ଧରମ ଝିଅ
ଧରମ ଝିଅ


ବେଙ୍ଗୁଲି ମକଦମ।
ବୟସ ପ୍ରାୟ ଚାଳିଶ ପାଖାପାଖି ହବ।
ସ୍ବାମୀ କାଶୀ ମକଦମ। ଘର କୋରାପୁଟ ଜିଲ୍ଲାରେ ବୋଲି କୁହେ।
ଏଇ କେତେ ଦିନ ତଳେ ସେ ତା’ ଗାଁରୁ
ସପରିବାର ଚାଲି ଆସିଥିଲା ଭୁବନେଶ୍ବର। ତା’ର ଉଦ୍ଦେଶ୍ୟ ଥିଲା
ଭୁବନେଶ୍ବରରେ ମଜୁରୀ କଲେ ଅଧିକ ଦି ପଇସା ପାଇବ, ଯାହାଦ୍ବାରା ସେ ତା’ର ଏକମାତ୍ର ପୁଅକୁ ଉଚିତ୍
ଶିକ୍ଷା ଦିଆଇପାରିବ ଓ ସମାଜରେ ମର୍ଯ୍ୟଦାର ସହିତ ବଞ୍ଚିପାରିବ।
ଭୁବନେଶ୍ବରରେ ଆଜିକାଲି କାମବାଲିଙ୍କର ବହୁତ ଚାହିଦା ବୋଲି ସେ ଶୁଣି ଥିବାରୁ ସାହସ କରି
ସପରିବାର ଚାଲି ଆସିଛି ଭୁବନେଶ୍ବର। ଦି
ଚାରି ଦିନ ସେ ସହର ଗୋଟାକ ବୁଲିଲା କାମ ଖୋଜି ଖୋଜି ।
ପାଖରେ ଥିବା ପଇସା ମଧ୍ୟ ସରି ଆସୁଥାଏ। ମନରେ
ତା’ର
ଛନକା ପଶିଲା । ତା’ର ଜଣେ ପରିଚୟ ଲୋକ ଯିଏ
ତା’ ଆଗରୁ
କାମ ସନ୍ଧାନରେ ଭୁବନେଶ୍ବର ଚାଲି ଆସିଥିଲା ଗାଆଁରୁ, ବେଙ୍ଗୁଲିକୁ ସାଙ୍ଗରେ
ନେଇ ଜଣେ ସ୍ଥାନୀୟ ପ୍ରତିଷ୍ଠିତ ମହିଳା ସ୍ବେଚ୍ଛାସେବୀ ଲୀଳା ମାଉସୀଙ୍କ ଘରେ ସାହାର୍ଯ୍ୟ ପାଇଁ
ପହଁଞ୍ଚିଗଲା। ଲୀଳା ମାଉସୀଙ୍କର କାମବାଲି କାମକୁ ଅସୁନଥିଲା
ସେତେବେଳେ । ତେଣୁ ସେ ମଧ୍ୟ ଜଣେ ଲୋକ ଖୋଜୁଥିଲେ।
ବିରାଡି କପାଳକୁ ଶିକା ଛିଡିଲା ପରି କଥାଟି ହେଲା।
ବେଙ୍ଗୁଲିକୁ ଲୀଳା ମାଉସୀ ନିଜ ପାଖରେ ରଖିନେବାକୁ ଇଚ୍ଛାକଲେ।
ଲୀଳା ମାଉସୀଙ୍କ ଘରୋଇ କାମ କରିବା ପାଇଁ ବେଙ୍ଗୁଲି ସୁଯୋଗ ପାଇଗଲା ଓ ତା’ର ସ୍ବାମୀ ସେହି
ମାଉସୀଙ୍କ ଘରର ବାଡି ବଗିଚା କାମ କରିବା ସହିତ ତାଙ୍କର ବୋଲହାକ କରିବା ପାଇଁ ମଧ୍ୟ କଥା
ଛିଡିଗଲା। ସେତିକି ନୁହେଁ ଲିଳା ମାଉସୀ ଯେବେ ପଚାରି ବୁଝିଲେ ଯେ
ବେଙ୍ଗୁଲି ପରିବାର ଭୁବନେଶ୍ବର ସହରରେ ନୂଆ ଏବଂ ତାଙ୍କର ରହିବା ପାଇଁ ସେପରି କୌଣସି ଏକ
ନିର୍ଦ୍ଦିଷ୍ଟ ଠିକଣା ନାହିଁ ସେ ତାଙ୍କର ବଗିଚା ଭିତରେ ରହିଥିବା ମାଳି ରହିବା
ପାଇଁ ଉଦ୍ଦିଷ୍ଟ ଘର ଖଣ୍ଡିକରେ ସେମାନଙ୍କର ରହିବାର ବନ୍ଦୋବସ୍ତ ମଧ୍ୟ କରେଇ ଦେଲେ।
କାଶୀ ଓ ବେଙ୍ଗୁଲି ଖୁବ୍
କମ ସମୟ ମଧ୍ୟରେ ଲୀଳା ମାଉସୀଙ୍କର ଆସ୍ଥା ଭାଜନ
ହେଇଗଲେ।
ମାଉସୀଙ୍କ ସୁପାରିଶରେ କାଶୀ ଓ ବେଙ୍ଗୁଲିଙ୍କର ପୁଅଟି ଗୋଟିଏ ଭଲ ସ୍କୁଲରେ ପାଠ ପଢିବାକୁ ସୁଯୋଗ
ପାଇଗଲା। ଏମିତି କିଛି ଦିନ କଟିଗଲା।
ଦିନକୁ ଦିନ ଲୀଳା ମାଉସୀଙ୍କର ବିଶ୍ବାସ ବେଙ୍ଗୁଲି ଉପରେ ବଢି ଚାଲିଥାଏ।
କାଶୀର
କାମକୁ ମଧ୍ୟ ଲୀଳା ମାଉସୀ ବହୁତ ପସନ୍ଦ କରୁଥିଲେ। ସମୟ
କ୍ରମେ ବେଙ୍ଗୁଲି ଲୀଳା ମାଉସୀଙ୍କର ବ୍ୟକ୍ତିଗତ ସହକାରୀ ପାଲଟିଗଲା।
ତାଙ୍କର ଯାବତୀୟ ବ୍ୟକ୍ତିଗତ କାମ ବେଙ୍ଗୁଲି ହିଁ ବୁଝିଲା।
ଲୀଳା ମାଉସୀଙ୍କର ପିଲାମାନେ ବାହାରେ ରହୁଥିଲେ ।
ସେମାନେ ମଧ୍ୟ ଆଶ୍ବସ୍ତ ହେଲେ ଯେ ଅନ୍ତତଃ କେହିଜଣେ ଲୀଳା ମାଉସୀଙ୍କର ଦେଖାଶୁଣା କରୁଛି।
ସେମାନେ ମଝିରେ ମଝିରେ ଭୁବନେଶ୍ବର ଆସିଲେ ନିଜ ନିଜ କାମ ପଇଁ ବେଙ୍ଗୁଲି ଉପରେ
ମଧ୍ୟ ନିର୍ଭର କରିବାକୁ ଲାଗିଲେ।
ଲୀଳା ମାଉସୀ ଥିଲେ ଜଣେ
ସାମାଜିକ କର୍ମୀ। ତାଙ୍କୁ ସବୁବେଳେ ବାହାରକୁ ଯିବାକୁ
ପଡେ ବିଭିନ୍ନ
ସାଙ୍ଗଠନିକ କାମରେ। ତେଣୁ ଲୀଳା ମାଉସୀ ଯେତେବେଳେ ସଙ୍ଗଠନ କାମରେ ଯାଉଥିଲେ
ବେଙ୍ଗୁଲିକୁ ମଧ୍ୟ ତାଙ୍କ ସହିତ ନେଇ ଯାଆନ୍ତି। ଫଳରେ
ବେଙ୍ଗୁଲି ଭୁବନେଶ୍ବର ସହର ଓ ତାର ଆଖପାଖ ଅଞ୍ଚଳର ଅନେକ ବର୍ଗର ମହିଳାମାନଙ୍କ ସହିତ ପରିଚୟ
ହେବା ସହିତ ନିଜକୁ ସ୍ବାବଲମ୍ବୀ କରିବାକୁ ସେମାନେ କରୁଥିବା ଉଦ୍ୟମ ସହିତ ମଧ୍ୟ କ୍ରମଶଃ ପରିଚିତ
ହେଲା। ଏପରିକି ଯେବେ ଲୀଳା ମାଉସୀ କୌଣସି
କାର୍ଯ୍ୟବ୍ୟସ୍ତତା ନେଇ ଯଦି ସଙ୍ଗଠନ କାମ ଦେଖିବାକୁ ନଆସି ପାରୁଥିଲେ ତେବେ ବେଙ୍ଗୁଲି ତାଙ୍କ
ପ୍ରତିନିଧି ସାଜି ସଙ୍ଗଠନ କାମ ଦେଖିବାକୁ ଆସିଯାଏ।
ସମସ୍ତେ ବେଙ୍ଗୁଲିକୁ କ୍ରମଶଃ ଲୀଳା ମଉସୀଙ୍କର ଧରମ ଝିଅ ବୋଲି ଧରି ନେଇଥିଲେ ଏବଂ ସମୟ କ୍ରମେ
ସମସ୍ତେ ତାକୁ ବେଙ୍ଗୁଲି ଦିଦି ବୋଲି ଡାକିବାକୁ ଲାଗିଲେ।
କେହି କେହି ସଦସ୍ୟ ମଧ୍ୟ ତାକୁ ଲୀଳା ମାଉସୀଙ୍କର ଉତ୍ତରାଧିକାରୀ ବୋଲି ପ୍ରଚାର
କରିଦେଲେ।
ଏହି କେତେ ଦିନର
ପ୍ରଗତିରେ ବେଙ୍ଗୁଲି ଖୁବ୍ ଖୁସିଥିଲା। ନିଜେ
ଜଣେ ଅଶିକ୍ଷିତା ମହିଳା ହୋଇ ମଧ୍ୟ ଅନେକ ଶିକ୍ଷିତ ମହିଳାଙ୍କ ମଧ୍ୟରେ ମାନ୍ୟତା ପାଉଥିବାରୁ ତା’ର ଛାତି କୁଣ୍ଢେମୋଟ
ରହିଥାଏ। କିନ୍ତୁ ମନରେ ତା’ର ଖେଦ ଥାଏ କି ସେ ଜଣେ
ଅଶିକ୍ଷିତା ମହିଳା। ସେ ତା’ର ସେହି ଖେଦ ଦିନେ ଲୀଳା
ମାଉସୀଙ୍କୁ କହିଲା। ଲୀଳା ମାଉସୀ ଅଳ୍ପ ହସିଲେ ଆଉ ତାପରେ
ବେଙ୍ଗୁଲିକୁ ତାଙ୍କ ଜଣାଶୁଣା ଏକ ପ୍ରୌଢ ଶିକ୍ଷା କେନ୍ଦ୍ରକୁ ପଠେଇବାର ବ୍ୟବସ୍ଥା କରିଦେଲେ।
କୌଣସି ବିଦ୍ଧିବଦ୍ଧ ପ୍ରମାଣ ପତ୍ର ନପାଇଥିଲେ ବି ବେଙ୍ଗୁଲି କିନ୍ତୁ ସବୁ ସରକାରୀ ଚିଠିପତ୍ର
ପଢି ତାର ସଠିକ୍ ଉତ୍ତର ପ୍ରସ୍ତୁତ କରିବାର କଳାକୁ ଖୁବ୍ ଶୀଘ୍ର ଆୟତ୍ତ କରିନେଲା।
ଏଣେ ଲୀଳା ମାଉସୀ ନିଜ
ବାର୍ଦ୍ଧକ୍ୟ ଜନିତ ଅସାମର୍ଥ୍ୟତା ହେତୁ ବେଶୀ ଆଉ ସଙ୍ଗଠନ କାମ ଉପରେ ଧ୍ୟାନ ଦେଇ ପାରୁନଥାଆନ୍ତି।
କିନ୍ତୁ ସଙ୍ଗଠନ ସହିତ ଜଡିତ ମହିଳା ମାନଙ୍କର ଆର୍ଥିକ ତଥା ସାମାଜିକ ଉନ୍ନତି ଓ ପ୍ରଗତି ପାଇଁ
ସେ ଆରମ୍ଭ କରିଥିବା ଅନ୍ଦୋଳନକୁ ମଧ୍ୟ ଅଧାପନ୍ତରିଆ ଭାବେ ଛାଡି ପାରୁନଥାଆନ୍ତି।
ବେଙ୍ଗୁଲିର ସଙ୍ଗଠନ କାମରେ ନିଜକୁ ସାମିଲ କରିବାର ଅଦମ୍ୟ ଇଚ୍ଛା କିନ୍ତୁ ଲୀଳା ମାଉସୀଙ୍କ ଓଠରେ
ଚିରୁଡାଏ ହସ ଫୁଟେଇଥିଲା। ସେ ବେଙ୍ଗୁଲିକୁ ଅଧିକରୁ
ଅଧିକ ସମୟ ସଙ୍ଗଠନ କାମରେ ମଜେଇ ରଖିବାକୁ ଇଚ୍ଛା କଲେ ।
ଏସବୁ କିନ୍ତୁ ବେଙ୍ଗୁଲିର ସ୍ବାମୀ କାଶୀ ଠିକ୍ ଭାବରେ ହଜମ କରି ପାରୁନଥିଲା।
ପ୍ରଥମରୁ ଏସବୁ ପ୍ରକାରର କାମ ପାଇଁ ପାରିଶ୍ରମିକର କୌଣସି ବୁଝାବଣା ହୋଇ ନଥିବା ସତ୍ତ୍ବେ ଲୀଳା
ମାଉସୀ କାହିଁକି ଯେ ବେଙ୍ଗୁଲିକୁ ଏସବୁ କାମରେ ଲଗାଉଛନ୍ତି ସେକଥା ସେ ବୁଝିବାକୁ ଅସମର୍ଥ ଥିଲା।
ସେ ଏବିଷୟରେ ଲୀଳା ମାଉସୀଙ୍କୁ ଥରେ କି ଦୁଇଥର ପଚାରିଛି।
କିନ୍ତୁ କୌଣସି ଥର ସେ ତାଙ୍କ ଠାରୁ ଉତ୍ତର ପାଇନି । ବରଂ
କାଶୀର କଥା ଶୁଣି ଲୀଳା ମାଉସୀ ଅଳ୍ପ ମୁରୁକି ହସା ମାରି ଘର ଭିତରକୁ ଚାଲି ଯାଆନ୍ତି।
କେତେବେଳେ କେମିତି କାଶୀ
ବେଙ୍ଗୁଲିକୁ ମଧ୍ୟ ତା’ର
ମନ କଥା କହିଛି। କିନ୍ତୁ ବେଙ୍ଗୁଲି ତା’ କଥାକୁ ଏ କାନରେ ପୁରେଇ
ଆର କାନରେ ବାହାର କରିଦେଇଛି। ସେତେବେଳେ କାଶୀର ପୁରୁଷ
ପଣିଆକୁ ଗଭୀର ଆଘାତ ଲାଗିଛି। କାଶୀ
ତା’ ନିଜ
ଭିଟାମାଟିକୁ ଫେରିଯିବା ପାଇଁ ବେଙ୍ଗୁଲିକୁ ମନେଇବାକୁ ଅନେକ ଚେଷ୍ଟା କରିଛି।
ସେ ହୁଏତ ବୁଝିବାରେ ଅସୁବିଧା ଥିଲା କି ବେଙ୍ଗୁଲି ଆଉ ସେ ପୁରୁଣା କୋରାପୁଟିଆ ଝିଅ
ହେଇକି ନଥିଲା। ସେ ତାର ନିଜ ଦେହରେ ଧିରେ ଧିରେ ସହରୀ ଅତର ବୋଳି
ସାରିଲାଣି। ତାକୁ ଏବେ ଗାଁ ମାଟିର ବାସ୍ନା କିମ୍ବା କରଞ୍ଜ
କି
ମହୁଲ ଫୁଲର ମହକ ଆଉ ଆକୃଷ୍ଟ କରି ପାରୁନି। ଅନ୍ୟ
ପକ୍ଷରେ ବେଙ୍ଗୁଲି ମଧ୍ୟ କେବେ କେବେ ଚେଷ୍ଟା କରିଛି କାଶୀକୁ ବୁଝେଇବା ପାଇଁ ଯେ କୋରାପୁଟକୁ
ଫେରିଗଲେ ଥରେ, ଭବିଷ୍ୟତରେ କେବେ ଚାହିଁଲେ ବି ସେମାନେ ଆଉ ଏ ଜୀବନ ଫେରି
ପାଇବେନି। ତାଛଡା ପୁଅ ପାଣ୍ଡବ ଏଠା ଭଳି ଏକ ସମ୍ଭ୍ରାନ୍ତ
ସ୍କୁଲରେ ପଢିବାର ସୁଯୋଗ ସେଠି ପାଇପାରିବ ନାହିଁ।
ଅନ୍ତତଃ ପୁଅର ଭବିଷ୍ୟତ ପାଇଁ ସେମାନେ ଆଉ ଦୁଇ ବର୍ଷ ଭୁବନେଶ୍ବରରେ ରହିଯିବା ନିହାତି ଆବଶ୍ୟକ।
ପୁଅ ମେଟ୍ରିକ ପରୀକ୍ଷା ପାସ କରିଗଲେ ସେମାନଙ୍କର ଆଶା ପୁରଣ ହେଇଯିବ ।
ବେଙ୍ଗୁଲି ସ୍ବପ୍ନ ଦେଖୁଥିଲା ପୁଅ ତାର ତାଙ୍କ ଗାଁରେ ପ୍ରଥମ ମାଟ୍ରିକ ପାସ ଛାତ୍ର ହେବ ଆଉ ଗାଁରେ ଜଣେ ଶିକ୍ଷିତ
ପିଲା ଭାବରେ ମାନ୍ୟତା ପାଇବ।
ବେଙ୍ଗୁଲିର କୌଣସି
ଯୁକ୍ତିକୁ କାଶୀ ସହଜରେ ଗ୍ରହଣ କରି ପାରୁନଥିଲା। ତା’ ଆଖିରେ ଈର୍ଷାର ଏକ ପରଳ
ବସି ଯାଇଥିଲା। ବେଙ୍ଗୁଲିର ଉତ୍ଥାନ ଦେଖି କାଶୀ ବହୁତ ଈର୍ଷାଳୁ
ହେଇ ସାରିଥିଲା। ସେ ଯେହେତୁ ଅଶିକ୍ଷିତ ଥିଲା, ଭଲ କି ମନ୍ଦ ବିଚାର
କରିବାର କ୍ଷମତା ତା’ର
ନଥିଲା। ତେଣୁ ନିଜ ଅସାମର୍ଥ୍ୟତାକୁ ଲୁଚେଇ ରଖିବାକୁ
ସେ ଜିଦ୍ କରୁଥିଲା କି ସେମାନେ ନିଜ ଗାଁ କୋରାପୁଟକୁ ତୁରନ୍ତ ଫେରିଯିବା ଉଚିତ୍।
ସେ ଦୁଇ ଜଣଙ୍କର ଏହି ମତାନ୍ତରକୁ ସମାଧନ କରିବା ଲାଗି ଲୀଳା ମଉସୀ ଅନେକ ଥର ଦୁଇ ଜଣଙ୍କୁ ପାଖରେ
ବସେଇ ବୁଝେଇଛନ୍ତି । କିନ୍ତୁ ସେସବୁ କିଛି କାମ ଦେଇନି।
କାଶୀର ଜିଦ୍ ସେମାନେ କୋରାପୁଟ୍କୁ ଫେରିଯିବେ।
ବେଙ୍ଗୁଲି ପର ଦିନ
ସକାଳେ କିଛି ଜରୁରୀ କାମ ପଇଁ ଲୀଳା ମାଉସୀଙ୍କ ସହିତ ସହର ବାହାରକୁ ଗଲା।
ଗଲାବେଳେ ପୁଅକୁ ମାଉସୀଙ୍କର ଫେରିବାରେ ଡେରି ହେଇପାରେ କହି ଦେଇ ଯାଇଥିଲା।
ଦୁଇ ଦିନ ପରେ ଘରକୁ ଫେରିବା ପରେ ବେଙ୍ଗୁଲି ପୁଅ ପାଖରୁ ଶୁଣିଲା କାଶୀ ପୁର୍ବ ଦିନରୁ
କୁଆଡେ ଯାଇ ଘରକୁ ଆଉ ଫେରିନି। ଏହି କଥା ଶୁଣିବା ପରେ ଲୀଳା ମାଉସୀ
ମଧ୍ୟ ବ୍ୟସ୍ତ ହେଲେ । ବେଙ୍ଗୁଲି ତା’ର ପୁଅ ଠାରୁ କୌଣସି
ସଠିକ୍ ଖବର ପାଇ ପାରୁନଥାଏ। ଅନ୍ୟ ଉପାୟ ନଦେଖି ଲୀଳା
ମାଉସୀ ଥାନାରେ ଏତଲା ଦେଲେ। ଥାନାବାବୁ ଲୀଳା
ମାଉସୀଙ୍କର ପରିଚିତ ଲୋକ ଥିଲେ। ତେଣୁ
ଖୁବ୍ ସହାନୁଭୁତିର ସହିତ ସେ କାଶୀକୁ ଖୋଜାଖୋଜି କରିବାକୁ ଲାଗିଲେ।
କିନ୍ତୁ କାଶୀର ଚିହ୍ନ
ବର୍ଣ୍ଣ ମିଳିଲାନି। ବେଙ୍ଗୁଲି ଘୋର ମନସ୍ତାପ ଭିତରେ ରହିଲା।
ସେ ତାର ସାଧ୍ୟ ମତେ ଖୋଜା ଖୋଜି କରୁଥାଏ।
କିନ୍ତୁ କୌଣସି ଠାରୁ କାଶୀର ସଠିକ୍ ଖବର ପାଇ ପାରୁ ନଥାଏ।
ତାର ସନ୍ଦେହ ହେଉଥିଲା କାଶୀ ହୁଏତ କୋରାପୁଟ ଫେରି ଯାଇଛି।
କିନ୍ତୁ କିଏ ତାର ସତ୍ୟାସତ୍ୟ କହିପାରିବ। ତାଙ୍କ
ଗାଁରେ ତ ମୋବାଇଲ ଫୋନ୍ ନାହିଁ କାହା ପାଖରେ।
ବେଙ୍ଗୁଲି ଖୁବ୍ ଦ୍ବନ୍ଦ୍ବ ଭିତରେ ରହିଲା।
କାଶୀକୁ ଖୋଜି ଖୋଜି ସେ ଗାଁକୁ ଫେରି ଯିବ ନା ଏଇଠି ରହି ସେ କାଶୀର ଫେରିବା ବାଟକୁ ଚାହିଁ ରହିବ।
ଲୀଳା ମାଉସୀଙ୍କର ପରାମର୍ଶ କ୍ରମେ ବେଙ୍ଗୁଲି ତାଙ୍କ ପାଖରେ ରହି କାଶୀକୁ ଅପେକ୍ଷା କରିବାର
ନିଷ୍ପତ୍ତି କଲା। ଅନ୍ତତଃ ଆହୁରି ଦୁଇ ବର୍ଷ ଯାଏଁ ସେ ଭୁବନେଶ୍ବରରେ ରହିବାକୁ ଠିକ
କଲା। କାରଣ ହେଲା ଏହି ଦୁଇ ବର୍ଷ ଭିତରେ ତା’ ପୁଅ ପାଣ୍ଡବ ଅବଶ୍ୟ
ମାଟ୍ରିକ ପରୀକ୍ଷାରେ ପାଶ କରିଯିବ।
ଲୀଳା ମାଉସୀ
ବେଙ୍ଗୁଲିକୁ ଭୁବନେଶ୍ବରରେ ରହିବାପାଇଁ ପ୍ରବର୍ତ୍ତାଇ ପାରିଲେ ସିନା
ହେଲେ ସବୁ ବେଳେ ତାଙ୍କୁ
ଗୋଟିଏ ଚିନ୍ତା ଘାରିବାକୁ ଲାଗିଲା କି ବେଙ୍ଗୁଲି ହୁଏତ ଭାବିବ ଯେ ମାଉସୀ ସ୍ବାର୍ଥପର ହୋଇ ତାକୁ
ପାଖରେ ରଖିଲେ ଏବଂ ତାର ସ୍ବାମୀ ଠାରୁ ସେ ଦୂରେଇ ରହିଲା।
ଏମିତି ମାସେ ପନ୍ଦର ଦିନ ଗଡିଗଲା, ହେଲେ କାଶୀର କିଛି ଖୋଜ ଖବର ମିଳି
ପାରିଲାନି। ବେଙ୍ଗୁଲି ତା’ ପୁଅକୁ କହିଥାଏ କି ତାର
ବାପ କୋରାପୁଟ ଯାଇଛନ୍ତି କିଛି ଘରୋଇ କାମ ପାଇଁ। ସେ
ଏସବୁ କଥା ନଭାବି ପାଠରେ ମନ ଦେବା ଉଚିତ୍।ତାର
ପଢା ଖର୍ଚ୍ଚ ପାଇଁ କୌଣସି ଚିନ୍ତା ନଥିଲା କାରଣ ପାଣ୍ଡବର ସମସ୍ତ ପଢା
ଖର୍ଚ୍ଚ ଲୀଳା ମାଉସୀ ବହନ କରୁଥାଆନ୍ତି। କାମ
ଧନ୍ଦାରେ ବ୍ୟସ୍ତ ରହି କାଶୀ କଥା ଭାବିବାକୁ ବେଙ୍ଗୁଲି ସମୟ ପାଉନଥାଏ।
ୟା ଭିତରେ ଦୁଇ ବର୍ଷ ବିତିଗଲା।
ପାଣ୍ଡବ ଭଲ ନମ୍ବର ରଖି ମାଟ୍ରିକ ପାଶ କଲା। ତାର
ନମ୍ବର ଦେଖି ଅନେକ ସୁହୃଦୟ ବ୍ୟକ୍ତି ବିଶେଷ ପାଣ୍ଡବର ଉଚ୍ଚ ଶିକ୍ଷାର ଖର୍ଚ୍ଚ ବହନ କରିବାରେ
ଲୀଳାମାଉସୀଙ୍କୁ ସହାୟତା କରିବା ପାଇଁ ସାହାର୍ଯ୍ୟର ହାତ ବଢାଇଲେ।
ପାଣ୍ଡବ ତାର ଉଚ୍ଚତର
ଶିକ୍ଷା ପାଇଁ ସ୍ଥାନୀୟ ଏକ ନାମୀ କଲେଜରେ ନା ଲେଖିଲା ।
ଦିନେ ବେଙ୍ଗୁଲି ଲୀଳା
ମାଉସୀଙ୍କୁ କାଶୀକୁ ନେଇ ତାର ମନରେ ଥିବା ବ୍ୟସ୍ତତାର ସୂଚନା ଦେଲା।
କାଶୀ ତାକୁ ଛାଡିଦେଇ ଚାଲିଯିବା ପ୍ରାୟ ଦୁଇ ବର୍ଷ ହେଲାଣି।
ପାଣ୍ଡବର ଭବିଷ୍ୟତ କଥା ଚିନ୍ତା କରି ସେ କାଶୀ କଥା ମନ ଭିତରେ ଚାପି ଦେଉଥାଏ।
କିନ୍ତୁ ସେ ଦିନ କହୁ କହୁ କହିପକେଇଲା ଲୀଳା ମାଉସୀଙ୍କୁ ତା ମନର କଥା।
ଲୀଳା ମାଉସୀ ବେଙ୍ଗୁଲି
କୁ ଖୁବ୍ ଭଲ ପାଉଥିଲେ। ସେବା ଯତ୍ନ କରି ବେଙ୍ଗୁଲି
ତାଙ୍କ ମନ କିଣି ନେଇ ସାରିଥାଏ କହିଲେ ଚଳିବ। ସେ
ଦିନ ରାତିରେ ରାତ୍ରିଭୋଜନ ସାରି ଲୀଳା ମାଉସୀ ବେଙ୍ଗୁଲି କୁ କହିଲେ ପର ଦିନ ସେମାନେ ଗୋଟେ
ଜଙ୍ଗଲ ଯାଗା ବୁଲିବାକୁ ଯିବେ। ସାଙ୍ଗରେ ପାଣ୍ଡବକୁ ମଧ୍ୟ
ନେଇଯିବେ, ସେ
ବି ଟିକିଏ ବୁଲି ଆସିବ ଏଇ ମଉକାରେ।
ପରଦିନ ନିର୍ଦ୍ଦିଷ୍ଟ
ସମୟରେ ଲୀଳା ମାଉସୀଙ୍କ ଇନୋଭା କାର୍ ନେଇ ସେମାନେ ବାହାରିଗଲେ ପୂର୍ବ କଳ୍ପିତ ଜଙ୍ଗଲ ଯାଗାକୁ।
ବେଙ୍ଗୁଲି ପଚାରି ଚାଲିଥାଏ ବାଟ ସାରା ସେମାନେ କୁଆଡେ ଯାଉଛନ୍ତି କିନ୍ତୁ ଲୀଳା ମାଉସୀ
ଚୁପ୍ ରହିଯାଆନ୍ତି। ଅନେକ ସମୟ ଗାଡିରେ ବସି ବସି ବେଙ୍ଗୁଲି କୁ
ବ୍ୟସ୍ତ ଲାଗି ଯାଉଥାଏ। ବାଟରେ ଅଳ୍ପ ସମୟ ସେମାନେ ଖାଇବା ଓ
ଝାଡା ପରିଶ୍ରା ପାଇଁ ଯାହା ଅଟକି ଥିଲେ। କିଛି
ସମୟ ପରେ ଲୀଳା ମାଉସୀ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ ଗାଡି ଅଟକେଇବା ପାଇଁ।
ସମସ୍ତେ ଗାଡିରୁ ଓହ୍ଲେ ପଡି କିଛି ସମୟ ରାସ୍ତାରେଏ ଚଲାବୁଲା କରିବା ଉଦ୍ଦେଶ୍ୟ ଥିଲା।
ଗାଡିରୁ ଓହ୍ଲେଯିବା ପରେ ବେଙ୍ଗୁଲି ଚାରିଆଡେ ଚାହିଁ ଦେଖିଲା।
ତାକୁ
ଲଗିଲା ଯାଗାଟି ତାର ଖୁବ୍ ପରିଚିତ। ଲୀଳା
ମାଉସୀ ଦେଖିଲେ ବେଙ୍ଗୁଲି ଖୁବ୍ ଉତ୍ସାହିତ ହୋଇ ସବୁ ଆଡେ ଦେଖୁଛି।
ମାଉସୀ ବେଙ୍ଗୁଲି ମୁଣ୍ଡରେ ହାତ ବୁଲେଇ ଆଣି କହିଲେ, “ ଆଲୋ ବେଙ୍ଗୁଲି କଅଣ
ଦେଖୁଛୁ? ଏଇଟା
ପରା କୋରାପୁଟ ସହର। ତୋ ଘର ପରା ଏଇଠି।
ବେଙ୍ଗୁଲି ଆଖିରୁ ଦୁଇଟୋପା ଲୁହ ଖସିଗଲା। ମା ଓ
ପୁଅ ଡଗ ଡଗ ହେଇ
ଘେରାଏ ଦୁଇ ଘେରା ବୁଲିଗଲେ ବସଷ୍ଟାଣ୍ଡ ଛକ, ଥାନା ପାଖାପାଖି ସାହି ଓ
ବସ୍ତି, ରାୟଗଡା
ଛକ ଇତ୍ୟାଦି ଇତ୍ୟାଦି। ବେଙ୍ଗୁଲି ବିଶ୍ବାସ କରି ପାରୁ ନଥିଲା କି ଲୀଳା
ମାଉସୀ ତାକୁ ଏହି ଜଙ୍ଗଲ ଯାଗା କଥା କହୁଥିଲେ, ତା’ ଭିଟାମାଟିର କଥା।
ବେଙ୍ଗୁଲି ମନ ବ୍ୟାକୁଳ ହେଲା ତା’ ଗାଁକୁ ଯିବାକୁ।
ତାର ଆଶାଥିଲା କାଶୀ ନିଶ୍ଚୟ ତା ଗାଁରେ ଥିବ।
ଅନେକ ଦିନ ପରେ ସେ କାଶୀକୁ ଭେଟିବ। ସେ
ବେଙ୍ଗୁଲିକୁ ଭଲ ଭାବରେ ବୁଝି ନଥିଲା। ତାକୁ
ଏକା ଛାଡିଦେଇ ସହର ବଜାରରେ ଚଲି ଆସିଲା ଯେ ଆଉ ଥରେ ବି ସେମାନଙ୍କ କଥା ମନେ ପକେଇଲାନି।
ଅଭିମାନରେ ଭରି ଗଲା ବେଙ୍ଗୁଲିର ମନ। ଲୀଳା
ମାଉସୀ ଜଣେ ବୟସ୍କ ମହିଳା ଓ ତା ସାଙ୍ଗକୁ ଜଣେ ସ୍ବେଚ୍ଛାସେବୀ ମଧ୍ୟ।
ମହିଳାଙ୍କର
ମନ ପଢିବାରେ ସେ ପୁରା ମାହିର୍ ଥିଲେ।
ତାଙ୍କୁ ଅସୁବିଧା ହେଲାନି ବେଙ୍ଗୁଲି ର ମନ ବୁଝିବାକୁ।
ମଉସୀ ଙ୍କ ନିର୍ଦ୍ଦେଶରେ ଡ୍ରାଇଭର ଗାଡି ଆଗେଇଲା ବେଙ୍ଗୁଲି ଗାଁ କୁ।
ଗାଡିର ଆଗ ସିଟ୍ ରେ ବସି ବେଙ୍ଗୁଲି ଡ୍ରାଇଭର କୁ ତାଙ୍କ ଗାଁ କୁ ଯିବାରାସ୍ତା ଦେଖାଉଥାଏ ।
ବାଟରେ ମୋତିଆଲୁ ମାଁ’ଙ୍କ
ମନ୍ଦିର, କାଜୁ
ଜଙ୍ଗଲ, ତାକୁ
ସରକାର ଦେଇଥିବା ଘର ଢିହ, ସବୁ
ଗୋଟି ଗୋଟି କରି ସେ ଦେଖାଉଥାଏ ଲୀଳା ମାଉସୀଙ୍କୁ। ଲୀଳା
ମାଉସୀ ବେଙ୍ଗୁଲିର ଖୁସିକୁ ମନ ଭରି ଉପଭୋଗ କରୁଥାଆନ୍ତି।
ଗାଁ ରୁ ଗଲାବେଳେ ପାଣ୍ଡବ ବହୁତ ଛୋଟ ଥିଲା ତେଣୁ ସେ ଏତେ ବେଶୀ ଉତ୍କଣ୍ଠିତ ନହେଲେ ମଧ୍ୟ ମା’ର ଖୁସିରେ ଖୁସି ଜାହିର
କରୁଥିଲା। ଅଳ୍ପ ସମୟର ବ୍ୟବଧାନ ପରେ ସେମାନେ
ପହଞ୍ଚିଗଲେ ବେଙ୍ଗୁଲିର ଗାଁରେ। ମୁହଁ
ଅନ୍ଧାର ହେଇ ଆସୁଥିଲା। ତଥାପି ଗାଁରେ ପହଞ୍ଚି ଥିବା ଗୋଟେ ଚାରି ଚକିଆ
ଗାଡି ଆଉ ତା’ ଭିତରେ
ବେଙ୍ଗୁଲିକୁ ଦେଖିବା ପାଇଁ ସମସ୍ତେ ଜମା ହେଇଗଲେ। ଗାଁର ଭାଇ ବନ୍ଧୁ
କୁଟୁମ୍ବଙ୍କର ସ୍ନେହ ଭରା ଆଶ୍ଳେଷରେ ପୋତି ହେଇପଡିଲା ବେଙ୍ଗୁଲି।
ସେ ସମସ୍ତଙ୍କ ସହିତ ଲୀଳା ମାଉସୀଙ୍କୁ ପରିଚୟ କରେଇ ଦେଲା।
ଅନେକ ଦିନ ପୂର୍ବରୁ ଥରେ
ଲୀଳା ମାଉସୀ ସଙ୍ଗଠନ କାମରେ କୋରାପୁଟ ଅବଶ୍ୟ ଆସିଥିଲେ ।
କିନ୍ତୁ ଏବେ ତାଙ୍କ ଆଖି ଆଗରେ ଥିବା କୋରାପୁଟ ଓ କୋରାପୁଟିଆ ଲୋକଙ୍କର ସାଧାରଣ ମଣିଷ ମାନଙ୍କର
ଅସାଧାରଣ ଅନାବିଳ ସ୍ନେହ ମାୟା ମମତାରେ ସେ ହଜି ଯାଇଥିଲେ।
ସେ ଅନ୍ୟମନସ୍କ ଭବେ କାଶୀକୁ ଖୋଜିବାକୁ ଲାଗିଲେ।
ଗାଁ ରୁ ଜାଣିଲେ କାଶୀ ଫେରି ଯାଇଥିଲା ଗାଁକୁ କିନ୍ତୁ ଏବେ ଦୁଇ ଚାରିଦିନ ତଳେ ସେ ସାହୁକାର
ବିଲରେ କାମ କରି ଗାଡିଭଡା ଜୁଟେଇ ନେଇ ପୁଣି ଫେରି ଯାଇଛି ଭୁବନେଶରକୁ।
ଗାଁ ରେ ସେ କହି ଯାଇଛି ଆର ସନକୁ ବେଙ୍ଗୁଲି ଆଉ ପୁଅକୁ ନେଇ ସେ ସବୁଦିନ ପାଇଁ ଗାଁ କୁ ଫେରି
ଆସିବ। କାଶୀର ଦେଖା ନହେବାରୁ ବେଙ୍ଗୁଲି କାନ୍ଦି
ପକେଇଲା। ଏଣେ ରାତି ଅଧିକ ହେବାରୁ ଲୀଳା ମାଉସୀ ବେଙ୍ଗୁଲି
ଓ ତା ପୁଅକୁ ତାଙ୍କ ଗାଁରେ ଛାଡି ପାଖ ଜୟପୁର ସହରକୁ ଚାଲି ଆସିଲେ ତଙ୍କର ଜଣେ ପରିଚିତ
ବନ୍ଧୁଙ୍କ ଘରକୁ ରାତ୍ରି ଯାପନ ପାଇଁ। ତଙ୍କର
ଇଚ୍ଛାଥିଲା ବେଙ୍ଗୁଲି କିଛି ସମୟ ତାର ଜ୍ଞାନ୍ତିକୁଟୁମ୍ବଙ୍କ ମେଳରେ କଟେଇଲେ ହୁଏତ କାଶୀର
ଅନୁପସ୍ଥିତି
ଜନିତ ଯନ୍ତ୍ରଣାରୁ
ସମ୍ୟକ ମୁକ୍ତି ପାଇବ।
ସେ ଦିନ ରାତିରେ ବେଙ୍ଗୁଲି
ଆଖିରେ ନିଦ ନଥିଲା। ଢେର ରାତି ଯାଏଁ ଗାଁ ଲୋକଙ୍କ ସହିତ ବସି ସେ
ସହରୀ ଅତର ବାଣ୍ଟି ଚାଲିଲା । ପୁଅ ତା’ର ଥିଲା ଚୂଡାକୁ ଗୁଡ
ସାକ୍ଷୀ । ମା’ ର ସବୁ କଥାରେ ସେ ରଙ୍ଗ
ଭରୁଥିଲା। କେବେ ଦିନେ କାଳେ ଭୁବନେଶ୍ବର ଆସିପାରିନଥିବା ଗ୍ରାମବାସୀ ପାଟି ମେଲା
କରି ପିଇ ଯାଉଥାଆନ୍ତି ମା ଓ ପୁଅଙ୍କ କଥା କେଇ ପଦ।
ସମସ୍ତେ ଯେ ଝା ଘରକୁ ଚାଲିଗଲା ପରେ ଯେତେବେଳେ ବେଙ୍ଗୁଲି ତା ଘରେ ଏକା ହେଇଗଲା ସେତେବେଳେ
ଗୁମୁରି ଗୁମୁରି କାନ୍ଦିଲା। କାଶୀ ଚିନ୍ତାରେ ସେ
ବ୍ୟତିବ୍ୟସ୍ତ ହେଲା। କେତେବେଳେ ଯେ ରାତି ପାହିଗଲା ସେ ଜାଣି ପରିଲାନି।
ତରବର ହେଇ ପୁଅକୁ ଉଠେଇଲା। ଳୀଳା
ମାଉସୀ ପହଞ୍ଚିବା ଆଗରୁ ସେମାନଙ୍କୁ ପ୍ରସ୍ତୁତ ହେଇଯିବାକୁ ହେବ ଭୁବନେଶ୍ବର ଫେରି ଆସିବାକୁ।
ଠିକ୍ ସମୟରେ
ଲୀଳାମାଉସୀ ଆସି ପହଞ୍ଚିଗଲେ। ସେମାନଙ୍କୁ ଫେରିଯିବାକୁ
ହେବ ଭୁବନେଶ୍ବର। ବେଙ୍ଗୁଲି କୁ ଡାକି ମାଉସୀ ପଚାରିଲେ, “ ବେଙ୍ଗୁଲି, ତୁ ମୋ ସହିତ ଯିବୁ ନା
ଗାଁରେ ରହିବୁ।” ବେଙ୍ଗୁଲି
କହିଲା, “ ମୁଁ ଏଠି ରହିଗଲେ ସେଠି ତୁମ କଥା କିଏ ବୁଝିବ ଯେ।
ତା ଛାଡା ଏଠି ତ କାଶୀ ନାହିଁ, ସେ
ଯଦି ମୋତେ ଖୋଜିବାକୁ ଆସେ ସେଠାକୁ ତେବେ ମୋତେ ତ ପାଇବନି।” ବେଙ୍ଗୁଲିର ଆତ୍ମୀୟତା
ଦେଖି ଲୀଳା ମାଉସୀ ଗଦଗଦ ହେଇଗଲେ। ଗାଁ
ଲୋକଙ୍କ ଠାରୁ ମେଲାଣି ନେଇ ସେମାନେ ଆସି ଗାଡିରେ ବସିଲେ।
ଗ୍ରାମବାସୀ ମକା, ମାଣ୍ଡିଆ
ଚୂନା, ପାଳୁଅ
ପନି ପରିବା ସମେତ ଅନେକ ବୋଝ ଆଣି ଗାଡିରେ ଲଦି ଦେଲେ।ମାଉସୀ
ଟିକିଏ ଅମଙ୍ଗ ହେବା ଦେଖି ଗାଁର ମୁଖିଆ ( ଜାନି) ଆସି ଲୀଳା ମାଉସୀଙ୍କୁ କହିଲେ ଏସବୁ ଆମ ଗାଁ
ଝିଅର ବିଦାକୀ ଭାର ମା, ମନା
କରିବନି। ଲୀଳା ମାଉସୀ ମନେ ମନେ ସେମାନଙ୍କର ସାମାଜିକ
ଆଚାର ଓ ବ୍ୟବହାରକୁ ଭୁରି ଭୁରି ପ୍ରଶଂସା କରୁଥିଲେ।
ସେ ଦିନ ଭୁବନେଶ୍ବର ପହଞ୍ଚିଲା ବେଳକୁ
ସନ୍ଧ୍ୟା ହେଇ ଯାଇଥିଲା। ଗେଟ୍ ପାଖରେ
ଗାଡି ଲାଗୁ ଲାଗୁ ଦରୱାନ
ଆସି ଲୀଳା ମାଉସୀଙ୍କୁ କହିଲା କେହି ଜଣେ ଆସି ଆପଣଙ୍କୁ ଖୋଜୁଥିଲା ଆଉ ବେଙ୍ଗୁଲି ଓ ପାଣ୍ଡବ କଥା
ମଧ୍ୟ ପଚାରୁଥିଲା। ବେଙ୍ଗୁଲି କୁ ଅବୁଝା ରହିଲାନି କି କାଶୀ ତା’ ପାଖକୁ ଫେରି ଆସିଛି।
ସେ କୋରାପୁଟ ଫେରିଗଲେ ମୋତିଆଲୁ ମାଁଙ୍କ ପାଖରେ କୁକୁଡା ବଳୀ ଦେବ।
ଦରୱାନ୍ ଆହୁରି କହିଲା କି ସେ ଲୋକଟି ପୁଣି ଆସନ୍ତା କାଲି ସକାଳେ ଆସିବ କହି ଚାଲିଗଲା।
ବେଙ୍ଗୁଲି ମନେ ମନେ ମୋତିଆଲୁ ମାଁ ଙ୍କୁ ସ୍ମରଣ କରୁଥାଏ।
ସେ ତାର ଇଷ୍ଟ ଦେବୀ, ସେ
ହିଁ ତାର ଗୁହାରୀ ଅବଶ୍ୟ ଶୁଣିବେ। ନିଜର
ରାତ୍ରୀ ଭୋଜନ ଶେଷ କରି ଲୀଳା ମାଉସୀ ଶୋଇବାକୁ ଗଲେ।
ସେ ଖୁସି
ଥିଲେ କି କାଶୀ ହୁଏତ ଫେରି ଆସିଛି। କାଲି
ସକାଳେ ତାକୁ ଦେଖିଲା ପରେ ସେ ଆଉ ସେମାନଙ୍କୁ ଅଲଗା କରେଇଦେବେନି।
ଲୀଳା ମାଉସୀ ଶୋଇବାକୁ ଯିବାପରେ ଘରର ବାକିଆ କାମ ସବୁ ସାରି ବେଙ୍ଗୁଲି ତା’ ବଖରାକୁ ଆସିଲା।
ଦେଖିଲା ପୁଅ ଗାଢ ନିଦରେ ଶୋଇ ଯାଇଛି। ସେ
ତେଣୁ ତା ନିଜ ବିଛଣା ପାରିଦେଇ ଶୋଇବାକୁ ଗଲା। ତାର
ଅପେକ୍ଷା ଥିଲା
ପର ଦିନ ସକାଳକୁ। କାଶୀ ଆସିବ, ଦୀର୍ଘ ଅଢେଇବର୍ଷ ପରେ
ସେ ଭେଟିବ ତାର ପ୍ରିୟ ମଣିଷକୁ। ମନ
ଭିତରେ ଥିବା ସବୁ ପୁଞ୍ଜିଭୂତ ଅଭିମାନକୁ ଗୋଟୋ ଗୋଟି କରି ବଖାଣି ଯିବ ସେ କାଶୀ ଆଗରେ ।
ଆଉ କେବେ ଏମିତି ଛାଡି ନଯିବାର ପ୍ରତିଶୃତି ମଧ୍ୟ ସେ ଜବରଦସ୍ତି ଆଦାୟ କରିବ କାଶୀ ପାଖରୁ।
ଆମ ଅନୁଭୂତି କୁହେ
କାହାରିକୁ ଅପେକ୍ଷା କରିବା ଗୋଟେ ଭାରି କଷ୍ଟକର ବ୍ୟାପାର।
ବେଙ୍ଗୁଲି ମଧ୍ୟ ସେହିପରି ଶେଯରେ ପଡି ରହି ଛଟପଟ ହେଉଥାଏ ସକାଳର ଅପେକ୍ଷାରେ।
ସେ ଜାଣି ପାରିନି ହୁଏତ ଭୋର ବେଳକୁ ତାର ଆଖି ଲାଗିଯାଇଛି।
କାହାର ଜଣଙ୍କର ପାଟିରେ ତାର ନିଦ ଭାଙ୍ଗିଗଲା। ନିଦରୁ
ଉଠି ସେ ଦେଖିଲା ଦରୱାନ ଛିଡା ହେଇଛି ତା କୋଠରି ସାମ୍ନାରେ।
ଦରୱାନ
କହିଲା କାଶୀ ପାଖ ଡାକ୍ତରଖାନାରେ ଭର୍ତ୍ତି ହେଇଛି। ଜଣେ
ବାବୁ ତା ଠାରୁ ମାଉସୀଙ୍କ ଠିକଣା ଆଣି ଖବର ଦେଇ ଗଲେ।
କାଲି ସନ୍ଧ୍ୟାରେ ଏଠୁ ଗଲାବେଳେ ତାକୁ ଗୋଟେ ମୋଟର ସାଇକେଲ ବାଡେଇ ଦେଲା ।
ତାକୁ ସ୍ଥାନୀୟ ସ୍ବେଚ୍ଛାସେବୀ ଭାଇମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେ ଏବେ ଠିକ୍ ଅଛି। ତୁମ ପାଖକୁ ସେହି ଭଦ୍ର ଲୋକଙ୍କ ହାତରେ ଖବର ପଠେଇଥିଲା।
ବେଙ୍ଗୁଲି ତରତରରେ ମୁହଁ
ହାତ ଧୋଇ ଦେଇ ପୁଅକୁ ସାଙ୍ଗରେ ଧରି ଡାକ୍ତରଖାନା ବାହାରିଲା।
ଯିବା ପୂର୍ବରୁ ସେ ଲୀଳା ମାଉସୀଙ୍କୁ ଖବରଟି ଜଣେଇ ଦେବାକୁ ଯାଇ ଦେଖିଲା ମାଉସୀ ଉଠି ନାହାନ୍ତି।
ସେ ଡେରି ନକରି ଡାକ୍ତରଖାନା ବାହାରିଗଲା। ଖୋଜା
ଖୋଜି କରି ସେ କାଶୀ କୁ ଡାକ୍ତରଖାନାର ଶଲ୍ୟ ବିଭାଗରେ ଠାବ କଲା।
ଦେଖିଲା ସାମାନ୍ୟ ଆଘତ ଲାଗିଛି ଦେହରେ। ସେଠି
ଥିବା ସ୍ବେଛାସେବୀ ଭାଇ ଜଣଙ୍କ କହିଲେ ଡାକ୍ତର ଆସିଲେ ଡ୍ୟୁଟିକୁ କାଶୀକୁ ଘରକୁ ଛାଡିଦେବେ।
କଶୀକୁ ନେଇ ଘରକୁ ଆସିଲା ବେଳକୁ ପ୍ରାୟ ସକାଳ ନଅଟା ବାଜିଗଲା।
ଘର ଗେଟ ପାଖରେ ବେଙ୍ଗୁଲି ଦେଖିଲା ଭିଡ ଲାଗିଛି। ସକାଳେ
ସେ ଡକ୍ତରଖାନା ଗଳାବେଳେ
ତ ସବୁ ଠିକ୍ଠାକ୍ ଥିଲା, ଏବେ
ଏମିତି କଅଣ ହେଲା। ସେ ଧଇଁ ସଇଁ ହୋଇ ଭିତରେ ପଶିଲା।
ଦେଖିଲା ଲୀଳା ମାଉସୀ ଆରାମ ଚୌକିରେ ବସିଛନ୍ତି ଓ ତାଙ୍କୁ ସାହି ପଡିଶାର କିଛି ଲୋକ ବସି ଆଉଁସା
ଆଉଁସି କରୁଛନ୍ତି। ବେଙ୍ଗୁଲି ଯାଇ ଲୀଳା ମାଉସୀଙ୍କର ଗୋଡ ପାଖରେ
ବସି ଗଲା। ବେଙ୍ଗୁଲି କୁ ଲୀଳା ମାଉସୀ ଇସାରା କରି ପଚାରିଲେ କାଶୀ ଆସିଛି ନା ନାହିଁ।
କାଶୀ ଲୀଳା ମାଉସୀଙ୍କର ଗୋଡତ୍କୁ ଜାବୁଡି ଧରି କାନ୍ଦି କାନ୍ଦି କହିବାକୁ ଲାଗିଲା, “ମା ମୋତେ କ୍ଷମା କରିଦିଅ”।
ଲୀଳା ମାଉସୀ ତାକୁ ଉଠିବା ପାଇଁ ଇସାରା କଲେ। ଏ
ଭିତରେ ଆମ୍ବୁଲାନ୍ସ ଆସି ସାରିଥାଏ।
ସମସ୍ତେ ମିଶି ଲୀଳା ମାଉସୀଙ୍କୁ ଡାକ୍ତରଖାନା ନେଇଗଲେ।
କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କଲେ।
ସମସ୍ତେ କୁହା କୁହି ହେଲେ ମାଉସୀ ଯେମିତି କାଶୀର ଫେରିବାକୁ ଅପେକ୍ଷା କରିଥିଲେ।
ମାଉସୀଙ୍କର ଅନ୍ତେଷ୍ଟି
କ୍ରିୟା ସରିବା ପରେ କାଶୀ ଓ ବେଙ୍ଗୁଲି ପୁଅକୁ ଧରି ସମସ୍ତ୍ଙ୍କ ପାଖରୁ ମେଲାଣି ନେଇ କୋରାପୁଟ
ଫେରି ଯିବାକୁ ବାହାରିଲେ। ଏତିକି ବେଳେ ମାଉସୀଙ୍କ
ଓକିଲ ତାଙ୍କୁ ରହିବାକୁ
କହି ପରିବାରର ସମସ୍ତଙ୍କୁ ଏକାଠି କରି ମାଉସୀ କରିଥିବା ଇଚ୍ଛାପତ୍ର ବିଷୟରେ ସୂଚନା ଦେଲେ।
ମାଉସୀଙ୍କ ଏକମାତ୍ର ପୁଅ ସମସ୍ତଙ୍କୁ କହିଲେ କି ମା ମୋ ପରମର୍ଶ କ୍ରମେ ଏହି ଇଚ୍ଛାପତ୍ର
ପ୍ରସ୍ତୁତ କରିଛନ୍ତି ଏବଂ ମା’ଙ୍କର ଇଚ୍ଛା ଅନୁସାରେ ବେଙ୍ଗୁଲି ଓ
ତାର ପରିବାର ଯେଉଁ ଘରେ ରହି ଆସିଛନ୍ତି ତାହା ଆଜି ଠାରୁ ସେମାନଙ୍କର ହେଲା।
ତା ଛଡା ପାଣ୍ଡବର ପଢା ଖର୍ଚ୍ଚ ଲାଗି ମାଆ ଦଶ ଲକ୍ଷ ଟଙ୍କାର ଏକ ସ୍ଥାୟୀ ଜମା ବ୍ୟାଙ୍କରେ ରଖି
ଯାଇଛନ୍ତି। ସେଥିରୁ ଯାହା ସୁଧ ଆସିବ ତାହା ପାଣ୍ଡବ ପଢା
ବାବଦରେ ଖର୍ଚ୍ଚ ହେବ। ବେଙ୍ଗୁଲି ସପରିବାର ଆମର ଏହି ଘର ର ଚୌକିଦାର
ରହିବ ଓ ମାଙ୍କର ସମସ୍ତ ଜିନିଷର ତତ୍ବାବଧାରକ ରହିବ।
ବେଙ୍ଗୁଲି ଲୀଳାମାଉସୀଙ୍କ
ଫଟୋ ପାଖରେ ବସି କାନ୍ଦି କାନ୍ଦି କହୁଥିଲା ମା ମୁଁ ସିନା ତୁମ ଝିଅ ନଥିଲି, ହେଲେ ଏ ଚାକରାଣୀଟାକୁ
କିନ୍ତୁ ତୁମେ ଧରମରେ ଝିଅ କରିଦେଲ।