Goutam Mohanty

Children Stories Inspirational

3  

Goutam Mohanty

Children Stories Inspirational

ଜେଜେ ମା

ଜେଜେ ମା

4 mins
292



 ସ୍କୁଲରୁ ଆସିଲା ପରେ ଲିନା ପଚାରିଲା,

--ମାମା ଜେଜେ ମା କାହାକୁ କୁହନ୍ତି!!

ରେଖା ଲିନାର ପ୍ରଶ୍ନରେ ଚମକି ଯାଇ ପଚାରିଲା,

--କିନ୍ତୁ ତୁ କାହିଁକି ଏ ପ୍ରଶ୍ନ ପଚାରିଲୁ !

--ନାଇଁ ସ୍କୁଲରେ ଆଜି ମିସ୍ ଆମକୁ ଗପ କହିବାକୁ କହିଲେ, ଶ୍ଵେତା

ମହାଭାରତର ଗୋଟେ ସୁନ୍ଦର କାହାଣୀ କହିଲା।ତାକୁ ମିସ୍ ପଚାରିଲେ ,ଏତେ ସୁନ୍ଦର କାହାଣୀ ତତେ କିଏ ଶିଖେଇଛି, ସେ କହିଲା " ମୋ ଜେଜେ ମା"।

-- ହଉ ମୁଁ ତତେ କାହାଣୀ ଶିଖେଇ ଦେବି।ତୁ ବ୍ୟସ୍ତ ହୁଅନା।

--ନାଇଁ ମାମା ସେ ସବୁ ଦିନ ସୁନ୍ଦର ସୁନ୍ଦର ବି ପିଠା ଟିଫିନ୍ ରେ ଆଣୁଛି।ପଚାରିଲେ ତା' ଜେଜେ ମା କରି ଦେଉଛନ୍ତି ବୋଲି କହୁଛି।

--କାଇଁ ତୋର ପିଠା ଟିଫିନ୍ ନବାକୁ ମନ ହଉଛି କି ! ମୁଁ ଅଫିସ୍ ରେ

ଆଣ୍ଟିମାନଙ୍କ ଠା୍ରୁ ଶିଖି ଆସିବି ଆଉ ତତେ କରି ଦେବି।।

--ଜାଣିଛୁ ମାମା ସେ ସ୍କୁଲ୍ ରୁ ଯାଇ ତା'ଜେଜେ ମା'ସହିତ ଖେଳେ। 

ଜେଜେ ମା କାହାକୁ କୁହନ୍ତି ମା କହନା !!

ବହୁତ କଷ୍ଟରେ ରେଖା ଲିନାର ପ୍ରଶ୍ନର ଉତ୍ତର ଛେପ ଢୋକି କହିଲା,

--ଜେଜେ ମା ପାପାଙ୍କର ମାମା ଙ୍କୁ ହିଁ କୁହନ୍ତି।

--ଜେଜେ ମା'ମାନେ ସବୁ ବହୁତ ଭଲ ନା ମାମା।ମୋର ବି ଜେଜେ ମା ଥିବେ। ମୋ ଜେଜେ ମା କାହିଁକି ଆସୁନାହାନ୍ତି ମାମା।

--ତୋ ଜେଜେ ମା ବହୁତ ଦୂରରେ ଅଛନ୍ତି। ତେଣୁ ସେ ଆସି ପାରୁ ନାହାନ୍ତି।

 ସେଦିନ ବହୁ କଷ୍ଟରେ ରେଖା ଲିନାକୁ ବୁଝାଇ ରଖିଲା।ପାଞ୍ଚ ବର୍ଷ

ଭିତରେ ଲିନା କେବେ ବି ଏପରି ପ୍ରଶ୍ନ ପଚାରି ନଥିଲା।

ରାକେଶ ଅଫିସ୍ ରୁ ଫେରି ରେଖାଠୁ ଲିନାର ପ୍ରଶ୍ନ ବିଷୟରେ ଶୁଣି ,ସେ ବି ବିଚଳିତ ହୋଇଗଲା।

ତା ପରଦିନ ସ୍କୁଲରୁ ଫେରି ଲିନା ସେହିପରି ଜେଜେ ମା ଙ୍କୁ ନେଇ ଅନେକ ପ୍ରଶ୍ନ କରିଛି।

ସ୍ବାମୀ ସ୍ତ୍ରୀ  ଅନେକ ବିଚିର ବିମର୍ଷ ପରେ ସ୍ଥିର କଲେ, ଯେମିତି ହେଲେ ଲିନାକୁ ଜେଜେ ମା ଆଣି ଦେବେ।କାରଣ ତା'ପ୍ରଶ୍ନର କୈ।ଣସି ସନ୍ତୋଷ ଜନକ ଉତ୍ତର ସେମାନେ ତାକୁ ଦେଇ ପାରୁ ନଥିଲେ।

 ଲିନାକୁ ଦିନେ ସ୍କୁଲ କୁ ପଠାଇ ରାକେଶ ଓ ରେଖା ଅଫିସ୍ ରୁ ଛୁଟୀ ନେଇ ସହରରେ ଥିବା ଜରାଶ୍ରମକୁ ବାହାରିଲେ।ରେଖା ଓ ରାକେଶ କୁ ଦେଖି ଜରାଶ୍ରମର ଗେଟ ପାଖରେ ବୁଲୁଥିବା ଜଣେ ବୃଦ୍ଧ ଆଉ ଜଣେ ବୃଦ୍ଧଙ୍କୁ କହିଲେ ,

--ଦେଖ ଆଉ ଜଣେ ସୁପୁତ୍ର ଓ ପୁତ୍ର ବଧୂ ଆସିଗଲେ କାଞ୍ଜିଆ ହୁଦାରେ

କାହାକୁ ଢୁକେଇବାକୁ। 

ସେମାନଙ୍କ ଇଙ୍ଗିତ ଯଦିଓ ଏମାନେ ବୁଝି ପାରୁଥିଲେ କିଛି ନକହି ଭିତରକୁ ଗଲେ।

 ପରିଚାଳକ ଯୋଗେଶ୍ ବାବୁ ସେମାନଙ୍କୁ ବସାଇ ପଚାରିଲେ,

--ଆପଣଙ୍କର କିଏ ଆସିବ,ମା ନା ବାପା?

ତା'ଙ୍କ କଥା ଶୁଣି ରାକେଶ କହିଲା,

-- ନା ଆମେ ଛାଡିବାକୁ ଆସିନୁ ,ନବାକୁ ଆସିଛୁ।

--ନବାକୁ !!!ଆପଣ କ'ଣ କହୁଛନ୍ତି ମୁଁ ବୁଝି ପାରୁନି।

--ଆମେ ଜଣେ ବୟସ୍କ ମା 'ଙ୍କୁ ଚାହୁଁ।ଯିଏ କି ଆମ ଝିଅର ଜେଜେ ମା ଓ ଆମର ମା ହୋଇ ସେ ଆମ ପରିବାରରେ ରହିବେ।

--ଆଶ୍ଚର୍ଯ୍ୟ କଥା। ଏଠି ସମସ୍ତେ ଛାଡିବାକୁ ଆସନ୍ତି ଆପଣ ନବାକୁ ଆସିଛନ୍ତି।କିନ୍ତୁ ଆପଣ ନିଜ ମା'ଙ୍କୁ କାହିଁକି ଆଣିଲେନି।

ରେକେଶ କହିଲା,

--ନା ଯୋଗେଶ୍ ବାବୁ ଆମେ ଦୁଇ ଜଣ ମା'ସ୍ନେହରୁ ବଂଛିତ।

ଆମେ ଦୁଇ ଜଣ ଯାକ ଅନାଥ ଆଶ୍ରମର ସନ୍ତାନ।ଜୀବନରେ ମା'ସ୍ନେହ କ'ଣ ଜାଣିନୁ।ଆଜି ଯେତେବେଳେ ମୋ ଝିଅ ଯଦି ଜିଦି କରୁଛି ମୁଁ ଚାହୁଁନି ସେ ଜେଜେ ମା ସ୍ନେହରୁ ବଂଛିତ ନହେଉ।ତା ସହିତ ଆମେ ବି ମାର ସ୍ନେହ ଟିକେ ପାଇ ପାରିବୁ।

--କିନ୍ତୁ ଯଦି ଆପଣ କୈ।ଣସି ମହିଳାଙ୍କୁ ଘରକୁ ନେବେ ବୋଲି ମନସ୍ଥ କରିଛନ୍ତି ତେବେ ଭବିଷ୍ୟତରେ ପୁଣି ଥରେ ଏଠିକି ଯେମିତି ତାଙ୍କୁ ନଆଣନ୍ତି !!କାରଣ ଜୀବନରେ ଥରେ ପୁଅ ବୋହୂଙ୍କ ଠାରୁ ବିତାଡିତ ହୋଇ ସେମାନେ ମାନସିକ ସ୍ଥରରେ ଧକ୍କା ଖାଇ ସାରିଛନ୍ତି।ପୁଣି ଆଉ ଥରେ ଆପଣ ସେମାନଙ୍କୁ ଯେମିତି ପ୍ରତାରିତ ନକରନ୍ତି।

ଯୋଗେଶଙ୍କ କଥା ଶୁଣି ରେଖା କହିଲା,

--ନା ନା ଆମେ ସେମିତି କଦାପି କରି ପାରିବୁନି।ଯେଉଁମାନେ ମା ବାପା ପାଇଥାନ୍ତି ସେମାନେ ବୋଧେ ମା ବାପାଙ୍କ ମହତ୍ବ ବୁଝି ନଥାନ୍ତି।

ଆମକୁ ପଚାରନ୍ତୁ ବିନା ମା ବାପରେ ଯେଉଁ ପିଲା ବଢିଥାଏ ତାଙ୍କ

ଜୀବନ କେତେ ବା ହୁତାଶମୟ।ଆପଣ ନିଶ୍ଚିନ୍ତ ରୁହନ୍ତୁ ଅଭିଯୋଗର ଅବକାଶ ମିଳିବନି।

 ପରିଚାଳକ ଯୋଗେଶ ବାବୁ ଭିତରକୁ ଯାଇ ଜଣେ ଷାଠିଏ ପଅଁଷଠି

ବର୍ଷର ବୟସ୍କ ମହିଳାଙ୍କୁ ଡାକି ଆଣିଲେ।କହିଲେ,

--ଏ ମାଳ ମାଉସୀ ବହୁତ୍ ସ୍ନେହି ଓ ଭଲ ଲୋକ।ମୁଁ ତାଙ୍କୁ ସବୁ କଥା ବୁଝାଇ କହି ଦେଇଛି। ସେ ଯିବାକୁ ପ୍ରସ୍ତୁତ ମଧ୍ୟ।

--ହେଲେ ତାଙ୍କ ପୁଅ ଝିଅ ଯଦି ତାଙ୍କୁ ଦେଖା କରିବାକୁ ଆସନ୍ତି, ତାହେଲେ ଆପଣ କ'ଣ କହିବେ।

ରେଖା କଥା ଶୁଣି ଯୋଗେଶ ବାବୁ ହସିଲେ ଓ ଏକାନ୍ତରେ ଡାକି କହିଲେ କହିଲେ,

--ଏଠି ଛାଡିଲା ପରେ ଆଉ କେହି ଏମାନଙ୍କୁ ଖୋଜନ୍ତିନି।

ବରଂ ମୃତ୍ୟୁ ସମ୍ବାଦକୁ ଅପେକ୍ଷା କରି ରହିଥାନ୍ତି। ଚାରି ବର୍ଷ ଭିତରେ ଥରେ ବି କେହି ଆସି ନାହାନ୍ତି ୟାଙ୍କୁ ଦେଖା କରିବାକୁ।ମୁଁ କାଲି ତାଙ୍କ ପୁଅ ପାଖକୁ ଖବର ଦେଇ ଦେବି। ଆପଣ ନିଶ୍ଚିନ୍ତ ରୁହନ୍ତୁ କେହି କେବେ ତାଙ୍କୁ ଖୋଜିବେନି ବରଂ ଖୁସି ହେବେ।

 ପରିଚାଳକ ମାଳ ମାଉସୀ ଙ୍କୁ ରେଖା ଓ ରାକେଶ ସହିତ ଚିହ୍ନା କରାଇ ଦେଲେ।ରେଖା ଓ ରାକେଶ ତାଙ୍କୁ ପ୍ରଣାମ କଲେ।ମାଳ ମାଉସୀଙ୍କୁ ରାକେଶ କହିଲା,

--ଆପଣ ଆମଘରକୁ ଆମର ମା ଓ ଆମ ଝିଅର ଜେଜେ ମା ଭାବରେ ଯାଉଛନ୍ତି ।ଆଜିଠୁ ଆପଣ ଆମ ପରିବାରର ଜଣେ ସଦସ୍ୟ।ଜୀବନରେ ଆମେ ମା'କୁ ଦେଖିନୁ କି ମା'ର ସ୍ନେହ ଜାଣିନୁ ।ଅନାଥ ଆଶ୍ରମରେ ଫାଦରଙ୍କ ଦୟାରେ ବଢିଥିଲୁ ଏବଂ ତାଙ୍କରି ଦୟାରେ ବିବାହ ବନ୍ଧନରେ ବାନ୍ଧି ହୋଇ ପରିବାର ବସାଇଲୁ ।ଆଶା କରୁଛି ଆପଣଙ୍କୁ ଆମେ ନିଜର ଭାବିବୁ ଓ ଆପଣ ମଧ୍ୟ ଆମକୁ ନିଜର ଭାବିବେ।ତାଙ୍କ କଥା ଶୁଣି ମାଳ ମାଉସୀ କାନ୍ଦି ପକାଇ କହିଲେ।

- ମୁଁ ଯେ ଏମିତି ଗୋଟିଏ ପରିବାର ଭିତରକୁ ଯିବି କଳ୍ପନା ସୁଧ୍ୟା କରିପାରି ନଥିଲି। ଭଗବାନ ଯଦି ସୁଯୋଗ ଦେଉଛନ୍ତି ନିଶ୍ଚୟ ତାର ସଦ୍ ଉପଯୋଗ କରିବି।

ସେଦିନ ମାଳ ମାଉସୀ ମାଳ ମା ପାଲଟି ଯାଇଥିଲେ। ଲିନା ସ୍କୁଲରୁ

ଫେରିବା ପରେ ରେଖା ଚିହ୍ନାଇ ଦେଇଥିଲା,

--ଦେଖ୍ ଏ ତୋର ଜେଜେ ମା ,ପାପା ଗାଁରୁ ଫୋନ କରି ଡକାଇଛନ୍ତି।

ଲିନା ଯାଇ ଜେଜେ ମା' କହି କୋଳରେ ବସିଯାଇ କହିଚି,

--ତୁମର କେମିତି ମୋ କଥା ମନେ ପଡୁ ନଥିଲା ଜେଜେ ମା!! ମୁଁ ମନେ ପକାଇବାରୁ ଆସିଲ।

 ଜେଜେ ମା ଡାକରେ ଅଭିଭୂତ ହୋଇ ମାଳ ମାଉସୀ ଆଖିରୁ ଲୁହ ଵୋହି ଯାଉଥିଲା।କହିଲେ,

--ନା ରେ ମା ବାଟ ବହୁତ ଦୂର ଥିବାରୁ ଆସି ପାରୁନଥିଲି।

--ମତେ ଆଉ ତୁମେ ଛାଡିକରି ଯିବନି ତ ଜେଜେ ମା।

ମାଳ ଲିନାକୁ କୁଣ୍ଢାଇ ଧରି କାନ୍ଦି କହିଲେ

--ନା ରେ ମା, ଜେଜେ ମା ମାନେ କେବେ ଛାଡନ୍ତିନି!!

--ତୁମେ ମୋ ସହିତ ଖେଳିବ,ମତେ ଗପ କହିବ ନା!!

--ମୁଁ ତ ତୋ ସହିତ ଖେଳିବି ଓ ତତେ ଗପ କହିବି ବୋଲି ତରସି ଯାଉଥିଲି। ଆଜିଠୁ ତୋର ମୋର ସାଙ୍ଗ ।

ସେଦିନଠୁ ଲିନାର ମନ ଖୁବ୍ ଖୁସୀ।ଆନନ୍ଦରେ ସେ ତା ଜେଜେ ମା 'ଙ୍କ ସହିତ ଦିନ କଟଉଥିଲା ।ପରିବାରରେ ବି ଏକ ଆନନ୍ଦମୟ ବାତାବରଣ ଖେଳିଯାଇଥିଲା। ଅଭିନୟ କରୁ କରୁ ମାଳ ମାଉସୀ ପରିବାରର ଜଣେ ପ୍ରକୃତ ସଦସ୍ୟ ପାଲଟି ଯାଇଥିଲେ।ମାଳ ମାଉସୀ ଭାବୁଥିଲେ ପ୍ରକୃତରେ ଜନ୍ମିତ ସନ୍ତାନ ଅପେକ୍ଷା ଏ ଅନାଥ ଆଶ୍ରମ ସନ୍ତାନ ମାନେ ସତରେ କେତେ ଭଲ !!!!ଯେଉଁମାନେ ତାଙ୍କ ପରି ଲୋକଙ୍କୁ ଅଦରକାରୀ ନଭାବି ମୂଲ୍ୟବାନ ମନେ କରୁଛନ୍ତି।


Rate this content
Log in