Panchanan Jena

Others

3  

Panchanan Jena

Others

ଗଦାର ଗଦ୍ୟ

ଗଦାର ଗଦ୍ୟ

6 mins
387


  ଗଦା ରାଉତ ପୁନାସାହୁହର ପାଞ୍ଚମାଣିଆରେ ହଳ କରୁଛି | ନିଜର ଘୁଣ୍ଟଶୂନ | ଦାଆ ବୁଲେଇବାକୁ ବି ନାହିଁ | ଶୁକ୍ରବିଡା କରିବାକୁ ବି ନାହିଁ | ହାଟୁଆ ଓ ନାଲା ଦୁଇ ବଳଦକୁ ବାଁୟାଁ ଡାହାଣିଆଁ ଯୋଡି ହାତରେ ତେଲଲଗା ପାଞ୍ଚଣକୁ ଆଗୁଚା କରି ବେଗି ବେଗି ହଳ ଚଳେଇଛି |ମଥାରେ ନାଲି ଖୋର୍ଦ୍ଧା ଗାମୁଛାର ପଗଡି ସାଙ୍ଗକୁ ପାଦରେ ମୋଟର ଟାୟାର ହଳକ ଉପର ଗରମ ଗୁଳୁଗୁଳି ଆଉ ତଳେ ଟାଣୁଆ ଚିକିଟା ମାଟିକୁ ବାଡକୁ ବତା ନ୍ୟାୟରେ ଅଛି |ତା’ର ବଳିଷ୍ଟ କଳା ମଚମଚ ଦେହରୁ ଝାଳ ପାଣି ପରି ବୋହିଯାଉଛି | ବଡ ଝିଅ ମଡ଼ିର ବାହାଘର ବେଳକୁ କେଇ ହଜାର ପୁନାସାହୁ ଘରୁ ଉଧାର ଆଣିଥିଲା ଯେ ସେ ପାଇଁ ସେ ଏବର୍ଷ ହଲଧରା ଅଛି | ହଳ କରୁ କରୁ ଗଦା ରାଉତ କ’ଣ ସବୁ ଭାବିଯାଉଛି , କ’ଣ ସବୁ ଚିନ୍ତା କରୁଛି ଯାହାଫଳରେ କପାଳରେ ଝାଳସବୁ ଝଲଗାମୁଛି ଘିମିରି ପରି ଫୁଟିଉଠୁଛି | ବେଳେ ବେଳେ ବାଁ ହାତକୁ କପାଳ ଉପରେ ବୁଲେଇ ଆଣୁଛି | ବରକୋଳିଆ ପାଣିଟୋପା ସବୁ ତଳକୁ ଥପ ଥପ ଟପ ଟପ କରି ଖଜୁରୀ କୋଳି ଝଡିବା ପରି ପଡିଯାଉଛି | ତା’ର ଖରା-ତରାକୁ ଡର –ଭୟ କିଛି ନାହିଁ |


ଭାବୁ ଭାବୁ ଗଦାରାଉତର ହାତ ଲଙ୍ଗଳ ମୁଠି ଉପରୁ କୋହଳ ହୋଇଯାଏ | ବଳଦମାନେ କୋଠିଆ ହୋଇଯାନ୍ତି | ଚିନ୍ତାରେ ପୂର୍ଣଚ୍ଛେଦ ପଡେ | ପାଞ୍ଚଣଟାକୁ ଫଟ ଫାଟ କରି ବଳଦ ପିଠିରେ ଉଡେଇ ଦେଇ ବକିବାକୁ ଆରମ୍ଭ କରେ, ଗର୍ଜନ –ତର୍ଜନ କରେ | –“ ହେର ଶଳା ! ହେର ଶଳା ! ବେଳ ନାହିଁ ମଥା ଉପରକୁ ଉଠିଲାଣି , ଦି ଗୁଣ୍ଠ ବି ଚାଷ ହୋଇନି | ହେର ଶଳା ! ହେର ଶଳା !”

ପାଞ୍ଚଣର କରାମତିରେ ହେଉ ବା ଗଦା ରାଉତର ହେଣ୍ଟାଳରେ ହେଉ ବଳଦ ମାନେ ଜୋରରେ ଚାଲିବା ଆରମ୍ଭ କରି ଦିଅନ୍ତି | ଗଦା ରାଉତ ପୁଣି ତାର ଚିନ୍ତା ରାଇଜକୁ ଫେରିଆସେ ......|

ତା’ର ଭାବିବାକୁ ଆଜି ଅନେକ କଥା | ଦଶ – ପନ୍ଦର ବର୍ଷ ତଳର କଥା | କାଲିପରି ଲାଗୁଛି | ଆଖିଆଗରେ ନାଚିଉଠୁଛି | ଗଦା ରାଉତକୁ ବି ଆଶ୍ଚର୍ଯ୍ୟ ଚକିତ ଲାଗୁଛି | ଯାହା ବି ହେଉ , ଏହି ଦଶ- ପନ୍ଦର ବର୍ଷ ଆଗରୁ ଲୋକମାନେ ବେଶ ଭଲରେ ଥିଲେ | ସମସ୍ତେ ସୁଖ ଦୁଃଖରେ ଶାଗ ପେଜ ପିଇ ବେଶ ଆରାମରେ ଥିଲେ , ଚଳିଯାଉଥିଲେ | କେଉଁଠୁ ଆସିଲା ଏ ଅଲପେଇସା ରାଜନୀତି ଯେ , ସବୁ ଯେମିତି ଉଲଟ–ପାଲଟ ହୋଇଗଲା |


ରାଜନୀତି ନାଁ ଶୁଣିଲେ ଯେମିତି ଗଦାରାଉତର କଲିଜା ଥରିଉଠେ | ଦେହରେ ଶଇତାନ ସବାର ହୋଇଯାଏ | ଦାନ୍ତସବୁ ରାଗରେ ଚାପି ହୋଇଯାନ୍ତି | ଦେହର ଶିରା ପ୍ରଶିରା ସବୁ ରିସ ରିସ କରି ଉଠେ | ସତେ ଯେମିତି ସେ ରାଜନୀତି ରୂପୀ ପିଶାଚର ଗଳା ଚିପି ଦିଅନ୍ତା |ସାମ୍ନାରେ ପଡିଲେ ମୋର ଦିନେ କି ତା’ର ଦିନେ କରି ଦିଅନ୍ତା | ସେ ଜଣେ ମଳିମୁଣ୍ଡିଆ ଅଶିକ୍ଷିତ ଗାଉଁଲି ଯୁବକ | ଖଡି ସିଲଟ କେବେ ବି ଛୁଇଁନି | ଖାତା –ବହି-ବସ୍ତାନି କେବେ ତା’ ଭାଗ୍ୟରେ ଜୁଟିନି | ଇସ୍କୁଲ ପିଣ୍ଡା କେବେ ବି ମାଡିନି | ବରଂ ରାମାୟଣ ମହାଭାରତ ପାରାୟଣ , ନାଟ –ତାମସା ସ୍କୁଲ ହତାରେ ହେଲେ ସେ କେତେଥର ସାରାରାତି ଉଜାଗର ରହି ବସି ଦେଖିଛି | ଢୁଲଉ ଢୁଲଉ କେତେ ଓଡିଆ ହିନ୍ଦୀ ସିନେମା ଦେଖି ନେଇଛି | ସେ ବା କାହୁଁ ବୁଝିବ ଯେ ରାଜନୀତି ଜଣେ ଲୋକ ବା ଜନ ସମୁଦାୟ ନୁହେଁ , ବରଂ ବର୍ତ୍ତମାନର ରାଜନୈତିକ ରୂପରେଖ ? କାହିଁକି ବା ତା’ର ଗାଉଁଲି ମୁଣ୍ଡରେ ଏ ସବୁ ବଡ ବଡ ମଗଜିଆ କଥା ପୁରାନ୍ତା ???


ହେଉ ଦେଖୁନା ! ଗତ ମଙ୍ଗଳ ବାର ଦିନ ଆମେ ସମସ୍ତେ ଅଦଭୁତିଆ ହାଟ ପଡିଆରେ ବସି ଦୁଃଖ ସୁଖ ହେଉଛେ , ଆମ ଗାଁ ୱାଡମେମ୍ବର ଇଲେକ୍ସନ ଫଳ ବାହାରିଲା | କ’ଣ ନା ବରିଆ ରାଉତ ଜିତିଗଲା | ଆମେ ସମସ୍ତେ ମୁଁହ ଚାହାଁ ଚୁଇଁ ହେଲେ | ଏକଦମ ହତବାକ ହୋଇଗଲେ | ଉମାକାନ୍ତିଆ ଜେନା ଜିତିବାର ଥିଲା | ଶୁଣୁ ଶୁଣୁ କ’ଣ ନା --- ତା’ ପାନବେପାରିଆ ଅସ୍କରିଆ ଭାଇ ବମ୍ବେରୁ ପଠେଇଲା ଯେ କରକରିଆ ଟଙ୍କା ବିଡା , ରାତେ ରାତେ କାହାକୁ ଶହେ କାହାକୁ ଦିଶହ ଫୋପାଡିଦେଲା ଏବଂ ଖେଳକୁ ଓଲଟ ପାଲଟ କରିଦେଲା |


“ଗତ ନିର୍ବାଚନ ବେଳେ ବେଣୁଆ ବେହେରା ପଚାଶ ଟଙ୍କା ଚୁପ କି ହାତରେ ଗୁଞ୍ଜି ଦେଇଥିଲା ତା’ ମାଇପକୁ ଖଣ୍ଡେ ଭୋଟ ଦେବାକୁ , ମାତ୍ର ମୁଁ ରୋକଠୋକ ମନା କରିଦେଲି | ଭଗବାନ ଉପରେ ଅଛନ୍ତି | କାଳିଆ ଜଗାବଳିଆ ସବୁ ନେତ୍ର ଫାଡି ଫାଡି ଦେଖୁଛନ୍ତି | ହଉ ହେଲା ! କହୁଛୁତ ଗାଁ ଭାଇ ହିସାବରେ ବା ଲମ୍ବାଇ-ଡୁଡୁ ଖେଳ ସାଙ୍ଗ ହିସାବରେ ଭୋଟ ଖଣ୍ଡେ ଦେବି, କିନ୍ତୁ ପଇସା ନେବିନି ? ବଡ ଅଧର୍ମ ହେବ | ମୋର ପୁଣି ପିଲା-ଝିଲା ଅଛନ୍ତି ନା ନାହିଁ ? ମୋର ପୁଣି ମାନବିକତା –ସ୍ଵାଧୀନତା ଅଛି ନା ନାହିଁ ? କି କାଳ ହେଲା , ପଇସା ବଦଳରେ ମୁଣ୍ଡ ବି ବିକିଗଲା ? ଘୋର କଳିର ରାଇଜ | କେତେ ଖଣ୍ଡ ଗାନ୍ଧୀ ମାର୍କାର ଲୋଭ ମଣିଷକୁ ଗାଡର ମେଣ୍ଢା କରିଦେଉଛି , ମିଚ୍ଛୁଆ-ଲାଞ୍ଚୁଆ –ପେଞ୍ଚୁଆ ବନେଇ ଦେଉଛି |”


ତା’ ମନରେ ଉଙ୍କି ମାରୁଥିଲା ----- ସେ ଛୋଟବେଳୁ ଖତୁ ବିଶ୍ଵାଳ ଘରେ ଗୋରୁମଣା ଅଛି | ପେଟଭାତୁଆରେ ଅଛି | କଷରିଆ ଦଉଡିଲଗା ଖଣ୍ଡିଆ ପ୍ଯାଣ୍ଟ ଖଣ୍ଡେ ପିନ୍ଧିକରି ଗାଈ ବଳଦକୁ ଚରେଇ ନିଏ , ଘାସ କାଟେ , ତୋରାଣି ଦିଏ – ମୋଟ ଉପରେ ଗାଈ –ଗୋରୁର ସେବା କରେ |ପିଲାଟି ଦିନରୁ ବାପ ଛେଉଣ୍ଡ | କେବେ ବି ବାପ ମୁଁହ ସେ ଦେଖିନି ? ତା’ ମା’ କୁହେ ତା’ ବାପ ବି ବିଶ୍ଵାଳ ଘରେ ମୂଲ ଲାଗୁଥିଲା |

ସେ ପୁଣି ଭାବୁଥିଲା ----- ପାଞ୍ଚପାଇକା –ନନ୍ଧାଟିକିରା – ଟଣାପଦା – ନମ୍ପଦା-ଗୋଡିଆକିଆରୀ –ନଈଆଡି –ଗଛିପଦା- ପଳାପୁଡି --- ସବୁଆଡେ ଗୋରୁପଲ ନେଇ ଯାଇଥାଏ | ସାଙ୍ଗ ସାଥି ମେଳରେ ଦିନ ଟିଏ ଚାଲିଯାଏ , ଜଣାପଡ଼େନି |ଯେତେବେଳେ ଦଳଦଳ ଉଡାଜାହାଜ ଗୋଡିକ ସେ ହଳ କରୁଥିବାବେଳେ ତା’ ମୁଣ୍ଡ ଉପର ଦେଇ ଉଡିଯାନ୍ତି ଭାଁ ଭାଁ କରି , ସେ ହଳ ଛାଡିଦେଇ ହିଡ ପାଖ ଚୁଡଚୁଡି ବୁଦା ମୂଳେ ଲୁଚିଯାଇ ଭୟାର୍ତ୍ତ ଆଖିରେ ସେ ଗୋଡାକ ଆଡେ ଚାହିଁ ରହେ |ବଳଦ ଦିଟା ବି କାନ ତରାଟି ଅତର୍ଛିଆ ଅମୁହାଁ ଦୌଡନ୍ତି ହଳ ଜୁଆଳି ସାଥିରେ | ସତେ ଯେମିତି ଶତ୍ରୁର ମୁକାବିଲା କରିବା ପାଇଁ ସିଂହ ବିକ୍ରମରେ ବାହୁବଳି ମୁଦ୍ରାରେ କିଂବା ଯୁଦ୍ଧରୁ ଛତ୍ରଭଙ୍ଗ ଦେଇ ----ସେ ବୁଝିପାରେନା |


ତା’ର ମନେ ହୁଏ , ଉଡାଜାହାଜ ଗୋଡିକ ଯେତେବେଳେ ତା’ ଗାଁ ଉପର ଦେଇ ଯାଉଛନ୍ତି , ନିଶ୍ଚୟ ଏଇ ପାଖ ଆଖରେ ଅର୍ଥାତ ଗୋଲାବାରୁଦ କାରଖାନା ଚାନ୍ଦିପୁରରେ ଲଢେଇ ହେଉଛି | ଆଉ ତାଙ୍କ ଗାଁ ଉପରେ ବମ ଧମାକା ହୋଇପାରେ |ବାପ ରେ ବାପ | କିଛି ଆଉ ରହିବନି | ସବୁ ଏକେବାର ଧୂଳିସାତ |ପଇଡାଘର ଗୋହାଳ ଉପରେ ଚଡକ ପଡିବାରୁ ନିଆଁ ଲାଗିଥିଲା ଆରବର୍ଷ | ଗାଈ ବଳଦ ସବୁ ପୋଡିମରି ସିଠା ହୋଇଗଲେ |ବାପା ରେ କି ଗନ୍ଧ ? ନାକ ଫାଟି ପଡୁଥିଲା | ବମ ପଡିଲେ ପୁରା ବଗଦା ଗାଁ ପଦା ହୋଇଯିବ | ଅଧର୍ମ ବହୁତ ବଢିଗଲାଣି | ଏମିତି କାଳ୍ପନିକ ଚିନ୍ତା ସବୁ ତା’ ମନରେ ଖୁବ ଉତ୍ତେଜନା ଆଉ ଉଦ୍ଦୀପନା ଦେଉଥାଏ |


ହଠାତ ଗଦା ରାଉତର ପେଟ କଳ କଳ କଲା | ଚିନ୍ତା ଯେଉଁଠି ଥିଲା ସେଇଠି ରହି ଗଲା |ଭାବନାରେ ପୂର୍ଣଚ୍ଛେଦ ଦେବାକୁ ହେବ | ସେ ଜାଣି ପାରିଲା ଯେ ପେଟ ଶବ୍ଦ କରି କହୁଛି ଭୁଜା ଖାଇବା ବେଳ ହେଲାଣି | ଆଜି ପଦାରେ ବସି ଖାଇହେବନି | ପୁରା ଜମିକୁ କାଦ କରିବାକୁ ହେବ | କାରଣ ଆସନ୍ତାକାଲି ମଜୁରିମାନେ ଧାନ ରୋଇବାକୁ ଆସିବେ | କାଦ ଆଜି ନ କଲେ ପଚିବ କେତେବେଳେ ? ବଳଦ ମାନେ ବି ବୁଣା ଚରିପାରିବେନି |


ପଛ କମରରେ ନାଲି ଗାମୁଚ୍ଛାରେ ବନ୍ଧା ଭୁଜା କାଢିଲା , ପାଣିରେ ବୁଡେଇଲା , ଭେଦେଇ ଦେଲା | ଲଙ୍ଗଳ କଣ୍ଟିରେ ବାନ୍ଧି କରି ଉଳେଇ ଦେଲା | କଞ୍ଚା ଧାନୁଆ ଲଙ୍କା ଆମୂଳ ଫଡା ସହିତ କଳେ କଳେ ପାଟିରେ ପକେଇ ଗଦାରାଉତ ହଳ କରି ଚାଲିଲା | ପାଟି ଶୁ ଶୁ , କାନମୁଣ୍ଡା ଝାଁ ଝାଁ , ଜିଭ ଠା ଠା | ତଥାପି କାମରେ ଖିଲାପି ନାହିଁ | ସେଥିପାଇଁ ଗଦା ଦିନେ ବି ବସେନା | ଲୋକେ ତା’କୁ ବସି ବାକୁ ଦିଅନ୍ତି ନାହିଁ | କାମ ହିଁ କାମ | ରାତି ସରେ ଦିନ ଆସେ , ସଞ୍ଜ ପରେ ସକାଳ ଆସେ |ମାତ୍ର ଗଦା ରାଉତର ନାଥଘର କାମ ପରେ ବାରିକଘରେ କାମ ଚାଲିଥାଏ | ଆଗରେ କାମ ପଛରେ କାମ , କାମ ହିଁ ତା’ର ରାମ |

ବନ୍ଧ ଉପରୁ ପୁରିଆ ଡାକିଲା –“ ହୋ ଗଦାଇ ! ପଳିଏ ପଳିଏ , ବେଳ ଗଡି ଗଲାଣି |”


ଗଦା ଶୁଣିଲା , ମୁଁହ ଉପରକୁ ଉଠେଇ ବେଳକୁ ଚାହିଁଲା | ମନେ ମନେ କହିଲା –“ ଦୁଇ ପଟ ମହି ମାଡି ଦେଇ ପଛେ ପଛେ ଆଉଛି |”


ପାଖ ପାଞ୍ଚପାଇକାଆଡି ଝଙ୍କାଳିଆ ବରଗଛରୁ ବଗୁଲା ଦଳେ କାଁ କାଁ ହୋଇ ଉତ୍ତରକୁ ଉଡିଚାଲିଲେ | ଗଦା ରାଉତ ଜୁଆଳି–ଲଙ୍ଗଲକୁ ବାଁ କାନ୍ଧରେ ପକେଇ ଘର ମୁଁହା ହେଲା |ମୁଁହରୁ ବାହାରୁ ଥିଲା ---“ଆହେ ନୀଳଶଇଳ ପ୍ରବଳ ମତ୍ତବାରଣ , ମୋ ଆରତ ନଲିନୀକୁ କରହେ ଦଳଣ, ଆହେ ନୀଳଶଇଳ-------“|  



Rate this content
Log in