Panchanan Jena

Others

3  

Panchanan Jena

Others

ଦାମୀ ଗହଣା

ଦାମୀ ଗହଣା

5 mins
568


  ଆଜି ଶାରଦୀୟ ଦଶହରା ।ଦୁର୍ଗାପୂଜାର ଶେଷଦିନ –ବିଜୟା ଦଶମୀ ତଥା ରାବଣପୋଡି ।ରତାଇ ଶାରଦୀୟ ଦଶହରା ପଡିଆରେ ଆଜି କି ଭିଡ ।ଭିଡ ତ ନୁହଁ ଜନସମୁଦ୍ର ।ଆମ୍ଭେ ସମସ୍ତେ ସଦଳବଳେ ଶ୍ଵଶୁରଘରେ ଅଛେ । ରାତ୍ରିରେ ଇଷ୍ଟର୍ନ-ବ୍ଲୁ ଅପେରାର ସୁପରହିଟ ମଞ୍ଛସ୍ଥ ନାଟକ ଓଡିଆ ନାଟ୍ୟ ସମ୍ରାଟ ଅନନ୍ତ ଓଝାଙ୍କର ରଚିତ ଓ ଓଲିଉଡର ଚୁଲବୁଲି ନାୟିକା ଉଷାଶୀ ମିଶ୍ରଙ୍କ ଚିତାକର୍ଷକ ମନୋମୁଗ୍ଧକର ନାଟକ “ ବାସର ରାତି ଅଧା ରହିଲା “ ଦେଖି ଶୋଉ ଶୋଉ ରାତି ପ୍ରାୟ ପାଞ୍ଚଟା ।ତେଣୁ ସକାଳୁ ବିଛଣା ଛାଡିବା ବେଳକୁ ବେଶ ଡେରି । ବେଳ ମଥା ଉପରେ । ଚୂନା ଚୂନା କିରଣର ରେଣୁ ଜାମୁରୁଳ ଗଛର ଫାଙ୍କରୁ ବେଶି ତାତିଲା ଜଣାପଡୁଛି । ଚାରିଆଡେ ଶୂନ ଶାନ ନୀରବତା ।ପ୍ରାୟ ସମସ୍ତେ ନିସ୍ତେଜ –କେହି ଉଠିନାହାନ୍ତି । ଅପେରା ଦେଖା ନିଦ ।ରାତି ଉଜାଗରିଆ ବହଳିଆ ନିଦ ପରା ।


     ଜ୍ଵାଇଁ ପୁଅ ସାତ୍ୟନାରାୟଣ ବାବୁ ପଲଙ୍କ ତଳକୁ ପାଦ ପକେଇଲେ । ହୁଗୁଳା ସମ୍ବଲପୁରୀ ଲୁଙ୍ଗିକୁ ସଳଖି ନେଲେ ।ଅଣ୍ଟାରେ କସି କରି ମାରିଲେ ।ଖୋର୍ଦ୍ଧା ନାଲି ପାଚିଲା ଗାମୁଛାକୁ କାନ୍ଧରେ ପକେଇ ଚାରିଆଡେ ମୁଁହେଇଲେ ।ତରଳ ବାଉଁଶ ଝାଡକଡରେ ଏକ ଗଲେ । ବାଡ଼ କଡରେ ଠିଆ ହୋଇ ଏକଡ ସେକଡ ଦେଖୁ ଥାଆନ୍ତି । ସେହି ପ୍ରକୃତିର ଚିରା ଚରିତ ରୂପ । ପାଖ ଘର ଛୋଟା ପଧାନ ଗୋରୁ ପଲ ନେଇ ପାଣ୍ଠକୁ ଯାଇଛି । କାଳିଆ ଦାସ ଘୁଘୁନୀ-ଆଳୁଦମ ବାଲାର ଘଣ୍ଟି ବାଜୁଛି । ପାଞ୍ଚୁଆ କାକା ଛତିପାଖରୁ ବାହୁଙ୍ଗି ଭାରରେ ବାଲି ବୋହି ଚାଲିଛି ଇନ୍ଦିରା ଆବାସ ଘର ତୋଳା ହେବ । ଧାଡିଏ ନଡିଆ ଗଛରେ ବଡ ବଡ ପଇଡ କାନ୍ଧି ଉହଳି ପଡିଥିଲେବି ଆକାଶ ଆଡକୁ ମୌନ ମୁଦ୍ରାରେ ଧ୍ୟାନୀ ଢଙ୍ଗରେ ଛିଡା ହୋଇଛି । ପଧାନ ଘର ଗଡ଼ିଆରେ ମାଛ ସବୁ ପହଁରୁଛନ୍ତି ମୁଁହକୁ ମୁଁହ ଯୋଡି ଦେଇ ---ମହୁରାଳି ମାଛ ଦଳ ଦଳ ହୋଇ ଭିଣି ଭିଣେଇ ଯାଉଛନ୍ତି ହଠାତ ସତ୍ୟ ବାବୁଙ୍କର ଆଖି ଗଡ଼ିଆ କଡରେ ଶୂନଶୁନିଆ (ଶୁଶୁଣ୍ଡି ) ଶାଗ ତୋଳୁଥିବା ଅବଗୁଣ୍ଠନବତୀ ବୁଢୀମା ପାଖରେ ଲାଖି ରହିଗଲା । ଆଣ୍ଠୁଏ କାଦୁଅରେ ପଶି କଳା ଖୋର୍ଦ୍ଧା ଲୁଗାରେ ଆପାଦମସ୍ତକ ହାତରେ ବାଉଁଶ ପାଛିଆ ଧରି ଶାଗ ତୋଳିଚାଲିଛି । ବୟସ ଅତି କମରେ ୬୦ -୭୦ ହେବ । ଗୋରା ମୁଁହରେ ଶୂନ୍ୟ କପାଳ ଅର୍ଥାତ ବୁଢୀଟା ବିଧବା ବୋଧହୁଏ । ହେଲେବି କମନୀୟ କାନ୍ତିରେ ବିମଣ୍ଡିତା କୌଣସି ଦେବୀଠାରୁ କମ ଜଣାପଡୁନି ।ଅତୀତ ଅଗଣା ଅର୍ଥାତ ସତ୍ୟ ବାବୁଙ୍କର ଜେଜେମା-ବୁଢୀମା –ଠାକୁମା –ଖୁଡିମା କଥା ମନେପଡିଗଲା । ମନେହେଲା ସେହି କମନୀୟ କାନ୍ତି , ସେହି କଳା ଖୋର୍ଦ୍ଧା ଲୁଗା ପରିହିତା , ପାନଖିଆ ନାଲି ଅଧର, ଧୋବ ଧାଉଳିଆ ଦାନ୍ତ ପଂକ୍ତି , ଜମାରୁ ପଡିନି ------- ପିଲାଦିନର ସେହି ସ୍ନେହ-ପ୍ରେମ-ମମତାର ମହାଦେବୀ ଜେଜେମା ଯେ ଶାଗ ତୋଳୁଛନ୍ତି ସତ୍ୟ ବାବୁଙ୍କୁ ପ୍ରତୀୟମାନ ହେଲା । ଯେମିତି ବିତି ଯାଇଥିବା-ହଜିଯାଇଥିବା ଅତୀତ ଆଖି ସାମନାରେ, ପାସୋରି ଯାଇଥିବା ବିତି ଯାଇଥିବା ସମୟ ହାତ ପାନ୍ତାରେ ଉପନୀତ । ସବୁ ଜଳ ଜଳ ହୋଇ ପରିଷ୍କାର ଦେଖାଗଲା ।


ବୁଦ୍ଧିମଣୀ ଦେବୀ –ସାମଲ ଝିଅକୁ ସମସ୍ତେ ଖୁଡୀ ବୋଲି ଡାକନ୍ତି । ତେଣୁ ଛୋଟବେଳୁ ସେହି ଖୁଡୀ ଡାକରା ସବୁଦିନ ରହିଗଲା । ଆଖି ଖୋଲିଲା ଦିନରୁ ମା’ ଠାରୁ ଅଧିକ ସ୍ନେହ-ଶରଧା ମିଳୁଥିଲା । ସବୁ ବେଳେ ହସ ହସ ମୁଁହ –ମିଠା ମିଠା ମହୁବୋଲା କଥାରେ ସମସ୍ତଙ୍କୁ ଆପଣେଇ ନେଉଥିଲା । ଲୋଟଣି ପାରା ପରି ସକାଳୁ-ସଞ୍ଜଯାଏ କେତେ ଯେ ଅଳି –ଅର୍ଦ୍ଦଳି ସହୁଥାଏ ତା’ର କଳନା କରିହେବନି । ଜେଜେ-ବାପା-ଅପା-ହଳିଆ –ବାଟଗଲା ଭଗାରି –ଭିକାରି-ଭିକାରୁଣୀ ସମସ୍ତଙ୍କର ସବୁବେଳେ ଦରକାର । କ୍ଳାନ୍ତି ନାହିଁ -ରାଗନାହିଁ –ଅଭିମାନ ନାହିଁ –ଅଭିପ୍ରାୟ ବି ନାହିଁ । ସବୁ ସମସ୍ୟାର ସମାଧାନର ପେଡି ଖୋଲିବସିଛି ସବୁବେଳେ ଖୁଡୀ ।


ଆମେ ସବୁ ଉଠିବା କେତେ ଆଗରୁ ଖୁଡୀ ବିଛଣା ଛାଡେ । କାଳି ଅନ୍ଧାରର ରାଜୁତି ତଥାପି ସରିନଥାଏ । ମିଞ୍ଜି ମିଞ୍ଜି ଜଳୁଥିବା ଚେମିନି ଆଲୁଅରେ ଜେଜେ ପାଇଁ କଂସା ଢାଳରେ ଲୋଟାଏ ପାଣି,ନିମ୍ବ ଦାନ୍ତକାଠି-ଗୁଡାଖୁ ; ବାପା ପାଇଁ ବଡ ଏକ-ସେରିଆ କାଚ ଗ୍ଳାସରେ ଅଣଦେଉଳା କଳପାଣି ;ପର୍ବତେ ପ୍ରମାଣ ବାସନ-କୁସନ ଧରି ଗଡ଼ିଆ ଆଡକୁ ମାଜିବାକୁ ଯିବା – ଇତ୍ୟାଦି ---ଇତ୍ୟାଦି ---ଆମେ ସବୁ ପାଞ୍ଚ ଭାଇଭଉଣୀ ଉଠିବା ବେଳକୁ ସବୁ ଆଡ –ଦାଣ୍ଡ –ପିଣ୍ଡା –ଅଗଣା ସବୁ ସଫା ସୋତର । ପତରଟିଏ ବି ନଥିବ । ସୁସ୍ଥ ପରିବେଶ କ’ଣ ଓ କେମିତି ଦେଖିବାକୁ ମୁଁ ପ୍ରଥମେ ଖୁଡିଠାରୁ ଶିଖିଥିଲି ବିଜ୍ଞାନ ବହି ପଢିବାର ବହୁ ଆଗରୁ । ପହଁରାରେ ଝାଟି, ଝୁଡାରେ କାଠି –କୁଟା –ପତ୍ରକୁ ନେଇ ଖତ ଗଦାରେ ପକେଇବାରୁ ମୁଁ ଶିଖିଥିଲି ଅଦରକାରୀ ବସ୍ତୁକୁ ମଧ୍ୟ ଦରକାରୀ କରି ହେବ ।


ତ୍ୟାଗ –ବଳିଦାନ –ସହ୍ୟ କରିବାର ଏକ ଆଲୋକବର୍ତ୍ତିକା ସେ ଥିଲା । ରାଗ –କଳି –ମାଡ-ତକରାଳ ଠାରୁ କୋଶେ ଦୂର ସେ । ସମସ୍ତଙ୍କ ପାଇଁ ଜୀବନର ବୁନ୍ଦା ବୁନ୍ଦା ଉତ୍ସର୍ଗୀକୃତ । ଲୋଭ –ସ୍ଵାର୍ଥ –ଠକାମି –ଚଞ୍ଚକତା –ହୀନମନ୍ୟତା ଭଳି କୁ-ଗୁଣ ତା’ର ପାଖ ମାଡି ପାରନ୍ତି ନାହିଁ । ସେ ଦେବୀ । ସେ ଚିର ବନ୍ଦନୀୟା । ସେ ଚିର ନମସ୍ୟା । ମୋ ମା’ ଠାରୁ ସେ ଢେର ଉପରେ –ବହୁତ ଉର୍ଦ୍ଧରେ । କେତେ କାଖେଇଛି –କୋଳେଇଛି –କେତେ ଅନାବନା ଗୀତର ତାଳେ ତାଳେ ଶୋଇପକେଇଛି । ବେଶି କାନ୍ଦିଲେ ମା’କୁ ମିଛି ମିଛିକା ଗାଳି କେତେ ଯେ ଦେଇଛି , ଅପାକୁ କେତେ ଯେ ମାରିଛି ତା’ର ହିସାବ କରି ହେବନି ।

ସବୁ ଯେମିତି ସିନେମାର ଦୃଶ୍ୟ ପରି ସତ୍ୟ ବାବୁଙ୍କର ଆଖି ଆଗରେ ନାଚିଯାଉଛି । ହଠାତ ଡାକବାଜି ଯନ୍ତ୍ରରେ ସୁନ୍ଦର ଗୀତର ଝଲକ ସତ୍ୟ ବାବୁଙ୍କ କାନରେ ପଡିଲା ।


”ଆସିବ ବର ତୋର

            ହୋଇବ ବାହା ଘର   

            ତା’ ପରେ କି ହେବ କହଲୋ ---

ବାଯିବ ସାହାନାହି

           ଫୁଲେଇ ହେଉ କାହିଁ

           ତା’ ପର ଖବର କହଲୋ ----“


ସେହି ବାହାଘର ସଙ୍ଗୀତର ମୂର୍ଚ୍ଛନା ସତ୍ୟ ବାବୁଙ୍କୁ ଆହୁରି ପଛକୁ ନେବାକୁ ବାଧ୍ୟ କଲା ।ସେ ଜେଜେମାର ବାହା ଘର ବେଳର କଥା ମନେ ମନେ ସୁମରି ପାରିଲେ । କେତେ ଥର ସେ ଖୁଡ଼ିଙ୍କ ଠାରୁ ଶୁଣିଥିବ ଠିକ ମନେପଡିଲାନି ମାତ୍ର ଖୁଡିର ବାହାଘର ସମୟର ଏକ ବଳିଷ୍ଠ ଚିନ୍ତା –କଳ୍ପିତ ଆତ୍ମ ସମୀକ୍ଷ୍ୟା ସତ୍ୟ ବାବୁଙ୍କୁ ଆହୁରି ଉଲ୍ଲସିତ କଲା । ବହୁ ଜାକଜମକରେ ବୁଦ୍ଧି ମଣୀ ଦେବୀଙ୍କର ମତଲବ ଖୁଡିଙ୍କର –ଜେଜେମାଙ୍କର ଜେଜେ ଦୈତାରୀଙ୍କ ସହିତ ବାହାଘର ସରିଲା । ନାଲି ଉଢଣୀ ଟାଣି ଅଳତା ଲଗା ପାଦରେ ରୁଣୁଝୁଣୁ ପାଉଞ୍ଜିର ଛମଛମ ଶବ୍ଦରେ ନୂଆ ଅଗଣାକୁ କଳମୁଖର କଲେ । ବନ୍ଧୁ ବାନ୍ଧବଙ୍କରଭୂରି ଭୂରି ପ୍ରଶଂସା ।

“ ସୁନା ନାକି ବୋହୁଟେ ଆଣିଛୁରେ । ଗୋଟିଏ ଚାଉଳରେ ଗଢା ।” ଗିଲ କାକୀ କହୁ କହୁ ଚାଲିଗଲେ ।


ମୁଟୁରି ଅପା ହସି ହସି କହି ଚାଲିଥିଲେ –“ ରାମ-ସୀତାର ଯୋଡି , ଶିବ –ପାର୍ବତୀର, ବିଷ୍ଣୁ –ଲକ୍ଷ୍ମୀର ସାକ୍ଷାତ ଯୋଡି ---ମୋ ବୟସ ବି ଲାଗିଯାଉ ।”


ମିଲି ଅପା ଟିକେ ଆଧୁନିକତା ପୁଟ ଦେଇ କହୁଥିଲେ ---“ଅଭିଷେକ –ଐଶର୍ଯ୍ୟା ଭଳି ମାନୁଛି , କାଜଲ –ଅଜୟ ପରି ଝଟକୁଛନ୍ତି ଆମର ବୁଦ୍ଧି -ଦୈତ୍ୟାରି ଯୋଡି । କିଏ ବାଛି ଦେବ ମୋ ।”


ମାତ୍ର ବୁଦ୍ଧିମଣୀ ଦେବୀଙ୍କୁ ଅର୍ଥାତ ଜେଜେମାଙ୍କୁ ଲାଗିଲା ସମସ୍ତେ ଖୁସି ଥିଲା ବେଳେ ଶାଶୁ –ନଣନ୍ଦ –ଦିଅର ମୁଁହ ଶୁଖେଇ ବୁଲୁଛନ୍ତି । କଥା କଥାକେ ଶୁଣେଇ କହୁଛନ୍ତି –ସୁନ୍ଦରୀ ହେଲେ କ’ଣ ଧୋଇ ଖାଇବ ? ମାଜି ପିଇବ ? କିଛି ଆଣିନି । ଗହଣା ଦି-ପଟ ବି ଭଲରେ ଦେଇ ପାଳିଲାନି ଭିକାରି ସାମଲ ଶଳା । ଆସବାବ ପତ୍ର କଥାତ ସାତ ସପନ । ରାଉତ ଘର ସପନା ବାହାହେଲା ।ଘରେ ଜିନିଷ ରଖିବାକୁ ଜାଗାନାହିଁ । କେତେ ଜିନିଷରେ ଖୁନ୍ଦି ପକେଇଛନ୍ତି । ଆମ ପୁଅ ସାଙ୍ଗିଆ । ପୁଣି ଚେହେରାରେ ପୁରା ବେହେରା । କିନ୍ତୁ ନଗଦ ୬୦ ହଜାର ସାଙ୍ଗକୁ ବାଟ ଖର୍ଚ୍ଚ ଆହୁରି ୫୦ ହଜାର ଆଣିଲା ଟୁନା ପାତ୍ର ।


ନୂଆ ବୋହୁ ଜେଜେମା ସେଦିନ ବହୁତ କାନ୍ଧିଥିଲେ । କାନ୍ଦି କାନ୍ଦି ଲୋତକର ଧାରାବି ଶ୍ରାବଣର ଧାରାକୁ ଟପି ଯାଇଥିଲା ସେଦିନ । ଶେଷରେ ନିଜକୁ ବୁଝେଇ ଥିଲେ । ମନକୁ ଦୃଢ କରିଥିଲେ । ମୁଁ ମୋ ବାପାଙ୍କର ସବୁଠୁଁ ଦାମୀ ଗହଣା । ମୋତେ ଜେନା ଘରକୁ ଦାନରେ ବାପା ଅଗ୍ନି ଦେବଙ୍କୁ ଦଶ ଦିଗ ପାଳଙ୍କୁ ସାକ୍ଷୀ ରଖି ଦେଲେ ।ଆଉ କ’ଣ ବା କାହିଙ୍କି ଦିଅନ୍ତେ ? ଅନ୍ୟ ବାହାଘରରେ କ’ଣ ଦେଲେ ବା ନ ଦେଲେ ସେଥିରେ ମୋର ଯାଏ ଆସେ କେତେ ? ଦାମୀ ଗହଣା ପରି ମୁଁ ବି ତା’ର ଚମକ –ଦମକରେ ସମସ୍ତଙ୍କୁ ଚକିତ ଆଚମ୍ବିତ କରିଦେବି । ମୁଁ ଖାଣ୍ଟି ହଲମାର୍କା ଗହଣା । ମୋର ସେବା ମୋର ତ୍ୟାଗରେ ମୋର ସଂସ୍କାରରେ ମୋର ସହାଂଶୀଳତାରେ କେତେ ଦମ ଅଛି ମୁଁ ଦେଖେଇ ଦେବି ।  


ଯେବେ ଚୋର ନିଜେ ବଦଳିବ , ସେ ଦିନ ହିଁ ଚୋରି ବନ୍ଦ ହେବ । ପାଚିଲା ଫଳ ଖସିପଡିଲେ , ଗଛ ସହିତ ତା’ର ସମ୍ପର୍କ ଶେଷ ହୁଏନି ;ବରଂ ସେ ଗଛର ଦାୟାଦକୁ ନିଜ ଉଦରରେ ସ୍ଥାନ ଦେଇକରି ବଂଶ ବୃଦ୍ଧର ଏକ ସୋପାନ ବନିଥାଏ । ସେହି ନ୍ୟାୟରେ ବୁଦ୍ଧିମଣୀ ଜେଜେମା ସେଦିନର ନାକକାନ୍ଦୁରୀ ନୂଆବୋହୂର ଖୋଳପା ଭିତରୁ ଶଁବାଳୁଆରୁ ପ୍ରଜାପତି ହେବାପରି ଜେନା ବଂଶର ମଉଡମଣି ମହାପାଟରାଣୀ ହୋଇପାରିଥିଲେ ।


ଜେଜେମାର ସେ ଦିନର ଯାତ୍ରା ପାଟିଆ ଡାଇଲଗ ଆଜିବି ଗୋଟି ଗୋଟି ମନେ ପଡୁଥିଲା ।


ଜେଜେମାର ସେହି ମାନସ ପଟଳରେ ଅଙ୍କିତ ସ୍ନେହମୟୀ ଲାସ୍ୟମୟୀ ହାସ୍ୟମୟୀ ବାତ୍ସଲ୍ୟମୟୀ ଛବିର ନକଲ ସେହି ପଧାନ ଘରର ଶାଗ ତୋଳୁଥିବା ବୁଢୀ ଭିତରେ ଯେମିତି ଅଜନ୍ତା-ଏଲୋରାର-କୋଣାର୍କ –ପୁରୀର କିଏ କାରିଗର ଅବିକଳ ଉତାରି ଦେଉଛି ପରି ମନେ ହେଉଥିଲା । ସେହି ମୁଁହ ସେହି ଚେହେରା ।


ହାତ ଯୋଡି ନିଜ ଅଜାଣତରେ ସତ୍ୟ ବାବୁ ସେହି ବିଶ୍ଵନିୟନ୍ତା ସେହି କରୁଣାର ସାହା ଚଉବାହାଙ୍କୁ ମନେ ମନେ ଉଲଗି ହେଉ ହେଉ ଶାଗ ସାଉଁଟା ବୁଢୀପ୍ରତି ଅଜସ୍ର ଓ ଅନାପତ୍ୟ ଶ୍ରଦ୍ଧା ସୁମନରେ ପ୍ରଣିପାତ କରୁଥିଲେ ।



Rate this content
Log in