The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

puspanjali das

Others

3  

puspanjali das

Others

ଜେଜିର ଉପଚାର

ଜେଜିର ଉପଚାର

4 mins
11.6K



    

     ସେଦିନ ଅଙ୍କିତାର ଜିଦ୍ଦି ପାଖରେ ଅସିତଙ୍କୁ ହାରିବାକୁ ପଡିଥିଲା!ଅନ୍ୟନ୍ୟୋପାୟ ହୋଇ ଗାଡି ରିଜର୍ଭ କରି ବହୁ କଷ୍ଟରେ ଅଙ୍କିତାର ବାପଘର ଗାଁ କୁ ଆସିବାକୁ ପଡିଥିଲା।ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଦିନ ଗୃହବନ୍ଦୀ ହେବାକୁ ଆଦେଶ ପାଳୁ ପାଳୁ ଲକଡାଉନର ଉଡା ଖବର ଶୁଣି ଅଙ୍କିତାର ଭୟଟା ଯେମିତି ଭୟଙ୍କର ବ୍ରହ୍ମ ରାକ୍ଷସ ପାଲଟି ଯାଇଥିଲା!ଗାଁ ରେ ଆସି ପହଞ୍ଚିବାର ଗୋଟିଏ ଦିନ ନ ପୁରୁଣୁ,ତା'ଭୟ ଟା ଯେ ସତ ପାଲଟି ଯାଇଥିଲା ଓ ଏକୋଇଶ ଦିନର ଗୃହବନ୍ଦୀ ହେବାର ଘୋଷଣାଟା ଯେ ତା'ର ଜିଦ୍ଦିର ଯଥାର୍ଥତା ଥିଲା ବୋଲି ମାନିବାକୁ ଅସିତ ବାଧ୍ୟ ହୋଇଥିଲେ।ଛୁଆ ଦୁଇ ଜଣଙ୍କର ଥଣ୍ଡା କାଶକୁ ଡରି ଯଦିଓ ସେମାନେ ଦ୍ୱନ୍ଦ ଭିତରେ ଥିଲେ,ହେଲେ ଅଙ୍କିତାର ନିଷ୍ପତ୍ତିକୁ ମାନିନେଇ ଯେ ଠିକ କରିଛନ୍ତି ବୋଲି ଅନୁଭବ ମଧ୍ୟ କରିଥିଲେ।

           ଗାଁ ଘରେ ପସୁ ପସୁ ଖୁଡି ତା'ର ଦଉଡି ଚାଲି ଆସିଥିଲେ ପାଛୋଟି ନେବାପାଇଁ।ଅଙ୍କିତା ର ବୋଉ ର ଅଭାବ ତା'ଖୁଡି ଯଥାସାଧ୍ୟ ପୂରଣ କରିବା କୁ ଚେଷ୍ଟା କରନ୍ତି,ଆଦର,ଯତ୍ନ,ସ୍ନେହ ,ଶ୍ରଦ୍ଧା, କୋଉଥିରେ ଟିକିଏ ବି ଉଣା ହୁଏନି,ଯଦିଓ ଖୁବ୍ କମ୍ ସମୟ ଅଙ୍କିତା ତା'ବୋଉ ର ଇହକାଳ ପରେ ସେଇ ଗାଁ ରେ କଟାଇଥିଲା,ତଥାପି କେମିତି ଅତ୍ମୀୟତାର ସ୍ପର୍ଶ ସେ ଓ ଅସିତ ସବୁବେଳେ ଅନୁଭବ କରିପାରନ୍ତି!ବୟୋଜ୍ୟେଷ୍ଠ ଜେଜିମା ତା'ର ଏବେ ବି ସୁସ୍ଥ ରହି ସମସ୍ତଙ୍କର ହିତାକାଙ୍କିଟିଏ ପରି ଉପଦେଶ ଦେବାକୁ ଭୁଲନ୍ତିନି।ଯଦିଓ ଜୀବନର ସବୁଠାରୁ ବଡ କଷ୍ଟ,ଆଖି ଆଗରେ ତାଙ୍କ ସ୍ୱାମୀ, ବଡ ପୁଅ ବୋହୂଙ୍କ ଦେହାନ୍ତ ଦେଖିବାକୁ ପଡିଥିଲା ତଥାପି ଧୈର୍ଯ୍ୟ ଧରି ପୁରା ପରିବାରଟିର ଉପଦେଷ୍ଟା ହୋଇ ରହିଥିଲେ!ଜେଜେବାପା ଜଣେ ବଡ କବିରାଜ ଥିବାରୁ ତାଙ୍କରି ପାଖରୁ ଅନେକ ଚେର ମୁଳିର ଜ୍ଞାନ ପାଇ ନିଜ ପରିବାର ତଥା ପୁରା ଗାଁ ଟି ଯାକର ଛୋଟିଆ ବଇଦ ଟିଏ ହୋଇ ଯାଇଥିଲେ!ଆଉ ତାଙ୍କରି ଭରସାରେ ଅଙ୍କିତା ସୁଦୂର ସହରରୁ,ତା'ପୁଅ ଝିଅ ଦୁଇ ଜଣଙ୍କୁ ଧରି ଚାଲି ଆସିଥିଲା!ଅନେକ ଆଶଙ୍କା ମନ ଭିତରଟାକୁ ଘାରି ଥିଲେ ସୁଦ୍ଧା,ଅଜଣା ଆଶା ଓ ଭରସା ଯେମିତି ତା'ଜେଜି ମା ଉପରେ ଅଜାଡି ହୋଇ ପଡ଼ିଥିଲା!

            ଅଙ୍କିତାର ସକ ସକ ହୋଇ କାନ୍ଦିବା ଦେଖି ଜେଜି ମା କହି ପକାଇଥିଲେ–ଆଲୋ,କ'ଣ ପାଇଁ ସକଉଛୁ? ଥଣ୍ଡା ଟିକିଏ ଛୁଆଙ୍କୁ ହେଇଛି ତ, ଏତେ ବ୍ୟସ୍ତ କାହିଁକି? କାହା କଥା କିଛି ଶୁଣୁନା,ସେ ଅଯଥା କରୋନା,ଫରୋନାର ଡର ମୁଣ୍ଡରୁ କାଢି ଦେ।ଦେଖ୍,ଦୁଇ ଦିନରେ ତୋ ଛୁଆ ଠୁ ଥଣ୍ଡା କେମିତି ବାଡେଇପିଟି ହୋଇ ପଳେଇବ!ମୁଁ ବଞ୍ଚିଚି ପା!ସେ ଥଣ୍ଡାର ଚୋପା ଛଡେଇ ଦେବିନି! ମୋ କଥା କିନ୍ତୁ ତତେ ଟିକେ ମାନିବାକୁ ପଡିବ।ଅଙ୍କିତା ଦଉଡି ଯାଇ ଜେଜି ମା ର ଗୋଡ ପାଖରେ ବସିପଡିଲା,କାନ୍ଦ କାନ୍ଦ ହୋଇ କହିପକାଇଲା-ମୁଁ କ'ଣ ତୁମ କଥା କେବେ ଭାଙ୍ଗିଛି ଜେଜି?ସଙ୍ଗେ ସଙ୍ଗେ ଜେଜି କହିପକାଇଲେ–ନାଇଁ ଯେ ,ଅସିତଙ୍କୁ ମୋ ମରହଟ୍ଟିଆ କଥା ସବୁ ଠିକ ଲାଗିବ ତ?ତୋ ଛୁଆଙ୍କୁ ଗାଉଁଲି ବେଶ ରେ ଦେଖିପାରିବେ ତ?ସେତିକି ବେଳେ ଅସିତ ଘର ଭିତରକୁ ପସି ଆସି ହସି ହସି କହିପକାଇଲେ-ଆରେ ଜେଜି,ଏବେ ତ ଆମେମାନେ ଆପଣଙ୍କ ପାଖରେ ବନ୍ଦୀ ହୋଇ ଏକୋଇଶ ଦିନ କାଳ ରହିବୁ,ଆପଣଙ୍କ କଥା ନ ମାନି ଆଉ ବାଟ ଅଛି?ମୋ ସାଙ୍ଗରେ ଝଗଡା କରିକି ପା ଆପଣଙ୍କ ନାତୁଣୀ ଏଠିକି ଆସିଛି।ଏତକ କଥାରେ ଜେଜି ଙ୍କ ଆଖି ଦୁଇଟା ଚକ୍ ଚକ୍ କରି ଉଠିଲା, ସଂଗେ ସଂଗେ ଭିତରକ ଉଠି ଯାଇ ହାତରେ ମାଟି ଖୋଳା କରଣୀ ଟିକୁ ଧରିକି ଚାଲି ଆସିଲେ ଓ କହିଲେ–ହଉ ଚାଲେ ଏଥର,ବାଡ଼ି ରୁ ହଳଦୀ କିଛି ଖୋଳିକି ନେଇ ଆସିବା!

       ଅଳ୍ପ ସମୟ ପରେ ଝିଅ ,ପୁଅ ଦୁଇଜଣଙ୍କର ବେଶ ଦେଖି ପ୍ରଥମେ ଅସିତ ସାମାନ୍ୟ ହଡ଼ ବଡେଇ ଯାଇଥିଲେ, ହେଲେ ଚାରିବର୍ଷର ଝିଅ ଓ ଛଅ ବର୍ଷର ପୁଅକୁ ଏତେଦିନ ପରେ ଖୁସିରେ ନାଚିବା ଦେଖିକି ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ।ଛିଟ ଫ୍ରକ ଖଣ୍ଡକ ସାଙ୍ଗରେ ପାଦରେ ପାଉଁଜି, ଅଳତା ପିନ୍ଧି ମୁଣ୍ଡରେ କୁଂକୁମ ଟିପା ଓ ପୁଅର କପାଳରେ ଗୋରଚନାର ତିଳକ ଟିକକ ଯେମିତି କେତେ କଣ କାହାଣୀ କହି ଯାଉଥିଲା..ଅସିତଙ୍କୁ ସବୁ ନାଟକର ପାତ୍ର ପରି ଲାଗୁଥିଲେ ମଧ୍ୟ ଅଙ୍କିତାର ମୁହଁକୁ ଚାହିଁ ଚୁପ୍ ରହିଥିଲେ।ରାତ୍ରୀ ଭୋଜନ ପରେ ଯେତେବେଳେ କଞ୍ଚା ହଳଦୀ ବଟା ମିଶା ଉଷୁମ କ୍ଷୀର ନେଇ ଅଙ୍କିତା ରୁମ୍ ଭିତରକୁ ଆସିଥିଲା,ସେତେବେଳେ କେବଳ ପଚାରି ଦେଇଥିଲେ, ଆଜି ପାଇଁ ଜେଜିଙ୍କ ଉପଚାର ଶେଷ ହୋଇଛି ନା ଆଉ କିଛି ବାକି ରହିଯାଇଛି?ଅଳ୍ପ ହସି,କ୍ଷୀର ଗିଲାସଟି ଅସିତଙ୍କ ହାତକୁ ବଢ଼ାଇ ଦେଇ ଅଙ୍କିତା କହିପକାଇଲା–ନାଇଁ ,ଆଉ ଟିକେ ବାକି ଅଛି।ପିଲା ଦୁଇଜଣ ପିଇ ଦେଇଛନ୍ତି ତୁମେ ଏ ଗ୍ଲାସକ କ୍ଷୀର ପିଇ ଦିଅ।ମୁଁ ଟିକେ ଶୋରିଷ ତେଲରେ ରସୁଣ ,କଳାଜିରା ଫୁଟାଇ ନେଇ ଆସେ ତୁମ ତିନି ଜଣଙ୍କ ପାଦ ତଳିପାରେ ମାଲିସ କରିଦେବି,ଆଉ ସେଇଠି ଆଜିର ଉପଚାର ପର୍ବ ଶେଷ ହେବ!

      ସକାଳର ସୂର୍ଯ୍ୟ ଉଇଁବା ସାଙ୍ଗରେ ଘରର ସମସ୍ତେ ଉଠିଯାଇଥିଲେ।ଡେରିରେ ଶୋଇବା ଓ ଡେରିରେ ଉଠିବା ଅଭ୍ୟାସ ଥିବା ଅସିତ ବହୁ କଷ୍ଟରେ ଉଠିଥିଲେ।ପିଲା ଦୁହିଁଙ୍କର ସକାଳୁ ସ୍କୁଲ ଯିବାର ଅଭ୍ୟାସ ଥିବାରୁ ,ଅଙ୍କିତାକୁ ବେଶି କଷ୍ଟ କରିବାକୁ ପଡିନଥିଲା ସେମାନଙ୍କୁ ଉଠାଇବାକୁ। ପିଲାଙ୍କର ନିତ୍ୟକର୍ମ ସାରି,ଜେଜିମା ପାଖରେ ବସିପଡିଥିଲା ଅଙ୍କିତା ଯୋଉଠି ସେ ସବୁଦିନ ପରି କ'ଣ ସବୁ ଜଡି ବୁଟି ଛୋଟିଆ ହେମଦସ୍ତାରେ କୁଟୁଥିଲେ।ଅନେକ ଜିଜ୍ଞାସା ନେଇ ଅସିତ ମଧ୍ୟ ଚା' କପ୍ ଟି ଧରି ଚାଲିଆସିଥିଲେ ତାଙ୍କ ପାଖକୁ ଓ ହସି ହସି ପଚାରିଚାଲିଥିଲେ ତାଙ୍କୁ–ଆଛା ଜେଜି,ମୋ ପିଲାଙ୍କର ଏ ବେଶ ମୁଁ ବୁଝିପାରୁନି!ଏମିତି ନ ପିନ୍ଧିଲେ ଚଳିବନି?ଏଥିରେ ବି କ'ଣ ତୁମର ଉପଚାର ଅଛି?ପାନ ଚୋବାଉ ଚୋବାଉ ପାକୁଆ ପାଟିରେ ଜେଜି ହସି ହସି କହିପକାଇଲେ-ହଁ ରେ ଧନ,ସେ ବେଶରେ ଆମ ପରମ୍ପରା ଓ ଉପଚାର ଦୁଇଟା ଯାକ ଅଛି।ତୁମ ପାଇଁ ସିନା ଏସବୁ ଗାଉଁଲିଆ ବେଶ,ହେଲେ ସେସବୁ ଆମକୁ ରୋଗ ଦାଉରୁ ରକ୍ଷା କରେ।କୌତୁହଳି ହୋଇ ଅସିତ ପୁଣି ହସି ହସି ପଚାରି ପକାଇଲେ--ଆରେ,ମତେ ଟିକିଏ ବୁଝାଇଦେଵ ଜେଜି,କେମିତି ରୋଗରୁ ରକ୍ଷା କରେ?ଜେଜି ଏଥର ପାଖକୁ ଟିକିଏ ଉଠି ଆସି କହିଲେ-ତେମେ ଏତେ ହସୁଛ କିଆଁ?ଶୁଣିବ ଯଦି ଶୁଣ-ଆମ ବେଳେ ଏତେ ଓଷଦ ପତର ନ ଥିଲା,ମୋ ମା ଆମକୁ ଛୁଆ ଟି ବେଳୁ ଏମିତି ବେଶ କରାଉଥିଲା,ସେତେବେଳେ ଫ୍ରକ ନ ଥିଲା,ଆମେ ଛୋଟିଆ ଛୋଟିଆ ସାଢି ପିନ୍ଧୁଥିଲୁ।ଚାଲି ଶିଖିବା ଦିନ ଠୁ ପାଦରେ ପାଉଁଜି ପିନ୍ଧୁଥିଲୁ,ସେଥିରେ ଜର ଜୀବାଣୁ ଖଣ୍ଡେ ବାଟ ଯାକେ ପାଖ ପସନ୍ତିନି।ତା ପରେ ହଳଦୀ ଦିହ ରେ ମାଖି ହେଇ ଗାଧେଇ କୁଂକୁମ ଟୀକା କପାଳରେ ନାଇ ବେଶ ହଉଥିଲୁ,ସେଥିରେ ଜୀବାଣୁ ନା ଦିହକୁ ନା ମୁହଁ ପାଖକୁ ଆସି ପାରେନି। ଅଳତା ପାଦରେ ନାଇ ଗୋଡକୁ ରକ୍ଷା କରୁଥିଲୁ।ଆଜିକାଲି ତ କେତେ ଫେସନ କରୁଛନ୍ତି, ପେଡିକର ନା କ'ଣ ମୋ ନାତୁଣୀ କହୁଥିଲା,ସେତେବେଳେ କଣ ସେଗୁଡା ଦରକାର ପଡୁଥିଲା?ପୁଅ ଛୁଆ ଙ୍କୁ ଗୋରଚନା ଟିକା ମା'ମାନେ ଲଗେଇଦେଇ ସବୁ ରୋଗ ଠାରୁ ଦୂରରେ ରଖୁଥିଲେ।ଏବେ ତ ଏତେ ଓଷ ଦ ପତର ଦେଇକି ବି ଛୁଆଙ୍କର ନାକ ସୁଡୁ ସୁଡୁ,ଆଉ ଛାତି ଧୁଡୁ ଧୁଡୁ!

  ଏମିତି ଗୋଟିଏ ସପ୍ତାହ କଟିଗଲା ପରେ,ଦିନେ ପଡିଶା ଘରର ବୋହୁ,ଯିଏ ଅଙ୍କିତା ର ସମବୟସ୍କ ଥିଲା ଓ ଡ଼ାକ୍ତରୀ ପାସ କରିଥିଲେ ମଧ୍ୟ,ଚାକିରି ଛାଡି ତା' ଶାଶୁ ଶ୍ବଶୁରଙ୍କ ଦେହ ବହୁତ ଖରାପ ଯୋଗୁଁ ଘରେ ରହିଯାଇଥିଲା, ତା'ଙ୍କ ବାଡ଼ିରୁ କିଛି ତୁଳସୀ ପତ୍ର ନେବାକୁ ଆସିଥିବା ଦେଖି ,ଅଙ୍କିତା ତାଙ୍କ ପାଖକୁ ଚାଲି ଯାଇ,କଥା ଆରମ୍ଭ କରି ଦେଇଥିଲା।ଜେଜେ ମା ଙ୍କର ବାଡ଼ିରେ ଅନେକ ତୁଳସୀ ଗଛରେ ଛୋଟିଆ ବଣ ଟିଏ ହୋଇ ଯାଇଥିବାରୁ,ସେଥିରୁ ଗାଁ ର ବହୁତ ଲୋକ ଉପକୃତ ହେଉଥିବା କଥା ସେ ବୋହୁ ଜଣକ କହୁଥିଲେ, ଆଉ ତାଙ୍କର ଅଭିଜ୍ଞତା ଓ ଅଦ୍ଭୁତ ଜଡି ବୁଟିର ଜ୍ଞାନ ମଧ୍ୟ କେତେ ଲୋକଙ୍କୁ ଉପକୃତ କରାଉଛି ଏକଥା ମଧ୍ୟ ଗପି ଚାଲିଥିଲେ। ଅଳ୍ପ ଦୂରରେ ,ଘର ବାରଣ୍ଡାରେ ଚେୟାର ଖଣ୍ଡିକରେ ବସି ଅସିତ ସବୁ ଶୁଣୁଥିଲେ ଓ ଭାବୁଥିଲେ–ସତରେ କ'ଣ ଆମ ପୂର୍ଵ ପୁରୁଷ ମାନେ ଏତେ

ଜ୍ଞାନୀ ଥିଲେ!!ଆମେ ଏତେ ପାଠ ପଢି ,ନିଜ ପରମ୍ପରା ଠାରୁ ଦୂରେଇ ଯାଇ କ'ଣ ଏତେ ହଇ ରାଣ ହେଉଛୁ?ସେ ଯାହା ବି ହେଉ,କେତେ ସହଜରେ ଜେଜି ପିଲା ଦୁଇଟିଙ୍କର ଏତେ ଦିନର ଥଣ୍ଡା କାଶ ଛଡାଇ ଦେଲେ ଓ ଆମ ଭିତରୁ ସେ ଜେଜେ ମା ଙ୍କର ବାଡ଼ିରେ ଅନେକ ତୁଳସୀ ଗଛରେ ଛୋଟିଆ ବଣ ଟିଏ ହୋଇ ଯାଇଥିବାରୁ,ଜେଜିଙ୍କ କଥା ଅନୁସାରେ,ସେଇ ଚକା ଆଖିଆ ର ନିର୍ଦେଶ ଭାବି ଗ୍ରହଣ କରିନେବା!



Rate this content
Log in