Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyabati Swain

Others


3  

Satyabati Swain

Others


କାଗଜ ଡଙ୍ଗା

କାଗଜ ଡଙ୍ଗା

5 mins 588 5 mins 588

ତୋର ମନେ ଅଛି, ଦାଣ୍ଡା ମଝି ରାସ୍ତାର ପାଣି ସୁଅ ,ସ୍କୁଲ ଛୁଟି,ଘର ଫେରନ୍ତା ମନ ଆଉ ତୁ ଓ ମୁଁ !! ମନେ ଅଛି ପାଣି ଚଵ ଚଵ,ଛିଟିକାରେ ଅଣ୍ଟା ଯାଏ ଓଦା କଥା!! ମନେ ପଡୁଛି ମୋ ମୁଣ୍ଡ ଓଦା ନ ହେବା ପାଇଁ ତୁ ତୋ ବ୍ୟାଗ୍ କିପରି ମୋ ମୁଣ୍ଡ ଉପରେ ଥୋଇ ମୋ ପଛେ ପଛେ ହାତ ପକାଇ ବ୍ୟାଗ୍ ଉପରେ ଧୀରେ ଧୀରେ ଚାଲୁଥିଲୁ!! ନିଜେ ଗୋଟା ପଣେ ଓଦା ହଅ ପଛେ ମୋତେ ଆଦୌ ଓଦା କରି ଦେଉ ନଥିଲୁ। ମନେ ପଡ଼ିଛି ସେଦିନ ଯେଉଁଦିନ ତୋ ସାର୍ଟ ଉତ୍ତାରି ମୋ ମୁଣ୍ଡରେ ବାନ୍ଧି ଦେଇଥିଲୁ ଓଦା ନହେବା ପାଇଁ।ତୋ ହାଡୁଆ ନକ୍ ନକ୍ ଖାଲି ଦେହ। ମୁଷଳ ଧାରା ବର୍ଷା! ଘଡ଼ ଘଡି ଏମିତି ମାଇଲା କୁଣ୍ଢାଇ ପକାଇଲି ତୋତେ ମାଆ ଆ.. ରଡି ଛାଡି। ତୁ ମୋତେ ତୋ ହାଡୁଆ ଛାତିରେ ଜାକି କହିଲୁ ଡ଼ରନା ମୁଁ ଅଛି?କଣ କରିବ ସେ ବର୍ଷା!ଘଡଘଡି!।ସତରେ ମୋତେ ଲାଗିଲା ଘଡ଼ ଘଡି ତୋତେ ଡରେ। ଆଉ ଆହୁରି ଲାଗିଗଲି ତୋ ଦେହରେ ପୁରା ଜାବୁଡି। ତୁ ମୋ କାନ ବନ୍ଦ କରି ଧରି ଥିଲୁ।ତୋ କାନ୍ଧ ଉପରେ ମୋ ମୁହଁ।


       ଆଉ ଦିନେ ବର୍ଷା ସହି ନ ପାରି ପଶିଗଲେ ଜାଗୁଳେଇ ଘରେ। ଅନ୍ୟ ପିଲା ମାନେ ବି ଭୟରେ ସେଇଠି ଆଶ୍ରୟ ନେଲେ। ଜାଗୁଳେଇ ଘର ବ୍ୟତୀତ ଆଉ କେଉଁଠି ମୁଣ୍ଡ ଗୁଞ୍ଜିବାକୁ ରାହା ନଥିଲା। ଦି ପଟେ ଦଣ୍ଡା,ବର ଗଛ, ମଝିରେ ରାସ୍ତା । ଘଡ଼ ଘଡି ମାରୁଛି,ବର୍ଷା କାଚୁଛି। ଗାଁ ଧରିବା ପାଇଁ ପାଣି ସୁଅ କାଟି ଦଉଡୁଛନ୍ତି ସବୁ ପିଲା। ବର୍ଷା ସହି ନପାରି ଦଣ୍ଡା ଶେଷରେ ଥିବା ଜାଗୁଳେଇ ଘରେ ସମସ୍ତେ ଅଟକି ଗଲେ। ସମସ୍ତ ଭିତରେ ମୁଁ ସାନ।ମୁଁ ଏତେ କୌତୁକିଆ ଯେ ସମସ୍ତେ ଡାକନ୍ତି ଡଲ୍। ତୁ ଡାକୁ ଗଦି।ମୋ କୋମଳ ମୁଲାୟମ ହାତ ଓ ଗାଲରେ ତୋ ହାତ ଲଗାଇ କହୁ ଇସ୍ କଣ ଗଦିଗଦି ଲାଗୁଛୁ?


      ବାହାରେ ଏତେ ଜୋରେ ବର୍ଷା ଘଡଘଡି ଶୁଣି ମୁଁ ଖାଲି କାନ୍ଦିଲି ମାଆ ଆ ଆ କହି।ତୁ ଗୋଟେ ହିରୋ ପରି କହିଲୁ କଣ ଡର ମାଡୁଛି। ଦେଖ୍ ଏ ବର୍ଷାରେ ବି ଗୋଟେ ମଜା ଖେଳ ଖେଳିବା। ପିଲାଏ ଚାଲ କାଗଜ ଡଙ୍ଗା କରି ଭସେଇବା। ଯାହାର ସବୁଠୁ ବେଶି ବାଟ ଭାସିଯିବ ତାକୁ ପୁରସ୍କାର ଦେବା। ସେ ଦଇଆ ଦୋକାନରେ ପେଟ ପୁରିବା ଯାଏ ପକୁଡି ପକା ଭୁଗୁନି ଖାଇବ।


    ମୁଁ ମୁହଁ ଶୁଖେଇ କହିଲି ମା ତ ମନା କରିଛି ବାହାର ଖାଦ୍ୟ ଖାଇବୁନି। ସମସ୍ତେ ହୋ ହୋ ହୋଇ ହସି ଉଠିଲେ। ମୋ ନିରୀହ ପଣିଆଁ ଦେଖି । ତୁ କହିଲୁ ଠିକ୍ ଅଛି ତୁ ଆଗ ଜିତି। ତୋ ମା ଯାହା ଖାଇବାକୁ କହିବେ ସେଇଆ ଦିଆ ଯିବ।ମୁଁ ଚଟ୍ କିନି କହିଲି ନୁଡୁଲୁସ୍ ।ପୁଣି ଥରେ ହସ ରୋଳା ହେଲା ମୋ କଥା ଶୁଣି। ସେତେବେଳେ ନୁଡୁଲୁସ୍ ଆମ ଭିତରୁ କିଛି ପିଲା ଦେଖି ନଥିଲେ।କାରଣ ଏହା କେବଳ ସହରରେ ମିଳୁଥିଲା। ମୋର ଜନ୍ମ ଦିଲ୍ଲୀରେ।ସେଇଠି ବି ଆଠ ବର୍ଷ ଯାଏ ଥିଲି। ତାପରେ ଗାଁକୁ ଆସିଛି। ନୁଡୁଲୁସ୍ ମୋର ଭାରି ପ୍ରିୟ। ତୁ ଟିକେ ଗମ୍ଭୀର ଦେଖା ଗଲୁ। ନୁ.. ଡୁ.. ଲୁ.. ସ୍ ସେଇଟା କଣ?ତାକୁ ଖାଆନ୍ତି କି? ସେ କେମିତି ଲାଗେ ଆଳୁ ଚକଟା,ବଡ଼ି ଚୁରା,ଶାଗ,ଚେଙ୍ଗ ପୋଡା ନା ମୁଢି ଚୂଡ଼ା ପରି। ମୁଁ ଅନେଇଁ ଥିଲି ଜଳ ଜଳ।ତୁ କହିଲୁ ହଉ ଦେଖିବା ମୁଁ ସହରରେ ଚାକିରୀ କଲେ ତତେ ଆଣି ଦେବି ଆଉ କଣ!।


     ତାପରେ ଆରମ୍ଭ ହୋଇଗଲା ଖାତା ଚିରା ଅଭିଯାନ।ସତେଇଶି ଜଣ ପିଲାଙ୍କ ଡଙ୍ଗା ଦୋହଲି ଦୋହଲି ଚାଲିଲେ ଆଗକୁ।ମୋର ଖାତା ଚିରା ସରିଲା ପଛେ ଡଙ୍ଗା ଟିଏ କରି ପାରିଲି ନାହିଁ। ତୁ ମୋ ଆକୁଳ ଭାବକୁ ପଢି ନେଇ ମୋତେ ଡଙ୍ଗା କରିବା ଶିଖେଇଲୁ। ଯେତେ ଶିଖେଇଲୁ ମୋତେ ଆସିଲା ନାହିଁ। ତୁ ଚିଡି ଗଲୁ ଓ କହିଲୁ ତୋ ସହରିଆ ମଗଜ କେବଳ ଭଲ ଇଙ୍ଗିଲିସ୍ ବୁଝେ,ନୁଡୁ ଲୁସ୍ ବୁଝେ,ଡଙ୍ଗା କରିବା ବୁଝି ପାରେ ନାହିଁ।ବୋକି କୋଉଠିକାର । ହଜାର ବାର୍ ଶିଖେଇଲେ ବି ହେଉନି।ଓଲି....


    ମୋର ଗୋଟେ ଅଭ୍ୟାସ ଯାହା ନ ପାରିବି ଖାଲି କାନ୍ଦିବି।ମୋ ବାବା ପରି ତୁ ବି ମୋ କାନ୍ଦ ସହି ପାରୁନାହୁଁ। "ହେଉ ହେଉ ରହ।ମୁଁ ଗୋଟେ ତୋ ପାଇଁ ଡଙ୍ଗା କରି ଦେଉଛି ତୁ ଭସା"।ମୋର ଏକା ଜିଦ୍ ନା ମାନେ ନା।ମୁଁ ନିଜେ କଲେ ଭସାଇବି ନହେଲେ ନାହିଁ। ଏଇଟା ମୋର ଗୋଟେ ଗୁଣ। ଅନ୍ୟ କାହା ଜିନିଷ ମୋତେ ନିଜର କହିବାକୁ ପସନ୍ଦ ଲାଗେନି। ସତକୁ ସତ ଏଇ ଡଙ୍ଗା ଭସାରେ ଏମିତି ସମସ୍ତେ ମଜି ଗଲେ ଯେ ଘଡଘଡି ବର୍ଷା ଡର କୁଆଡେ ଛାଡ଼ିଗଲା।ବରଂ ଖୁସିରେ ସଭିଏଁ ମଜ୍ଜି କହୁଥିଲେ ଦେଖ୍ ଦେଖ୍ ମୋ ଡଙ୍ଗା ସବୁଠୁ ଆଗରେ।ହା.. ହା ମୁଁ ଜିତି ଯିବି। ବାପଧନ ଆକାଶ ,ହଗିବୁ କାଲି ଭୁଗୁନି ଦେଲା ବେଳେ । କିଏ କହୁଥିଲା ଓଃ ମୋ ଡଙ୍ଗା ଲାଗିଗଲା ଘାସରେ।କିଏ କହୁଥିଲା ମୋ ଡଙ୍ଗା ପୋଖରୀ ଭିତରେ।


    ଏହା ଭିତରେ ବର୍ଷା ଅଳ୍ପ ଅଳ୍ପ ଛାଡୁ ଥିଲା ଆମ ଘର ବିନୁ ଦା ଛତା ଓ ସାଇକେଲ ନେଇ ଆସିଥିଲେ ମୋତେ ନେବା ପାଇଁ । ମୋତେ ଗୋଟା ସୁଦ୍ଧା ଓଦା ଦେଖି ଜିଭ କାମୁଡି ପକାଇଲେ।" ସୁମୀ(ମୌସୁମୀ) ମା ଆଜି ମୋ ଚାକିରୀ ଗଲା ଜାଣ। ତୁମେ ଏତେ ଓଦା ହୋଇଛ ତୁମ ଦେହ ଖରାପ ହୋଇଯିବ। ମା ବାବୁ ତୁମ ଦେହ ଖରାପ ହେଲେ ମନ କଷ୍ଟ କରିବେ। ମୁଁ ଚଣ୍ଡାଳ ବର୍ଷାକୁ ଡରି ଯାହା ନ ଆଇଲି। ରମା ପାଖେ ଟିକେ ଗପୁ ଗପୁ ବର୍ଷା ଟା ହେଲା। କଣ କରିବି ଲୋ ମା। ମା ଆଜି କଣ କହିବେ।ଝିଅଟିକୁ ସ୍କୁଲ ନବା ଆଣିବା ଦାୟିତ୍ୱଟା ଠିକ୍ ଭାବେ ତୁଲାଇ ପାରୁନାହଁ ଏତେ ଜମି ବାଡ଼ି କଥା କେମିତି ବୁଝୁଛ"?


    ମୋର କାଗଜ ଡଙ୍ଗା ଶିଖିବା ହୋଇ ପାରିଲା ନାହିଁ।ବିନୁ ଦା ନେଇ ଆସିଲେ ଘରକୁ। ସତ ସତିକା ମୋତେ ଜ୍ୱର ହୋଇଗଲା । ସ୍କୁଲ ବନ୍ଦ। ତୁ ପ୍ରତିଦିନ କଣ ପଢା ହେଉଛି ସାର୍ ଙ୍କ ଠାରୁ ବୁଝି ଆସି କହୁ। ତୁ ମୋ ଠାରୁ ଦୁଇଟି ଉପର କ୍ଲାସ ରେ ପଢୁଥିଲୁ। ଏମିତିରେ ପାଠ ତ ମୋ ଦେଇ ଭଲ ହୁଏ ନାହିଁ। ତୁ କିନ୍ତୁ ପ୍ରାଣ ପଣେ ଚେଷ୍ଟା କରୁ ମୋତେ ବୁଝାଇ ଦେବାକୁ। ମା ବି ତୋତେ ଭଲ ପାଏ।ତୁ ଭଲ ପଢୁ ତୋ ବ୍ୟବହାର ଭଲ ଦେଖି। ମା କୁହେ ଆକାଶ ଏ ଗଧି ଟାକୁ ଟିକେ ଓଡ଼ିଆ ଭଲ କରି ଶିଖାଇବ ତ। ତୁ ଖୁସିରେ ମୁଣ୍ଡ ଠୁଙ୍ଗାରୁ। ମୋତେ ବି ଭାରି ଖୁସି ଲାଗେ ତୁ ପାଖରେ ଥିଲେ।ମୋର ଇଚ୍ଛା ତୁ ତୁମ ଘରକୁ ନ ଯାଆନ୍ତୁ।ଆମ ଘରେ ରୁହନ୍ତୁ,ମୋ ସାଙ୍ଗେ ଖାଆନ୍ତୁ, ମୋରି ପାଖରେ ଶୁଅନ୍ତୁ।ମୋ ଆଖି ଖୋଲିଲେ ତୋତେ ଦେଖନ୍ତି।ଯାହା କିନ୍ତୁ ଅସମ୍ଭବ ଥିଲା।


     ମୋର ଅଷ୍ଟମ ଶ୍ରେଣୀ ବର୍ଷ ବାବାଙ୍କ କମ୍ପାନୀ ଷ୍ଟ୍ରାଇକ୍ ବନ୍ଦ ହୋଇ ପୁଣି ଚାଲିଲା ବାବା କମ୍ପାନୀ ଇଂଜିନିୟରି ଥିଲେ। ଆମେ ପୁଣି ଦିଲ୍ଲୀ ଚାଲି ଆସିଲୁ।ଏମିତି ଦିଲ୍ଲୀ ରୁ ଓଡିଶା ଓଡିଶାରୁ ଦିଲ୍ଲୀ ହୋଇ ମୋ ପାଠ ପଢା ଯେତିକି ଯାହା ହେଉଥିଲା ସେତେ ଆଉ ହେଲା ନାହିଁ। ଅଷ୍ଟମ ଶ୍ରେଣୀ ପରେ ଗାଁ ଛାଡି ଆସିଲି। ଛାଡି ଆସିଲି ମନ ବନ୍ଧା ପକେଇ ଗାଁରେ ତୋ ପାଖେ।ଯେନେ ତେନ କଠିନ ପରିଶ୍ରମ କରି ଦଶମ ପାସ୍ କଲି ଓ ଆର୍ଟସ ନେଇ କଲେଜରେ ପଢ଼ିଲି। କଲେଜରେ ମୋର ପାଠ ଭଲ ହେଲା। କମ୍ପିଟେଟିଭ୍ ଦେଇ ମୁଁ ଗୋଟେ ବ୍ୟାଙ୍କ ଜବ୍ କରିଛି। କଲେଜ ଜୀବନରେ ଅନେକ ପୁଅ ପଛରେ ପଡିଲେ।କିନ୍ତୁ ସମସ୍ତ ଭିତରେ ତୋ ମୁହଁ ଦେଖା ଗଲା।କାହାକୁ ଭଲ ପାଇ ପାରିଲି ନାହିଁ। ଯେତେବେଳେ ଯୁବତୀ ବୟସ ମୋତେ ଜଗଡ଼ି ଧଇଲା ଆଖି ବୁଜି ଦେଲା ମାତ୍ରେ ତୁ ମନେ ପଡ଼ିଲୁ। ମୁଁ ତୋତେ ସେବେଠୁ ଦେଖିନି କିନ୍ତୁ କଳ୍ପନା କରେ କେମିତି ହୋଇଥିବୁ ବୋଲି।ବହୁତ ଡେଙ୍ଗା,ସେଇ ପତଳା ସରୁ କାନିଆ ଦେହ,ହସ ହସ ମୁହଁ।କୁଆଁରୀ ଅନୁଢ଼ା ପ୍ରାଣ ତୋତେ ସ୍ୱପ୍ନ ଦେଖେ।ବହୁତ ମନେ ପଡୁ ତୁ ନୀରବରେ। ଗାଁର ରହଣି ଓ ତୋ ସହ ବନ୍ଧୁତା ମୋତେ ବହୁତ ଖୁସି ଦେଇଛନ୍ତି।


   ଯେତେବେଳେ ମୋ ବିବାହ ପାଇଁ ବାବା ପ୍ରସ୍ତାଵ ପକାଇଲେ ମୁଁ ତୋତେ ବହୁତ ଖୋଜିଛି। କିନ୍ତୁ କିଛି ଯୋଗା ଯୋଗର ସୁବିଧା ନଥିଲା ସେତେବେଳେ। ଗାଁର ଗୋଟେ ଝିଅ ପୁକୁ ମୋ ସାଙ୍ଗ ଥିଲା।ତାକୁ ଚିଠି ଲେଖି ତୋ କଥା ପ୍ରଚାରିଲି।ସେ ଚିଠିର ଉତ୍ତର ଦେଇ ଲେଖିଥିଲା "ତୁ କୁଆଡେ ମୋତେ ଖବୁ ଭଲ ପାଉଥିଲୁ। ମୁଁ ଗାଁ ଛାଡି ଆସିଲା ପରେ କେବଳ ମୋ କଥା ହିଁ ପୁକୁ କୁ କହୁଥିଲୁ। ମୋ ବିନା ଭାରି ଉଦାସ ହୋଇ ଯାଇଥିଲୁ। ହେଲେ ମୁଁ ସରଗର ଚାନ୍ଦ। ଏଡ଼େ ଘର ବାବୁଙ୍କ ଝିଅ ତୋତେ କଣ ପସନ୍ଦ କରିଥାନ୍ତି?ତୁ ରେଳବାଇ ରେ ଜବ୍ କରୁଛୁ ଓ ତୋର ବିବାହ ସରି ଯାଇଛି"। ଏ କଥା ଜାଣି ସେଦିନ ମୋ ପ୍ରାଣ ଭୋ ଭୋ ହୋଇଥିଲା।


    ଆଜି ତୋ କଥା ଭାରି ମନ ପଡୁଛି ଏଇଥି ପାଇଁ ଯେ ମୋ ଝିଅ 'ପାଶା' ଆଜି ବର୍ଷାକୁ ଦେଖି କହୁଛି "ମାମା ଗୋଟେ ପେପର୍ ଵୋଟ୍ କରି ଦିଅତ ମୁଁ ଭସାଇବି"।ମନେ ମନେ ହସୁଛି ଆଉ ଚେଷ୍ଟା କରୁଛି ତୋ ପରି ପେପର୍ ଵୋଟ୍ ତିଆରି କରିବାକୁ।


       ମୁଁ ଜାଣିନି ତୁ ଏ ମୋ ଲେଖା ପଢିବୁ କି ନାହିଁ।କିନ୍ତୁ ମୋର ଇଛା ତୁ ଥରେ ପଢ଼।କାଳେ ତୁ ପଢିବୁ ସେଇ ଆଶାରେ ଲେଖୁଛି।ପଢି ସାରିବା ପରେ କାବା ହେବୁନି; ଯାହା ଲେଖୁଛି ସତ ହିଁ ଲେଖିଛି।ମୁଁ ଜାଣେ ପଢି ସାରିବା ପରେ ତୁ ଟିକେ ପଛକୁ ଅନେଇଁବୁ।ଆନ ମନା ହୋଇଯିବୁ।ତୋ ଆଖି ଟେରା ହୋଇଯିବ।ତୋ ହୃଦ ସ୍ପନ୍ଦନ ବଢି ଯିବ ବି।ତୁ ବାଆଁ ପଟ ଛାତି ଉପରେ ହାତ ଥୋଇ ଚାପି ଧରିବୁ।ତାପରେ ତୁ କାନ୍ଦିବୁ ହୃଦୟ ଫଟାଇ;କିନ୍ତୁ ଶବ୍ଦ କରିବୁନି।କାହିଁକି ନା ତୁ ଏବେ ତୋର ନୁହଁ।ଆଉ ଜଣେ ତୋତେ ବସ୍ ଉଠ୍ କରାଉଛି।ତୋ କାନ୍ଦ ତା କାନରେ ପଡିଲେ ତୋତେ ଦର ମରା କରିଦେବ।ଏଣୁ ମୋର ଅନୁରୋଧ ତୁ କେବଳ ପଢିବୁ।

କାନ୍ଦିବୁନି ବୁଦୁ..।ଭଲ ପାଇବା ପାଇଁ ଲୋକେ ଲଙ୍କା ବି ଯାଉଛନ୍ତି ତୁ ଦିଲ୍ଲୀ ଆସି ଥରେ ତ କହି ଦେଖି ଥାଆନ୍ତୁ ମୌସୁମୀ ମାନେ ତୋ ଆଦରର ଗଦି କେବଳ ଆଜି ତୋର ଅର୍ଥାତ ଆକାଶ ପ୍ରଧାନର ହୋଇ ଥାନ୍ତା .....।



Rate this content
Log in