ଡାକ୍ତରୀ ବିଦ୍ୟାର ବାହାରେ
ଡାକ୍ତରୀ ବିଦ୍ୟାର ବାହାରେ


ଦୁହେଁ ଡାକ୍ତର । ହେମନ୍ତ ମେଡିସିନ୍ ସ୍ପେସିଆଲିଷ୍ଟ୍, ହେମାଙ୍ଗୀ ଗାଇନିକ୍ । ନାମରେ ଯେମିତି ସଙ୍ଗତି, ସ୍ୱଭାବରେ ବି ସେମିତି । ଦୁହିଁଙ୍କ ଭିତରେ ଅସମ୍ଭବ ଭାବରେ ପ୍ରେମ ଏ ବୁଝାମଣା । ଲାଗେ ଯେମିତି ପ୍ରେମରାଇଜର ରାଜକୁମାର ଆଉ ରାଜକୁମାରୀ । ସମସ୍ତେ କୁହନ୍ତି ସେମାନଙ୍କୁ ଦେଖିଲେ ବେମାରୀ ଆପେ ଆପେ ପଳେଇଯାଏ । ବିବାହ ଦଶ ବର୍ଷ ହୋଇଗଲାଣି । ହେଲେ କୋଳ ଖାଲି । ନିଜ ନିଜର ପ୍ରଫେସନରେ ଏତେ ମଗ୍ନ ଯେ ଏ କଥା ଚିନ୍ତା କରିବାକୁ ସମୟ ପାଇ ନାହାନ୍ତି । ମନରେ ଗ୍ଲାନି ନାହିଁ କି ଅବଶୋଷ ନାହିଁ । ପ୍ରକୃତ ସମୟକୁ ଅପେକ୍ଷା କରିଛନ୍ତି । ଦୁହିଁଙ୍କ ଅନୁସାରେ ସବୁ ଜିନିଷ ଘଟିବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି । ହୁଏତ ଏ ପର୍ଯ୍ୟନ୍ତ ସେ ସମୟ ଆସିନାହିଁ । ହେଲେ ଗାଆଁ ଲୋକଙ୍କୁ ଏ କଥା ବୁଝେଇବା ବଡ କଷ୍ଟକର । ଯେମିତି ହେଲେ ସ୍ତ୍ରୀ ଲୋକମାନେ କୌଣସି ନା କୌଣସି ବାହାନାରେ ପଚାରି ଦେବେ । ନାତି ନାତୁଣୀ ଆଉ କେବେ ଆସିବେ ? ହସି ଦିଅନ୍ତି ଦୁହେଁ । ଟିକେ ଚିଡେଇଲା ଭଳି ଡାକ୍ତର ବାବୁ କହନ୍ତି, ‘ଠାକୁରଙ୍କ ବା ଦୟା ହୋଇନି’ ।
ଘରୁ ଆଉ ଲୋକଙ୍କ ଭିଡ କମୁନି । ପିଲାଠୁଁ ଆରମ୍ଭ କରି ବୁଢା ବୁଢୀ ପର୍ଯ୍ୟନ୍ତ ଧାଡି ବାନ୍ଧିଛନ୍ତି । ଗାଆଁ ଡାକ୍ତର । ଔଷଧ ବି ମାଗଣା । ଯାହାର ଦେହ ଠିକ୍ ଅଛି, ସେ ବି କିଛି ନା କିଛି ବାହାନା କରି ପଳେଇ ଆସୁଛି ପଚାରିବାକୁ । ମଝିରେ ମଝିରେ ଦୁହେଁ ପତି ପତ୍ନୀ ଗାଆଁକୁ ଚାଲି ଆସନ୍ତି । ଗାଆଁରେ ଆଉ କେହି ନାହାନ୍ତି । ଘର ଜଗିବାକୁ କୁଟୁମ୍ବର ଜଣଙ୍କୁ ଦାୟିତ୍ୱ ଦେଇଛନ୍ତି । ଆସିବା ଆଗରୁ ଖବର ଦେଲେ ସବୁ ଠିକ୍ ଠାକ କରି ଦିଅନ୍ତି । ପାଣି ଠୁ ଆରମ୍ଭ କରି ରୋଷେଇବାସ ପର୍ଯ୍ୟନ୍ତ, ସବୁ ଯୋଗାଡ କରି ଦିଅନ୍ତି । ବଡ କଷ୍ଟରେ ଦୁଇ ଦିନ ଛୁଟି ନେଇ ସ୍ୱାମୀ ସ୍ତ୍ରୀ ଗାଆଁକୁ ଆସିଲେ । ରୋଗୀ ଦେଖା ସରିବା ବେଳକୁ ଦିନ ବାରଟା ହୋଇଗଲାଣି । ଆନନ୍ଦ ମନରେ ଦୁହେଁ ଛାତ ଉପରକୁ ଗଲେ ଦେଖିବା ପାଇଁ ଅବସ୍ଥା କେମିତି ଅଛି ।
ଖରା ପ୍ରବଳ, ଜୁନ୍ ମାସ । ଉପର ଦେଖୁ ଦେଖୁ ଆର ପଟ ବାଡି ଆଡକୁ ଆଖି ବୁଲେଇ ଆଣିଲେ । ତଳେ ଗଛ ମୂଳେ ପଡିଶା ଘର ଜେଜେ ମାଆ ଆଉ ଜେଜେ ବାପା । ଜେଜେଙ୍କୁ ଜର । ଏଇ ତ ସକାଳୁ ଜେଜେ ମାଆ ଆସିଥିଲେ ଔଷଧ ନେବାକୁ । ନିଜେ ଯାଇ ମଧ୍ୟ ଦେଖି ଆସିଥିଲେ । ଟେମ୍ପରେଚର୍ ପାଖାପାଖି 103 ଥିଲା । ଔଷଧ ବି ଦେଇଥିଲେ । ସନ୍ଧ୍ୟାକୁ ପୁଣି ଥରେ ଆସିବା ପାଇଁ କହି ଆସିଥିଲେ । ଏବେ ଦେଖନ୍ତି ତ ଜେଜେ
ଘୋଡି ଘାଡି ହୋଇ ଶୋଇଛନ୍ତି । ଜେଜେ ମାଆ ଗୋଡ ଘଷୁଛନ୍ତି । ହଠାତ୍ ପାଟି ଶୁଣାଗଲା, ଆଇସ୍କ୍ରିମ୍.... ଆଇସ୍କ୍ରିମ୍.... ଖରାଦିନିଆଁ ଦି ପହରେ ଏ ଡାକଟି ବେଶ୍ ପରିଚିତ । ଦୁହେଁ ଡାକ୍ତର ଡାକ୍ତରାଣୀ ଛାତ ଉପରେ ଠିଆ ହୋଇ ଦେଖୁଥାନ୍ତି ।
ଜେଜେବାପା ପଚାରିଲେ, ‘କ’ଣ ଡାକୁଛି ?’ ଆଇସିକିରିମି....... ଖାଇବକି ? ଦୁହେଁ ଟିକେ ଚମକି ପଡିଲି । ଆରେ ଏତେ ଜର ? ପୁଣି ଆଇସ୍କ୍ରିମ୍ ? ଜେଜେଙ୍କ ହାବ ଭାବ ଦେଖି ଜେଜେମାଆ ଅଣ୍ଟିରୁ କିଛି ରେଜା ପଇସା ବାହାର କଲେ । ସିଧା ଯାଇ ଆଇସ୍କ୍ରିମ୍ ବାଲାଠୁଁ ଟଙ୍କିକିଆ ଆଇସ୍କ୍ରିମ୍ ନେଇ ଆସିଲେ । ଜେଜେଙ୍କ ହାତକୁ ବଢେଇଦେଲେ । ଜରରେ ଥର ଥର ହୋଇ ଜେଜେ ଆଇସ୍କ୍ରିମଟିକୁ ଆନନ୍ଦରେ ଚାଟିବାକୁ ଆରମ୍ଭ କଲେ । ତୃପ୍ତିରେ ଜେଜେମାଆ ଚାହିଁ ରହିଥାନ୍ତି । ପଚାରିଲେ କ’ଣ ଟିକେ ହିତ ହିତ ନାଗୁଛି ? ଜେଜେ ମୁଣ୍ଡ ହଲେଇ କହିଲେ, ‘ହଁ... ହଁ... ହେଉନି କ’ଣ? କେତେ ହିତ ହେଲା ଭଳିଆ ଲାଗୁଛି’ ।
ଡାକ୍ତର ଡାକ୍ତରାଣୀ ପରସ୍ପରକୁ ଚାହିଁ ରହିଲେ । ଦୁହେଁ ଯେମିତି କହିବାକୁ ଚାହୁଁଥିଲେ, ସବୁ କିଛି ମେଡିକାଲ୍ ସାଇନ୍ସରେ ଲେଖାଯାଇନି । କିଛି ବି ତା’ ପରିସୀମାର ବାହାରେ ଅଛି, ଯେଉଁଟା ରୋଗକୁ ବି ଭଲ କରିଦିଏ ।