Rabinarayan Senapati

Others

4.3  

Rabinarayan Senapati

Others

ଖଳା

ଖଳା

12 mins
465



ସେଦିନ ଖଳାକୁ ମନେପକାଇବାକୁ ଚେଷ୍ଟା କରୁଥିଲି ଖଳା ଉପରେ ଠିଆ ହୋଇ। ସତ କହିଲେ ଖଳାର ମଲା କଙ୍କାଳ ଉପରେ ଠିଆ ହୋଇ ମୁଁ କେମିତି ଭାବୁକ ହୋଇଯାଇଥିଲି। ମନେ ହେଲା ଖଳାର ସତ୍ତା ମୋ ଆକୁଳତାକୁ ବୁଝି ପାରିଲା। ମୋ ପାଖକୁ ଆସିଲା, ଅର୍ଥାତ ତା ନିଜ କଙ୍କାଳ ଉପରକୁ ସେ ନିଜେ ଆସିଗଲା।


ମତେ ପଚାରିଲା, -କି ରେ ଏ ସନ ଦଶହରାରେ ମୋ ଛାତିରେ କୋଡିଟିକେ ଚଳେଇଲୁ ନାହିଁ?


-ମୋର କ'ଣ ମନେ ପଡେ? ବୋଉ ଥିଲା ମନେ ପକେଇ ଦିଏ।


 ମନେ ପଡିଲା ଅନେକ କଥା। 

 

ଆମ ସାହିରୁ ଯେବେ ଦଶରା କଳସ ବୁଡାଇବାକୁ ଯାଆନ୍ତି, ଶଂଖ ଫୁଙ୍କି, ଘଣ୍ଟ ବାଡେଇ ମହାସପ୍ତମୀ ଦିନ, ସେତିକିବେଳେ ଘୋରା ହୋଇଥିବା ଢାଉରେ ପେରିପେରିକା ଫଳ ବୁଡାଇ ତହିଁରେ ଚିହ୍ନ ଦିଆଯାଏ ଦାଣ୍ଡ ଦ୍ବାର ପାଖ କାନ୍ଥରେ, କେତେ ଚିତ୍ର ଫୁଟିଉଠେ। ଢାଉ ବୋଳାଯାଏ ଗୋରୁମାନଙ୍କ ଶିଙ୍ଗରେ। 


ପୁଣି ଦଶରା ଦିନ କଳସ ବିସର୍ଜନ ଦେବାକୁ ଯାଆନ୍ତି ଶଂଖ ଘଣ୍ଟାର ତାନ ମଧ୍ୟରେ। ବୋଉ କହେ, ଯା ଯା ଏଇଟା ଠିକ୍ ସମୟ, ଖଳାଟିକେ ଚାଞ୍ଛିଦେ।


 ମୁଁ, ଦିନେ ନାହିଁ କାଳେ ନାହିଁ, କୋଡି ଫାଉଡା ଧରି ଦୌଡିଯାଏ। ଆମ ଦାଣ୍ଡ ଦେଇ କଳସ ଯିବା ଓ ଖଳା ଚାଞ୍ଛିବା ଏକ ସମୟରେ ହେବା ଦରକାର। କାହିଁକି? ସମୟ ଆଗ ପଛ ହୋଇଗଲେ କେଉଁ ଅଶୁଦ୍ଧି ହୋଇଯିବ ଯେ? ଏ ପ୍ରଶ୍ନ ମନକୁ ଉଠେ କିନ୍ତୁ ତାଠୁ ଅଧିକ ତତ୍ପରତା ଆସେ ଖଳା କାମ ଆରମ୍ଭର ଶୁଭ ଦେବାରେ, ଠିକ୍ ସେହି ସମୟରେ।


ବର୍ଷା ଋତୁ ପ୍ରାୟ ଶେଷ। ଆଗରୁ ଯେତେ ଘାସ ଓ ଅନ୍ୟ ସବୁ ଅଜାତିକା ଗଛ, ବଜ୍ରମୂଳି, ଭେଜି ବାଇଗଣ, କୋଇଲି ଖିଆ, କାନିଶିରୀ, ମଦରଙ୍ଗା, ବାରମାସୀ, ଲାଜକୁଳୀ ଓ ଆହୁରି କେତେ ପ୍ରକାର ଗଛ ବଢି ବଢି ଛିଡିବାକୁ ବସିଥାନ୍ତି। ସେସବୁ ପରିଷ୍କାର ହେବା ଦରକାର। ବର୍ଷେ ବର୍ଷେ ନଳିତା ଚାଷ ବା ମକା ବାଜରା ହୋଇଥିଲେ ତାର ମୂଳସବୁ ଥାଏ। ସେସବୁ ସଫା କରିବା ମୋ ସାମର୍ଥ୍ୟ ବାହାରେ, ପ୍ରାୟ ଏକ ବର୍ଗଫୁଟ ଚାଞ୍ଛିଦେଲେ ମୋ କାମ ସରିଲା। ସେ କାମ ପାଇଁ ଲୋକ ଅଭାବ ନାହାନ୍ତି। କୈଳାସ ମାମୁଁ ଓ ଆଉ ତିନି ଚାରିଜଣ ସେ କାମ କରନ୍ତି।


ବିଲରେ ସବୁଜ କ୍ଷେତ ସୁନା ପିନ୍ଧୁପିନ୍ଧୁ ସୁନେଲି ହେଉଥାଏ। ଖଳା ସଜଡା ନହେଲେ ଖଳାବଧୂ ରହିବେ କେଉଁଠି।


ସେମାନେ ସବୁ ଲାଗିପଡନ୍ତି। ଅରଣା ଭୂମି ସମାନ କରାଯାଏ, ନୂଆ ବନମାଟି(ବନ ନାହିଁ କେବଳ ନାମଟି ଅଛି) କିଛି ପଡେ, ଖାଲ ଖମା ଭରେ, ଅନାମିକା ଟୁବି ଗଡିଆରୁ ବୋହି ଆଣି ପାଣି ପକାଇ ଗମାଯାଏ ଖଳା, ମହି ଚଲେଇ ସମାନ କରାଯାଏ, ମହି ଉପରେ ମତେ ଠିଆ ହେବାକୁ ଡରଲାଗେ, କୈଳାସ ମାମୁଁ ହେରିକା ସେ କାମ କରନ୍ତି, ଲିପାପୋଛା ହୋଇ କେମିତି ସୁନ୍ଦର ଦେଖାଯାଏ। 


ତା ଉପରେ ପୁଣି ସୁନ୍ଦର ଭାବେ ଲିପି ଦିଅନ୍ତି, ଲିପାପୋଛାରେ ଅଭ୍ୟସ୍ତ କୁଶଳୀ ମହିଳା କେହି ବୋଉର ତତ୍ତ୍ବାବଧାନରେ। ଖଳା ଶୁଖିଲେ ଫାଟି ଫାଟି ଯାଏ, ପୁଣି ଲିପାଯାଏ ଓ ଶେଷରେ ଅଫଟା ଖଳାଟି ଶୁଖିଯାଏ। ବଡ ସୁନ୍ଦର, ଟିକେ ମାଟିଆ ଟିକେ ସବୁଜ ଆଉ ଟିକେ ହଳଦିଆ। 


ଏକ ପାଖରେ ଘର ଓ ଅନ୍ୟ ସବୁ ଦିଗରେ କଣ୍ଟା ଓ କଞ୍ଚାବାଡ, ତହିଁରେ ପୁଣି ପିଜୁଳି, କମଳା, ବେଲ, ଆମ୍ବ, ଡାଳିମ୍ବ, ଗୁଆଳି, ନେଉଆ, ପାଳଧୁଆ, ଶିମିଳି, ବରକୋଳି, ତେନ୍ତୁଳି ଓ ଆହୁରି କେତେ ପୁଟିଆ ଗଛ ଚତୁର୍ଦ୍ଦିଗରେ। ମଝିରେ ଯେମିତି ଖଳା ନାମକ ଗାଲିଚାଟି ବିଛାଇ ପକାଯାଇଛି। ମନେହୁଏ ଏମାନେ ସବୁ ଏ ନୂଆ ପ୍ରସ୍ତୁତ ଖଳାରେ ବାଗୁଡି ଖେଳିବେ। ବାଉଁଶ ବୁଦା ଯେତିକ ହେବେ ରେଫରି। ଦର୍ଶକ ହେବେ କୂଅ, ଚାନ୍ଦିନୀ, ଗାଧୁଆ ଘର ଓ ଘର ଓ ଘର ଓ ଖଳା ମଧ୍ୟରେ ପାଚେରୀ।


ସେମାନେ ଖେଳନ୍ତୁ କି ନାହିଁ ଆମେ ସବୁ କିନ୍ତୁ ଆରମ୍ଭ କରିଦେଉ ଖେଳ, ଠିକାପୁଆ ବା ଗିଲିଦଣ୍ଡା ବା ପୟା ଡାବୁଳ। ଋତୁ ପରିବର୍ତ୍ତନ ଅନୁସାରେ ଖେଳବି ପରିବର୍ତ୍ତନ ହୁଏ। ମାନେ, ଦେଶୀ ଖେଳ କଥା କହୁଛି। ବର୍ଷା ଦିନେ ବାଟି ବା ଗାତି ବାଗୁଡି, ଘର କାଟି ତିଇ ତା। ଆପଣା ଛାଏଁ ଖେଳସବୁ ବର୍ଷ ତମାମ ବଦଳି ଚାଲିଥାନ୍ତି। ମୁଁ ଭାବେ,ଏମିତି କାହିଁକି। ପୁଣି ନିଜେ ବୁଝିଯାଏ, ବର୍ଷାରେ ଅଳ୍ପ ଯାଗାର ଖେଳ। ଶୀତ ଆରମ୍ଭରେ, ଖଳା ପ୍ରସ୍ତୁତ ପରେ କିନ୍ତୁ ଏସବୁ ଖେଳ ଆପଣାଛାଏଁ ବନ୍ଦ ହୋଇ ସେ ସ୍ଥାନ ନିଏ ଠିକାପୁଆ। କମ ନାକରା ଖେଳ ନୁହେଁ। ବଡ ମଜା ଆସେ। ଏହି ସମୟରେ ଗଛଗୁଡିକ କଟାଛଟା ହୁଏ। ଡାଳ ବାହାରେ, ଆମେସବୁ ଠିକା ପୁଆ ତିଆରି କରିବାକୁ ବାହାରି ପଡୁ। ହତିଆର କାମ ସହ ପରିଚିତି ହୁଏ। 


ଧାନ କଟାଯାଏ, ଲକ୍ଷ୍ମୀ ସବୁ ଗଦାମରା ହୋଇ ରହନ୍ତି, ଧାନର କିସମ ହିସାବରେ। କଚଡା ଗଦା ଅଲଗା କହ୍ଳେଇ ଗଦା ଅଲଗା। ମୂଖ୍ୟତଃ ଚାରିକଣିଆ, ମଥାନ ଥିବା ଘର ସଦୃଶ୍ୟ ଧାନଗଦା। ଏହାବାଦ ଗୋଲେଇ ଗଦା ବି ଦିଆଯାଏ ମନ୍ଦିର ପ୍ରାୟ ଦେଖାଯାଏ। ଧାନ ଫେଣ୍ଡା ସବୁ ମଥାନରୁ ଓହଳି ପଡିଥାଏ ଗଦାକୁ ଘୋଡାଇ ପକାଇ; ଅଦିନିଆ ବର୍ଷା ହେଲେ ଯେମିତି ପାଣି ନଜମି ଗଡି ପଡିବ। 


 ଏସବୁ ଛୋଟିଆ ଛୋଟିଆ କଥା ଭାବିବାକୁ କାହିଁକି କେଜାଣି ଭାରି ଭଲ ଲାଗେ। 

 

ଅଧିକାଂଶ ଧାନ ହଳଦୀ ଗରଗର ସୁନେଲି ହେଲେ ମଧ୍ୟ ତହିଁରେ ଚମକ ଆଣନ୍ତି ଭିନ୍ନ ରଙ୍ଗର ଧାନ ଯେମିତି ମାଟିଆସଲୁରି, ପାଟନଈ ଦେଖାଯାଏ ମାଟିଆ ଓ ଚାମରମଣି ଦେଖାଯାଏ ଲାଲ। ବର୍ଷଟାଏ ଆମ ଗ୍ରାମରେ କିଏ ଜଣେ ଦୁଇକିଆରୀ ଧାନ କରିଥିଲେ ଯାହା ଦେଖିବାକୁ କଳା। ଆହାରେ ତାଙ୍କ ଧାନଗଦା କେତେ ବଢିଆ ଚମକୁ ଥିବ! ପାଚିଲା ଧାନର ବାସ୍ନା ମଧ୍ୟ ମଜାଦାର। କେବେ କେବେ ବାସନା ଧାନ ଚାଷ ହୋଇଥିଲେ ଚଢେଇ ଭଳି ଟୁଙ୍କି ଖାଇବାକୁ ଭାରି ମଜାଲାଗେ।


ଆମ ଖେଳିବା ଯାଗା ସଂକୁଚିତ ହୋଇଯାଏ। କିନ୍ତୁ ଖେଳର ନିଶା ନୁହେଁ।


ଖଳାମଝିରେ ପୋତାହୁଏ ମେହୀ(ମେରୀ)ଖୁଣ୍ଟ, ଏହା ବର୍ଷ ବର୍ଷ ଧରି ସୁରକ୍ଷିତ ହୋଇ ରହିଥାଏ, ପୁରା ପାଲିସ, ଅଁଶା ନଥାଏ। କୌଣସି ବର୍ଷ ଆମ ଜାଣିବାରେ ବଦଳ ହୋଇନି, କେତେ ପୁରୁଷର ବି ହୋଇଥାଇପାରେ। କି କାଠର? ଗୋପାଳ ଦାଦାଙ୍କୁ ପଚାରି ବୁଝିଲି, ଏହା ମାମୁଲି ସାହାଡ଼ା କିମ୍ବା ସୁନାରି କାଠରେ ହୋଇଥାଏ। ଏମିତି ମାମୁଲି ମନେ ହେଉଥବା ଜନିଷ ବା କୌଣସି ସାଧାରଣ ମଣିଷ ମଧ୍ୟରେ ଲୁଚି ରହିଥାଏ କିଛି କିଛି ଅନନ୍ୟତା। ଆଦ୍ୟ ମାର୍ଗଶୀର ଗୁରୁବାର ଦିନ ଦେଖି ଖଳା ମଝିରେ ପୋତାହୁଏ, ସାମାନ୍ୟ ବନ୍ଦାପନା କରି ଶୀତଳ ଦିଏ ବୋଉ। ଚାହୁଁ ଚାହୁଁ ଏହାକୁ କେନ୍ଦ୍ରରେ ରଖି ଚାରିପଟେ ଧାନଗଦା ମାନ ଠିଆ ହୋଇ ପଡେ।


ଏକ ଶୁକ୍ରବାର ଦେଖି ଅନୁକୂଳ ହୋଇଥାଏ ଧାନକଟା, ମୁଣ୍ଡରେ ମୁଣ୍ଡାଇ ଅଢେଇବୁଦା ଧାନ କାଟି ଆଣେ ଜାମା ଯୋଡହୋଇ ଚାଷୀ। ଏ ଧାନ ଅଷ୍ଟମୀରେ ପଢୁଆଁ ହେବ। ଅଢେଇବୁଦା କାହିଁକି, ଦୁଇବୁଦା କି ତିନି ବୁଦା ନୁହେଁ! କିଏ ଜାଣିଛି? ଚାଲିଛି ତ ଚାଲିଛି। ଶେଷରେ ମଳାଏ ଖେତ ଛାଡିଦିଆଯାଇଥାଏ। ଚାଷୀ ନିଜେ ତାହାକୁ କାଟି ଆଣେ, ଖେତ ବଢାଏ, ମୁଢି ଓ ଖଇ ସହ କଟା ନଡିଆ ବଡ ଡାଲାରେ ଧରିଥାଏ ଯାହାକୁ ଦେଖେ ବାଣ୍ଟି ବାଣ୍ଟି ଆସେ। ଯେମିତି କହେ, ନୂଆ ଆସିଲାଣି ପୁରୁଣା ବି ଅସରନ୍ତି, ଯେତେ ନେଉଛ ନିଅ, ଯେତେ ଖାଉଛ ଖାଅ। ବର୍ଷକର ଫସଲ ସମ୍ପୂର୍ଣ୍ଣ ଭାବେ ଅମଳ ହୋଇଗଲା, ଏହାଠୁ ଖୁସି ଆଉ କଣ!


ପୁଣି ଏକ ଗୁରୁବାର ଦେଖି ଖଳାରେ ଝୋଟି ପଡେ, ମେହୀଖମ୍ବ ଠାରୁ ପ୍ରତି ଧାନଗଦା ପର୍ଯ୍ୟନ୍ତ ଝୋଟି ପଡି ପଡି ଯାଏ। ଲକ୍ଷ୍ମୀପାଦ ଅଙ୍କା ହେଉଥାଏ। ମେହିକୁ ଟିକେ ଛାଡିକି ଚୁଲିଟିଏ ହୁଏ, ସେଇଠି ଏକ ବିରାଟ ହାଣ୍ଡିରେ ଖିରି ହୁଏ। ଏହାକୁ କହନ୍ତି ଖଳାନିଜ। ଭୋଜିଭାତର ଖିରି ନୁହେଁ। ଏହା ଅତି ସାଧାରଣ, ଅରୁଆ ଚାଉଳ, ଚିନି, କୋରା ଓ ଖଣ୍ଡ ନଡ଼ିଆ, ଅଳ୍ପେ ସ୍ବଳ୍ପେ କାଜୁ, କିସମିସ, ଗୁଜୁରାତି, ଅଳେଇଚ ଓ ସେମିତି ବିଶେଷ କିଛି ନୁହେଁ କ୍ଷୀର। ଅନ୍ନପୂର୍ଣ୍ଣା ପତ୍ର ସେଦିନର ଖିରିକୁ କରେ ସୁବାସିତ। ତଥାପି ଅନନ୍ୟ ସେ ଖିରି। ଘର, ସାହି ପଡିଶା, କୃଷି ସହାୟକ ସମସ୍ତେ ଆନନ୍ଦରେ ସେବନ କରନ୍ତି। ଏକ ପ୍ରକାର ପ୍ରତିଯୋଗିତାଟିଏ ହୋଇଯାଏ; କାହା ଖିରି ଅଧିକ ସଫା ଦେଖାଯାଉଛି ଓ ଭଲ ଲାଗୁଛି। ମୋର ମନେହୁଏ ମୋ ବୋଉର ସବୁଠୁ ଭଲ। ହୁଏତ ସବୁ ଛୁଆଙ୍କର ସେମିତି ମନେହେଉଥିବ। ପୁଣି ସେ ଚୁଲିଟି ପୋତାହୁଏ ଓ ତା ଉପରେ ଲିପାପୋଛା କରି ଦିଆଯାଏ।


ସାଧାରଣତଃ କଚଡା ଧାନ ଆଗେ ଅମଳ ହୁଏ। ବାଉଁଶର ବଡ ଧଡା (ଆଗଡ)ଟିଏ ଥାଏ। ସେଇଟି ମଧ୍ୟ ବର୍ଷ ବର୍ଷ ବ୍ୟବହାର ହୋଇ ବଡ ପାଲିସ ହୋଇ ଯାଇଥାଏ। ମଝି ଖଳାରେ ଭାଡିପରି ବନ୍ଧାଯାଏ ଏହି ଧଡା। ମେହନତି ମଣିଷମାନେ ଏ ଧଡାରେ ପିଟି ପିଟି ଧାନ ଅମଳ କରନ୍ତି। ନଡାତକ ପୁଣି ଗଦା ମାରି ରଖାଯାଏ। ଧାନକୁ କୁଲାରେ ପୁରାଇ ଉପରୁ ତଳକୁ ଧୀରେ ଧୀରେ ଢଳା ଗଲାବେଳେ ଯଦି ପବନ ବହୁଥାଏ ଅଗାଡି କିଛି ଉଡିଯାଏ। ଆଉ ଯେତେ ଅଗାଡିକୁ କୁଲାରେ ପବନ ବାହି ଉଡାଇ ଦିଆଯାଏ। ଧାନ ଯାଏ କୋଠଘରକୁ ବା ଅନ୍ୟ ସଂରକ୍ଷଣ ବ୍ୟବସ୍ଥାକୁ, ଯେମିତି ଓଳିଆ ବାନ୍ଧିବା, ଗମାରେ ରଖିବା କିମ୍ବା ଖଣି ପକାଇବା। ଆଜିକାଲି ଭଳି ଅମଳ ଧାନ ବିକ୍ରିପାଇଁ ଯିବାର ପ୍ରଥା ନଥିଲା। ଧାନ ବେପାରୀ ଅବଶ୍ୟ ଥିଲେ, ତିନିଟି ବାଉଁଶର ତ୍ରିପଦରେ ଓଜନ କଣ୍ଟା ଲଗାଇ ସେମାନେ ଧାନ ମାପନ୍ତି କିଲୋରେ। ଗୌଣିରେ ମାପକରି ମଧ୍ୟ କିଣାବିକା ହୁଏ।


ତେବେ, ଧାନବିକିବା ଅପେକ୍ଷା ଚାଉଳ କରି ବିକ୍ରିକଲେ ଅଧିକ ଲାଭର ସଂଭାବନାକୁ ଗୁରୁତ୍ୱ ଦିଆଯାଏ। ଧାନ ବିକ୍ରି କରି ଚାଉଳ କିଣି ଖାଉଥିବା ଲୋକଙ୍କୁ ତିରସ୍କାର କରାଯାଉଥିଲା; ଲକ୍ଷ୍ମୀଛଡା। ଆଜି ସମସ୍ତେ ସେଇଆ କରୁଛନ୍ତି, ସମାଜ ସମୁହ ଲକ୍ଷ୍ମୀଛଡା? ଯୁଗ ବଦଳେ ବିରାଟ ବିରାଟ ଚାଉଳ ମିଲ ଟାଣିନିଏ ଧାନ କେତେ ଫନ୍ଦିରେ, ଚାଷୀ ବିକେ ଅଭାବୀରେ ମୂଲରୁ କମାଇ। ପୁଣି ଚାଉଳ କିଣେ ମଣିଷ, ଟଙ୍କିକିଆ, ଶହେ ଟଙ୍କିଆ ମଧ୍ୟ।


କଚଡାରୁ ଅମଳ ସରେ। ଏବେ କହ୍ଳେଇ ସବୁରୁ ଅମଳ ହୁଏ ବେଙ୍ଗଳା ପକେଇ। ଲମ୍ବା ମେହୀ ଦଉଡିରେ କ୍ରମାନ୍ବୟରେ ନଅଟି ବଳଦ ବନ୍ଧା ହେବାର ବ୍ୟବସ୍ଥା ଥାଏ। ଦଉଡିର ଆରମ୍ଭରେ ବନ୍ଧା ହୋଇଥାଏ ଏକ ଲୁହାର ବଳୟ, ଯେଉଁଟି ଗଳାଇଦିଆଯାଏ ମେହୀଖମ୍ବରେ। ପ୍ରାୟ ତିନିଫୁଟ ବହଳର ଫିଟା କହ୍ଳେଇ ବିଛା ଯାଇଥାଏ। ତା ଉପରେ ପରସ୍ପର ମିତ ହୋଇ ନଅଟି ବଳଦ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଘୁରି ବୁଲନ୍ତି, ଘଡିଏ ରାତି ବାକିଥାଏ। ମଣିଷ ଜଣେ ପାଞ୍ଚଣ ଧରି କେତେ ପ୍ରକାର ବୋଲି ସହ ବଳଦ ମାନଙ୍କୁ ଅଡେଇ ନିଏ, କେବେ ସାମୁହିକ ଭାବେ ଓ ଆଉ କେବେ ଖିଲାପି ବଳଦକୁ। ସେମାନଙ୍କୁ ମୁଁ ନାମ ଦେଇଥାଏ; ଆମ୍ବଚୁଳ, ଶୁଙ୍କଚୁଳ, ଗୁଡୁମୂଳ, ଜେଙ୍ଗା, ସଁସରା, ନାଲିଆ, ଆଉ ବାକି ତିନୋଟି ସାହିରୁ ଆସନ୍ତି। ଅଦଳ ବଦଳ ସାମୁହିକ କାମ।

 

କେତେକ ବଳଦଙ୍କୁ ତୁଣ୍ଡି ବନ୍ଧାଯାଏ ଯେଉଁମାନେ କାମ ଖିଲାପକରି ନଡା ଚୋବାଇବାରେ ମନ ଦିଅନ୍ତି। 


ବଳଦ ମାନଙ୍କ ସାମର୍ଥ୍ୟ ହିସାବରେ ମେହୀଠାରୁ ଶେଷ ପର୍ଯ୍ୟନ୍ତ କ୍ରମ ହୁଏ। ଶେଷ ବଳଦଟି ଅଧିକ ଚାଲିବ; ବ୍ୟାସ ପରିଧି ଏମିତି ନାନାଦି ଜ୍ୟାମିତି ପାଠର ବ୍ୟବହାରିକ ଜ୍ଞାନ। ଏହି ପ୍ରକୃତିକୁ ଅନୁଧ୍ୟାନ କରି କେହି ଜଣେ ଜ୍ୟାମିତି ଲେଖିଥିବେ, ଆମେ ଭକୁଆ, ଅଇଁଠା ଖିଆ ଓଲଟା ଚଷୁ। ଏ ଭାବନା ସୁଦୁ ଛୁଆବେଳୁ ଆଜି ପର୍ଯ୍ୟନ୍ତ ରହିଗଲା। 


ଗୋରୁ ଖୁରାରାରେ ମାଡି ମକଚି ହୋଇ ଫେଣ୍ଡାରୁ ଛିଣ୍ଡିପଡେ ଧାନ, ଉଂଖୁଣିରେ ଓଲଟପାଲଟ କରି ସବୁ ପାଳକୁ ସମାନ ଭାବେ ସୁଯୋଗ ଦିଆଯାଏ ମଡା ଖାଇବାକୁ। ଧାନ ବାହାରି ଯାଇ ତିଆରି ହୁଏ କୁଟା। କୁଟା ଗଦା ଅଲଗା, ଧାନ ଆସେ କୋଠିକୁ। ଧାନରୁ ବାହାରୀବ କୁଣ୍ଡା ଓ ଚାଉଳ। ଗୋରୁ ଖାଇବେ କୁଟା ଓ କୁଣ୍ଡା, ଚାଉଳରେ ମଧ୍ୟ ଉଣା ହେଲେ ବି ଭାଗ ଅଛି ତାଙ୍କର। ଆଉ ମଣିଷ? ଗଣ୍ଡିଏ ଚାଉଳ ପାଇଁ କେତେ ମେହନତ କରେ, କେତେ ଫନ୍ଦି କରି ଜମି କିଣେ, ଲଢେଇ କରେ, ଦେଶ ଜୟ କରେ। ସବୁ ସେଇ ସାମାନ୍ୟ ପେଟର ନାଟ। ବାଛୁରୀରୁ ବଳଦ ହେବାଦିନୁ ବଳଦର ଚିନ୍ତା କଣ ଅଛି। ଖଟିବା ପର ନିୟନ୍ତ୍ରଣରେ, ଖାଇବା ମଧ୍ୟ। ଯିଏ ଖଟାଇବ ସିଏ ଖାଇବାକୁ ଦେବ ନିଜସ୍ୱ ଚିନ୍ତାଧାରା ନାହିଁ। ମଣିଷ ଆଉ କଣ କି ପୁଳାଏ ଚିନ୍ତା ବିଶିଷ୍ଟ, ରକ୍ତଚାପ ବଢାଇବାର ସମ୍ଭାବନା ଥିବା ବଳଦ ଭିନ୍ନ ଆଉ କଣ? ମଣିଷକୁ ଯିଏ ବେଙ୍ଗଳାରେ ବାନ୍ଧେ ସିଏ ଖାଇବାକୁ ଦିଏ, ପୁରୁଷ ଆଉ ନାରୀ ସମସ୍ତେ।


ଖଳା, କେବଳ ଧାନ ଓ ମଣିଷର ସମାହାର ନୁହେଁ। ମଣିଷ ପ୍ରକୃତି, ଋତୁଚକ୍ର, ଅନ୍ୟାନ୍ୟ ଛୋଟମୋଟ ଜୀବଜନ୍ତୁ ସମସ୍ତେ ଏକ ଶାନ୍ତି ଅଶାନ୍ତିର ସହାବସ୍ଥାନରେ ଥାଆନ୍ତି। ପରିସ୍କାର ଜାଗାଟିଏ ମିଳିଯାଏ ଛାଇ ଓ ଖରାର ମିଶ୍ର ଗାଲିଚାରେ କେବେ ଉଷୁମ କେବେ ଶୀତଳତାକୁ ଉପଯୋଗ କରୁ ଆମ୍ଭେସବୁ ପିଲାଏ। ସପ, କେରପାଲ, ସତରଞ୍ଜି, ପଟିଆ ବା ଅଖା ପକାଇ ପଢିବସୁ ବସ୍ତାନି ଧରି; ପାଠ ପଢାରେ ମନ ଥାଏ ଅବା ନଥାଏ ଭିନ୍ନ କଥା। ଖରା ଦିଗକୁ ପିଠିକରି ପାଠ ମେଲାଉ। କର୍ମରତ ମଣିଷର ନାନାଦି ବାର୍ତ୍ତାଳାପ ଶୁଣୁ। ସେ ମଧ୍ୟ ଏକ ପାଠ। ସତରେ କେତେ ପାଠ ଅବା ବହିରୁ ପଢାଯାଏ? ଅଧିକ ଜ୍ଞାନ ମିଳେ ବହି ବାହାରର ସାମାଜିକତାରୁ।


ସେପଟେ ବାଉଁଶ ବୁଦା କଡକୁ ଧାନଉଁଶା ଚୁଲି ଲାଗିଥାଏ। ପତର ଜତର, ନଡା କୁଟା ସବୁ ଜଳାଯାଏ। ବଡ ବଡ ଧାନ କଡେଇରେ ଧାନ ବମ୍ଫାଯାଏ। ତା ପୂର୍ବରୁ ଧାନ ଭିଜା ହୋଇଥାଏ ବିଶାଳକାୟ ଜାହାଲା(ନନ୍ଦା)ରେ। ସେଇଠି ମଧ୍ୟ କେତେ ପର୍ବ, କେବେ ଆଳୁ କେବେ ସାରୁ ପୁଣି କେବେ ଓଲୁଅ କି କନ୍ଦମୂଳ ପୋଡାହୁ। ପାଠ ଯେମିତି ଏକ ହସଖୁସିର ହାଲୁକା କାମ। କେବେ କେବେ ମନେହୁଏ, ସେସମୟରୁ ଉନ୍ନୀତ ମଣିଷ ମାନେ ଆଜି ବାପା ମାଆ ହୁଏତ ଅଜା ଆଈ ହେଲେଣି କିନ୍ତୁ କେତେ ଓଜନର ପାଠ ଆଜିର ଚାଟ ପଢୁଛି ଓ କେତେ ପ୍ରତିଯୋଗିତା, ଜିତରେ ଦେଶାନ୍ତର ଓ ହାରରେ ପିଲାଏ ଅବସାଦ ଗ୍ରସ୍ତ। ସତରେ ଆମେ ଥିଲୁ ଭାଗ୍ୟବାନ, ପଢିଲେ କଲେଜ ନପଢିଲେ କଣ୍ଟିକଲେଜ; ସବୁ ଗ୍ରହଣୀୟ।


ଖାଲି କ'ଣ ମଣିଷ ? ପଶୁ ପକ୍ଷୀ ମଧ୍ୟ ଖେଳିବୁଲୁଥିଲେ। କୁକୁର ଏହି ସମୟରେ କେଉଁ ପରିତ୍ୟକ୍ତ ଚୁଲା ବା ଗେଞ୍ଜ ଯାଗାରେ ଛୁଆ ଦେଇଥିବ, ବିଲେଇ ତା ଛୁଆକୁ ଏଘର ସେଘର କରୁଥିବ, ଗାଈ ବାଛୁରୀ ସହ ଆମେ ଖେଳୁଥିବୁ, କେତେ ଜାତିକା କୀଟ ପତଙ୍ଗ ମୁହଁଟି ଦେଖାଇ ଲୁଚି ଯାଉଥିବେ; କଙ୍କି, ପ୍ରଜାପତି ଅନେକ ପ୍ରକାରର, ନେଉଳ, ଗୋଧୀ, ଗୁଣ୍ଡୁଚି, ଟୁବି ଗାଡିଆରେ ନାନାଦି ମାଛ, କଙ୍କଡା, କୋଚିଆ, ବ୍ରାହ୍ମଣୀ ବେଙ୍ଗ। ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରୁ ଥିବ। ତା ମୁଣ୍ଡ ପାଖ ହୋଇଥିବ। ରଙ୍ଗ ବଦଳାଉଥିବା, ପହଣ୍ଡି ପକାଇ ଚାଲୁଥିବା ଏଣ୍ଡୁଅ କ୍ଵଚିତ ଦେଖାଯାଏ। ସମ୍ପୂର୍ଣ୍ଣ ପରିବେଶ ଥିଲା ଏକ ପ୍ରୟୋଗଶାଳା। 


କେବେ କେବେ ମଣିଷର ପ୍ରକୃତିର ଦୁର୍ବାର ପଣ ଉଦ୍ଭାସିତ ହୁଏ। ଖଟି ଖଟି ନୟାନ୍ତ ମଣିଷ ଭାବେ ତା ଅର୍ଜନରୁ ଆଉ କିଏ କାହିଁକି ଭାଗ ବସାଇବ? ସମସ୍ତଙ୍କୁ ସେ ଅଡେଇ ଦିଏ। ପାରେ ନାହିଁ ମୂଷିକ କୁଳଙ୍କୁ। ଖଳାରେ ଧାନଗଦା ହେବାକ୍ଷଣି କୁଆଡୁ ଓ କେମିତି ମୂଷାମାନେ ଧାଇଁ ଆସନ୍ତି ଖଳାକୁ, ଗାତ ଫୁଟାନ୍ତି, ଧାନ ଖାଆନ୍ତି ପୁଣି ଗାତ ମଧ୍ୟକୁ ବୋହିନିଅନ୍ତି, ସଞ୍ଚୟ କରନ୍ତି। ମଣିଷ ତାଙ୍କୁ ପାରେ ନାହିଁ। ଜାଲ, ଜନ୍ତା ଏସବୁ କାମ ଦିଏନି, ମୂଷା ବିଷ ଦେବା ପ୍ରଚଳନ ନଥିଲା। କେତେଥର କୃଷି ସହାୟକ ମାନେ ମୂଷା ପଛରେ ପଡନ୍ତି। ଶ୍ରମକ୍ଳାନ୍ତିକୁ ଭୁଲିଯାଇ ବାଲଟି ବାଲଟି ପାଣି ଆଣି ମୂଷା ଗାତରେ ଢାଳନ୍ତି, ଯେମିତି ନିପାତ କରିବେ। ଏହା ଫଳପ୍ରଦ ହୁଏନାହିଁ। ସହସ୍ର ଦ୍ବାର ବିଶିଷ୍ଟ ସାମ୍ରାଜ୍ୟ ମଧ୍ୟରେ ଟେକାପାଣି ଅବା କି କାମକୁ। ତଥାପି ମଣିଷ ମାତିଯାଏ। କଦବାୟ କେମିତି ମୂଷାଟିଏ ଗାତରୁ ବାହାରେ, ମଣିଷ ଧରେ ଜାଲରେ ବା ପିଟିଦିଏ ବାହାଙ୍ଗିରେ। ସେଇଟି ତାର ବିଜୟ, ଧାନର ସୁରକ୍ଷା ନାମ ମାତ୍ର।


ମଣିଷର ଏ ସବୁ ପ୍ରକୃତି ସାରାଜୀବନରେ ପ୍ରକଟିତ ହୋଇ ଚାଲିଥାଏ ଆମ ସମସ୍ତଙ୍କ ଜୀବନରେ। ସେ ଦୟାଳୁ କିନ୍ତୁ ସେ ଅଧିକ ପ୍ରତିଶୋଧ ପରାୟଣ। ମୂଷା ଦୁର୍ବାରକୁ ମଣିଷ ଦୁର୍ବାର। 


ଆଉ କେବେ ଆମେସବୁ ଡାଲାରେ ଡାଲାଏ ଲେଖା ମୁଢି ଧରି ବସୁ ଖଳାରେ, ଆମ ପଢା ଯାଗାରେ। ଡାଲାରେ ଖାଇବାର ମଜା ଟିକେ ଅଲଗା। ପିଆଜ, ସୋରିଷ ତେଲ, ଧଣିଆପତ୍ର, ଲେମ୍ବୁ, ଚେନାଚୁର; ବାସ୍ନା ଭିନ୍ନ କିସମର। କେବେ କେବେ ମଧ୍ୟ ସାହସ କରି କଞ୍ଚାଲଙ୍କା ଓ ମୂଳା ପକାଇଥିବୁ, ଭବିଷ୍ୟତ ମଧ୍ୟକୁ ପ୍ରବେଶରେ ଏସବୁ କୁନି କୁନି ପାହାଚ। ରାଗରେ ପାଟି ସୁ ସୁ ହେଉଥିବ, ନାକ ଆଖିରୁ ପାଣି ଗଡି ପଡୁଥିବ। ଧନୁ ସଂକ୍ରାନ୍ତିରେ ମୁଆଁ ଉଖୁଡାରେ ଗାଁ ଉଛୁଳେ। ଏତେ ପର୍ବ କାହିଁକି? କେବେ କେବେ ଏହା ମନକୁ ଆନ୍ଦୋଳିତ କରେ। ଯଦିଓ ଆନନ୍ଦ, ମଉଜ ଓ ମନୋରଞ୍ଜନକୁ ମଣିଷ ଅତ୍ୟାବଶ୍ୟକ ବିଚାର କରେନାହିଁ କିନ୍ତୁ ଲାଗିରହିଥାଏ ଏସବୁ ପାଇଁ। ଏବଂ ଏସବୁର ପାଳନ ପାଇଁ ସମର୍ଥ ହେବାରେ ଥାଏ ତାହାର ସାମାଜିକ ଗୌରବ। ବାର ମାସରେ ତେର ନୁହେଁ ଛତିଶରୁ ଚାଳିଶି ପର୍ବ, ସାକ୍ଷୀ ଜଗନ୍ନାଥ, ସାକ୍ଷୀ ଶ୍ରୀମନ୍ଦିର। ଯେମିତି ରାଜାକୁ ସେମିତି ପ୍ରଜା। 


ପିଜୁଳି ସମୟ ସରି ଯାଇଥିଲେ ବି ଶୀତଦିନିଆ କାଁ ଭାଁ ଯେଉଁ ଗୋଟିକ ଫଳେ, ତାହା ଭାରି ମିଠା। ବନିଲା ମାନେ ମାଙ୍କଡ ଭଳି ଚଢି ତୋଳି ଆଣିବୁ।  ବାଣ୍ଟିକୁଣ୍ଟି ଖାଇବୁ। 

ଗଛରେ ଗଛେ ଲେଖା କମଳା ଫଳିଥାଏ। ସହାୟକ ମାନେ ନଗି(ଆଙ୍କୁଡି), ବାହାଙ୍ଗି, ଉଙ୍ଖୁଣି, କଣିକଟାରେ ତୋଳି ପକାନ୍ତି। ତଳେ ପଡି ଫାଟିବା ପୂର୍ବରୁ ଗାମୁଛାରେ ଧରିନିଅନ୍ତି। କେତେ ଅବା ଖାଇହେବ, ସମସ୍ତଙ୍କୁ ପ୍ରଚୁର ମିଳେ। 


ଏହିସବୁ ହସଖୁସି ମଧ୍ୟରେ ଧାନ ଅମଳ ସରିଗଲେ ମଧ୍ୟ ଖଳା କାମ ଆହୁରି ବାକିଥାଏ। ଯେଉଁସବୁ କଚଡା ବିଡା ଅମଳ ହୋଇ ଥାଏ ଗଦାରେ ତାହାକୁ ପୁଣି ତଳକୁ ଓହ୍ଲାଯାଏ। ବିଡାଗୁଡିକ ଫିଟାଯାଏ, ଦୁଇ ବିଡାକୁ ଏକାଠି କରି ମୋଟା ମୋଟା ସାଇଜିଆ ଛଣବିଡା କରାଯାଏ ଯତ୍ନରେ। ପୁଣି ଗଦାମାରି ରଖାଯାଏ, ଘର ଛପର ହେବ, ବିକ୍ରିବଟା ହେବ, ଗୋରୁ ମଧ୍ୟ ଖାଇବେ। ଗଣ୍ଠିକୁଟାରେ ସାଧାରଣତ ଧାନ ଫେଣ୍ଡା ରହିଯାଇଥାଏ। ଏମିତି ବିଡାବନ୍ଧା କାମ ସରିଲା ବେଳକୁ ଗଣ୍ଠିକୁଟା ଜମାହୋଇଯାଇଥାଏ ଅନେକ। ସେଥିରୁ ପୁଣି ଅମଳ କରାଯାଏ ସେ ବର୍ଷର ଶେଷ ବେଙ୍ଗଳା ପକାଇ। ସମ୍ଭବତଃ ସେହି ଶେଷ ବେଙ୍ଗଳାର ଅମଳକୁ କୃଷି ସହାୟକ ମାନେ ଉପଭୋଗ କରନ୍ତି। ଖେତ ବଢା ପରି ଖଳାବଢା ମଧ୍ୟ ହୁଏ। ଦିନେ ମେହୀ ଖମ୍ବକୁ ଉପାଡି ଯତ୍ନରେ ରଖାଯାଏ।


ପୁଣି ଋତୁ ବଦଳେ ଖଳା ପୁଣି ବାଡି(ବାରି)ରେ ପରିଣତ ହୋଇଯାଏ। ବର୍ଷାଦିନକୁ କିଛି ଛଣକୁଟା ପଚିଯାଏ, ତହିଁରେ ଫୁଟେ କୁଟା(ପାଳ)ଛତୁ। କେଡେ ସୁଆଦିଆ। 


ଏତେସବୁକଥା ଶୁଣି ଶୁଣି ଖଳାର ସତ୍ତା ସନ୍ତୁଷ୍ଟ ପ୍ରାୟ ଜଣାଗଲା, ମୋ ପିଠି ଥାପୁଡେଇ କହିଲା। -ଆଉ ଏବେ?


-ଏବେ ଆଉ କଣ? ଗୁହାଳରେ ଗୋରୁ ନାହାନ୍ତି, ଲଙ୍ଗଳ ନାହିଁ କି ଜୁଆଳି ନାହିଁ, ଛଣ ଛାଉଣି ପାଇଁ ଘର ମଧ ନାହିଁ। ଛଣର ଆଦର ନାହିଁ, ଛଣ କୁଟା ମଧ୍ୟ ନାହିଁ। ଟ୍ରାକ୍ଟର, ଧାନକଟା ଓ ଅମଳ ମେସିନ। ଯେତିକି ସହଜ ସେତିକି ବିପରୀତ ମଧ୍ୟ। ଛଣକୁଟାକୁ ଖାଇ ଗୋବରରେ ପରିଣତ କରୁଥିଲେ ଗାଈ ବଳଦ। ଖତ ପୁଣି ଯାଉଥିଲା ବିଲକୁ। ମାଟିରୁ ମଣିଷ ଓ ଗୋସମ୍ପଦ ପର୍ଯ୍ୟନ୍ତ ପୁଣି ଫେରିଯାଏ ମାଟିକୁ। ଏକ ଚକ୍ର। ମଝିରେ ହେ ମୋର ପ୍ରିୟ ଖଳା ତୁମେ କେବଳ ସାକ୍ଷୀ ଥାଅ ଆମକୁ କୋଳେଇ କାଖେଇ। ଆଜି ଶୃଙ୍ଖଳ ଭାଙ୍ଗି ଯାଇଛି। ତୁମର ଆବଶ୍ୟକତା ନାହିଁ। ବିଲରେ ପଡିବ ନଡା, ସେଇଠି ଅକାରଣେ ଜଳାଯିବ। ବାୟୁହେବ ପ୍ରଦୂଷିତ। ରାଜ୍ୟ ରାଜ୍ୟ ମଧ୍ୟରେ ଏନେଇ ଚାଲିବ ବିବାଦ। ହେ ମୋର ଖଳା ମାତା, ଆମେ ଏକପାଖିଆ ଉନ୍ନତି କରିଚାଲିଲୁ, ଏ ଉନ୍ନତି ସମ୍ଭୁତ ଅବଫଳକୁ ପ୍ରତହତ କରିବାର ବ୍ୟବସ୍ଥାକୁ ଦୃଢ ନକରି ଆମେ ଆଗେଇ ଚାଲିଲୁ। ନୂଆ ମୋବାଇଲର ଆବଶ୍ୟକତାରୁ ଯେମିତି ପୁରୁଣା ହୁଏ ଅଦରକାରୀ କିନ୍ତୁ ପୁରୁଣାଟି କଣ ହେବ ତାହା ଆମ୍ଭେ ଜାଣୁନା ଠିକ୍ ସେମିତି। 

ମନେହୁଏ ପ୍ରତି କ୍ଷେତ୍ରରେ ଏହା ପ୍ରଯୁଜ୍ୟ। ଜିନିଷ ହେଉକି, ଜ୍ଞାନ କୌଶଳ, ନୂଆ ଆସିଲେ ପୁରୁଣାକୁ ନେଇ କଣ କରାଯିବ ତାହାର ବିଚାର ହେଲାପରେ ଯାଇ ନୂଆର ବ୍ୟବହାର କରାଯିବା ଉଚିତ। ଏ ସିନା ସଠିକ ବର୍ଜ୍ୟ ପରିଚାଳନାର ଦର୍ଶନ। 

- ଆରେ ବାବା, ତୁମେ ମଣିଷ ମାନେ ସେସବୁ ବିଚାର କର। ତୋ କଥାରେ ମୁଁ ମୁକ୍ତି ପାଇଗଲି ପୁଅ। କେବଳ ଗୋଟିଏ ଶେଷ ପ୍ରଶ୍ନ, ତୁ କହ କେଉଁଥିପାଇଁ ତୁ ମତେ ମାତା ସମ୍ବୋଧନ କଲୁ ପିତା ନକହି।

ମୁଁ ଥ ଥ ମ ମ ହୋଇ ଉତ୍ତର ଦେଲି। -ସତ କହିବି, ପଥର କାନ୍ଥ ଆରପାଖେ ଖଳା, ଏପାଖରେ ଆମ ଘର, ପଢାଘର। ରାତିରେ ଆମେ ଘରେ ପଢୁଥିଲାବେଳେ କେବେ କେବେ ଶବ୍ଦ ଶୁଭେ ଚୁଡି ଝଣ ଝଣର। ଆମେ ଭାବୁ ବୋଉ ଏପଟେ ଆସିଲା। ବୋଉ ଆସିନଥାଏ, ବୋଉ ଥାଏ ହାଣ୍ଡି ଶାଳରେ, ବାରିଆଡେ ଗଲେ କେହିନଥାଏ। ଏମିତି ଭ୍ରମ କାହିଁକି ହୁଏ? ଏ ରହସ୍ୟ ଆମେ କେହି ଜାଣୁନା। କେବେ ଭାବେ ନିଶବ୍ଦ ପରିବେଶରେ ଆମ ବୋଉର ଚୁଡି ଝଣଝଣ ସେପଟେ ପୋଖରୀ କିମ୍ବା ବିଶାଳ ଖୋଲାଜମିରେ ପ୍ରତିଧ୍ବନିତ ହୋଇ ଆମ କାନକୁ ଫେରିଆସେ। ପୁଣି କେବେ ମନେହୁଏ ଯାବତୀୟ ଶବ୍ଦ କେଉଁଠି ଗଛିତ ହୋଇ ରହିଥାଏ, ଯାହା ଆମକୁ ଭଲଲାଗେ ତାହା ମଝିରେ ମଝିରେ ପ୍ରକୃତି ଆମକୁ ଶୁଣାଏ। ପୁଣି କେବେ ଭାବେ ଏସବୁ ତୁଛା ଅବାନ୍ତର କଥା ଆମେ ଏମିତି ଶୁଣିବାଟା ହିଁ ମିଛ। ଆଜି ଏମିତି ଖଳା ସହ କଥାହେବା ଯେମିତି ଭ୍ରମ ଓ ଅହେତୁକ କଥା ଠିକ୍ ସେମିତି। କିନ୍ତୁ ଯଦି ଏହା ସତ୍ୟ ହୋଇଥାଏ ତାହେଲେ ଏହା ମଧ୍ୟ ସତ୍ୟ ହୋଇପାରେ ଖଳା ନିଜେ ହିଁ ମାତା, ଯାହାର ଚୁଡି ଝଣଝଣ ହୁଏ। ଏଣୁ ହେ ମାତା ସ୍ବୀକାର କର ମୋର ସମ୍ବୋଧନ।

ନିଶୁନ ରାତିରେ ମୁଁ ଖଳାମଝିରେ ଠିଆ ହୋଇଥିଲି। କେହି ନଥିଲେ। ତାରକା ଖଚିତ ଆକାଶରେ ପୂର୍ବ ପୁରୁଷ ମାନେ ହୁଏତ ଆଶୀର୍ବାଦ କରୁଥିଲେ। ମୁଁ ହେତୁବାଦୀ ମଣିଷ, କାର୍ଯ୍ୟ କାରଣ ନଥିବା କଥା ମୋପାଇଁ ଭ୍ରମ, ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ସବୁକଥା ବୁଝିବା ଭଳି ଇନ୍ଦ୍ରିୟ ମୋର ନାହିଁ। ମୋ ପାଇଁ ଏସବୁ ତୁଚ୍ଛ। ମୁଁ ଗ୍ରାମାନ୍ତରୀ, ଦେଶାନ୍ତରୀ ଦାଦନ ଖଟୁଥିବା ଗୋତି ଶ୍ରମିକଟିଏ। ଉନ୍ନତିର ସୋପାନରେ କଂକ୍ରିଟ ରାସ୍ତାରେ ଯୋଡି ହୋଇଯାଇଛି ମୋର ଗାଁ। ମୋ ଗାଁ ତୁଳତୀ, ଦିଅଁ ଦେବତା ଓ ଅନେକ ବଡ ପୁଷ୍କରିଣୀର ଗାଆଁ ତୁଳତୀ। ସବୁ କଂକ୍ରିଟ ରାସ୍ତା ମୋପାଇଁ ପ୍ରସ୍ଥାନର ରାସ୍ତା। ପ୍ରବେଶ ନିଷେଧ। ନିଷିଦ୍ଧ ଇଲାକାର, ନିଷିଦ୍ଧ ବେଳାରେ ଖଳା ମଧ୍ୟରେ ମୁଁ ପୁଣିଥରେ ଆଳାପ କରିବାକୁ ଚାହୁଁଥିଲି ଅତୀତ ସହ, ଖଳା ସହ, ଖଳା ନଥିଲା। ମୁଁ ସହିନେଲି ହୃଦଘାତ ହେଲା ନାହିଁ। ମୁଁ ତ ଅଷ୍ଟମ ଶ୍ରେଣୀରୁ ପ୍ରବାସୀ, ସହିନେବାରେ ଅସୁବିଧା କିଛି ନାହିଁ କିନ୍ତୁ ମୋ ବାପା। ଛୟାଅଶି ବର୍ଷର ପତ୍ନୀହରା ବାପା ସେ ବା କେମିତି ଗ୍ରାମାନ୍ତରୀ। ମୋ ଭଉଣୀମାନେ? ସେମାନେ ଝୁରି ହୁଅନ୍ତି, ଗାଆଁକୁ। ଆଉ ମୋ ସାନଭାଇ, ଗାଁରେ ରହୁଛି ବୋଲି ସିନା? ନହେଲେ ଆମଡିହରେ ଶୃଗାଳ ଭୁକୁଥାନ୍ତେ। ବାପା କହିଛନ୍ତି ନଦୀରେ ପାଣି ଗୋଟିଏ ଦିଗକୁ ଯାଏ ଆଉ ଫେରେନି। ଏହା କଠୋର ସତ୍ୟ। ଏ ସତ୍ୟକୁ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଏଡେ ଅସହାୟ ଅବସ୍ଥାରେ ଛାଡି ଚାଲିଗଲା ଖଳା ବା ଖଳାର ଭ୍ରମ। ବୋଉ ବୋଉ ବୋଉ, ଏ ବୋଉ ତୁ ନାହୁଁ କି ପ୍ରତିଧ୍ବନି ନାହିଁ ଝଣଝଣ ଚୁଡିର! ତୋତେ ଆମେସବୁ ମିଳିମିଶି ଝୁଣିଖାଇ ସାରିଦେବା ପରେ କେବଳ ମୋ ଗାଆଁ ମୋ ଘର, ପରିବେଶ ମନେ ହେଉଛି ମୋର ମାଆ। ମା ପାଇଁ ଏ ବ୍ୟାକୁଳତାକୁ ପାଠକେ କେମିତି ବିଚାର କରିବେ ଜାଣୁନି, ଭାବି ପାରନ୍ତି ମୁଁ ବାଇଆ ହୋଇଗଲିଣି ବା ସେମାନେ ଏତିକି ପଢିଲା ବେଳକୁ ପ୍ରୌଢ ଓ ବୃଦ୍ଧ ମାନେ ମୋ ସମଭାବନାରେ ହୋଇଥିବେ ବାଇଆ; ବିଶେଷ କରି ମଧ୍ୟବର୍ଗ।



Rate this content
Log in