Jyotiranjan Sahu

Others

1.0  

Jyotiranjan Sahu

Others

ହଁ ! ସେଇଟା ଭୂତ ଥିଲା

ହଁ ! ସେଇଟା ଭୂତ ଥିଲା

6 mins
683



ଆଜିକୁ ପ୍ରାୟ ତିରିଶି ବର୍ଷ ତଳର ଜହ୍ନମାମୁଁ କଥା କେବେ ଆପଣମାନଙ୍କର ମନେପଡେ !! ମନେପଡେ ସେ ଜୀବନ୍ତ ଚିତ୍ରସବୁ ! ଯେଉଁ ଚିତ୍ରସବୁକୁ ଦେଖିଲେ ମନରେ କେମିତି ଗୋଟିଏ ଶିହରଣ ଖେଳିଯାଏ ! ଆଜି ଯେତେବେଳେ ବି ମୋର ଜହ୍ନମାମୁଁ କଥା ମନେପଡେ ସେତେବେଳେ ମନେପଡିଯାଏ ବେତାଳ କଥାର ସେ ଭୟଂକର ମଣିଷ ଖପୁରୀ ଚିତ୍ରିତ ପୃଷ୍ଠାଟା । ଆଉ ସବୁ ଥରପରି ବେତାଳ କଥାର ଶେଷ ଚିତ୍ରଟାରେ ଲମ୍ବା ଲାଞ୍ଜର ବେତାଳଟା ଅନେକ ପ୍ରହେଳିକା ସୃଷ୍ଟି କରିଦିଏ ପାଠକଙ୍କ ମନରେ । ସବୁ ସ୍ମୃତିଗୁଡା ଏବେ ଧୂଆଁଳିଆ ଦିଶିଲାଣି କିନ୍ତୁ ଆଜି ବି ମହାରାଜା ବିକ୍ରମାଦିତ୍ୟଙ୍କର ସେ ଶବ କାନ୍ଧେଇବା ଚିତ୍ରଟା ମନରେ ସତେଜ ହୋଇ ସେମିତି ରହିଛି । ସାନବେଳେ ଯେତେବେଳେ ମୁଁ ଅନ୍ଧାରରେ ଭୟଭୀତ ହୋଇଯାଉଥିଲି ମନରେ ବେତାଳ କଥାର ରାଜାଙ୍କ ସାହସ ମନେପଡିଯାଉଥିଲା । ମନେମନେ ମୁଁ ନିଜକୁ ସେ ବିକ୍ରମାଦିତ୍ୟଙ୍କ ଜାଗାରେ ରଖିଦେଉଥିଲି । ମୋ ପରି ଅଧିକାଂଶ ଲୋକ ମନରେ ଭୟ ଆସିଲେବି ବେତାଳ ବା ଭୂତ ବିଷୟରେ ଜାଣିବାକୁ ସେମାନଙ୍କର ଭାରି ଇଚ୍ଛା । ହୁଏତ ସେମାନେ ସର୍ବସମ୍ମୁଖରେ ନମାନିପାରନ୍ତି । ସେହିଭଳି ତିରିଶି ବର୍ଷ ତଳେ ସେଦିନ ବି ମନରେ ଭୟ ଥାଇ ମୁଁ ମୋ ଜେଜେଙ୍କୁ  କହିଲି " ଜେଜେ ! ଜେଜେ ! ମୋତେ ଗୋଟେ ଭୂତ ଗପ କୁହ " । ଏତିକି କହି ମୁଁ ଟିକିଏ ଜେଜେଙ୍କ ଆଡକୁ ଭିଡିଗଲି । ଜେଜେ ହସିଦେଲେ । କହିଲେ " ଶୁଣ୍ ! ମୁଁ ନା' ଭୂତ ଦେଖିଛି " । ଏତିକି ଶୁଣିଦେଇ ମୋ ମନର ଉତ୍ସାହଟା ଦୁଇ ଗୁଣ ବଢିଗଲା । ଜେଜେ ଆରମ୍ଭ କଲେ :


     " ମୁଁ ସେତେବେଳେ ଧାନ ବିକିବାକୁ ହାଟରୁ ହାଟ ବୁଲୁଥିଲି । ଆଜି ଏ ଗାଁ ହାଟ କାଲି ସେ ଗାଁ ହାଟ । ହାଟ ସାରି ଘରକୁ ଫେରିଲା ବେଳକୁ ରାତି କେତେଟା ହୋଇଯାଇଥାଏ ମୁଁ ଜାଣେନି ! ସେତେବେଳେ ଆଜିକାଲିକା ଭଳି ହାତ ଘଣ୍ଟା କାହିଁ ! ଦିନକର କଥା । ମାଟିଆ ବେଡା ହାଟକୁ ଧାନ ବିକିବାକୁ ଯାଇଥାଏ । ଦୁଇଦିନ ପରେ ମକର । ପିଲାଙ୍କ ପାଇଁ ନୂଆ ଜାମା ଆସିବ । ପିଠାପଣା ହେବ । ବନ୍ଧୁବର୍ଗ ଆସିବେ । ବାଣ କିଣା ହେବ । କେତେ କଥା ହେବ । ଆଉ ସେଇଥି ପାଇଁ ସେଦିନ ଧାନ ବିକିବା ନିହାତି ଦରକାର ହେଉଥାଏ । ହେଲେ ମୋର ଦୁର୍ଭାଗ୍ୟ ଯେ ସେଦିନ ମୋଠାରୁ କେହିହେଲେ ଧାନ କିଣିଲେ ନାହିଁ । ଜଗି ଜଗି ସଂଧ୍ୟା ହେଲା । ଶୀତ ଦିନେ ଟିକିଏ ଶୀଘ୍ର ସଂଧ୍ୟା ହୋଇଯାଏ । ସେଦିନ କିନ୍ତୁ ସଂଧ୍ୟାରୁ ପୁଣି ରାତି ହୋଇଗଲା । ମନ ଦୁଃଖରେ ମୁଁ ବସିଥାଏ । ସମସ୍ତେ ଧାନ ବିକି ହାଟ ଛାଡିବାକୁ ବସିଥାଆନ୍ତି । ହେଲେ ମୁଁ କିନ୍ତୁ ହାଟରେ ସେମିତି ବସିଥିଲି । ଅନେକ ସମୟ ବିତିଗଲା । ଦୁଇ ଚାରିଟା ହାଣ୍ଡିଆ ଦୋକାନ ଛାଡି ବାକି ସବୁ ବନ୍ଦ ହୋଇଯାଇଥାଏ । ଘରକୁ ଯିବି ବୋଲି ଭାବିଲେବି ଯିବି କେମିତି ? ଏତେ ଧାନ ଥାଏ ପାଖରେ ; ପୁଣି ଯିବାକୁ ପଇସା ନାହିଁ । ଭାବିଥିଲି ଧାନ ବିକି ସେହି ପଇସାରେ ଘରକୁ ଲୁଗାପଟା କିଣି ବେଳାବେଳି ଫେରିଯିବି । ଖୁବ୍ ବଳୁଆ ଥିଲି ମୁଁ । ଚାଲିଚାଲି ଘରକୁ ଫେରିଯିବି ବୋଲି ଭାବିଥିଲି । ସବୁଥର ଫେରିଲାବେଳେ ଚାଲିଚାଲି ଘରକୁ ଫେରେ । ଶଗଡ ବାଲାକୁ ପଇସା କିଏ ଦେବ ଯେ ! କିନ୍ତୁ ସେଦିନ ସବୁ ଏପଟ ସେପଟ ହୋଇଯାଇଥିଲା । ଶଗଡିଆ ସବୁ ହାଟ ଛାଡିସାରିଥିଲେ । ଧାନ ବିକ୍ରି ନହେଲା ପର୍ଯ୍ୟନ୍ତ ଉପାୟ ଆଉ କିଛି ନଥିଲା । ଧାନଟା ବିକ୍ରି ହେଲେ ଯେତେ ରାତି ହେଉ ମୁଁ ଚାଲିଚାଲି ଘରକୁ ଫେରିଯାଇ ପାରିବି । ହେଲେ ଧାନ ବିକ୍ରି ହେଲେ ତ ! ଅନେକ ସମୟ ପରେ ଲୋକଟିଏ ଆସିଲା । ସେତେବେଳକୁ ସଂଧ୍ୟା ଅନେକ ବେଳୁ ଗଡିସାରିଥାଏ । ସେ ଲୋକଟି ଆସି ପଚାରିଲା " ହୋଇରେ ! ଧାନ ମହଣ କେତେ "? ରାତି ମାଡିଆସୁଥିବାରୁ ମୋ ମୁହଁରୁ ବାହାରି ଗଲା " ଦୁଇ ଦିନ ପରେ ମକର । ଦେଖିକି ଯାହା ଦେବେ ଦିଅନ୍ତୁ ଆଜ୍ଞା । ମୁଁ ଶୀଘ୍ର ଘରକୁ ଫେରିବି । ରାତି ଏଣେ ଅନେକ ହେଲାଣି " । ସେ ଲୋକ ଯାହା ଦେଲା ସେତେକ ଅଣ୍ଟାରେ ଖୋସି ଘରକୁ ଫେରିଲି । ହାଟରୁ ଘର ତେଣେ ଆଠ/ ଦଶ ମାଇଲ ବାଟ । ତେବେ ଡେରି ହେବା ସତ୍ତ୍ବେ ମୁଁ ଘରକୁ ବାହାରିଲି । ଭାବିନେଲି ଚାଲିଚାଲି ଦୁଇ ଘଣ୍ଟାରେ ପହଞ୍ଚିଯିବି । ଯଦି ରାସ୍ତାରେ ସାଇକେଲିଆ କେହି ମିଳିଲା ତାହେଲେ ତ ଶୀଘ୍ର ପହଞ୍ଚିଯିବି । ମା ଦୁଆର ଶୁଣୀ ; ମା କଳାପାଟ ନାଁ ନେଇ ଯିବାକୁ ବାହାରିଲି । ସେତେବେଳେତ ପାଦଚଲା ରାସ୍ତା । ଆଜିକାଲିକା ଭଳି ରାସ୍ତାକଡ ଆଲୁଅ ବି ନଥିଲା । ମୁଁ ଶୀଘ୍ର ଶୀଘ୍ର ପାଦ ପକାଉଥାଏ ଘରକୁ ଫେରିବାକୁ ସେହି ଜହ୍ନ ରାତିରେ । ଅନେକ ବାଟ ଚାଲି ସାରିଥାଏ । ହେଲେ ସେଦିନ କାହିଁକି କେଜାଣି ବାଟଟା ବହୁତ ଲମ୍ବା ଜଣାପଡୁଥାଏ । ହାଡ ଭଂଗା ଶୀତୁଆ ରାତିରେ ମୋ ଦେହରୁ ଗମ୍ ଗମ୍ ଝାଳବହୁଥିଲା । ଅନେକ ବାଟ ଚାଲିଆସିଲା ପରେ ଝରଣ ଗାଁ ମୁଣ୍ଡ ପୋଖରୀଟା ଦିଶିଲା । ମନେମନେ ଭାବିଲି ଆଉ ତିନି ମାଇଲି ରହିଲା । ସେତିକିବେଳେ ମୋତେ ଲାଗିଲା କେହି ଜଣେ ଯେମିତି ମୋ ସହ ଚାଲିଛି । ଅନ୍ଧାର ରାତିରେ ଟିକ୍ ଭାବେ ଜଣାପଡୁନଥିଲାବ। କିନ୍ତୁ ମୁଁ ନିଶ୍ଚିତ ଥିଲି କେହି ଜଣେତ ମୋ ସହ ଚାଲୁଛି । ହେଲେ ଏତେ ରାତିରେ ! ମୋ ଦେହଟା ଟିକିଏ ଶୀତେଉଠିଲା । ମୁଁ ହନୁମାନ ଚାଳିଶା ମନମନେ ଗୁଣୁଗୁଣୁ କରିବା ଆରମ୍ଭ କରିଦେଲି । ମନେମନେ ଠାକୁରଙ୍କୁ  ଡାକୁଥାଏ । ସେତିକିବେଳେ ଦୂରରୁ ଲାଗିଲା ପୋଖରୀ ଆର ପାଖ ରାସ୍ତା କଡକୁ ଥିବା ବିରାଟ ଅଶ୍ବସ୍ତ ଗଛ ମୂଳରେ କେହି ଯେମିତି ଛିଡା ହୋଇଛି । ମୁଁ ଶୀଘ୍ର ଶୀଘ୍ର ପାଦ ପକାଇ ସେଠାରେ ପହଞ୍ଚିଗଲି । ଅନ୍ଧାରରେ ମୁହଁଟା ଯଦିଓ ଭଲ କି ଦେଖାଯାଉନଥାଏ କିନ୍ତୁ ସେ ଜହ୍ନ ରାତିରେ କେହିଜଣେ ଛିଡା ହୋଇଥିବାର ସ୍ପଷ୍ଟ ଜଣାପଡୁଥାଏ । ମୁଁ ସେଠାରେ ପହଞ୍ଚି ଖୁବ୍ ଜୋର୍ରେ ପାଟିକରି ପଚାରିଲି " କିଏ ସେଇଠି ଛିଡା ହୋଇଛ " ? କିଛି ସମୟ ପରେ ସେପଟରୁ ଉତ୍ତର ଆସିଲା " ଭାଇ ! ମୁଁ ! ଯିଏ ତୁମ ପାଖରୁ ଧାନ କିଣିଥିଲା । ମୋ ସାଂଗରେ ଟିକିଏ ଯାଆନ୍ତ ନି ! ମୋ ଶଗଡଟା ଟିକିଏ ଆଗକୁ କାଦୁଅରେ ପଶିଯାଇଛି । କାଦୁଅରୁ ଉଠିଗଲେ ମୁଁ ତୁମକୁ ନେଇ ତୁମ ଘରେ ଛାଡି ଆମ ଗାଁକୁ ଚାଲିଯିବି " । ତେବେ ଏତେ ରାତିରେ ମଣିଷର ସ୍ୱର ଶୁଣି ମନକୁ ଟିକିଏ ସାହସ ଆସିଲା । ବଢିଚାଲିଥିବା ହୃତସ୍ପନ୍ଦନଟା ଟିକିଏ ଶାନ୍ତ ପଡିଲା । ମନେମନେ ଭାବିଲି ଟିକିଏ ସାହାଯ୍ୟ କଲେ ସେ ଯଦି ମୋତେ ଘରେ ପହନ୍ଚାଇଦେବ ତାହାହେଲେ କ୍ଷତି କଣ ? ମୋତେ ବି ସାହସ ହେବ ଜଣେରୁ ଦି'ଜଣ ହେଲେ । ମୁଁ କହିଲି " ହଁ ଚାଲ ଚାଲ " । ଏହା ପରେ ସେ ଲୋକ ଜଣକ ଆଗେ ଆଗେ ଚାଲିଲା ; ଆଉ ମୁଁ ତା ସହ ଗପି ଗପି ତା ପଛେପଛେ ଚାଲିଲି । ସେ ଲୋକଟି ପଚାରିଲା " ଏତେ ରାତିରେ ଏକୁଟିଆ ଚାଲିଚାଲି ଯାଉଛ ଯେ ! ଭୟ ଲାଗୁନି କି " ! ମୁଁ କହିଲି " ଭୟ କାହିଁକି ଲାଗିବ ! ତୁମେ ଆଜ୍ଞା ତ ଅଛ ! ଆଉ ତାପରେ ବି ଏଇ ରାସ୍ତାଟା ମୋର ଭାରି ଜଣାଶୁଣା " । ଏହା ଶୁଣି ସେ ଲୋକଟି ଖୁବ୍ ଜୋର୍ ହସିଦେଲା । କହିଲା 'ଜାଣିଛ ନା' ! ଏଇ କିଛି ଦିନ ଆଗରୁ ଝରଣ ଗାଁ ସାହୁକାରକୁ କିଏ ଜଣେ ମାରିଦେଇଛି ' ? ' କିଏ ମାରିଲା ' ବୋଲି ମୁଁ ପଚାରିଲି । ସେ କହିଲା ' ଗତ ପୁନେଇଁ ରାତିରେ ମାଟିଆ ବେଡା ହାଟରୁ ମହାଜନ ସୁଧ ନେଇ ଫେରୁଥିଲା । ବହୁତ ଖରାପ ଲୋକଟା । ଅଧିକ ଦି ଅଣା ନେଇଯିବ ସିନା ଅଣାଟିଏବି ଛାଡିବନି । ସୁଧ ଆଦାୟ କରୁକରୁ ବୋଧେ ଡେରି ହୋଇଯାଇଥିଲା । ଏଇ ତୁମ ଭଳିଆ ରାତି ଅଧରେ ଏଇ ରାସ୍ତାରେ ଯାଉଥିଲା । ହଠାତ୍ ଗୋଟେ ଲୋକ ସହିତ ଦେଖ‍ାହେଲା । ଲୋକଟି ତାକୁ ପଇସା ଦେବ କହିଲା ଆଉ ମହାଜନ ପଇସା ଲୋଭରେ ସେ ଲୋକସହ ଚାଲିଗଲା । ତା ପରଦିନ ସାହୁକାର; ସେଇ ଯେଉଁ ପୋଖରୀ ମୁଣ୍ଡରେ ବଡ ବଉଳ ଗଛଟା ଦେଖୁନ ସେଇଠି ଜିଭ କାମୁଡି ମରିକି ପଡିଥିଲା । ଲୋକ କହିଲେ ସାହୁକାରକୁ ଚୋର ମାନେ ମାରିଦେଲେ । ବୋକା ଗୁଡାକ । ଜାଣି ନାହାନ୍ତି ଅଧ ରାତିରେ ଏହି ରାସ୍ତାରେ ଭୂତ ବୁଲେ ବୋଲି । ମହାଜନ ଯେଉଁ ଲୋକଟା ସହ ପଇସା ଲୋଭରେ ଯାଇ ଥିଲା ସେଇଟା ପରା ବ୍ରହ୍ମ ରାକ୍ଷସଟା । କେତେବେଳେ କି ବେଶ ବଦଳେଇବ କହିହେବନି ' । ତା କଥା ଶୁଣି ମୋ ଚେତା ବୁଡିଗଲାପରି ଲାଗିଲା । ଏତେ ସମୟ ଧରି ସାହସରେ ବାଟ ଚାଲୁଥୁବା ମୋ ପଦଇ ଦୁଇଟା ହଠାତ୍ କେମିତି ଥରିବାକୁ ଲାଗିଲା । ମନେମନେ ଭାବୁଥାଏ କାହିଁ ଏତେବାଟ ଆସିଲା ପରେ ବି କେଉଁଠି ତ ଶଗଡଗାଡିଟା ଦିଶୁ ନାହିଁ । ସବୁଆଡେତ ଖାଲି ଅନ୍ଧାର ଝିଂକାରୀର ଶବ୍ଦ ଆଉ ଜହ୍ନ ରାତି ର ଅସ୍ପଷ୍ଟ ଦୁନିଆଁ । ମନଟାକୁ ମୋର ପାପ ଛୁଇଁଲା । ମୁଁ ମନେମନେ ଖୁବ୍ ଡରିଯାଇଥିଲି । ମନେରେ ଆସୁଥିଲା ଯଦି ଏତେ କଥା କେହି ଜାଣି ନାହାନ୍ତି ତାହା ହେଲେ ଏ ଲୋକଟା ଏତେ କଥା ଜାଣିଲା କେମିତି ? ହଠାତ୍ ମୋ ନଜରଟା ଯେତେବେଳେ ତା ଉପରେ ପଡିଲା ମୁଁ ଦେଖିଲି ଲୋକଟା ଏହା ଭିତରେ କେତେବେଳେ ଦୁଇ ମଣିଷ ଲମ୍ବା ହୋଇ ଯାଇଥିଲା । ସେତେବେଳକୁ ମୋର ପାଟି ଖନି ମାରିଗଲାଣି । ସେ ମୋ ସହ ଯାହା କଥା ହେଉଥିଲା ମୁଁ ଖାଲି ହଁ ନାଁରେ ଉତ୍ତର ଦେଉଥିଲି । ଆଗରେ ମରଣକୁ ଦେଖି ମୁଁ ମୋ ଠେଗାଂଟା ସେ ଲୋକଟା ଆଡକୁ ଫିଂଗି ଏକ ନିଃଶ୍ୱାସରେ ପଛକୁ ଦୌଡିଲି । ଦୌଡି ଦୌଡି ଝରଣ ଗାଁ ବିଷ୍ଣୁ ସାହୁ ପକୁଡି ଦୋକାନରେ ଅଚେତ୍ ହୋଇପଡିଗଲି । ତା ପରଦିନ ସକାଳୁ ଊଠି ଦେଖିଲି ମୁଁ ବଞ୍ଚିଛି । ହଠାତ୍ ମୋତେ ଲାଗିଲା କିଏ ଯେମିତି ମୋ କାନ ପାଖରେ କହିଗଲା ' ବଞ୍ଚିଗଲୁରେ ! ହେଲେ ମୁଁ ପୁଣି ଆସିବି " !! ଜେଜେଙ୍କ କଥା ଶୁଣି ସାରିଲା ପରେ ମୁଁ କହିଲି " ଜେଜେ ! ସେଇଟା ଭୂତ ଥିଲା କି " ? ଏଥର ଜେଜେ ହସିଦେଇ କହିଲେ " ହଁ ! ସେଇଟା ଭୂତ ଥିଲା " ॥ 



Rate this content
Log in