ଜନ୍ମଦିନ
ଜନ୍ମଦିନ
ସକାଳରୁ ମୁଡ଼ ଅଫ । ଆଜିଭଳି ଦିନଟିକୁ ସମସ୍ତେ ଭୁଲିଯାଇଛନ୍ତି । ଏମାନଙ୍କ ପାଇଁ ମୁଁ ଝାଳନାଳ ହେଇ କେତେ ନ ଖଟୁଛି !
କୋଉଥିରେ କମି ରଖିଛି ? ଖାଇବା ,ପିନ୍ଧିବା,ବୁଲିବା । ଅକୃତଜ୍ଞ ଗୁଡାକ ।
ନିଜକଥା କହିଲା ବେଳକୁ ଜିଭରେ ବାଡ଼ବତା ନାହିଁ ।ଏଡ଼େ ଏଡ଼େ ଛୁଆ ଗୁଡ଼ା । ଫର୍ମାଇସ ଦେଲାବେଳେ ବାପା ଅମୁକ ଦରକାର । ବାପା ସମୁକ ଆସିବ । ସତେ ଯେମିତି ଟଙ୍କା ଗଛ ଲାଗେଇଚି ବୋପା । ଖାଲି ଝଡୁଛି ।
ବାପା କଥା ତ କାହାର ମନେ ନାଇଁ? ବାପର ଗୋଟେ ମନ ଆଛି । ଇଛା ଅଛି ।
ସବୁ ଭୁଲିଗଲେ। ପିଲାଙ୍କ କଥା ଛାଡ଼। ରମା ବୋଉ ବି ଭୁଲିଗଲେ। ଯୁଗ ଯାଇ କୋଉଠି ଉଠିଲାଣି।
ହଁ.......ମୋ କଥା କାଇଁ ମନେ ରହିବ ?
ଏବେ ତ ପିଲାଙ୍କ କଥା ଅଛି ମୁଣ୍ଡ ଭିତରେ। ସ୍ୱାମୀ ଯାଆନ୍ତୁ ଗାଧେଇ ।
ଅନେକ ବେଳୁ ମତେ ଦେଖୁଥିଲା ପିଲାଟିଏ। ଅଳିଆ ଗୋଟାଉ ଗୋଟାଉ ଚାହୁଁଥାଏ।
କିଛି ସମୟ ପରେ ମୋ ପାଖକୁ ଆସିଲା -
- ବାବୁ କଣ ହେଇଛି ? ,ସେତେବେଳୁ ଗରଗର ହଉଚ । ଘରେ ଝଗଡା କରିଛ କି?
- ଦେଖିଲି ୧୦ ବର୍ଷର ପିଲାଟିଏ । ଅଳିଆ ଭର୍ତି ଜରି ଅଖା ଧରିଛି। ମଇଳା ପୋଷାକ । ନୁଖୁରା ମୁଣ୍ଡ । ଓଠରେ ସରଳ ହସ । ତା ହସ ଦେଖି ମୁଁ ଆହୁରି ରାଗିଗଲି । କହିଲି -
-ଏଡ଼େ ଟିକେ ମେଞ୍ଚଡ଼ ଟୋକା।ତୁ ମତେ ଥଟ୍ଟା କରୁଚୁ।
ପିଲାଟି କହିଲା , - ନାଇଁ ବାବୁ ଥଟ୍ଟା କରୁନି।ସେତେବେଳୁ ଏଠି ବସିଛନ୍ତି। ମନକୁ ମନ କଣ ଗପୁଛନ୍ତି...।ସେଥିପାଇଁ... ହଉ ଛାଡ଼ନ୍ତୁ । କଣ ହେଇଛି କହିଲେ ?
- ଆରେ ଦେଖ ।ଆଜି ମୋର ଜନ୍ମ ଦିନ। ହେଲେ ମୋ ଘରଲୋକେ ଭୁଲିଯାଇଛନ୍ତି । ଆଜି କାଲି କେତେ ଆଡମ୍ବରରେ ପାଳନ କରୁଛନ୍ତି । ସେମାନଙ୍କ ଜନ୍ମଦିନ ତ ମୁଁ ଭୁଲିନି ।ଆଗୁଆ ବରାଦରେ ସବୁ କରିଥାଏ।
ହେଲେ ମୋ ବେଳକୁ ସବୁ .....। ଛାଡ଼ ,ଛାଡ଼ ମୋ କପାଳ। କାହାକୁ କହିବି ।
- ବାବୁ ! ଗୋଟେ କଥା ପଚାରିବି ?
-କଣ , ପଚାର ।
- ଏ ଜନ୍ମଦିନଟା କଣ?
- ତୁ ଜାଣିନୁ ? ମୋ ବୋଉ ଥିଲାବେଳେ ମନ୍ଦିର ଯାଏ ।
ଭୋଗ କରେ । ଯେମିତି ହେଉ ନୂଆ ଜାମାଟିଏ ହେଇଥାଏ ।କେମିତି ଯୋଗାଡ଼ ହୁଏ ମୁଁ ଜାଣେନା ।।
ଆଉ ଏବେ ତ କେକ କଟା, ଭୋଜି, ମହମବତୀ ଫୁଙ୍କି, ବେଳୁନ ଟାଙ୍ଗି , ବିଭିନ୍ନ ଭଙ୍ଗୀରେ ଫୋଟୋ ଉଠେଇ ଜନ୍ମଦିନ ହେଉଛି ।କହିଲୁ ଏଡ଼େ ବଡ଼ ଦିନକୁ କେହି ଭୁଲିବା କଥା କି ?
ପିଲାଟି ମୋ କଥା ମନ ଧ୍ୟାନରେ ଶୁଣୁଥିଲା ।
ପଚାରିଲି- ତୋର ଜନ୍ମଦିନ ହୁଏନି କି? ତୋ ବୋଉ କରନ୍ତିନି ?
- ନା ହୁଏନି ।ବେପରୁଆ ଉତ୍ତର ତାର ।
- କାଇଁ , ତୋର ଜନ୍ମଦିନ ତୁ ଜାଣିନୁ ? କେବେ ପଚାରିନୁ?
ମୁଣ୍ଡ ହଲେଇ ନାହିଁ କଲା ପିଲାଟି । କହିଲା - ଆରେ ମୋର କଥା ଚିନ୍ତା କରିବାକୁ କେହି ନାହିଁ ।ଆଉ ଜନ୍ମଦିନ କିଏ କରିବ ?
- ତୁ କାହା ସହ ରହିଛୁ ।
- ବହୁତ ବଡ଼ ପରିବାର ।
- ତାହେଲେ ଚାଲ ପଚାରିବା । ତୋ ଜନ୍ମଦିନ କେବେ। କହିଲି ଆଗ୍ରହରେ ।
- ହେଲେ ମତେ ଯିଏ କୋଳରେ ରଖିଥିଲା ସେ ତ କହିପାରିବନି ।
- କାହିଁକି ନୁହେଁ ? ମୋ ଜିଦ ବଢୁଥିଲା । ଚାଲ ପଚାରିବା ।
ବାଧ୍ୟ ହେଇ ପିଲାଟି ଚାଲିଲା । ମୋ ଭିତରେ ପ୍ରଶ୍ନ ଏମିତି କିଏ ସେ ତା ପିଲାର ଜନ୍ମ ଦିନ ଜାଣିନି।
- ଏଇ ଦେଖ ।ପିଲାଟି ହାତ ଦେଖେଇଲା । ତା ଇଙ୍ଗିତ ଦିଗକୁ ନଜର ପକେଇବା ପରେ ମୋ ଶବ୍ଦ ସବୁ ନିଶବ୍ଦ ହେଇଯାଉଥିଲେ । ପ୍ରଶ୍ନ ସବୁ ମତେ ପ୍ରଶ୍ନ କରୁଥିଲେ ।
ପିଲାଟି ହାତ ଦେଖେଇଥିବା ଦିଗରେ ଥିଲା ସହରର ଏକ ପରିତ୍ୟକ୍ତ ଡ଼ଷ୍ଟବିନ ।
