Panchanan Jena

Others

4.0  

Panchanan Jena

Others

ହଳଦୀପତ୍ର ପିଠା

ହଳଦୀପତ୍ର ପିଠା

5 mins
275


ଜେନାବାବୁ ନବୋଦୟ ବିଦ୍ୟାଳୟ ,ୟାନମ, ପୁଦ୍ଦୁଚେରୀରେ ଅଧୁନା କାର୍ଯ୍ୟରତ | କୌଣସି ଏକ କୁହୁଡିବଳୟରେ ଘେରା ଶୀତ ସକାଳ | ଚେନା ଚେନା ସୂର୍ଯ୍ୟ କିରଣ କୁଝ୍ହଟିକାର ବକ୍ଷ ଚିରି ବିଞ୍ଚି ପଡୁଛି ଘଞ୍ଚ ନାରିକେଳ ପତ୍ର ଗହଳରୁ |ଅନାମଧେୟ ବିହଗ-ବିହଙ୍ଗମ ଗୋଷ୍ଠୀର କଳରବ ଶୁଭ ସକାଳର ଆବାହନୀ ସଙ୍ଗୀତ ପ୍ରାୟ ପ୍ରତୀତ ହେଉଛି | ଦ୍ଵିତୀୟ ପିରିଅଡ ପରେ ପରେ ପୁସ୍ତକାଳୟକୁ ପଶୁ ପଶୁ ଲାଇବ୍ରେରିଆନ ଲତା ମ୍ୟାଡାମ ଜେନା ସାରଙ୍କୁ ଦେଖନ୍ତେ କହି ପକେଇଲେ –


“ସାରେ ! ଏଇଟା ପଢନ୍ତୁ ଏବଂ ପରେ ମୁଁ ଗୋଟିଏ କଥା କହିବି | “ Down to Earth “ ମ୍ୟାଗାଜିନ ଟି ବଢେଇଦେଲେ ଜେନା ସାରଙ୍କ ହାତକୁ | ବାଙ୍କୁଲି ଚନ୍ଦ୍ରର ସ୍ମିତହାସ୍ୟ ଭଳିଆ ଚେନାଏ ହସ ଫୁଟେଇଦେଇ ଚୁପ ଚାପ ଇଜି ଚଉକିରେ ବସିପଡିଲେ ଚିରାଚରିତ ଢଙ୍ଗରେ ପୁସ୍ତକାଳୟ କକ୍ଷ୍ୟରେ |


ସାର ଡାହାଣ ହାତରେ ମ୍ୟାଗାଜିନ ଟା ନେଉ ନେଉ କେତେ କଣ ଭାବିଗଲେ | ମନରେ ଇନ୍ଦ୍ରିୟରେ କେତେ କଥା ସବୁ ଉଦଣ୍ଡି ସୀତା ଭଳିଆ ଆତଯାତ ହେଲେ |


କିଛି ଷ୍ଟାଇକିଙ୍ଗ ଡ଼ିସକଭରିର ଖବର କି ?କିଛି ବିଜ୍ଞାନ ସମ୍ମତ ନୂତନ ନବୀନ ଖୋଜ ଖବର କି ? କିଛି ହିଷ୍ଟୋରିକାଲ ଏକ୍ସକେଭେସନ ବା ଏକ୍ସପ୍ଲୋରେସନର ନୂଆ ପ୍ରାସଙ୍ଗିକ ଡାଟା କି ? ହରପା ସଭ୍ୟାତାର ଲିପି ଯାହା ଆଜିପର୍ଯ୍ୟନ୍ତ ପଢା ହୋଇପାରିନଥିଲା ତାର କିଛି ସୁରାଗ ସମ୍ବନ୍ଧୀୟ ତଥ୍ୟ କି ? କାରଣ ଜେନା ବାବୁ ଇତିହାସର ଶିକ୍ଷ୍ୟକ | ତେଣୁ ଐତିହାସିକ ପୃଷ୍ଠଭୂମିରେ ଭାବିବସିଲେ |


ଆଖି କିନ୍ତୁ ଟାଣି ହୋଇ ଯାଉଥାଏ ମ୍ୟାଗାଜିନର ପୃଷ୍ଠା ଉପରକୁ | ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥରେ ଉଲଟାଇଦେଲେ | ଏକ ଅହେତୁକ ଉତ୍ସୁକତା ଆଉ ଶିଶୁ ସମ ଜିଗୀଷାର ଉନ୍ମାଦନା ତାଙ୍କୁ ଆବୋରି ଥାଏ | ମ୍ୟାଡାମ ନିହାତି କିଛି ତାଙ୍କ ଉପଯୋଗୀ ତଥ୍ୟ ଦେଖିଥିବେ ଆଉ ସାନ ଭାଇ ହିସାବରେ କାମରେ ଆସିବା ନ୍ୟାୟରେ ସରାଗରେ ମୋତେ ଦେଲେ | କିନ୍ତୁ କାହିଁ ? ସେମିତି କିଛି ଆଖି-ଦୃଶିଆ ଫୋଟୋ-ଫ୍ରେମିଆ କାଟୋନ-ସାଙ୍ଗିଆ ଦୃଷ୍ଟିଗୋଚର ହେଲାନି | ଏପ୍ରିଲ ଫୁଲ ତ ନୁହଁ ? ଷ୍ଟାଫ ରୁମ କାନ୍ଥରେ ଟଙ୍ଗା କ୍ୟାଲେଣ୍ଡରକୁ ଦେଖିଲେ ଆଉ ଆଶ୍ଵସ୍ଥ ହେଲେ କି ମାସତ ଡିସେମ୍ବର |


ସେମିତି କିଛି ଆଖି ଗୋଚର ହେଲାନି | ମନ ତ ମାନୁ ନ ଥାଏ  | ଲତା ମ୍ୟାଡାମଙ୍କର ଆଉ ସେବାନିବୃତ୍ତିକୁ ମାତ୍ର ବର୍ଷେ ବାକି ଅଛି | ସେ ତ ସବୁବେଳେ ଗୁରୁଗମ୍ଭୀର | ବୟସର ପରିପକ୍ଵତା ଈଷତ ପାଚିଲା କେରା କେରା କିଛି ବାଳ ସୁଚେଇ ଦେଉଥାଏ | ମଜା ଥଟ୍ଟା ତାଙ୍କ ପାଖ ତ କେବେ ମାଡ଼େନି | କମେଡି ସହିତ ତାଙ୍କର କଟଟି |ଏମିତି ଭାବୁ ଭାବୁ ଝିଭ କାମୁଡି ପକେଇଲେ ସାରେ | କି ବେକାରିଆ ଲୋକ କେଜାଣି ମୁଁ | ଧେତ ତେରିକା | ଆଲ ଇଜ ୱେଲ || ଆଲ ଇଜ ୱେଲ |


ପୁଣି ସୂଚୀପତ୍ରରୁ ଆଉ ଥରେ ଆଖି ପକେଇଲେ | ଦେଖିଲେ ଓଡିଶା କୁଳିନାରୀ ସ୍ପେଶିଆଲ ୩୫ ପୃଷ୍ଠାରେ ଶ୍ରୀମତୀ ସ୍ନିଗ୍ଧା ଦାଶଙ୍କର ହଳଦୀପତ୍ର ପିଠା ଶୀର୍ଷକ ଆର୍ଟିକିଲ ବାହାରିଛି |


ନିଜକୁ ସମ୍ଭାଳିପାରି ନ ଥିଲେ ସେଦିନ | ପ୍ରୁଷ୍ଠାର ଫଡ ଫଡ ଭିତରେ ଉଲଟେଇ ଚାଲିଥିଲେ | ଦେଖିଲେ ଇଂରାଜୀରେ ଏକ ରୂଚିପୂର୍ଣ ଆଲେଖ୍ୟ ହଳଦୀପତ୍ର ପିଠା ସଚିତ୍ର ସହିତ ବିଦ୍ୟମାନ |ପ୍ରତ୍ୟେକ ପ୍ରବାସୀ ଓଡିଆ ମାନଙ୍କ ପାଇଁ ଶୀତସକାଳର ଜେଜେମା- ମା’-ମାଉସୀଙ୍କ ହାତତିଆରି ହଳଦୀପତ୍ର ପିଠା ଆହେତୁକ ଆକର୍ଷଣ ସାଜିଥାଏ |ପିଠାର ସୁଗନ୍ଧ ଆଉ ମିଠାସ ସହିତ ମା’ ହାତର ସ୍ନେହବୋଲା ପରଶ ପିଠାକୁ ଆହୁରି ରସମୟ କରିଥାଏ | ବାଲ୍ୟ କୈଶୋରର ସେହି ପ୍ରଥମାଷ୍ଟମୀ ପର୍ବ ପାଳନ ଦିନ ହେଉ ଅବା ଶୀତ ଦିନରେ ଯେ କୌଣସି ଦିନ ହଳଦୀପତ୍ର ପିଠାର ହଳଦି ଗୁରୁ ଗୁରୁ ହଳଦିଆ ବାସନା ସମସ୍ତ ଚିନ୍ତା-ଚେତନାକୁ ସମଗ୍ର ମନ-ମଗଜକୁ ସମ୍ପୂର୍ଣ ହୃଦୟ-ତନ୍ତ୍ରୀକୁ – ମଜ୍ଜା- ମସ୍ତିସ୍କକୁ ଏକ ନୂଆ ସମ୍ମୋହନୀ ମାଦକତାରେ ଭରିଦିଏ |


ତଳକୁ ଦରକାରୀ ସାମଗ୍ରୀର (ingredients )ଏକ ସୁବିସୃତ ସୂଚୀ ସହିତ ଫୋଟୋରେ ଉଲ୍ଲିଖିତ –

୧. କଞ୍ଚା ହଳଦୀପତ୍ର -୨୦ ଟି 

୨. ଅରୁଆ ଚାଉଳ ଚୁନା – ୨୫୦ ଗ୍ରାମ 

୩. ରଗଡା ବିରି ଡାଲି ( Urad )- ୫୦୦ ଗ୍ରାମ 

୪. ନଡିଆ କୋରା – ୨୫୦ ଗ୍ରାମ 

୫. ଆଖୁ ଗୁଡ – ୨୦୦ ଗ୍ରାମ 

୬. ଲୁଣ – ଏକ ଚାମୁଚ 

୭. ଅଳେଇଚ – ୩ ଅବା ୪ ଟା 

୮. ବଟା ଅଦା – ୧୦ ଗ୍ରାମ 

ଏମିତି ତଳକୁ ତଳ ପଢୁ ପଢୁ ସାରଙ୍କ ମନକୁ ହଳଦୀ ପତ୍ରଘଡା , ହଳଦୀ ପତ୍ରମୋଡା , ହଳଦୀ ପତ୍ରମଣ୍ଡା ପିଠାର ଅବଏବ ମନକୁ ଆପେ ଆପେ ଆସିଲା | ଆଉ ତଳକୁ ପଢିବାକୁ ପଡିଲାନି | ମନକୁ କିଛି ଜୀବନ୍ତ ଚିତ୍ର ପରିକା , ଚଳଚିତ୍ରର ଫ୍ଲାସବ୍ୟାକ ଭଳିଆ କିଛି ଉଙ୍କି ମାରିଲା | ସବୁ ଡଗ ଡ଼ଗ ହୋଇ ଗୋଟି ଗୋଟି ହୋଇ ମାନସ ପଟଳରେ ଉବୁଟୁବୁ ହେଲେ ଆତଯାତ ହେଲେ | ସେହି ମହିମାମୟି ଜେଜେମା ଠାକୁମା ବୁଢୀମାର କମନୀୟ କାନ୍ତି ସହିତ ହସ ହସ ମୁହଁଟି ଭାସି ଉଠିଲା ସାମନାରେ .


 ଜେଜେମା ବୁଦ୍ଧିମଣୀ ଦେବୀ ଆଜକୁ ଦୀର୍ଘ ୩୦ ବର୍ଷ ତଳୁ ଆରପାରିକୁ ଗଲେଣି |ମାତ୍ର ପ୍ରଥମାଷ୍ଟମୀ ଦିନ ପଢୁଆଁ ଦିନ ତା’ର ହାତ ତିଆରି ହଳଦୀପତ୍ର ପିଠାର ସୁଆଦ –ମିଠାସ ଆଜି ବି ବାରି ପାରିଲେ | ନିଜ ଅଜାଣତରେ ହାତକୁ ବି କେତେଥର ଶୁଙ୍ଘି ପକେଇଲେଣି |


ପ୍ରଥମାଷ୍ଟମୀର ପୂର୍ବ ଦିନ ରାତିରୁ ବୁଢୀମା ଆଉ ଶୁଇବନି | ଉଆଚାଉଳକୁ ପାଣିରେ ବତୁରି, ଢିଙ୍କିରେ ଚୂନା କୁଟି, ଚାଲୁଣିରେ ଚଳେଇ ,ନଡିଆ କୋରି , ଆଖୁ ଗୋଡକୁ ପାଗ ଧରେଇ , ସବୁ ସରଞ୍ଜାମକୁ ମିଶେଇ ଗୋଳେଇ , ମାଟି ହାଣ୍ଡିରେ ଚୁଲିରେ ବସେଇ , ଖଳି ବାହାର କରି , ପୁର ତିଆରି କରି ,ତାତିଲା ଖଳିକୁ ହାତରେ ଗୋଳା କରି, ଗୋଳା ମଝିରେ ପୁର ପୁରେଇ , ହଳଦୀପତ୍ରରେ ଗୋଡେଇ ପୁଣି ହାଣ୍ଡିରେ ସିଝେଇ ଗରମ ଗରମ ହଳଦୀପତ୍ର ପିଠା ସକାଳୁ ସକାଳୁ ଆମକୁ ଖାଇବାକୁ ଦେବ | ପ୍ରଥମେ ପଢୁଆଁ ମୋ ବଡ ଅପା ପାଗିଳି ଅପା (ରେବତୀ) ନୂଆ ଜାମା ପିନ୍ଧି ଠାକୁର ପାଖରେ ମୁଣ୍ଡିଆ ମାରି ପ୍ରଥମେ ହଳଦୀପତ୍ର ପିଠା ଖାଇବ | ଆମେ ଅନ୍ୟ ଚାରି ଭାଇ ଭଉଣୀ ଅଭାଗା ଭଳିଆ ଚାହିଁ ବସିଥିବା କେତେ ବେଳେ ଅପାର ପୂଜା ପରବ ନୂଆ ଜାମା ପିନ୍ଧା ପରବ ସରିବ | ସେଦିନ ଲାଗେ ଅପା ଆମର ପ୍ରଥମେ ଜନ୍ମ ହୋଇ ଗୋଟେ ଗଡ ଜିତି ନେଇଛି |ପିଠା ଖାଇ ବାପା ସାଙ୍ଗରେ ଝୁଲେ ହଳଦୀପତ୍ର ପିଠା ଧରି ରୁକ୍ମିଣୀ ପିଉସୀ ଘରକୁ ଯାଉ | ସେହି ବାଲ୍ୟ କୈଶୋର ବିଗତ ଦିନର ସ୍ମୃତିସବୁ ଉଙ୍କିମାରିଲା |


ବୁଢୀମା’ର ବଳେଇ ବଳେଇ ହଳଦୀପତ୍ର ପିଠା ଖୁଏଇବା ,ଚିନି ବା ଗୁଡ ସହିତ ଆଉ ସାଙ୍ଗରେ ନଡିଆ କୋରା ମେଞ୍ଚେ ମେଞ୍ଚେ ଥାଳି ପାଖରେ ପକେଇଦେବାର ନିଆରା ସ୍ନେହ –ବୋଳା ପରଷକୁ ମନେ ମନେ ଅନୁଭବ କରନ୍ତେ ଆଖିକୋଣ ଜକେଇ ଆସିଲା | ଆଖି-ନଦୀରେ ବନ୍ୟା ଆସିବାର ଆଭାସ ଦସ୍ତକ ଦେଲା କିନ୍ତୁ କୂଳ ଲଂଘିବା ଆଗରୁ ଜେନା ବାବୁଙ୍କ ରୋମାଲ ତା’ ଉଜାଣି ଶ୍ରୋତକୁ ପୋଛି ପକେଇଲା | 

ବୁଢୀ ମା’ର ହସ ହସ ମୁଁହ –ପାନଖିଆ ପାଟି –ରୂପା ପରି ଚକଚକ ଦାନ୍ତ ସବୁ – ଆକାଶିଆ ଉଢଣାରେ ଢଙ୍କା ତା’ର ଗୋରା ଗୋରା ତକତକ ହସିଲା ପୁରିଲା ମୁଁହକୁ ଯେମିତି ସେ ଦେଖିପାରିଲେ | ବାଲ୍ୟ ଜୀବନର ପେଡି ଖୋଲିଗଲା ପରି କେତେ କଥା-ନଥା ସବୁ ଧାଡି ଧାଡି ହୋଇ ଆଖି ଆଗରେ ଚାଲି ବୁଲିଲେ |


ସ୍ନେହ କାଙ୍ଗାଳି ଜେନା ବାବୁ ! ଆଜିର ଏ ମହରଗ ବସ୍ତୁବାଦୀ ବଜାରମାର୍ଗୀ ଦୁନିଆରେ ସବୁ କିଣିଲେ ମିଳେ | କେବଳ ମିଳିବନି ଜେଜେମାର ବୁଢୀମାର ଆକାପଟ୍ୟ ସ୍ନେହିଳ ପରଶ , ଅମୃତ ଧାରାସମ ଆଶୀର୍ବାଦର କଳସ , ବଳେଇ ବଳେଇ ଖୁଆଇବାରେ ସରସ , କିଛି ନ ମାଗି ସବୁ ଦେଇଦେବାରେ ସହର୍ଷ .........|


ହଠାତ ସ୍କୁଲ ଛୁଟିର ଘଣ୍ଟି ବାଜିଉଠିଲା ଟିଙ୍ଗ-- ଟିଙ୍ଗ – ଟିଙ୍ଗ | ବିଦ୍ୟାଲୟ ପିଅନ ବିଜୟଲକ୍ଷ୍ମୀ ମ୍ୟାଡାମ ତାଙ୍କର ଚିରାଚରିତ ଢଙ୍ଗରେ ଘଣ୍ଟି ବଜେଇଦେଇ ପିଲାମାନଙ୍କ ହସୁଆ-ଖୁସିଆ ଚେହେରାକୁ ଦେଖୁଥିଲେ ଆଉ ନିଜେ ଆପେ ଆପେ ନିଜ ଅଜାଣତରେ ବି ଟିକେ ମୁରୁକି ଦେଉଥିଲେ |


ଜେନା ବାବୁ ମଧ୍ୟ ହସ ହସ ଲାଗୁଥିଲେ | ସକାଳର ଅଳସୁଆମୀର ଚିହ୍ନବର୍ଣ ନାହିଁ | ମ୍ୟାଗାଜିନରେ ଆର୍ଟିକିଲ ହଳଦୀପତ୍ର ପିଠା ପଢି ପ୍ରଥମାଷ୍ଟମୀ ଆଉ ବୁଢୀମା’ର ସୁବାସିତ ସୁଗନ୍ଧିତ ହଳଦୀପତ୍ର ପିଠାର ମିଠାସକୁ ମନେପକେଇବାକ୍ଷଣି ଅଳସୁଆ ମାନ୍ଦା ଅବସ୍ଥା କୁଆଡେ ମନ-ମଗଜରୁ ଉଭାନ ଫେରାର |


ହଠାତ ମନେ ପଡିଲା ଲତା ମ୍ୟାଡ଼ାମ ଆଉ କିଛି କହିବେ ବୋଲି କହୁଥିଲେ ଆଉ ଅଧରରେ ସ୍ମିତହାସ୍ୟର ଛଟା ଓଡିଆ ଘରର ଓଡିଶା ପଦେଶର ହଳଦୀପତ୍ର ପିଠା ଖୁଏଇବାର ଦୁର୍ବାର ଅଭିପ୍ରାୟକୁ ଉଜାଗର କରୁଥିଲା | ମ୍ୟାଡ଼ାମ ଡାଇନିଙ୍ଗ ହଲରେ ଥିବେ | ତାଙ୍କୁ ସେଠାରେ ଧନ୍ୟବାଦ ସହିତ ପିଠା ଖାଇବାର ନିମନ୍ତ୍ରଣ ଆମନ୍ତ୍ରଣ କରିଦେଲେ ଅବଶ୍ୟ ଭଲ ହୁଅନ୍ତା |


ଏମିତି ଏକ ଭାବନାର ଫେଣ୍ଟାଫେଣ୍ଟି ଚିନ୍ତାକଳ୍ପକୁ ମନରେ ଧରି ସ୍କୁଲ ହତାରୁ ବାହାରକୁ ଆସିଲେ |ଅଧୁନା ସବୁ ହସ ହସ ତରୁଳତା ଗଛପତ୍ର ପୁଷ୍ପଫଳ ତାଙ୍କୁ ଯେମିତି ଖୁସିରେ ଚାମର କରୁଥାନ୍ତି ପବନରେ ଢଳି ଦୋହଲି ଆରତୀ ମୁଦ୍ରାରେ ଓଡଶୀ ନର୍ତ୍ତକୀ ପରି |ସସାଗରା ଧାରା ତାଙ୍କୁ ସେହି ମଧୁମୟ ମହିମାମୟ ସୃଷ୍ଟିର ଫୁଟିତ ପୁଷ୍ପିତ ସୁଗନ୍ଧିତ ବୋଲି ଲାଗୁଥାଏ |


ଝୁଣ୍ଟି ପଡିଲେ ସାର | ଜୋତା ନଡିଆ ଫଳ ଉପରେ ନିଜ ଅଜାଣତରେ ଚାପି ହୋଇଯିବାରୁ ତଳେ ପଡୁ ପଡୁ ସମ୍ଭାଳି ନେଲେ |ଦାନ୍ତ କାମୁଡି ପକେଇଲେ ସାରେ |କିନ୍ତୁ ଲାଗିଲା କିଛି ଅସୁବିଧା ହେବ କି ? ଜେଜେମାର ରିଷ୍ଟ କଟିଗଲା କଥା ମନକୁ ଆସିଲା |


ମୁଁ ତ ଘରେ କହିନି | ହଳଦୀପତ୍ର ପିଠା କଥା ଶ୍ରୀମତିଙ୍କୁ ବିନ୍ଦୁ ବିସର୍ଗ ନ ଜଣେଇ ଯଦି ଲତା ମ୍ୟାଡ଼ାମଙ୍କୁ ଅଗତ୍ୟା ନିମନ୍ତ୍ରଣ କରିଦେଇଥାନ୍ତି “ଆ ବଳଦ ମୋତେ ବିନ୍ଧ “ନ୍ୟାୟରେ ଛୋଟକାଟିଆ ଝିମିଟି କଳି –କଜିଆ – ମୁଁହ ଫୁଲା-ଫୁଲି ରାଗ-ରୋଷର ଏକ ଗୀତିନାଟ୍ୟର ଆସର ହୋଇଥାନ୍ତା ଆଜି | ଯାହା ହେଉ ବଞ୍ଚିଗଲି | ଜୟ ନଡିଆ ଫଳ |ଜୟ ଜେଜେମା ବୁଢୀମା ଠାକୁମା |ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବ ତୁମେ |


ମୁଣ୍ଡ ଉଠେଇ ଦେଖିଲେ ଲୋଟଣି ପାରା ଯୋଡିଏ ଫଡ ଫଡ କରି ଉଡି ଉଠିଲେ | ୟାନମର ରୌଦ୍ର ତାପ ପାରାର ଘୁମୁର ଘୁମୁର ମୂର୍ଚ୍ଛନା ସହିତ କେମିତି ଏକ ସୁଖାନ୍ତକ ନାଟକର ପରିସମାପ୍ତିର ସୂଚନା ଦେଉଥିଲା |


Rate this content
Log in