Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Dr Subas Chandra Rout

Others


3  

Dr Subas Chandra Rout

Others


ଦୁଃସ୍ଵପ୍ନ

ଦୁଃସ୍ଵପ୍ନ

15 mins 313 15 mins 313

ଗୋଟିଏ ଗୋଟିଏ ଘଟଣା ବେଳେ ବେଳେ ଏମିତି ଘଟେ ଯାହା କେବେ ସମ୍ଭବ ଯୋଗ୍ୟ ବୋଲି ମଣିଷ ଭାବିନଥାଏ । ମୋ ଅବସ୍ଥା ସେଇଆ ହୋଇଥିଲା ଯେତେବେଳେ ମୁଁ ସସ୍ମିତାକୁ ଭେଟିଲି ପ୍ରଦର୍ଶନୀରେ । “ହେ ସୁମିତ୍ରା” ଡାକ ଶୁଣି କିଏ ମୋ ନାଁ ଧରି ଡାକିଲା ଭାବି ଅନେଇଲା ବେଳକୁ ସେ ଠିଆ ହୋଇଥିଲା । ପ୍ରଥମେ ମୁଁ ଚିହ୍ନି ପାରିଲିନି । ତାକୁ ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ ଅନେଇଲି । ସିଏ ଯେଉ ଶାଢ଼ୀ ପିନ୍ଧିଥିଲା, ତାହା ମୋ ହିସାବରେ ୫୦ ହଜାର ଟଙ୍କାରୁ କମ ହେବନି । ସେଇ ଆଖି ଝଲସା ଶାଢ଼ୀର ଔଜଲ୍ୟକୁ ଅନେଇ ମୁଁ ବିସ୍ମିତ ହୋଇ ରହିଗଲି । ତାକୁ ଅନେଇ ଚିହ୍ନିବା ବଦଳରେ ମୁଁ ତା ପିନ୍ଧା ଶାଢ଼ୀକୁ ଅନେଇଥାଏ । ବିରାଟ ମଲରେ କେବଳ ଏଭଳି ଦାମିକା ଶାଢ଼ୀ ଦେଖିଥିଲି, କେହି ପିନ୍ଧିବା ମୁଁ କେବେ ଦେଖିନଥିଲି । ସେ କହିଲା, “କଅଣ ମୋତେ ଚିହ୍ନି ପାରୁନୁ ? ମୁଁ ସସ୍ମିତା ।”   

 

           କହିଲା ପରେ ବି ପ୍ରଥମେ ଚିହ୍ନିବାକୁ କଷ୍ଟ ହେଲା । ବହୁତ ଭଲ ସ୍ୱାସ୍ଥ୍ୟ ହୋଇଯାଇଥିଲା । ଶେଷରେ ଚିହ୍ନିପାରି କୁଣ୍ଢେଇ ପକେଇଲି । ପାଟିରୁ ବାହାରିଗଲା, “ଆଲୋ ଧେଡ଼ୀ ତୁ !” ସେ ମୋ କଲେଜ ସାଙ୍ଗ ଥିଲା । ପଢ଼ିଲା ବେଳେ ଅତି ଧେଡ଼ୀ ଥିଲା । ଦୁର୍ବଳ ଶରୀର, ଦୁଇଟି ସମାନ୍ତରାଳ ରେଖା ଭଳି ତାହାର ଦେହର ସୀମାରେଖା ଦେଖାଯାଉଥିଲା । ସାଙ୍ଗ ମେଳରେ ଆମେ ଝିଅମାନେ ତାକୁ ଥଟ୍ଟା ମଜାରେ ଧେଡ଼ୀ ନାମରେ ଡାକୁଥିଲୁ । ନିମ୍ନ ମଧ୍ୟବିତ୍ତ ଘରର ଝିଅ ଥିଲା । ମୁଁ କେବେ ହେଲେ ତାକୁ ପୂଜା ପାର୍ବଣରେବି ୧୦୦ ଟଙ୍କିଆ ଶାଢ଼ୀରୁ ଅଧିକ ଦାମର ଶାଢ଼ୀ ପିନ୍ଧିବା ଦେଖିନଥିଲି । ମୁଁ ବି ଗୋଟେ ସେମିତି ଅତି ଧନୀ ଘରର ଝିଅ ନଥିଲି, କିନ୍ତୁ ଗୋଟେ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲି । ସୁତରାଂ ତାକୁ ଦେଖିଲା ବେଳେ ସେ ମୋର ସେଇ ସାଙ୍ଗ ହୋଇଥିବ ବୋଲି ମୁଁ କେମିତି ଭାବିଥାଆନ୍ତି ! ସେ କହିଲା, “ମୁଁ ଆଉ ତୋର ସେଇ ପୁରୁଣା ଧେଡ଼ି ସାଙ୍ଗ ନୁହେଁ । ମୋ ସ୍ୱାସ୍ଥ୍ୟ ଦେଖୁଛୁ ତ । ଯାହାହେଉ, ତୋତେ ଦେଖି ମୋତେ ବହୁତ ଖୁସି ଲାଗୁଛି । ବହୁତ ବେଳୁ ଆସିଲିଣି, ମୁଁ ଘରକୁ ଫେରି ଯାଉଛି । ତୋ ଠିକଣା ଓ ଫୋନ ନମ୍ବର ମୋ ମୋବାଇଲ ଫୋନରେ ଲେଖିଦେ ।” ତା’ ଆପଲ ଫୋନ ମୋ ପାଖକୁ ବଢ଼େଇଦେଇ କହିଲା, “ଆମେ କଥାବାର୍ତ୍ତା ହେବା ଓ ଶୀଘ୍ର ଭେଟିବା । କିଛି ଖରାପ ଭାବିବୁନି ।”


           ପିଲାଦିନେ ପୁରୀରେ ଆମ ଦୁଇ ଜଣଙ୍କର ଘର ଥିଲା । ଆଠଟି ଘର ଛାଡ଼ି ତା ଘର ଥିଲା । ଗୋଟିଏ କଲେଜରେ ପଢ଼ୁଥିଲୁ । ତା ସାଥିରେ ଅଧିକାଂଶ ଝିଅ ଏତେ ମିଶୁନଥିଲେ, କିନ୍ତୁ ମୋତେ କାହିଁକି କେଜାଣି ତାକୁ ଭଲ ଲାଗୁଥିଲା । ଅନେକ ସମୟରେ ସେ ଆମ ଘରେ ରହୁଥିଲା ଓ ମୋ ମାଆ ତାକୁ ଆଦର କରି ଖାଇବାକୁ ଦେଉଥିଲା । ତାକୁ ନାଆଁ ଧରି ନ ଡାକି ଝିଅ କହି ଡାକୁଥିଲା । ଏହି ସ୍ନେହ ମମତା ପଛରେ ତା’ର ମୋ ପାଇଁ ଗୋଟିଏ ଅମୂଲ୍ୟ ଦାନ ଥିଲା ଯାହା ପାଇଁ ମା ତାକୁ ଏତେଭଲ ପାଉଥିଲା । ତା ଘରଟା ମୋ ଘରଠୁ ଅଳ୍ପ ଦୂରରେ ଥିଲା, ସୁତରାଂ ଯିବା ଆସିବା ଲାଗିରହିଥିଲା ।ଭୁବନେଶ୍ଵରର ମଲ ବା ପ୍ରଦର୍ଶନୀରେ ଏମିତି ଅକସ୍ମାତ ଭେଟ ହୋଇଯାଏ ନୂଆ ପୁରୁଣା ଚିହ୍ନା ପରିଚିତ ଲୋକଙ୍କ ସାଥିରେ ।



           ସେ ମୋଠାରୁ ଦୂରକୁ ଯାଇ ଜନ ଗହଳିରେ ହଜିଗଲାଯାଏ ତାକୁ ମୁଁ ଅନେଇ ରହିଥିଲି । ଭାବୁଥାଏ, ଇଏ କେମିତି ଏମିତି ଧନୀ ହେଇଗଲା ଯେ ଏତେ ଦାମିକା ଶାଢ଼ୀ ପିନ୍ଧିପାରୁଛି ! ମୋ ନିଜ ଶାଢ଼ୀକୁ ଅନେଇଲି । ଆକାଶ ପାତାଳ ତଫାତ । ମନେ ପଡ଼ିଗଲା ଗୋଟିଏ ଲୋକକଥା, ‘ପୁଅ ଜୀବନ ପଥର ତଳେ ଓ ଝିଅ ଜୀବନ ପତର ତଳେ ।’ ମୋ ବିବାହ ପରେ ଭୁବନେଶ୍ଵର ଯାଇ ସେଠାରେ ନୂଆ ସଂସାର ଗଢ଼ିଲି । ସ୍ଵାମୀ, ପୁଅ, ଝିଅ, ଶାଶୁ, ଶ୍ଵଶୁର ଓ ନଣନ୍ଦକୁ ନେଇ ମୋ ସଂସାରରେ ମୁଁ ବ୍ୟସ୍ତ ରହିବାରୁ ଅନ୍ୟମାନଙ୍କ ସହିତ ସମ୍ପର୍କ ଧୂଆଁଳିଆ ହୋଇଗଲା । ଗୋଟିଏ ଅଫିସରେ ରିସେପସନିଷ୍ଟ ଚାକିରି ମିଳିଗଲା । ସେଥିରେ ମୁଁ ବ୍ୟସ୍ତ ରହି କିଏ କୁଆଡ଼େ ଗଲା, ସେ ଖବର ମୁଁ ରଖି ପାଇଲିନି ।



           ତା ପରଦିନ ପ୍ରାୟ ଦିନ ପାଞ୍ଚଟା ବେଳେ ଫୋନ ବାଜିଲା । ମୁଁ ଯାଇ ରିସିଭର ଉଠେଇ ହେଲୋ କହିଲି । ସେପାଖରୁ ଉତ୍ତର ଆସିଲା, “ମୁଁ ସସ୍ମିତା କହୁଛି । ତୁ ଏଇ ଭୁବନେଶ୍ଵରରେ ଅଛୁ ତ ?” “ହଁ ମୁଁ ଏଇଠି ଅଛି, ତୁ ବି ବୋଧେ ଏଇଠି ଅଛୁ । କେଉଁଠି ବାହାହେଲୁ ?”  

“ଶୁଣ, କାଲି ଖରାବେଳେ ମୁଁ କାର ନେଇ ତୋ ଘରକୁ ଯିବି । ତୋ ଘରଟା ଦେଖିଆସିବି ଓ ତୋତେ ମୋ ଘରକୁ ନେଇଆସିବି । ସାଙ୍ଗ ହୋଇ ବସି କଥାହେବା । କେତେ ବର୍ଷ ପରେ ଦେଖାହେଲା ! ମୋତେ ଯେଉଁ ଖୁସି ଲାଗୁଛି ତାହା ବର୍ଣ୍ଣନା କରିପାରିବିନି । ପୁରୁଣା ସ୍ମୃତି ସବୁ ମନେ ପଡ଼ୁଛି । କେଡ଼େ ମଜା ହେଉଥିଲା । କାଲି ଘରେ ଥିବୁତ ?”

“ହଁ, ଥିବି, ତଥାପି ଆସିବା ଆଗରୁ ଫୋନ କରିଦେବୁ ।”

“ହଁ, ନିଶ୍ଚୟ । ଆଉ ଥରେ ତୋ ସ୍ଵାମୀଙ୍କୁ ସ୍ଵତନ୍ତ୍ର ଭାବରେ ନିମନ୍ତ୍ରଣ କରିବି, ସାଙ୍ଗ ହୋଇ ଆସି ଆମ ଘରେ ଲଞ୍ଚ କରିବ । ନିଶ୍ଚୟ ଆସିବୁ, ମୋ ରାଣ । ରହିଲି ।”


           ମୋ ଆଖିରେ ଖାଲି ତା ଶାଢ଼ୀ ନାଚିଯାଉଥାଏ । ଏମିତିରେ ମୁଁ କଅଣ, ସବୁ ଝିଅ ଶାଢ଼ୀ ରଙ୍କୁଣୀ । ତେବେ ମୁଁ ଟିକିଏ ବେଶୀ । କାହାକୁ ବାହା ହେଲା ଯେ ଏତେ ଦାମିକିଆ ଶାଢ଼ୀ ପିନ୍ଧିପାରୁଛି ! ଲଟେରୀ ଉଠିଗଲା ନା କଅଣ ! ଆଉ କଅଣ ବେଶୀ ପାଠ ପଢ଼ି ବଡ଼ ଚାକିରି ପାଇଗଲା ନା କଅଣ ! କେଉଁ କମ୍ପାନୀର ମୂଖ୍ୟ ହୋଇଗଲା ନା କଅଣ । ଭାବିଲି, ‘ହେ, ଏତେ ଈର୍ଷା କରିବା ଭଲ ନୁହେଁ ।’  ଆସନ୍ତା କାଲି ତା ଘରକୁ ଗଲେ ସବୁ କଥା ସ୍ପଷ୍ଟ ହୋଇଯିବ ।


           ତା’ ପରଦିନ ପ୍ରାୟ ଦିନ ସାଢ଼େ ପାଞ୍ଚଟା ବେଳକୁ ଫୋନ ରିଙ୍ଗ ହେଲା । ସେପାଖରୁ ସସ୍ମିତା ଫୋନରେ କହିଲା, “ସୁମିତ୍ରା, ମୁଁ ତୋ ଘର ଗେଟ ଆଗରେ ଅଛି । ଶୀଘ୍ର ବାହାରକୁ ଆ, ମୋ ଘରକୁ ଯିବା ।” ମୁଁ ଯେତେ ଶୀଘ୍ର ସମ୍ଭବ ପୋଷାକ ପିନ୍ଧି ବାହାରକୁ ଗଲି । ବାହାରେ ଗୋଟିଏ ବଡ଼ କାର ଥୁଆହୋଇଥିଲା । ସସ୍ମିତା କାର କବାଟ ଖୋଲି ଭିତରକୁ ଯିବାକୁ ଡାକିଲା । ପଛ ସିଟରେ ସେ ବସିଥିଲା ଓ ମୁଁ ତା ପାଖରେ ବସିଲି । ଦୁହେଁ ବକ୍ଷଲଗ୍ନା ହୋଇଗଲୁ । ମୋ କାନ ପାଖରେ ଫୁସଫୁସ କରି କହିଲା, “ମୋ ଲୋକଙ୍କ ଆଗରେ ମୋତେ ଧେଡ଼ି କହିବୁନି, ତୋତେ ଗାଳି ଦେବେ । ମୋତେ ସେମାନେ ବହୁତ ଭଲ ପାଆନ୍ତି । ମୋ ଘରକୁ ଗଲେ ସେଠି କଥା ହେବା ।” 



     କାର ଚାଲିଲା । ଅନେକ ସମୟ ବିତିଗଲା । ମୁଁ ମୁହଁରେ ତାଲା ଦେଇ ବସିଥାଏ, କାଳେ ଭୂଲରେ ଧେଡ଼ି କହିଦେବି । କିଛି ସମୟ ପରେ ସହର ଛାଡ଼ି କାର ଆଗକୁ ଚାଲିଲା । ମୁଁ ପଚାରିଲି, “ଆଲୋ, ତୋ ଘର କେଉଁଠି, ସହର ତ ପଛରେ ରହିଗଲା ।” ସେ କିଛି ନକହି ତା ଓଠରେ ଆଙ୍ଗୁଠି ରଖି ଚୁପ ରହିବାକୁ ନିର୍ଦ୍ଦେଶ ଦେଲା । ମାଇଲ ମାଇଲ ଧରି ଧାନ ବିଲ ଲମ୍ବିଥାଏ । ଶାଗୁଆ ଧାନ ଗଛ ସବୁ ପବନ ପାଇ ଖୁସିରେ ହଲୁଥାଆନ୍ତି । ରାସ୍ତା ଦୁଇ ପାଖରେ ବଡ଼ ବଡ଼ ଗଛ ସବୁ ରାସ୍ତାକୁ ଛାଇ ଭେଟି ଦେଇଥାଆନ୍ତି । ବାହାର ଫଗୁଣ ପବନର ମଜା ମୁଁ ପାଇଲିନି, କାରଣ କାରଟିରେ ଏସି ଚାଲୁଥିବା ଯୋଗୁ କବାଟ ବନ୍ଦଥାଏ । ଅନେକ ବାଟ ଗଳାପରେ କିଛି ଦୂରରେ ଗୋଟିଏ ବିରାଟ ପାଚେରି ଘେରା ହତା ଦେଖାଗଲା । ପ୍ରାୟ ୮ ଫୁଟ ଉଚ୍ଚର ଗୋଟିଏ ଗେଟ ସାମନାରେ କାର ରହିଲା ଓ ହର୍ଣ୍ଣ ବାଜିଲା । ଗେଟ କବାଟର ଗୋଟିଏ ଛୋଟ ଫାଙ୍କ ଦେଇ କେହି ଜଣେ ଅନେଇଲା ପରେ ଗେଟ ଖୋଲିଗଲା । କାରଟି ଭିତରକୁ ଯାଇ ଗୋଟିଏ ବିରାଟ ଘର ସାମନାରେ ବ୍ରେକ ଦେଲା । 


     ଡ୍ରାଇଭର ଆସି କାର କବାଟ ଖୋଲିଲା ଓ ଧେଡ଼ି ବାହାରକୁ ଯାଇ ମୋ ହାତ ଧରି ବାହାରକୁ ନେଇଗଲା । ଘର ବାରଣ୍ଡା ଅନ୍ତତଃ ପାଞ୍ଚ ଫୁଟ ଉଚ୍ଚ ହୋଇଥିବ । ଛୋଟ ଛୋଟ ପାହାଚ ବାରଣ୍ଡାକୁ ଯିବାପାଇଁ ଲମ୍ବିଯାଇଥାଏ । ତା ଉପରେ ଉଠି ଆମେ ବାରଣ୍ଡାକୁ ଗଲୁ । ତା’ପରେ ଡ୍ରଇଂ ରୁମ । ଧେଡ଼ି ମୋତେ ବସେଇ ଦେଇ ଲୁଗା ବଦଳେଇବାକୁ ଗଲା । ମୁଁ ସେ ରୁମକୁ ଲକ୍ଷ କଲି । ରୁମଟିର ଆକାର ମୋର ପୁରା ଘରର ଆକାର ସାଥିରେ ସମାନ ହୋଇଥିବ । ଚଟାଣରେ ଶୁଭ୍ର ଶଙ୍ଖମର୍ମର ପଥର ବିଛା ଯାଇଥାଏ । କାନ୍ଥରେ କି ରଙ୍ଗ ଦିଆଯାଇଥାଏ କେଜାଣି, ଚିକ ଚିକ କରୁଥାଏ । ପ୍ରକୃତିକ ଦୃଶ୍ୟ ଥିବା ବଡ଼ ବଡ଼ ଫୋଟୋ ଟଙ୍ଗା ହୋଇଥାଏ । ଛାତରୁ ତିନୋଟି ବଡ଼ ବଡ଼ ଝୁମର ଝୁଲୁଥାଏ । ଏ ସବୁ ଦେଖି ମୋ ଆଖି ଝଲସିଗଲା । ମୋତେ ସନ୍ଦେହ ଆସିଲା, ଇଏ ମୋ ସାଙ୍ଗ ଧେଡ଼ି ନା ତାରି ଭଳି ଦେଖିବାକୁ ଆଉ କେହି । ଆଖିରେ ଦେଖିଲେ ବି ବିଶ୍ଵାସ ଆସୁନଥାଏ । 


     କିଛି ସମୟ ପରେ ସେ ରୁମକୁ ଆସିଲା । ମୁଁ ପଚାରିଲି, “ଆଲୋ, ତୁ ଏ ଘରର ମାଲିକାଣୀ ନା ଆଉ କଅଣ ?” ଟିକିଏ ହସି ସେ ଉତ୍ତର ଦେଲା, “ହଁ, ମୁଁ ଠିକ ମାଲିକାଣୀ ନୁହେଁ କିନ୍ତୁ ମାଲିକାଣୀର ସମ୍ମାନ ଅଛି । ଘର ଭଲ ଲାଗୁଛି ?”

କିଛି ଉତ୍ତର ନଦେଇ ପ୍ରଶ୍ନ କଲି, “ତୋ ସ୍ଵାମୀ କଅଣ କରନ୍ତି ?”

“ମୁଁ ବାହା ହେଇନି ଲୋ । ମୁଁ ଏଠିକୁ ଆସିବା ପଛରେ ଗୋଟିଏ ଇତିହାସ ଅଛି । ତୁ ବାହା ହୋଇଆସିବାର ଛଅ ମାସ ପରେ ମୋ ବାପା ମା ଉଭୟ ମୋତେ ଏ ସଂସାରରେ ଏକୁଟିଆ ଛାଡ଼ି ଚାଲିଗଲେ । କଅଣ କରିବି, ବୁଦ୍ଧିବାଟ ଦେଖାଗଲାନି । ଏକୁଟିଆ ଝିଅ ଏ ସଂସାରରେ ରହିବା କେତେ କଷ୍ଟ, ଏକଥା କେବଳ ଅନୁଭବୀମାନେ ହୃଦୟଙ୍ଗମ କରିପାରିବେ ।”



           ଘରେ ମା, ମୋ ସାନ ଦୁଇ ଭାଇ ଓ ମୁଁ, ଚାରି ପ୍ରାଣୀ କେମିତି ବଞ୍ଚିବୁ, ବୁଦ୍ଧି ଲେଖାଗଲାନି । ଏତିକିବେଳେ ଗୋଟିଏ ବିଜ୍ଞାପନରେ ବ୍ୟକ୍ତିଗତ ନର୍ସ ଟ୍ରେନିଂ ନିମନ୍ତେ ଦରଖାସ୍ତ କରିବାକୁ ଆହ୍ଵାନ କରାଯାଇଥିଲା । ତାକୁ ଦେଖି ତୁମ ମାଆ ମୋତେ ସେଥିରେ ଯୋଗଦେବାକୁ କହିଲେ ଓ ମୋତେ ଅର୍ଥ ଦାନକରି ସାହାଯ୍ୟ କଲେ । ପ୍ରଥମେ ମୋତେ ଏ କାମ ବହୁତ ଖରାପ ଲାଗିଲା, କିନ୍ତୁ ଗତ୍ୟନ୍ତର ନଥିଲା । ଏଇ ଭୁବନେଶ୍ଵରରେ ଟ୍ରେନିଂ ନେଲି ଓ ଗୋଟିଏ ବର୍ଷରେ ସେ କୋର୍ଷ ସରିଗଲା । ତା’ପର ଦିନ ପୁରୀ ଫେରିବାର ଥିଲା । ସନ୍ଧ୍ୟାରେ ଏସପ୍ଲାନେଡ଼ ମଲକୁ ବୁଲିଯାଇଥିଲି । ମୋ ଆଗେ ଆଗେ ଜଣେ ଭଦ୍ର ବ୍ୟକ୍ତି ଚାଲୁଥିଲେ । ହଠାତ ସେ ଯନ୍ତ୍ରଣାରେ ଚିତ୍କାର କରି ତଳ ପାଖ ଛାତିକୁ ଧରି ଠିଆ ହୋଇରହିଲେ । ମୁଁ ତାଙ୍କ ପାଖକୁ ଦୌଡ଼ିଗଲି । “କଅଣ ହେଲା ସାର”, ପ୍ରଶ୍ନ କଲି ? ସେ ମୋତେ ପାଖକୁ ଡାକିଲେ ଓ ମୋ କାନ୍ଧରେ ଭରା ଦେଇ ମଲ ବାହାରେ ଥିବା ତାଙ୍କ ଗାଡ଼ି ପାଖକୁ ନେଇଯିବାକୁ ଅନୁରୋଧ କଲେ । ଇତି ମଧ୍ୟରେ ଫୋନରେ ତାଙ୍କ ଅବସ୍ଥା ଶୁଣି ତାଙ୍କ ଡ୍ରାଇଭର ମଧ୍ୟ ଚାଲି ଆସିଲା । ଦୁହେଁ ତାଙ୍କୁ ଧରି ଗାଡ଼ି ପାଖକୁ ନେଇଗଲୁ । ମୁଁ ଜଣେ ପ୍ରାଇଭେଟ ନର୍ସ ଶୁଣି ମୋତେ ତାଙ୍କ ସାଥିରେ ଯିବାକୁ ଅନୁରୋଧ କରିବାରୁ ତାଙ୍କ ଦୁଃଖ ସହିନପାରି ସାଥିରେ ଏଇ ଘରକୁ ଆସିଲି । ଏଠି ତାଙ୍କ ନିଜ ଲୋକ କେହି ନଥିଲେ । ସଙ୍ଗେ ସଙ୍ଗେ ଡାକ୍ତର ଡକା ହୋଇ ଚିକିତ୍ସା ଆରମ୍ଭ ହୋଇଗଲା । ରାତି ଦିନ ମୁଁ ତାଙ୍କ ସେବାରେ ଲାଗିପଡ଼ିଲି । 



           ଏଠି ରହିବା କଥା ତୋ ମାଆଙ୍କୁ ଜଣେଇଦେଲି । ଏଠିକାର ମାଲିକଙ୍କ ନାମ ସୂର୍ଯ୍ୟ କୁମାର ଶର୍ମା । ବୟସ ପ୍ରାୟ ୬୫ ବର୍ଷ ହୋଇଥିଲା । ଦିଲ୍ଲୀ ଯାଇ ଡାକ୍ତରଙ୍କୁ ଦେଖାକଲେ । ଶେଷରେ ଜଣା ପଡିଲା, ତାଙ୍କର ଯକୃତ କର୍କଟ ରୋଗ ହୋଇଛି । ଡାକ୍ତର ମୋତେ ଡାକି କହିଲେ, “ଅତି ବେଶୀରେ ଏକ ମାସ ବଞ୍ଚିବେ ।” ଏକଥା ଶୁଣି ଆମେ ଭୁବନେଶ୍ଵର ଫେରି ଆସିଲୁ । ତାଙ୍କର ପୁଅ ଆମେରିକାରେ ଇଞ୍ଜିନିୟର ଚାକିରି କରି ସେଠି ଗୋଟିଏ ଝିଅଙ୍କୁ ବାହା ହୋଇ ରହିଗଲେ । ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଓ ଝିଅ ଅଛନ୍ତି । ତାଙ୍କ ପୁଅ ଏ ଖବର ପାଇ ଏଠାକୁ ଆସିଥିଲେ । ସୂର୍ଯ୍ୟ ବାବୁ ମାତ୍ର ଆଠ ଦିନ ପରେ ଦେହତ୍ୟାଗ କଲେ ।


           ତାଙ୍କ ପୁଅ ମୋ ସେବା କଥା ଦେଖି ମୋତେ ବହୁତ ସମ୍ମାନ ଦେଖେଇଲେ । ପିତା ମରିଗଲା ପରେ ସେ ମୋତେ ଡାକି କହିଲେ, “ମୁଁ ଆପଣଙ୍କୁ ଦିଦି ଡାକିବି । ବାପାଙ୍କ ଶେଷ ସମୟରେ ଆପଣ ବାପାଙ୍କର ବହୁତ ସେବା କରିଛନ୍ତି । ଆପଣଙ୍କୁ ଏ ଘରୁ ବାହାର ନକରିବାକୁ ବାପା ତାଗଦା କରି କହିଛନ୍ତି । ଆପଣ ଏହି ଘରର ରକ୍ଷଣାବେକ୍ଷଣ କରିବେ ।” ତାଙ୍କର ଗୁମାସ୍ତାକୁ ଡାକି ଏକଥା କହିଲେ ଓ ଘର ଖର୍ଚ୍ଚ ତଥା ତାଙ୍କର ବିଜିନେସ ବୁଝିବା ଦାୟିତ୍ଵ ଦେଇଗଲେ । ତାଙ୍କର ଦରମା ଦେଢ଼ ଗୁଣ କରିଦେଲେ । ମୋତେ ଏକ ଲକ୍ଷ ଟଙ୍କା ମାସକୁ ଦେବାକୁ କହିଗଲେ । ମୋତେ ଘରର ମାଆ ଭଳି ଦେଖିବାକୁ କହିଗଲେ । ସେ ଘରର ରକ୍ଷଣା ବେକ୍ଷଣ କରିବାକୁ ଅନେକ ଲୋକ ଅଛନ୍ତି । ତାଙ୍କ ପାଇଁ ରନ୍ଧା ହୁଏ ଓ ମୁଁ ସେଠାରେ ଖିଆପିଆ କରେ । ଲକ୍ଷେ ଟଙ୍କାରୁ ତିରିଶ ହଜାର ଟଙ୍କା ମୁଁ ମାଆ ପାଖକୁ ପଠେଇଦେଉଛି ଓ ପଚାଶ ହଜାର ମୁଁ ରଖୁଛି । ବାକି ଇନକମ ଟାକ୍ସ ବାବଦରେ ଦେଉଛି ।


     ଏମିତି ମୁଁ ବହୁତ ଭଲରେ ଅଛି, କିନ୍ତୁ ବହୁତ ଏକୁଟିଆ ଲାଗୁଛି । ଘର ଖାଇ ଗୋଡ଼ଉଛି । ଏତେ ଧନ ସମ୍ପତ୍ତି ଛାଡ଼ି କୁଆଡେ ଯିବାକୁ ମନ ହେଉନି । କେତେ କଷ୍ଟ ସହି ଲୋକମାନେ ଧନ ଅର୍ଜନ କରନ୍ତି, ମୋ କାନିରେ ଭଗବାନ ଅକାତରରେ ସେମିତି ଅଜାଡ଼ି ଦେଲେ । କଅଣ କରିବି । ଯଦି ଏ ଘର ଛାଡ଼ିଦିଏ, ଫେର ସେଇ ଦାରିଦ୍ର୍ୟ ପଙ୍କରେ ଗଳିପଡ଼ିବି । ଯଦି ବାହା ହୁଏ, ତେବେ ଏ ମୂଖ୍ୟ ଘରେ ରହିପାରିବିନି । ଏ ମହଲର ପଛ ପାଖରେ ଗୋଟିଏ ଛୋଟ ଘର ଅଛି । ସେଠାରେ ରହିବାକୁ ପଡ଼ିବ ଓ ମୋର ଭତ୍ତା ମଧ୍ୟ କମିଯିବ । ଏ ଦୁନିଆରେ ଅନେକ ଲୋକ ଅବିବାହିତ ରହୁଛନ୍ତି । ମୁଁ ସ୍ଥିର କଲି, ଏମିତି ରହିଯିବି । ଯାହାହେଉ, ତୋ ସାଥିରେ ଦେଖା ହୋଇଗଲା । ଆଉ ଏକୁଟିଆ ଲାଗିବନି ।


“ହେଲେ ବାହା ନହୋଇ ଏଇ ଲମ୍ବା ଜୀବନ କେମିତି କଟେଇବୁ ? ଗୋଟିଏ ଜୀବନସାଥୀ ତ ଦରକାର । ବୁଢ଼ୀ ହୋଇ ରୋଗରେ ପଡ଼ିଲେ କିଏ ସେବା ଶୁଶ୍ରୂଷା କରିବ ? ”

“କଅଣ କରିବି କହ ? ଭଗବାନ ସବୁ କଥା ସମସ୍ତଙ୍କୁ ଦିଅନ୍ତିନି । ମୋତେ ଧନ ଦେଲେ । ତୋତେ ଜୀବନ ସାଥି ଦେଲେ । କିଏ ସୁଖୀ ଓ କିଏ ଦୁଃଖୀ, ସେ କଥା ଆମେ ନିର୍ଣ୍ଣୟ କରିପାରିବାନି । ବିବାହ କରି ଅଧିକାଂଶ ଲୋକଙ୍କର କାନ୍ଦି କାନ୍ଦି ଦିନ ସରୁନି । ଉପରକୁ ସୁଖୀ ଜଣାଯାଉଥିଲେ ମଧ୍ୟ ଅନେକ ବ୍ୟକ୍ତି ବହୁତ ଦୁଃଖରେ କାଳାତିପାତ କରନ୍ତି । ମୋତେ ସତ କହ, ତୁ ସର୍ବାନ୍ତଃକରଣରେ ସୁଖୀ କି ? ଏଠି ବିବାହ ନକରି ଓ ସନ୍ତାନ ଜନ୍ମ ନକରି ମଧ୍ୟ ମୁଁ ମା । ମୋତେ ଏ ଘରେ ବହୁତ ଇଜ୍ଜତ ମିଳୁଛି । ଏ ସୌଭାଗ୍ୟ କେତେଜଣଙ୍କୁ ମିଳେ ?”


     କେଡ଼େ ସତ କଥାଟିଏ ମୋ ସାଙ୍ଗ କହିଥିଲା । ଅଧିକାଂଶ ମହିଳାଙ୍କୁ ସ୍ଵାମୀ ମିଳନ୍ତି କିନ୍ତୁ ସାଥି ମିଳନ୍ତିନି, ବିବାହ କରନ୍ତି କିନ୍ତୁ ପ୍ରେମ ମିଳେନି । ଅନେକ ସମୟରେ ମଥାର ସିନ୍ଦୁରହିଁ ହୃଦୟରୁ ରକ୍ତ ନିଗାଡ଼ି ଦିଏ । ଚାଲିଲା ବେଳେ ପାଉଁଜି ଦ୍ୱୟ ଝୁମ ଝୁମ ଶବ୍ଦର ସଙ୍ଗୀତ ସୃଷ୍ଟି ନକରି ଦୁଇଟି ଶୃଙ୍ଖଳ ପରସ୍ପର ପିଟିହେଲେ ଯେମିତି ଝଣ ଝଣ ଶବ୍ଦ ହୁଏ, ସେହିଭଳି ଶବ୍ଦ ବାହାରେ । ଭାଗ୍ୟ ଭଲ ନଥିଲେ ସିନ୍ଦୁର, ଚୁଡ଼ି ଓ ଅଳତା ଆଦି କେବଳ ଏକ ପ୍ରେମ ବିହୀନ ୟୁନିଫର୍ମ ହୋଇଯାଏ । ଆମେ ଦୁଇ ସାଙ୍ଗଙ୍କର ପରସ୍ପର ଘରକୁ ଯିବା ଆସିବା ଲାଗିରହିଲା । ମୋ ସ୍ଵାମୀ ମଧ୍ୟ ତାଙ୍କ ଘରକୁ ମୋ ସାଥିରେ ଯାଇ ଚିହ୍ନା ପରିଚିତ ହୋଇଥିଲେ ।


ପ୍ରାୟ ଛଅ ମାସ ପରେ .....

 ମୋର ଫୋନ ଦିନେ ଦିନ ପାଞ୍ଚଟା ବେଳେ ବାଜିଲା । ଦେଖିଲି ସସ୍ମିତାର ଫୋନ । କହିଲି, “ହେଲୋ, କଅଣ ଖବର ।” ଫୋନରେ ଧୀର ସ୍ଵରରେ ନେହୁରା ହେବା ଭଳି କହିଲା, “ସାଙ୍ଗ ଗୋଟିଏ ବଡ଼ ଦାନ ମାଗିବି । ଦେଇପାରିବୁ ?”

“ନିଶ୍ଚୟ ଦେବି, କହିକରି ଦେଖ ନା । ତୁ ମୋର ପିଲା ଦିନର ସାଙ୍ଗ । ଏକାଠି ଖାଇଛେ, ବୁଲିଛେ, ସିନେମା ଦେଖିଛେ । ଗାଡ଼ି ଦୁର୍ଘଟଣାରେ ମୋର ଦେହ ଯେତେବେଳେ ରକ୍ତ ଶୂନ୍ୟ ହୋଇଥିଲା, ସେତେବେଳେ ତୁ ରକ୍ତ ଦେଇ ମୋର ଜୀବନ ବଞ୍ଚେଇଥିଲୁ । ମୁଁ ସେ କଥା କେବେ ଭୁଲିପାରିବିନି । ଆଜି ମୋର ଏଇ ଯେଉଁ ଦେହ ଅଛି, ସେଇଟା ତୋର ଦାନ । ସେତିକିବେଳେ ସେଇ ଦୁର୍ଘଟଣା ଫଳରେ ମୋର ଏ ଦେହ ଉପରକୁ ଯାଇଥାଆନ୍ତା । ତୁ ମାଗିବୁ, ମୁଁ ଦେବିନି, ଏକଥା କେମିତି ହେବ ?” 



           ରହ, ରହ, ଟିକିଏ ରହିଯା, ମୁଁ ଅନୁମାନ କରେ ତୁ କଅଣ ମାଗିବୁ । ମୋ ସ୍ଵାମୀକୁ ନା ? ତାଙ୍କୁ ମାଗିବୁ ନା ? ତାଙ୍କୁ ମାଗିବୁ ନା ? କିଛି ସମୟ ପର୍ଯ୍ୟନ୍ତ ସେ ପାଖରୁ କିଛି ଶବ୍ଦ ଶୁଣାଗଲାନି । ଧୀର ଗଳାରେ ଉତ୍ତର ଆସିଲା, "ଆରେ, ତୁ କେମିତି ଅନୁମାନ କଲୁ ?"

“ହା, ହା, ହା । ସ୍ତ୍ରୀ ହୋଇ ସ୍ଵାମୀର ଗତିବିଧି ଯଦି ଜାଣିନପାରିଲି, ତା’ହେଲେ କି ସ୍ତ୍ରୀ ? ଏଇ କିଛି ଦିନ ତଳେ ତାଙ୍କ ଦେହରୁ ତୋ ଶାଢ଼ୀରେ ଯେଉଁ ସେଣ୍ଟ ପକାଉ, ସେଇ ବାସନା ଆସୁଥିଲା । ଦିନେ ଦିନେ କାମରୁ ଫେରୁ ଫେରୁ ରାତି ନଅଟା ବାଜୁଥିଲା । ମୋ ମନରେ ସନ୍ଦେହ ଆସୁଥିଲା, ଏତେ ଡେରି କାହିଁକି ହେଉଛି । ତାର ଉତ୍ତର ଆଜି ପାଇଗଲି । କେବେ ତ ଏତେ ଡେରି ହୁଏନି । ହା ହା ହା । ଗୋଟିଏ ପ୍ରଶ୍ନ, ସେ କଅଣ ତୋତେ ଭଲ ପାଉଛନ୍ତି ।”

ହଁ, ମୋତେ ମାସେ ତଳେ କହିଲେ, “ତୁମ ବିନା ମୁଁ ବଞ୍ଚିପାରିବିନି ।”  

“ଏତେ ବାଟ ଆଗେଇ ଗଲେଣି ? ତୁ କଅଣ କହିଲୁ ?”

“ମୁଁ କହିଲି, ତୁମର ସ୍ତ୍ରୀ ଅଛନ୍ତି ପରା । ସେ ମୋର ବଡ ସାଙ୍ଗ । ମୋତେ କେମିତି ଭଲ ପାଇଲେ ।”

“ସେ କହିଲେ, ଆମେ ନାମକୁ ମାତ୍ର ସ୍ଵାମୀ ସ୍ତ୍ରୀ । ଆମ ଘରେ ଜବରଦସ୍ତ କରିବାରୁ ବାଧ୍ୟରେ ବାହା ହୋଇଥିଲି । ତାର ମୋର କୌଣସି ସମ୍ପର୍କ ନାହିଁ । ମନ ନଥାଇ ଜଣକୁ ବାହା ହେଲେ କେମିତି ବଞ୍ଚିହେବ । ସେ ମୋର କୌଣସି କଥା ଶୁଣେନି । ଘର କାମ ବି ଭଲଭାବେ କରେନି । ମୋର ମନ ଛାଡ଼ିଗଲାଣି । ମୋ ଜୀବନରେ ସୁଖ ବୋଲି କିଛି ନାହିଁ !” 

“ଆଚ୍ଛା ! ଏମିତି କହିଲେ ? ହଉ ଯଦି ମୁଁ ତାଙ୍କ ପସନ୍ଦର ସ୍ତ୍ରୀ ନୁହେଁ, ତାହେଲେ ଏକାଠି ରହିବି କାହିଁକି ? ତେବେ ତାଙ୍କୁ ବାହା ହେବୁ ତ ? ନା କଅଣ? ଠିକ ଅଛି, ମୁଁ ଏଥିରେ ସଂପୂର୍ଣ୍ଣ ରାଜି । ତୁ ମୋ ସାଥିରେ ଏ ବିଷୟରେ କଥା ହୋଇଛୁ ବୋଲି କହିବୁନି । ମୁଁ ନିଜ ମନକୁ ସମ୍ଭାଳି ନେବି କୌଣସିମତେ । କିଛି ବର୍ଷ ବିବାହ ପରେ ‘ବିବାହ କଅଣ?’, ସେକଥା ମୁଁ ଜାଣିଗଲିଣି । ଭାବୁଛି, ଏକୁଟିଆ ରହି ପାରିବି ।” 



           ଏ କଥାବାର୍ତ୍ତା ହେବା ପରେ ପ୍ରଥମେ ମୁଁ ସ୍ତବ୍ଧ ହୋଇଗଲି ଓ ବାକ ଶୂନ୍ୟ ହୋଇଗଲି । ମୋ ବାହାଘର କଥା ମନେ ପଡ଼ିଗଲା । ଚଉଠି ରାତି କଥା ମନେ ପଡ଼ିଗଲା । ମୋ ସ୍ଵାମୀ କେତେ ଆଦର କରୁଥିଲେ । ଇଚ୍ଛା ଅନୁସାରେ ମୋ ପାଟିରୁ କଥା ବାହାରିଲା ମାତ୍ରେ ସେ ସବୁ କଥା ମାନୁଥିଲେ । ଏ ସବୁ କଥା ଭାବୁ ଭାବୁ ମୋ ଗାଲରେ ଅଶ୍ରୁର ଝରଣା ବୋହୁଥିବା ଅନୁଭବ କରୁଥିଲି । ଛାତି ଭିତରେ ହୃତପିଣ୍ଡ ଚିପି ହୋଇଗଲା ଭଳି ଲାଗିଲା । ଆଜି ପର୍ଯ୍ୟନ୍ତ ଯେଉଁ ପ୍ରେମ ଓ ସୋହାଗ ପାଉଥିଲି, ସେ ସବୁ ମିଛ, ପ୍ରତାରଣା, ଧୋକାବାଜି ! ଏମିତି କୌଣସି ସେବା ନାହିଁ ଯାହା ମୁଁ ତାଙ୍କ ପାଇଁ କରିନି । ରୋଷେଇ, ବାସନ ମଜା, ଘର ସଫେଇ, ବନ୍ଧୁ ବାନ୍ଧବ ଚର୍ଚ୍ଚା, ଘର ଲୋକଙ୍କ ସେବା ଆଦି କୌଣସିଥିରେ କେବେ ହେଳା କରିଥିବା ମନେ ନାହିଁ । କେତେ ଶୀଘ୍ର ଦୁନିଆ ବଦଳିଯାଏ । ମୋ ମୁଣ୍ଡ ବୁଲେଇଲା ଓ ପଡ଼ିଗଲା ଭଳି ଲାଗିଲା । ଧୀରେ ଧୀରେ ଯାଇ ବିଛଣାରେ ଗଡ଼ିଲି । କୋହ ଉପରେ କୋହ ଆସୁଥାଏ ।



           ଭାବିଲି, କି ଖରାପ ବେଳାରେ ସସ୍ମିତା ସାଥିରେ ଦେଖା ହୋଇଥିଲା ଯେ, ମୋ ଜୀବନରେ ଏ ଭୂମିକମ୍ପ ଆସିଗଲା । ତାକୁ କିଛି କହିପାରିବିନି କି ଗାଳିଦେଇ ପାରିବିନି । ମୋ ଜୀବନ ପ୍ରତି ତାର ଅନବଦ୍ୟ ଦାନ ଅଛି । ପିଲାଦିନୁ ମୋତେ କେହି କିଛି ମାଗିଲେ ମୁଁ ନାହିଁ କରିପାରେନି ଓ ଏହାକୁ ମୋର ଭଲ ଗୁଣ ବୋଲି ମୁଁ ଭାବେ । ତେବେ ଏ ଅଭ୍ୟାସ ମୋତେ ଟାଣି ଆଣି ଏଭଳି ଅବସ୍ଥାଚକ୍ରରେ ପହଞ୍ଚେଇବ, ସେ କଥା ସ୍ଵପ୍ନରେ ବି ଭାବିନଥିଲି । ଏବେ କଅଣ କରିବି ? ଗୋଟିଏ ପାଖରେ ସ୍ଵାମୀ ଓ ଅନ୍ୟ ପାଖରେ ମୋ ଜୀବନଦାତ୍ରୀ । ସ୍ଵାମୀକୁ କେମତି ଛାଡ଼ିବି । ସାତ ଜନ୍ମର ସାଥି ସେ । ଅନ୍ୟ ପାଖରେ ମୋ ଜୀବନଦାତ୍ରୀ । ସେ ବି ତ ଗୋଟିଏ ଝିଅ । ତାର ବି ତ ଦେହର ଭୋକ ରହିବା ସ୍ଵାଭାବିକ । ସେଇ ଭୋକ ବୋଧହୁଏ ତାର ମୁଣ୍ଡ ଖରାପ କରିଦେଇଛି । ଥରେ ଏହି ଭୋକ ଗ୍ରାସ କଲେ ମଣିଷର ବୁଦ୍ଧି ଓ ବିବେକ ଲୋପ ପାଇଯାଏ । ଏ ସବୁ କଥା ଭାବି ଭାବି ମୋର ମୁଣ୍ଡ ଭିତରେ ଅନନ୍ୟ ଚାପ ସୃଷ୍ଟି ହୋଇଗଲା । ଧୀରେ ଆଖି ବୁଜି ଭଗବାନଙ୍କୁ ଧ୍ୟାନ କଲି । ହେ ପ୍ରଭୁ, ମୋତେ ଏମିତି ବାଟ ଦେଖାଅ, ଯେମିତି ବାଡ଼ି ଭାଙ୍ଗିବନି କି ସାପ ମରିବନି । କିଛି କାହାକୁ କହିଲିନି । ଚୁପ ହୋଇ ରହିଗଲି ।



           ଏ ପୁରୁଷମାନଙ୍କୁ ମୁଁ ଭଲ କରି ଜାଣିଛି । ସୁନ୍ଦରୀ ନାରୀ ଓ ବିରାଟ ଘର ଦେଖିଲା ମାତ୍ରେ ତା ପ୍ରେମରେ ପଡ଼ିଯାଆନ୍ତି । ସେଥିଯୋଗୁ ସ୍ଵାମୀମାନଙ୍କ ସହିତ ନିଜର ସୁନ୍ଦରୀ ସାଥିମାନେ ଯେମିତି ଅଧିକ ନ ମିଶିବେ, ସେଥିପ୍ରତି ମହିଳାମାନଙ୍କୁ ଧ୍ୟାନ ଦେବାକୁ ଉପଦେଶ ଦିଆଯାଏ । ମୋତେ ତ୍ୟାଗ କରି ସେଇ ଝିଅ ପାଖରେ ସେଇ ବିରାଟ କୋଠିରେ ରହିବା ମୋହ ବୋଧହୁଏ ତାଙ୍କୁ ଘାରିଛି । କିଛି ପାଟି ତୁଣ୍ଡ ନକରି ବହୁତ ଭାବିଚିନ୍ତି ମୋର ଭବିଷ୍ୟତ କର୍ମପନ୍ଥା ବାଛିନେଲି । ମୁଁ ଗୋଟିଏ ପ୍ଳାନ କରି ସେଇ ଅନୁସାରେ କାମ କରିବାକୁ ସ୍ଥିରକଲି ।   


    

           ସେହି ଘଟଣାର ଦୁଇ ଦିନ ପରେ ଛୁଟି ଦିନ ଥିଲା । ମୋ ସ୍ଵାମୀ ଘରେ ଥିଲେ । ନିଜ ଫୋନକୁ କେମିତି ରିଙ୍ଗ କରିବାକୁ ହେବ, ଗୁଗୁଲରୁ ଶିଖିଥିଲି ଓ ରିଙ୍ଗ କରେଇଲି । ଏମିତ କଲେ ଜଣେ ଭାବିବ, ଅନ୍ୟ କେଉଁ ଜାଗାରୁ ଫୋନ ଆସିଛି । ମୁଁ ଫୋନ ଉଠେଇ ସ୍ଵାମୀ ଶୁଣି ପାରିବା ଭଳି ସାମାନ୍ୟ ବଡ଼ ପାଟିରେ କହିଲି, “ହେଲୋ, ମାନି, ଆରେ ମୁଁ କେମିତି ଆଜି ମନେ ପଡ଼ିଲି ?-- ହଁ, ମୁଁ ଏଇ ଭୁବନେଶ୍ଵରରେ ଅଛି ।”

“ତୋ ଭାଇ ବାହା ହେବାକୁ ଜିଦ ଧରିଛନ୍ତି ? ସସ୍ମିତା ବୋଲି ଗୋଟିଏ ଝିଅକୁ ବାହା ହେବାକୁ ଜିଦ ଧରିଛନ୍ତି ? କୋଉ ସସ୍ମିତା ! ଏଇ ଭୁବନେଶ୍ଵରରେ ଅଛି ? ଏଇ ସହର ବାହାରେ ଯେଉଁ ଘରେ ଜଣେ ସସ୍ମିତା ଅଛି ସେଇ ନା ଆଉ କିଏ ?” ତାକୁ କେଉଁଠି ଭେଟିଲେ ? ସେ କିଏ, ତା ଘର, ବାପା ମାଆ ବିଷୟରେ କିଛି ବି ଜାଣିନୁ ? କାହାକୁ ନଯାଇ ନଚିହ୍ନି ଯାଇ କେମିତି ସେଠି ପ୍ରସ୍ତାବ ଦେବୁ, ବୁଝିପାରୁନି ।”

“ତାକୁ କେଉଁଠି ଭେଟିଲେ ଓ କେମିତି ଚିହ୍ନିଲେ ?”

ଆଚ୍ଛା, ଏମିତି ତା ବିଷୟରେ ତାଙ୍କ ସାଙ୍ଗଠାରୁ ଶୁଣି ମାତିଛନ୍ତି ।

“ସେ ତାକୁ ଭଲ କରି ଜାଣିଛନ୍ତି କି ? ସେ ଝିଅଟି ଭଲ । କିନ୍ତୁ ଗୋଟିଏ ଅସୁବିଧା ଅଛି । ଆହା ! ତୁ ମୋର ଘନିଷ୍ଠ ସାଙ୍ଗ । ତୋତେ ଗୋଟିଏ ଗୁପ୍ତ କଥା ନକହି ରହିପାରୁନି । ଧୀରେ କହୁଛି, କେହି ଯେମିତି ଶୁଣି ପାରିବେନି । କାହାକୁ କହିବୁନି । ସେ ବି ମୋର ଅନ୍ତରଙ୍ଗ ସାଙ୍ଗ । କିନ୍ତୁ ମୁଁ ଚାହେଁ ଭଲରୂପେ ଜାଣିଶୁଣି ବାହା ହେଉ । ତୋ ଭାଇ କିଏ ଓ ମୋ ଭାଇ କିଏ । ପରେ କିଛି ଅସୁବିଧା ହେଲେ ତୁ ମନ ଦୁଃଖ କରିବୁ ଯାହା ମୁଁ ସହିପାରିବିନି ।” ଟିକିଏ ଆଖି କୋଣରେ ଦେଖିଲି ମୋ ସ୍ଵାମୀ କବାଟ ପାଖକୁ ଆସି ଲୁଚିଗଲେ ।


           “ସମସ୍ତେ ତାର ଶାଢ଼ୀ, ଗହଣା ଓ ଘରଦ୍ଵାର ଦେଖି ଲୋଭରେ ବାହା ହେବାକୁ ଇଚ୍ଛା କରନ୍ତି । ଏଇଟା ସ୍ଵାଭାବିକ ମଧ୍ୟ । କେହି ଜାଣନ୍ତିନି ଯେ ସେ ଘର ତା’ର ବାପଘର ନୁହେଁ ଓ ତାର ପୈତୃକ ସମ୍ପତ୍ତି ନୁହେଁ । ପ୍ରକୃତରେ ସେ ଗୋଟିଏ ଗରିବ ଘରର ଝିଅ । ସେ ଘରର ରକ୍ଷଣାବେକ୍ଷଣ ପାଇଁ ଅଛି । ତାର ମାଲିକ ଆଉଜଣେ ଅଛନ୍ତି ଯିଏ ବିଦେଶରେ ଅଛନ୍ତି । ଯେଉଁ ଦିନ ସେ ବାହା ହୋଇଯିବ, ସେଇ ଦିନ ସେ ଘରୁ ବାହାରି ଯିବ ବା ସେ କୋଠି ପଛ ପାଖରେ ଚାକର ବାକର ପାଇଁ ଉଦ୍ଦିଷ୍ଟ ଘରେ ଯାଇ ରହିବ । ତାର ଥାଟବାଟ ସବୁ ଚାଲିଯିବ । ସେଇ କଣ୍ଟ୍ରାକ୍ଟରେ ସେ ସେଠାରେ ଅଛି । ବିଚାରୀ ଦୁଃଖିନୀଟି । ମୋତେ ତାକୁ ବହୁତ ଭଲ ଲାଗେ । ସେ ବାହା ହୋଇଗଲେ ମୁଁ ସବୁଠାରୁ ବେଶୀ ଖୁସି ହେବି । କିନ୍ତୁ କଅଣ କରିବି ! ସେ ନିଜେ ସେଇ ଜୀବନ ବାଛି ନେଇ ରହିଛି । ଥରେ ପ୍ରଚୁର ଧନ ସମ୍ପତ୍ତିରେ ଅଭ୍ୟସ୍ତ ହୋଇଗଲେ ସେଠାରୁ ଦୂରେଇ ଯିବା କଷ୍ଟକର ହୁଏ । ତୋତେ ଏ କଥା ନକହି ରହିପାରିଲିନି । ମୋ କଥା ଅବିଶ୍ଵାସ ଲାଗିଲେ ତାଙ୍କ ଘରର କର୍ମଚାରୀମାନଙ୍କ ପାଖରୁ ବୁଝିନେବୁ । ଆଉ ତୋର ଖବର କଅଣ ?”


           ସେହି ଘଟଣାର ପରଠାରୁ ମୋ ସ୍ଵାମୀଙ୍କର ମୁହଁ ହାଣ୍ଡି ଭଳି ହୋଇଗଲା । ଭଲରେ ମୋ ସାଥିରେ କଥାବାର୍ତ୍ତା କଲେନି । ହାଣ୍ଡି ଭଳି ମୁହଁ କାହିଁକି କରିଛ ବୋଲି ମୁଁ ଆଦୌ ପ୍ରଶ୍ନ କଲିନି । ମାସେ ବିତିଗଲା । ଧୀରେ ଧୀରେ ସବୁ ସାଧାରଣ ହୋଇଗଲା । ଫେର ହସ ଖୁସିର ସଂସାର ଚାଲିଲା । ନା ମୋ ସ୍ଵାମୀ କିଛି କହିଲେ, ନା ସସ୍ମିତା ପାଖରୁ କିଛି ଖବର ଆସିଲା । ଭାବୁଛି, ବୋଧହୁଏ ମୋର ପ୍ଳାନ କାମ କଲା ! ସସ୍ମିତା ଗରିବ ଜାଣି ମୋ ସ୍ଵାମୀ ବୋଧହୁଏ ଚୁପଚାପ ରହିଗଲେ । ତାଙ୍କ ଭିତରେ କଅଣ କଥାବାର୍ତ୍ତା ହୋଇଥିବ, ବା ଇଏ ଚୁପଚାପ କିଛି ନକହି ରହିଗଲେ, ସେ କଥା ମୁ ଜାଣିନି । ଏଇ ବିଷୟରେ ମୋ ସ୍ଵାମୀ ବା ସସ୍ମିତା, କେହି କିଛି କହିଲେନି । କିଛି କଜିଆ ନକରି ମୁଁ ଚୁପ ରହିଗଲି । 


           କିଛି ନ ଜାଣିଲା ଭଳି ଭାବଭଙ୍ଗି କରି ମୁଁ ପୂର୍ବ ଭଳି ରହିଲି । ସ୍ଵାମୀଙ୍କୁ ସସ୍ମିତା କହିଥିବା କଥା କିଛି କହିଲିନି । ଝଗଡ଼ା କଲିନି । ଯେଉଁ ଦିନ ସ୍ଵାମୀଙ୍କ ସାର୍ଟରେ ସସ୍ମିତାର ସେଣ୍ଟ ବାସନା ଶୁଙ୍ଘିଥିଲି, ସେ ଦିନ ମୋର ଆତ୍ମା ଥରିଯାଇଥିଲା ମୁଣ୍ଡ ବୁଲେଇ ହୋଇଯାଇଥିଲା । ଭାବିଲି ପଚାରିବି କି ! ଫେର ଭାବିଲି, ସିଏ କଅଣ ମାନିବେ । ଅଯଥାରେ କଳିଗୋଳ ହେବ । ପ୍ରେମ ଜବରଦସ୍ତ ଆଦାୟ କରିହୁଏନି । କେବଳ ସ୍ତ୍ରୀ ହେଲେ ପ୍ରେମ ମିଳେନି ବା ଆଶା କରିବା ଉଚିତ ନୁହେଁ । ଭାବିଲି ଦେଖେ, କେଉଁ ପାଣି କୁଆଡ଼େ ଯାଉଛି । 



           ସ୍ଵାମୀ ସ୍ତ୍ରୀ ସମ୍ପର୍କ ଏକ ଅଦ୍ଭୁତ ସମ୍ପର୍କ, ରଖି ଜାଣିଲେ ଜୀବନବ୍ୟାପୀ ରହିବ । ଏହି ସମ୍ପର୍କରେ ଅନେକ କିଛି ଭୁଲିବାକୁ ହୁଏ, କିଛି ସ୍ଵାର୍ଥତ୍ୟାଗ କରିବାକୁ ହୁଏ । କିଛି ଅଭିନୟ ମଧ୍ୟ କରିବାକୁ ହୁଏ । ବହୁତ ହୁସିଆର ହୋଇ ଚଳିବାକୁ ହୁଏ । ଏହି ସମ୍ପର୍କ ମଧ୍ୟ ମାଟି ହାଣ୍ଡି ଭଳି, ସାମାନ୍ୟ ଆଘାତ ପାଇଲେ ଭାଙ୍ଗିଯିବ ଓ ଥରେ ଭାଙ୍ଗିଗଲେ ଗଲା । ତା’ପରେ ପ୍ରକୃତ ପ୍ରେମର ମୃତ୍ୟୁ ହୁଏ ଓ କେବଳ ଅଭିନୟ ଚାଲେ । ମାଡ଼ିଜାକି ହୋଇ ରହିବାକୁ ହୁଏ । ବାହାର ଲୋକ ଦେଖିଲେ କିଛି ଜାଣିପାରନ୍ତିନି । ଭାବନ୍ତି ‘କି ସୁନ୍ଦର ଯୋଡ଼ି ! ହାଏ, ଆମର ହେଲେ ଏମିତି ହୋଇଥାଆନ୍ତା ।’ ଯେତେ ଯୋଡ଼ି ହୋଇଥିଲେ ବି କୌଣସି ନା କୌଣସି ସମୟରେ ସେଇ ଯୋଡ଼େଇଟି ଦାନ୍ତ ନିକୁଟି ମନେ ପକେଇ ଦେବ । ନିର୍ମଳ ପ୍ରେମ ବୋଧହୁଏ କ୍ଵଚିତ ସମ୍ଭବ ହେଉଥିବ । କଅଣ କରିବା ! ଦୁନିଆଟା ଏମିତି । ମୋ ଭାଗ୍ୟରେ ଏହା ଲେଖାଥିଲା । ଗୋଟିଏ ଦୁଃସ୍ଵପ୍ନ ଭାବି ଏଇ ଘଟଣାକୁ ଭୁଲିବାକୁ ଚେଷ୍ଟା କଲି ଓ ଜୀବନ ରାସ୍ତାରେ ଆଗେଇ ଚାଲିଲି । ହେଲେ ବି ଯେତେବେଳେ ସେ କଥା ମନେପଡ଼େ, ଛାତି ଭିତରେ ଯେମିତି କିଛି ଗୋଟାଏ କଡ଼ ଲେଉଟେଇଲା ଭଳି ଲାଗେ ।  


Rate this content
Log in