Soumya Shubhadarshinee

Others

3  

Soumya Shubhadarshinee

Others

କା

କା

6 mins
313



ନିଜକୁ ଇପ୍ସିତ ପରିଚିତି ଦେବାର ଝୁଙ୍କରେ ବେଳେବେଳେ ଆମେ ବୁଝାମଣା କରିନେଉ କିଛି ଅକଳ୍ପନୀୟ ଅଭିସାର ସହ । ସେଇ ଅଭିସାର କେବଳ ଆଉ କେବଳ ଆମର ଏକାନ୍ତ ବ୍ୟକ୍ତିଗତ । ସାର୍ବଜନୀନ କରିବାର ଅବକାଶ ନଥାଏ ତମାମ ଜୀବନ !


  ଢୋ' କି ଚଟକଣି ଟେ ପକେଇଲା ଅର୍ଦ୍ଧେନ୍ଦୁ । ପଡିଯାଉ ଯାଉ ତନିଶାର ହାତ ବାଜି ଟୁକୁଡ଼ା ଟୁକୁଡ଼ା ହେଇଗଲା ଅର୍ଖନୂଆ ଫୁଲଦାନୀ । ସାରା ଚଟାଣରେ ବିଛାଡି ହେଇଗଲା ଖଣ୍ଡଖଣ୍ଡ ଅଲୋଡ଼ା କାଚ ।

  

 ମୁହୂର୍ତ୍ତକ ଆଗରୁ କାଚତକ ଗୋଟେ ଆକର୍ଷଣୀୟ କଳାକୃତି ଥିଲା । ନୀଳ ଜଳରାଶି ଭିତରେ ସଫେଦ ହଂସ ଦୁଇଟି କେଳି କରୁଥିଲେ ଫୁଲଦାନୀ ଦେହରେ କିନ୍ତୁ ଆଉ ଏବେ କଳାକୃତିର ଅସ୍ତିତ୍ୱ ନାହିଁ । 


  ହଠାତ ତନିଶାକୁ ସେଇ କାଚ ଖଣ୍ଡ ଭିତରେ ନିଜର ସ୍ୱରୂପ ଦେଖାଦେଲା । ସମ୍ଭାବନାମୟ ଜୀବନ ତା'ର ଏବେ ଠିକ ଏଇ କାଚ ଖଣ୍ଡ ଭଳି ବିକ୍ଷିପ୍ତ । କାହିଁକି ଏମିତି ହେଇଗଲା କେଜାଣି ?


 ଆଛା ଚା' ଟିକେ ଅଧିକ ମିଠା ହେଇଯିବା କ'ଣ ଏମିତି ସଙ୍ଗୀନ ଅପରାଧ ଯେ ଚଟକଣି ଟେ ପଡିବ ସ୍ତ୍ରୀ ଗାଲରେ ?ତରକାରୀ ଅଧିକ ମସଲା ହେଇଗଲେ କ'ଣ ଭାତ ଥାଳି ଫୋପଡା ହେବ ଚଟାଣରେ ?ଫୋନ୍ ରେ କଥା ହେଉଥିବା ଦେଖାଗଲେ କ'ଣ ଫୋନ୍ ଟା ଭାଙ୍ଗିଦିଆ ଯିବ ଅଚିରେ ?

କୌଣସି ପୁରୁଷ ସହ କଥା ପଦେ ହେବାର ଦେଖାଗଲେ ଚରିତ୍ର ଉପରେ ଆକ୍ଷେପ କରାଯିବ ଅଶ୍ଳୀଳ ଭାବରେ ?

ଝିଅ ବାପ ଘରୁ ପୂଜାପାର୍ବଣରେ ଭାର ଥୋର ନେଇ ଆସିଥିବା ଆତ୍ମୀୟ ସହ କ'ଣ ଦୁର୍ବ୍ୟବହାର କରାଯିବ ନିର୍ଲଜ ଭଳି ? ଦିଆଯିବ ଝିଅର ଦୁର୍ଗୁଣର ତାଲିକା

 ସ୍ୱାମୀ ନାମକ ସମାଜିକ ସମ୍ପର୍କର ପରିଭାଷା କ'ଣ ଏମିତି କଦର୍ଥ ସଭିଙ୍କ ପାଇଁ ? 


ତନିଶା ମନରେ ଏମିତି ହଜାରେ ପ୍ରଶ୍ନର ପ୍ରହେଳିକା । ଅର୍ଦ୍ଧେନ୍ଦୁ ମଣିଷ ଭାବେ ଶିକ୍ଷିତ , ସୁଯୋଗ୍ୟ , ସଫଳ କିନ୍ତୁ ସ୍ୱାମୀ ଭାବେ ସମ୍ପୂର୍ଣ୍ଣ ବିପରୀତ । ସନ୍ଦେହୀ , ବଦରାଗି , ଅସଭ୍ୟ ! ସ୍ତ୍ରୀ କେବଳ ଚାବି ଦିଆ କଣ୍ଢେଇ ଛଡା ଆଉ କିଛି ନୁହେଁ । ଉଠ କହିଲେ ଉଠିବ ଆଉ ବସ୍ କହିଲେ ବସିବ । ତା'ର ଗୋଟେ ନିଜସ୍ୱ ବୋଲି କିଛି ନାହିଁ , ସ୍ୱାଧୀନତା ବୋଲି କିଛି ନାହିଁ , ଇଚ୍ଛା ବୋଲି କିଛି ନାହିଁ । ସେ କେବଳ ସ୍ୱାମୀ ଅଧିକୃତ ବସ୍ତୁ । ଏମିତି ସ୍ୱାମୀର ପରିକଳ୍ପନା କରିହୁଏନି ସତରେ !


 ହଁ ତନିଶା ଜାଣେ ଅତୀତର ସମାଜ ସ୍ତ୍ରୀ ଜାତି ପ୍ରତି ଏମିତି ହିନମନ୍ୟତା ପ୍ରତିପୋଷଣ କରୁଥିଲା କିନ୍ତୁ ଆଜି ଏମିତି ହୁଏକି ? ବାହାଘର ପରେ ଇଞ୍ଚ ଇଞ୍ଚ ହେଇ ମରୁଛି ତନିଶା । ତା' ଭିତରର କୋମଳ ଝିଅଟା ଖିନ ଭିନ ହେଉଛି ସବୁବେଳେ । କାରଣ ସ୍ୱାମୀ ଅର୍ଦ୍ଧେନ୍ଦୁ ଏଭଳି ଗୋଟେ ମାନସିକ ରୋଗଗ୍ରସ୍ତ ମଣିଷ ଯେ ତା' ଯନ୍ତ୍ରଣା ଭିତରେ ନିଜ ଉଲ୍ଲାସ ଖୋଜେ। ତା' ପ୍ରତି ଦୁର୍ବ୍ୟବହାର ଦେଖେଇ ଆନନ୍ଦ ପାଏ । ତା' ଅସ୍ତିତ୍ୱକୁ ଧୂଳିସାତ କରି ଗୋଟେ କ୍ରୁର ତୃପ୍ତି ପାଏ । ସ୍ତ୍ରୀ ପ୍ରତି ଅର୍ଦ୍ଧେନ୍ଦୁର ଏଇ ମନୋଭାବ ବିଧିର ବିଡ଼ମ୍ବନା , ଭଗ୍ୟର ଦୋଷ । 


 ତନିଶା ଭଳି ଜଣେ ଉଚ୍ଚ ଶିକ୍ଷିତା , କଳାତ୍ମକ ଚେତନାର ଅଧିକାରିଣୀ , ସୁନ୍ଦରୀର ଜୀବନ ଯେ ଏମିତି ଅଠା କାଠିରେ ପଡିଯିବ ବିଶ୍ୱାସ ହୁଏନି । କିନ୍ତୁ ଏଇଟା ହିଁ ସତ , ଅଗ୍ନିକୁ ସାକ୍ଷୀ ରଖି ଯେଉଁ ମଣିଷ ସହ ସେ ସାତ ଜନ୍ମ ପାଇଁ ସମ୍ପର୍କର ଡୋରୀ ବାନ୍ଧିଛି ସେହିଁ ସାରା ସଂସାର ସହ ତା' ସମ୍ପର୍କ ଛିନ୍ନ କରିଦେଇଛି । ରୁନ୍ଧି ଦେଇଛି ଜୀବନ ପ୍ରବାହର ସହଜ ପଥ ।


-- '' ତୁ ପୁଣି ଲେଖିବା ଖୁବ୍ ଜରୁରୀ ତନିଶା , ନହେଲେ ତୁ ମରିଯିବୁ । ଏମିତି ଯନ୍ତ୍ରଣା ଭିତରେ ତୋ ଅସ୍ତିତ୍ୱ ମାଟିରେ ମିଶିଯିବ । ଅବ୍ୟକ୍ତ ଯନ୍ତ୍ରଣା ତକ ଛାତି ତଳେ ଚାପି ରଖିଲେ ହୃଦୟଟା ଫାଟି ଯିବ , ଉତାରି ଦେ ସବୁ କବିତା

 ଦେହରେ । ପ୍ଲିଜ ପୁଣି ତୋ ସୃଜନ ଜଗତକୁ ଫେରିଆ ।''


--'' ନା' ଆନି , ତୁ ତାଙ୍କୁ ଜାଣିନୁ ମୋ ଲେଖିବା ପ୍ରସଙ୍ଗରେ ସେ ଭୟଙ୍କର ଭାବେ ଉତକ୍ଷିପ୍ତ ହେଇଛନ୍ତି । ସେ ଜାଣିଲେ ପ୍ରଳୟ ହେବ ।''


--'' ବୋକି , ତୁ ଛଦ୍ମ ନାମରେ ଲେଖିବୁ , 'ଶ୍ରୀଲଗ୍ନା ' ବାସ ଏଇ ହେବ ତୋ ପରିଚୟ ।


--'' ସତରେ କ'ଣ ପାରିବି ମୁଁ ?''


--'' କାହିଁକି ନୁହେଁ , ବେଦନାସିକ୍ତ ହୃଦୟହିଁ ସର୍ବୋକୃଷ୍ଟ ସୃଜନର ଏନ୍ତୁଡ଼ିଶାଳ !


 -- '' ତୁ ପା' ସାହିତ୍ୟରେ ଏମ୍ .ଏ. ନୁହେଁ , ହେଲେ ତୋ ଦେଇ କିଛି ହେଇଛି କେବେ ? ନେ ପଢ଼ ଗୋଟେ କବିତା , ନୂଆ ଜଣେ ଶିଳ୍ପୀ ଶ୍ରୀଲଗ୍ନାଙ୍କ ଲେଖା । ଶିଖ କିଛି ୟୁସଲେସ୍ । ''


--'' ତୁମେ ନିଜେ ମନା କରିଛ ଲେଖିବାକୁ ମୋତେ ।''


--'' ଚୋପ୍ ଜବାବ ଦେଉଛୁ ଭାରି ସାହସ ତ ତୋ'ର । କବିତା ଲେଖିବୁ , ଛଇଛାଟ ହେଇ ସାହିତ୍ୟ ସଭା କରିବୁ ନୁହେଁ । ଖବରଦାର ଆଉ କେବେ କହିଛୁ ଯଦି । ମୋ ସ୍ତ୍ରୀ ତୁ ବୁଝିଲୁ ଆଉ ଦଶଟା ଲୋକଙ୍କ ସାମ୍ନାରେ ଛଇ ଦେଖେଇବା ଦରକାର ନାହିଁ । ଇଏ କୁଆଡେ ଶ୍ରୀଲଗ୍ନା ହେବ ହୁଁ ! ଯେତିକିର ଲୋକ ସେତିକିରେ ରହ ୟୁସଲେସ୍ ।''


 ଧୀରେ ଧୀରେ ଅର୍ଦ୍ଧେନ୍ଦୁର ପୃଥିବୀରେ ଶ୍ରୀଲଗ୍ନାର କବିତା ଗୁଡିକ ନିଜର କାୟା ବିସ୍ତାର କରନ୍ତି । ସେ ସାଜେ ଶ୍ରୀଲଗ୍ନାର ସୃଜନର ଗୁଣମୁଗ୍ଧ । ପ୍ରତିଦିନ ମୁଖ ପୁସ୍ତିକାର ଅଗଣାରେ ଖୋଜେ ଶ୍ରୀଲଗ୍ନାକୁ । କବିତା ଗୁଣୁଗୁଣୁ ହୁଏ ବେଶ ଆବେଗରେ । ଆଉ ତନିଶାକୁ ସବୁବେଳେ ଜଣାଏ ଏଇ ପ୍ରସଙ୍ଗ । ତାତ୍ସଲ୍ୟ କରେ ତା' ନିପାରିଲାପଣକୁ ଆଉ ପ୍ରଶଂସାରେ ପୋତି ପକାଏ ଶ୍ରୀଲଗ୍ନାର ପାରିଲାପଣକୁ । 


  ସତେ ଯେମିତି ଶ୍ରୀଲଗ୍ନା ତା' ଚିର ଇପ୍ସିତ , ପ୍ରେୟସୀ । ଅମୋଦିତ ହୁଏ ତନିଶା , କିନ୍ତୁ ସେ ଯେ ନିଜେ ସେଇ କହିପାରେନା କେବେ। କାରଣ ଜଣା ଅଛି ଯେବେ ଉନ୍ମୋଚିତ ହେବ ଏଇ ସତ୍ୟ ଉଜୁଡି ଯିବ ସୃଜନ । 


 ଧୀରେ ଧୀରେ ଅର୍ଦ୍ଧେନ୍ଦୁ ଶ୍ରୀଲଗ୍ନା ପାଇଁ ବ୍ୟାକୁଳ ହୁଏ । ଥରୁଟିଏ ଭେଟିବାର ଇଚ୍ଛା ତାକୁ ପାଗଳ କରେ । କିନ୍ତୁ ସତ ଚେଷ୍ଟା ପରେ ମଧ୍ୟ ଶ୍ରୀଲଗ୍ନାର କୌଣସି କଣ୍ଟାକ୍ଟ ମିଳେନାହିଁ । ଆଉ ଏଇ ଅପୁରଣୀୟ ଇଚ୍ଛା ହତାଶା ଭରେ ତା' ଭିତରେ ।

 

  ତନିଶା କିନ୍ତୁ ଏଇ ପରିବର୍ତ୍ତନରେ ବିଭୋର ହୁଏ । ଯେଉଁ ସ୍ୱାମୀ ତା' ପ୍ରତି ବୀତସ୍ପୃହ ସେହିଁ ଶ୍ରୀଲଗ୍ନା ପ୍ରତି ଆକର୍ଷିତ ବାଃ ! କିନ୍ତୁ ସେ କ'ଣ ଭେଟି ପାରିବ କେବେ ଅର୍ଦ୍ଧେନ୍ଦୁକୁ ।


-- '' ମୋ ଲାଗି ଗୋଟେ କଷ୍ଟ କରିବୁ ଆନି ?''


--'' ତୁ କମାଲ କରୁଛୁ ଲୋ , ଶ୍ରୀଲଗ୍ନା ଏବେ ସଭିଙ୍କ ଓଠରେ । ତୁ ଏତେ ଟ୍ୟାଲେଣ୍ଟଟେଡ୍ ଓଃ ! ଲଭ୍ୟୁ। ମୁଁ ତ ପୂରା ଫିଦା , କହ କ'ଣ କରିବି ?


-- '' ନା' ଶ୍ରୀଲଗ୍ନା ତୋ'ର ସୃଷ୍ଟି , ତୁ ହିଁ ଦେଇଛୁ ତାକୁ ସାହସ , ଧର୍ଯ୍ୟ ଆଉ ସୁଯୋଗ । ଆଉ ଜାଣୁ ଜଣେ ଏବେ ସେଇ ଶ୍ରୀଲଗ୍ନା ପ୍ରେମରେ ! ''


--'' ଓଃ ! ରିଆଲି , ଦାଟ୍ସ୍ ଗ୍ରେଟ୍ ।

  କିଏ ସେ ଶୁଣେ ଟିକେ ?''


--'' ଅର୍ଦ୍ଧେନ୍ଦୁ , ଯେ ମୋତେ ମୁହୂର୍ତ୍ତଟିଏ 

ସଜ୍ୟ କରନ୍ତି ନାହିଁ ଏବେ ସେ ମୋ ପାଇଁ ବ୍ୟାକୁଳ ।''


--'' ହାଁ ଆଁ ଆଁଁ ଆଁ........ ସେଇ ଅମଣିଷଟା ଏମିତି ରସିକ !''


-- '' ପ୍ଲିଜ ଆନି ଏମିତି କହନା । ସେ ଶ୍ରୀଲଗ୍ନାକୁ ଭେଟିବାକୁ ବ୍ୟାକୁଳ । ତୁ ମୋ ପାଇଁ ଶ୍ରୀଲଗ୍ନା ସାଜି ଥରୁଟିଏ ତାଙ୍କୁ ଭେଟ ପ୍ଲିଜ । ମୋ କା' ହେଇଯା , ଜୀଇଁବାକୁ ଦେ ମୋତେ ଗୋଟେ କାଳ୍ପନିକ ଜୀବନ , ପ୍ଲିଜ !''


--'' ଆର୍ ୟୁ ମ୍ୟାଡ଼ ! ତୁ ଭାବିକି କହୁଛୁଟି ? ମୁଁ ତୋ ସ୍ୱାମୀର ପ୍ରେମିକା ହେବି ! ''


--'' ନା ' ତୁ ନୁହେଁ ଶ୍ରୀଲଗ୍ନା ହେବ। ''


--'' ନା 'ପାରିବିନି ମୁଁ , ଅଭିନୟ ଆସେନି ମୋତେ । ଅନ୍ୟର ପରିଚୟ ନେଇ ନିଜକୁ ଉପସ୍ଥାପିତ କରିବା କ'ଣ ଖେଳ ହେଇଛି ! ''


--'' ପ୍ଲିଜ ଆନି ନାହିଁ କହନା। ଥରୁଟିଏ ଭାବି ଦେଖ ମୋ ସୁଖ ଟିକକ ତୋ ହାତରେ ।''


 ଖୁବ୍ ସାଜି ସୁଜି ବାହାରିଗଲା ଅର୍ଦ୍ଧେନ୍ଦୁ ଅଭିସାରରେ । ଅନେକ ପ୍ରଚେଷ୍ଟା ପରେ ଆଜି ଆସିଛି ସେଇ ମୁହୂର୍ତ୍ତ । ଚିର ଇପ୍ସିତ ଶ୍ରୀଲଗ୍ନା ସହ ଭେଟିବାର ଆନନ୍ଦ ଅବର୍ଣ୍ଣନୀୟ । ସେଇ ଖୁସିରେ ଉଜ୍ଜ୍ୱଳ ଦିଶୁଛି ତା' ମୁହଁ । ବାହାରିବା ସମୟରେ ସେ ତନିଶାକୁ ଜଣେଇ ଦେଇଗଲା ଆଜି ଗୋଟେ ବିଶେଷ ଦିନ , ଶ୍ରୀଲଗ୍ନାର ଦିନ । 


 ଉଦ୍ଦେଶ୍ୟ ଥିଲା କେବଳ ଯନ୍ତ୍ରଣା ଦେବା ତନିଶାକୁ କିନ୍ତୁ ସେ କି ଜାଣେ ସତ୍ୟର ସ୍ୱରୂପ । ଆମୋଦିତ ହେଲା ତନିଶା ଆଉ ଫୋନ୍ ଲଗେଇଲା ଆନିକୁ ।


--'' ମୋ କବିତା ମନେ ଅଛିଟି , ଶୁଣେଇବୁ ତୁ ପ୍ଲିଜ ।''


--''ହେ ଏବେବି କହୁଛି ଏସବୁ ଠିକ ନୁହେଁ ।''


--'' ଲଭ୍ୟୁ କା' !''


 ଅର୍ଦ୍ଧେନ୍ଦୁ ସହ ବିତିଥିବା ପ୍ରତିଟି ଘଟଣାର ବିବରଣୀ ଦେଲା ଆନି । ଆଉ ତନିଶା ହାତରେ ଧରେଇଦେଲା ଗୋଟେ ଚମତ୍କାର ଉପହାର , ଅର୍ଦ୍ଧେନ୍ଦୁ ଠାରୁ ଶ୍ରୀଲଗ୍ନା ପାଇଁ । ଆଃ ! ତା' ଜୀବନର ପ୍ରଥମ ଉପହାର । ସତରେ ଯାଦୁ ଅଛି ପ୍ରେମରେ !


 ଏମିତି ଆନି ସାଜିଗଲା ଶ୍ରୀଲଗ୍ନା ଆଉ ତାରି ଭିତରେ ଜିଉଁଥିଲା ତନିଶା ନିଜ ଅଭାବବୋଧକୁ ପ୍ରାଣଭରି । 


ସେଇଥିରୁ ପାଉଥିଲା ଗୋଟେ ପ୍ରେମିକାର ଅନୁଭବ , ଗୋଟେ ଆବେଗର ଅନୁଭବ । କେତେ ଶକ୍ତି ସେଇ ଭବାବେଗରେ କେବଳ ଗୋଟେ ସୃଜନ ଶିଳ୍ପୀ ହିଁ ବୁଝେ । ତା' କବିତା ଧୀରେ ଧୀରେ ନିରାଶା ଭିତରୁ ମୁକୁଳି ସମ୍ଭାବନାମୟ ହେଇଗଲା । 


 ଆନିର ହ୍ଵାଟସ ଅପ୍ ନମ୍ବର ବ୍ୟବହୃତ ହେଉଥିଲା ଶ୍ରୀଲଗ୍ନା ପାଇଁ ।  ଅର୍ଦ୍ଧେନ୍ଦୁଙ୍କର ଶ୍ରୀଲଗ୍ନା ପାଇଁ ଉଦ୍ଦିଷ୍ଟ ଆବେଗମୟ ବର୍ତ୍ତାଳାପ ସବୁ ଆନି ପଢଉ ଥିଲା ତନିଶାକୁ । ଏଇ ଉପକ୍ରମ ଭିତରୁ ଭିନ୍ନ ଏକ ଆନନ୍ଦ ପାଉଥିଲା ଗୋଟେ ଅଭିଶପ୍ତା । 


 ଠିକ ଥିଲା ସବୁ । ବେଶ ମାପିଚୁପି ଆନି ତୁଲୋଉ ଥିଲା ଶ୍ରୀଲଗ୍ନାର ଚରିତ୍ର । ତନିଶା କା' ସାଜି ତା ମନର ଅନେକ କିଛି ଅବ୍ୟକ୍ତ ବଖାଣୁ ଥିଲା ଅର୍ଦ୍ଧେନ୍ଦୁ ପାଖରେ । ଖୁ' ନିକଟରେ ଥାଇ ଦୁରେଇ ରହିଥିବା ଦୁଇଟି ମଣିଷ ଭିତରେ ପ୍ରେମ ସେତୁ ଗଢୁଥିଲା ସତର୍କ ହେଇ । ଅବଶ୍ୟ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ଆନି କେମିତି ଏତେ ମଧୁର ବ୍ୟବହାର କରିପାରେ ଅର୍ଦ୍ଧେନ୍ଦୁ ତା' ସହ ?


  ତନିଶା ପାଇଁ ତ' ଟିକିଏ ବି ଦରଦ ନଥାଏ ତା' ପାଖରେ । ସ୍ତ୍ରୀ ପ୍ରତି ଗୋଟେ ବ୍ୟବହାର ଆଉ ପ୍ରେମିକା ପ୍ରତି ସମ୍ପୂର୍ଣ୍ଣ ବିପରୀତ ବାଃ ! ପୁରୁଷକୁ କେବେ ବିଶ୍ୱାସ କରାଯାଇ

ପାରେନା !


ଆଉ ଆହୁରି ବିଚିତ୍ର ହେଲା ସେଇ ମଣିଷ ଭିତରେହିଁ ତନିଶା ଖୋଜୁଛି ନିଜର ପ୍ରେମପଣ । ମଣିଷର ମନ ସତରେ ସୃଷ୍ଟିର ସବୁଠୁ ଦୁର୍ବୋଧ୍ୟ ବସ୍ତୁ !


 କିନ୍ତୁ ହଠାତ ଦିନେ ଗୋଳମାଳ ହେଇଗଲା କାହାଣୀର ପ୍ରଛଦପଟ । ଯେଉଁଦିନ ଆନି ପଠେଇଲା କିଛି ନିଷିଦ୍ଧ ଶବ୍ଦ ସମ୍ଭାର । ଅର୍ଦ୍ଧେନ୍ଦୁର ନିଜ ଆବେଗକୁ ସମ୍ପର୍କରେ ପରିବର୍ତ୍ତନ କରିବାର ପ୍ରସ୍ତାବ । ଓଃ ! କି ଭୟଙ୍କର ।

ସେ ଶ୍ରୀଲଗ୍ନା ସହ ଏକାକାର ହେବାର ନିଶାରେ । ସବୁ ବନ୍ଦୋବସ୍ତ କରିଛି ଏକାନ୍ତ ମିଳନ ପାଇଁ । କେଡେ ନିର୍ଲଜ , କେଡେ ଦୁଶ୍ଚରିତ୍ର ଛି !।ଆନି ସିଧା ସିଧା ମନା କରିଦେଇଛି ଆଜି , ବହୁତ ହେଲା ଆଉ ନୁହେଁ । ସେ ପାରିବିନି , କଣ କହିବ ଏଇ ପ୍ରସ୍ତାବରେ ? 

 


  ଏଇଟା ଆଜିର ଘଟଣା ନୁହେଁ ଏଇମିତି ଅନେକ ଥର କହିସାରିଲାଣି ଅର୍ଦ୍ଧେନ୍ଦୁ । ତୀବ୍ର ପ୍ରତିବାଦ ପରେ ମଧ୍ୟ ସେଇଠି ଅଟକିଛି ଅସଭ୍ୟ । କେବଳ ତନିଶାକୁ ଦୁଃଖ ହେବ ବୋଲି ଆନି ଜଣେଇ ନାହିଁ । କିନ୍ତୁ ଆଉ ନୁହେଁ ପାଣି ଏବେ ମୁଣ୍ଡ ଉପରେ ! କା' ଟିଏ ହେବାର ଯନ୍ତ୍ରଣା ଏବେ ଅସହ୍ୟ । ଗୋଟେ ଗ୍ଲାନି ବୋଧ ଭିତରେ ସନ୍ତୁଳି ହେଉଛି 

ସେ ।


 ତନିଶା କିନ୍ତୁ ଏଇ ପ୍ରତ୍ୟାଖ୍ୟାନରେ ଭାଙ୍ଗି ଯାଉଛି । ଚୁରମାର ହେଇଯାଉଛି ତା' ପ୍ରେମର ବାଲିଘର । କାରଣ ଏଇ କା' ଟି ବିନା ଆଉ କି କାହାଣୀ ! ତା ମନ କହୁଛି , '' ପ୍ଲିଜ ଆନି ତୁ ମୋ କା' ହେଇଯା । ଶ୍ରୀଲଗ୍ନାକୁ ଦୁରେଇ ଦେନା ତା' ପ୍ରେମ ଭୋଗରୁ !''


    


Rate this content
Log in