ଦଶ ଟଙ୍କା ପାଞ୍ଚ ଟଙ୍କା
ଦଶ ଟଙ୍କା ପାଞ୍ଚ ଟଙ୍କା
ବଜାରରୁ ଜେଜେ ମୁନା ପାଇଁ ଗୋଟେ କୁମ୍ପି ଆଣିଦେଇଛନ୍ତି । ମୁନାକୁ ଟଙ୍କା ସଞ୍ଚୟର ଅର୍ଥ ବୁଝେଇବା ପାଇଁ । ପ୍ରତିଦିନ ସ୍କୁଲ୍କୁ ଗଲାବେଳେ ମୁନାକୁ ଜେଜେ ଦଶ ଟଙ୍କା ଦିଅନ୍ତି । ସେଥିରୁ ପାଞ୍ଚ ଟଙ୍କା କୁମ୍ପିରେ ପକେଇବା ପାଇଁ ଆଉ ପାଞ୍ଚ ଟଙ୍କା ସ୍କୁଲରେ ଖାଇବା ପାଇଁ ।
ସବୁଦିନ ପରି ସେଦିନ ମଧ୍ୟ ଜେଜେ ଦଶ ଟଙ୍କା ଦେଲେ ମୁନାକୁ । ମୁନା ଟଙ୍କା ନେଇ ସ୍କୁଲ୍ ବାହାରିଗଲା ପରେ ଜେଜେ ସେ କୁମ୍ପିରେ କେତେ ଟଙ୍କା ସଞ୍ଚିତ ହେଲାଣି ଦେଖିବାକୁ ମୁନାର ଶୋଇବା ରୁମକୁ ଗଲେ । ହେଲେ ବହୁତ ଖୋଜିଲା ପରେ ମଧ୍ୟ ସେ କୁମ୍ପିଟିକୁ ପାଇଲେ ନାହିଁ । ମନେ ମନେ ନାତିର ଫେରିବା ବାଟକୁ ଅପେକ୍ଷା କରି ବସିଲେ । ସ୍କୁଲ ଛୁଟି ସମୟ ହେଇ ଗଲାଣି ଜେଜେ ତାଙ୍କର ଦୁଆର ମୁହଁ ପିଣ୍ଡାରେ ଏପଟ ସେପଟ ହେଉଥାନ୍ତି । ଜେଜେ ମା' ସିଆଡ଼େ କହୁଛି ସେ ପିଣ୍ଡାଟାରେ ଏପଟ ସେପଟ କାହିଁକି ହେଉଛ । ଗୋଟେ ଜାଗାରେ ଧୀର୍ରେ ବସୁନ । ବୁଢା ଲୋକ କୋଉଠି ପଡି ପାଡ଼ି ଯିବ । ଫୁଣି ତୁମକୁ ସମ୍ଭାଳିବ କିଏ ?
ଜେଜେ ତାଙ୍କର ସବୁ ଶୁଣି ନ ଶୁଣିବାର ବାହାନା କଲେ । ଜେଜେ ମା' ତା'ର ରାଗି କରି କଣ ଗୁଡାଏ ଗୁଣୁ ଗୁଣୁ ହୋଇ ଚାଲିଗଲା ।
ସମାନ ସମୟରେ ମୁନା ଆସି ଘରେ ପହଞ୍ଚିଲା । ମୁନା ଟିକେ ଫ୍ରେସ୍ ହୋଇ ଆସିଲା ପରେ ଜେଜେ ଗଲେ ମୁନାକୁ ସେ କୁମ୍ପି ବିଷୟରେ ପଚାରିବା ପାଇଁ । ସଠିକ୍ ସମୟରେ ମୁନାର ମା' ଆସି ଡାକିଲା, ଖାଇବା ବଢା ହେଲାଣି ଆ ଖାଇଦେ ଦିଟା । ଜେଜେ କହିଲେ, ଆମେ କଥା ହେଇସାରୁ ସେ ଖାଇବ । ଜେଜେ ମା' କହିଲେ ଛୁଆଟା ସକାଳୁ କିଛି ବି ଖାଇନି । ସ୍କୁଲ ବିଳମ୍ବ ହେଲାରୁ ନଖାଇକି ଚାଲିଗଲା । ସେ କଣ କୁଆଡ଼େ ଚାଲିଯାଉଛି ତୁମେ ଏତେ ବ୍ୟସ୍ଥା ହେଉଛ । ସେ ଖାଇ ସାରୁ ଜେଜେ ନାତି ବସି ଯେତେ ଇଚ୍ଛା କଥା ହେବ । ମୁନା ଉଠି ଖାଇବାକୁ ଚାଲିଗଲା । ଆଉ ଜେଜେ ହେଲେ ନିରାଶ ।
ମୁନା ଖାଇସାରି ଉଠିବା କ୍ଷଣି ଜେଜେ ଚାଲିଗଲେ ସେ କୁମ୍ପି ବିଷୟରେ ପଚାରିବା ପାଇଁ ତାକୁ । ହେଲେ ମୁନା ନିଦ ଲାଗିଲାଣି କହି ଶୋଇବାକୁ ଚାଲିଗଲା । ଜେଜେ ବୁଝି ଯାଇଥିଲେ କିଛି ତ' ଗଡ଼ବଡ଼ ଅଛି ଏଥିରେ । ନ ହେଲେ ଏ ଟୋକା ମୋତେ ଏମିତି ଉପେକ୍ଷା କାହିଁ କରୁଛି । ମୁନା ଶୋଇକି ଉଠିବା ପରେ ପୁନର୍ବାର ଜେଜେ ସମାନ ପ୍ରଶ୍ନ ପଚାରିଲେ ମୁନାକୁ । ଏଥର ଜେଜେ ଟିକେ ବେଶି ରାଗି ଯାଇଥିଲେ । ଏହା ଦେଖି ମୁନା ପୁରା ଡରିଗଲା । ମୁନା ଡରିବାର ଦେଖି ଜେଜେ କହିଲେ, ଡରିବାର କିଛି ଆବଶ୍ୟକତା ନାହିଁ ଜଦି କିଛି ଭୁଲ୍ କାମ କରିଛୁ ବି ମୋତେ କହିଦେ । ଏକଥା କେବଳ ତୋ ମୋ ଭିତରେ ହିଁ ରହିବ । ଆଉ କେହି ବି ଜାଣିବେ ନାହିଁ । ଆଉ ଜଦି ନ କହିବୁ ଦିନେ ନା ଦିନେ ସମସ୍ତେ ଜାଣିବେ । ଏଥର ମୁନାର ସାହାସ ହେଲା କହିବାକୁ । ମୁନା କହିଲା, ତୁମେ ମୋତେ ଯେଉଁ ପ୍ରତିଦିନ ଦଶ ଲେଖାଏଁ ଦିଅ ସେ ମଧ୍ୟରୁ ମୁଁ ପାଞ୍ଚ ଟଙ୍କାରେ ଖାଇଦିଏ ।
ଜେଜେ କହିଲେ, ହଁ ମୁଁ ତ' ପାଞ୍ଚ ଟଙ୍କା ଖାଇବାକୁ ଦିଏ । ହେଲେ ବାକି ପାଞ୍ଚ ଟଙ୍କା ?
ମୁନା : - ଓଃ ହୋ ଜେଜେ ଟିକେ ଧୈର୍ଯ୍ୟଧର ସବୁ କଥା କହୁଛି । ଆଉ ପାଞ୍ଚ ଟଙ୍କା ଆମ ସ୍କୁଲ୍ ପାଖେ ବସୁଥିବା ଭିକାରୀ ଅନ୍ଧୁଣି ବୁଢିକୁ ଦେଇଦିଏ । ସେ ବହୁତ ଖୁସି ହୋଇଯାଏ ଏବଂ ମୋତେ ଆଶ୍ରିବାଦ ମଧ୍ୟ କରେ । ମୋର ତ' ତମେ ମାନେ ସବୁ ଅଛ । ସେ ଅନ୍ଧୁଣି ବୁଢିର କିଏ ଅଛନ୍ତି କହିଲ । ତା'କୁ କେହି ଯଦି ସାହାଯ୍ୟ ନକରେ ସେ ଖାଇବ କେମିତି । ଆଉ ଏ ଟଙ୍କା ସଂଚୟର ଅର୍ଥ କେଉଁ ଉଦ୍ଦେଶ୍ୟରେ । ମୁଁ ବଡ଼ ହେଲେ ନିଜେ ଟଙ୍କା ରୋଜଗାର କରି ସଂଚୟ କରି ଦେବିନି ।
ଜେଜେ ( ଖୁସି ହୋଇ ):- ଇଏତ ଭଲ କାମ ହେଲେ ମୋତେ ଆଗରୁ କହିନୁ କାହିଁକି ?
ମୁନା : - କାଳେ ତୁମେ ଗାଳି ଦେବ ସେଥିପାଇଁ କହିନି ।
ଜେଜେ:- ଆରେ ପାଗଳ, ଟଙ୍କାକୁ ଉଚିତ୍ ଉଦ୍ଦେଶ୍ୟରେ ବିନିଯୋଗ କରିବା କେବେବି ଖରାପ ନୁହେଁ । ତୁ ତ' ପ୍ରସଂଶାର ଯୋଗ୍ୟ ।
"ହସୁଥାଏ ମୁନା, ହସୁଥାନ୍ତି ଜେଜେ ।"
ଜେଜେ ମନେ ମନେ ଭାବୁଥାନ୍ତି, ଆମ ମୁନାଟା କେତେ ବଡ଼ ହେଇଗଲାଣି ସତେ। ତାର କେତେ ବୁଦ୍ଧି ଆଉ କେତେ ବଡ଼ ହୃଦୟ । ଭଗବାନ ସର୍ବଦା ତାକୁ ଘଣ୍ଟ ଘୋଡ଼େଇ ରଖନ୍ତୁ । ଜୟ ଜୟନ୍ନାଥ ॥