ଜନ୍ମଦିନର ଉପହାର
ଜନ୍ମଦିନର ଉପହାର


ମୋ ବାପା ପୂର୍ବରୁ ଥିଲେ ସ୍ଵାଧୀନତା ସଂଗ୍ରାମୀ , ମର୍କଟ ସେନାର ଗୋଟିଏ ଶାଖା ଦଳରେ , ଗାନ୍ଧୀ ବାଦୀ ଏକ ସ୍ଵତନ୍ତ୍ର ବ୍ୟକ୍ତିତ୍ୱ । ତାଙ୍କର " ଯୈସୀ କଥନୀ ଓ୍ଵୈସୀ କରନୀ " । ବାହ୍ୟ ଆଡ଼ମ୍ବରରୁ କୋଶେ ଦୂରରେ । ହାତେ ମାପି ଚାଖଣ୍ଡେ ଚାଲିବା ଲୋକ । ସେ ଥିଲେ ଜମିଦାରଙ୍କ ମୁକ୍ତିୟାର । ସାଧୁତାରେ ଯେତିକି ଆୟ କରିବେ ସେଇଥିରେ ଗୁଜୁରାଣ ମେଣ୍ଟେଇବେ ।
ମୁଁ ପଢୁଥାଏ ଗୋଟିଏ ଚାଟଶାଳୀରେ । ମୋ ସହିତ ପଢୁଥାଏ ଜମିଦାରଙ୍କ ପୁଅ । ଥରେ ମୋତେ ଓ ଅନ୍ୟାନ୍ୟ ସାଙ୍ଗ ସାଥି ମାନଙ୍କୁ ସେ ନିଜ ଜନ୍ମଦିନରେ ନିମନ୍ତ୍ରଣ କଲା । ଆମେ ସବୁ ସେଠାରେ ପହଞ୍ଚି ଜମିଦାର ଉଆସର ଆଡ଼ମ୍ବର ଓ ସାଜସଜ୍ଜା ଦେଖି କାବା । କେତେ ବଡ଼ ବଡ଼ ଲୋକ ଆସିଥାଆନ୍ତି ବିଭିନ୍ନ ଉପହାର ନେଇ । ଆମେ ସେତେବେଳେ ଜନ୍ମଦିନ ପାଳନ କଣ ଜାଣି ନଥିଲୁ । ମାଆ କିମ୍ବା ଗୋସମା କଣ ଟିକେ ଖିରୀ ଘାଣ୍ଟିଦେଇ ବୃନ୍ଦବତୀଙ୍କ ପାଖରେ ଶୁଭ ମନାସି ଭୋଗ ଲଗେଇ ଦେଲେ ଗଲା । ଆଜିକା ମେଞ୍ଚଡ଼ ପିଲା ବି ଗଣିଗୁନ୍ଥି କରି ମନେ ରଖୁଛନ୍ତି ଅମୁକ ଦିନରେ ତାଙ୍କର "ହେପ୍ପି ବାର୍ଥଡେ "।
ତେବେ ଜମିଦାର ପୁଅର ଜନ୍ମଦିନ ମହା ସମାରୋହରେ ପାଳିତ ହେଲା । ସେତେବେଳ ପର୍ଯ୍ୟନ୍ତ କିନ୍ତୁ କେକ୍ କଟା , ଦୀପ ପ୍ରଜ୍ଵଳନ ପରିବର୍ତ୍ତେ ମହମବତୀ ଲିଭା , ତାଳି ବାଡା ଏସବୁ ପ୍ରଥା ଆରମ୍ଭ ହୋଇ ନଥିଲା ଥିଲାବାଲାଙ୍କ ଘର ମାନଙ୍କରେ ବି । ଭୋଜି , ଖିରୀ ପିଠା , ଉପହାର ଏତିକିରେ ସୀମିତ ଥିଲା ସେମାନଙ୍କର ଜନ୍ମଦିନ । କେତେ କେତେ ସୁନ୍ଦର ଉପହାର ମାନ ତାକୁ ମିଳିଥାଏ । ମୋର କିନ୍ତୁ ମନଧ୍ୟାନ ଅଟକି ଯାଇଥାଏ ତାଙ୍କର ବଗିଚାରେ ଥୁଆ ହେଇଥିବା ଗୋଟିଏ ଉପହାର ଉପରେ । ସୁନ୍ଦର ଚିକିମିକି କାଗଜରେ ଗୁଡା ହୋଇଥିଲା ଏକ ସାଇକଲ । ମୁଁ ମୁଗ୍ଧ ହୋଇ ତାକୁ ଦେଖୁଥାଏ ।
ଭୋଜି ଖାଇସାରି ଘରକୁ ଆସି ଗୋସମା ବେକରେ ହାତ ଛନ୍ଦି ମୁଁ ଗେହ୍ଲେଇ ହେଇ ପଚାରିଲି ,
- ଜେଜି ଲୋ , ମୋର ଜନ୍ମଦିନ କେବେ ?
- ମୋ ଗଳାମାଳିର ଜନ୍ମଦିନ ତ ସାରା ସଂସାର ପାଳନ କରେ , ମହା ଆଡ଼ମ୍ବରରେ । ଅନ୍ଧାର ରାତି , ଅଷ୍ଟମୀ ତିଥି , ଭୋଦୁଅର ଝିପିଝିପି ବର୍ଷା । ସିଆଡେ ମଥୁରାରେ ଜନ୍ମନେଲେ କୃଷ୍ଣ ମାହାପୁରୁ । ଇଆଡେ ମୋର ଏଇ ଗେହ୍ଲୁ କାହ୍ନା । ଜନ୍ମାଷ୍ଟମୀ ଦିନ ପା ତୋର ଜନମଦିନ ।
ବାପା ଆସନ୍ତି କଚେରୀରୁ । ଢାଳରେ ପାଣି ନେଇ ତାଙ୍କର ଗୋଡ଼ ଧୋଇଦିଏ ମୁଁ । ଅଲଗୁଣୀରୁ ଗାମୁଛା ଟିଏ ଟାଣି ଆଣି ହାତ ପୋଛି ପୋଛି ବାପା ବସନ୍ତି ବାଡ଼ି ପିଣ୍ଡାର ତକ୍ତପୋଷ ଉପରେ । ମୁଁ ତାଙ୍କ କୋଳରେ ବସିଯାଇ ପଚାରେ , ଜେଜିର ଉତ୍ତର ମୋତେ ସନ୍ତୁଷ୍ଟ କରି ପାରି ନଥାଏ । ତିଥି ଛାଡ଼ି ତାରିଖରେ ଗଣନା କରିବାର ପିଢ଼ି ଆମେ କିନା । ଜେଜିକୁ କୋଉ ତାରିଖ କିସ ଜଣାଥିଲା ଯେ ?
- ବାପା , ମୋ ଜନ୍ମଦିନ କେତେ ତାରିଖ ।
- ମୋ ପୁଅର ଜନ୍ମଦିନରେ ତ ସାରା ଭାରତ ଉତ୍ସବମୟ ହୁଏ । ରାଷ୍ଟ୍ରଗାନରେ ଗଳି କନ୍ଦି ହୁଏ ମୁଖରିତ । ତିରଙ୍ଗାର ଛଟାରେ ଗଗନ ମଣ୍ଡଳ ହୁଏ ଉଲ୍ଲସିତ । ମୋ ମୋହନର ଜନ୍ମଦିନ ପରା ଅଗଷ୍ଟ ପନ୍ଦର , ସ୍ଵାଧୀନତା ଦିବସରେ ।
- ଆଉ ଜେଜି ମିଛେଇ କହୁଛି , ଜନ୍ମାଷ୍ଟମୀ ଦିନ ବୋଲି ।
ହୋ ହୋ ହୋଇ ହସି ଉଠିଲେ ବାପା । ମାଆ ସିଆଡୁ ଚିତଉ ପିଠା ଥାଳିଏ ବାପାଙ୍କ ସାମନାରେ ଥୋଇ ଦେଇ କୁହେ ।
- ନା ବାବା , ଜେଜି କାହିଁକି ମିଛ କହିବେ । ତୋର ଜନ୍ମ ତାରିଖ ଅଗଷ୍ଟ ପନ୍ଦର ଆଉ ସେ ସନ ଜନ୍ମାଷ୍ଟମୀ ମଧ୍ୟ ସେହି ଦିନ ପଡ଼ି ଥିଲା ।
ମୁଁ ଏଥର ସନ୍ତୁଷ୍ଟ ହେଲି ।
- ବାପା , ମୋର ଏଥର ଜନ୍ମଦିନ ପାଳିବା ? ସୁବଳ ଯେମିତି ପାଳିଥିଲା ।
- ବାବା , ଆମେ ତ ଅଗଷ୍ଟ ପନ୍ଦରରେ ତୋର ଜନ୍ମଦିନ ଜନ୍ମାଷ୍ଟମୀରେ ତୋର ଜନ୍ମରାତି ସବୁ ପାଳନ କରୁ ।
- ନା ବାପା ସେମିତି ନୁହେଁ । ମୁଁ ମୋର ସାଙ୍ଗ ମାନଙ୍କୁ ଡାକିବି । ସେମାନେ ଉପହାର ନେଇ ଆସିବେ । ଖାଇବା ପିଇବା ହେବ । ଜାଣିଛ ବାପା , ତାକୁ ଗୋଟେ ସାଇକଲ ବି ଉପହାର ମିଳିଛି ।
- ନା ବାପା , କାହାଠାରୁ ଉପହାର ନେବା ଭଲକଥା ନୁହେଁ । ତେବେ ତୋର ଜନ୍ମଦିନ ଆମେ ନିଶ୍ଚିତ ପାଳିବା ।
ମୁଁ ଖୁସି ହେଇ ଡେଇଁ ଡେଇଁ ଚାଲିଗଲି । ସେହି ଦିନଠାରୁ ତାରିଖ ମନେ ରଖିବା ଆରମ୍ଭ ହେଲା ।
ଅଗଷ୍ଟ ପନ୍ଦର । ବଡି ଭୋରରୁ ମୋର ନିଦ ଭାଙ୍ଗିଗଲା । ଚାଟଶାଳୀ ଯିବା ପାଇଁ ନୁହେଁ , ଜନ୍ମଦିନ ପାଳନ ପାଇଁ । ବାପା ଧଳା ଧୋତୀ କୁର୍ତ୍ତା ପିନ୍ଧି କଚେରୀ ବାହାରୁଥାନ୍ତି ସ୍ଵାଧୀନତା ଦିବସ ପାଳନ ସକାଶେ । ମୁଁ ପଚାରିଲି ,
- ବାପା ଆମେ କେତେବେଳେ ଜନ୍ମଦିନ ପାଳନ କରିବା ?
- ପାଳିବା , ପାଳିବା । କହି ବାପା ମୋ କୁନି ହାତରେ କୁନି ତିରଙ୍ଗାଟିଏ ଧରେଇ ଦେଇ ପିଠି ଥାପୁଡେଇ ଦିଅନ୍ତି ।
- ଯାଃ , ବର୍ତ୍ତମାନ ଚାଟଶାଳୀ ଯାଆ ।
ଚାଟଶାଳୀରୁ ଏତେ ବଡ଼ ବଡ଼ ଦୁଇଟା ବୁନ୍ଦିଲଡୁ ଧରି ଫେରିଲା ବେଳକୁ ଜେଜି ଗୋଟାଏ ବଡ଼ ହଣ୍ଡାରେ ଖିରୀ ବାଢ଼ି ବସିଛି । ଗୋଟିଏ ବଡ଼ ଖାଞ୍ଚିରେ ଆରିସା ପିଠା ଥାକ ଥାକ ।
ବାପା ମୋ ହାତ ଧରି କହିଲେ ,
- ଚାଲ୍ , ତୋର ଜନ୍ମଦିନ ପାଳିବା ପରା ।
- ଆଉ , ମୋ ସାଙ୍ଗପିଲାଙ୍କୁ ଡାକିବି ?
ବାପା କିଛି ନକହି ମୋର ହାତଧରି ଆଗକୁ ମାଡ଼ି ଚାଲିଲେ । ମୁଁ କାବାହେଇ ବାପାଙ୍କ ମୁହଁକୁ ଥରେ ରାସ୍ତାକୁ ଥରେ ଚାହୁଁଥାଏ । କୁଆଡ଼େ ନେଇ ବୋଧେ କୋଉ ଠାକୁର ମଣ୍ଡପରେ ଜନ୍ମଦିନ ପାଳିତ ହେବ । ଆମ ଘର ଏଡ଼େ ଟିକିଏ କିନା ।
ପଛରେ ଖିରୀ ହଣ୍ଡା ଧରି ଆମର ବଗାଳ ଟୋକା ମାଧିଆ , ମୁହଁରୁ ହାଁଫ୍ ହାଁଫ୍ ଶବ୍ଦ କରି ଧପାଲି ଥାଏ ।
ଅଳ୍ପ ଦୂରରେ ଗରିବ ରିଫ୍ୟୁଜି ବସ୍ତିଟାଏ । ସେଠାରେ ପହଞ୍ଚି ବାପା ଅଟକି ଗଲେ । ଦଳେ ଲୋକ ବାହାରି ଆସିଲେ ସେଠାରୁ ପିଲା ପିଚିକି ଧରି । ଭୋକିଲା ଲୋକ , କଙ୍କାଳସାର ଛୁଆ , ଦୁଃଖିନୀ ସ୍ତ୍ରୀ ଲୋକ । ସମସ୍ତେ ଏକା ସମୟରେ ଅଞ୍ଜୁଳି ପ୍ରସାରି କାକୁସ୍ଥ ହୋଇ ଆଶାୟୀ କରୋଡ଼ଗତ ଦୃଷ୍ଟିରେ ଅନେଇ ରହିଲେ ଆମକୁ । ବାପାଙ୍କୁ ସେମାନେ ଭଲ ଭାବେ ଚିହ୍ନିଥିବା ଭଳି ଅନୁମାନ ହେଲା ମୋତେ । ବାପା ସମସ୍ତଙ୍କୁ ସମ୍ବୋଧିତ କରି କହିଲେ ।
- ଆଜି ପା-ରୁଟି ନାହିଁ । ସମସ୍ତଙ୍କ ପାଇଁ ଖିରୀ ପିଠା ଆସିଛି । ଆଜି ମୋ ପୁଅର ଜନ୍ମଦିନ ତ । ତାକୁ ସମସ୍ତେ ଆଶୀର୍ବାଦ କର ।
ମାଧିଆ ପତ୍ର ଠୋଲାରେ ଖିରୀ ପିଠା ବାଢ଼ି ମୋ ହାତକୁ ଧରାଇଲା ଓ ମୁଁ ସେମାନଙ୍କ ହାତରେ ଦେଲି । ସମସ୍ତେ ଲୁହଭିଜା ଅନ୍ତରର ଆଶୀର୍ବାଦ ଢାଳିଦେଲେ ମୋ ଉପରେ । ତାଙ୍କର ବିକଳିଆ ଖାଇବା ଶୈଳୀ ଦେଖି ବାପାଙ୍କ ଆଖିରୁ ଧାର ଧାର ଲୁହ ବୋହି ପଡୁଥାଏ । ମୁଁ ବାପାଙ୍କ ଅବସ୍ଥା ଭିତରେ ନିଜକୁ ଖାପ ଖୁଏଇବା ପାଇଁ ଚେଷ୍ଟା କରୁଥାଏ । ସେଦିନ ମୁଁ ବୁଝି ପାରୁଥିଲି ବାପାଙ୍କ ବେତନ କାହିଁକି କୁଳାଏ ନାହିଁ ମାସ ଶେଷକୁ ।
ଫେରିବା ବେଳେ କେବଳ କେଇପଦ କଥା ବାପା କହିଥିଲେ ।
- ବାପାରେ , ଯିଏ ପ୍ରତିଦିନ କ୍ଷୀରସରରେ ଭାସୁଛି ତାକୁ ଖାଇବାକୁ ଦେଇ ଲାଭ କଣ ବରଂ ଏହିପରି ଦୁଃଖିରଙ୍କିଙ୍କୁ ଖାଇବାକୁ ଦେଲେ ଆମ ଝାଳବୁହା ଧନର ମର୍ଯ୍ୟାଦା ରହିବ ।
ଯେତେହଲେ ମୋର ପିଲାମନ , ମୁଁ କହିଲି
- ଆଉ ଉପହାର ?
- ବାବାରେ , ସେମାନେ ଯେଉଁ ଅମୂଲ୍ୟ ଆଶୀର୍ବାଦ ଢାଳିଦେଲେ ତୋ ଉପରେ , ସେମାନଙ୍କ ଆତ୍ମାକୁ ଯେମିତି ଶାନ୍ତି ମିଳିଲା ତାହା କଣ କୌଣସି ଉପହାରରୁ କମ୍ କି ?
ଏତେ ଗୂଢ଼ କଥା ମୋ ମୁଣ୍ଡରେ ଠାକୁ ନଥାଏ । ମୁଁ ପୁଣି କହିଲି
- ଆଉ ସାଇକଲ ?
ବାପା କିଛି ନକହି ହସିଦେଇ ମୋତେ କାଖେଇ ନେଲେ ।
ତା ପରଦିନ ସକାଳୁ ଉଠିଲା ବେଳକୁ ଜେଜି କହିଲା ,
- ଗଲୁ , ଦାଣ୍ଡରେ କିଏ ଡାକୁଛି ନା କଣ ।
ମୁଁ ଆଖି ମଳିମଳି ଦାଣ୍ଡକୁ ଗଲି । ହାତ ନେଡି଼ ସେମିତି ଆଖିରେ ଲାଖି ରହିଗଲା । ଗୋଟିଏ ନୂଆ ସାଇକଲ ଥୁଆ ହେଇଛି ଦାଣ୍ଡରେ । ହେଣ୍ଡଲରେ ଝୁରା ଝୁରା ରଙ୍ଗୀନ ରବର ଲାଗିଛି । ସିଟର କଭରଟାରେ ବି ରଙ୍ଗୀନ ଲେସ ଲାଗିଛି । ମୁଁ ଖୁସିରେ ଆତ୍ମହରା ହେଇ ଯାଉଥିଲି ।
ବହୁତ ପଛରେ ମୁଁ ଜାଣିଲି ଯେ ସାଇକଲଟା ପାଇଁ ବାପା ରାତି ରାତି ଓଭର ଟାଇମ କାମ କରୁଥିଲେ ।
ସ୍ଵାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ ।