ଦୂର ପର୍ବତ
ଦୂର ପର୍ବତ
"ତୁମେ ତୁମ ଭାଇଙ୍କ କଥା ପଚାରୁଛ ସୁଚି ! ଆଜିକୁ ଦୁଇ ଦିନ ହେବ ଗାଁ ଆଡେ ଯାଇଛନ୍ତି। ଘରକୁ ଆସିଲେ ବି ଠିକ୍ ଭାବରେ କଥା କହିବା ଦୂରର କଥା, ଏବେ ଏମିତି ବ୍ୟବହାର କରୁଛନ୍ତି , ଯେମିତି ମୋତେ ଚିହ୍ନି ନାହାନ୍ତି।ପୁରା ଅଜଣା ଅଶୁଣା ଲୋକଟିଏ ଦେଖୁଛନ୍ତି କେଉଁ ଅଜଣା ଜାଗାରେ। ପିଲା ଦୁହିଁଙ୍କୁ ଦେଖି ବି ଅଣଦେଖା କରି ବାଟ ଭାଙ୍ଗି ଯେମିତି ଚାଲି ଯାଉଛନ୍ତି ନିଜ ବାଟରେ।"
ଭାଉଜଙ୍କ ଏକଥାର ପ୍ରତ୍ତ୍ୟୁତ୍ତରରେ ସୁଚିତ୍ରା କେବଳ ଅଳ୍ପ ହସିଲା ଯାହା। କ'ଣ ବା କହିବ ? ନିଜ ଜୀବନରେ ଘଟୁଥିବା ଏଇ ପ୍ରକାର ଅନୁଭୂତି ବି ତାକୁ ବ୍ୟତିବ୍ୟସ୍ତ କରି ସାରିଲାଣି। ଦୁର୍ବିସହ ଲାଗୁଛି ଏବେ ସମୟଟା। ବାହାଘର ପୂର୍ବରୁ କେତେ କ'ଣ ସବୁ ଭଲ କଥା ଶୁଣାଯାଇଥିଲା ତାକୁ ସ୍ବାମୀ ସୁଧୀର ଙ୍କ ବିଷୟରେ। ହେଲେ ଠିକ୍ ଓଲଟା ସବୁ ଘଟୁଛି ବୋଲି ଅନୁଭବ କରୁଛି ସୁଚିତ୍ରା।ତା ଜୀବନ କ୍ରମଶଃ ଦୁର୍ବିସହ ହୋଇ ପଡୁଛି।
ବାହାଘର ଦିନ ଠାରୁ ଅତି ବେଶୀରେ ଦୁଇ ତିନି ଥର ରାଜ୍ୟ ବାହାରକୁ ସୁଧୀର ସହିତ ବୁଲି ଯାଇଥିବ! ବାସ୍, ଏଇଟା କ'ଣ ଜୀବନ ! ପିଲାଟିଏ ଘରକୁ ଆସୁ ବୋଲି ସୁଧୀରଙ୍କର ଇଛା। ହେଲେ ପିଲାଟିଏ କୋଳକୁ ଆସିଗଲେ ଆଉ କ'ଣ ବାହାରକୁ ଯାଇହେବ ? ସେଇଥିପାଇଁ ତ ଦୁଇବର୍ଷ ବାହାଘର ହୋଇ ଯାଇଥିଲେ ମଧ୍ୟ ସୁଚିତ୍ରା ଜାଣିଶୁଣି ପରିବାର ବଢାଇବା କଥାରେ ସୁଧୀରଙ୍କ ସହ ଏକମତ ହୋଇନି। ହେଲେ ଏବେ ତ ଅଫିସରୁ ଫେରିଲା ପରେ ସୁଧୀର ଆଉ ମାର୍କେଟକୁ ବାହାରିବାକୁ ଇଚ୍ଛା କରୁ ନାହାନ୍ତି। ମାସକୁ ଥରେ ଅଧେ କେବେ ବାହାରେ ଡିନର୍ କଲେ ବହୁତ। କେବେ ଦେହ ଖରାପର ବାହାନା ତ କେବେ ଆଉ କିଛି କାରଣ।
ସୁଧୀର ଅଫିସରୁ ଫେରି ଆଗ ଠାରୁ ବେଶି ବିଭିନ୍ନ ଗଳ୍ପ ପତ୍ରିକା ପଢିବା, ସୋସିଆଲ ମିଡିଆରେ ନିଜର ଗଳ୍ପ କିମ୍ବା କବିତାକୁ ସେଆର କରିବା କିମ୍ବା ଅନ୍ୟ ମାନଙ୍କର ଲେଖା ପଢିବାରେ ସମୟ ଅତିବାହିତ କରୁଛନ୍ତି। କେତେଥର ବି ସାହିତ୍ୟ ପାଇଁ କିଛି ସମୟ କାଢିବା ପାଇଁ ସୁଚିତ୍ରାକୁ ପ୍ରବର୍ତ୍ତାଇଥାନ୍ତି ସୁଧୀର। ମନେ ପକେଇ ଦିଅନ୍ତି ଆଗରୁ ଲେଖିଥିବା ସୁଚିତ୍ରାର କେତେ ଗୁଡିଏ ଗଳ୍ପ କିମ୍ବା କିଛି କବିତାର ଅଂଶ। ଖୁବ୍ ତାରିଫ୍ କରନ୍ତି ମଧ୍ୟ ସୁଚିତ୍ରାର ସେଇ ସୃଜନଶୀଳତାକୁ। ବାହାଘର ପ୍ରସ୍ତାବ ବେଳେ ଏଇ ବିଶେଷ ଗୁଣ ପାଇଁ ହିଁ ସୁଚିତ୍ରାକୁ ମନୋନୀତ କରିଥିଲେ ସୁଧୀର । ହେଲେ ଏବେ କାହିଁକି କେଜାଣି ବୁଝାଇବାକୁ ଯାଇ, ସେଇ ସବୁ କଥା କହିଲେ ଉତକ୍ଷିପ୍ତା ହୋଇ ଉଠେ ସୁଚିତ୍ରା।ସାଙ୍ଗ ସିପ୍ରା କିମ୍ବା ଲିପ୍ସା ଙ୍କର ସୌଭାଗ୍ୟ କଥା ଚିନ୍ତାକରି ସେ ବିମର୍ଷ ହୋଇ ଉଠେ। ସେମାନେ ଦୁହେଁ ବିଭିନ୍ନ ପାର୍ଟିରେ ଯୋଗ ଦିଅନ୍ତି, ଜୀବନକୁ ଭରପୁର ଉପଭୋଗ କରନ୍ତି ବୋଲି ସୁଚିତ୍ରା ଭାବି ନିଜ ଭିତରେ ହୀନମନ୍ୟତା ସୃଷ୍ଟି କରେ ନିଜେ ।
-"ଆରେ ସୁଚି ଆସିଛି କି ? " ରୋଷେଇ ଘରୁ ମିନି ଏବଂ ବାଲକୋନୀରେ ବସିଥିବା ସୁଚିତ୍ରା ଏକା ସହିତ ଆସି ବୈଠକ ଘରେ ପହଞ୍ଚିଗଲେ। ଭାଇଙ୍କୁ ନମସ୍କାର କରି " ଭାଉଜଙ୍କ ପ୍ରତି କାହିଁକି ଅବହେଳା କରୁଛ" ବୋଲି ସୁଚିତ୍ରା ଅଭିଯୋଗ ବାଢିଲା ଭାଇଙ୍କ ପାଖରେ। ସୁବ୍ରତ ହସି ହସି ସାନ ଭଉଣୀର ପିଠି ଥାପୁଡେଇ ଦେଲେ।-" କଥା କ'ଣ କି, ଆମ ହାଇସ୍କୁଲର ଗୋଲଡେନ ଜୁବିଲି ଉତ୍ସବ ପାଇଁ ମୁଁ ଟିକିଏ ଏବେ ବ୍ୟସ୍ତ ରହୁଛି। ଏଥିପାଇଁ ଘରେ ଟିକିଏ ସମୟ ଦେଇ ପାରୁ ନାହିଁ। ଆମେ ତ ବୁଢ଼ାବୁଢ଼ୀ ହେଲୁଣି।ଆମ କଥା କ'ଣ ଶୁଣୁଛୁ।ତୋ କଥା କ'ଣ କହ ସୁଚି।" ଜାଣିଶୁଣି କଥାର ମୋଡ଼ ଘୁରେଇଲେ ସୁବ୍ରତ।
-" ଲିପ୍ସା ର ସ୍ବାମୀ ଆରେଷ୍ଟ ହୋଇଛି ବୋଲି ଜାଣିଛୁ ସୁଚି ? ଆଉ ତୋ ଆର ସାଙ୍ଗ ସିପ୍ରା ତା ସ୍ବାମୀ ବିରୋଧରେ କାଲି ପୋଲିସ ଷ୍ଟେସନରେ କେଶ୍ ଦାଏର କରିଛି ବୋଲି ଜାଣୁ ? " ସୁଚିତ୍ରା ଘଟଣା କ'ଣ ଜାଣିବାକୁ ବ୍ୟଗ୍ର ହୋଇପଡିଲା।
-" ସିପ୍ରା ର ସ୍ବାମୀ ପରକୀୟା ପ୍ରୀତିରେ ଜଡ଼ିତ ଥିଲା । ସିପ୍ରା ଏହାର ବିରୋଧ କରିବାରୁ ମାଡ଼ ମାରି ତାକୁ ଲହୁ ଲୁହାଣ କରି ଦେଇଛି ତା'ର ମଦ୍ୟପ ସ୍ବାମୀ।" ଧୀର ସ୍ବରରେ ଆସି କହିଲେ ଭାଉଜ।
-" ଯାହା ହେଉ ସୁଧୀର ଆମର ଖୁବ୍ ସୁଧାର। ଏତେ ଭଲ ପିଲାଟିଏ ଆମ ସୁଚି ଭାଗ୍ୟରେ ଥିବ ବୋଲି ମୁଁ କଳ୍ପନା କରି ନଥିଲି। ଦେଖୁନୁ ସେ ଲିପ୍ସା ର ସ୍ବାମୀକୁ। ବଦମାସ ଟା ପକ୍କା ଲାଞ୍ଚଖୋର। ଏବେ ଧରା ପଡିଛି।ଜାଣିଛ ଗୋଟିଏ କାମ ପାଇଁ ମୋ ଠାରୁ ମଧ୍ୟ ଲାଞ୍ଚ ମାଗୁଥିଲା। ଅନ୍ୟ ଲୋକ ଦ୍ବାରା ପୁଣି କାମ କରେଇଲି କି ନାହିଁ?" ଭାଇ ଏ କଥା ଭାଉଜଙ୍କୁ କହୁଥିଲେ ବି , ତାକୁ ହିଁ ଭାଇ ଏକଥା ସବୁ ଶୁଣାଉଥିଲେ ବୋଲି ସୁଚିତ୍ରା ଠିକ୍ ବୁଝି ପାରିଲା।
ଦୂର ପର୍ବତ ଜନମନ ମୋହିନିଏ। ପାଖକୁ ଗଲେ ତା'ର ରୁକ୍ଷ ଚେହେରା ସେତିକି ସୁନ୍ଦର ଲାଗେନା ବୋଲି ସୁଚିତ୍ରା ସେଇ କ୍ଷଣି ଅନୁଭବ କଲା ବୋଧହୁଏ। ପନ୍ଦର ଦିନ ପାଇଁ ବୁଲି ଆସିଛି କଥା କହୁଥିବା ସୁଚିତ୍ରା ଆସନ୍ତା କାଲି ସକାଳୁ ବାହାରିବ ବୋଲି, ଯାଇ ଭାଉଜଙ୍କୁ କହିଲା। ତା'ର କଥାରେ ଭାଇ କିମ୍ବା ଭାଉଜ କେହି ଆଶ୍ଚର୍ଯ୍ୟ ହେଲେନି ବୋଲି ବୁଝି ପାରିଲା ବି ସୁଚିତ୍ରା।
-" ଆରେ ସୁଚି, ସୁଧୀର ଫୋନ୍ କରି ଟିକିଏ ଆଗରୁ ପଚାରୁ ଥିଲେ କେବେ ତୁମେ ଫେରିବ ବୋଲି । ବିଚରା ଏଇ ଦୁଇ ଦିନରେ ଖୁବ୍ ହଇରାଣ ହେଲେଣି ବୋଲି କହୁଥିଲେ। ତୁମକୁ ଯେ ଖୁବ୍ ମିସ୍ କରୁଛନ୍ତି , ତାହା ତାଙ୍କ କଥାରୁ ଜଣା ପଡୁଛି।" ଜକେଇ ଆସୁଥିବା ଲୁହକୁ ସୁଚିତ୍ରା ଲୁଚେଇ ପୋଛିବାକୁ ଚେଷ୍ଟା କରୁଥିବା ବେଳେ ଭାଉଜଙ୍କ ଆଗରେ ଧରା ପଡିଯାଇଥିଲା।
-" ମୁଁ ଏବେ ଫୋନ୍ କରିଥିଲି। ସୁଧୀର ଏଇ ଘଣ୍ଟାଏ ଭିତରେ ଆସି ମୋତେ ନେଇଯିବେ " ବୋଲି ସୁଚିତ୍ରା ଲାଜେଇ କହୁଥିଲା ବେଳେ ଭାଉଜଙ୍କ ଓଠଧାରରେ ଥିଲା ବିଜୟିନୀର ହସ...!!!
