Soumya Shubhadarshinee

Others

3  

Soumya Shubhadarshinee

Others

ଦରଖାସ୍ତ

ଦରଖାସ୍ତ

8 mins
265



  ଅତ୍ୟାବଶ୍ୟକ ପଡିଲେ ଦରଖାସ୍ତ ଲେଖାହୁଏ, କିନ୍ତୁ ଦରଖାସ୍ତ ଲେଖୁଥିବା ମଣିଷ ରୁହେ ଶଙ୍କା ଭିତରେ ସବୁବେଳେ : ଛୁଟି ମଞ୍ଜୁର ହେବ ତ , ନା ନାହିଁ ଏଇ ଦ୍ଵିବିଧାରେ !

******

 ଅରୁଣୀମା ଭଲ ସ୍ତ୍ରୀ : ଏତକ ମୁଁ ସର୍ବସାମୁଖ୍ୟରେ ମାନେ ! ସେ ମୋର ସମସ୍ତ ଦାୟିତ୍ୱ ନେଉଛି , ଘର ସମ୍ଭାଳୁଛି , ପିଲାଙ୍କୁ ସର୍ବାଙ୍ଗ ସୁନ୍ଦର କରି ଗଢୁଛି , ବୁଢା ବାପା ଓ ବୋଉଙ୍କ ଯତ୍ନ ନେଉଛି । ମୋର ମଧ୍ୟମିତ୍ତ ପରିବାରର ଆଶା ଆକାଂକ୍ଷା ସୀମିତ ସମ୍ବଳ ଭିତରେ ପୂର୍ଣ୍ଣ କରିବାର ଯତପୋନାସ୍ତି ପ୍ରଚେଷ୍ଟା କରୁଛି । ମୁଁ ଘର ପାଇଁ ସାଜ ସରଞ୍ଜାମ ଯୋଗାଡିବାରେ ଏତେ ବ୍ୟସ୍ତ ରହୁଛି ଯେ ଘର କଥା ବିଲକୁଲ ବୁଝି ପାରୁନି । ପୁଣି ମୋର ଚାକିରୀ ସ୍ଥାନ ମୋ ଘରଠାରୁ ଜମା ୨୦୦ କିଲୋମିଟର । ଏଥିରୁ ଅନୁମାନ କରାଯାଇପାରେ ମୁଁ ଘର ପାଇଁ କେତେ ସମୟ ଦେଉଥିବି । ହେଲେ ଏ ସମସ୍ତ ପ୍ରତିକୂଳ ପରିବେଶରେ ମଧ୍ୟ ମୋ ସ୍ତ୍ରୀ ଜଣେ ଅତ୍ୟନ୍ତ ବାଧ୍ୟ ସହଯାତ୍ରୀଣୀ ଭାବେ ନିର୍ବିକାରରେ , କୌଣସି ଅଭିଯୋଗ ନକରି ମୋ ସହ ଚାଲୁଛି । ତେଣୁ ମୁଁ ତାକୁ ମାନେ , ହୃଦୟର ନିଭୃତ କୋଣରୁ ।

 

 ସେ ଅଧିକ କିଛି ମାଗେ ନାହିଁ ଯେମିତି ଦାମୀ ଶାଢ଼ୀ , ଚୁଡି , ସୁନା , ରୁପା , ଗାଡି ଘୋଡା ଆଦି ଇତ୍ୟାଦି । ଆଜିକାଲିକା ଆଧୁନିକା ସ୍ତ୍ରୀଙ୍କ ଭଳି ପ୍ରସାଧାନ ସାମଗ୍ରୀ ମଧ୍ୟ ଲୋଡ଼େନି , ସେ ଏମିତି ହିଁ ଭାରି ସୁନ୍ଦରୀ। କିନ୍ତୁ ଗୋଟିଏ ଜିନିଷ ପ୍ରତି ତା'ର ବଡ଼ ଆସକ୍ତି , ସେଇଟି ହେଲା ମୋ ସହ ସମୟ ବିତେଇବା । ବାହାଘର ପରଠାରୁ ମୁଁ କେବେ ତାକୁ ମୋ ପାଖରେ ରଖିବାର ସୁଯୋଗ ପାଇନି। ସେ ସବୁବେଳେ ଗାଁ ଘରେ ଆଉ ମୁଁ ମୋ ଚାକିରୀ ଜାଗାରେ । ଛୁଟି ହେଲେ ଯାହା ଘରକୁ ଆସିବା କଥା । ଆହୁରି ମୁଁ ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରୀ କରୁଥିବାରୁ ମୋତେ ସେମିତି ଆଖିଦୃଶିଆ ଅଧିକ ଦିନ ଛୁଟି ମିଳେନି । କିନ୍ତୁ ଯେହେତୁ ଘର ମୋର ଦୂର , ସଂସାର ମୋ ଉପରେ ନିର୍ଭରଶୀଳ , ବାପା ମା' ବୟସ୍କ ଆଉ ଅଳ୍ପ ବହୁତେ ଅସୁସ୍ଥ ତେଣୁ ଦରଖାସ୍ତ ଦେଇ ଛୁଟି ମାଗିଲେ ପ୍ରାୟ ସେଇଟା ମୋ ହାକିମ ମଞ୍ଜୁର କରିଦିଅନ୍ତି । ନିୟମ ଅନୁସାରେ ଯେତିକି ଛୁଟି ମିଳିବା ଉଚିତ ତା ' ଠାରୁ ଅଧିକ ମଧ୍ୟ ଦିଅନ୍ତି । ସେଇତକ ସୁବିଧା ପାଇବା ପାଇଁ ମୁଁ ସବୁ ହାକିମଙ୍କ ବିଶ୍ଵସ୍ତ ହେବାର ପ୍ରଚେଷ୍ଟାରେ ରୁହେ , ଆଉ ସଫଳତା ମଧ୍ୟ ପାଏ । କାରଣ ମୁଁ ହେଲି ଶଚୀ , ଏଇଠି ସ୍ଥାୟୀ ଆଉ ହାକିମ ଗୁଡାକ ଇନ୍ଦ୍ର , ଯିବା ଆସିବା କରୁଥାନ୍ତି । ତେଣୁ ଶଚୀ ପଣରେ ସବୁ ଇନ୍ଦ୍ରଙ୍କର ମନ ମୋହିନେବାର କଳାଟି ମୁଁ ହସ୍ତଗତ କରିନିଏ ।

 ସେଥିପାଇଁ ମୁଁ ବିଧିବଦ୍ଧ ଭାବରେ ପ୍ରତ୍ୟକ ହାକିମଙ୍କ ଉପରେ ଛୋଟକାଟିଆ ଗବେଷଣା କରି ତାଙ୍କର ଆବଶ୍ୟକତା , ଦୋଷ ଦୁର୍ବଳତା , ପସନ୍ଦ ନା ପସନ୍ଦ ସଂକ୍ରାନ୍ତିୟ ଯାବତୀୟ ତଥ୍ୟ ଯୋଗାଡି ନିଏ । ବଣ ପାହାଡ଼ ଘେରା ଏଇ ଆମ ଅଫିସ ପରିବେଶରେ ତାଙ୍କ ଇଚ୍ଛା ଗୁଡିକୁ ପୂର୍ତ୍ତି କରିବାର ସୁବିଧା ଯୋଗାଡି ନିଏ । ଭଲ ଖାଇବା ପିଇବାର ବନ୍ଦୋବସ୍ତ ମଧ୍ୟ କରିଦିଏ । ମୋଟାମୋଟି ଭାବେ ମୁଁ ହାକିମଙ୍କ ଖାସ ଲୋକ ଭାବେ ପରିଚିତ ହୁଏ ।

********

-- '' ଶୁଣ , ବୋଉ ଗୋଟେ ଜମି ଦେଖିବାକୁ କହୁଛି । ମୋର କକେଇ ହିସାବ ହେବେ , ଅଭାବୀ ଲୋକ ଝିଅ ବାହାଘର ପାଇଁ ଜମି ବିକିବେ । ଆମେ ରଖିଲେ ଭଲ ହୁଅନ୍ତା । ଦାମ ମଧ୍ୟ ଆମ ବଜେଟ୍ ଭିତରେ ।''

 ସ୍ତ୍ରୀ ମୋର ଫୋନରେ ଏମିତି ଖବରଟିଏ ଦେଲାଣି ମୋତେ ସପ୍ତାହେ ତଳୁ । ମୁଁ କିନ୍ତୁ ଏସବୁ ଗଣ୍ଡଗୋଳ ଭିତରେ ପଡ଼ିବାକୁ ନାରାଜ । ଜମି , ସୁନା ,ଟଙ୍କା ଏଇ ତିନୋଟି ବସ୍ତୁ ମାଧ୍ୟମରେ ପୃଥିବୀକୁ କଳି ପ୍ରବେଶ କରିଥିବାର ପୁରାଣରେ ବର୍ଣ୍ଣିତ ହେଇଛି । ମୋ ଜେଜୀ ମୋତେ ଏଇକଥା ଗପ ଆକାରରେ କହିଥିଲା ପିଲା ବେଳେ । ମୁଁ ସେଇ କଥାକୁ କାନୀରେ ଗଣ୍ଠି କରି ରଖିଦେଇଥିଲି ( ମୋର କାନୀ ନାହିଁ ଯେ , କିନ୍ତୁ ଏମିତି କୁହାଯାଏ ) । ସ୍ତ୍ରୀ ମୋର ଏଇ କଥା ସହ ଏକମତ ବୋଲି ମୋର ଦୃଢ଼ ଧାରଣା କାରଣ ସେ ମଧ୍ୟ ଏସବୁ ପ୍ରତି ଆସକ୍ତ ନୁହେଁ । ଏଯାବତ ସେ କେବେ ଜମି ବାଡ଼ି କଥାରେ ମୁଣ୍ଡ ପୁରାଇ ନାହିଁ ।

     ଗାଁ ଘରେ ସେମାନେ ରହୁଛନ୍ତି ଏବଂ ସାରା ଜୀବନ ସେଇଠି ରହିବେ ବୋଲି ମୁଁ ସଫା ସଫା ଜଣେଇ ଦେଇଛି । କାରଣ ମୋର ଫରେଷ୍ଟ ଡିପାର୍ଟମେଣ୍ଟ ଚାକିରୀରେ ବଣ ଜଙ୍ଗଲ ଜାଗାରେ ମୋ ସ୍ତ୍ରୀ ପିଲାଏ ଚଳିବା କଷ୍ଟ ହେବ । ଆମ ଗାଁ ଭଳି ସୁବିଧା ସୁଯୋଗ ଆଉ କେଉଁଠି ମିଳିବାର ନୁହେଁ । ଭଲ ପରିବେଶ , ଶିକ୍ଷା ବ୍ୟବସ୍ଥା , ସ୍ୱାସ୍ଥ୍ୟ ବନ୍ଦୋବସ୍ତ ଆଉ ସତେଜ ଖାଦ୍ୟପେୟ ମିଳୁଥିବା ଆମ ଗାଁ ଭଳିଆ ଜାଗା ଆଉ କେଉଁଠି ନାହିଁ । ମୁଁ ଯଦିଓ ଏକୁଟିଆ ପୁଅ ନୁହେଁ ମୋର ସାନ ଭାଇଟିଏ ଅଛି କିନ୍ତୁ ସେ ଇଞ୍ଜିନିୟରିଂ ସାରି ଟି ସି.ଏସ୍ ରେ ଚାକିରୀ ପାଇ ଦିଲ୍ଲୀରେ ସେଟେଲ୍ । ତେଣୁ ବାପା ବୋଉଙ୍କ ଅନ୍ତେ ଜମି ବାଡ଼ିରେ ଭାଗ ନେବ ସିନା ଏଠି ଆସି ରହିବ ନାହିଁ । ସେଥିପାଇଁ ମୁଁ ଆଉ ଜମି ବାଡ଼ିରେ ଟଙ୍କା ଲଗେଇବାକୁ ଇଚ୍ଛା କରିନି କେବେ ।

ହେଲେ ଏଇ ଜମି କିଣିବା ପାଇଁ ସ୍ତ୍ରୀ ମୋର ଟିକେ ଆଗ୍ରହୀ । ତା' ବାପା ଘର ଗାଁ ଜମି ବୋଲି ବୋଧେ । ବା ' ସେଇ କକେଇ ଝିଅର ବାହାଘର ସୁରୁଖୁରୁରେ କରେଇବା ପାଇଁ ବୋଧେ ! ସ୍ତ୍ରୀ ଲୋକ ଗୁଡିକ ସବୁବେଳେ ନିଜ ବାପ ଘର ସହ ସମ୍ପର୍କିତ ଘଟଣା ପ୍ରତି ଅହେତୁକ ଭାବେ ଆକୃଷ୍ଟ ହୁଅନ୍ତି । ଏଇଟା ତାଙ୍କର ଗୋଟେ ବିଶେଷ ଗୁଣ !.....


    ହେଲେ ଜମି କିଣିବା ଭଳି ଅର୍ଥ ମୋ ପାଖରେ ନାହିଁ । ମୋର ଟାଣଟୁଣ ସଂସାର , 'ଯେତିକି ଚାଉଳ ସେତିକି ଚୁନା ।' ବଳକା ହେଲେ ସିନା ଏଣେତେଣେ ଲଗେଇବି । ମୋର ଏଇ ଅସମର୍ଥ୍ୟ ସ୍ତ୍ରୀ କିନ୍ତୁ ବୁଝିଲା ନାହିଁ । ତା'ର କାହିଁକି କେଜାଣି ବହୁତ ଇଚ୍ଛା ହେଇଯାଇଥିଲା । ଟଙ୍କା ସେ ନିଜେ ଯୋଗାଡି ନେଲା ନିଜ ବଡ଼ ଭଉଣୀକୁ କହି ଉଧାର ସୂତ୍ରରେ । ମୋତେ କେବଳ ଛୁଟି ନେଇ ଯିବା କଥା ଜମି କିଣିବା ପାଇଁ ।

ଅବଶ୍ୟ ଏମିତି ଇଚ୍ଛା ଟିଏ ନିତ୍ୟାନ୍ତ ସ୍ୱାଭାବିକ । ମୁଁ ଯାହା ଖାଲି ଟାଳ ଟୁଳ ନୀତିରେ !

 ହେଲେ ଏଇଠି ହେଲା ଅଡୁଆ ଯେଉଁଟା ବଡ଼ ହନ୍ତସନ୍ତ କଲା । କଥା ଯାଇଁ ମୋତେ ଧର୍ମ ସଂକଟରେ ପକେଇବା ପର୍ଯ୍ୟନ୍ତ ଗଲା । ମୋ ଭଳିଆ ସହଜ ମଣିଷ ଏକଦମ ଅସହଜ ବୋଧ କଲା ।

*******

 ସଭିଙ୍କୁ ଜଣା ଏଇ ନିର୍ବାଚନ କଥା ଆଉ ସେଥିପାଇଁ ଲାଗିଥିବା ଡିଉଟି କଥା । ଆମ ଅଫିସର ସଭିଙ୍କର ଇଲେକ୍ସନ୍ ଡିଉଟି ଲାଗିଥିଲା କେବଳ ମୋତେ ଛାଡ଼ି । କାରଣ ମୋ ହାକିମ ନିଜେ ମୋ ନାଁ ପଠେଇ ନଥିଲେ । ମୁଁ ତାଙ୍କର ଅତି ନିଜର ଲୋକ ହେଇଥିବାରୁ ଏଇ ଦୟା । ଆଉ ମଧ୍ୟ ଆମ ଅଫିସରେ ଜଣେ କେହି ରହିବା ବଡ଼ ଜରୁରୀ , ଯେମିତି ଗଛ କଟା , ଶିକାର , ମାଓବାଦୀ ସମସ୍ୟା ଆଦି ଘଟୁଛି ଜଣେ ସବୁବେଳେ ତଇନାଦ ରହିବା କଥା। ସେଇ କାମ ଛଳରେ ମୁଁ ରଖା ହେଇଥିଲି । ତେଣୁ ଏଇନା ମୋତେ ଛୁଟି ମିଳିବାର କୌଣସି ସମ୍ଭାବନା ନଥିଲା । ମୋ ସ୍ତ୍ରୀର କିନ୍ତୁ ଏଇ ସମୟରେ ଜମି କିଣା ଜରୁରୀ ଥିଲା , ଝିଅ ବାହାଘର ପାଖେଇ ଆସିଥିଲା । ମୁଁ ଏଇ ପରିସ୍ଥିତିରେ ମୋର ଯିବା ସମ୍ଭବ ନୁହେଁ ବୋଲି ଜଣେଇଲି ଆଉ କହିଲି ସେ ଜମି ନିଜ ନାଁ ରେ କିଣି ନେଉ । ମୋର ଯିବା ଜମା ଦରକାର ନାହିଁ ।


  କିନ୍ତୁ ମୁଁ ଆଗରୁ କହିଛି ସ୍ତ୍ରୀ ମୋର ଭାରି ଭଲ , ନିଜ ନାଁରେ ଜମି କିଣିବା କଥା ଜମା ଗ୍ରହଣ କରିପାରିଲା ନାହିଁ । ଜମି ମୋ ନାଁରେ ହିଁ କିଣିବା ଉଚିତ । ଏମିତି କରିବା ସଭିଙ୍କୁ ସଠିକ ଲାଗିବ ( ସଭିଏଁ କହିଲେ ବିଶେଷ କରି ' ମୋ ବାପା ଆଉ ବୋଉ ' ) , କାରଣ ସେମାନେ ହୁଏତ ଏଇ ପ୍ରସଙ୍ଗରେ ଟିକେ ମନଖରାପ କରିପାରନ୍ତି । କିନ୍ତୁ ପୁଅ ନାଁ ରେ କିଣିଲେ କଥାଟା ଭିନ୍ନ ହେବ । ହେଲେ ବୋହୂ ନାଁରେ କିଣିଲେ କଥା ଅଲଗା ହେବ ।

ବୋହୂର ମନୋଭାବ ସଂକ୍ରାନ୍ତୀୟ ଅଯଥା ଅକଥା ଗୁଡିଏ ଆଲୋଚିତ ହେବ । ଯେଉଁଟା ସେ ଆଦୌ ଚାହୁଁନଥିଲା ।


  ଅରୁଣୀମା ନିଶ୍ଚିତ ବୁଦ୍ଧିମତୀ ଆଉ ସୁଗୁଣା , କାରଣ ତା'ର ଏଇ ଯୁକ୍ତି ଏକଦମ ଠିକ । କିନ୍ତୁ ମୋର ସ୍ଥିତି ଯେ ବଡ଼ ଖରାପ , ସେ ବୁଝି ପାରୁନି । ଏଇ ଘଡିସନ୍ଧି ମୁହୂର୍ତ୍ତରେ ମୋର ଛୁଟି ଦରଖାସ୍ତ ଯେ ଆଦୌ ମଞ୍ଜୁର ହେବ ନାହିଁ ମୁଁ ଠିକ ଜାଣୁଥିଲି । ହେଲେ ସ୍ତ୍ରୀ ମୋର ଅବୁଝା ହେଉଥିଲା ।


 ମୁଁ ବହୁତ ଭାବିଲି ହେଲେ ଏକୁଟିଆ ମୁଁ ହିଁ ଥିଲି ଅଫିସରେ ତେଣୁ କଉ ମୁହଁରେ ଛୁଟି ମାଗିବି ବୁଝି ପାରୁନଥିଲି । ମୋର ଏଇ ଦ୍ଵିବିଧା ବଡ଼ ହଇରାଣ କଲା । ମୁଁ ଭୀଷଣ ମାନସିକ ଦୁଶ୍ଚିନ୍ତା ଭୋଗିଲି । ସ୍ତ୍ରୀ ଟିର କୌଣସି ଇଚ୍ଛା ପୂର୍ଣ୍ଣ କରିବାକୁ ନିଜକୁ ଅସମର୍ଥ୍ୟ ଭାବି ଦୁଃଖ ପାଇଲି । ନିଜକୁ ଗୋଟେ ଅଯୋଗ୍ୟ ସ୍ୱାମୀ ବୋଲି ଅନୁଶୋଚନା କଲି । ବିଚାରୀ କିଛି ମାଗୁ ନଥିଲା , କେବଳ ମୋର ଉପସ୍ଥିତି ବ୍ୟତୀତ। ଟଙ୍କା , ଜମି ସବୁ ସେ ଯୋଗାଡି ଥିଲା କିନ୍ତୁ ମୁଁ ଅଭାଗା ଛୁଟି ଦୁଇଦିନ ଯୋଗାଡିବାକୁ ଅସମର୍ଥ୍ୟ ଥିଲି ।


   ଆଗରୁ ସବୁବେଳେ ଛୁଟି ପାଇଯାଉଥିବା ମୁଁ ଏଥର କାହିଁକି ଛୁଟି ନେଇ ପାରୁନି ମୋ ସ୍ତ୍ରୀ ବୁଝିପାରୁ ନଥିଲା । ତାକୁ ଲାଗୁଥିଲା ମୁଁ ଜାଣିଶୁଣି ଏମିତି ହେଉଛି । ଅସଲ କଥା ହେଲା ମୋର ଜମି କିଣିବାକୁ ଇଚ୍ଛା ନାହିଁ କି ତା' କକା ଝିଅ ଭଉଣୀକୁ ବହାଘରରେ ସାହାଯ୍ୟ କରିବାର ମନୋବୃତ୍ତି ନାହିଁ । ଯଦିଓ ଏଭଳି ଦୋଷାରୋପ ଅମୂଳକ ଥିଲା କିନ୍ତୁ ତଥାପି ମୁଁ ସେଭଳି ଦୋଷ ମୁଣ୍ଡେଇଲି । ସ୍ତ୍ରୀ ରାଗିଲା , କାନ୍ଦିଲା , ଅନୁନୟ ବିନୟ ହେଲା । ଆଉ ଶେଷକୁ କଥା ଭାଷା ହେବା ବନ୍ଦ କରିଦେଲା । ଆହାଃ ! ଏଡ଼େ ସୁନାନାଖି ସ୍ତ୍ରୀଟା ମୋର ଜୀବନରେ ପ୍ରଥମ ଥର ପାଇଁ ଜମି ଖଣ୍ଡେ ପାଇଁ ମୋ ସହ ଅପଡ଼ ହେଲା । ସତରେ ଜମି , ସୁନା , ଟଙ୍କା ଭିତରେ କଳିଙ୍କର ନିବାସ , କଥାଟା ଷୋହଳ ଅଣା ସତ !!.


 ଏଭଳି ସ୍ଥିତିରେ କୌଣସି କାମରେ ମୋର ମନ ଲାଗିଲା ନାହିଁ । ଗୋଳମାଳ ହେଲା ସବୁ । ମୋ ବନ୍ଧୁ ପରିଡା (ସେଇ ଜଣେ ବୋଲି ଲୋକ ଯେ ମୋତେ ବୁଝେ ଠିକ ଭାବରେ ) ମୋର ଏଇ ହାବଭାଵ ଦେଖି ଠଉରେଇ ନେଲା ଯେ କିଛି ଘଟିଛି । ଆଉ ଯାହା ଘଟିଛି ସେତକ ବଡ଼ ବିଷମ । ମୋର ଅବସ୍ଥା ଘାଇଲା କରିଦେଇଛି । ପରିଡାଟା କିନ୍ତୁ ବଡ଼ ମନସ୍ତତ୍ୱବିତ , ଘଟଣାର ବହୁତ ବଢିଆ ବାଗରେ ଅନୁସନ୍ଧାନ କରିବାରେ ମାହୀର । ସେ ମୋ ସହ ଏମିତି ବାଗରେ କଥା ହେଇକି ସବୁ ରହସ୍ୟ ଖୋଲିପକା ଯେ ମୁଁ ଆଶ୍ଚର୍ଯ୍ୟ ହୁଏ । ତେଣୁ ତାକୁ ମୁଁ ଗୁରୁ ମାନିଛି । ଯେବେ କିଛି ବଡ଼ ସମସ୍ୟା ହୁଏ ସମାଧାନର ସହଜ ଗଳି ବାଟ ତାଠୁ ମିଳିଯାଏ । ଏଥର ମଧ୍ୟ କିଛି ସେମିତି ଘଟିବାର ଅଶାଟି ମୋ ମନରେ ଥାଏ ।


    ସେଦିନ ରାତିରେ ଆମେ ଦୁହେଁ ଟିକେ ଫୁର୍ତ୍ତି ମାରିବାପାଇଁ ହାଟ ଆଡେ ଗଲୁ । ମୁଁ ଯଦିଓ ସବୁବେଳେ ଯିବା ଲୋକ ନୁହେଁ କିନ୍ତୁ ବେଳ ଆବେଳରେ ମାଡିଯାଏ । ଆଉ ଦି ଢ଼ୋକ ପଡ଼ିଗଲା ପରେ ସଙ୍ଗେ ସଙ୍ଗେ ଦାର୍ଶନିକ ହେଇଯାଏ । ସେଇ ତୁରୀୟ ସ୍ଥିତିରେ ପହଞ୍ଚି ପ୍ରବଚନ ଆରମ୍ଭ କରିଦିଏ । ପରିଡା ଏକମାତ୍ର ବନ୍ଧୁ ଯେ ସେଇ ପ୍ରବଚନ ଶୁଣିବାର ସାମର୍ଥ୍ୟ ରଖେ । ସେଇ ପ୍ରବଚନ ଭିତରେ ମୁଁ ସବୁ ଗପିଗଲି ଆଉ ମୋ ଜୀବନ କେମିତି ଛୁଟି ଦରଖାସ୍ତ ପାଖରେ ଅଟକି ଯାଇଛି ଜଣେଇ ଦେଲି । ପରିଡା ସବୁ ଶୁଣି ସମାଧାନର ସହଜ ବାଟଟିଏ ଖୋଜି ନେଲା । କିନ୍ତୁ ସେ କିଛି ନକହି ସଠିକ ସମୟର ଅପେକ୍ଷାରେ ରହିଲା । ଅବଶ୍ୟ ମୁଁ ସେତେବେଳେ କିଛି ଶୁଣିବା କି ବୁଝିବା ସ୍ଥିତିରେ ନଥିଲି । କେବଳ ପ୍ରବଚନ ଦେବାରେ ବ୍ୟସ୍ତ ଥିଲି !

*****

 ପରଦିନ ସକାଳୁ ମୁଁ ମୋ ମୁଣ୍ଡକୁ ଧରି ବସିଥିଲି କାରଣ ସେଇଟି ଭୟଙ୍କର ଭାବେ ବିନ୍ଧୁଥିଲା । ମୁଁ ଖାସ କରି ସେଇଥିପାଇଁ ପିଆ ପିଇ କରେନାହିଁ । ପିଇବା ମାତ୍ରେ କିଛି ବୁଝାପଡେନି ଆଉ ପିଇବା ପରେ ମୁଣ୍ଡ ସାଥି ଦିଏନି । ମୁଣ୍ଡ ମୋର ପ୍ରବଳ ବିନ୍ଧି ମୋତେ ପାଗଳ କରେ । ସେତିକି ବେଳେ ପରିଡା ଆସିଲା ସାଥିରେ ଡିସ୍ପ୍ରିନ୍ ନେଇ । ଅବଶ୍ୟ ଏଇ ମୋର ମୁଣ୍ଡବିନ୍ଧା ଆଉ ଡିସ୍ପ୍ରିନ୍ ଖାଇ ତା'ର କମିବା କଥା କେବଳ ଏଇ ପରିଡା ଠିକ ଭାବରେ ଜାଣେ । ତେଣୁ ସେ ପ୍ରକୃତରେ ଭଲ ବନ୍ଧୁ । ସେ ମୋତେ ପାଣି ଗିଲାସେ ଆଉ ଡିସ୍ପ୍ରିନ୍ ବଟିକା ଧରେଇଲା । ମୁଁ ବିକଳ ହେଇ ତାକୁ ଗିଳି ପକେଇଲି । ଅଧ ଘଣ୍ଟାଏ ଖଣ୍ଡେ ଗଲା ବାଦେ ଟିକେ ସାଷ୍ଟାମ ହେଲି । ଏବେ ପରିଡା ଧରେଇଲା ଗୋଟେ ଖାମ । ତା ' ଭିତରେ ଥିଲା ଯୋଡ଼େ ଟ୍ରେନ୍ ଟିକଟ୍ ମୋର ଘରକୁ ଯିବା ଆଉ ଆସିବା ଲାଗି । ମୁଁ ବୋକା ହେଇ ଅନେଇଲି ଆଉ କହିଲି ,


-- '' କିରେ ଏଗୁଡା କାହିଁକି ଆଣିଲୁ ?

ମୋତେ ପା' ଛୁଟି ମିଳିବ ନାହିଁ ଏଇନେ !''


--" ଆରେ ମିଳିବ ମିଳିବ ଅଲବତ ମିଳିବ । କେହି ରୋକି ପାରିବେ ନାହିଁ ।''


-- '' କିରେ ମୋତେ କାଲି ନିଶା ଥିଲା ତତେ ଆଜି ଧରିଛି ନା କ'ଣ ?''


-- '' ଆରେ ନା' ଭାଇ ଆମେ ଖିଲାଡି ଲୋକ ତୋ ପରିକା ଅନାଡି ନୋହୁଁ ।''


  ତା' ଡ଼ହରା କଥା ଶୁଣି ମୋତେ ଭାରି ରାଗ ମାଡ଼ିଲା । ମୁଁ ଚଢା ଗଳାରେ କହିଲି , '' କ'ଣ ଥଟ୍ଟା ଲାଗୁଛୁ କିରେ ହାଁ । ମୋ ମୁଣ୍ଡ ଠିକ ନାହିଁ ବୁଝିଲୁ ।''

 ସିଏ ଘୋଡା ଭଳିଆ ହସିଲା ଆଉ ମୋତେ ଖଣ୍ଡେ ଦରଖାସ୍ତ ବଢ଼େଇ ଦେଲା । ଯେଉଁଥିରେ ଲେଖାଥିଲା ମୁଁ ଭୋଟ୍ ଦେବାକୁ ଗାଁକୁ ଯିବି । ତେଣୁ ମୋତେ ତିନି ଦିନ ସ୍ପେଶାଲ ଛୁଟି ମଞ୍ଜୁର କରାଯାଉ । ଯେହେତୁ ମୋ ଘର ୨୦୦ କିଲୋମିଟର ଦୂର ଥିଲା ଭୋଟ ଦେବା ପାଇଁ ମୋତେ ତିନିଦିନ ଛୁଟି ମିଳିବାର ନିୟମ ଥିଲା ।

 ସେଇ ଦରଖାସ୍ତ ଖଣ୍ଡକ ଧରି ମୁଁ ମନେ ମନେ ଭାରତୀୟ ନାଗରିକ ହେବାର ସୌଭାଗ୍ୟ ପ୍ରଥମ ଥର ପାଇଁ ଅନୁଭବ କରୁଥିଲି !

 



Rate this content
Log in