ଗୁରୁଣ୍ଡି ଗୋପାଳ
ଗୁରୁଣ୍ଡି ଗୋପାଳ
କିଛି ବର୍ଷ ତଳର କଥା । ଏବେବି ମନରେ କିଛି ପ୍ରଶ୍ନ, କିଛି ଭାବୁକତା, କିଛି ଆଶ୍ଚର୍ଯ୍ୟ, କିଛି ବିଶ୍ମୟ ଭାବ ରଖି ଦେଇ ଯାଇଛି ସେଦିନର କଥା ଟି । ଆମେରିକାରୁ ଓଡ଼ିଶା ଯାଇଥିଲି ଛୁଟିରେ । ଓଡ଼ିଶା ଗଲେ ପୁରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ, ନିଶ୍ଚୟ ସମୟ ସୁବିଧା ଦେଖି ଥରେ ବୁଲି ଯାଏ । ସେଥରକ ବି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲି ଭାଇ ଭଉଣୀଙ୍କ ସାଙ୍ଗରେ । ଦର୍ଶନ ସାରି ଫେରିବା ପରେ ବଡ ଦାଣ୍ଡରେ ଥିବା ଠେଲା ଦୋକାନ ଗୁଡିକରେ ଆଖି ପଡିଲା । ପରିବେଶ ବେଶ୍ ଲୋଭନୀୟ ଓ ଆକର୍ଷଣୀୟ । ଯଦିଓ କିଛି କିଣିବାର ମୋର ନଥିଲା ତଥାପି ଲୋଭ ସମ୍ବରଣ କରି ନପାରି ସବୁଥିରେ ଟିକେ ଟିକେ ଆଖି ପକେଇ ପକେଇ ଚାଲିଥାଏ ।
ହଠାତ୍ ଆଖି ପଡିଲା ସବୁ ଦେବାଦେବୀଙ୍କର ଲକେଟ୍ ଥିବା ଏକ ଠେଲା ଗାଡି ଉପରେ । ଓଲଟ ପାଲଟ କରି ଦେଖିବାକୁ ଲାଗିଲି ଲକେଟ୍ ଗୁଡିକ । ବହୁତ ସୁନ୍ଦର କାମ ହେଇଛି । କୋଡିଏ ପାଖାପାଖି ବୟସର ପିଲାଟି ଦୋକାନର ମାଲିକ । କିଛି ଆଶାୟୀ ଦୃଷ୍ଟିରେ ମୋତେ ଚାହିଁ ରହିଲା । କିଛି ବିକିବା ଲୋଭରେ । ତାକୁ ନିରାଶ କରିବାକୁ ଇଚ୍ଛା ହେଲାନି । ସବୁ ପ୍ରକାର ଡିଜାଇନ୍ ରୁ ଗୋଟେ ଲେଖେ ଲକେଟ୍ କିଣିକରି ଆଣିଲି । ଲକେଟ୍ ଗୁଡିକ ଛୋଟ ଆକାରର ହୋଇଥିବାରୁ ବାକ୍ସରେ ଜାଗା ହେବ ନେବାକୁ, ବିଶେଷ କିଛି ଓଜନ ବି ହେବନି । ତେଣୁ କିଛି ଅସୁବିଧା ନାହିଁ ନବାରେ ।
ତା ପରେ ଫେରି ଆସିଥିଲି ଆମେରିକାକୁ । ମୋ ଝିଅ ଚିକାଗୋରେ ରହେ ଯେତେବେଳେ ତାକୁ ସୁବିଧା ସୁଯୋଗ ମିଳେ ସେ ଘରକୁ ଆସେ ବୁଲିବାକୁ । ମୁଁ ଓଡିଶାରୁ ଫେରିଲା ପରେ ସେ ଘରକୁ ଆସିଥିଲା । ଯାହା ସବୁ ଓଡିଶାରୁ ଆଣିଥିଲି ତାକୁ ସବୁ ଦେଖେଇଲି । ତାକୁ ଭଲ ଲାଗେ ଓଡ଼ିଶା ହେଉ ବା ଭାରତରୁ ଆସିଥିବା ଜିନିଷ ଦେଖିବାକୁ ଓ ନିଜ ପାଖରେ ରଖିବାକୁ । ସେ ବ୍ୟବହାର କରୁ ବା ନକରୁ, ତାର ବହୁତ ସୌଖୀନ ଏ ସବୁ ଜିନିଷ ପ୍ରତି । ତାକୁ ସେ ଲକେଟ୍ ଗୁଡିକ ବହୁତ ଭଲ ଲାଗିଲା ସେ ତା ପାଇଁ ଓ ତା ସାଙ୍ଗ ମାନଙ୍କ ପାଇଁ ଚାରିଟି ସେଥିରୁ ବାଛିକି ନେଇକି ଗଲା ।
ତିନି ମାସ ପରେ ଦିନେ ଝିଅ ଫୋନ୍ କରି କହିଲା “ମମ୍ ତୁ ଦେଇଥିବା ଓଡ଼ିଶାର ମୋ ଲକେଟ୍ ଟି ହଜେଇ ଦେଲି କୋଉଠି ପାଉନି । ତୋ ପାଖରେ ଆଉ ସେମିତି ଅଛି କି !” ସେତେବେଳକୁ ମୁଁ ମୋ ସାଙ୍ଗ ମାନଙ୍କୁ ଦେଇ ସାରିଥିଲି କିଛି, ମୋ ପାଖରେ ମାତ୍ର ତିନି ଟି ଥିଲା । ସେ ଚିକାଗୋରୁ ଖ୍ରୀଷ୍ଟମାସ ଛୁଟିରେ ଘରକୁ ଆସିଥିଲା ତା କଥା ମୋର ମନେ ଥିଲା ତାକୁ ଯାହା ଲକେଟ୍ ଥିଲା ଦେଖେଇଲି ସେ କହିଲା “ମୁଁ ଯେମିତିକା ନେଇଥିଲି ମୋର ସେମିତିକା ଦରକାର” । କିନ୍ତୁ ମୋର ମନେ ନଥିଲା ସେ କେମିତିକା ନେଇଥିଲା କି ସେ ବୁଝେଇ ପାରିଲାନି କେମିତିକା ତାହା ଦେଖିବାକୁ । ନାଁ ବି କହି ପାରିଲାନି କୋଉ ଠାକୁରଙ୍କ ଫଟ ସେଥିରେ ଥିଲା । ତାକୁ କହିଥିଲି ଆର ଥର ଯେବେ ଯିବି ଓଡ଼ିଶା ପୁଣି ତୋ ପାଇଁ ସବୁଥିରୁ ଗୋଟେ ଗୋଟେ ନେଇ ଆସିବି । ତାପରେ ଆମେ ଭୁଲି ଯାଇଥିଲୁ ଘଟଣାଟି ।
ତାପରେ ଚାରି ମାସ ଭୀଷଣ ଥଣ୍ଡା ବରଫ କେହି କୁଆଡେ ବାହାରକୁ ବାହାରିବା ସମ୍ଭବ ନୁହେଁ । ସ୍ନୋ ସରିଗଲା ପରେ ଥଣ୍ଡା କମିଗଲା ତାପରେ ଆମେ ମୁଁ ମୋ ସ୍ଵାମୀ ମୋ ପୁଅ ଚିକାଗୋ ବାହାରିଲୁ ଝିଅ ପାଖକୁ ବୁଲିବାକୁ ମେଁ ମାସରେ । ଝିଅ ଯେତେବେଳେ ଘରକୁ ଆସେ ସେ ପ୍ଳେନ୍ ରେ ଆସେ । ସମୟ ତା ହାତରେ ବେଶୀ ନଥାଏ, ଘଣ୍ଟାଏ ଲାଗେ ପ୍ଳେନ୍ ରେ । କିନ୍ତୁ ଆମେ ଯାଇଥିଲୁ ଆମ ଭ୍ୟାନ ଟି ନେଇ । କାରଣ ଆମ ହାତରେ ଯଥେଷ୍ଟ ସମୟ ତ ଥିଲା ତା ବ୍ୟତୀତ ଗାଡିରେ ଗଲେ ଅନେକ ଜିନିଷ ନେଇ ହେବ । ଝିଅ ପାଇଁ କିଛି ରନ୍ଧା ଖାଦ୍ୟ ଯେତେବେଳେ ଯାଏ ତା ପାଖକୁ ନେଇକି ଯାଏ । ତାକୁ ବହୁତ ଭଲ ଲାଗେ ଆମ ଓଡିଆ ଦେଶୀ ଖାଦ୍ୟ । ଯଥା ମାଛ ବେସର, ଆଲୁଚପ, ପୁରୀ ଆଳୁ ତରକାରୀ, ଚିକେନ ବିରିୟାନୀ ପ୍ରଭୃତି ।
ତେଣୁ ଆମେ ଗାଡିରେ ଗଲୁ । ଛଅ ଘଣ୍ଟା ସମୟ ଲାଗେ ଆମ ଘର ଠାରୁ ତା ଘର ପର୍ଯ୍ୟନ୍ତ । ଆମେ ପହଁଚି ଗଲୁ ଯଥା ସମୟରେ । ତା ଆପାର୍ଟମେଣ୍ଟ ସାମନାରେ ଗାଡି ରଖିବା ମନା । ମାତ୍ର ପନ୍ଦର ମିନିଟ୍ ଗାଡି ରଖି ଜିନିଷ ପତ୍ର ଗାଡିରୁ କାଢିବା ପର୍ଯ୍ୟନ୍ତ ଅନୁମତି ଥାଏ । ତାପରେ ବିଲଡ଼ିଂର ପଛ ପଟେ ଥିବା ପାର୍କିଂ ଲଟ୍ ରେ ଗାଡି ପାର୍କ କରିବାକୁ ପଡେ । ଆମର ପାଞ୍ଚ ଦିନର ରହଣି ସେଠାରେ ଥିଲା । ସବୁଦିନ ଆମେ କୁଆଡେ ନା କୁଆଡେ ଲିଙ୍କନ ପାର୍କ ଠୁ ଆରମ୍ଭ କରି ମିଲେନିୟମ ପାର୍କ ପର୍ଯ୍ୟନ୍ତ, ସବୁଦିନ କୁଆଡେ ନା କୁଆଡେ ବୁଲି ଯାଉ । ଗାଡି ଆଣି ବିଲ୍ଡିଂ ସାମନାରେ ପୁଅ ରଖିଦିଏ ଆମେ ଓଲ୍ହେଇ ସାରିଲା ପରେ ସେ ଗାଡି ପୁଣି ପାର୍କିଂକୁ ନେଇ ଯାଏ । ପଛପଟ ଏଣ୍ଟ୍ରାନ୍ସରେ ସେ ପୁଣି ବିଲ୍ଡିଂ ଭିତରକୁ ଚାଲିଆସେ ।
ତିନି ଦିନ ପରେ ଗୋଟେ ଫେୟାର ଦେଖିବାକୁ ଯାଇଥିଲୁ ସେଠାରେ ଏକ ପରିବା ମାର୍କେଟ ଦେଖି କିଛି କିଣି ଆଣିଲୁ ପରିବା, ଘରେ ଆସି ତିଆରି କରି ଖାଇବାର ପ୍ଲାନ ଥିଲା । ତେଣୁ ଶୀଘ୍ର ଘରକୁ ଚାଲି ଆସିଲୁ । ସବୁଦିନ ଘରକୁ ଫେରୁ ଫେରୁ ରାତି ହୋଇ ଯାଉଥିଲା । ମୁଁ ପରିବା ବ୍ୟାଗ ଟିଏ ଧରି ଗାଡିରୁ ଓଲ୍ହେଇ ଅନ୍ୟ ମାନଙ୍କ ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍ ମୋ ଆଖିକୁ କିଛି ଚିକ୍ ଚିକ୍ ଜିନିଷ ଟାଏ ଦିଶିଲା ଠିକ୍ ଫୁଟପାଥର ତଳକୁ । ବିଲଡିଙ୍ଗ ସାମନାରେ । ପ୍ରଥମେ ଭାବିଲି କିଛି ଇୟାରିଂ ବା ମୁଦି ବା ସେହିପରି କିଛି କାହାର ଗହଣା ଖସି ପଡିଛି ବୋଧେ । ପାଖକୁ ଯାଇ ଉଠେଇ ଆଣି ଆଶ୍ଚର୍ଯ୍ୟରେ ମୋ ଆଖି ବିସ୍ଫାରିତ ହୋଇ ରହିଗଲା । ଗୁରୁଣ୍ଡି ଗୋପାଳ ଥାଇ ଏକ ଲକେଟ୍ । ଆଶ୍ଚର୍ଯ୍ୟ ଏପରି ଲକେଟ୍ ଏଠାକୁ କିପରି ଆସିଲା । ଝିଅ ସେତେବେଳକୁ ଅନ୍ୟାନ୍ୟ ବ୍ୟାଗ୍ ଧରି ଉପରକୁ ତା ଘରକୁ ଚାଲି ଯାଇଥିଲା । ତାକୁ ନେଇ ଦେଖେଇଲି ସେ ବି ଆଶ୍ଚର୍ଯ୍ୟରେ ତା ଆଖିକୁ ବିଶ୍ଵାସ କରି ପାରିଲାନି କହିଲା “ଏଇଟା ମୋ ଲକେଟ୍ ତୁ କୋଉଠୁ ପାଇଲୁ । ମୁଁ କହିଲି ବାହାରେ ତୋ ବିଲ୍ଡିଂ ସାମନାର ଫୁଟ ପାଥର ଠିକ୍ ତଳକୁ !”
ମୋ ଝିଅ ଲକ୍ଷେ ଟଙ୍କା ପାଇଥିଲେ ବି ଏତେ ଖୁସି ହୋଇ ଥାନ୍ତା କି ନାହିଁ ମୁଁ ଜାଣେନା । ସେଦିନ ଯେତେ ସେ ଖୁସି ହୋଇ ଯାଇଥିଲା ସେ ଲକେଟ୍ ଟିକୁ ଦେଖି । ସେ ଲକେଟ୍ ଟି ତାର ଲକିଚାର୍ମ ବୋଲି ସେ ଭାବୁଥିଲା । କିଛି ଗୋଟେ ଭଲ ଜିନିଷ ତା ଜୀବନରେ ଘଟିଥିଲା ଯୋଉ ଦିନ ସେ ପ୍ରଥମେ ପିନ୍ଧି ଅଫିସ୍ ଯାଇଥିଲା । ସେ ଗହଣା ପିନ୍ଧିବାକୁ ଏତେ ଭଲା ପାଏନା । କେତେବେଳେ କେମିତି ପାର୍ଟିକୁ ଗଲେ ପିନ୍ଧେ ।
ବହୁ ଆଶ୍ଚର୍ଯ୍ୟ ଲାଗିଥିଲା କାରଣ ପ୍ରାୟ ଆଠ ମାସ ବା ତା ଠାରୁ ଉର୍ଦ୍ଧ ହୋଇ ଗଲାଣି ଲକେଟ୍ ଟି ହଜି ଯିବାର ତା ଉପରେ ଚାରି ମାସ ହେବ ସ୍ନୋ ପଡି ଚାଲିଥିଲା ମ୍ୟୁନିସିପାଲଟିର କର୍ମ କର୍ତ୍ତା ମାନେ ସେ ରାସ୍ତାକୁ ମେସିନ ସାହାର୍ଯ୍ୟରେ ସଫା କରିଥିବେ । ସ୍ନୋ ନଥିବା ବେଳେ ରାସ୍ତା ଘାଟ ବି ମେସିନ ଦ୍ଵାରା ସଫା ହୋଇଥିବ ଅନେକ ଥର । ତା ବ୍ୟତୀତ ସେଇଟା ବିଲ୍ଡିଂ ଭିତରକୁ ପଶିବାର ମୁଖ୍ୟ ଦ୍ଵାରକୁ ରାସ୍ତା । ସେଇବାଟେ ହଜାର ଥର ହଜାର ଲୋକ ଯିବା ଆସିବା କରିଥିବେ ଏପରିକି ମୋ ଝିଅ ବି ସେଇ ରାସ୍ତା ଦେଇ ବିଲଡିଙ୍ଗ ଭିତରକୁ ପ୍ରବେଶ କରିଥିବ ଅନେକ ଥର, ଏତେଦିନ ହେବ କେମିତି କାହା ଆଖିରେ ପଡି ନାହିଁ !
ଆମ ପାଇଁ ତାହା ମୂଲ୍ୟବାନ ହୋଇ ପାରିଥାଏ ସିନା, କିନ୍ତୁ ଅନ୍ୟ କେହି ଏଠିକା ଲୋକ ତାକୁ ଦେଖି ଗାରବେଜରେ ଫୋପାଡି ବି ଦେଇ ପରିଥାନ୍ତା ବା କୌତୁହଳ ବଶତଃ ନେଇ ଯାଇପାରିଥାନ୍ତା । ଏତେ ମାସ ହେବ ଏତେ ଲୋକଙ୍କ ଦୃଷ୍ଟି ଆଡେଇ କେମିତି ଗୋଟିଏ ଜାଗାରେ ପଡି ରହିଥିଲା, ଯେତେ ଭାବିଲେ ବି ତାର କିଛି ସହଜ ଉତ୍ତର ଏ ପର୍ଯ୍ୟନ୍ତ ପାଇ ପାରିନି । ସବୁଠୁ ଅଶ୍ଚର୍ଯ୍ୟ ତାହା ଯେମିତି ଥିଲା ସେମିତି ଅମଳିନ ଥିଲା । ଏତେ ବର୍ଷା, ଖରା, ସ୍ନୋରେ ବି ଟିକେ ରଙ୍ଗ ଛାଡି ନଥିଲା ।
କେଜାଣି ମନ କିଛି ବୁଝି ନଥିଲେ ବି କହୁଥିଲା ଏ ତାଙ୍କରି ଲୀଳା । କାହାରି ଇଛାରେ ସେ ଆସନ୍ତିନି କି ଯାଆନ୍ତିନି । ତାଙ୍କ ନିଜ ଇଛାରେ ତାଙ୍କର ସବୁ କାମ । ମୁଁ କହିଥିଲି ମୁଁ ଆଉ ଗୋଟେ କିଣି ଆଣିଦେବି ବୋଲି ମତେ ଲାଗିଲା ସେ ଯେପରି କହୁଛନ୍ତି “ମତେ କେହି ଏ ପୃଥିବୀରେ କିଣି ପାରିବାର ଶକ୍ତି ରଖି ନାହାନ୍ତି ତୁ କଣ କିଣିବୁ !” ନିଜ ଇଛାରେ ହଜିଥିଲି ମୁଁ, ନିଜ ଇଛାରେ ପୁଣି ଫେରି ଆସିଲି ! ସତରେ ! ଆଖି ଦେଖା କଥାକୁ ଅବିଶ୍ଵାସ ବା କିପରି କରି ପାରିବି ।