ଏଇତ ଜୀବନ ( ଦ୍ୱିତୀୟ ଅଂଶ)
ଏଇତ ଜୀବନ ( ଦ୍ୱିତୀୟ ଅଂଶ)
ସୁରେଖା ଦେବୀ ମାନସଙ୍କୁ କହିଲେ ବୁଝିଲ ପୁଅକୁ ତିନି ବର୍ଷ ହୋଇ ଗଲାଣି। କାଲି ଭଳି ବଡ ହେବ। ସ୍କୁଲ୍ ଯିବ। ପାଠ ପଢିବ। ତା ପାଇଁ ଆମକୁ ଅନେକ ଖର୍ଚ୍ଚ କରିବାକୁ ପଡିବ। ହେଲେ ଏତେ ଟଙ୍କା ଆସିବ କେଉଁଠୁ? ମାନସ କହିଲେ ତୁମେ ଜମା ଚିନ୍ତା କରନି। ମୁଁ ଭାବିଚି ଏ ଚାଷରୁ ତ କିଛି ବି ଲାଭ ମିଳୁନି। ତେଣୁ ବିଲ ବାଡି ସବୁ ବଖରା ଦେଇ ସୁରାଟ ଚାଲିଯିବି। ଭଲ ଦି ପଇସା ରୋଜଗାର ହେଲେ ଆମ ପୁଅର ଭବିଷ୍ୟତ ସେଇ ପଇସାରେ ସୁନ୍ଦର ଭାବେ ଗଢିବା। ସୁରେଖା ଦେବୀ କହିଲେ ଭଲ କଥା କହୁଛ ତୁମେ? ପୁଅ ରହିଲା ମାମୁଁ ଘରେ। ତୁମେ ରହିବ ସୁରାଟରେ। ଆଉ ମୁଁ ଏକା ଏଠି କେମିତି ରହିବି? ମୁଁ ବି ତୁମ ସହ ସୁରାଟ ଚାଲିଯିବି। ମାନସ କହିଲେ ଠିକ୍ ଅଛି ଆଗାମୀ ପାଞ୍ଚ ତାରିଖ ଦିନ ଆମେ ସୁରାଟ ପଳେଇ ଯିବା। ପାଞ୍ଚ ତାରିଖରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସୁରାଟ ଚାଲିଗଲେ।
ସମୟ ବିତିବାକୁ ଲାଗିଲା। ମନୋଜ ଧୀରେ ଧୀରେ ବଡ ହେବାକୁ ଲାଗିଲା। ମନୋଜକୁ ଏବେ ଛଅ ବର୍ଷ। ସେ ଏବେ ପାଠ ପଢିବାକୁ ବିଦ୍ୟାଳୟକୁ ଗଲାଣି। ହେଲେ ସେ ଯେତେ ବଡ ହେଉଛି ତା ପ୍ରତି ତା ମାଇଁଙ୍କର ବ୍ୟବହାର ସେତେ ରୁକ୍ଷ ହେବାରେ ଲାଗିଛି। ସତେ ଯେମିତି ମନୋଜ ସେ ଘରର ଭଣଜା ନୁହେଁ, ରାସ୍ତା କଡରୁ ଗୋଟାଇ ଆଣିଥିବା ଗୋଟେ ପିଲା ଯିଏକି ତା ମାଇଁ ମୁଣ୍ଡରେ ଗୋଟେ ବଡ ବୋଝ ହୋଇ ଯାଇଛି। ମନୋଜର ସବୁ ଖର୍ଚ୍ଚ ମାନସ ବାବୁ ମାସକୁ ମାସ ସୁରାଟରୁ ପଠାଇ ଦିଅନ୍ତି। କିନ୍ତୁ ତଥାପି ଯଦି କେବେ ମାମୁଁ ମନୋଜ ପାଇଁ ଚକୋଲେଟଟିଏ ବି ଆଣି ଦିଅନ୍ତି ସେଦିନ ମାଇଁ ମନୋଜ ଉପରେ ନିଜର ସବୁ ଦାଉ ସାରିଦିଅନ୍ତି। ସତେ ଯେମିତି ମାମୁଁ ପାଖରୁ ଚକୋଲେଟ୍ ନେଇ ମନୋଜ ଗୋଟେ ମସ୍ତବଡ ଭୁଲ୍ କରିଦେଇଛି। ଛୋଟ ବେଳେ ତ ମନୋଜ କିଛି ବୁଝି ପାରୁନଥିଲା। କିନ୍ତୁ ଧିରେଧିରେ ବଡ ହେବା ସହ ମାଇଁର ବ୍ୟବହାରକୁ ବୁଝିବାକୁ ଲାଗିଲା। ହେଲେ କଣ ବା କରିବ ସିଏ? ତା ଭାଗ୍ୟ ତ ତା ଉପରେ ଦାଉ ସାଧିଛି। ନହେଲେ ବାପା ମାଆ ଥାଉ ଥାଉ କାହିଁକି ଅନାଥଙ୍କ ପରି ମାମୁଁ ଘରେ ପଡି ରହିଥାନ୍ତା ସିଏ? ମାଇଁର ବ୍ୟବହାର ତାକୁ ଗଭୀର ଭାବେ ମର୍ମାହତ କରେ। ବହୁତ ରାଗ ବି ଲାଗେ। ହେଲେ ସବୁ ରାଗକୁ ସେ ନିଜ ମନରେ ସ୍ତରୀଭୂତ ଶୀଳା ଭଳି ସାଇତି ରଖୁଥାଏ। କିଏ ଜାଣେ କେବେ ଯଦି ଏହି ରାଗର ସ୍ତରୀଭୂତ ଶୀଳା ସବୁ ମନୋଜର ହୃଦୟ ଗହ୍ୱରରୁ ଉଦ୍ଦଗୀରଣ ହେବ, ତାହେଲେ ସେଦିନ କେଉଁ ପ୍ରକାରର ପ୍ରଳୟ ଆସିବ? ଆଉ ଏକାନ୍ତରେ ମନେ ମନେ ବାପା ବୋଉଙ୍କୁ ଖୋଜି ଘୁମୁରି ଘୁମୁରି କାନ୍ଦେ। କାନ୍ଦି କାନ୍ଦି କେତେବେଳେ ଶୋଇପଡେ ସେକଥା ସେ ନିଜେ ବି ଜାଣି ପାରେନା। ଯଦି କେଉଁଦିନ ସନ୍ଧ୍ୟା ବେଳୁ ଏମିତି ଶୋଇପଡେ ସେଦିନ ରାତି ତାକୁ ଆଉ ଖାଇବାକୁ ମାଇଁ କେବେ ଡାକନ୍ତିନି। ସେଦିନ ମନୋଜକୁ ସେମିତି ଓପାସରେ ହିଁ ଶୋଇବାକୁ ପଡେ।
ଏପଟେ କିନ୍ତୁ ସୁକନ୍ୟା ଗୋଟେ ରାଜକୁମାରୀର ଜୀବନ ଅତିବାହିତ କରୁଥାଏ। କେବଳ ତା ବାପା ମାଆ କିମ୍ବା ପରିବାର ଲୋକ ନୁହେଁ ବରଂ ତା ମାମୁଁ ଘର ଲୋକ ମାନେ ବି ସୁକନ୍ୟାକୁ ବହୁତ ଭଲ ପାଉଥିଲେ। ସୁକନ୍ୟା ଥିଲା ସମସ୍ତଙ୍କ ଗଳାର ମାଳି। ହୃଦର ରତନି, ଆଖିର ତାରା। ପରିବାରର ଚାନ୍ଦିନି। ଦିନେ ସୁଲୋଚନା ଦେବୀଙ୍କ ଭାଇ ଆସିଥିଲେ। ସୁକନ୍ୟା ତାଙ୍କ ପାଖକୁ ଗଲା ପରେ ଆଉ କାହା ପାଖକୁ ବି ଆସିଲା ନାହିଁ। ତେଣୁ ସୁଲୋଚନା ଦେବୀଙ୍କ ଭାଇ କହିଲେ ଦେଇ ଆଜି ମୁଁ ୟାକୁ ମୋ ସହ ଆମ ଘରକୁ ନେଇ ଯାଉଛି। ସେଠି ତ ତା ମାଇଁ ଅଛି। କାଲି ସକାଳେ ଆଣି ଛାଡିଦେବି। ପ୍ରଥମେ ସୁଲୋଚନା ଦେବୀ ରାଜି ହେଲେନି। କିନ୍ତୁ ତାଙ୍କ ଭାଇର ବାରମ୍ବାର ଅନୁରୋଧ ଓ ସୁକନ୍ୟାର ତାଙ୍କ ଠାରୁ ଆଉ କାହା ପାଖକୁ ନ ଆସିବାର ଜିଦ୍ଦିକୁ ଦେଖି ସେ ରାଜି ହୋଇଗଲେ। ତାପରେ ତାଙ୍କ ଭାଇ ସୁକନ୍ୟାକୁ ନେଇ ପଳାଇ ଗଲେ।
ବିଳମ୍ବିତ ରାତିରେ କରୁଣା ବାବୁ ଘରକୁ ଆସି ଯେତେବେଳେ ଜାଣିଲେ ସୁକନ୍ୟାକୁ ତା ମାମୁଁ ଆସି ତାଙ୍କ ଘରକୁ ନେଇ ଯାଇଛନ୍ତି, ସୁଲୋଚନା ଦେବୀଙ୍କ ଉପରେ ବହୁତ ବିରକ୍ତ ହେଲେ। ଆଉ ରାତି ରାତି ଯାଇ ସୁକନ୍ୟାକୁ ତା ମାମୁଁ ଘରୁ ନେଇ ଆସିଲେ। ଆଉ ସୁଲୋଚନା ଦେବୀଙ୍କୁ କହିଲେ ତୁମେ ଜାଣିଛ ମୋ ଝିଅ ବିନା ମୁଁ ରହି ପାରିବିନି। ତାପରେ ବି ମତେ ନଜଣେଇ ତୁମେ ତାକୁ କେମିତି ତୁମ ଭାଇ ସହ ଯିବାକୁ ଦେଇଥିଲ? ସୁଲୋଚନା ଦେବୀ କହିଲେ ଆରେ ଭାଇ ବହୁତ କହିଲା। ତାପରେ ସୁକନ୍ୟା ବି ତା ପାଖରୁ ଅନ୍ୟ କାହା ପାଖକୁ ଆସିଲାନି। ସେଥିପାଇଁ ବାଧ୍ୟ ହୋଇ...। କରୁଣା ବାବୁ କହିଲେ ଥାଉ ଆଉ କିଛି କହିବା ଦରକାର ନାହିଁ। ତୁମେ ତୁମର ଏଠି ଖଟରେ ଶୁଅ ଆମେ ବାପ ଝିଅ ଆଜି ଆର ଘରେ ଶୋଇ ଯିବୁ। କହି ଝିଅକୁ ଧରି ଅନ୍ୟ ରୁମକୁ ଚାଲିଗଲେ। ସୁଲୋଚନା ଦେବୀ ତାଙ୍କ ପଛେ ପଛେ ଯାଇ କରୁଣା ବାବୁଙ୍କୁ ବହୁତ ବୁଝେଇଲେ। ତାପରେ କରୁଣା ବାବୁଙ୍କ ରାଗ ଧିରେଧିରେ ଶାନ୍ତ ହେଲା। କରୁଣା ବାବୁ କହିଲେ ହଉ ଠିକ୍ ଅଛି ଆଜିଠୁ ଏମିତି କାମ ଆଉ କେବେ କରିବନି। ସୁଲୋଚନା ଦେବୀ କହିଲେ ହଉ ଠିକ୍ ଅଛି। ହେଲେ ଝିଅକୁ ଚାରି ବର୍ଷ ହୋଇଗଲା। ତା ପାଠ ପଢାପଢି ବ୍ୟବସ୍ତା କିଛି କରିବ ନା ନାହିଁ? କରୁଣା ବାବୁ କହିଲେ ଆରେ ଆଜି ମୁଁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯଙ୍କ ସହ କଥା ହେଇ ସାରିଛି। ଆସନ୍ତା କାଲି ତାର ନାମ ଲେଖିଦେବା। ଆରେ ହଁ କହିବାକୁ ଭୁଲି ଯାଇଛି, ଝିଅର ଜନ୍ମ ପ୍ରମାଣ ପତ୍ର ଆଉ ଆଧାର କାର୍ଡ ଖୋଲିକି ରଖିଥିବ। ନାମ ଲେଖାବେଳେ ଏସବୁ ଦରକାର ହେବ। ଆଉ ହଁ ଝିଅକୁ ସବୁଦିନ ମୁଁ ସ୍କୁଲ୍ ରେ ନେଇ ଛାଡିବି, ପୁଣି ଆଣିବି। ତା ପାଇଁ ତୁମେ ପ୍ରତିଦିନ ନୂଆ ନୂଆ ଟିଫିନ୍ ବନେଇକି ଦେବ।
ଏହିପରି ସୁକନ୍ୟା ଧିରେ ଧିରେ ବଡ ହେବାକୁ ଲାଗିଲା। ତାର ଆଉ ଗୋଟେ ସାନ ଭାଇ ବି ଘରକୁ ଆସିଲା ଘରର ଖୁସି ଦ୍ୱିଗୁଣିତ ହୋଇଗଲା। ମାତ୍ର କରୁଣା ବାବୁ ଧିରେଧିରେ ବ୍ୟବସାୟରେ ଏତେ ମାତିଗଲେ ଯେ ସବୁବେଳେ ପଇସା ପଛରେ ଗୋଡେଇବାକୁ ଆରମ୍ଭ କଲେ। ସୁକନ୍ୟାକୁ ସବୁକିଛି ମିଳୁଥିଲା କିନ୍ତୁ ଯେତିକି ସ୍ନେହ ଓ ଭଲପାଇବା ସିଏ ଖୋଜୁଥିଲା ତାକୁ ମିଳୁ ନଥିଲା। ତେଣୁ ସେ ଧିରେଧିରେ ସ୍ନହ ରଙ୍କୁଣି ହେବାକୁ ଲାଗିଲା। ଯାହା ପାଖରୁ ସେ ଟିକିଏ ସ୍ନେହ ପାଇଲା ସେ ସବୁକିଛି ଭୁଲି ତାକୁ ନିଜର ବୋଲି ଭାବିନେଲା। ଏଇତ ଜୀବନ। ଜଣେ ସବୁ ଥାଇ ସ୍ନହ କାଙ୍ଗାଳି ଆଉ ଜଣେ ପରିସ୍ଥିତି ରେ ପଡି ନିଜ ବାପା ମାଆଙ୍କ ସ୍ନହରୁ ବଞ୍ଚିତ। ଜଣାନାହିଁ ଭଗବାନ୍ ଏ ଦୁହିଁଙ୍କ ଭାଗ୍ୟରେ ଆଉ କଣ ସବୁ ଲେଖିଛନ୍ତି? ଦେଖାଯାଉ ସମୟ ଏମାନଙ୍କ ଜୀବନ ରୂପି ନଦୀକୁ କେଉଁ ସମୁଦ୍ର ରେ ନେଇ ମିଶଉଛି? କ୍ରମଶଃ....
