Banabihari Mishra

Others

4  

Banabihari Mishra

Others

ଦାମ୍ପତ୍ୟ କଳହେ ଚୈବ

ଦାମ୍ପତ୍ୟ କଳହେ ଚୈବ

5 mins
729


ସରୋଜ ବାବୁ ସେଦିନ ଅଫିସରୁ ଫେରିଲା ବେଳେ ବାଟରେ ଗୋଟେ ଜାଗାରେ ପ୍ରବଚନ ଚାଲିଥିଲା। ପ୍ରବଚକ ଜଣକ ବୁଝୋଉଥିଲେ ମୌନ ରହିବା କେତେ ଲାଭଦାୟକ। ପ୍ରତ୍ୟେକ ଘରେ ପ୍ରାୟତଃ ସାମାନ୍ୟ କଥାରୁ ବଚସା, କଥା କଟାକଟି, ବେଳେବେଳେ ମତାନ୍ତରରୁ ମନାନ୍ତର ଆଉ ତାପରେ ଅତ୍ୟନ୍ତ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ। ସେଥିରୁ ରକ୍ଷା ପାଇବା ପାଇଁ ଆଉ ଘରେ ଶାନ୍ତିର ସ୍ଥାୟୀତ୍ବ ପାଇଁ ମୌନ ରହିବା ନିହାତି ଆବଶ୍ୟକ।


ମନେ ମନେ ହସୁଥିଲେ ସରୋଜ ବାବୁ। ଇଏ ତ ବାବାଜିଆ ଲୋକ, ଘରସଂସାରର ନାଁ ଗନ୍ଧ ନଥିବ। ଏତେ ଗହନ କଥା ଆଉ ଗୁପ୍ତ ମନ୍ତ୍ରର ଜ୍ଞାନକଥା ଜାଣିଲେ କେମିତି? ହେଇଥିବ, କୋଉ ଶାସ୍ତ୍ରରେ ଏ ଗହନ କଥା ଲେଖାଥିବ। ସେ ଯାହାହେଉ, ସରୋଜ ବାବୁ ସେଇ ବାଟରେ ଘରେ ପହଞ୍ଚିବା ପୂର୍ବରୁ ନିଷ୍ପତ୍ତି ନେଲେ ଯେ ଆଉ ନିଜ ଜିଭକୁ ବେଲଗାମ ଛାଡ଼ିଦେଇ ହେବନି। ସବୁ ଅଶାନ୍ତିର ମୂଳ ଏଇ ଜିଭ। ପତ୍ନୀଙ୍କ ମୁହଁରୁ, "ମୋ ଭାଇ, ମୋ ବାପା, ମୋ ବୋଉ, ମୋ ଭାଉଜ, ମୋ ଭଉଣୀ" ଏସବୁ ଶୁଣି ଆଉ ବିଶେଷ ଭାବରେ "ମୋ ଭିଣୋଇ ଏମିତି, ସେମିତି" ଶୁଣିଲେ ଭାରି ବିରକ୍ତ ଲାଗେ। ଜମାରୁ ସହି ପାରନ୍ତି ନାହିଁ ସରୋଜ ବାବୁ। ନିପଟ ମଫସଲରେ ଶ୍ବଶୁର ଘର। ନା ସେଠିକି ଯିବାଆସିବା ପାଇଁ ସୁବିଧା ଅଛି, ନା ଅଛି ସହରରେ ମିଳୁଥିବା ଆଧୁନିକ ସୁବିଧା ସବୁ। ସେଥିପାଇଁ ବାହାଘରର ଦଶବର୍ଷ ଭିତରେ ସରୋଜ ବାବୁ ଶ୍ବଶୁର ଘରକୁ ଅତି ବେଶୀରେ ଚାରି କି ପାଞ୍ଚ ଥର ମାତ୍ର ଯାଇଛନ୍ତି। ଅବଶ୍ୟ ଏ କଥା ତାଙ୍କ ମୁହଁ ଭୁରୁଡି କହୁଥିଲା। ହେଲେ ଅନ୍ତରରେ ଅନୁଭବ କରନ୍ତି ଗାଁର ନିଆରା ମୁକ୍ତ ପରିବେଶ, ଅକୃତ୍ରିମ ସ୍ନେହ, ଅନାବିଳ ମମତା ସବୁ ସେହିସବୁ 'ନାହିଁ ନାହିଁ' ଉପରେ ଆଧିପତ୍ୟ ବିସ୍ତାର କରେ। ତଥାପି କାହିଁକି କେଜାଣି ପତ୍ନୀଙ୍କ ମୁହଁରୁ ଶ୍ବଶୁର ଘରର ଅନାବଶ୍ୟକ ପ୍ରଶଂସା ଶୁଣି କେମିତି ଗୋଟେ ଅସହିଷ୍ଣୁଭାବ ମନରେ ଆସେ। ସେଇଠୁ ଆରମ୍ଭ ହେଇଯାଏ ସରୋଜ ବାବୁଙ୍କ ପାଳି। ସିଏ ବି ଭଲକରି କଡାମିଠା ଦି'ପଦ ଶୁଣେଇ ଦେବାଟା ଥୟ।


ବାସ୍, ଘରର ଅଭ୍ୟନ୍ତର ପ୍ରଦେଶରୁ ଭାସିଆସେ ବେଶ୍ ବାଧିଲା ଭଳି କଥାମାନ। ବୀଣାଜିଣା କଣ୍ଠଟା ସେତେବେଳକୁ ଅତ୍ୟନ୍ତ କର୍କଶ ଗର୍ଦ୍ଦଭତୁଲ୍ୟ ପ୍ରତୀତ ହେଉଥାଏ। ଏତେ ସବୁ ବର୍ଣ୍ଣନା ଏଠାରେ ଅପ୍ରଯୁଜ୍ୟ ମନେକରି ଆମ୍ଭେ ସେ ପ୍ରସଙ୍ଗରେ ଅଧିକ ଆଲୋକପାତ କରୁନାହୁଁ। ପାଠକେ କେବଳ ଏ ସମ୍ବନ୍ଧରେ ଜାଣିରଖିବା କଥା ଯେ ହାରଜିତ ଯାହାର ବି ହେଉ, ପରିଣତି ସେଇ ଗୋଟିଏ। ପତ୍ନୀ ତକିଆରେ ମୁହଁ ମାଡି ଶୋଇବେ ଆଉ ଘରେ ରୋଷେଇ ବନ୍ଦ। ଛୁଆପିଲା ତ ବଡ଼ ବଡ଼ ହେଇଗଲେଣି। ଯେ ଯାହାର ସଂସ୍ଥାନ ସୁରୁଖୁରୁରେ ଚଲାଇ ଘରଠୁ ଦୂରରେ ରୁହନ୍ତି। ସରୋଜ ବାବୁ ଆଉ ତାଙ୍କ ପତ୍ନୀ, ଦି'ପ୍ରାଣୀ ପ୍ରାୟତଃ ଏଭଳି ପରିସ୍ଥିତିରେ ଉପାସରେ ବିଛଣାରେ ପରସ୍ପର ଆଡ଼କୁ ପଛ କରି ଶୋଇବାର ଉପକ୍ରମ କରନ୍ତି। ଅବଶ୍ୟ ପରସ୍ପର ଆଡ଼କୁ ମୁହଁ କରିବା ପାଇଁ ବେଶୀ ଡେରି ହୁଏନାହିଁ ବୋଲି ପାଖ ପଡୋଶୀ ନଜିର ଦେଖିଛନ୍ତି। ସକାଳ ହେଲେ ପୁଣି ଯଥାସ୍ଥିତି ବଜାୟ ରହିବାର ବି ନିଶ୍ଚିତ।


ଏଇଭଳି ନିତ୍ୟ ନୈମିତ୍ତିକ ଘଟଣାର ଅତି ସୁକ୍ଷ୍ମ ଭାବରେ ଅନୁଧ୍ୟାନ କରିବା ପରେ ସରୋଜ ବାବୁ ସେଦିନ ସେଇ ବାଟରେ ହିଁ ସ୍ଥିର କରିନେଲେ ଯେ ଯାହା ବି ହେଇଯାଉ, ପତ୍ନୀଙ୍କର କୌଣସି କଥାର କିଛି ବି ଉତ୍ତର ଦେବେ ନାହିଁ। ଯେତେ ପ୍ରରୋଚକ ହେଇଥାଉ ପଛେ, ସଦୈବ ନୀରବତା ହିଁ ଅବଲମ୍ବନୀୟ।


ସରୋଜ ବାବୁ ଘରେ ପହଞ୍ଚିଗଲେ। ଅଭ୍ୟାସ ମୁତାବକ ଅଫିସ ବ୍ୟାଗଟା ଯଥା ସ୍ଥାନରେ ଟଙ୍ଗେଇ ଦେଇ ଅପେକ୍ଷା କରି ବସିଲେ ଗରମାଗରମ କପେ ଚା ପାଇଁ। ଆଜିଠାରୁ କଥା କହିବା ବନ୍ଦ, ତେଣୁ ମୁହଁ ଖୋଲି ମାଗିବେ କେମିତି? ପ୍ରତିଜ୍ଞା ଭାଙ୍ଗି ଗଲେ ନିଜ ପୁରୁଷପଣିଆ ପାଖରେ ନିଜେ ହାରି ଯିବେନି? ବେଶ୍ କିଛି ସମୟ ଅପେକ୍ଷା କରିବା ପରେ ପତ୍ନୀ ବଢ଼େଇ ଦେଲେ କପେ ଚା। ଚା ସୁଡୁକା ମାରି ପିଇବାର ଯେଉଁ ଆନନ୍ଦ, ସେଇ ଆବେଗରେ ଚା କପଟା ଓଠ ପାଖକୁ ନେଉ ନେଉ ରୋଷେଇ ଘରକୁ ଫେରିଯାଉଥିବା ତାଙ୍କ ପତ୍ନୀ ପୁନର୍ବାର ଫେରିଆସି ଆକ୍ରମଣାତ୍ମକ ଭଙ୍ଗୀରେ କହିଲେ, "ତିନି ଦିନ ହେଲା କହିଲିଣି, ଅଫିସରୁ ଫେରିଲା ବେଳେ ବଣିଆ ଦୋକାନରୁ କାନଫୁଲ ହଳଟା ନେଇ ଆସିବ। ନିଦାବିଷ୍ଣୁ ହେଇଯାଇଚ, ମୋ କଥାଗୁଡା ଏ କାନରେ ପୁରେଇ ସେ କାନରେ ବାହାର କରିଦୋଉଚ।" ଏ ପର୍ଯ୍ୟନ୍ତ କଥାଗୁଡା ନିଜ ପରିବାର ଭିତରେ ଥିଲା ଯାହା ସରୋଜ ବାବୁ ସହି ଯାଇଥିଲେ। କିନ୍ତୁ ଏଇଠୁ ଆରମ୍ଭ ହେଇଗଲା ସେଇ ପୁରୁଣା ଅଧ୍ୟାୟର ବିଶେଷ ଅଂଶ। "ତମ ଦେଇ କିଛି ହବନି। ଯା ଦେଖିବ, ମୋ ନାନୀ ପାଟିରୁ କିଛି କଥା ବାହାରିବା ଆଗରୁ ମୋ ଭିଣୋଇ ପୁରଣ କରି ଦିଅନ୍ତି। ଆଉ ତମେ, ତିନି ଦିନ ହେଲା କହିଲିଣି, ଏଇ କାମଟା କଲନି। ମୋର ଆଉ କ'ଣ ତମେ କରିବ ଯେ?" ସରୋଜ ବାବୁଙ୍କ ଜିଭଟା ଖଲଖଲ ହେଉଥିଲା ଏ କଥାର ଜବାବ ଦେବାକୁ। କିନ୍ତୁ ମନେ ପଡିଗଲା ସ୍ବସ୍ବୀକୃତ ଶପଥ କଥା। ଚୁପ୍ ରହିଲେ ସରୋଜ ବାବୁ। ପତ୍ନୀଙ୍କ ମନରେ ଟିକେ ଖଟକା ଲାଗିଲା ବୋଧେ, ସବୁଥର କଥାର ଜବାବ ଦେଇ କଥା କଟାକଟି ଆଉ ଯୁକ୍ତିତର୍କ ପାଇଁ ଖୋରାକ ଯୋଗାଉଥିବା ଲୋକଟା ହଠାତ୍ ଚୁପଚାପ ହେଇଗଲା। ଅଗତ୍ୟା ଆଉ କୌଣସି ତର୍କ ନ ବଢେଇ ଅପେକ୍ଷା କରି ରହିଲେ ସରୋଜ ବାବୁଙ୍କ ପରବର୍ତ୍ତୀ କଥାକୁ। ଘଣ୍ଟାଏ ଗଲା, ଦି'ଘଣ୍ଟା ଗଲା, ସରୋଜ ବାବୁ କିଛି କଥା କହୁନଥାନ୍ତି। ଏଥର ପତ୍ନୀ ମହାଶୟା ସ୍ଥିର ନିଶ୍ଚିତ ହେଇଗଲେ କିଛି ଗୋଟେ ହେଇଛି। 


ସରକାରୀ କ୍ବାଟର, ଏଟା ଗାଁ ନୁହେଁ ଯେ ଦଉଡ଼ି ଯିବେ ସୀତା ନାନୀ ପାଖକୁ କି ରମା ଖୁଡୀ ପାଖକୁ ଯିଏ କିଛି ବାଟ ବତେଇଦେବେ। ଏଠି କେହି କାହାକୁ ଚିହ୍ନନ୍ତିନି। ଜଣକ ଘରେ ମଡ଼ା ପଡ଼ିଥିଲା ବେଳେ ପାଖ ଘରେ ଭୋଜିଭାତର ଆସର ଜମିବା ବିଚିତ୍ର ନୁହେଁ। ଏଠି କେହି କାହାକୁ ଜାଣନ୍ତିନି, ହେଲେ ପରସ୍ପରର ଗୋଇ ଜାଣନ୍ତି। କାହା ଘରକୁ କିଏ ଯା ଆସ କରେ଼, କାହା ଝିଅର କାହା ସାଙ୍ଗରେ ଚକ୍କର ଚଲେଇଛି, କିଏ କେତେ ଉପୁରି ଘରକୁ ଆଣୁଛି ସବୁ ନାରୀମହଲରେ ଟୁପୁରୁଟାପର ଚାଲେ। ତଥାପି ପଡୋଶୀ ଘରକୁ ପତ୍ନୀ ମହାଶୟା ଗୋଡ଼ କାଢିଲେ। ପାଖରେ ଜଣେ ତେଲେଙ୍ଗା ପରିବାର ରୁହନ୍ତି ଯିଏ ନା ଓଡ଼ିଆ ଭଲରେ ବୁଝନ୍ତି ନା ହିନ୍ଦୀ। ସରୋଜ ବାବୁଙ୍କ ପତ୍ନୀ ତ ମଫସଲୀ ଦରବୟସିଆ ମାଇପିଲୋକ। ସିଏ ବି କୋଉ ଛାଡନ୍ତି। ଓଡ଼ିଆ ବୋଲିରେ ହେଁ ହାଁ ଲଗେଇ ତାକୁ ହିନ୍ଦୀ କରିଦିଅନ୍ତି। ଏଇମିତି ସେମାନଙ୍କ ମଧ୍ୟରେ କଥୋପକଥନ ଭାରି ଆମୋଦଦାୟକ। ଶୁଣିଲା ଲୋକଙ୍କ ହସିହସି ପେଟ ବଥା ହେଇଯାଏ। ସେଥକୁ ତାଙ୍କର କିନ୍ତୁ ପରବାୟ ନଥାଏ। 


ପଡୋଶୀ ଘରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ କଣ ନିଷ୍କର୍ଷ ବାହାରିଲା କେଜାଣି, ଘରକୁ ହସିହସି ପ୍ରତ୍ୟାବର୍ତ୍ତନ ସରୋଜ ବାବୁଙ୍କ ପତ୍ନୀ। ସେତେବେଳକୁ ରାତ୍ରୀଭୋଜନର ସମୟ ହୋଇଯାଇଥିଲା। ଯେନତେନ ପ୍ରକାରେ ଭୋଜନ ସମାପ୍ତ ହେଲା । 


ପରଦିନ ରବିବାର ହେତୁ ସରୋଜ ବାବୁ ଟିକେ ଡେରିରେ ଉଠିଲେ। ଭାଗ୍ୟ ଭଲ, ଗତକାଲିଠାରୁ ସ୍ବସ୍ବୀକୃତ ମୌନବ୍ରତ କଥା ମନେପଡିଲା। ଆଉ ପତ୍ନୀଙ୍କ ସହ କିଛି କଥାବାର୍ତ୍ତା ନକରି ନିଜର ନିତ୍ୟକର୍ମ ସାରି କଲୋନୀ ଛକ ଚା' ଦୋକାନ ଆଡେ ବାହାରିଗଲେ। ଅଫିସ ସହକର୍ମୀ କେତେଜଣ ସେଇଠି ଏକାଠି ହୁଅନ୍ତି। ସେମାନଙ୍କ ସହ ଟିକେ ଗପସପ ହେଇ ଘରକୁ ଆସିଲା ବେଳକୁ ଦିନ ପ୍ରାୟ ଏଗାରଟା। ମନେମନେ ଭାବୁଥିଲେ ଘରେ ଆଜି ନିଶ୍ଚୟ ଗୋଟେ ମହାଭାରତର ତୁମୁଳକାଣ୍ଡ ହେବାକୁ ଯାଉଛି। ସରୋଜ ବାବୁ ନିଜକୁ ସେଥିପାଇଁ ଭିତରେ ଭିତରେ ପ୍ରସ୍ତୁତ କରି ନେଉଥିଲେ।


କିନ୍ତୁ ହାୟ, ଘରେ ପହଞ୍ଚି ସେମିତି କିଛି ହେବାର ସରୋଜ ବାବୁ ଲକ୍ଷ୍ୟ କରିପାରିଲେନି। ସବୁ ଯେମିତି ଚାଲିବା କଥା ଠିକଠାକ ଚାଲିଛି। ରୋଷେଇ ଘରୁ ମାଛଭଜାର ଚଡଚଡ ଶବ୍ଦ ସାଙ୍ଗକୁ ଭଜାମାଛର ସୁଗନ୍ଧରେ ସରୋଜ ବାବୁଙ୍କ ପାଟିରୁ ଲାଳ ବାହାରି ପଡୁଥାଏ। ପିଲାଟି ଦିନରୁ ସିଏ ଟିକେ ଆଇଁଷିଆ। ବିଶେଷ ଭାବରେ ଭାକୁର ମାଛ ପ୍ରତି ଅହୈତୁକ ଦୁର୍ବଳତା। ଯଥାଶୀଘ୍ର ଗାଧୁଆପାଧୁଆ ସାରିଦେଇ ଡାଇନିଂ ଟେବୁଲ୍ ପାଖରେ ଚେୟାର ଟାଣି ସଜବାଜ ହେଇ ବସିପଡ଼ି ଅପେକ୍ଷା କଲେ।


ସେତେବେଳେ ରୋଷେଇ ଘରୁ ଶୁଭିଲା, "ହଇହେ, କାଲିଠୁ ମୁହଁ ଫଣଫଣ କରି ଧାନଉଁଷା ହାଣ୍ଡି ପରି ଗୁମୁରେଇ କାହିଁକି ବସିଥିଲ? ଘର ପରିବାର କରି ଏମିତି ଏଇ ବୟସରେ ରୁଷିବା କ'ଣ ଶୋଭା ପାଉଛି? ଆଜି ଏଇବାଟ ଦେଇ ମାଛବାଲା ଯାଉଥିଲା। ଜାଣିଛି ତୁମେ ମାଛ ଭାରି ଭଲପାଅ। ସେଥିପାଇଁ ଭାଇକୁ କହିଲି। ଯୋଗକୁ ଆମ ଗାଁ ପୋଖରୀ ମାଛ ମରାହେଉଥିଲା। ସିଏ ଗୋଟେ ବଡ ଭାକୁର ମାଛ ଆଣିଦେଲା। ସଜ ମାଛଟା, କେମିତି ଲାଗୁଛି କହିଲ?" ଭାତ ମାଛ ତରକାରି ଆଉ ଗରମ ଗରମ ଭଜା ମାଛ ଆସି ଡାଇନିଂ ଟେବୁଲ୍ ଉପରେ ଥୁଆ ହେଇଗଲା।


ଗରମ ଭାତର ବାମ୍ଫରେ ଆଉ ମାଛ ତରକାରିର ବାସ୍ନାରେ ସରୋଜ ବାବୁଙ୍କ ସବୁ ଶପଥ ଉଡ଼ି ଯାଇଥିଲା। ଭାକୁର ମାଛର ଝୋଳର ମହକରେ ଶ୍ବଶୁର ଘର ଲୋକମାନେ ଏବେ ଭାରି ଭଲ ଲାଗୁଥିଲେ। ଏବେ ଦି'ପ୍ରାଣୀ ତରକାରି ସୁଡୁକା ମାରି ଖାଇଲାବେଳେ ପରସ୍ପର ଆଡ଼କୁ ଚାହିଁ ମୁରୁକି ହସୁଥିଲେ।


ଆମେ ଏସବୁ ଦେଖି ଭାବୁଥିଲୁ, "ଦାମ୍ପତ୍ୟ କଳହେ ଚୈବ ବହ୍ବାଡମ୍ବରେ ଲଘୁକ୍ରିୟା"।



Rate this content
Log in