Rabinarayan Senapati

Others

4  

Rabinarayan Senapati

Others

ଝପ୍ସୁଭାଇ ନମସ୍କାର ।

ଝପ୍ସୁଭାଇ ନମସ୍କାର ।

9 mins
229



ସମ୍ପ୍ରତି ତାମିଲନାଡୁର ଆଇଏସ, ମହାଶୟା ସୁପ୍ରିୟା ସାହୁ ଜଣେ ଅବସରକାଳୀନ ଡାକୁଆ ଶ୍ରୀ ଡି ଭାସନଙ୍କୁ ପ୍ରଶଂସା କରିଛନ୍ତି, ଯେ କି ନିରବିଛିନ୍ନ ଭାବେ ପ୍ରତିଦିନ ପନ୍ଦର କିଲୋମିଟର ଚାଲି ଡାକସେବା ଯୋଗାଉଥିଲେ ଅଗମ୍ୟ ଅଞ୍ଚ‌ଳରେ । ପାଦଚଲା ପାହାଡି ରାସ୍ତାରେ ଅତିକ୍ରମ କରୁଥିଲେ ଝରଣା ଓ ଜଳପ୍ରପାତ । କେବେ କେବେ ବଣୁଆ ହାତୀଙ୍କୁ ସାମ୍ନା କରୁଥିଲେ କିନ୍ତୁ ଦିନୁଟାଏ ବି ସେବା ବନ୍ଦ କରୁନଥିଲେ ।

ବାସ୍ତବିକ, ଏମିତି ସାଧାରଣ ଲୋକର ଅସାଧାରଣ ନିଷ୍ଠାରେ ଏକ ସମାଜ ତିଷ୍ଠିରହେ ।

ଅବଶ୍ୟ ଆମ ଝପ୍ସୁଭାଇ ଡାକୁଆ ଦୈନିକ ଯିବା ଆସିବା ମିଶି ଆଠ କିଲୋମିଟର ଚାଲୁଥିଲେ ସମତଳ ରାସ୍ତାରେ, କୋରେଇରୁ ତୁଳତୀ ଓ ତୁଳତୀରୁ କୋରେଇ । ତଥାପି କିନ୍ତୁ ସେ ନିଆରା, ଅପାଶୋୋରା ମଣିଷ ।

ସମସ୍ତେ ତାଙ୍କୁ ସମ୍ବୋଧନ କରନ୍ତି, -ଝପ୍ସୁଭାଇ ନମସ୍କାର । ମନେହୁଏ ସେ ଖୁସି ହୁଅନ୍ତି, ପ୍ରତି ନମସ୍କାର ଜଣାନ୍ତି ତହିଁରେ ଏକ ନରମ ହସ ମିଶାଇ । ନାକତଳେ ତାଙ୍କ ଧାଡିଏ ରାଜକାପୁରିଆ ସରୁ ନିଶ, ପାନଖିଆ ଲାଲ ମୁହଁରେ ସେ ହସଟି ତାଙ୍କୁ ଖୁବ୍ ମାନେ । ଆମେ ପିଲାଏ ଦୁଇ ଚାରିବାର ଝପ୍ସୁଭାଇ ନମସ୍କାର କହିଲେ ବି ସେ ଥଟ୍ଟାମଜା ନଭାବି ସେମିତି ହସି ଜଣାନ୍ତି ପ୍ରତି ନମସ୍କାର । ଅତି ଛୋଟବେଳେ ଭ୍ରମ ହୁଏ, ତାଙ୍କ ନାମଟି ଯେମିତି ଝପ୍ସୁଭାଇ ନମସ୍କାର । ସେ କେବେ କାହାକୁ ତାଙ୍କଆଡୁ ପ୍ରଥମକରି ନମସ୍କାର ଜଣାନ୍ତି ନାହିଁ । କହନ୍ତି, କୋରେଇ ଉପ ଡାକଘରର ପୋଷ୍ଟମାଷ୍ଟର ଗୋଲେଖ ବାବୁ ଓ ତୁଳତୀ ଶାଖା ଡାକଘରର ପୋଷ୍ଟମାଷ୍ଟର ନାରାୟଣ ବାବୁଙ୍କୁ ବାଦଦେଲେ ଆଉ କେହି ତା ହାକିମ ନୁହେଁ ଯେ ସେ ସାଲୁଟ୍ ମାରିବ । କୋରେଇ ଥାନା, ଡାକଘର, ମସଜିଦ୍ ପାଖାପାଖି ଥାଏ କୋରେଇ ଦେବୀଙ୍କ ଆସ୍ଥାନ । ସେଇ ପାଖରେ ଥିବା ମୁସଲମାନ ବସ୍ତିରେ ଝପ୍ସୁଭାଇଙ୍କ ଘର ।

ତୁଳତୀର ଡାକଘର ସାହିକୁ କେହି କହନ୍ତି ବଢେଇ ସାହି, କିଏ କହେ ରାଢି ସାହି ଓ ଆଉ କିଏ କହେ ଖରଡା ସାହି । ସାହିଟି ସର୍ବଦା ଚଳଚଞ୍ଚଳ; ଚାଷୀ ଯାଏ କୃଷି ଉପକରଣ ତିଆରି ବା ମରାମତି ପାଇଁ, କିଏ ଚୁଡା ଆଣିବାକୁ ଯାଏ । ପୁଣି ଖରଡା ଘରୁ ମିଳେ ଟିଣ ତିଆରି ଜିନିଷ, କଲି ଚୁନ । ତୁଳତୀ ଗାଁଆର ଅନ୍ୟ ସମସ୍ତ ସାହି ସିଧା ପୂର୍ବରୁ ପଶ୍ଚିମକୁ ବ୍ୟାପିଥିଲା ବେଳେ ଡାକଘର ସାହିଟି ଦକ୍ଷିଣ-ପଶ୍ଚିମ କୋଣରୁ ଉତ୍‌ତର-ପୂର୍ବ କୋଣକୁ ତେର୍ଛିଆ ହୋଇ ଲମ୍ବିଛି । ଆରମ୍ଭ ଘରଟି ଶିବମନ୍ଦିରର ତତ୍ୱାବଧାରକ ପୂଜକ ତଥା ଆମ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ମହାଶୟଙ୍କର ଓ ଶେଷଘରଟି ତାଙ୍କ ବାଡିରେ ବଡ ଏକ କଇଥ ଗଛଥିବା ବିଶିଷ୍ଟ ବ୍ରାହ୍ମଣ, ବୃକୋଦର ଶ୍ରୀଯୁକ୍ତ ଦୋଳଗୋବିନ୍ଦ ଦାଶ ମହାଶୟଙ୍କ ଯୌଥ ପରିବାର । ସାହିଟିକୁ କେହି କିନ୍ତୁ ବ୍ରାହ୍ମଣ ସାହି କହନ୍ତି ନାହିଁ, ଗ୍ରାମରେ ଥାଏ ନାମପ୍ରାପ୍ତ ଅନ୍ୟ ଏକ ବ୍ରାହ୍ମଣ ସାହି । ଦକ୍ଷିଣପୂର୍ବ ପାଶ୍ୱର୍ରେ ଗ୍ରାମର ସାପୁଆ ସାହି ଡାକଘର ସାହିଟିର ଅବତଳ କୋଳରେ ଆଉଜି ହୋଇପଡିଛି, ସେମିତି ବିପରୀତ ଅର୍ଥାତ ଉତ୍ତର ପଶ୍ଚିମ ପାଶ୍ୱର୍ରେ ଉପର ଦଳିତ ସାହି ଏହାକୁ ଭିଡିଲାଗିଛି । ସାହିଟିର ଅନ୍ୟଏକ ବିଶେଷତ୍ୱ ହେଲା, ଗାଁଆର ସର୍ବ ପୁରାତନ ଡିଜେଲ ଚାଳିତ ଧାନପେଶା କଳ ଧନୀକ ଖରଡା ଘର ବସାଇ ଥାନ୍ତି । ଏହିପରି ଅନେକ କାରଣରୁ ସାହି ଉପରେ ଗ୍ରାମ ଥାଏ ନିର୍ଭରଶୀଳ । ଧାନକଳରେ ଦୁଇଟି ବଡ ବଡ ଜଳ କୁଣ୍ଡ ଥାଏ, ତାହା କଳ ବନ୍ଦହେବାପରେ ଅନେକ ବର୍ଷ ସେମିତି ଥିଲା । ଅଦ୍ୟାବଧି ଥାଇପାରେ । କଳଟି କେମିତି ଚାଉଳ ଓ କୁଣ୍ଡାକୁ ଚିହ୍ନି ଅଲଗା କରିଦେଉଛି, କମାର ଶାଳରେ ଯନ୍ତ ଦ୍ୱାରା କିପରି ପବନ ଯାଉଛି ଶାଳକୁ, ଶାଳ ହୁ ହୁ ଜଳୁଛି ଅଧିକ ଅମ୍ଳଜାନ ପାଇ ଏବଂ ଲାଲ ଲୁହାକୁ ହାତୁଡିରେ ପିଟି ପଜା ଯାଉଛି, ଚୁନ ପଥରରୁ ପାନରେ ଲେପିବା ଚୁନ କିପରି ତିଆରି ହେଉଛି; ଏସବୁ ଆମ ବିଜ୍ଞାନ ପାଠ ପାଇଁ ସତେ ଅବା ପ୍ରୟୋଗଶାଳା । ପୁଣି ବୁଢୀ'ମା ଜଣେ ଗୋଟିଏ ହାତରେ ଚୁଡା ସୁଁକାଇବା ବେଳେ ଅନ୍ୟ ହାତରେ କେମିତି ଧାନ ଭାଜୁଛି ବାଲିରେ, ତାହା ଦେଖି ମନ ବିମୁଗ୍ଧ ହୁଏ । ସେମିତି ମଜାଲାଗେ, ଅନାଉ ଅନାଉ ଟିଣରୁ ତିଆରି ହୁଏ ଝରା, ନାଳିଆ । ସେ ସାହିରୁ କୌଣସି ଶ୍ରେଣୀ ସାଥୀ ନଥିଲେ ବି ବହୁତ ଭଲଲାଗେ ସେଠାକୁ ବାରମ୍ବାର ଯିବାକୁ ।

କିନ୍ତୁ ଏସବୁ ବାଦ ମୂଖ୍ୟ ଆକର୍ଷଣ ଥାଏ ଡାକଘର ।

ଡାକଘର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ନାରାୟଣ ସାହୁଙ୍କ ନିଜଘରେ ଚାଲୁଥାଏ । ସେଇଠି ଆମ ବିଦ୍ୟାଳୟର ଦୈନିକ ସମାଜ ଆସେ । ଆଉ ଖଣ୍ଡେ ଦୁଇଖଣ୍ଡ ମଧ୍ୟ ଆସେ । ଖେଳଛୁଟି ହୁଏ ଦିନ ଗୋଟାଏରେ । କେତେବେଳେ ଶିକ୍ଷକଙ୍କ ନିର୍ଦ୍ଦେଶରେ ଓ କେତେବେଳେ ମନକୁ ମନ ଡାକଘରକୁ ଦୌଡିଥାଏ ସମାଜ ଆଣିବାକୁ । ଜଣପରେ ଜଣେ ଭାଇ ସୈନ୍ୟବାହିନୀରେ ଯୋଗ ଦେଇଥିବାରୁ ଚିଠିର ଅପେକ୍ଷା ଆମଘରେ ଥାଏ ସବୁଦିନ । ଏହା ମଧ୍ୟ ଏକ ପ୍ରମୁଖ କାରଣ ସେଆଡେ ଯିବାର । ଏଇଥିପାଇଁ ଝପ୍ସୁଭାଇକୁ ପାଖରୁ ଚିହ୍ନେ । ଝପ୍ସୁଭାଇ ଆସନ୍ତି ସେତିକିବେଳେ, ବେଶିହେଲେ ଦଶ ପନ୍ଦର ମିନିଟ ଏପଟ ସେପଟ । ଯେଉଁଦିନ ବିଦ୍ୟାଳୟ ଛୁଟି କିନ୍ତୁ ଡାକଘର ଖୋଲା ସେଦିନ ଡାକଘରେ ବେଶି ସମୟ କଟେ । ତତ୍କାଳୀନ ପୋଷ୍ଟମ୍ୟାନ ବାବୁଲା ଅଜା(ଶ୍ରୀ ବିଜୟ କୁମାର ମହାନ୍ତି) ମୋତେ ଭାରୀ ଶ୍ରଦ୍ଧା କରନ୍ତି । ବଡ ବଡ ମାନେ ସମାଜ ପଢି ନାନାଦି ରାଜନୈତିକ ଓ ଅନ୍ୟାନ୍ୟ ଖବର ଉପରେ ଆଲୋଚନା କରନ୍ତି । ମୁଁ ପଢୁପଢୁ ଏ ଆଲୋଚନା ଶୁଣେ, ମାତ୍ର ଦଶବର୍ଷ ବୟସରୁ । ବଡମାନେ ମୂଖ୍ୟପୃଷ୍ଠା ପଢିଲାବେଳେ ମୁଁ କ୍ରୋଡପତ୍ର ଧରେ, ସେଇଠି ଥାଏ ଅଜଗର ସାପ ଧରାପଡିଲା, କୁନି ବାଳକର ବୁଦ୍ଧି ପରି କୁନି କୁନି ଖବର ।

କୋରେଇ ଡାକଘରୁ ଡାକ୍ତରଖାନା ଛକ ପ୍ରାୟ ଏକ କିଲୋମିଟର । ସେ ଛକରୁ ସିଧା ଉତ୍ତରକୁ ସେ ଚାଲନ୍ତି ତିନି କିଲୋମିଟର, ବାଟରେ ପଡେ ହାଡଗୁଣ୍ଡ କଳଘର ଓ ସଂଲଗ୍ନ ପୋଖରୀ, ଜାଇତିରା ବା ଇସଲାମପୁର ଗାଁ, ଆମ ଚାଷ ପୋଖରୀ, ପରିଆ ସାଆନ୍ତଙ୍କ ବରଗଛ, ବିନସାରଙ୍କ ଅଶଥ୍ୱ ବୃକ୍ଷ, ଆମ ଗାଁ ଶ୍ମଶାନ ଓ ଭଲିବଲ ପଡିଆ, ମହାଜନ ଘର ଗଡା ଓ ବରଗଛ, ସ୍କୁଲ ଓ ଆମସାହିକୁ ରାସ୍ତା, ମହୁଲିଆ ଗଡିଆ ସବଷ୍ଟେସନ ଓ ଆର ସାହିକୁ ରାସ୍ତା, ସୁନ୍ଦର ପୋଖରୀ ଗ୍ରାମକୁ ରାସ୍ତା ଓ ଶେଷରେ ଡାକଘର ସାହିକୁ ଦାଶଘର ପଟୁ ଦାଣ୍ଡ । 

ଝପ୍ସୁଭାଇ, ବୁଲାଣି ହେଉପଛେ ସେହି ଦାଣ୍ଡପଟୁ ଆସନ୍ତି, ବାଟ ଭାଙ୍ଗନ୍ତି ନାହିଁ । ସରକାରୀ ଲୋକ ଗଳିଛପି ଆସିବେ! ଏ ରାସ୍ତାରେ ଥାଏ ତିନୋଟି ମାଇଲ ଖୁଣ୍ଟ, ପ୍ରଥମଟି ହାଡଗୁଣ୍ଡି କଳ ପାଖେ, ଦ୍ୱିତୀୟଟି ଆମ ଗଡିଆ ପାଖେ ଓ ତୃତୀୟଟି ମହୁଲିଆ ପାଖେ। ବାଟରୁ ନମସ୍କାର ଗୋଟେଇ ଫେରେଇ ଆସନ୍ତ ସିନା ଝପ୍ସୁଭାଇ, କେଉଁଠି ବିରାମ ନେବା ହୁଏନି ତାଙ୍କଦେଇ । ନମସ୍କାର ପକାଇବାକୁ ମୁଁ ଓ ଅନ୍ୟ କେତେ ପ୍ରସ୍ତୁତ ଥାଉ । ପତଳା ଗେଡା ମଣିଷ, ଦେହରେ ମୋଟା ଖାକି କପଡାର କମିଜ୍ । କଛାମାରି ଧୋତି ପିନ୍ଧିଥାନ୍ତି । ମୁଣ୍ଡ ଉପରେ ପଡିଥାଏ ଜଳ ନିରୋଧକ ଖାକିମୁଣି । ତାହାର ମୁହଁ ପାଖଟି ବେଣୀ ଭଳି ପଛକୁ ଓହଳିଥାଏ । ସେଇଠି ଲାଗିଥାଏ ଢାଉ ରଙ୍ଗର ଜଉମୁଦ, ସତେ ଅବା ବେଣୀର କ୍ଲିପ୍ । ସେ ଛୋଟାନୁହନ୍ତି କିନ୍ତୁ ସାମାନ୍ୟ ଛୋଟେଇ ଛୋଟେଇ ଚାଲନ୍ତି । ଏମିତି ଭାବିବାର ହେତୁହେଲା, ବ୍ୟାଗ କାନ୍ଧରୁ ଉତ୍ତୁରି ଗଲେ ସେ ସଳଖ ଚାଲନ୍ତି, ନବାବ ଭଳି । ମୁଁ ଏହାର କାରଣ ଖୋଜେ । ସମ୍ଭବତଃ ସରକାରୀ ଛତାଟି ବାମ କାନ୍ଧରେ ଓହଳାଇ ରଖିଥିବାରୁ ଦେହର ସନ୍ତୁଳନ ପରିବ‌ର୍ତ୍ତିତ ହୁଏ ଯାହା ତାଙ୍କ ଚାଲିକୁ ପ୍ରଭାବିତ କରେ । ତାଙ୍କ ମୁହଁରୁ କେବେ କେବେ ଧାରେ ପାନପିକ ପାଟିର ବାମ କଣରୁ ବୋହିଯାଇଥାଏ । ସେ ଛତା ସେମିତି ନୂଆ ରହିଥାଏ । ମୁଣାଟି ତାଙ୍କୁ ଖରା ବର୍ଷାରୁ ରକ୍ଷାକରେ । ପ୍ରତିବର୍ଷ ଡାକ ବିଭାଗରୁ ପାଆନ୍ତି ବେଶ୍ ମଜବୁତ ଛତା । ପର ବର୍ଷ ନୂଆ ଛତା ପାଇଲା ପରେ, ପୁରୁଣାଟି ନୂଆଥିଲେ ବି ବିକନ୍ତି ନାହିଁ । ତାହେଲେ ଯେତେ ବର୍ଷ ଚାକିରୀ ସେତେ ଛତା ତାଙ୍କ ଘରେ! ତା ବାଦ ପିତ୍‌ତଳ ମୁଠି ଲାଗିଥିବା ତିନିଫୁଟିଆ ମୋଟା ବେତବାଡି ଧରିଥାନ୍ତି ଡାହାଣ ହାତରେ । ପାଞ୍ଚ ଖଣ୍ଡ ଗାଆଁର ସମସ୍ତ ଗୋପନୀୟ ତଥ୍ୟ ସେ ନେବା ଆଣିବା କରୁଛନ୍ତି ଯେ । ବଡମୁଣା ଭିତରେ ଥାଏ ବେଶ୍ ମୋଟା ଚମଡାର ଛୋଟ ମୁଣାଟିଏ, ତହିଁରେ ଟଙ୍କା ଯିବା ଆସିବା କରେ ତାଲା ମରାହୋଇ; ଡାକଘର ଜମାରାଶି ସଞ୍ଚୟ ଓ ଉଠାଣ ପୁଣି ମନି ଅର୍ଡର । ଏଣୁ ସେ ଲାଠି ନଧରିବେ କେମିତି?


ମଟର ସାଇକେଲ ତ ଗାଁରେ ପ୍ରାୟ ନଥାଏ, ଗଲା ଆଇଲା ବେଳେ କେହି ଯଦି ଝପ୍ସୁଭାଇଙ୍କୁ ସାଇକେଲରେ ବସିବାକୁ କହେ, ସେ ରୋକ୍ ଠୋକ୍ ମନା କରିଦିଅନ୍ତି । ଏତେବଡ ନିରପେକ୍ଷ ଦାୟିତ୍ୱରେ ସେ କେମିତି କାହାର ସାହାଯ୍ୟ ନେବେ । ବାଦ ବିବାଦ କେଉଁ ଗାଆଁରେ ନାହିଁ ଅବା । ଅଭିଯୋଗ ହୋଇପାରେ । ସାଇକେଲ ସେ ଚଢିଲେ ନାହିଁ ।


 କିନ୍ତୁ ସମୟ ତାଙ୍କର ସୁନିର୍ଦିଷ୍ଟ ।


କେତେ ସୁନିର୍ଦ୍ଦିଷ୍ଟ! ସେବେଳେ ଦିନ ମଜୁରିଆ ଓ ମୁଲିଆ ମାନଙ୍କର ସମୟ ଅବଧି ଉପରେ ହକ୍ ଜାହିର କରିବାର ବେଳ ଆସିଗଲାଣି । ଝପ୍ସୁଭାଇଙ୍କ ଯିବା ଆସିବା ସେଇଟିକୁ ସ୍ଥିର କରେ । ଡାକ ଆଣି ଆସିବା ଦେଖିଲେ ରାସ୍ତାର ଉଭୟ ପାଖରେ କୃଷି ଶ୍ରମଜୀବି ମାନଙ୍କ ଦୁଇ ଓଉତିଆ କାମର ପ୍ରଥମ ପାଳି ସରେ । ଆଉ ତାଙ୍କୁ ଅଟାକାଇବା ସମ୍ଭବ ନୁହେଁ, ସମୟ ଗୋଟାଏ ପାଖାପାଖି । ସେମିତି ଡାକ ଫେରାଇ କୋରେଇ ଗଲାବେଳେ ଏକ ଓଉତିଆ କାମର ଛୁଟି ହୁଏ, ସମୟ ତିନିଟା ପାଖାପାଖି । ଏଣୁ, ସେ ଜଣେ ସମୟ ରକ୍ଷକ ନିଜ ଅଜାଣତରେ ।  

ଡାକଘର ପାଖୁ ଝପ୍ସୁଭାଇ ଆସୁଥିବାର ଦେଖିଲେ ମନ ଆନନ୍ଦ ହୋଇଯାଏ ।

“ଝପ୍ସୁଭାଇ ନମସ୍କାର ।”

“ନମସ୍କାର”, ହସି କହିଲେ ସେ ।

“ତୁମେ ଛତାଟି କାହିଁକି କେବେ ଖୋଲୁନ?”

“ମୁଣା ମୋର ସବୁକିଛି, ଛତା କାହିଁକି ଫୁଟାଇବି?”

“ତାହେଲେ ସେଇଟିକୁ ବୋହୁଛ କାହିଁକି?”

“ବୋହୁଛି! ତାହାର କଣ ଓଜନ ଅଛି । ସରକାର ମୋତେ ଛତା ଦେଇନି ବୋଲି ଲୋକେ କହିବେ ଯେ, ମୋ ମାଲିକ ବଦନାମ ହେବନି? ସେଇଟା ମୋ ସରକାରୀ ପୋଷାକ ପରା । ଲୁଙ୍ଗି ଫତେଇ ପିନ୍ଧି ଆମ ଗାଆଁ କୋରେଇରେ ବୁଲେ, କାମକୁ ଆସିଲେ ଧୋତି ଖାକି ପିନ୍ଧୁଛି କାହିଁକି?”

“ତୁମର ବୟସ କେତେ, ଆଉ କେତେ ବର୍ଷ ଚାକିରି?”

“ବୟସ ଚାକିରି ଖାତାରେ ଅଛି, କିଏ ଜାଣୁଛି । ଆରମ୍ଭରେ ମୋ ବୟସ ଅଠର ବର୍ଷ ଲେଖା ହୋଇଥିଲା, ଆଠବର୍ଷ ଅଲଗା ଆଡେ ବୋହୁଥିଲି, ଦଶ ବର୍ଷ ତୁମ ଗାଆଁକୁ ବୋହିଲିଣି ।”

ମୁ ହିସାବ କରିବାରୁ କ୍ଷାନ୍ତ ହେଲି, ଏ ତଥ୍ୟ ସତ ନୁହେଁ । ଆମ ଗାଆଁ ଡାକଘରର ଆୟୁଷ ସେତିକି ହୋଇ ନଥାଏ ।

ଝପ୍ସୁଭାଇ ପୁଣି କହିଲେ । “ମୋ ଚାକିରି ଏମିତି ସେମିତି ନୁହେଁ, ଈନ୍ଦିରା ଗାନ୍ଧୀ କଲମ ମୁନରେ ମୁଁ ପାଇଛି । ମରିବା ପର୍ଯ୍ୟନ୍ତ କାମ କରିିବି। ମୋତେ କିଏ ଛୁଟି କରିବ । କାମ ଏମିତି ଚାଲିଥିବ ।”

କଣ ତହିଁରୁ ମୁଁ ବୁଝିବି? ଏ କଥାବାର୍ତ୍ତା ବେଳକୁ ଈନ୍ଦିରା ଗାନ୍ଧୀ ଗାଦିରୁ ହଟିଥାନ୍ତି, ପୁଣି ଲେଉଟିବା ପୂର୍ବରୁ । କିଛି ଫରକ ପଡିନି ଝପ୍ସୁ ଭାଇଙ୍କୁ ।

ସେ ବାହାଦୁରିରେ ଏମିତି କହନ୍ତି ନାହିଁ । ଏହାକୁ ନିଜେ ସତ ମଣନ୍ତି ।

କେବେ କେବେ କଥୋପକଥନ ହୁଏ । ଅଧିକ ଦିନ କିନ୍ତୁ ତାଙ୍କୁ ତର ନଥାଏ । ବ୍ୟାଗଟି ମୁଣ୍ଡରୁ ଓହ୍ଲାଇ ଦୁମକିନା ରଖନ୍ତି । ତାଙ୍କ ରଖିବାରୁ ଜଣାପଡେ କିଛି ପାର୍ଶଲ୍ ପ୍ୟାକେଟ ଅଛି କି? ମାଷ୍ଟରଙ୍କୁ ନମସ୍କାର ଜଣାଇ ବାହାରି ଆସନ୍ତି । ବୋଲ ହାକ ଶୁଣନ୍ତି ନାହିଁ, କହନ୍ତି ସେ କୋରେଇ ଷ୍ଟାଫ୍ ତୁଳତୀରେ କାହିଁକି କାମ କରିବେ । ସମ୍ଭବତଃ ସେ କୋରେଇରେ ଠିକ୍ ଓଲଟା କହୁଥିବେ । (ସେ କେଉଁ ଅଫିସର କର୍ମଚାରୀ? ଏମିତି ଏକ ଅମୂଳକ ଅସମାହିତ ପ୍ରଶ୍ନ ସାରା ବାଲ୍ୟକାଳରେ ରହିଗଲା । ଏ ପାହିଛୁଆଁ ଚାକିରିରେ ତାଙ୍କ ଉପସ୍ଥାନଟି ପ୍ରଥମେ ପଡୁଥିବ କୋରେଇ ଡାକଘରେ ।) ଗୁଡାଖୁ ଟେଳେ ଓ ପାଣି ଲୋଟାଏ ସଂଗ୍ରହ କରନ୍ତି କୃଷ୍ଣସାରଙ୍କ ଘରୁ । ଗୁଡାଖୁ ସମୟଟି ନବାବ ମୁହଁରେ ଜବାବ ଦେବାର ବେଳ । ଏକଥା ସଭିଏଁ କହନ୍ତି । ସେ ପର୍ବ ସରିଲେ ପହଞ୍ଚ‌ନ୍ତି ତାଙ୍କ ଗୋବାରା ଭାଇଙ୍କ ଘରେ । ଆମ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅନ୍ୟତମ କଡା ଶିକ୍ଷକ ଶ୍ରୀ ନୃସିଂହ ଚରଣ ମହାରଣାଙ୍କ ବଡଭାଇ ଶ୍ରୀ ଗୋବର୍ଦ୍ଧନ ମହାରଣାଙ୍କୁ ଝପ୍ସୁଭାଇ ସେମିତି ଡାକନ୍ତି । ସେମାନେ ଆମ ଧର୍ମ ମାମୁଁ । ମାଇଁ ବେଲାଏ ପଖାଳ ବାଢି ଦିଅନ୍ତି, ଝପ୍ସୁଭାଇଙ୍କ ଶ୍ରମକଷ୍ଟ ଲାଘବ ହୁଏ ନିଶ୍ଚେ । କେବେ କେବେ ସାହିରୁ ଚୁଡା ବା ଚୁନ ସଂଗ୍ରହ କରିଥାନ୍ତି । ସେତେବେଳକୁ ତାଙ୍କ ଫେରିବା ସମୟ ହୋଇଯାଇଥାଏ । ଡାକବ୍ୟାଗ ବେଳେବେଳେ କୌଣସି ଶେଷମୁହୂର୍ତ୍ତ‌ ଗ୍ରାହକଙ୍କ ପାଇଁ ଡେରି ହେଲେ ସେ ଗରଗର ହୁଅନ୍ତି । କୋରେଇରେ ବିଳମ୍ବରେ ପହଞ୍ଚିଲେ ସେଦିନର ଆମ ଗାଁ ଡାକ ଫେଲ୍ ହେବାର ସମ୍ଭାବନା ଥାଏ । ସେଇକଥାକୁ ବାରମ୍ବାର କହି ବିରକ୍ତ ହୁଅନ୍ତି ସେ । ଡେରି ହୋଇଯାଇଥିଲେ ସେ ବେଗରେ ଚାଲନ୍ତି ସିନା ଡାକ ଫେଲ୍ ହେବାର ସମ୍ବାବନା ନଥାଏ ।

 ସାହି ବାହାରକୁ ଯିବାକୁ ତାଙ୍କୁ ଆଦୌ ତର ହୁଏ ନାହିଁ । ତାହା ଘଟେ କ୍ୱଚିତ । ଡାକଛୁଟିଦିନ କଦବାୟ କେମିତି ପର୍ବ ପର୍ବାଣି ଥିଲେ ସେ ଆସିବାର ସମ୍ଭାବନା ଥାଏ । ସେଦିନ ସେ ଗାଁର ଅନ୍ୟ ଆଡେ ବୁଲିବାକୁ ଯାଆନ୍ତି; ରଜରେ ପିଠା ଓ ଦଶରାରେ ଭେଟି ସଂଗ୍ରହ କରନ୍ତି । କର୍ତ୍ତବ୍ୟ ବାହାରର ଭିନ୍ନଜଣେ ଝପ୍ସୁଭାଇଙ୍କୁ ଦେଖିଲେ ଖୁସିଲାଗେ । ସେ ବି ହସଖୁସି ଥାଆନ୍ତି । ବ୍ୟାଗ ନାହିଁ ଯେ ସେ ସମସ୍ତଙ୍କଠୁ ଦୂରରେ ରହିବେ!

ଗାଁ ସୁଖ ଆଉ ରହିଲା କେଉଁଠି? ଛାତ୍ରାବାସରେ ରହିଲି ଅଷ୍ଟମ ଶ୍ରେଣୀରୁ । ଲମ୍ବା ଛୁଟି ମାନଙ୍କରେ ଅବଶ୍ୟ ଝପ୍ସୁଭାଇ ଦେଖା ହୁଏ । ନମସ୍କାର ଓ ପ୍ରତି ନମସ୍କାରରେ ଫରକ ପଡେନି । ପଡେନି କେମିତି? ଏଣିକି ମୋ ନମସ୍କାରରେ ମଜା ଦେଖିବା ନଥାଏ । କୃତଜ୍ଞତା ଥାଏ । ପନ୍ଦର ପଇସାର ପୋଷ୍ଟକାର୍ଡଟିଏ ସେହି ଡାକବ୍ୟାଗରେ ଘରେ ପହଞ୍ଚିଲେ କେତେ କେତେ ଛାତ୍ରଙ୍କ ପାଖକୁ ମନିଅର୍ଡର ବୋହିନିଏ ସେଇ ବ୍ୟାଗଟି । ବୟସ ବଢିଲା, ସେହି ବ୍ୟାଗ ବୋହି ଆଣିଲା ପାଟ୍ଟହଂସୀର ଚିଟାଉ, ଲୁହ ଓ ହସର ଓ ସେସବୁର ପ୍ରତ୍ୟୁତ୍ତର । ସେ ମୁଣିରେ ଥାଏ କେତେବେଳେ କାହା ରାଖି, କେତେବେଳେ ନିମନ୍ତ୍ରଣ, କେବେ ଅଭିନନ୍ଦନ ପୁଣି କେବେ ରାଜଦ୍ୱାର ଦଣ୍ଡ ଆଲିଙ୍ଗନ, କେବେ ଯାଏ ତାର(ଟେଲିଗ୍ରାମ୍‌) କାହା ଆସନ୍ନ ବା ମୃତ୍ୟୁର ଖବର । ପ୍ରବାସ ସହ ଗ୍ରାମର ସମ୍ପର୍କର ସେତୁ, ବୋହିନିଏ ମାଆ ଅବା ଭାର୍ଯ୍ୟାର ବେଉରା, ବାଡିଗଛରେ ତିନିକାନ୍ଧି କଦଳୀ ଫଳିଛି, ଛୁଆଙ୍କ ଦେହ ଭଲ ଅଛି, ଦାଦନରୁ ଭାତିଆ ଆସେ ସେ ମୁଣିରେ । ସେହି ବ୍ୟାଗ ପ୍ରତି ସମ୍ଭ୍ରମତା ଉଦ୍ରେକ ହେଲା । ସେ ବିଭାଗ ପ୍ରତି ସମସ୍ତଙ୍କ ଆଦର । କେଡେ ନିରୀହ, କେତେ ଆପଣାର, କେତେ ନିରପେକ୍ଷ ଓ କେତେ ନିୟମ ବା ସମୟରେ ବନ୍ଧା । ଏମିତି ଏ ସମାଜରେ କେହି ନାହିଁ, ଉପକୃତ ହୋଇନି ସେ ମୁଣି ମାଧ୍ୟମରେ ।

ଆଉ ତା ବାହାକ ଝପ୍ସୁଭାଇ । ତାଙ୍କ ବୟସ ବଢିନି ମୋ ବୟସ ଅନୁସାରେ । ମୋ ପିଲାବେଳେ ସେ ଯେମିତି ଦିଶୁଥିଲେ ମୋ ଆଖି ଚଷମା ଖୋଜିଲା ବେଳେ ବି ସେ ସେମିତିକା ଥିଲେ । ଥରେ ଭେଟହେଲେ ରାସ୍ତାରେ, ମୁଁ ବାଇକ ଅଟକାଇ କହିଲି, “ଝପ୍ସୁଭାଇ ନାମସ୍କାର” ।

“ନମସ୍କାର”, ସେମିତି ହସି କହିଲେ ସେ ।

ଆସ ମୋ ବାଇକରେ ବସ । ସେ ରାଜକାପୁର ଠାଣିରେ ବେତବାଡିଟିରେ ଡାକମୁଣିକୁ ଶୂନ୍ୟକୁ ଟେକିଦେଇ ପୁଣି ମୁଣ୍ଡ ଉପରେ ଥୋଇଦେଲେ । ମନେହେଲା ସେ କହିଲେ, ଦିଲ୍‌ମେ ହୀନ୍ଦୁସ୍ତାନି, ହମସେ ନେହି ହୋଗା ପୁତର୍ ।

ମନେହେଲା ସେ ପଥ ଓ ଝପ୍ସୁଭାଇର ପାଦ ପରସ୍ପର ପରିପୁରକ । ସେ ବାଟତକ ତାଙ୍କଠୁ ଅଧିକ ସମୟ କିଏ ଚାଲିଛି? ଦିନକୁ ଆଠ କିଲୋମିଟର ସପ୍ତାହକ ଛଅଦିନ, ବର୍ଷକ ବାଉନ ହପ୍ତା ଏମିତ ପ୍ରାୟତଃ ଚାଳିଶିଟି ସାଲ, ଲମ୍ବା ହିସାବ । ଖୁବ୍ ଇଛାହୁଏ ଏକ ଫଳକ ମାରିବାକୁ ଝପ୍ସୁଭାଇ ମାର୍ଗ ।


ତାଙ୍କ ବାବଦରେ ମଜାକଥା ହେଲା, ଯେତେବେଳେ ମନ୍ଦିର ପାଇଁ ଇଟା ସଂଗ୍ରହ ଆନ୍ଦୋଳନ ହେଲା, ତାଙ୍କୁ କେହି କହିଲା, ଝପ୍ସୁଭାଇ ତୁମେ ଦୁଇଟା ଇଟା ଦେଉନା, ଆଉ ସେ ଇଟା ସହ ଦୁଇଟଙ୍କା ବି ଦେଇଥିଲେ । ସେ ଇଟା ଓ ସେ ଟଙ୍କା କଥା ପାଶୋରି ଦେବାକୁ ତାଙ୍କୁ ମୁହୂର୍ତ୍ତୈ ଲାଗିନଥିବ।

ହୁଏତ ଏହି ଝପ୍ସୁଭାଇମାନେ ଏ ମୁଲକର ଆତ୍ମା । ଯେତେବେଳେ ଯେଉଁଠି ଭାରତର ଆତ୍ମା ଉପରେ ଅତ୍ୟାଚାର ଘଟିଛି ପ୍ରଥମ କଥା ମନେ ପଡିଛି ସେଇଠି ଯଦି ଜଣେ ଝପ୍ସୁଭାଇ ଥିବେ ତାଙ୍କୁ କଣ ଗୁଡାଖୁ କି ବେଲାଏ ପଖାଳ ଦେବା ବନ୍ଦ କରୁଥିବେ କେହି? ଉତ୍ତର ଦେଲାଭଳି ସାଧାରଣ ମଣିଷ ସହ ଭେଟ ହୋଇନାହିଁ । ତଥାପି ଅପେକ୍ଷା କରିଛି ବିଶ୍ୱାସର ସହ ।

୨୦୧୪ ମସିହାର କଥା, ଝପ୍ସୁଭାଇ ପରିଚୟ ଦେଇ କେହି ଜଣେ ରୋଗୀ ମୋ ପାଖକୁ ଆସିଥାନ୍ତି । ତାଙ୍କଠୁ ତଥ୍ୟ ମିଳିଲା, ଝପ୍ସୁଭାଇ ଈଶ୍ୱରଙ୍କ ଡକରା ପାଇ ସାରିଥିଲେ, ଆଲ୍ଲାକୋ ପ୍ୟାରା । ଆଉ ଚିଠିର କି ପ୍ରୟୋଜନ, ଏକଥା ଫୋନରେ ଜଣାଇଥିଲି ପାଟ୍ଟହଂସୀଙ୍କୁ ।

ମୋର କେବେ ସେ ଉତ୍ସାହ ହୋଇନି କାହାକୁ ପଚାରିବାକୁ, ଝପ୍ସୁଭାଇ ସତରେ କଣ ଅବସର ନପାଇବା କର୍ମଚାରୀ ଥିଲେ । ମୋ ମଧ୍ୟରେ ଥିବା ଛୋଟପିଲାର ବିଶ୍ୱାସ, ସେ ପିତ୍ତଳ ମୁଠିଲାଗା ବେତବାଡିରେ ଖେଦିଛି- ଶିକ୍ଷିତ ବୟସ୍କ ମୁଁ’ର ହେତୁ ଯୁକ୍ତିକୁ । ସତ କଣ ସବୁବେଳେ ମିଛଠାରୁ ଭଲ? ସେ ଯାହା ହେଉ, ହେ ପରଲୋକ ଗତ ଝପ୍ସୁଭାଇ, ତୁମ୍ଭେ ନିଶ୍ଚେ ନନ୍ଦନକାନନେ । ହେ ପ୍ରିୟ, ଘେନମୋର ବିଶେଷ ଜୁହାର, ଅନୁମାନ କରିନିଏ ପ୍ରତି ନମସ୍କାର ।  



Rate this content
Log in