ହାତରେ ମୋ ମୁଠା ମୁଠା ଶରଧା ବାଲି
ହାତରେ ମୋ ମୁଠା ମୁଠା ଶରଧା ବାଲି


ଶାରଦୀୟ ଦଶହରା ଛୁଟି କଟେଇବା ପାଇଁ ସୁଦୂର କେଶିଙ୍ଗା ବ୍ଲକରେ ଉଚ୍ଚପାହ୍ୟାର କିରାଣୀ ମନ୍ମଥ ବାବୁ ସଦଳବଳେ ଅର୍ଥାତ ତିନି ଝିଅ – ମିନା (ମିନାକ୍ଷୀ ), ନୀଳା (ନିଳାକ୍ଷୀ) ଓ ଦୀପା (ଦୀପାକ୍ଷି ), ଛୋଟ ପୁଅ ଶିତୁ ( ଶୀତାଂଶୁ ) ଏବଂ ସହଧର୍ମିଣୀ ବିନି (ବନିତା ) ସହିତ ଯେତେବେଳେ ଯଶୋଦା ବସରେ ଅପରାହ୍ନ ତିନି ଟାରେ ଆସି ଐତିହାସିକ କାଳିପଦା ବସଷ୍ଟାଣ୍ଡରେ ଓଲ୍ହେଇଲେ, ତାଙ୍କୁ ଯେମିତି ସବୁ ନିଜର ନିଜର ଲାଗୁଥିଲା । ନିଜ ଜନ୍ମ ମାଟିର ଗନ୍ଧ ଯେମିତି ନାକ ପୁଡାରୁ ବାରି ପାରୁ ଥିଲେ। ଯେମିତି କିଛି ବଦଳି ନାହିଁ, ସେହି ଧୂଳି ଧୂସରିତ ପେଣ୍ଠ ଜାଗା ।ମାଛ ପାଇଁ ଝଗଡା ଝାଟି । ଚଗଲା କାକାର ମୁଢି ଘୁଘୁନି, ଟୁନା ପଣ୍ଡାର ପେ-ଫୋନ , ମିଟୁ ସଢୁର ଶ୍ରୀଦୁର୍ଗା ମେଡିକାଲ ଷ୍ଟୋର ,ମନୁଆ ସାହୁର ଜଗନ୍ନାଥ ଫୋଟୋ ଷ୍ଟୂଡିଓ , ଅଜିତ ଦାସର ହାଡୱାର ଷ୍ଟୋର , ଗଣେଶ କାକାର ପାନ-ବିଡି-ଚାହା ଗୁମୁଟି , ବାନ୍ତିଆ ନନାର ମନୋହରି , ବିଟ୍ଟୁ ଭୂୟାଁର ତେଜରାତି , ଗୋପାଳ ଦାସର ମିଠା ଦୋକାନ , ଅରବିନ୍ଦର ସାଇରାମ ବସ୍ତ୍ରାଳୟ ଇତ୍ୟାଦି ଇତ୍ୟାଦି ...ଯେମିତି ସବୁ ତା’ରି ଆଡକୁ ଡବ ଡବ ଅନେଇ କରି ଖତେଇ ହେଉଛନ୍ତି ଏବଂ କହୁଛନ୍ତି –“ ଜଣାପଡୁଛି ଛୁଟି ପଡ଼ିଛି; ନୋହିଲେ ପୂରା ବ୍ୟାଟାଲିୟନ ସହିତ ମଥୁରା ପୁରୀ ଆକ୍ରମଣ କିପରି ସମ୍ଭବ ?”
ଆଖି କେତେବେଳେ ଯାଇ ବାଲିଆପାଳର ବରପୁତ୍ର ସ୍ଵର୍ଗତ ବିଧାୟକ ଗଦାଧର ଗିରିଙ୍କ ପ୍ରସ୍ତର ନିର୍ମିତ ପ୍ରତି ମୂର୍ତ୍ତି ଉପରେ ପଡିଲାଣି ଜାଣି ପାରିଲିଣି । ଆପଣା ଆପେ ହାତ ଦଣ୍ଡବତ ପାଇଁ ଉଠିଗଲା । “ଭାଇ ! ଭାଇ ! ଘରକୁ ଯିବ ଯେ ?” କାହାର ଡ଼ାକରେ ମୁଁ ପ୍ରକୃତିସ୍ଥ ହେଲି । ଚିନ୍ତା ରାଇଜରୁ ଖସିକରି ପ୍ରାକ୍ଟିକାଲ ଜୀବନରେ ପଦାର୍ପଣ କଲି । ବୁଲିପଡିଲି ....ଆରେ ମଡିଆ ଭାଇ ! ମୋତେ ମନେ ରଖିଛ ନା ! ଏ ଶୁଣୁଛ ; ଏ ମଡ଼ିଆହାଇ ଆମ ଗାଁର ପାଖାପାଖି ମେଣ୍ଢାପଡ଼ାର ପାଖରେ ଥିବା ମୁସଲମାନ ବସ୍ତିର ଜଣେ ପୁରୁଣା ବିଶ୍ଵାସୀ ରିକ୍ସାବାଲା । ବନିତା କୁନିପୁଅ ଶିତୁକୁ କାଖରେ ଧରିଥିଲା । ଏମିତି ଅପ୍ରତ୍ୟାଶିତ ପରିଚୟୋକ୍ତିରେ ହତବମ ହୋଇ ମୁଁହରେ ନାଟକୀୟ ମଲ୍ଲିଫୁଲିଆ ହସକୁ ଉକୁଟେଇ ତଳକୁ ଉହଳିଥିବା ଡାହାଣହାତକୁ ବାଁ ହାତର ପାପୁଲି ସହିତ ମିଶେଇ ମୁଣ୍ଡକୁ କାଣିଞ୍ଚେ ନୁଏଁଇ ନମସ୍ତେ କଲେ ।
“ ମୀନା, ନୀଳା ଓ ଦୀପା .... ତୁମେ ସବୁ ଚାଚାଙ୍କ ପାଦରେ ମୁଣ୍ଡିଆ ମାର ।” ମୁଁ ବି ଦାନ୍ତକୁ ନେଫେଡି ଦେଇ ପରିବେଶକୁ ସୁହେଇଲା ଭଳି ମଡିଆଭାଇ ମୁଁହକୁ ଅନେଇଲି ଏବଂ ସେ ମଧ୍ୟ ଟିକିଏ ମୁରୁକେଇ ଦେଲା । ତା’ର ହାଡୁଆ ଗାଲ ଗହ୍ଵରରେ ମୁରୁକିହସ ଯେମିତି ପାଣିର ହିଲ୍ଲୋଳପରି ନିମିଷକ ମଧ୍ୟରେ ମିଳେଇ ଗଲା ।
ଆଲ୍ଲା ! ସବକା ଭଲା କରେ ଆଉ ସବକୋ ଭଲା ରଖେ .... ହାତକୁ ତଥାସ୍ତୁ ମୁଦ୍ରାରେ ରଖି ମଡିଆଭାଇ କହିଲା । ମୋତେ ଲାଗିଲା ଯେମିତି ସାଢେ ଛଅ ଫୁଟର ଗୋରା ତକତକ ଲମ୍ବା ବାବୁ ଟେକ୍ସ ଲୁଙ୍ଗୀ ପିନ୍ଧା ଖୋର୍ଦ୍ଧା ପାଚିଲା ନାଲି ଗାମୁଛା ପକେଇଥିବା ମଡିଆଇ ସତେ ଯେମିତି ମହାତ୍ମା ପାଲଟି ଯାଇଛି ... ମୁଖ ମଣ୍ଡଳରୁ ଦିବ୍ୟ ପ୍ରକାଶ ବାହାରିପଡୁଛି ।
ମଡିଆଭାଇର ସେହି ଚିରାଚରିତ କାଠ ପଟା ତ୍ରିଚକ୍ରଯାନ “ ମଞ୍ଜିଲ”, ଯାହାକୁ ଠେଲାଗାଡି ବି କହନ୍ତି । ନିଜେ ବୁଢା ହୋଇଯାଇଥିଲେ ବି ତା’ର ଇନ୍କମ ଓ ରୂଜିରୋଟି ରିକ୍ସାଖଣ୍ଡକୁ ବେଶ ସଜେଇ-ଧଜେଇ ଡଉଲ –ଡାଉଲ କରି ରଖିଛି ---- ଆଇନା –ଫୁଲ – ଜରି- ପ୍ଲାଷ୍ଟିକ ଫୁଲହାର – ସିନେ ହିରୋଇନଙ୍କ ଆକର୍ଷଣୀୟ ଚିତ୍ର ---- ଆଁଖ ମାରେ ---- ଲଡକୀ ଆଁଖ ମାରେ -----।
ପଚାଶଟଙ୍କା ଭଡ଼ା ଛିଡେଇଦେଇ ଆମେ ସମସ୍ତେ ଯାତ୍ରା ଆରମ୍ଭ କରିଦେଲୁ ମୋର ପୈତୃକ ଗ୍ରାମ ବଗଦା ଅଭିମୁଖେ । ଐତିହାସିକ ଅଧଭୁତିଆ ପଦାର ଉପକଣ୍ଠରେ ଅବସ୍ଥିତ ଜଗତିପୁର ଗ୍ରାମପଞ୍ଚାୟତର ଏହି ଛୋଟ ଗାଁ । କେବଳ ଗୋଟିଏ ଭଙ୍ଗା ଦଦରା ସରକାରୀ ପୋଷ୍ଟ ଅଫିସକୁ ଛାଡିଦେଲେ ଆଉ କିଛି ଆଖିକୁ ଥିଲାଭଳି ଦୃଷ୍ଟିଗୋଚର ହୁଏ ନାହିଁ ।
ମଡିଆଭାଇର “ମଞ୍ଜିଲ “ ରାସ୍ତାର ଖାଲ-ଢିପ ସହିତ ତାଳ ଦେଇ କାଁ-ଭାଁ ପେଁ –ପୋଂ କରି ନନଷ୍ଟପ ଚାଲିଥାଏ । ବହୁ ଚିହ୍ନା ମୁଁହ ଆଗରେ ପଡ଼ିଯାନ୍ତି । ସଭ୍ୟ ମାନବର ସେହି କୃତିମ କାଳ୍ପନିକ ହସ ଚେନାଏରେ ଆପଣେଇନେବାର ଛଳନା କରି ମୁଁ ମୋ ଫରମାଲଟି କରିଚାଲିଥାଏ । ମୋ ପିଲାମାନେ ଚାରିଆଡକୁ ଏକଲାମାରି ଚୁପ ଚାପ ଦେଖିଚାଲିଥାନ୍ତି । ଏସବୁ ଭିତରେ ବୁଢା ରିକ୍ସାବାଲାର ଧଇଁ-ସଇଁ ନିଶ୍ଵାସ , ବାଁ ହାତରେ କପାଳରୁ ଝାଳ ପୋଛିବା ଇତ୍ୟାଦିକୁ ମୁଁ ଲକ୍ଷ୍ୟ କରିଥାଏ । ମୁଣ୍ଡ ବାଳ ଛାଡ , ଛାତିବାଳ ଝୋଟପରି ପାଚିଯାଇଥିବାବେଳେ ବି ରିକ୍ସା ବାହିବାକୁ ପଡୁଛି ରୋଟି-କପଡ଼ା-ମକାନ ପାଇଁ । ଗାନ୍ଧୀ ବୁଢାର ସ୍ଵପ୍ନର ଭାରତ କ’ଣ ଏମିତି ହେବାର ଥିଲା !
ସଞ୍ଜଦିଆବେଳର ଠିକ ଅବ୍ୟବହିତ ପୂର୍ବରୁ ଆମେ ଘରେ ପହଞ୍ଚିଗଲୁ । ମୋର “ବାପ” ଡ଼ାକରେ ବୃଦ୍ଧ ରୁଗଣ ବାପା ଶତସିଙ୍ଘର ବଳନେଇ ଦଉଡିଆସିଲେ ଏବଂ ବାରି ଧଡକା ଖୋଲିଦେଲେ । ଘର ପଛ ପାଖ ବାରିରେ ମା’ ତୋରାଣିହାଣ୍ଡି ଫୋଟାଉ ଥିଲା ବୋଧେ ; ଛୁଆମାନଙ୍କର କଳରୋଳ “ଆମ ଘର ଆମ ଘର “ ରେ ସେ ବି ଦଉଡିଆସିଲା । ଆମ ସମସ୍ତଙ୍କୁ ଦେଖି ତା’ ଆଖିରେ କେଇ ଟୋପା ମୋତି ଚମକିଗଲାପରି ମନେ ହେଲା । ସେ ଦୁଃଖରେ କି ସୁଖରେ ମୁଁ ବୁଝିପାରିଲିନି ।ସେ ସାନ ପୁଅକୁ ବନିତା କୋଳରୁ ନେଇକରି ଆସୁମାରି ବୋକପରେ ବୋକ ଦେଇ ଚାଲିଲା ଏବଂ ମୋର ପିଲାଦିନ ମୋ’ ଆଗରେ ଫ୍ଲାଶବେକ କରିଦେଇଥିଲା ।
ପରିବେଶ ଟିକିଏ ଗହଳି ଚହଳି ହୋଇଗଲା । ବନାଭାଇଘର ମିଲି-ତପୁ, ବରିଆ ଭାଇ ଘର ବାଙ୍ଗିରି-ସୀତା , ଭୋକାକାକା ଘର ଗେଣ୍ଡୁଆ-କଂବୁଆ, ଗିଲ କାକୀ ଘର ଅନ୍ନୀ-ଠୁକୁରା---- ସମସ୍ତେ ଦଉଡି ଦଉଡି ଆସିଲେ ।ସମସ୍ତଙ୍କୁ ଦୋଇଟି ଲେଖାଏଁ ନୁଟ୍ରିନ ଚକୋଲେଟ ଦେଇ ଆମେ ସମସ୍ତେ ଡ୍ରେସ ବଦଳେଇବା ପାଇଁ ତରବରିଆ ଭାବରେ ଘର ଭିତରେ ପଶିଗଲେ । ଏଣେ ରୋଷେଇଘରର ଥାଁ ଠୁଁ ରୁ ମୁଁ ଅନୁମାନ କଲି ଯେ ସବୁ କାମ ପଛରେ ପକେଉ ମା’ ଆମ ପାଇଁ ଖାଇବା ବାଢିବାରେ ବ୍ୟସ୍ତ । ମା’ ପରି କି’ଏ ହେବ; ମା’ ସରି କି’ଏ ହେବ ???
ଖାଇବା ସର୍ବଶେଷରେ ହାତ ଧୋଉ ଧୋଉ ମୁଁ କହିଲି --- ମୋତେ କେହି ଡ଼ିଷ୍ଟାର୍ବ କରିବନି । କାହିଁ କଳାହାଣ୍ଡିର କେଶିଙ୍ଗା ଆଉ କାହିଁ ଦକ୍ଷିଣ ବାଲିଆପାଳର କେଉଁ ଆନାମଧେୟ ବଗଦା ଗାଁ । ପୁରା ୨୪ ଘଣ୍ଟା ଲାଗିଗଲା । ଗୋଡ଼ ପାପୁଲି ସବୁ ଗୋଦରା ହୋଇଯାଇଛି ।ଆଉ ଯାହା ସବୁ କଥା ରହିଲା କାଲି ସକାଳେ କହିବା ।
ଆଜନ୍ମ ସହଳ ବିଛଣା ନ ଛାଡିବାର ନିଶାଖୋର ମନ୍ମଥବାବୁଙ୍କ ନିଦ ହଠାତ କାହାର ଘଣ୍ଟି ଶ୍ଵନ ଓ ସଙ୍ଗୀତ ମୂର୍ଚ୍ଛନାରେ ଭାଙ୍ଗିଗଲା ।
“ଏ କୁନା ମୁନା--- ଏ କୁନା ମୁନା --- ଟିଙ୍ଗ ଟିଙ୍ଗ
ଏ କୁନି – ମୁନି --- ଏ କୁନି – ମୁନି---ଟିଙ୍ଗ ଟିଙ୍ଗ
ଆସରେ ଆସ ---- ମିଠା ମିଠା ସୁନ୍-ପାଂପୁଡି ଖାଇ ହସ --- ଟିଙ୍ଗ ଟିଙ୍ଗ
ଏ କୁନା ମୁନା--- ଏ କୁନା ମୁନା -- ଟିଙ୍ଗ ଟିଙ୍ଗ
ଏ କୁନି – ମୁନି --- ଏ କୁନି – ମୁନି-- ଟିଙ୍ଗ ଟିଙ୍ଗ “
ଆଳସ୍ୟ ଭିତରେ ଥାଇ ଆଖିପତା ଖୋଲିବାର ନାହିଁ; ତଥାପି ଚାହିଁ ରହିଲେ ।ଭାବିଲେ, ଇ –ଟିଭି ନା ତରଙ୍ଗ ନା ଚ୍ୟାନେଲ-ଭି । ବନାଭାଇ ଘର ଡ଼ିଟିଏଚ ଲଗେଇଲେଣି ପ୍ରାୟ । ବରିଆ ଭାଇର ପୁଅ ଚଟା ହରିୟାନାରେ ଆଜିକାଲି ରହୁଛି , ହୁଏତ ଟିଭି ଆଣିଥାଇପାରେ । ପୁଣି ଭାବିଲେ , ଆର୍ଥିକ ଦୂରାବସ୍ଥାରେ ଅଧାଚିପା ମଣିଷମାନେ ଏତେ ଆଶାର କୂଳକିନାରା କେବେ ବି ପହଞ୍ଚି ପାରିନଥିବେ ?
ଦଲକାଏ ଥଣ୍ଡା ପବନ ପରି ପୁଣି ସେହି ଗୀତ ସତେ ଯେମିତି ମୋ କାନ ମୁଣ୍ଡାକୁ ଆଉଁସି ଦେଇ ଚାଲିଗଲା । ହଠାତ ମୁଁ ମୋ ଚିନ୍ତାର ଅର୍ଥ ପାଇଗଲି—ସୁଁନ -ପାଂପୁଡିବାଲା ନୁହେଁତ ? ବାସି ବିଛଣାରେ ଶୋଇକରି ସୁଁନ -ପାଂପୁଡିର ସେହି ସୁମିଷ୍ଟ ଗନ୍ଧକୁ ମୁଁ ବାରି ପାରିଲି ଏବଂ ଗତସ୍ୟ ବାଲ୍ୟ-କୈଶୋରର ଗତାନୁଗତ ଅନୁଚିନ୍ତା ସବୁ ମାନସ-ସାଗର କୂଳରେ ପିଟି ହୋଇ ପଡିଲେ ଏବଂ ସବୁ ଯେମିତି ମୋତେ ସାଫ ସାଫ ଦେଖାଗଲା ।
ଆଜକୁ ଦୀର୍ଘ ୩୫ଟି ବସନ୍ତ ବିତିଯାଇଥିଲେ ମଧ୍ୟ କଥା ସବୁ ଗୋଟି ଗୋଟି ହୋଇ ଦେଖା ଯାଉଥିଲା । ପ୍ରାୟ ମୁଁ ପଞ୍ଚମ ଶ୍ରେଣୀରେ ପଢୁଥିଲି । ତାଳପତ୍ର ଚଟେଇରେ ବସି ପାଠ ପଢୁଥିବା ବେଳେ ବେଳ ଦୁଇକଡା ଉପରକୁ ଉଠିଲେ କାହାର ଗୀତ ସାଙ୍ଗକୁ ଘଣ୍ଟି ଶ୍ବନ ଶୁଣିବା ପାଇଁ ମନ କେମିତି ବାୟା –ବ୍ୟାକୁଳିତ ହୋଇଯାଉଥିଲା । ଚୂଳ ବଦଳରେ ସୁନ-ପାଂପୁଡି ମିଳୁଥିଲା । ତେଣୁ ମା’- ମାଉସୀ , ଅପା-ଠାକୁମା ମାନେ ମୁଣ୍ଡ କୁଣ୍ଡେଇବା ବେଳେ ଆମ ଭାଇ –ଭଉଣୀମାନଙ୍କ ଭିତରେ କାଳ୍ପନିକ ଯୁଦ୍ଧ ବି ବେଳେ ବେଳେ ହୋଇଯାଉଥିଲା କି’ଏ ଖସି ପଡା ବାଳ ନେବ । ଏବଂ ବେଳେ ବେଳେ ସେ ପାଇଁ କଳା ମୁଗୁନି ପଥୁରିଆ ଶିଙ୍ଗ ପାନିଆକୁ କୁଟାକନାରେ ଘଷି ମାଜି ବି ସଫା କରିବାକୁ ପଡୁଥିଲା ।
ଛୋଟ ପାଲାରେ ଚୂଳ ଗୋଟିଏ ପାଖରେ ଓ ଅନ୍ୟପାଖରେ ମିଠାସ ସୁନ-ପାଂପୁଡି ।ଯେଉଁ ଦିନ ବେସି ମିଳିଥାଏ , ଗୋଟିଏ ଗୋଟିଏ କେରା ଖାଉଥାଏ । ଭାବୁଥାଏ ଧୀରେ ଧୀରେ ଖାଇବି । ନୋହିଲେ କାଲିକି ରଖିଦେବି । ମନ ଜାଇଣ କେଉଁ ଆଡେ , ହାତ ଓ ପାଟି ଏକବାରେ ବ୍ୟସ୍ତ । ହଠାତ କଞ୍ଚାମାଲ ଶେଷ । ହାତ ପାପୁଲିକୁ ଚାଟୁ ଚାଟୁ ମନଟା କେମିତି କେମିତି ଶୁଖିଲା ହୋଇଯାଏ । ଭାବେ, କାଲିକି ଏମିତି ହେବାକୁ ଦେବିନି । ହାତ ଆଉ ମୁଁହରେ ଯା’ର ନାହିଁ ଲଗାମ , ତା’ ଦ୍ଵାରା ହେବକି କୌଣସି କାମ ?
ଯେଉଁ ଦିନ କୌଣସି କାରଣରୁ ଚୂଳର ଯୋଗାଡ଼ ନ ହେଲା , ସୁନ-ପାଂପୁଡିବାଲାର ସାଇକେଲ ପାଖରେ ଛିଡାହେବା ମଧ୍ୟ ଅପୂର୍ବ ଆନନ୍ଦ ଦାୟକ ଲାଗୁଥିଲା । ଅପଲକ ନୟନରେ ଏକବିଷ୍ଟ ଚିତ୍ତରେ ମିଠା ମିଠା ଆଶାରେ ଜିଭକୁ ଓଠରେ ଚାଟୁ ଚାଟୁ ଛେପକୁ ବାରମ୍ବାର ତଣ୍ଟି ତଳକୁ ଗିଳୁ ଗିଳୁ ଚାହିଁ କରି ଦେଖିବାକୁ ମନକରେ କେମିତି ଝାଞ୍ଜ – ମୁଟୁରି-ଅନୁ ଅପାମାନେ , ଘୁଣ୍ଟିଆ – ମିଟିକା-ନେଉଳ ଭାଇମାନେ , ମନୁଆ-ବାଣ୍ଠିଆ-ତଂପଡା ସାଙ୍ଗମାନେ କେମିତି ବେଶୀ ବେଶିକା ନେଇ ଡଗ ଡଗ ହୋଇ ଚାଲିଯାଉଛନ୍ତି ଏବଂ ଚାଲିରେ ଜିତିବାର ଏକ ଠାଣି ପରିଲକ୍ଷିତ ହେଉଛି , କଦମ କଦମ ପାହୁଣ୍ଡରୁ ଗଡ ଜିଣିବାର ଏକ ଅନିର୍ବଚନୀୟ ଖୁସି ମୁଁହରୁ ଝଲସି ଦିଶୁଛି । କୋଡିଏ ପଚିଶ ମିନିଟ ପରେ ସୁନ –ପାଂପୁଡିବାଲା ପୁଣି ଗୀତ ଗାଇ ଘଣ୍ଟି ବଜେଇ ବଜେଇ ଚାଲିଯାଏ, ମୁଁ ଏକ ପାଉଁସିଆ ମନକୁ ପରାହତ କ୍ଳାନ୍ତ କାନ୍ଧରେ ପକେଇ ଘରକୁ ଫେରିଆସେ । ରାଗରେ ବେଳେବେଳେ ମାମା ଘର ପେଡାଗଛରୁ କେତେ କଷି ପେଡାକୁ ଚୋବି ପକାଏ । ମନେ ମନେ ଭାବେ, ବଡ ହେଲେ ମୁଁ ବି ସୁନ-ପାଂପୁଡି ବେପାର କରିବି ଏବଂ ଚୂଳ ନ ଥିବା ବାଲାଙ୍କୁ ଖାଲି ଟିକେ ଟିକେ ଚାଖିବାକୁ ଦେବି । କମ ସେ କମ , ଟିକିଏ ତ ମୁରୁକି ଦେବେ ; ମଳିନ ମୁଖ ମଣ୍ଡଳ ତଳୁ ମଳିଆ ଦାନ୍ତକୁ ତ ନେଫେଡି ଦେବେ ?
“ଛୁଆ --- ଛୁଆ – ଆଜି ଉଠିବୁନି ନା କ’ଣ ? ଦେଖିଲୁ ଦେଖିଲୁ ବେଳ ଆସି ଆମ୍ବ ଗଛ ଉପରକୁ ଉଠିଲାଣି ।” ମା’ର ଚିରାଚରିତ ଡାକରେ ପ୍ରକୃତିସ୍ଥ ହେଲି , ମ୍ୟାନ ଲାଇନକୁ ଆସିଗଲି। ଫତିଆ ପିଉସାର ସନ୍ତୋଷ କାଠ ରେଡିଓରୁ ଭଜନ ସମ୍ରାଟ ଭିକାରି ବଳଙ୍କର “ ହାତରେ ମୋ ମୁଠା ମୁଠା ଶରଧା ବାଲି .... “ ଶୁଭୁଥିଲା ।