Pallabi Das

Others

3  

Pallabi Das

Others

ଗାରେଇବା

ଗାରେଇବା

3 mins
543


ପ୍ରାୟ ତିନି ବର୍ଷ ତଳର କଥା ମୁଁ ସେତେବେଳେ ରାଜଧାନୀର ଏକ ସରକାରୀ କଲେଜରେ ମାଷ୍ଟର ଡିଗ୍ରୀର ଛାତ୍ରୀ ଥିଲି । ଭୁବନେଶ୍ବର ଆଉ ଢ଼େଙ୍କାନାଳ ସହର ଭିତରେ ଦୂରତା କମ୍ ଥିଲା କିନ୍ତୁ ମନରେ ଘର ପ୍ରତି ଆଶକ୍ତି ଭାବ ଟିକେ ଅଧିକା ଥିଲା । ଗୋଟେ ଅଧେ ଛୁଟି ମିଳିଲେ ସାଙ୍ଗ ମାନେ କିଛି ପ୍ଲାନ୍ କରି ବୁଲା ବୁଲି କରନ୍ତି ଆଉ ସେଥିରେ ମୁଁ ନଥାଏ କେବେ ମୁଁ ଟ୍ରେନରେ ବସିଥାଏ ଘର ଅଭିମୁଖେ ତ କେବେ ଘର କାମରେ ବ୍ୟସ୍ତ ଥାଏ ।  ଗାଳି ଗୁଳଜରେ ପୋତି ପକେଇବା ବାଲା ସାଙ୍ଗ ମୋର ବୋହୁତ୍ ଅଛନ୍ତି । ସବୁ ବେଳେ ଗାଳି କରନ୍ତି -" ତୁ ଆମ ସାଥିରେ କୁଆଡେ ଯାଉନୁ କି ଆମକୁ ଟିକେ ସମୟ ଦଉନୁ" । 


 ଦିନକର ଘଟଣା, ଢ଼େଙ୍କାନାଳରେ ଥାଏ ମୁଁ , ଘରେ ମାଆ ବାପାଙ୍କ ହାତ ରନ୍ଧା ଖାଇ ହଷ୍ଟେଲ ଯିବାକୁ ପାଶୋରି ଦେଇଥାଏ । ହଠାତ୍ ନୋଟିସ ଆସି ଯାଇଥାଏ ସେମିଷ୍ଟାର୍ ପରୀକ୍ଷାର ସାଙ୍ଗମାନେ କଲ୍ କରି ପଚାରୁଥାନ୍ତି - "କେବେ ଆସିବୁ" । ପରୀକ୍ଷା ଖବର ଶୁଣି ଘରେ ଛାନିଆ କରି ଦେଇଥିଲେ, ହଷ୍ଟେଲ ଫେରିଯିବାକୁ ଆଉ ମନ ଦେଇ ପଢ଼ିବାକୁ । ତହିଁ ଆରଦିନ , ମତେ ଶୀତ ସଖାଳ ର କୁହୁଡ଼ି ଭିତରେ ଯିବାକୁ ପଡ଼ିଥିଲା ଷ୍ଟେସନ, ସେଠି ଟ୍ରେନ ଚଳାଚଳ ସବୁ ବାତିଲ୍ ଥିଲା କୌଣସି କାରଣ ରୁ । ଘରକୁ ଫେରିଯିବାକୁ ମନ ହଉଥାଏ କିନ୍ତୁ ହଠାତ୍ ବସ୍ ରେ କଲେଜ ଫେରିବାକୁ ଇଛା ହେଲା । ଘର ପାଖକୁ ପୁଣି ଥରେ ଫେରି, ବସ୍ ରେ ବସି ଯାଇଥିଲି । ଟ୍ରେନ ରେ ଯୋଉ ରାସ୍ତା ଘଣ୍ଟାଏ ଲାଗେ ବସ୍ ରେ ଗଲେ ସେଇ ରାସ୍ତା ଦୁଇ ଘଣ୍ଟା ରୁ ଅଧିକା ନେଇଯାଏ । ବସ୍ ଚାଲିବା ଆରମ୍ଭ କରିଛି କି ନାହିଁ ମୋର ନିଦୁଆ ଆଖି ଦିଟା ଢୋଳେଇବା ଆରମ୍ଭ କରିଦେଲା । ପାହାନ୍ତା ହୋଇଥିବାରୁ ରାସ୍ତା ଘାଟରେ ବେଶି ଗାଡି ମୋଟର ଚାଲିବା ଆରମ୍ଭ କରି ନଥାଏ ବସ୍ ଟି ବେଶ୍ ଧିମା ଧିମା ଗତିରେ ଚାଲୁଥାଏ, "ପାଣି ଓହଳା" ନାମକ ଛୋଟ ପାହାଡ ଉପରେ କୁହୁଡ଼ି ଭିତରେ । ମନ ଭିତରେ କୌତୁହଳ ଜାତ ହଉଥାଏ ପାଞ୍ଚ ବର୍ଷ କାଳ ପଢ଼ିଥିବା ମୋର ସେଇ ପୁରୁଣା ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟକୁ ଦେଖିବାକୁ ଯାହା ବି. ବି ହାଇ ସ୍କୁଲ ନାମ ରେ ବେଶ୍ ପରିଚିତ । ସେଇ ସ୍କୁଲରେ ପଢି, ମୋ ପରି ବୋହୁତ୍ ପିଲା ନିଜକୁ ଗୌରବାନ୍ୱିତ ମନେ କରନ୍ତି । ଖାଲି ଢେଙ୍କାନାଳ ଜିଲ୍ଲାର ବଡ଼ ସ୍କୁଲ କହିଲେ ଚଳିବନି ସେ ସ୍କୁଲ ଆଖ ପାଖ ଜିଲ୍ଲାରେ ବି ବେଶ୍ ଖ୍ୟାତ ଥିଲା ତା ପଢ଼ା ଆଉ ଇଂରେଜ ଅମଳର ଇମାରତ ପାଇଁ । 

 ସ୍କୁଲରେ ମୋ ଉଚ୍ଚତା ଟିକେ ଅଧିକା ଥିବାରୁ ବାଧ୍ୟ ହୋଇ ଶେଷ ଧାଡ଼ିରେ ବସିବାକୁ ପଡୁଥିଲା । ସବୁ ଲାଇନ୍ ରେ ତିନି ଜଣ ବସିବା ନିୟମ ଥିବା ବେଳେ ଶେଷ ଲାଇନ୍ ରେ ଆମେ ବେଞ୍ଚ ଯୋଡ଼ି ଛଅ ଜଣ ବସି ଯାଉଥିଲୁ ଯେମିତି ଚଳଚ୍ଚିତ୍ର ଦେଖିବାକୁ ସବୁ ଏକାଠି ବସିବା ପରି । ସାଙ୍ଗମାନଙ୍କ ଭିତରେ କିଛି ସାଙ୍ଗ ଏମିତି ଥିଲେ ଯୋଉ ମାନେ ଟିକେ ଖୁସି ହୋଇଗଲେ , ବେଞ୍ଚ ଉପରେ ସାଙ୍ଗେ ସାଙ୍ଗେ ପାନ ପତ୍ର ଆଙ୍କି ଦେଇ ତା ଭିତରେ ଆମ ନାଁ ଗୁଡା ଲେଖି ପକାଉଥିଲେ ।  


 ଅଧା ଛୁଆ ତ ନୂଆ ବେଞ୍ଚ ପାଇଁ ବାରମ୍ବାର କୁହନ୍ତି ବୋଧହୁଏ ନୂଆ ବେଞ୍ଚରେ ଗାରେଇବାର ମଜା କିଛ଼ି ଅଲଗା ଥିଲା । ମୋ ପେନ୍ ନ ଚାଲିଲେ କି ପେନସିଲ ର ମୁନ ଘୋରିବାର ଥିଲେ ବେଞ୍ଚ ବୋହୁତ୍ ଭଲ କାମ ଦିଏ , ପୁଣି ତାକୁ ରବର ନହଲେ ପାଣି ରେ ପୋଛି ଦିଏ । ପରୀକ୍ଷା ବେଳେ ସାଙ୍ଗ ମାନେ କାହିଁକି ତାଙ୍କ ବେଞ୍ଚ ଉପରେ ଗାରାନ୍ତି ମୁଁ ଏବେ ବୁଝିଲି, କପି ପାଇଁ ବେଞ୍ଚ ଠୁ ବଳି ସାଥୀ ଆଉ କେହି ନଥାଏ । ମୁଁ ଯେତିକି ବଡ ହଉଥିଲି, ମୋ ଭାଗରେ ପଡ଼ିଥିବା ବେଞ୍ଚ ପ୍ରତି ଯତ୍ନ ଭାବ ସେତେ ବଢୁଥିଲା ସେଥିପାଇଁ ହୁଏତ ମୁଁ ଗାରେଇବା ଛାଡ଼ି ଦେଇଥିଲି । ତଥାବି ହାତରେ ସାର୍ ଙ୍କ ଚକ୍ ଟିଏ ଆସିଗଲେ ଫୁଲ, ଫଳ, ଡାଳ, ପତ୍ର, ନଦୀ, ଝରଣା ରେ ଫୁଲ୍ କରିଦିଏ । ମନ ନ ପୁରିବା ଯାଏ ତାକୁ ଦେଖୁଥାଏ, ପୁଣି ତାକୁ ଡଷ୍ଟର୍ ରେ ପୋଛି ପକାଏ । ବେଳେ ବେଳେ ଇଛା ହୁଏ, ପୁଣି ଗୋଟେ ବେଞ୍ଚ ମିଳିଯାନ୍ତା କି ମନ ଭରି ଗାରେଇ ଦିଅନ୍ତି । 



Rate this content
Log in