ଗହଣା
ଗହଣା
ବିପ୍ଳବ ଓ ବିଭାସ ଦୁଇ ଭାଇ।ମାଆ ବାପା ଛେଉଣ୍ଡ ଦୁଇ ଭାଇ ପରସ୍ପରର ସାହା ଭରଷା।ବଡ଼ଭାଇ ବିପ୍ଳବ ଓକିଲାତି କରି ଭଲ ପଇସା ରୋଜଗାର କରନ୍ତି। ସାନଭାଇ ବିଭାସ ଅଧାରୁ ପାଠ ଛାଡିଦେଇଥିଲେ।ତେଣୁ ଯେ କୌଣସି ଛୋଟମୋଟ କାମ କରି ରୋଜଗାର କରନ୍ତି।ବିଭାସ ନିଜ ଖର୍ଚ୍ଚ ବାହାର କରିବା ପାଇଁ କାମ କରନ୍ତି।ପରିବାରର ଯାବତୀୟ ଖର୍ଚ୍ଚ ବିପ୍ଳବବାବୁ ଉଠାନ୍ତି।ବିବାହ ବୟସ ଉପନୀତ ହେବାରୁ ବନ୍ଧୁ ବାନ୍ଧବ ଅନେକ ବିବାହଯୋଗ୍ୟ ଝିଅଙ୍କର ପ୍ରସ୍ତାବ ଦେଇଥିଲେ।କିନ୍ତୁ ଦୁଇଭାଇ ଦୁଇଭଉଣୀଙ୍କୁ ହିଁ ବିବାହ କରିବାକୁ ମନସ୍ଥ କରିଥିଲେ।କାରଣ ଦୁଇଭାଇ ଏକାଠି ରହିଲା ଭଳି ଦୁଇ ଭଉଣୀ ଦୁଇ ଯାଆ ହେଲେ ସେମାନଙ୍କ ପରିବାର ସବୁବେଳେ ଏକାଠି ରହିବ।ସମ୍ପର୍କୀୟ ନରି କକେଇ ଏହିଭଳି ଏକ ପ୍ରସ୍ତାବ ଯୁଟେଇ ଦେଲେ। ଦୁଇ ଭାଇଙ୍କ ବିବାହ ସୁରୁଖୁରୁରେ ସରିଲା।ଦୁଇ ଭଉଣୀ ଦୁଇ ଯାଆ ହୋଇ ଘରକୁ ସ୍ୱର୍ଗରେ ପରିଣତ କରିଦେଲେ।ଘରର ସମସ୍ତ ଦାୟିତ୍ୱ ବିପ୍ଳବ ବାବୁଙ୍କର ଥିଲା।ଘରେ ଯାହା ହେଉଥିଲା ଦୁଇ ଭଉଣୀଙ୍କ ପାଇଁ ସମାନ ହେଉଥିଲା।ଦୁଇ ଭଉଣୀ ଏକ ପ୍ରାଣ ହୋଇ ଚଳୁଥିଲେ। ବିଭାସବାବୁଙ୍କର ରୋଜଗାର ସ୍ୱଳ୍ପ ଓ ବିପ୍ଳବବାବୁ ଘର ଚଳାଉଥିବାରୁ ସେ ଓ ତାଙ୍କ ସ୍ତ୍ରୀ ଘରର ମାଲିକ ଏଭଳି ଭାବନା କାହା ମନରେ ନଥିଲା।ହସଖୁସିରେ ପରିବାର ଚଳିଯାଉଥିଲା।
ସମୟ ଚକରେ ଦୁଇଭାଇ ବାପା ହେଲେ। ବିପ୍ଳବବାବୁଙ୍କର ପୁଅଟିଏ।ପୁଅକୁ ଚାହିଁ ଚାହିଁ ବିଭାସବାବୁ ତିନୋଟି କନ୍ୟାସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।ପରିବାର ଓ ପିଲାଛୁଆଙ୍କ ସବୁ ଦାୟିତ୍ୱ ବିପ୍ଳବବାବୁ ଓ ତାଙ୍କ ସ୍ତ୍ରୀଙ୍କର ଥିଲା।ଘର ଚଳିବା ପାଇଁ କିମ୍ବା ପିଲାଛୁଆଙ୍କର କୌଣସି ଖର୍ଚ୍ଚ ବିଭାସବାବୁ ବହନ କରୁନଥିଲେ।ସବୁବେଳେ ସେ ନିଜର ରୋଜଗାର ସ୍ୱଳ୍ପ ଥିବା କଥା କହୁଥିଲେ।ତାଙ୍କର ରୋଜଗାର ତାଙ୍କ ନିଜର ଖର୍ଚ୍ଚ ପାଇଁ ମଧ୍ୟ କମ ଥିବାର ସେ ଦର୍ଶାଉଥିଲେ।ତେବେ ବିପ୍ଳବବାବୁ ବିନା ଦ୍ବିଧାରେ ଘର ଚଳେଇନେଉଥିଲେ।
ଥରେ ଜଣେ ଅତି ନିକଟ ସମ୍ପର୍କୀୟଙ୍କ ଝିଅ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପୁରା ପରିବାର ଦୁଇଦିନ ପାଇଁ ନିକଟସ୍ଥ ସହରକୁ ଯାଇଥିଲେ।ଦୁଇଦିନ ପରେ ଫେରି ଯାହା ଦେଖିଲେ ସମସ୍ତେ ହତଚକିତ ହୋଇଗଲେ। ଘରେ ଚୋର ପଶି ଘରର ସମସ୍ତ ଆସବାବପତ୍ର ଏପଟ ସେପଟ ହୋଇ ପଡ଼ିଥିଲା। ଏସବୁ ଦେଖି ବିଭାସବାବୁଙ୍କ ସ୍ତ୍ରୀ ମୂର୍ଚ୍ଛା ହୋଇଗଲେ।ତାଙ୍କୁ ସାଷ୍ଟାମ କଲାପରେ ସେ କେବଳ କାନ୍ଦିକି ଗଡ଼ିଲେ।ସତେ ଯେପରି ତାଙ୍କର କୌଣସି ମୂଲ୍ୟବାନ ସମ୍ପଦ ଚୋରି ହୋଇଯାଇଛି।ବାରମ୍ବାର ପଚାରିଲେ ମଧ୍ୟ କିଛି ନ କହି କେବଳ କାନ୍ଦୁଥିଲେ।ଏହିପରି ତିନିଦିନ ବିତିଗଲା।ଚତୁର୍ଥ ଦିନ ସକାଳେ ବିଭାସବାବୁଙ୍କ ସ୍ତ୍ରୀ ସମସ୍ତ ପରିବାର ଉପସ୍ଥିତିରେ କିଛି କହିବେ ବୋଲି ଉପସ୍ଥିତ ହେଲେ।
ସେ କହିବା ଆରମ୍ଭ କଲେ,"ଅପା ମୁଁ ବହୁତ ବଡ଼ ପାପ କରିଛି। ତୁମକୁ ଲୁଚେଇ ଅନେକ ଦୋଷ କରିଛି ଯାହାର ଫଳ ମୁଁ ଆଜି ପାଇଛି।ଘର ଚଳିବାରେ କିଛି ଆର୍ଥିକ ସହଯୋଗ ନ କରିବାକୁ ମୁଁ ତୋ ଦିଅରଙ୍କୁ କହିଥିଲି।ତୋର ଅବଦାନ ଭୁଲି ମୁଁ ସ୍ୱାର୍ଥରେ ଅନ୍ଧ ହୋଇଗଲି।କହିବା ବାହୁଲ୍ୟ ତୋ ପ୍ରତି ଈର୍ଷାପରାୟଣ ହୋଇଯାଇଥିଲି। ତୋର ପୁଅ ଓ ମୋର ଝିଅ ହୋଇଥିଲେ।ତେଣୁ ଝିଅଙ୍କର ବାହାଘରକୁ ନେଇ ସେମାନଙ୍କ ଭବିଷ୍ୟତକୁ ନେଇ ମୁଁ ଚିନ୍ତିତ ହୋଇପଡିଥିଲି।ଭୁଲିଯାଇଥିଲି ଯେ ତୁ ଓ ଭାଇଙ୍କ ଉପସ୍ଥିତିରେ ମୋର ଏସବୁ ଚିନ୍ତା କରିବାର ନାହିଁ।
ତେଣୁ ତୋ ସହ କପଟ କଲି। ତୋ ଦିଅର ଯାହା ରୋଜଗାର କରୁଥିଲେ ସେ ପଇସାରେ ମୁଁ କିଛି କିଛି ଗହଣା କିଣିବାରେ ଲାଗିଲି।ତୋତେ ଲୁଚେଇକି ଏସବୁ କରୁଥିବାରୁ ଗହଣା ବ୍ୟାଙ୍କ ଲକରରେ ନରଖି ଘରେ ରଖିଥିଲି। ଚୋର ପଶି ସେସବୁ ଗହଣା ନେଇଗଲା।ଗହଣା ଲୋଭରେ ତୋତେ କଥା ଲୁଚେଇଥିଲି।ତା'ର ଫଳ ମୁଁ ପାଇଲି। ସେହି ଗହଣା ଚୋରି ହେବା ପରେ ମୋର ବୁଦ୍ଧି ପଶିଲା। ମୁଁ କଣ ଦୋଷ କରିଛି,ମୁଁ ବୁଝିପାରିଛି।ଅପାଲୋ, ତୁ କଣ ତୋ' ସାନଭଉଣୀକୁ କ୍ଷମା ଦେଇପାରିବୁ?ବିଭାସ ମଧ୍ୟ ନିଜର ଭୁଲ ସ୍ଵୀକାର କରି ଭାଇ ଓ ଭାଉଜଙ୍କୁ କ୍ଷମା ପ୍ରାର୍ଥନା କରିବାରେ ଲାଗିଲେ। ଦୁଇଜଣଙ୍କ ଆଖିରେ ପଶ୍ଚାତାପର ଅଶ୍ରୁ କୌଣସି ବନ୍ଧବାଡ଼ ମାନିବାକୁ ପ୍ରସ୍ତୁତ ନଥିଲା।ବିପ୍ଲଵବାବୁ ବିଭାସଙ୍କୁ ଏବଂ ତାଙ୍କ ସ୍ତ୍ରୀ ବିଭାସବାବୁଙ୍କ ସ୍ତ୍ରୀଙ୍କୁ ଆଲିଙ୍ଗନ ପୂର୍ବକ ସେମାନଙ୍କ ଲୁହ ପୋଛୁଥିଲେ।ଗହଣାଚୋରି ପୁଣି ପରିବାରକୁ ଏକପ୍ରାଣ କରିସାରିଥିଲା।