ଡେଣାକଟା ପକ୍ଷୀ ର ଆତ୍ମକଥା
ଡେଣାକଟା ପକ୍ଷୀ ର ଆତ୍ମକଥା
ସେଦିନ ଡ଼. ସଚ୍ଚିଦାନନ୍ଦ କରଙ୍କ ରଚିତ "ଶୂନ୍ୟ କୁ ପ୍ରଶ୍ନ " ଗଳ୍ପଟି ପଢି ସାରି ସ୍ନେହାର ଚନ୍ଦ୍ର ଉଦିଆ ଚେହେରା ଉପରେ ଯେମିତି କଳା ହାଣ୍ଡିଆ ମେଘଟା ଢାଙ୍କି ହେଇଯାଇଥିଲା । ସେ ଭାରି ଗୁମସୁମ୍ ଜଣା ପଡୁଥିଲା । ଆଉ ମନେ ମନେ ନିଜକୁ ନିଜେ ରୋମନ୍ଥନ କରି ପ୍ରଶ୍ନ କରି ଚାଲିଥିଲା , ସତରେ କଣ ସେ ପକ୍ଷୀ ସାବକର ମା ' ଟି ଏବେବି ଝୁରି ହେଉଥିବ ତା କୁନି ଛୁଆ ର ଫେରିବା ବାଟକୁ ..?? ସତରେ କଣ ଏବେବି ବାର ଓଷା ତେର ବ୍ରତ ରେ ଉପବାସ କରି ତା ମା' ତା କୁନି ଛୁଆ ର ମଙ୍ଗଳ ମନାସୁ ଥିବ..??
ଏମିତି ଚିନ୍ତନ ଭିତରେ ସେ କେତେବେଳେ ଯେ ସେ କୁନି ପକ୍ଷୀ ସାବକ ପାଲଟି ଯାଇ ଖଣ୍ଡି ଉଡା ଦେଉଥିବା ବୟସ କୁ ଫେରିଯାଇଥିଲା ସେ ଜାଣେନା ।
ଏଇ ଯେ ତାର କଅଁଳ ଡେଣା ରେ ନୂଆ ନୂଆ ପର ସବୁ ଉକୁଟି ଉଠିଲାଣି । ଏବେ ମନ ହେଉଛି ତାର ସେ କଅଁଳ ଡେଣା ରେ ବିଶ୍ବାସ ବାନ୍ଧି ଉଡିଯାଆନ୍ତା କି ଦୂର ତାଳ ବନ ବିଲ ନଇ ଡେଇଁ ସେ ନୀଳ ଆକାଶର ସଫେଦ୍ ଜହ୍ନ ପାଖକୁ । ଆଉ ତା ଶୀତଳ ଜ୍ୱୋତ୍ସା ରେ ଓଦା ସରସର ହୋଇ ନାଚି ନାଚି ମନ ଖୋଲି ଖୁବ୍ ଉପଭୋଗ କରନ୍ତା ନବ ଯୌବନର ନବ ସୌରଭକୁ । ସେ ନିଜ ଭାବନା ରାଜ୍ୟ ରେ ଉଡିବୁଲି ଭାବ ବିହ୍ଵଳ ହୋଇ ଉଠିଲା । ନିଜ ମା ' ପାଖରୁ ଅନୁମତି ନେଇ ତା ଡେଣା ସହିତ ଡେଣାର ତାଳ ମିଳେଇ ଖଣ୍ଡି ଉଡା ଦେଇଥିଲା ତାର ଅଗଣା ପରିଧି ଭିତରେ । ହେଲେ ଅମାନିଆ ମନ କଣ ସେତିକିରେ ବୋଲ ମାନୁଥିଲା , ସେ ଚାହୁଁଥିଲା ପ୍ରଶସ୍ତ ଆକାଶରେ ଖୋଲା ଛାତିର ପ୍ରେମ ।ସେଥିଲାଗି ତ ଡେଣା ଝାଡି ଉଡୁଉଡୁ ବାପା ମା ପରିବାର ର ଅଗୋଚର ରେ ନିଜ ମନର ମଣିଷ ରିତେଶ୍ ର ହାତ ଧରି ଚାଲି ଆସିଥିଲା ସେ । ତା ପ୍ରେମକୁ ମୁକ୍ତି , ତା ଭଲପାଇବାକୁ ପ୍ରାପ୍ତି ,ଆଉ ତା ସହିତ ବିତିଥିବା ଗୋଟିଏ ଗୋଟିଏ କ୍ଷଣକୁ ଜୀବନ ର ଶ୍ରେଷ୍ଠ ସୁଖ ଏବଂ ଶାନ୍ତି ବୋଲି ଭାବି ନେଇଥିଲା ।
ହେଲେ ସେ ବା କେମିତି ଜାଣିବ ପୁରୁଷର ପ୍ରେମ , କଳ୍ପନା ଆଉ ବାସ୍ତବତା ଭିତରେ ଆକାଶ ପାତାଳର ଫରକ ତିଆରି କରି ରଖିଛି । ବିବାହ ପରେ ପରେ କେହି ଯେମିତି ତା ସୁନା ସ୍ୱପ୍ନର ପର ଲଗା ଡେଣା ଦୁଇଟିକୁ ସଂସ୍କାର , ପରମ୍ପରା , ନୀତି ନିୟମର ନାମ ଦେଇ କାଟି ଟିକ୍ ଟିକ୍ କରି ଫିଙ୍ଗି ଦେଇଥିଲା । ଏବେ ସବୁକିଛି ତାର ମାପି ଚୁପି କରିବାକୁ ହୁଏ । କାହାକୁ ଦେଖି ହସିଲେ ଦୋଷ , କାହା ସହିତ ମନଖୋଲା କଥା ହେଲେ ଦୋଷ ,କାହା ସହିତ ବନ୍ଧୁତା ବାନ୍ଧିଲେ ଦୋଷ , ଏମିତିକି କଣ ଖାଇବ-ନ ଖାଇବ ,କଣ ପିନ୍ଧିବ-ନ ପିନ୍ଧିବ ,କଣ କରିବ -ନ କରିବ ସବୁକିଛି ଅନ୍ୟ ଇସାରାର ଇସ୍ତାହାରରେ ଲେଖାଥିଲା । ସେ ତ ନାମକୁ ମାତ୍ର ପ୍ରେମର ପୂଜାରିଣୀ । ତା ଜୀବନରେ ବୋଧେ ପ୍ରେମ ର ପରିଭାଷାର ନୀୟମ ବଦଳି ଯାଇଥିଲା । ସ୍ୱାମୀ ସୁଖ କହିଲେ ସେ ବୁଝୁଥିଲା ଗୋଟିଏ ଶକ୍ତ ପୁରୁଷ ର ପଶୁତ୍ବକୁ ଚୁପ୍ ଚାପ୍ ନୀରବ ରହି ସମର୍ଥନ ଦେବା । ତା ହସ ରେ ହସ ଭରିବା ତା ଖୁସି ରେ ଖୁସି ହେବା । ହୁଏତ ଏହା ହିଁ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ର ଭିନ୍ନ ଦିଗ । ଯେତେବେଳେ ମନ ପାରା ଖୁବ୍ ଗୁମୁରି ଗୁମୁରି କାନ୍ଦେ ସେତେବେଳେ ମନେ ପଡେ ତା ବାୟାଣୀ ମା ' ର କେଇ ପଦ କଥା, -"ବୁଝିଲୁ ମା' ଯେତେ ଦୂରକୁ ଉଡିବାକୁ ଚାହୁଁଛୁ ଉଡ୍ ହେଲେ ତୋ ଉଡାଣର ଦିଗ ବଦଳେଇ କାହା ହାତରେ କେବେ ଧରା ଦେବୁନି । ଏ ସମାଜ ପକ୍ଷୀ ଛୁଆର ଡେଣା ଆଉ ପର କାଟି ଫିଙ୍ଗିବାକୁ ଖୁବ୍ ଭଲପାଏ ।"
"ସ୍ନେହା..ଆରେ କଣ ଭାବୁଛ..??ଆସ ଦେଖିବ ମୁଁ ତୁମ ପାଇଁ କଣ ଆଣିଛି.."-
ରିତେଶ୍ ର ଡାକରେ ପ୍ରକୃତିସ୍ଥ ହୋଇ ସ୍ନେହା ଯାଇ ଦେଖେ ତ କୁନି ହଳଦୀ ଗୁରୁଗୁରୁ ପକ୍ଷୀଛୁଆ ଟିକୁ ପଞ୍ଜୁରୀ ଭିତରେ ଧରି ରିତେଶ୍ ମୁରୁକି ମୁରୁକି ହସୁଛନ୍ତି ।
ସେ ବି ତାଙ୍କ ହସରେ ଦରଫୁଟା ହସ ଟିଏ ଫିଙ୍ଗି ଦେଇ ପଞ୍ଜୁରୀଟି ନେଇ ନିଜ ଶୋଇବା ଘର ଦାଣ୍ଡ ବାରଣ୍ଡାରେ ଟାଙ୍ଗିଦେଲା ।
ଏବେ ଦୁଇଟି ଡେଣା କଟା ପକ୍ଷୀ ଗୋଟିଏ ପଞ୍ଜୁରୀ ରେ ବନ୍ଦୀ ଥିଲେ ।
