Sanjaya Ananda Kumar Tripathy

Others

4.3  

Sanjaya Ananda Kumar Tripathy

Others

ଧରମ ଭାଇ

ଧରମ ଭାଇ

4 mins
194


                     

 ‘ଭାଇ’ ଶବ୍ଦ ସହିତ ସମସ୍ତେ ପରିଚିତ ବୋଲି ମୋର ଧାରଣା । ଶବ୍ଦଟି କାନରେ ପଡ଼ିଲେ ଆପଣା ଭାବ ସୃଷ୍ଟି ହୋଇଥାଏ । ବେଦ, ପୁରାଣ, ସମାଜରୁ ଆମେ ଜାଣିଛୁ ଯେ ଗୋଟିଏ ମା ପେଟରୁ ଜନ୍ମ ହୋଇଥିବା ଦୁଇଟି ପୁଅ ପରସ୍ପରକୁ ଭାଇ ବୋଲି ସମ୍ବୋଧନ କରିଥାନ୍ତି । ସେହିଭଳି ଝିଅଟିଏ ତା’ ପିଠିରେ ମା’ ପେଟରୁ ଜନ୍ମ ହୋଇଥିବା ପୁଅକୁ ଭାଇ ବୋଲି କହିଥାଏ । ମାତ୍ର ବର୍ତ୍ତମାନ ଯୁଗରେ ଭାଇର ପ୍ରକାର ବଢ଼ିଯାଇଥିବାରୁ ବାଧ୍ୟ ହୋଇ ମୋତେ କଲମ ଧରିବାକୁ ପଡ଼ିଲା ।

ଭାଇ କେତେ ପ୍ରକାରର? ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଭାଇର ପୁଣି ପ୍ରକାର ଭେଦ । ଲିଙ୍ଗ, ବଚନ, କାରକ, ବିଶେଷ୍ୟ, ବିଶେଷଣ, ସମାସ, ଜାତି, ଧର୍ମ, ଇତ୍ୟାଦି ବିଭିନ୍ନ ପ୍ରକାରର ଥାଆନ୍ତି ବୋଲି ସମସ୍ତେ ଜାଣନ୍ତି । ମାତ୍ର ଭାଇର ପ୍ରକାର କଥା ଆଲୋଚନା କଲେ ସମସ୍ତେ ରାଂଚି ଫେରନ୍ତା ବୋଲି କହିବା ସ୍ୱାଭାବିକ । ଅବଶ୍ୟ ସାଧାରଣ ଭାବରେ ମାମୁଁ ପୁଅ ଭାଇ, କକା ପୁଅ ଭାଇ, ପିଉସୀ ପୁଅ ଭାଇ, ମାଉସୀ ପୁଅ ଭାଇ ଆମ ଆଲୋଚନା ପରିସରକୁ ଆସନ୍ତି । କିନ୍ତୁ ଏଇ ଯୁଗରେ ଆଉ ଭାଇ ବି ବାହାରିଲେଣି ଯିଏ ଭାରି ମାରାତ୍ମକ ବୋଲି ଗଣାଯାନ୍ତି । ସେଥିମଧ୍ୟରୁ ଧରମ ଭାଇ(ବିଶେଷ କରି ଝିଅମାନଙ୍କର) ଓ ଭାଇ(ନାମଜାଦା ଗୁଣ୍ଡା) ଅନ୍ୟତମ ।

ପ୍ରଥମେ ଧରମ ଭାଇ କଥା ଆଲୋଚନା କରିବା । ଧରମ ଭାଇ ପ୍ରାୟତଃ ସ୍ତ୍ରୀ ଜାତିଙ୍କର ଥାଆନ୍ତି । ପୁରୁଷ ମାନଙ୍କର ଧରମ ଭାଇ ପ୍ରାୟ ନ ଥାନ୍ତି । ମୋ ଗବେଷଣା ଅନୁସାରେ ଶତକଡ଼ା ଅନେଶତ ଭାଗ ସ୍ତ୍ରୀ ଲୋକଙ୍କର ଧରମ ଭାଇ ଥିବା ବେଳେ ପୁରୁଷମାନଙ୍କର ଧରମଭାଇ ସଂଖ୍ୟା ଶତକଡ଼ା ଏକଭାଗରୁ କମ୍ । ତେବେ ଧରମଭାଇ ବଢ଼ିବାର କାରଣ ମଧ୍ୟ ଅଛି । ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ସରକାର ପରିବାର ନିୟନ୍ତ୍ରଣ ଯୋଜନା ପ୍ରଚଳନ କଲେ । ସ୍ଲୋଗାନ ଦେଲେ: ପୁଅ ହେଉ ଝିଅ ହେଉ ତିନୋଟି ସନ୍ତାନ ଯଥେଷ୍ଟ । କିଛି ବର୍ଷ ପରେ ଲେଖିଲେ: ଆମେ ଦୁଇ ଆମର ଦୁଇ । ଯିଏ ପରିବାର ନିୟନ୍ତ୍ରଣ ଯୋଜନାରେ ସାମିଲ ହୋଇ ସାର୍ଟିଫିକେଟ୍ ଆଣିଲେ ସବୁଜ ପତ୍ରିକାଟିଏ ଦେଲେ ସରକାରୀ ଚାକିରିଆ ହୋଇଥିଲେ ଗୋଟାଏ ଇନ୍‌କ୍ରିମେଣ୍ଟ ମଧ୍ୟଦେଲେ । ଏହା ବ୍ୟତୀତ ଚାକିରୀ, ପାଠପଢ଼ାରେ ତାଙ୍କ ପାଇଁ ଭାଗ ମଧ୍ୟ ରଖିଲେ । ସବୁଜ ପତ୍ରିକା ପାଇବା ପାଇଁ ଲୋକେ ଛାଟିପିଟି ହେଲେ । ଏମିତି ଗୋଟାଏ ଦମ୍ପତିଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅଥିଲେ । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ସେମାନେ ଯେତେବେଳେ ସବୁଜ ପତ୍ରିକା ଆଣିବାକୁ ଗଲେ, ଡ଼ାକ୍ତର ସ୍ୱାମୀଙ୍କୁ ପଚାରିଲେ ଆପଣଙ୍କ ପିଲାଛୁଆ କେତୋଟି? ସେ କହିଲେ ଆଜ୍ଞା ଦୁଇଟି, ଗୋଟାଏ ପୁଅ ଓ ଗୋଟାଏ ଝିଅ । ଅନୁରୂପ ଭାବେ ସ୍ତ୍ରୀ ମଧ୍ୟ ଠିକ୍ ସେ କଥା କହିଲେ । ସାର୍ଟିଫିକେଟ୍ ମିଳିଗଲା । ଧିରେଧିରେ ଲୋକେ ଶିକ୍ଷିତ ହେବା ସଂଗେ ସଂଗେ ଏବେ ଘରେ ପିଲା ସଂଖ୍ୟା ‘ଏକ’ ହୋଇଗଲାଣି ଅର୍ଥାତ୍ ପୁଅ ହେଉ ବା ଝିଅ ହେଉ ଦ୍ୱିତୀୟର ନାଁ ଧରୁନାହାନ୍ତି । ସତେ ଯେମିତି କଦଳୀ ଗଛ । ଗୋଟାଏ କାନ୍ଧି କଦଳୀ ପରେ ଠପ୍ । ଆପଣ ଭାବୁଥିବେ ମୁଁ ନଈବଢ଼ି ରଚନାରେ ଗାଈ ବିଷୟରେ ବର୍ଣ୍ଣନା କରୁଛି । ସେ କଥା ଭୁଲ୍ । ମୁଁ ହୋସ୍‌ରେ ଥାଇ ଲେଖୁଛି କାରଣ ଏଇ କଦଳୀ ଗଛର ଧର୍ମ ସମସ୍ତେ ଆପଣେଇବା ଯୋଗୁୁଁ ହିଁ ‘ଧରମ ଭାଇ’ର ସୃଷ୍ଟି ।

ମନେକରନ୍ତୁ କଦଳୀ ଗଛ ଧର୍ମ ଅନୁସାରେ ଗୋଟାଏ ପରିବାରରେ ଝିଅଟିଏ ଜନ୍ମ ହେଲା । ଝିଅ ବଡ଼ ହେବାପରେ ରାକ୍ଷୀ ପରବ ସମ୍ବନ୍ଧରେ ଜ୍ଞାନ ବଢ଼ିଲା । ଟିଭିରୁ / ସାଙ୍ଗସାଥୀ ମେଳରୁ ରାକ୍ଷୀ ବାନ୍ଧିବା ପାଇଁ ଭାଇଟିଏ ଖୋଜିଲା । ସେ ସମୟରେ ଦମ୍ପତିଙ୍କର ପିଲାଜନ୍ମ କରିବାର ବୟସ ଥିଲେ ମଧ୍ୟ ଇଛା ନଥିଲା । ତେଣୁ ଧରମ ଭାଇଟିଏ ଯୋଗାଡ଼ କଲେ ରାକ୍ଷୀ ପାଇଁ । ଅବଶ୍ୟ ଧିରେ ଧିରେ ଝିଅ ଓ ଧରମ ଭାଇର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଅଙ୍ଗରକ୍ଷୀର କାର୍ଯ୍ୟ ମଧ୍ୟ କଲା । ତେବେ ଝିଅ ବିବାହ ପର୍ଯ୍ୟନ୍ତ ଧରମଭାଇ ଯାହା ସେବା କରିଥାନ୍ତି । ପରେ କଲେ ଏହା ସାଂଘାତିକ ହୋଇଥାଏ । ବିବାହ ପରେ ଜଣେ ପତିଙ୍କ ଭାଷାରେ

ମିସ୍ କଲ୍ କଲେ ଆସଇ ଧାଇଁ

ଦିନରାତି କିଛି ସେ ମାନେ ନାହିଁ ।

ତା’ ସାଙ୍ଗରେ ସରି କେହି ନୁହଇ

ମୋ ଘରଣୀଙ୍କ ସିଏ ଧରମ ଭାଇ । ।

ପତ୍ନୀଙ୍କର ଧରମଭାଇ ମାନେ ପତିଙ୍କର ଧରମଶଳା ଭାରି ମାରାତ୍ମକ । ଖାଇବା ପିଇବାଠୁ ମୋବାଇଲ୍ ଟପ୍‌ଅପ୍ ରିଚାର୍ଜ ସବୁ ମାଗଣାରେ ପାଆନ୍ତି । ଅବଶ୍ୟ ତା ବଦଳରେ କୁକୁର ଭଳି କାର୍ଯ୍ୟ ମଧ୍ୟ କରିଥାନ୍ତି । କବିଙ୍କ ଭାଷାରେ-

ଧରମ ଶଳା

ଶଳା ନୁହେଁ ସେ ତ ଅତଞ୍ଛା କୀଳା

ବମ୍ବେଇ ମୂଳା

ଭଦ୍ରଚୋର ଆଉ ସରବଗିଳା

କରୁଛି ଲୀଳା

ରାତି ଅନିଦ୍ରା ମୋ ମୁଗୁରା ମେଲା ।

ଦ୍ୱିତୀୟ ପ୍ରକାରର ଭାଇ ହେଲେ ଗୁଣ୍ଡାଗିରି କରୁଥିବା ମଣିଷ । ବଡ଼ବଡ଼ ସହରରେ ଏପରି ଅନେକ ଭାଇ ଥାଆନ୍ତି । ଏମାନଙ୍କର ତାଙ୍କ ଇଲାକାରେ ଗୋଟାଏ ଖାତିର୍ ଥାଏ । ‘ଭାଇ’ଙ୍କର ଚେଲା, ଚାମୁଣ୍ଡା ତାଙ୍କ ନାମରେ ଭୋଗ ପାଆନ୍ତି । ଜମିବାଡ଼ି କିଣାବିକାରେ, ପୂଜା ସମୟରେ, କୌଣସି ଗଣ୍ଡଗୋଳ ସମାଧାନରେ ‘ଭାଇ’ଙ୍କର ଭୂମିକା ଗୁରୁତ୍ୱପୂର୍ଣର୍ ହୋଇଥାଏ । ଆଉ ନିର୍ବାଚନ ଆସିଗଲେ ଏମାନଙ୍କର ଏମାନଙ୍କ ଶକ୍ତି ବଢ଼ିଯାଏ । ମୋବାଇଲ୍‌ରେ ମ୍ୟାଜିକ୍ ଭାଉଚର ପଡ଼ିଲା ପରି, ପରିଣତ ବୟସରେ ଭାଏଗ୍ରା ଖାଇଲାପରି ଏମାନେ ଖାଲି ଉଡ଼ନ୍ତି । ଭାଇଙ୍କର ଇଲାକା ଅନୁସାରେ ଆୟ ବଢ଼ିଯାଏ । ପୋଲିସ୍ ବି ଏମାନଙ୍କୁ ଖାତିର କରନ୍ତି । ନେତାମାନେ ଭାରି ଭଲ ପାଆନ୍ତି । ଅବଶ୍ୟ ତାଙ୍କର ଗୋଟାଏ ଆଭିଜାତ୍ୟ ରଖି ନିଜ ଇଲାକାରେ କୁକୁର, ବି ବାଘ ବୋଲି ପ୍ରମାଣ କରିଥାନ୍ତି । ଘରଭଡା ଦେଇ ଆଦାୟ କରିପାରୁ ନ ଥିବା ଲୋକ, ବାକି ଦେଇ ଅସୁଲି କରିପାରୁ ନଥିବା ଦୋକାନୀମାନେ ଏମାନଙ୍କୁ ଭାରି ଭଲ ପାଆନ୍ତି କାରଣ କାମଟା ଅତି ସହଜରେ ହୋଇଯାଏ । ଏ ଭାଇମାନଙ୍କୁ ମୋର ଦୁରୁ ଜୁହାର ।

ଏତଦ୍ ବ୍ୟତୀତ ଗୁରୁଭାଇ, କେତେକ ଶିକ୍ଷାନୁଷ୍ଠାନରେ ଗୁରୁଛାତ୍ର ଭାଇଭାଇ, ବଡ଼ନେତା- ସାନନେତା ମଧ୍ୟରେ ଭାଇଭାଇ, ସମାନ ପଦବୀରେ ଥିବା ବ୍ୟକ୍ତିମାନେ ଭାଇ ସମ୍ବୋଧନ କରିବା ଏ ଅଧମ ଲକ୍ଷ୍ୟ କରିଛି । ଦଙ୍ଗା ହେଲେ ଭାଇ ଚାରା ଲକ୍ଷ୍ୟ ପାଇ ନିଦେଦନ କରିବା ମଧ୍ୟ ଏ କର୍ଣ୍ଣ ଶୁଣିଛି । ଏମିତି ଭାଇ ଉପରେ ଗବେଷଣା ମଧ୍ୟ ଚାଲୁ ରହିଛି ।



Rate this content
Log in