Minakshi Samal

Others

3  

Minakshi Samal

Others

ଘର ମୋର ସ୍ବର୍ଗ

ଘର ମୋର ସ୍ବର୍ଗ

4 mins
534


ଘର ଦ୍ବାର ପରିଷ୍କାର ପରିଛନ୍ନ ହୋଇ କେମିତି ଗୋଟିଏ ପବିତ୍ର ପବିତ୍ର ଆବହାଓ୍ବାରେ ଭରିଯାଇଛି ଚତୁର୍ଦ୍ଦିଗ।ଫୁଲକୁଣ୍ଡରେ ଥିବା ଗଛଗୁଡିକ ଶୁଖିଯାଇଥିଲେ ମଧ୍ୟ ବଡ ଗଛମାନେ ଯେମିତିକି କାଠଚମ୍ପା,ଆମ୍ବ,

ପଣସ,ଅଁଳା ଗଛଗୁଡିକ ଖୁସିରେ ମୁଣ୍ଡ ହଲାଉଥାନ୍ତି।କୁହାଯାଏ ଯେ ଗଛମାନେ ମଧ୍ୟ ସ୍ନେହଶ୍ରଦ୍ଧାର ଭାଷା ବୁଝି ପାରନ୍ତି।ମମତାର ସ୍ପର୍ଶରେ ସେମାନେ ମଧ୍ୟ ପୁଲକିତ ହୋଇ ଉଠନ୍ତି।ରୋମାଙ୍କର ଆଗମନରେ ଆଜି ଘରଟିର କୋଣ ଅନୁକୋଣ ଖୁସିର ଛନ୍ଦରେ ଛନ୍ଦାୟିତ।


ଫାଟକରେ ଲେଖାଯାଇଥିବା ଫଳକଟି ରୋମାଙ୍କର ଖୁବ ପସନ୍ଦ।ନିଜ ପସନ୍ଦରେ ସେ ନିଜ ଘରର ନାମ ରଖିଥିଲେ 'ଅରମାନ ଭିଲ୍ଲା'।ପତି ଅଂଶୁମାନ ଓ ନିଜ ନାଁ ରୋମାକୁ ମିଶାଇ ଏକ ଫ୍ୟୁଜନ କରା ନାଁ ଟି ବାଛି ଖୁବ ଆନନ୍ଦରେ ଗଦଗଦ ହୋଇ ଏଇ ନାଁ ରେ ଘରଟିର ନାମଫଳକର ଅର୍ଡର ଦେବାକୁ ସେ ନିଜେ ଅଂଶୁମାନଙ୍କ ସାଙ୍ଗରେ ଯାଇଥିଲେ।ଯେଉଁଦିନ ନାମ ଫଳକଟି ବଡ ମୁଖ୍ୟ ଦରଜାରେ ଲଗାଯାଇଥିଲା ସେଦିନ ତାଙ୍କର ଖୁସିର ସୀମା ଲଗାମଛଡା ହୋଇଯାଇଥିଲା।


ଘର ଭିତରର ଇଣ୍ଟେରିୟର ଡେକୋରେଶନର ଡିଜାଇନ ଅଂଶୁମାନ କରିଥିଲେ।ବାହାରେ ବିଭିନ୍ନ ରଙ୍ଗର ଅର୍କିଡ ଓ ହାଇବ୍ରିଡ ଗୋଲାପ ସବୁ ନିଜେ ରୋମା ନର୍ସରୀରୁ ପସନ୍ଦ କରି ଆଣି ଲଗାଇଥିଲେ।

ମୋଟାମୋଟି ଭାବେ କହିଲେ ଘରଟିକୁ ଖୁବ ଯତ୍ନ ସହକାରେ ସଜାଇଥିଲେ ପତି ପତ୍ନୀ ଦୁଇଜଣ।


ସନ୍ତାନ ମାନଙ୍କ କଳରବରେ ଗୁଞ୍ଜରିତ ହେଉଥିଲା ଅରମାନ ଭିଲ୍ଲା।ପୁଅ ଅମନ ଓ ଝିଅ ରୋଜୀ ଅରମାନ ଭିଲ୍ଲାର ପ୍ରାଣକେନ୍ଦ୍ର ଥିଲେ।ଖୁବ ବାଧ୍ୟ ସନ୍ତାନ ହେବା ସଙ୍ଗେ ସଙ୍ଗେ ଘରର ଚାକର ,ପୂଜାରୀ,ମାଳି ସମସ୍ତଙ୍କୁ ଉଚିତ ବ୍ୟବହାର ଦେଖାଉଥିଲେ ପିଲା ଦୁଇଜଣ।ସେଥିପାଇଁ ସମସ୍ତଙ୍କର ରଙ୍କନିଧି ଥିଲେ ଦୁଇଜଣ ଭାଇ ଭଉଣୀ।


ପାଠ ପଢା ଶେଷ ହେବା ପରେ ଅମନ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଚାଲିଯାଏ।କିନ୍ତୁ ସେଠାକାର ସୁସଂଗଠିତ କାର୍ଯ୍ୟକଳାପ ତାକୁ ପଢା ଶେଷ ହେବାପରେ ସେଇଠାରେ ନିଜର କର୍ମସଂସ୍ଥାନ ଠିକ କରିବାକୁ ବାଧ୍ୟ କରାଏ।ଫଳତଃ ଚାରିବର୍ଷ ଯାଗାରେ ତାର ଇଂଲଣ୍ଡ ରହଣୀର ଅବଧି ବଢିଚାଲେ।


ରୋଜୀର ସ୍ନାତକ ଡିଗ୍ରୀ ସରିବା ପରେ ତାର ବିବାହ ଏକ ସୁସମ୍ପନ୍ନ ପରିବାରର ସୁଯୋଗ୍ୟ ସନ୍ତାନ ପରେଶ ସହିତ ହୋଇଯାଏ।ପରେଶ ସୁନାମଧନ୍ୟ ଓ୍ବିପ୍ରୋ କମ୍ପାନୀରେ ସିନିୟର ଏକ୍ଜିକ୍ୟୁଟିଭ ଭାବେ ବାଙ୍ଗାଲୋରରେ କାର୍ଯ୍ୟ କରନ୍ତି ଓ ମଝିରେ ମଝିରେ କିଛି ପ୍ରୋଜେକ୍ଟ ନେଇ ବିଦେଶ ଗସ୍ତ ମଧ୍ୟ କରନ୍ତି।


ପୁତ୍ର କନ୍ୟାଙ୍କ ବିନା ଅରମାନ ଭିଲ୍ଲା ଖୁବ ଖାଲି ଲାଗେ ରୋମାଙ୍କୁ।ଅଂଶୁମାନ ଅଫିସ କାମରେ ବ୍ୟସ୍ତ ରହିଯାନ୍ତି।ପୁରା ଦିନ ରୋମା ଖାଲି ଘରଟିରେ ଅଶରୀରି ପରି ଘୁରି ବୁଲନ୍ତି।ଚାକର ବାକର ତାଙ୍କର କାମସାରି ଯେଝା ଘରକୁ ଚାଲିଯିବା ପରେ ଘରଟି ଯେମିତି ତାଙ୍କୁ ଖାଇ ଗୋଡାଏ। ପିଲାମାନେ ପ୍ରତିଦିନ ଭିଡିଓ କଲ କରି ବାପା ମା ଙ୍କ ଖବର ବୁଝନ୍ତି।ଅମନ ମା'ଙ୍କର କଷ୍ଟ ବୁଝିପାରେ।ତେଣୁ ବାପା ମା ଙ୍କୁ ଇଂଲଣ୍ଡ ବୁଲେଇବାର ଜିଦ କରି ସେମାନଙ୍କ ପାଇଁ ଅନଲାଇନ ଟିକେଟ କାଟି ପଠାଇ ଦେଲା ଥରେ।ତା ସହିତ ବାପା ମା'ଙ୍କୁ ଜୋର ଦେଇ ପାସପୋର୍ଟ ଓ ଦୁଇମାସ ପାଇଁ ଭିସା ବନାଇବାକୁ ମଧ୍ୟ ବୁଝାଇ କହିଲା। ରୋମାଙ୍କର ମନରେ ଖୁସିର ଝଲକ ଦେଖାଗଲା।କିଛିଦିନ ପୁଅପାଖରେ କଟିଯିବ ଓ ନିଃସଙ୍ଗତାର କବଳରୁ ମୁକ୍ତି ମଧ୍ଯ ମିଳିଯିବ ଏଇଆ ଭାବି ତାଙ୍କ ମନଟା ଟିକେ ହାଲୁକା ହୋଇଯାଇଥାଏ। ଅଂଶୁମାନ ମଧ୍ୟ ନିଜକୁ କାର୍ଯ୍ୟର ଚାପରୁ ମୁକୁଳାଇବାକୁ ଚାହୁଁଥିଲେ।ତାଙ୍କପାଇଁ ଅମନର ସିଦ୍ଧାନ୍ତ 'ସୋନେପେ ସୁହାଗା'ର କାମ କଲା।ଖୁବ ଶୀଘ୍ର ପାସପୋର୍ଟ ଓ ଭିସାର କାମ ବି ସମ୍ପୂର୍ଣ୍ଣ ହୋଇଗଲା।


ସେପ୍ଟେମ୍ବର ୧୦ ତାରିଖରେ ତାଙ୍କର ଫ୍ଲାଇଟ ଥାଏ ।ମାଳୀ ହରିହର ଓ ଡ୍ରାଇଭର ମଦନ ସେମାନଙ୍କୁ ନିର୍ଭୟ ହୋଇ ଇଂଲଣ୍ଡ ଯିବାକୁ କହିଲେ ଏବଂ ତାଙ୍କ ଅନୁପସ୍ଥିତିରେ ଘରର ଯତ୍ନ ନେବାର ପ୍ରତିଶ୍ରୁତି ମଧ୍ୟ ଦେଲେ।


ନିଶ୍ଚିନ୍ତ ହୋଇ ପତି ପତ୍ନୀ ଦୁହେଁ ଇଂଲଣ୍ଡ ଅଭିମୁଖେ ଯାତ୍ରା କଲେ। ହିଥ୍ରୋ ଏୟାରପୋର୍ଟ ରେ ଅମନ ଉଦଗ୍ରୀବ ହୋଇ ଅନାଇ ବସିଥିଲା ପିତା ମାତାଙ୍କ ଆଗମନକୁ।ଖୁସିରେ ନାଚିଗଲା ବହେ।

ପତି ପତ୍ନୀ ଦୁହେଁ ମଧ୍ୟ ବିଦେଶ ମାଟିରେ ପାଦ ଦେଇ ଓ ସେଠାକାର ସୁ ସଂଗଠିତ କାର୍ଯ୍ୟ କଳାପ ସହିତ ବିକାଶଶୀଳ ହେବାର ଯଥାର୍ଥତାକୁ ଅନୁଭବ କରିପାରୁଥିଲେ।


ପ୍ରଥମ ମାସଟି ବୁଲାବୁଲି କରି କେମିତି କଟିଗଲା ଜଣାପଡିଲାନି।ଦ୍ବିତୀୟ ମାସଟି କାଟିବା ବଡ ଦୁରୁହ ଲାଗୁଥିଲା ଅଂଶୁମାନ ଓ ରୋମାଙ୍କୁ।ଇଛା ହେଉଥିଲା ଡେଣା ଲାଗିଯାନ୍ତା କି ,ସ୍ବଦେଶକୁ ଉଡିଉଡି ଚାଲିଯାନ୍ତେ।


ଅମନ ବାପା ମାଙ୍କର ମନୋଦଶା ହୃଦୟଙ୍ଗମ କରିପାରିଲା।ପିଲାଟିବେଳୁ ସେ ଏକ ମନସ୍ତତ୍ତ୍ବବିତ ଠାରୁ କମ ନଥିଲା।ମା'ଙ୍କର ରୋଗର ନିଦାନ ଓ ପ୍ରତିକାରର ଉପାୟ ସେ ନିଜେ ନିଜେ ଖୋଜିବାକୁ ଲାଗିଲା।

 ନଭେମ୍ବର ଦଶ ତାରିଖ ଭୋର ପାଞ୍ଚଟାରେ ଏୟାର ଇଣ୍ଡିଆର ଫ୍ଲାଇଟ ଲ୍ୟାଣ୍ଡ କଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ଏୟାରପୋର୍ଟରେ।ଡ୍ରାଇଭର ମଦନ ବିଶ୍ବସ୍ତ କର୍ମଚାରୀ ଭାବେ ଗାଡିଟିକୁ ଧରି ଅପେକ୍ଷାରତ ଥିଲା ମାଲିକଙ୍କୁ ବଳେଇ ନେବାକୁ।ମାଲିକ ମାଲିକାଣୀଙ୍କ ସହିତ ଅମନ ବାବାଙ୍କୁ ଦେଖି ଖୁସି ତାର ଦ୍ବିଗୁଣିତ ହୋଇଗଲା। ଗାଡି ଗଡିଚାଲିଲା ଅରମାନ ଭିଲ୍ଲା ଅଭିମୁଖେ।ଚାକର ଵଦ୍ରୀ ଘରକୁ ସଫାସୁତୁରା କରି ରଖିଥାଏ ଯେମିତି ରୋମା ରଖନ୍ତି।


ଠିକ ଛ'ଟା ବେଳକୁ ଘରଟିରେ ବଡ ଓଷାର ସବୁ ପ୍ରସ୍ତୁତି ପର୍ବ ସରିଥାଏ।ଧୂପ,ଦୀପ ଓ ପୂଜା ସରଞ୍ଜାମ ସବୁ ଯୋଗାଡିକି ରଖିଥାନ୍ତି ମଦନ ଓ ବଦ୍ରୀ।ଘରଟି ଧୂପ,ଚନ୍ଦନର ମହକରେ ଭରିଯାଇଥାଏ।


ରୋଷ ଘରୁ ହବିଷ୍ୟାନ୍ନର ସୁବାସ ଭାସିଆସୁଥାଏ।ଅମନ ନିଜର ଜିହ୍ବାଲାଳସାକୁ ଆଉ ନିଜର ନିୟନ୍ତ୍ରଣରେ ରଖିପାରିଲାନି।ମା'ଙ୍କୁ ଜଲଦି ଜଲଦି ଖାଇବା ବାଢିବାକୁ କହିଲା।ତରତର ହୋଇ ରୋମା କଦଳୀ ପତ୍ରରେ ଘିଅଅନ୍ନ,ହବିଷ ଡାଲମା,କଦଳୀଭଜା,ଓଉଖଟା,କ୍ଷିରୀ ବାଢିଦେଲେ।ପ୍ରସନ୍ନତା ସହିତ ଖାଦ୍ୟର ପ୍ରତ୍ୟେକ କଣାକୁ ଉପଭୋଗ କରି ଖାଇଚାଲିଥିଲା ଅମନ ଆଉ ତାର ମୁହଁକୁ ଅନାଇ ରହିଥିଲେ ରୋମା।


ତୁ ତାହେଲେ ଖାଇକି ଟିକେ ରେଷ୍ଟ ନେ।ରାତି ସାତଟା ସୁଦ୍ଧା ତତେ ଏୟାରପୋର୍ଟ ପହଞ୍ଚିବାକୁ ପଡିବ ଚେକ ଇନ ପାଇଁ।କହୁକହୁ ରୋମାଙ୍କର କଣ୍ଠ ରୁଦ୍ଧ ହୋଇଯାଉଥିଲା।


ସନ୍ଧ୍ୟା ହୋଇ ଆସିଲାଣି।ନିମକି,ବେସନଲଡୁ ଓ ଲୁଣୁଖୁଡୁମା ପ୍ୟାକ୍ କରି ରୋମା ରଖିସାରିଲେଣି।ଏଥର ଅମନ ର ରୁମ କୁ ଯାଇ ତାକୁ ଶୋଇଥିବା ଅବସ୍ଥାରେ ଦେଖି ତାଙ୍କ ହୋଶ୍ ଉଡିଗଲା।ନିଷ୍ପାପ ଶିଶୁଟିଏ ପରି ଶୋଇଥିବା ଅମନକୁ ନିଦରୁ ଉଠାଇବାକୁ ଆଦୌ ଇଛା ନଥିଲେ ମଧ୍ୟ ବାଧ୍ୟହୋଇ ଧୀର କରି ଉଠାଇଥିଲେ।


କ'ଣ ହେଲା ମା?


ଅମନର ଏ ପ୍ରଶ୍ନରେ ଟିକିଏ ଚମକିଗଲେ ରୋମା।କହିଲେ,ବାବୁରେ ରେଡି ହୋଇଯା।


କୁଆଡେ ରେଡି ହୋଇ ଯିବି ମା?


ଏୟାରପୋର୍ଟ ।କହିଲେ ରୋମା।


ଯାଇଥାନ୍ତି ଯେ ହେଲେ ପ୍ଲାନ କ୍ୟାନସଲ କରିଦେଲି ମା'। ଅରମାନ ଭିଲ୍ଲା ଛାଡି ମୁଁ ଆଉ ଇଂଲଣ୍ଡ ଯିବାକୁ ଚାହୁଁନି। ମୁଁ ଏଇଠି ରହିବି ଓ ମୋ ସ୍ବପ୍ନକୁ ସାକାର କରିବାପାଇଁ ଚେଷ୍ଟା କରିବି ତୁମମାନଙ୍କ ସାଙ୍ଗରେ ରହି,ତୁମଠୁ ଦୂରରେ ନୁହେଁ।କାଲି ଭୋରରୁ ବିନ୍ଦୁସାଗରରେ ଡଙ୍ଗା ଭସେଇବାକୁ ମତେ ଜଲଦି ଡାକିଦେବ।


ଅନାହୁତ ଖୁସିରେ ଝୁମି ଯାଉଥିଲା ରୋମାଙ୍କର ମନ।ଦୌଡିଯାଇ ମୁଖ୍ୟ ଫାଟକରେ ଲାଗିଥିବା ନାମଫଳକ 'ଅରମାନ ଭିଲ୍ଲା'କୁ ସାଉଁଳେଇ ଆଣିଲେ ସେ। ଓଠରୁ ଝରୁଥିଲା ସଂତୃପ୍ତିର ସୁଧା।



Rate this content
Log in