ ଯଥା ସ୍ଥାନରେ ରଖି ଦେଇ ଲାଇଟ୍ ଲିଭେଇଦେଲା ପୂଜା କକ୍ଷର। କ୍ଷୀପ୍ର ପଦରେ ଫେରିଗଲା ନିଜ ଶୟନକକ୍ଷକୁ। ଶଯ୍ୟା ଉପରେ ଶରୀରଟାକୁ ଶୁଆଇ ଦେଇ ତକିଆ ଉପରେ ମୁହଁ ମାଡ଼ି ଉଚ୍ଛ୍ୱସିତ କୋହ ଆଉ ଲୁହରେ ଆର୍ଦ୍ର ହୋଇଗଲା ସ୍ମିତା।

ରାତି ତମାମ ଲୁହର ଝରରେ ମନଟାକୁ ପଖାଳୁ ପଖାଳୁ କେତେବେଳେ ସକାଳ ପାହିଗଲା ଜାଣି ପାରିଲା ନାହିଁ। ହଠାତ୍ ସଚେତନ ହୋଇ ଚିଠିଟିକୁ ଟେବୁଲ୍ ଲ୍ୟାମ୍ପ୍ ତଳୁ ବାହାର କରି ଟିକି ଟିକି କରି ଚିରି ଡଷ୍ଟବିନରେ ଫୋପାଡ଼ି ଦେଲା। ନିତ୍ୟକର୍ମ ସାରି ମାଆଙ୍କ ଫଟୋକୁ ନମସ୍କାର କରି ଡାଏରୀଟିକୁ ମଥାରେ ଲଗାଇଲା ସ୍ମିତା। ସେଇ ଡାଏରୀ ହିଁ ତ ତାର ଓ ତା ପରିବାରର ଖୁସିର ଚାବିକାଠି। ସେ ନ ଥିଲେ ବୋଧହୁଏ ତା ଭାଗ୍ୟାକାଶରେ ଅନ୍ଧକାର ହିଁ ଅନ୍ଧକାର ଲେଖା ଥିଲା।

ଶୃତିମାଆ ଉଠି ସାରିଥିଲେ। ସ୍ମିତାକୁ ଦେଖି ସହଜ ଭାବରେ ମୁରୁକି ହସୁ ହସୁ ପାଖକୁ ଆସିଲେ। ସ୍ମିତା ନିଜ ମନୋଭାବକୁ ଗୋପନ ରଖୁ ରଖୁ ଅଜାଣତରେ ତା ପାଟିରୁ ବାହାରି ଆସିଲା, ମାଆ, ତମ ପାଇଁ ଚାହା କରିଦେବି? ଶୃତିମାଆ ବିସ୍ମୟ ଓ ଆନନ୍ଦରେ ପଚାରିଲେ, କଣ କହିଲୁ, ଆଉ ଥରେ କହ।

- ମାଆ, ତମ ପାଇଁ ଚାହା କରିଦେବି?

ମାଆ ଡାକ ଶୁଣି ଶୃତିମାଆ ଅତିଶୟ ଆନନ୍ଦରେ ଅଧୀର ହୋଇ ସ୍ମିତାକୁ କୁଣ୍ଢେଇ ପକାଇଲେ। ସ୍ମିତାର ବନ୍ଦ ହୋଇ ଯାଇଥିବା ଅଶ୍ରୁ ପୁଣି ଥରେ ଝରିବାକୁ ଲାଗିଲା। ସେ ମଧ୍ୟ ଭାବାବେଗରେ ଖୁବ୍ ଜୋର୍.ରେ ଜାବୁଡ଼ି ଧରିଲା ତା ମାଆକୁ।



Rate this content
Log in