ଦୂରେଇ ରୁହ
ଦୂରେଇ ରୁହ
ଅଦୃଶ୍ୟ ଆଲପିନ ଚାରୋଟି ଲାଲି ଜିଭରେ ଯେପରି ପିଟା ହୋଇ ଥିଲା । ଯନ୍ତ୍ରଣା ଜର୍ଜରିତ ମନ, ଅକୁହା ବେଦନା । ରକ୍ତ କ୍ଷରଣ ମନରୁ ନିରନ୍ତର ହେଉଛି, ଦେଖି ପାରୁନାହାନ୍ତି କେହି । କଁଅଳ ବୟସ, ଅନେକ ଆଶଙ୍କା, ଅଭିଜ୍ଞତା ହୀନ ଦୃଷ୍ଟିକୋଣ । କାହିଁକି କିଛି କହୁନି ବୋହୁଟି?ବେଶ ଖୁସି ମିଜାଜର ଝିଅଟେ ବୋଲିତ ଶୁଣିଥିଲୁ । ସମସ୍ତଙ୍କ ମନରେ ଏକ ହିଁ ପ୍ରଶ୍ନ । ଅନ୍ୟ କଥାରେ ମଜା ନିଆ ଜାଇପାରେ, କଟା ଘାରେ ଚୂନ ମାରନ୍ତି ପାଖ ଆଖ ଲୋକ,ଖୁବ୍ ଚତୁରତାରେ । ଏଇଟାହିଁ ଆମ ସମାଜ । ପଙ୍କିଳପାଣି ସନ୍ଦେହୀ ମନ ବରାବର ଏକା । ପରିଷ୍କାର ନୁହଁ ଦୁଇଟା ଯାକ । ସବୁବେଳେ ତ୍ୟାଗକରି ଫୋପାଡିଦେବା ଉଚିତ୍ ।
ପଙ୍କିଳ ପାଣିରେ ବୁଡୁବୁଡୁ ଫୋଟକା ଉଠୁଥିଲା । ପୁଂଜାପୁଂଜା, ଯୋଡା ଯୋଡା ହୋଇ ଟୁପୁରୁ ଟାପର ହେଉଥିଲେ । ମିଳେଇ ଯାଉଥିଲେ । ହଁ.... ଲୋ ମା, ଆମର କଣ ଗଲା, ଚାଲେ ଚାଲେ ଏପର୍ଯ୍ୟନ୍ତ ଯାଉଥିଲା ବୋଧେ କିଛି ।
ବିଜନର ଫୋଟକା, କିନ୍ତୁ ଫାଟିବାର ନାମ ନେଉ ନ ଥିଲା । ସେଥିରେ ସନ୍ଦେହର ଆସ୍ତରଣ ବହଳିଆ ପୁଟ ବାନ୍ଧୁଥିଲା । ହେବା କଥା । ଏମିତି ସେମିତି ନୁହେଁ । ଲାଲି ର ହାତ ଧରି ବାହା ହୋଇଛି । ଆକାଶରୁ କୁସୁମ, ଚିଲିକାରୁ କୟାଁ ତୋଳିବ ଭାବିଛି । ଲାଲି ଚେହେରାରେ ପାଗଳ ହୋଇଛି ।
ମନେ ମନେ ଲାଲିକୁ ନେଇ ଚାରମିନାର ତୋଳିଛି, ଗଙ୍ଗା ରେ ସ୍ନାନ କରିଛି, ଖାଲି ପାଦରେ ଲାଲିର କଁଅଳିଆ ହାତ ଧରି ବଡ ଦାଣ୍ଡରେ ଚାଲି ଚାଲି ଜଗନ୍ନାଥ ଦର୍ଶନ ସାରିଛି । ନିକାଚଂନ ସମୁଦ୍ର ବେଳାଭୂମିରେ ଲାଲି ବିକିନ ପିନ୍ଧି ଦୌଡୁଛି, ବିଜନ ଗୋଡାଉଛି । ଲାଲି ପଡିଗଲେ ବିଜନ ତୋଳିଧରି ଅଜସ୍ର ଚୁମ୍ବନରେ ପୋତି ପକାଉଛି ।
କାଶ୍ମୀରର ଡାଲ ହ୍ରଦରେ, କାଶ୍ମୀରର ଶୀକାରାରେ, ବରଫିଆ ଶୀତରେ, ଲାଲି ସହିତ ପତଳା ପ୍ୟାଶ୍-ମିନା ଘୋଡାଇ ହୋଇ ଦୂର ଦୂର ବହି ବହି ଥିରି ଥିରି ମଜାନେଉଛି । ଲାଲି ଗୋଡକୁ ସଯତ୍ନରେ ନିଜ ଗୋଡ ତଳେ ଚାପି ରଖିଛି । ଲାଲି ପାଣିକୁ ଡରୁଛି,କାଳେ ପାଣିରେ ପଡିଯିବ,ବିଜନ ଭାବୁଛି ।
ଦାକ୍ଷିଣାତ୍ୟର ଚଳଚିତ୍ର ବି ଏହି ସ୍ପିଡ୍ ରେ ତିଆରି ହେଉ ନ ଥିବ, ବିଜନ ଲାଲୀକୁ ନେଇ ଯେଉଁ ବ୍ୟଗ୍ରତା ସହକାରେ ରେ ସ୍ବପ୍ନ ବିଭୋର ହୋଇ ଉଠୁଛି ।
ଲାଲି ସଙ୍ଗେ ଦିପଦ କଥା ହେବାର ଲାଳସା ସମ୍ବରଣ କରି ପାରୁନି ବିଜନ । ବାଁଆରା ଚାଆଁରା ହୋଇ, ଲାଲି ରହିବା କୋଠରିକି ପଶି ଆସୁଛି । ଝିଅ -ଗାଁ ମାଇପେ ଚିମୁଟା ଚିମୁଟି ହେଉଛନ୍ତି । ଲାଲି ଦିପଦ କଥା ହେବା ତ ଦୂରକଥା, ପତିଦେବକୁ ମୁହଁ ଉଠାଇ ଥରେ ଚା଼ହୁଁନି ମଧ୍ୟ । ଧେତ୍! ଲଭ ମ୍ୟାରେଜ କରିଥିଲେ ଭଲହୋଇଥାନ୍ତା । ସାଙ୍ଗଗୁଡାକର ଶିହରଣ ଭରା ରୋମାଂଚପୂର୍ଣ କାହାଣୀ ହେଲାବେଳକୁ, ମୋର ଶୁଖିଲା ରୁଟି, ଘିଅ-ମମ ବିନା । ମାତ୍ର ଚାରିଟା ଦିନରେ ବାପା, କଣ ପାଇଁ ଏ ବାହାଘର କରିଦେଲେ!
ଭଉଣୀ ଖଣ୍ଡକ ବଦମାସ । ଫଟୋ ଦେଖାଇ କହିଲା ଦେଖ ଭାଇ, ତୁଟା ବଡ କପାଳିଆରେ । ଭାଉଜକୁ ଆମ କଲେଜରେ ଶ୍ରୀଦେବୀ ଡାକୁଥିଲେ । ଭାଗ୍ୟ ଟାଣ ଥିଲେ, ଆପେ ଆପେ ଏମିତି ପ୍ରସ୍ତାବ ଆସେ । ଶ୍ରୀଦେବି ପରି ଭାଉଜ ଆଇ ମିନ ସ୍ତ୍ରୀ ମିଳେ । ଯିବୁ ଅଇଖାନା ଦେଖିବୁ । ଏ କରି ଚାଲିଗଲାଭଉଣୀ ।
ପ୍ରଥମେ ଫଟୋ ଦେଖା, ତାପରଦିନ ଝିଅ ଦେଖା । ବିଜନ ଝିଅ ଦେଖାରେ ଇମପ୍ରେସଡ୍ ହୋଇ ପାରିଲାନି । ବିଜନ ମନଶୁଖା ଦେଖି ଆଗରୁ ବରହୋଇ ହ୍ୟାଟ୍ରିକ ମାରିଥିବା ସାଂଗ ବୁଝାଇଦେଲା, ଏ ଗୋଟେ ଥର ପାଇଁ କଣ ଶୋଚନା ?ସାରା ଜୀବନ ତ ତାକୁ ପାଇବୁ ନବରସ ଦେଖିବୁ, ଧୈର୍ଯ୍ୟ ଧର । ଝିଅଙ୍କର କେତେ ସମସ୍ୟା । ମନ ଦୁଃଖ କି ଶାରୀରିକ କଷ୍ଟ କଣ ଗୋଟେ ଥିବ । ତୋ ଭାଗ୍ୟ ଜଳୁଛିରେ । ଭଙ୍ଗା ଘରେ ଚକା ଜହ୍ନ । ଭାଗ୍ୟରେ ଥିଲେ ଏପରି କନ୍ୟା ମିଳେ । ପ୍ରଶ୍ନ ଉଠାନା କିଛି । ଡେଇଁ ପଡେ ବାହା ବେଦିକି । ସ୍ବର୍ଣଚମ୍ପା ୧୦୮ ଚଢାଇ ଆସେ ମହାଦେବଙ୍କୁ ।
ତିନିଦିନ ବିତିଗଲାଣି । ହାତେ ଓଢଣା ଦେଇ ଲାଲି କଣ ପାଇଁ ବସୁଛି । ସାହି ଝିଅଙ୍କର କିଛି କାମ ନାହିଁ । ହୟ ବସନ୍ତୁ । କିଛି ନ ହେଲେ ଲାଲି ଖୁସିବାସି ହେବ, ସମବୟସିଙ୍କ ସହ । କିନ୍ତୁ ହଁ/ନାଁ ରେ କେବଳ ଉତ୍ତର ଦେଉଛି ସେମାନଙ୍କୁ ,ନହେଲେ ମୋବାଇଲ ନେଇ କଣ ଦେଖୁଛି ମଝିରେ ମଝିରେ ।
ଗୁଡ ଆଇଡିଆ । ଏସ ଏମ ଏସ କଲା । ନୋ ରିପ୍ଲାଏ । ଧେତ୍ ।
ଆଜି ପୁଣି ଏକ ହୋମାଗ୍ନିରେ ଦୁହେଁ ଏକ ଗୋତ୍ରରେ ପ୍ରବେଶ ହେଲେ । ଆଜି ଧୈର୍ଯ୍ୟର ବନ୍ଧ ବାଡବତା ମାନିବା ଅବସ୍ଥାରେ ନ ଥିଲା । ମଧୁଚନ୍ଦ୍ରିକାର ରାତି । ବିଜନ ଧୈର୍ଯ୍ୟ ଢେର ପରୀକ୍ଷା ଦେଇ ସାରିଲାଣି । ବିଜନ ଓଢଣା ଖୋଲି, ଲାଲି ପାଟିରେ ପବିତ୍ର ହୋମାଗ୍ନିର ଏକ ଛୋଟ ନଡିଆ ଟୁକୁଡା ଦେଇ ଦେଖିଲା ବେଳକୁ ଲାଲି ମୁହଁରେ ଆଉ ରକ୍ତ ନାହିଁ । ଲାଲି ମୁହଁ ର ସୌନ୍ଦର୍ଯ୍ୟ, ମନର ଖୁସି ଚୋରି ହୋଇ ଯାଇଛି ଯେପରି । ଏ ମୁହୂର୍ତ୍ତକୁ ସ୍ମରଣୀୟ କର ଲାଲି ।
ମୋତେ ଭଲ ଲାଗୁନି କହି ମୁହଁ ବୁଲାଇ ଦେଲା । ବାସ୍ ବିଜନ କ୍ଷୁବ୍ଧ । ସନ୍ଦେହ ଦୃଢୀଭୂତ । କଣ କରିବ ବିଜନ?
କୋଠରୀରେ ପ୍ରଚଣ୍ଡ ନିରବତା । ମେସେଞ୍ଜର ଆଲକୋରେ, ମଝିରେ ମଝିରେ ଆଲୋକିତ କୋଠରୀ । ବିଜନର ଶାଳୀନତା, ବିବେକ ବିଜନକୁ ଜୋର ଜବରଦସ୍ତ ପାଇଁ ମନା କରୁଥାଏ । ମୁଁ ତୁମ ମୋବାଇଲ ଦେଖି ପାରେକି ??ଏତିକି କଥାରେ, ଧକେଇ ଧକେଇ କାନ୍ଦୁଥିବା ଉପାୟହୀନା ଲାଲି ମୋବାଇଲ ବଢ଼ାଇଦେଲା । ବିଜନ ଆଶ୍ଚର୍ଯ୍ୟ । କିଛି ଖରାପ ଏମ-ଏମ-ଏସର କ୍ଲିପସ ।
ଏ ସବୁ କଣ?
ମୁଁ ଏ ଦୁଷ୍ଟ ଦାନବକୁ କିପରି ଭଲ ପାଇଥିଲି ଜାଣେନା । ମୋତେ ଫସାଇ ବାହା ହେବା ସର୍ତ୍ତରେ ଏସବୁ କରିନେଇଛି । ପରେ ବାହା ହେବା ପାଇଁମନା କରିଦେଲା । ଏ଼ହି ଏମ ଏମ ଏସ ଦ୍ବାରା ମୋଠୁ ଦୁଇଲକ୍ଷ ଟଙ୍କା, ଆହୁରି କିଛି ଚାହୁଁଛି । ମୁଁ କେଉଁ ପୁଅକୁ ଭଲ ପାଉଛି, ତା ସହିତ ବାହା ନ ଦେଲେ ଆତ୍ମହତ୍ୟା କରିଦେବି ଭାବି, ବାପା ତୁମ ସାଙ୍ଗେ ଚଟକି ପ୍ରସ୍ତାବ ପକାଇ ବାହା କରିଦେଲେ । ମୁଁ ତୁମକୁ ଖୋଲିକରି କିଛି କହିପାରିଲିନି । ଯା ଫଳରେ ତୁମଭଳି ନିର୍ଦୋଷୀ ବରବାଦ ହେବାକୁ ଯାଉଛି । ମୁଁ ତା ଧୋକାରେ ମର୍ମାହତ । କିପରି ହସିବି । ମୋ ଜିଭରେ ଯେପରି କିଏ କଣ୍ଟା ପିଟି ଦେଇ, ରକ୍ତ କ୍ଷରଣର ଆନନ୍ଦ ନେଉଛି । ତୁମର ବିବେକ ଶାଳୀନତା ଆଗରେ ମୋ ମୁଣ୍ଡ ନଇଁ ଯାଉଛି । ହେଲେ କେଉଁ ମୁହଁରେ ତୁମର ହେବି ? ସେ ଧୋକାବାଜର ଏମ-ଏମ-ଏସ ପରେ ମୋତେ କିଏ ଗ୍ରହଣ କରିବ? ମୋ ଅଞତା ହେତୁ , ମୋ ବଂଚିବା ଅନାବଶ୍ଯକ । ଲାଲି ଏକ ସଂଗେ ସବୁ କହି ଭୋ ଭୋ କାନ୍ଦୁଥିଲା ।
ବିଜନ ପାଞ୍ଚ ମିନିଟ ନେଲା । ଓକେ ଲାଲି । ନମ୍ବର ଦିଅ । ସେ ଟୋକାକୁ ଧଡକି ଫୋନ୍ ଲଗାଇଲା ।
ଶଳା ହାରାମୀ । ଏଇ ଶଳା !ଯେତିକି ସେତିକି ସେଇଠି ରୁହ । ଏମ-ଏମ- ଏସ ତ ଦୂରକଥା । ଆଉ ଥରେ ଫୋନ୍ କରନା ଦେଖି । ପୁରୁଷ ନା କଣ ବେ ତୁ? ଚୂଡି ପିନ୍ଧ । ତୋ ଭଉଣୀର ଏମ-ଏମ-ଏସ ବନୋଉନୁ ବେ । ଲାଲିର ଗୋଟେ ଏମ-ଏମ-ଏସ କଣ ଛାଡିବୁ , ଦଶଟି ଏମ-ଏମ-ଏସ ବୁଲା ଇଣ୍ଟରନେଟରେ । ଯଦି କରିଛୁ । ଧମକ ଦେଉଛୁ କଣ? ଏଇ ସାଙ୍ଗେ ସାଙ୍ଗେ cyber crime ରେ ତୋର ଏତଲା କରୁଛି । କାଲି ସକାଳୁ ହାଜତରେ ହାରାମୀ, ସୁନିଶ୍ଚିତ । ଝିଅ ମାନଙ୍କ ଅଞତାକୁ ନେଇ ଖେଳ କରୁଛୁ! ଫୋନ ରଖ ଶଳା ।
ଲାଲି ବିଜନ ମୁହଁକୁ ଚାହିଁ ଲଜ୍ୟା ଓ ବିଜନର ବଡପଣରେ ଅଭିଭୂତ ହେଉଥିଲା । ବିଜନ ଲାଲି ମୁହଁକୁ ଚାହିଁଲା । ସକାଳ କଁଅଳ କିରଣ ପାଇ ପଦ୍ମକଢୀ ଯେପରି ତାର ପ୍ରତିଟି ପାଖୁଡାକୁ ଭିନ୍ନ ଭିନ୍ନ ସୌନ୍ଦର୍ଯ୍ୟ ଦେଇ ଖୋଲୁଛି । ଏକ ପୂର୍ଣାଙ୍ଗ ପଦ୍ମଫୁଲରେ ପରିଣତ ହୋଇଚାଲିଛି ଲାଲିର ମୁହଁ । ପଦ୍ମରାଗରେ ପୁର୍ଣ କୋଠରୀର ବାୟୁମଣ୍ଡଳ । କଣ ଭାବୁଛ ଲାଲି?
ତୁମ ଅଜ୍ଞତା ମାଫ୍ । ମୋ କ୍ଷୀର ଗ୍ଲାସ ଦେଉଛି ।
କାନ୍ଦି କାନ୍ଦି ମୁହଁ ଓ ମନର ମଳିନତା ଉଭୟ ଧୋଇ ହୋଇ ଯାଇଥିଲା, ଲାଲିର । ଏକ ସଫାସୁତର ଲାଲି , ଲାଲ ପଡିଯାଉଥିଲା ବିଜନର ନିବିଡ ବାହୁବନ୍ଧନରେ ।