ଗଣିତ
ଗଣିତ


ବାସୁ ଆମ ଶ୍ରେଣୀରେ ସବୁଠୁ ଭଲ ପଢେ l ତା’କୁ ଗୁରୁଜୀ ବହୁତ ଭଲ ପାଆନ୍ତି l କଥା କଥାକେ ବାସୁକୁ ଡାକିବେ l ତା’ ଉପରେ ଗୁରୁଜୀଙ୍କର ବହୁତ ଭରସା l ଆମ ଗୁରୁଜୀ ପଢାନ୍ତି କମ୍, ବାଡାନ୍ତି ବେଶି l ପିଲାମାନେ ତାଙ୍କୁ ହାଡେ ହାଡେ ଡରନ୍ତି l
ସେ ଦିନ ଗଣିତ ପଢା ହେଉଥିଲା l ଚେଆର୍ ଉପରେ ବସି ଗୁରୁଜୀ ଗୋଟେ ମିଶାଣ କରିବାକୁ ଡାକିଲେ l ସମସ୍ତେ ସିଲଟ ବାହାର କରୁ ହିସାବ ଆରମ୍ଭ କରିଦେଲେ l ଜଲଦି ହୋଇଗଲେ ସାବାସୀ ମିଳେ l ହିସାବ କରି ଗୁରୁଜୀଙ୍କ ଆଗରେ ସିଲଟ ଧରି ଠିଆ ହୋଇ ଯିବାର ଅଛି l ହେଲେ ଗୋଟି ଗୋଟି ପିଲାଙ୍କର ସିଲଟ ଦେଖିବାର ଧୈର୍ଯ୍ୟ ଗୁରୁଜୀଙ୍କର ନ ଥାଏ l ବାସୁକୁ ପଚାରିଲେ, ‘କିରେ ବାସୁ ! ତୋର ହୋଇଗଲା କିରେ ? ’
: ହଁ ......... ଗୁରୁଜୀ ..........
: ଆଛା ଆଣ୍........... ସେଠି ଠିଆ ହୁଅ........ ତା’ ପରେ ସବୁ ପିଲାଙ୍କୁ ଜୋରରେ ପଚାରିଲେ, ‘ସମସ୍ତଙ୍କର ହୋଇଗଲା ?’ ସମସ୍ତେ ଏକ ସ୍ୱରରେ କହିଲେ,‘ହଁ ........ ଗୁରୁଜୀ ..........’
: ଆଛା l ଜଣେ ଜଣେ କରି ଆସ l ଯାହାର ବାସୁ ସିଲଟ ସଙ୍ଗେ ସମାନ, ସେ ସେପଟକୁ ଯିବ l ଯାହାର ମେଳ ଖାଇବନି, ସେ ମୋ ପାଖକୁ ଆସିବ l ଜଣେ ଜଣେ ଆସିଲେ l ପ୍ରଥମେ ଜଣେ ଆସି ମେଳାଇ ଦେଖିଲା l ହେଲେ ମେଳ ଖାଇଲା ନାହିଁ l
ଗୁରୁଜୀ ଡାକିଲେ,‘ଏପଟକୁ......... ଏପଟକୁ ......... ହାତ ଦେଖା.........’
ବେତରେ ଦୁଇ ପାହାର l
ତା’ପରେ ଅନ୍ୟମାନଙ୍କ ପାଳି ପଡିଲା l ହେଲେ ଗୁରୁଜୀ ଦେଖିଲେ କାହାର ବି ବାସୁ ଉତ୍ତର ସାଙ୍ଗରେ ମେଳ ଖାଉନି l ପ୍ରାୟ ଅଧାରୁ ବେଶି ପିଲା ମେଳ ନ ଖାଇବାରୁ ଦୁଇ ପାହାର ଲେଖାଏ ବେତ ବି ଖାଇ ସାରିଲେଣି l ହଠାତ୍ ଗୁରୁଜୀଙ୍କର ବୁଦ୍ଧି ପଶିଲା l କହିଲେ, ‘କିରେ ବାସୁ ! ତୋ ସିଲଟଟା ଟିକେ ଆଣିଲୁ l ଦେଖିବା l’
ବାସୁ ସିଲଟ ଦେଖି ଗୁରୁଜୀଙ୍କର ମୁଣ୍ଡ ଗୋଳମାଳ ହୋଇଗଲା l ‘ଆରେ ମୂର୍ଖ ! ତୋର ତ ଉତ୍ତର ଭୁଲ l’ ପୁଣି ରାଗିଗଲେ l କହିଲେ,‘.............. ପିଲା ! ତୋ ଯୋଗୁଁ ଆଜି ଏଗାର ଜଣ ପିଲା ମାଡ ଖାଇଲେ l ମୂର୍ଖ ! ହାତ ଦେଖା l’
ବିଚରା ବାସୁର ରକ୍ତ ଶୁଖିଗଲା l ଗୁରୁଜୀଙ୍କର ପ୍ରଚଣ୍ଡ ରାଗ ଦେଖିଲେ ଯେ କେହି ପିଲା ଡରିଯିବ l ହାତ ଦେଖେଇଲା ବେତ ଖାଇବାକୁ l ଏଗାର ଜଣ ପିଲାଙ୍କ ମାଡ ଶୁଝେଇବାକୁ ଯାଇ ଗଣି ଗଣି ବାଇଶି ପାହାର ବେତ ତା’ ହାତରେ ପଡିଲା l ବେତ ଖାଉଥିବା ବେଳେ ବାସୁ ଛଟପଟ ହେଉଥିଲା l କିନ୍ତୁ ସବୁ ପିଲାଙ୍କର ଆନନ୍ଦର ସୀମା ନ ଥାଏ l ସେତେବେଳେ ଆମ କାହା ମୁଣ୍ଡରେ ପଶୁ ନ ଥିଲା, ‘ତା’ ଭୁଲ ପାଇଁ ହୁଏ ତ ସେ ଦି ପାହାର ମାଡ ଖାଇଥାଆନ୍ତା l ହେଲେ ବାଇଶି ପାହାର ବେତ କାହା ଭୁଲ ପାଇଁ ଖାଇଲା ?’