ଜହ୍ନରାତି
ଜହ୍ନରାତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଏ ମା' ସରଗୁ ଆଇଚି ଲୋ.......କଣ ରଖିଚୁ ଖାଇବାକୁ ଦେ । ମେଘ ପରା ଘୋଟେଇ ରଖିଛି । ଜଲଦି ପଳେଇବି ଆଜି ।
ନିର୍ବାଣ ଦୁଆର ଖୋଲି ବୁଢ଼ୀକୁ ଟିକେ ଚାହିଁଲେ । ଜୋରରେ କହିଲେ , ସିପ୍ରା ଜଲଦି ଆସ । ତମକୁ ଘରେ ଛାଡ଼ି ମୁଁ ପୁଣି ଅଫିସ ଯିବି ଯେ ! ଦୁଆର କିଳି ସିପ୍ରା ପାହାଚ ତଳକୁ ଯିବାବେଳେ ମଝି ପାହାଚରେ ବସିଥିବା ବୁଢ଼ୀ ସରଗୁ ମୁହଁରେ ହସର ଝଲକଟିଏ ଖେଳିଗଲା । ତଳୁ ନିର୍ବାଣ କହିଲେ ତାକୁ କିଛି ପଇସା ଦେଇ ଜଲଦି ଆସ । ପର୍ସରୁ ପାଞ୍ଚ ଟଙ୍କିଆ କଏନଟିଏ କାଢି ବୁଢ଼ୀ ହାତରେ ଦେଇ ତଳକୁ ଯିବାକୁ ବାହାରିଛି କୋଉଠି ଥିଲା ବର୍ଷାଟା ଜୋର ଜୋର କାଚିବା ଆରମ୍ଭ କରିଦେଲା । ବୁଢ଼ୀ ପାଟିକଲା ହେଇଟି ଲୋ ମା....ଘରକୁ କେମିତି ଯିବି ଏବେ !
ଘରୁ ଗାଡିଯାଏଁ ଯିବାବେଳକୁ ଅଧା ଓଦା ହୋଇଯିବ ସିପ୍ରା । ଆଜି ଗୁରୁପୂର୍ଣ୍ଣମୀରେ ମନ୍ଦିର ଯାଇ ବାବାଙ୍କୁ ଭୋଗ ଚଢ଼େଇବାକୁ ମନ କରିଥିଲା ସିଏ । ନିର୍ବାଣ କହିଲେ ଏତେ ବର୍ଷାରେ ମନ୍ଦିର ଭିତରେ କେମିତି ବୁଲିବ ତୁମେ ? ଗୋଟେ କାମ କର । ସନ୍ଧ୍ୟାରେ ଦୁହେଁ ମିଶିକରି ଯିବା ।ବାଧ୍ୟହୋଇ ସିଡ଼ି ଉପରକୁ ଚଢ଼ିଲା ସିପ୍ରା ।ବୁଢ଼ୀ ପାଖରେ ପହଁଚିଲା ବେଳକୁ ତା ସାମ୍ନା ଘର ସ୍ତ୍ରୀ ଜଣକ କିଛି ଖାଇବା ଜିନିଷ ତା ହାତକୁ ବଢ଼େଇ ଦେଉଥିଲେ । ସିପ୍ରାକୁ ଦେଖି କହିଲେ , ମାଂଗକେ ଖାତି ହେ । ଆତି ହୁଁ କହି ତାଙ୍କ ଘରକୁ ଚାଲିଗଲେ ସିଏ ।
ସିପ୍ରା ମୁହଁକୁ ଚାହିଁ ବୁଢ଼ୀ କହିଲା ,ଭିକାରୁଣୀ ନୁହଁ ମୁଁ । ଏଇଠି ଚାରି ପାଂଚ ଘରେ କାମ କରି ପେଟ ପୋଷୁଥିଲି । ମୋର ବର ଖେତି ମଜୁରୀ କରି ପଇସା ଆଣୁଥିଲା । ପୁଅଝିଅ ସମସ୍ତେ ଥିଲେ । ବର , ପୁଅ ଆଉ ଗୋଟେ ଝିଅ ସବୁ ମରିଗଲେ । କାମକୁ ତ ଆଉ ପାରିଲିନି । ବାବୁଘର ବାହାର କରିଦେଲେ । ସେ ଦିନଠୁ ମାଗିଯାଚି ଯାହା ମିଳିଲା ସେଥିରେ ଚଳୁଛି ।
- ତୁ ଏବେ ରହିବୁ ଏଠି ?
- ହଁ......କଣ ହେଲା କି ?
- ସେ ମା ଘର ବଦଳି ହେଇ ପଳେଇବ ତ । ଏଥର ତତେ ମାଗିବି । ବୁଢୀଟାର ପେଟପାଟଣା କଥା ବୁଝିବୁ ତୁ । ବାବୁ ସାଥିରେ ଗଲୁନି ଯେ ? - ଆଜି ପୂର୍ଣ୍ଣମୀ ତ ମନ୍ଦିର ବାହାରିଥିଲି । ବର୍ଷା ଦେଖି ରହିଗଲି ।
-- ପୂର୍ଣ୍ଣମୀ ନୁହେଁ ଲୋ ସେଟା ଗରହଣ ।
-- ମାଉସୀ ଗ୍ରହଣ କଣ ସବୁବେଳେ ପଡେ ? ପୂର୍ଣ୍ଣମୀ ରାତି ପରା ଜହ୍ମରାତି ,ଆଲୁଅର ରାତି । ଅବଶ୍ୟ ଆଷାଢ ମାସର ପୂର୍ଣ୍ଣମୀ ରାତି ବେଳେବେଳେ ଗ୍ରହଣ ରାତି ଭଳି ହୋଇଯାଏ । ଦେଖୁନ ଆଜି କେତେ ବର୍ଷା ! ଆକାଶ ସାରା କଳାହାଂଡିଆ ମେଘ ।
ସିପ୍ରାର ପାଟିରୁ କଥା ସରିନି ଗୋଟାଏ ଜୋର ପବନ ମାଡ଼ିଆସିଲା ଆଉ ସାମ୍ନା ବଗିଚାରୁ କିଛି ଦରପାଚିଲା ଖଟା ମିଠା ଆମ୍ବ ଝଡିପଡି ରାସ୍ତାରେ ପଡିଲା । ବୁଢ଼ୀ କହିଲା - ଏଠି ଏତେ ଆମ୍ବ ପଣସ ଗଛ ହେଲେ ବାବୁଘର ଲୋକ ତାକୁ ପାଟିରେ ଦେଉନାହାନ୍ତି । ମୁଁ ଗଲାବେଳେ ଆମ୍ବତକ ଜରିରେ ନେଇଯିବି । ତଳଘରର ସେ ମା ନାହିଁ ।ଯାଇଛି ତା ଝିଅ ପାଖକୁ । ମତେ ଦେଖିଲେ କହେ ମାଉସୀ ଆମ୍ବସବୁ ନେଇଯାଅ ।
- ତମେ ଏତେ ଖଟାଆମ୍ବ ନେଇ କଣ କରିବ ?
-- ଡାହାଣୀ ଖାଇବ । ଆଜି ପରା ଡାହାଣୀ ରାତିରେ ଆସିବ ।
ସିପ୍ରା ଡରରେ ଟିକେ ଦୂରକୁ ଘୁଞ୍ଚିଗଲା । ସହଜେ ତ କଳା ମଚମଚ ବୁଢ଼ୀକୁ ଜରାଜୀର୍ଣ୍ଣ ଚମଡା । ଆଖି ଦୁଇଟା କୋରଡ ଭିତରକୁ ପଶିଯାଇଛି । ସେଥିରେ କହୁଛି ଡାହାଣୀ ଆସିବ । ସିପ୍ରା ଡ଼ରିଡରି କହିଲା , ମାଉସୀ ଏମିତି କଣ କହୁଛ ତୁମେ ? ମୁଁ କିଛି ବୁଝିପାରୁନି ।
- ଆଜି ମୋ ଝୁଅ ମନା କରୁଥିଲା ଆସିବାକୁ । ଆଜ
ି ରାତିରେ ତା ଦେହରେ ଡାହାଣୀ ପଶିବ । କଣ କରିବି ଲୋ ମା , ଭଲ ପିଲାଟେ ଦେଖି ବାହାଦେଇଥିଲି । କାମଦାମ କରୁଥିଲା । ପଇସା ରୋଜଗାର କରୁଥିଲା । ଚୁଡି , ସିନ୍ଦୁର , ମାଳି , ସ୍ନୋ ପାଉଡର ଅଳତା ଟିକିଲି ସବୁ ବାହାରୁ ଆଣି ଗାଁ ଗାଁ ବୁଲି ରୋଜଗାର କରେ । କିଏ କଣ ଗୁଣି ମନ୍ତର କରିଦେଲା କେଜାଣି କୁଆଡୁ ଗୋଟେ ମାଇକିନା ଉଠେଇଆଣି ରଖିଲା ଘରେ । ମୋ ଝିଅକୁ ଦାଣ୍ଡକୁ ବାହାର କରି ଦୁଆର କିଳି ତାକୁ ଧରି ଶୋଇଲା । ଝିଅ ପାଟି କରିବାରୁ ଦୁହେଁ ମିଶି ତାକୁ ପିଟାପିଟି କଲେ । ଖାଇବାକୁ ନ ଦେଇ ଭୋକ ଉପବାସରେ ରଖିଲେ ।ଗୋଟେ ଦିନ ତାକୁ ମାରିଦେବାକୁ ପେଞ୍ଚ କରିବା କଥା ଯେତେବେଳେ ଝିଅ ଶୁଣିଲା ଅଧରାତିରେ ଲୁଚିଲୁଚି ଆସି ମୋ ଘରେ ହାଜର ହେଇଗଲା । ସେଦିନଠୁ ପାଗେଳି ହୋଇଗଲା ମୋ ଝୁଅ ।ଜହ୍ନରାତି ଦେଖିଲେ ତା ପାଗଳାମି ବଢେ । ଜହ୍ନକୁ ଖତାଏ , ତା ଉପରକୁ ଛେପ ପକାଏ , ଯାହା ଖାଇବା ଜିନିଷ ଥିବ ଅଧା ଖାଇ ବାକି ଅଧା ତା ଉପରକୁ ଫୋପାଡେ । ଏଇ ଆମ୍ବଗୁଡା ସବୁ ସିଏ ଫୋପାଡିବ ।ଜହ୍ନର ଆକାର ଯେତେ ବଢେ ତା ପାଗଳାମି ସେତେ ଅଧିକ ବଢେ । ଆଉ ପୂର୍ଣ୍ଣମୀ ଜହ୍ନକୁ ଦେଖିଦେଲେ ତ କାଳେସୀ ଲାଗିଯାଏ ତା ଦେହରେ । କେତେ ବା ବୟସ ତାର । ଆଉ କୋଉଠି ତାକୁ ବାହା ଦେଇଥାନ୍ତି ନହେଲେ କିଛି ବାବୁଘର କାମକରି ପେଟ ତ ପୋଷିଥାନ୍ତା । ମୋ ପେଟ କଥା ବୁଝିଥାନ୍ତା । ମୋର ତ ପୋଡା କରମ । ଏବେ ମାଗିଯାଚି ତା ପେଟ ପୋଷୁଛି ମୁଁ ।
ହେଇଟି ଲୋ , ଏଠି ମୁଁ ଗପୁଛି । ସେପଟେ ମେଘ ଛାଡ଼ିଗଲାଣି । ଯାଏଁ ଆମ୍ବତକ ଗୋଟେଇ ନିଏ ନହେଲେ ଗାଈପଲ ଖାଇଦେବେ । ଏ ମାଆ ଖଣ୍ଡେ ଚିରା ବେଗ ଦେଉନୁ ? ଆମ୍ବ ନେବି । ସେ ମା ଯାହା ଖାଇବା ଜିନିଷ ଦେଇଥିଲା ତାକୁ ଝିଅପାଇଁ ନେଇଯାଇଛି । ଆଉ ବେଳନାହିଁ କାହା ଘରକୁ ଯିବାକୁ । ଯାଉଛି ତଳେ ଦିଟା ଆମ୍ବ ଖାଇଦେଇ ଘରକୁ ପଳେଇବି ଆଜି। ଜଲଦି ଘରକୁ ନଗଲେ ସେପଟେ ଝିଅ କାଣ୍ଡ କରିବସିବ ଯେ !
ସାଈ ମନ୍ଦିରରେ ପୂଜା କରିବାକୁ ହାତରେ ଧରିଥିବା ଟିଫିନ ଡବା ଖୋଲି ତା ଭିତରେ ଥିବା ପରଟା ଭଜାକୁ ମାଉସୀ ହାତକୁ ବଢାଇଦେଲା ସିପ୍ରା । ଭାବିଲା ସାଈ ତ ଦୁଃଖୀରଙ୍କିଙ୍କ ଦେବତା । ମନ୍ଦିର ଯାଇ ତାଙ୍କ ପାଖରେ ପ୍ରସାଦ ଚଢାଇବା ଆଉ ଏ ମାଉସୀଙ୍କୁ ଖାଦ୍ୟ ଦାନ କରିବା ସମାନ କଥା ।
ସାମ୍ନା ଘର ସ୍ତ୍ରୀ ଜଣକ ଦୁଆର ଖୋଲି ସିପ୍ରା କୁ ଦେଖି ପଚାରିଲେ , ଆପ ମନ୍ଦିର ନେହି ଗୟେ ? ସିପ୍ରା କହିଲା , ରାତକୋ ଯାଉଙ୍ଗି ।
- ପର ଆଜ ରାତ ତୋ ଗ୍ରହଣ ହେ । ପୂଜା ନେହିଁ ହୋଗି ।
ସରଗୁ ତାର ସବୁ ଜିନିଷ ସଜାଡି ପାହାଚ ତଳକୁ ଓଲ୍ହାଉଥିଲା । ବଡ଼ପାଟି କରି କହିଲା ଜହ୍ନରାତି ନୁହଁ ଲୋ ଗରହଣ ରାତି , ଡାହାଣୀର ରାତି । ପୁଣି କହିଲା ହଉ ...........,ସେ ମା ଯିବାପରେ ତୋର ଘରୁ ଖାଇବା ନେବି ଲୋ ମା । ପୁରୁଣା ଲୁଗା , ନାଇଟି ଥିଲେ ଦବୁ ମୋତେ । ତୋ ସ୍ୱାମୀର ମଙ୍ଗଳ ହେବ । ତୋ ପିଲାଙ୍କର ଉନ୍ନତି ହେବ । ଦୁଆର ମୁହଁକୁ ଯାଇ ସରଗୁ ତଳେ ପଡିଥିବା ଆମ୍ବକୁ ବେଗରେ ଭର୍ତ୍ତି କରୁଥିବା ଅବସ୍ଥାରେ ହଠାତ ତରବର ହୋଇ ସିପ୍ରା ତଳକୁ ଯାଇ ପଚାରିଦେଲା , ' ମାଉସୀ ଏତେ କଥା ତ ତମେ କହିଲ ହେଲେ ମୁଁ ଏ ଯାଏଁ ବୁଝୁନି ଜହ୍ନ ଆଉ ଜହ୍ନରାତି ସମସ୍ତଙ୍କର ପ୍ରିୟ ଥିବାବେଳେ ତୁମ ଝିଅର ତା ଉପରେ ଏତେ ରାଗ କାହିଁକି ? '
ସରଗୁ ଟିକେ ପାଖକୁ ଲାଗିଆସି କହିଲା , ସେ ଡାହାଣୀ ମ, ମୋ ଜୋଇଁର ରଖେଇତା ...................ତାରି ନାଁ ପରା ଜହ୍ନ ।