କାଗଜ ଡଙ୍ଗା
କାଗଜ ଡଙ୍ଗା
କ’ଣ ଗୋଟାଏ ଲେଖିବାକୁ ଇଚ୍ଛା ହେଲା । ବର୍ଷା ତୁହାକୁ ତୁହା ଲାଗି ରହିଥାଏ । ଘର ସାମ୍ନା ସରୁ ନାଳରେ ବଡ ମତୁଆଲା ଶବ୍ଦରେ ବହି ଚାଲିଛି ପାଣିର ଧାର । ମଝିରେ ମଝିରେ ବିଜୁଳିର ଚମକ । ପବନର ସୁଁ ସୁଁ ଶବ୍ଦ । କିନ୍ତୁ ପିଲାଙ୍କର ଖାତିର ନାହିଁ । ଯେବେ ବର୍ଷା ପଡିବା କ୍ଷଣକ ପାଇଁ ଥମି ଯାଉଛି, ପାଖ ଘରମାନଙ୍କରେ ଥିବା ଛୋଟ ପିଲାମାନେ କୁଦା ମାରି ବାହାରକୁ ଚାଲି ଆସୁଛନ୍ତି । କାହା ହାତରେ କାଗଜ ଡଙ୍ଗା ତ କାହା ହାତରେ ଫାଳେ କାଗଜ । ପୁଣି କିଏ କାନ୍ଦୁରା ମୁହଁରେ ଜେଜେ କିମ୍ବା ଜେଜେମାଆଙ୍କୁ କହୁଛି, ‘ମୋ ପାଇଁ କାଗଜ ଡଙ୍ଗା ବନେଇ ଦିଅ ।’ ସେଇ ଟୁପୁ ଟୁପୁ ବର୍ଷାରେ ଭିଜି ନାଳରେ ଗୋଟା ପରେ ଗୋଟେ କାଗଜ ଡଙ୍ଗା ଭସାଇ ଚାଲୁଥାନ୍ତି । ଛାତ ଉପରୁ ଝରକା ପାଖରେ ଥାଇ ମୁଁ ଏ ସବୁ ବଡ ଉତ୍ସୁକତାର ସହ ଦେଖୁଥିଲି । କାହା ଡଙ୍ଗା ଆଗକୁ ମାଡି ଚାଲିଛି ତ କାହା ଡଙ୍ଗା ଅଧା ବୁଡିଗଲାଣି । ପୁଣି କିଏ ମଙ୍ଗୁଆଳ ସାଜି ଅଧା ବୁଡା ଡଙ୍ଗାକୁ ସଜାଡିବାରେ ଲାଗିଲାଣି । କିନ୍ତୁ ଏସବୁ ଭିତରେ ଏତେ ଆନନ୍ଦ ଯେ ମଝିରେ କାହା ମାଆର କଟକଣା ଶୁଣାଗଲାଣି ତ କାହାଘରୁ ଛୋଟ ପିଲାର ଅଝଟପଣିଆର ସଜା ମିଳିଲାଣି । କିନ୍ତୁ ଘର ସାମ୍ନା ରାସ୍ତାରେ ଛୋଟ ପିଲାଙ୍କ ଗହଳିର କମ୍ ନାହିଁ । ତାଳି ମାଡ, ହଟଗୋଳରେ କଲୋନି କମ୍ପୁଥାଏ ।
ଇଚ୍ଛା ହେଲା ଦି ଧାଡି କବିତା ଲେଖିବାକୁ । କାଗଜ କଲମ ଧରି ଲେଖିବାକୁ ଯାଉ ଯାଉ ହଠାତ୍ ମନଟା ଟାଣି ହୋଇଗଲା ଅତୀତ ଆଡକୁ । ଆଜି ଭଳି ସେଦିନ ବି ଏମିତି ବର୍ଷା ହେଉଥିଲା । କିଏ ଅଧା ଓଦା ହୋଇଥାଏ ତ କିଏ ପୁରା । କିଏ ଛତା ଖୋଲା ରଖିଛି ତ କିଏ ଛତାକୁ ବନ୍ଦ କରି ଓଦା ହେଉଛି । କିଏ ପୁଣି ରେନ୍ କୋଟ୍ ଭିତରେ ଥାଇ ଏ ସବୁର ମଜା ନେଉଛି । ସେତେବେଳକୁ ମୁଁ ବାଲକୋନିରେ ବସି ବର୍ଷାର ଆନନ୍ଦ ନେଉଥିଲି । ଭିକି ଆଉ ରିନି ଘର ଭିତରକୁ ପଶି ଆସିଲେ ।
ରିନିକୁ ବର୍ଷାରେ ଭିଜିବାକୁ ଆଦୌ ଭଲ ଲାଗେନି । ତା ରେନ୍ କୋଟ୍ ଭିତରୁ ବେଶ୍ ଆରାମରେ ବାହାରି ଆସିଲା ସେ । ପାଣିରେ କାଁ ଭାଁ ଡ୍ରେସ୍ ଭିଜିଯାଇଛି । କିନ୍ତୁ ଭିକି ପୁରା ନହେଲେ ବି ଅଧାରୁ ବେଶି ଭିଜିଯାଇଛି । ମୁହଁରେ ହସ । ତରବର ହୋଇ ବ୍ୟାଗଟାକୁ ଫିଙ୍ଗି ପୁଣି ଦୌଡିବାକୁ ଲାଗିଲା ପାଣିରେ ଖେଳିବାକୁ । ଭିତରୁ ତାଆ ମାଆ ପାଟି କରୁଥାଏ...
: ଭିକି... ଭିକି... ପାଣିରେ ଭିଜିନା । ଭିତରକୁ ଆ । ବାବା ଦେଖିଲେ ଗାଳି କରିବେ । କିନ୍ତୁ ସେ ଅମାନିଆ ହୋଇ ବଜାରକୁ ଯିବା ବେଳକୁ ତା ମାଆ ହାତଟାକୁ ଧରି ପକାଇଲେ ।
: ତୋତେ କ’ଣ ଶୁଣାଯାଉନି ? ଓଦା ସରସର ହୋଇ ପୁଣି ଯ
ାଉଛୁ ପାଣିରେ ଖେଳିବାକୁ ?
ମାଆ ପୁଅଙ୍କ ପାଟି ଶୁଣି ମୁଁ ଚାଲିଆସିଲି ସେମାନଙ୍କ ପାଖକୁ । ମୁଣ୍ଡଟା ପୁରା ଓଦା । ବିରକ୍ତ ହୋଇ ଗୋଟେ ଟାୱେଲ୍ ଆଣି ତା ମୁଣ୍ଡଟାକୁ ପୋଛିବାକୁ ଲାଗିଲି । କିନ୍ତୁ ମୁଁ ଦେଖୁଥାଏ ତା’ ମନ ସେ ପାଣିଆଡେ । ମଝିରେ ମଝିରେ ଭିଡିମୋଡି ହେଉଥାଏ । ପଚାରିଲି, ‘ତୋ ବ୍ୟାଗ୍ କାହିଁ ?’
କିଛି ନ କହି ହାତ ଠାରି ଦେଖେଇଦେଲା । ଆରେ ବ୍ୟାଗଟି ତ ପୁରା ଓଦା । ବ୍ୟାଗଟା ଖୋଲି ଦେଖେ ତ ନୋଟ୍ ଖାତା ଆଉ ବହି ପ୍ରାୟ ଭିଜି ଯାଉଛି । ସେଗୁଡିକ ଖୋଲି ଫ୍ୟାନ୍ ତଳେ ରଖିବାକୁ ଗଲି । କ’ଣ ଭାବିଲି କେଜାଣି, ମ୍ୟାଥ୍ ନୋଟ୍ ବୁକଟା ଆଡେଇଲି । ପଛପଟୁ ଅଧା ପେଜ୍ ନାହିଁ । ପଚାରିଲି, ‘ଏଥିରୁ ପେଜ୍ କିଏ ଫାଡିଲା ?’
ଭିକି କିଛି ନ କହି ବୋକା ଭଳିଆ ଚୁପ୍ ହୋଇଗଲା ।
ତା’ପରେ ମୁଁ ଆଉ ଗୋଟିଏ କପି ଓଲଟେଇଲି । ସେଥିରେ ବି ସେହି ଅବସ୍ଥା । ଗୋଟିଏ ପରି ଗୋଟିଏ କପି ମୁଁ ଆଡେଇଗଲି । ଯେତେଟା କପି ମୁଁ ଦେଖୁଥାଏ, ମୋର ରାଗର ମାତ୍ରାଟା ସେତିକି ବଢି ଯାଉଥାଏ । ହୋମ୍ ୱାର୍କ୍, କ୍ଲାସ୍ ୱାର୍କ ନୋଟ୍ ବୁକ୍ କେହି ବି ବାଦ ଯାଇନାହାନ୍ତି । ଠୋ... ଠୋ... କରି ଚଟକଣି ମାରି ଚାଲିଲି ତାକୁ ।
: ବଦମାସ୍ ! ପାଠ ପଢିବାକୁ ଯାଇଥିଲୁ ନା କାଗଜ ଡଙ୍ଗା ଭସେଇବାକୁ ଯାଇଥିଲୁ ?
ହଠାତ୍ ତା’ ଆଗର ଖୁସି କୁଆଡେ ଉଭେଇଗଲା । ପାଟି କରି ନ କାନ୍ଦିଲେ ବି ବିକଳ ହୋଇ ମାଡ ଭୟରେ ମୋ ଆଡେ ଚାହିଁ ରହିଲା । ମୋ ପାଟି ଶୁଣି ଆମ କବାଟ ପାଖକୁ ତା ସାଙ୍ଗମାନେ ଦୌଡି ଆସିଲେ । ଦେଖିଲି ମୋ ପୁଅର ଦୁଃଖ ସେମାନଙ୍କ ଆଖିରେ ବି ପ୍ରତିଫଳିତ ହେଉଛି । କପିଗୁଡିକ ଫିଙ୍ଗି ଅନ୍ୟ ଘରକୁ ଚାଲିଗଲି ।
*** *** *** *** ***
ଏବେ ପିଲାଙ୍କର ଏ ଖୁସି ଦେଖି ନିଜକୁ ଏତେ ଦୋଷୀ ଲାଗୁଛି ଚିନ୍ତା କରି ହେଉନି । ଭାବିଲି ମୋ ପୁଅର ଖୁସି ନିକଟରେ ଏଇ କେଇ ଫାଳ କାଗଜ କ’ଣ ଦାମିକା ଥିଲା ?
ଆଉ କଲମ ଚାଲିଲାନି । ସେ କବିତା ଲେଖା ସେଇଠି ରହିଗଲା ।
(କାଗଜ ଡଙ୍ଗା... ଏକ ଚପଳମତି ବାଳକର ଭୟ ମିଶ୍ରିତ ଦୃଷ୍ଟି, କିଛି ଅନୁତାପ... ଆଉ କିଛି ସ୍ମୃତି) ।