Soumya Shubhadarshinee

Others

3  

Soumya Shubhadarshinee

Others

ଦୁର୍ଘଟଣା

ଦୁର୍ଘଟଣା

5 mins
7.1K


_"ଆସିବ ପ୍ଲିଜ କାଲି ଟିକେ ଶିବ ମନ୍ଦିର" .....

ସେ ଭାବିଲା ମନ୍ଦିର , କାହିଁକି କଣ ସିଧା ବାହା ହେଇଯିବା ନା କଣ ??

କହିଲା " ମନ୍ଦିର ନା ମଁ ପାର୍କ କି ସିନେମା ହଲ ସିନା ଯିବି !!

ହସିକି ରାଜୀବ କହିଲା , " ତୁମକୁ ଝିଅ କିଏ କଲା । ବଦମାସିରେ ମୋଠୁ ବହୁତ ଆଗୁଆ !!

ହସିଲା ନୀରୁ ଖିଲ୍ ଖିଲ୍ " କହିଲା ନୂଆ ଫେସନ , ଝିଅ ମାନେ ବଦମାସ ହେବେ !

ରାଜୀବର ଆମନ୍ତ୍ରଣ ମନ୍ଦିରକୁ ନାନୀର ପୁଅ ଜନ୍ମ ଦିନ ପାଇଁ । ନାନୀକୁ ସିଡ଼ି ବନେଇ ଗୃହ ପ୍ରବେଶର ପ୍ରୟାସ । ନାନୀକୁ ଆଗ ଟିକେ ମନେଇ ନେଲେ ଘର ଲୋକଙ୍କୁ ନାନୀ ବୁଝେଇ ଦେଵ ।

ଏକା ଚାକିରୀ ବ୍ୟାଙ୍କରେ। ୩ ବର୍ଷର ସମ୍ପର୍କ। ନୀରୁ ଘରେ ସବୁ ରାଜି । ଖାଲି ରାଜୀବର ମମି ଏଇ ଜାତି ଫାତି ନେଇ ଟିକେ ଅରାଜି । ତାଙ୍କୁ ମନେଇ ବା ପ୍ରୟାସରେ ଦିହେଁ ।

- "କଉ ମନ୍ଦିରରେ ଯେ ?"

-"ବିଶେଶ୍ୱର ମନ୍ଦିର ଟିକେ ସହର ବାହାରେ । ଏଠୁ ୨୫ କିଲୋମିଟର ଖଣ୍ଡେ ହେବ।"

- କେମିତି ଯିବି?

ନୀରୁର ମନରେ ଇଚ୍ଛାଟେ , ସାଥିରେ ନେଇକି ଯିବଟି ? କିନ୍ତୁ କହିବାକୁ ଇଚ୍ଛା ନାହିଁ , ଶୁଣିବାକୁ ଇଚ୍ଛା ।

*********

ରାଜୀବ କହିଲା ପୁରା ଅନାଡ଼ି ପରି " କିଛି ଗୋଟେ ବନ୍ଦୋବସ୍ତ କରିଦେବ , ଟେମ୍ପୁ କି ବସ୍ , ପ୍ଲିଜ " !!!

- " ଯା ବେକାର ଧେତ୍ " ....

କେତେ ବଢ଼ିଆ ସୁଯୋଗର ଅପବ୍ୟବହାର। ରାଜୀବର ସଫେଇ ପୁରା ସକାଳୁ ଯିବ ସେ ସବୁ ଦାୟିତ୍ୱ ତା ମୁଣ୍ଡରେ । ନୀରୁ ଆସୁ ଆରାମରେ ଗେଷ୍ଟ ମାନଙ୍କ ସମୟରେ ।

******

ରାଜୀବର ଆଉ ଗୋଟେ ଇଚ୍ଛା "ଶାଢ଼ୀରେ ଆସିବ , ପ୍ଲିଜ " !!

- "ଶାଢ଼ୀ ରେ ମାଉସୀ ଦିଶିବି ମୁଁ ସତ "। ତାକୁ ତ ପିନ୍ଧି ଆସେନା ଭଲରେ ଶାଢ଼ୀ!!

ରାଜୀବ ନଛୋଡ଼ବନ୍ଧା " ଟିକେ ମୋ ପାଇଁ କଷ୍ଟ କରିବ। ଇଂପ୍ରେସିଭ୍ ଲାଗିବ , ଶାଢ଼ୀରେ ସାମାଜିକ ଲାଗନ୍ତି ଝିଅ ସବୁ।"

- "ହୁଁ , ଏମିତି କି , ହଉ "...

ରାଜୀବ ମନେଇ ନିଏ ତାକୁ । ସେ କଳା ତାକୁ ଜଣା । ନୀରୁର ବ୍ରାହ୍ମଣ ପରିବାରକୁ ବି ମନେଇ ନେଲା ରାଜୀବ । ସେ ଅବ୍ରାହ୍ମଣ ହେଇବି । ଆଉ ତା ମମି ଡରୁଛନ୍ତି , କି କଥା !!

******

ବସ୍ ରେ ଆସିଲା ନୀରୁ । ବଡ଼ କଷ୍ଟରେ । ସାରା ବସ୍ ଲୋକ ଗିଳି ଦେବା ନଜରରେ ତାକୁ ଦେଖୁଥିଲେ ଯେମିତି । ଏମିତି ଲାଗେ ସବୁବେଳେ କେଜାଣି

କାହିଁକି ?? ସୁନ୍ଦରୀ ମାନେ ସର୍ବାଧିକ ପ୍ରେମ ଭୋଗନ୍ତି ସତ।

ପୁରା ପବିତ୍ର ପବିତ୍ର ଲାଗୁଥିଲା ନୀରୁ । ହାଲ୍କା ହଳଦୀ ରଙ୍ଗର ଶାଢୀ , ମୁଠେ ଚୁଡି, ଛୋଟ ଝୁମକା , ଆଉ ବିନ୍ଦି । ରାଜୀବର ସମ୍ବୋଧନ , ହଳଦୀବସନ୍ତ।

ନାନୀଙ୍କ ପରୀକ୍ଷାରେ ବଢ଼ିଆ ନମ୍ବରରେ ପାସ୍ କରିଗଲା ସେ । କୁନି ପୁଅକୁ ଧଳା ପଣ୍ଡା ଆଉ ଚକଲେଟ ଦେଇ କରିନେଲା ନୂଆ ବୟ ଫ୍ରେଣ୍ଡ । ତାର ମାଇଁ ପୋଷ୍ଟଟା ପକ୍କା ହେଇଗଲା ପୁରା।

ରାଜୀବ ସମସ୍ତଙ୍କ ସହ ପରିଚୟ କରେଇ ଦେଲା । ମମିଙ୍କୁ ଗୋଟେ ମୁଣ୍ଡିଆ ବି ମରେଇ ଦେଲା । ପ୍ରେମରେ କିଛି ବି କରେ ମଣିଷ। ସୁଖି ସୁଖି ଲାଗୁଥିଲା ତାକୁ । ଜୀଵନର ଗୋଟେ ସ୍ମରଣୀୟ ଦିନ । ହୃଦୟରେ ଅଗଣିତ ସ୍ୱପ୍ନର ଫୁଲ ।

*******

ଫେରିବା ବେଳ କିନ୍ତୁ ଆଉ ମିଳିଲାନି କିଛି ବନ୍ଦୋବସ୍ତ । ଟିକେ ପାହାଡିଆ ଜଗାରେ ସନ୍ଧ୍ୟା ପରେ ଆଉ କିଛି ସୁବିଧା ନଥିଲା । କଣ କରିବ ନୀରୁ। ରାଜୀବ ନେବ ସାଥିରେ ଆଉ କିଛି ନାହିଁ ବାଟ । ଏଇଟା ବି ଆହୁରି ଖୁସି କଥା । ବଢ଼ିଆ ସୁଯୋଗ !!

ଡେରି ହେଇଗଲା ସବୁ ସରୁ ସରୁ । ସନ୍ଧ୍ୟା ଆଠ ଟା । ରାସ୍ତା ଟା ଟିକେ ଖରାପ ଆଉ ଆରମ୍ଭ ହେଇଗଲା ବର୍ଷା । ଅନଭ୍ୟସ୍ତ ଜଙ୍ଗଲୀ ରାସ୍ତାରେ ଭୟର ରାଜୁତି ।

ସବୁବେଳେ ସବୁ କଣ ଭଲ ହୁଏ ????

ବାଇକର ଆକ୍ସିଡେଣ୍ଟ... ଗଛରେ ପିଟି ହେଇଗଲା ।

******

ଦୁଇଦିନ ପରେ ଚେତା ଆସିଲା ବେଳକୁ ନୀରୁ ଅଛି ସେଇ ଜଙ୍ଗଲରେ ଗୋଟେ ଅଜଣା ଲୋକ ଘରେ । କିଛି ବୁଝା ପଡୁନି ତାକୁ । ରାଜୀବ କାହିଁ ??

ଲୋକଟା କହିଲା ଜାଣିନି , ରାଜୀବକୁ ଦେଖିନି ସେ । କେବଳ ଥିଲା ନୀରୁ । ଆଶ୍ଚର୍ଯ୍ୟ ଲାଗୁଥିଲା କୁଆଡେ ଗଲା ରାଜୀବ। ସେ ଲୋକଟାକୁ ପଚାରିଲା । କେବେଠୁ ଅଛି ସେ ଏଠି । ଲୋକଟା କହିଲା ଦୁଇ ଦିନ ହେଲା । ଆଉ ସେ ମିଳିଲା ଜଙ୍ଗଲରେ କିନ୍ତୁ ରାଜୀବ ନଥିଲା ।

ନୀରୁ ଖୋଜିଲା ଫୋନ୍ । କିନ୍ତୁ ନଥିଲା ପାଖରେ । ହଜି ଯାଇଛି କୁଆଡେ। କେମିତି କରିବ ଫୋନ୍ ସେ ?? ଲୋକଟା ପଚାରିଲା ଘର କଉଠି ? ନୀରୁ କହିଲା ବସନ୍ତପୁରରେ । ଲୋକଟା ନେଇଯିବ ବୋଲି କହିଲା । କିନ୍ତୁ ଏବେ ନୁହେଁ ତା ଗୋଡ଼ରେ ଆଘାତ । ସେ ଚାଲିକି ଯାଇପାରିବ ନି । ନୀରୁକୁ ରାଗ ହେଉଥିଲା । କି ଲୋକ ଚାଲିବ କାହିଁକି ଗୋଟେ ଗାଡି ଠିକ କରିକି ଯିବ । ଲୋକଟା କହିଲା ପାଣି ଭର୍ତ୍ତି , ରାସ୍ତା ବନ୍ଦ । ଗାଡି ଯାଇପାରିବିନି। ନଦୀର ବଢି ପାଣିରେ ଗାଁ ଟା ବାହ୍ୟ ଜଗତରୁ ବିଛିନ୍ନ ।

ନୀରୁକୁ ବୁଝା ପଡୁନି କଣ କରିବ । ଗୋଡ଼ରେ ସତରେ ବଡ଼ କ୍ଷତ । ଭୀଷଣ ଦରଜ। ଉଠୁନି ଗୋଡ଼। ଡରିଗଲା ସେ ଲାଗିଲା ବହୁତ ଉଦାସ।

କୁଆଡେ ଗଲ ରାଜୀବ , ସତରେ କେମିତି ଅଛ ? ଭଲ ଅଛ ତ ନା କିଛି ଅଘଟଣ ହେଇଛି । ଓଃ ମଣିଷ ବେଳେବେଳେ ହେଇଯାଏ ଏମିତି ଅସହାୟ । ହାତ ପାହାନ୍ତାର ସୁଖ ଏମିତି ହଜି ଯାଏ ଅପ୍ରତ୍ୟାଶିତ ଭାବରେ !!

*****

ପୁରା ପନ୍ଦର ଦିନ ଲାଗିଲା ତାକୁ ଠିକ ହେବାକୁ । ବଢି ଥିବା ନଦୀ ସହରକୁ ଯିବାକୁ ଦେଲାନି । ଅଥର୍ବ ମନ ଗୋଟିଏ ବି ଫୋନ୍ ନମ୍ବର ମନେ ପକେଇ ପାରିଲା ନାହିଁ । ଲୋକଟା ପାଖରେ ଫୋନ୍ ଥିଲା କିନ୍ତୁ ଅଚଳ , ବିଜୁଳି ନାହିଁ । ପୋଲିସକୁ ଭଲା ଫୋନ୍ କରି ହୁଅନ୍ତା।

ନୀରୁ ଜାଣି ପାରୁନଥିଲା ସେ ଲୋକଟା କିଏ ? କିଛି ବି କହୁ ନଥିଲା । କେବଳ ଖାଇବାକୁ ଦେଇଯାଏ ବାସ।ନୀରୁ ଆଉ କାହାକୁ ଦେଖି ପାରେନି । ବୁଝିପାରେନି କେମିତି ଜଗା କେହି ଆଉ ରହୁନି । ପୁରା ଜଙ୍ଗଲରେ ଗୋଟେ ଘର । ଏକା ଲୋକ ଟା !! ସବୁଠୁ ଭୟଙ୍କର ରାତି , ଅନ୍ଧାର ବିଲକୁଲ୍ , ଏମିତି ଅନ୍ଧକାର ଦେଖିନି ସେ କେବେ ।

ଗୋଟେ ଅଦ୍ଭୂତ ଅସହାୟ ତା ରେ ବିତିଲା ସବୁ ମୁହୂର୍ତ୍ତ । ଭାବୁଥିଲା ନୀରୁ କେହି ଆସୁନି ତାକୁ ଖୋଜିବାକୁ । ପୋଲିସ ଆସୁନି ଏଠିକି ?? କେହି ବି ବ୍ୟସ୍ତ ହେଉନାହାନ୍ତି ତା ପାଇଁ !!

ବଡ଼ କଷ୍ଟରେ ଆସିଲା ନୀରୁ ଘରକୁ ପୁରା ପନ୍ଦର ଦିନ ପରେ । ଆସିଲାନି ଲୋକଟା ବି ସହରକୁ । ତାକୁ କେବଳ ବସେଇ ଦେଲା ବସ୍ ରେ । ଅଦ୍ଭୁତ ଲୋକଟା କିନ୍ତୁ ତା ପାଇଁ ଦେଵ ଦୂତ, ଜୀଵନ ବଞ୍ଚେଇଛି ତାର ।

ଘରେ ପହଞ୍ଚି ଦେଖିଲା ତା ଫୋଟୋରେ ମାଳ। ଭୂତ ଦେଖିବା ପରି ଦେଖିଲେ ସମସ୍ତେ । ଆଉ ଧିରେ ଧିରେ ବୁଝିଲେ । ଅଛି ସେ ବଞ୍ଚିଛି ।

ମା ର ପ୍ରଶ୍ନ କଉଠି ଥିଲା ସେ ? ନୀରୁ କହିଲା ଜଙ୍ଗଲରେ ,ଗୋଟେ ଲୋକ ପାଖେ । ହେଲେ କିଏ ସେ ଜାଣିନି । ନାହିଁ ତାର ପରିଚୟ !!

ପୋଲିସକୁ ଖବର କଲେ ଘର ଲୋକ । ବଞ୍ଚିଛି ସେ ସେଇ ସତ୍ୟର ପ୍ରମାଣ ଲୋଡ଼ା । ନ ହେଲେ ପୋଲିସ ଆଖିରେ ସେ ମୃତ ।

ପୋଲିସ ପଚାରିଲା କଉଠି ଥିଲା ସେ । ସେ କହିଲା ସେଇ କଥା ଜାଣିନି ଲୋକଟାକୁ ।

******

ସଭିଏଁ ଆସିଲେ କିନ୍ତୁ ରାଜୀବ ?? ନୀରୁ ପଚାରିଲା ରାଜୀବ କଥା । ମା କହିଲେ ବହୁତ ଖୋଜିଲା ତୋତେ କିନ୍ତୁ ବଢି ପାଣିରେ କିଛି ମିଲିଳା ନାହିଁ । ସମସ୍ତେ ଧରି ନେଲେ ତୁ ଜଳମଗ୍ନ ପୃଥିବୀରେ ହଜିଯାଇଛୁ ।

ନୀରୁ ଫୋନ୍ କଲା ରାଜୀବକୁ ଆଉ କଥା ହେଲା । "ବହୁତ କିଛି କହିବାର ଅଛି ରାଜୀବ ଆସ , ପ୍ଲିଜ !!

କିନ୍ତୁ ରାଜୀବ ଆସିଲାନି ସେଦିନ ସନ୍ଧ୍ୟାରେ । ନୀରୁ ଆଶ୍ଚର୍ଯ୍ୟ ହେଉଥିଲା । କେମିତି ଆସିଲନି ରାଜୀବ , ମୋତେ ଦେଖିବାକୁ । ତୁମ ପ୍ରେମ ପାଇଁ ଟିକେ ବି ବ୍ୟସ୍ତତା ନାହିଁ !!

ଅପେକ୍ଷାର ଦିନ ବିତିଲା କିନ୍ତୁ ଆସିଲାନି ରାଜୀବ । ଫୋନ୍ ବି କଲାନି । ନୀରୁ ତାକୁ ସବୁଦିନ ଫୋନ୍ କରୁଥିଲା , କିନ୍ତୁ ରାଜୀବ ଫୋନ୍ ଉଠଉ ନଥିଲା ।

*******

ନୀରୁ ବ୍ୟାଙ୍କ ଜଏନ୍ କଲା ସପ୍ତାହେ ପରେ । ଦେଖା ହେଲା ରାଜୀବ ।

--" ରାଜୀବ କଣ ହେଇଛି ତୁମର ମୋତେ ଭୁଲିଗଲ ??

--" ନାଁ "

-- ଆଉ ତେବେ ଭୟ କରୁଛ , ତୁମ ଭୁଲର ଦଣ୍ଡ ମୋତେ ମିଳିଲା ବୋଲି ।

ରାଜୀବ କିଛି କହିଲାନି , ଚୁପ୍ ରହିଲା କେବଳ ।

ନୀରୁ କହିଲା ସେଇଟା ଗୋଟେ ଦୁର୍ଘଟଣା ଥିଲା , କେହି କଣ ଜାଣିକି କରିଛି ।

ରାଜୀବ କହିଲା " ତୁମେ କେଉଁଠି ଥିଲ" ?? ସେଇ ରିଜର୍ଭ ଜଙ୍ଗଲ ଏରିଆରେ କୌଣସି ଗାଁ ନାହିଁ !!

କାହା ପାଖେ ଥିଲ ନୀରୁ ??

କଣ କରୁଥିଲ ସେଠି ??

ଏମିତି ବହୁତ ପ୍ରଶ୍ନ ଅଛି ମା ମନରେ । ଆଉ ଉତ୍ତର ନାହିଁ ମୋ ପାଖେ । କଣ କରିବି କୁହ ??

ନୀରୁ ଦେଖୁଥିଲା ଗୋଟେ ଅପରିଚିତ ଲୋକକୁ ........

ସୌମ୍ୟା


Rate this content
Log in