Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Panchanan Jena

Others

4.2  

Panchanan Jena

Others

ଚତୁର୍ଥ ଆଶ୍ଚର୍ଯ୍ୟ

ଚତୁର୍ଥ ଆଶ୍ଚର୍ଯ୍ୟ

6 mins
656


    “ ସେଦିନ ସବୁ ସମ୍ପର୍କ ଫିକା ଫିକା ଲାଗିଥିଲା ଗୋଟିଏ ସମ୍ପଦ ପାଖରେ । ସେଦିନ ସବୁ ବନ୍ଧନ ହୁଗୁଳା ଲାଗିଥିଲା ଗୋଟିଏ ସଂବନ୍ଧ ପାଖରେ । ଆଉ ଜାଣିଛୁ ! ମୋ ଗେହ୍ଲ୍ଲି-ମୋ ସୁନା –ମୋ ବେବି –ମୋ ମାମା ମୋ ରାଜଜେମା ---ମୋ ପଲୁ –ମୋ ପଲ୍ଲବୀ ! ସେହି ଶୁଭ ସମ୍ପର୍କ-ସଂପଦ-ବନ୍ଧନ-ସଂବନ୍ଧ ହେଉଛି ତୁ --- ଆଉ ସେହି ସୁ-ଦିନ ହେଉଛି ଆଜିର ଦିନ ୧୯୯୮ ମସିହାର ---ତୋର ଶୁଭ ଜନ୍ମଦିନ ୨୬ ଏପ୍ରିଲ, ଶୁଭ ଅକ୍ଷୟ ତୃତୀୟା ।


  ଆଉ ତୁ ପରେ ଜାଣିବୁ ସେଦିନ ଜଣେ ନାରୀ ପାଇଁ ଥିଲା ପୂର୍ଣ୍ଣତାର ଦିନ । ପୂର୍ଣ୍ଣମୀର ଚାନ୍ଦ ପରି ତୁ ଆସିଥିଲୁ ସୁନା ସବାରୀରେ ଆଉ ରୂପା ପାଲିଙ୍କିରେ ।ଆସି ମୋର ସବୁ ଅମା-ଅନ୍ଧାର-ଅପୂର୍ଣ୍ଣତାକୁ ଶେଷ କରିଥିଲୁ ସେ ଦିନ ।ସବୁ ଯନ୍ତ୍ରଣା-କଷ୍ଟ ଭୁଲି କେବଳ ଚୁନା ଚୁନା ଖୁସିକୁ ସାଉଣ୍ଟୁଥାଏ କାନିରେ ।ରାଜଧାନୀ ନର୍ସିଙ୍ଗ ହୋମ,ଭୁବନେଶ୍ଵରରେ ଶୀତ ତାପ ନିୟନ୍ତ୍ରିତ ଶଯ୍ୟାରେ ପଡି ସ୍ମିତ ହାସ୍ୟର ଆଢୁଆଳରେ ଦେଖୁ ଥାଏ ତୋତେ ଆଉ ବୋକ ପରେ ବୋକ ଦେଇ ଚାଲିଥାଏ ପାଗଳି ବାଚାଳି ପରିକା ସିଷ୍ଟର କହିବା ପର୍ଯ୍ୟନ୍ତ ।


ଆଜି ବାଇଶଟି ବସନ୍ତ ବିତି ଯାଇଥିଲେ ବି ମୁଁ ତାହା ହିଁ କରୁଛି ତୋ ପାଇଁ ସାତ ଦରିଆ ତେର ନଈ ଏ ପଟେ ପଲୁ –ପଲ୍ଲବୀ । ତୋର ସବୁ ଇଚ୍ଛା ଅଭୀପ୍ସା ପୂରଣ ହେଉ । ସାରା ଦୁନିଆର ଖୁସି ତୋ ହାତ ମୁଠାରେ ରହୁ । ଦୁଃଖ-ଶୋକର କଣ୍ଟା ତୋ ଚଲାପଥରେ ଫୁଲର ମଖମଲି ଗାଲିଚା ପାଲଟୁ ।


    କଳାଠାକୁର ଜଗନ୍ନାଥଙ୍କ ପାଦ ପଙ୍କଜେ ଫୁଲ ଚନ୍ଦନ ଶୁଭ ଜନ୍ମଦିନରେ ଅୟୁତ ନିୟୁତ ବନ୍ଦନ ଅଭିନନ୍ଦନ ।”


ଶୁଭ ଜନ୍ମଦିନ ୨୬ ଏପ୍ରିଲ ୨୦୨୦ ର ପାବନ ଅବସରରେ ଶୁଭ ଅକ୍ଷୟ ତୃତୀୟାର ମହାନ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ମୋର ପଲୁ –ମୋର ପଲ୍ଲବୀ।”


   ଝିଅ ଜନ୍ମ ଦିନର ଢେର ଆଗରୁ ଏମିତି ଏକ ଜନ୍ମ ଦିନର ମ୍ୟାସେଜ ମାଇକ୍ରୋସଫ୍ଟ ୱାଡରେ ଟାଇପ କରି ରଖିଥିଲେ ବନ୍ଦିତା ଦେବୀ । ଝିଅ ପଲ୍ଲବୀ କାହିଁ ଆମେରିକାର ଶିକାଗୋ ସିଟିରେ ସଫ୍ଟୱାର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦୀର୍ଘ ଏକ ବର୍ଷ ହେଲା । ବହୁ କଷ୍ଟରେ ଓଡିଆରେ ଟାଇପ ଶିଖି ଛନ୍ତି । ଝିଅକୁ ସରପ୍ରାଇଜ କରିବାକୁ ଭଲ ହେବ । କିନ୍ତୁ ଅସଲ ବିନ୍ଦୁ ଆଉ କେଉଁଠି ? ଲାଖ ଆଉ କେଉଁ ଜାଗାରେ ବିନ୍ଧି ବାକୁ ହେବ ?


  ପତି ଦେବ ଦେବବ୍ରତ ବାବୁଙ୍କ ଆଗରେ ମୁଁ ଆପାରଗ । ଡାକ୍ତର ପୁଅ ସତ୍ୟବ୍ରତ ଆଉ ଡାକ୍ତରାଣୀ ବୋହୁ ସବୁବେଳେ କିଛି ଜାଣି ନଥିବା ମୁଦ୍ରାରେ ନିରେଖି ଦେଖନ୍ତି । ଝିଅ ବି ବେଳେ ବେଳେ ଟେକ୍ନୋସେଭି ହେବାକୁ କହେ । ଆଜିକାଲି ତ ଚାକରାଣୀ ମାଳତି ବି ଫେସବୁକ ,ଟ୍ବିଟର,ୱ୍ହାତ୍ସାପ,ଇନଷ୍ଟାଗ୍ରାମ,ସ୍କାଇପି,ମ୍ୟାସେଞ୍ଜର କଥା ହେଲେ ଅବୁଝା ଅବୁଝା ଲାଗେ ।


  କ’ଣ କରିବି ।ରାଗ ଲାଗେ ।ଅବଶୋଷ ବି ଲାଗେ ।ଆମେ ହେଲେ ୧୯୭୧ ମସିହା ଜନ୍ମ ପୁରୁଣା କାଳିଆ ଗ୍ରାଜୁଏଟ । ଟେଲିଫୋନ ଯୁଗର ରେଡିଓ କାଳର ପାଠକ ଆମେ ।ଆମେ ଇଂଲିଶ ଟିକେ କମ ଜାଣିଛେ ।ତେଣୁ ଆଜିକାଲିଆ ପିଲାମାନେ ଆମକୁ ଦୀନ –ହୀନ ଭାବିବା ବେଳେ ବେଳେ ସମୀଚୀନ ଲାଗେ ।


ମାତ୍ର ଆତ୍ମ ସମ୍ମାନ ସର୍ବୋପରି । ସମସ୍ତଙ୍କ ଆଗରେ ପୁରା ଭିଡରେ ବକ୍ରୋକ୍ତି-ବାକ୍ୟ ବାଣରେ ପରାଜିତ କରିବା ଆଳରେ ନିଚା ଦେଖେଇବା ଆଦୌ ଯୁକ୍ତି ଯୁକ୍ତ ମନେ ହୁଏନି ।ପୁରୁଷ କୈନ୍ଦ୍ରିକ ସମାଜର ଅଙ୍କୁଶ ନାଁ ରେ ମହିଳା ଉତ୍ପୀଡନ । ପୁଅ –ବାପ ସବୁବେଳେ ଖେଣ୍ଟିଆ ଶୁଣାଉ ଥିବେ କି ?


ଯେଉଁ ଦିନ ବୋହୁ ଆଉ ଚାକରାଣୀ କିଟିର ମିଟିର ଫୁଶ ଫାଶ ହେଲେ କାନିରେ ଗଣ୍ଠି ବାନ୍ଧିଦେଲେ ବନ୍ଦିତା ଦେବୀ । ଚେଷ୍ଟା କଲେ କ’ଣ ନ ହେବ ? ଯାହା ନ ହେଲା ବାଲ୍ୟ କାଳେ , କାହିଁକି ନ ହେବ ପାଚିଲା ବାଳେ ?ଆତ୍ମସମ୍ମାନ ହିଁ କଷଟି ପଥର ।


   ଝିଅ ପାଖରୁ ଅଳ୍ପ ଅଳ୍ପ ଶିଖି ପଚାରି, କମ୍ପୁଟରରେ ଖାଲି ସମୟରେ ଯୁଟୁବ- ୱିକିପିଡିଆ ପଢି ଶିଖି ଆଜି ସେ ବି ଟେକ୍ନୋସେଭି ବନ୍ଦିତା ।ସମସ୍ତଙ୍କୁ ଚମକାଇ ଦେବାର ତାକତ ଆଜି ବି ଅଛି । ଝିଅ ଜନ୍ମଦିନର ଅଭିନନ୍ଦନ ସେ ବାପ –ଭାଇ-ଭାଇଜ-ସାଙ୍ଗ-ସାଥି ଭଳିଆ ନିରସିଆ ଗତାନୁଗତିକା ଢାଞ୍ଚାରୁ ଟିକେ ଅଲଗା ଭାବରେ ଲେଖିଛନ୍ତି । ଲିଭି ଯାଉଥିବା ଚିଠି ଭଳିଆ କିଛି ହୃଦୟର ପୁଞ୍ଜିଭୂତ ବ୍ୟଥାକୁ ଖୁସିର ସ୍ୟାହିରେ ଗାରି ପକେଇଛନ୍ତି ।୨୫ ତାରିଖ ରାତ୍ରି ୧୨ଟା ପରେ ଯେତେ ବେଳେ ୨୬ ତାରିଖର ଶୁଭ ବ୍ରାହ୍ମ ମୂହୁର୍ତ୍ତ ଆରମ୍ଭ ହେଲା ଯେ ୱ୍ହାତ୍ସାପ୍ପ ରେ ଝିଅକୁ ମ୍ୟାସେଜ ଡ୍ରପ କରିଦେଲେ । ସେଦିନ ସେ ବିଛଣାକୁ ଯିବାବେଳେ ଏକ ପାରିବା ପଣିଆର ଆଭା ଆଉ ଜ୍ୟୋତିରେ ଝିଲ ମିଲ କରୁଥିଲା ବନ୍ଦିତା ଦେବୀଙ୍କ ମୁଖ ମଣ୍ଡଳ ।


କାରୋନା ମାହାମାରୀରେ ପୁରା ବିଶ୍ଵ ଗୃହ ବନ୍ଦୀ । କିନ୍ତୁ ରୋଷେଇ ବନ୍ଦ ହେଇନି ।ଘରେ ପୁରା ପରିବାର ଚବିଶ ଘଣ୍ଟିଆ । ମା’ ହିସାବରେ କାମ ଜଞ୍ଜାଳ ବଢି ଯାଇଥିଲେ ବି ଚାକରାଣୀ ମାଳତି ଆସୁ ନଥିଲେ ବି ହାରି ନାହାନ୍ତି ବନ୍ଦିତା ।ସେ ଆଜି ସମସ୍ତଙ୍କୁ ଦେଖେଇ ଦେବାକୁ ଚାହାଁନ୍ତି କି ଟିକେ ପଛେ ବି ହେଉ ସେ ବି କାହାରି ଠାରୁ କମ ନୁହନ୍ତି ।ସେ ବି ଯୁଝି ପାରନ୍ତି ।ତାଙ୍କ ଧମନୀରେ ବି ଅଭିମାନର ବିଦ୍ରୋହୀ ସ୍ଫୁଲିଙ୍ଗ ପ୍ରବାହିତ ହେଉଛି ।


 ୨୬ ତାରିଖ ସକାଳର ବାଳାରୁଣ କେତେ ବେଳୁ ଆମେରିକା ଆକାଶରେ ଆଟିଷ୍ଟର କ୍ୟାନଭାସ ଭଳିଆ ଲାଗୁଥିଲା ।ଶିକାଗୋ ସହର ବି କାରୋନାର ଲେଲିହାନ ଶିଖାରେ ଅର୍ଦ୍ଧ ଦଗ୍ଧ । ୱାର୍କ ଫ୍ରମ ହୋମ ପଲ୍ଲବୀର ।ବିଛଣାରୁ ଉଠୁ ଉଠୁ ମା’ ର ପ୍ରଥମ ମ୍ୟାସେଜ ହ୍ୟାପି ବାର୍ଥଡ଼େ ନ ପଡି ରହି ପାରିଲାଣି ।ଆଖି ଝଲସି ଆସିଲା ଖୁସିରେ ।କୃତ୍ୟ କୃତ୍ୟ ହୋଇଗଲା ପଲ୍ଲବୀର ଚିନ୍ତା ଚେତନା । ଆନନ୍ଦର ଫଲଗୁ ଧାରା ତା’ର ଶିରା ପ୍ରଶିରା ନୁହେଁ ସମଗ୍ର ସତ୍ତାକୁ ଆବୋରି-ଜାବୋଡି ରଖିଲା ଧରି ରଖିଲା ।ପିଲାଦିନର କିଛି କଥା କିଛି ଅପାଶୋରା କ୍ଷଣ ଆସି ପଲ୍ଲବୀକୁ କୋରି ଖାଇବାକୁ ଲାଗିଲେ । ମନକୁ ଗୋଟିଏ ଅବର୍ଣ୍ଣନୀୟ ଘଟଣା ମୁଦା ସ୍ମୃତି ଦେଉଳର ସିଂହ ଦ୍ଵାର ଡେଇଁ ଦୁନିଆର ବଡଦାଣ୍ଡକୁ ଆସିବାକୁ ସଜବାଜ ହେଲେ ।ଝାପସା ଝାପସା ମନେ ପଡିଲା ----


ମନେ ହେଲା ୨୦୧୯ ମାର୍ଚ ମାସର ଏକ ଅଳସ ଅପରାହ୍ନ । ଭୁବନେଶ୍ଵର ଘରେ ସମସ୍ତେ ବେଶ ସୁସ୍ଥ ଓ ସତେଜ । ପଲ୍ଲବୀର ଏନଆଇଟି ରାଉଲକେଲାର ପ୍ଲେସମେଣ୍ଟ ମ୍ୟାସେଜ ଆସିଥିଲା ।ସମସ୍ତେ ଅପାର ଆନନ୍ଦରେ ଖୁସିର ସାଗରରେ ବୁଡ ପକେଇବାରେ ବ୍ୟସ୍ତ । ଯାହାହେଉ ଝିଅ ଆମର କମାଲ ଧମାଲ କରିଦେଲା । ମା’ ବନ୍ଦିତା ଦେବୀ ବେଶୀ ଖୁସି ଥିଲେ । ମିଠା ସମସ୍ତଙ୍କୁ ଖୁଆଇ ଥିଲେ ।କଳା ସାଆନ୍ତ ଯାହା ହେଉ ତାଙ୍କ ଡାକ ଶୁଣିଛନ୍ତି । ବାପା ଦେବବ୍ରତ ବାବୁ ବି ଆଉ ଦି’ ପାଦ ଆଗରେ । ଆଜି ମେଂ ଫେୟାରରେ ମୋ ତରଫରୁ ମୋର କନକ ଦୁହିତା ପାଇଁ ଏକ ସାନଦାର ଦମଦାର ପାର୍ଟି ।


ଏମିତି ଏକ ହସ ଖୁସିର ଆସର ବସିଥିବା ବେଳେ ସୁନା ଝିଅ ପଲୁ ପିତାମାତାଙ୍କ ପାଦଧୂଳି ନେଉଥିବା ସମୟରେ ଅତି ସହଜ ଭାବରେ ପଚାରିଲା –


ବାପା ! ମୁଁ କ’ଣ କେବେ ଆପଣଙ୍କୁ କନ୍ଦେଇଛି ?


ବୋଉ ! ତୁ କହିଲୁ । ମୁଁ କ’ଣ କେବେ ତୋ ଆଖିରେ ଲୁହ ଆଣିବାରେ କାରଣ ହୋଇଛି । ତୋତେ କନ୍ଦେଇଛି ।


ହଁ ! ଏକାବେଳକେ ଦୁହିଙ୍କ ମୁହଁରୁ ସମୋଚ୍ଚାରିତ୍ତ ଉତ୍ତର । ଝିଅ ଟିକେ ଶଙ୍କି ଗଲା ।


କେବେ ବୋଉ ! କେଉଁ ଘଟଣା କ୍ରମରେ ବାପା ?—ଡରି ନ ଯାଇ ବରଂ ଆଶ୍ଚର୍ଯ୍ୟ-ଚକିତ ହୋଇ ପଚାରି ବସିଲା ପଲୁ ।


ବାପା ପଲୁର ମଥାରେ ସ୍ନେହିଳ ପରଶ ଦେଲେ । ପାଦ ପାଖରେ ବସି ପଡିଲା ପଲୁ ଆଉ ପିଲାଦିନର ସେହି ବୁଢୀ ଅସୁରୁଣୀ କାଣୀ ଡାହାଣୀ ଗପ-ସପ ଶୁଣିବା ମୁଦ୍ରାରେ ।


ତୋର ବୟସ ବହୁତ କମ ହେବ । ଏହି ବର୍ଷେ କିମ୍ବା ୨ ବର୍ଷ ହେବ । କିମ୍ବା ଦେଢ ବର୍ଷ ଖଣ୍ଡେ ହେବ ପ୍ରାୟ -- ବାପା ଆରମ୍ଭ କରନ୍ତେ ବୋଉ ଚିହିଙ୍କି ଉଠିଲେ ।


ସେ ତ ମାତ୍ର ୧୮ ମାସର ହୋଇଥିଲା । ତୁମେ ମୋ ଝିଅର ବୟସ ବଢେଇ କହୁଛ ।--- ବୋଉ ଟିକେ ଚଢା ଗଳାରେ କହିପକେଇଲା ଅଭିମାନିଆ ଢଙ୍ଗରେ ।


ବୁଝିଲୁ ପଲୁ ! ତୁ ଠୁକୁର ଠୁକୁର ଗୁରୁଣ୍ଡି ଗୁରୁଣ୍ଡି ଚାଲୁ ଥିଲୁ । ଦରୋଟି ତୁତୁଲା କଥା କହୁଥିଲୁ ବାଇ ଚଢେଇ ଖଣ୍ଡି ଉଡା ଦେବା ଭଳିଆ । ଆମେ ତୋର ଭବିଷ୍ୟତ ଉପରେ ଗୋଟେ ପରୀକ୍ଷା ନିରୀକ୍ଷା କରିବା ପାଇଁ ମନସ୍ଥ କଲେ ।

ତୋ ଆଗରେ ଟି-ପୟ ଟେବୁଲ ଉପରେ ତିନୋଟି ଜିନିଷ ରଖି ଦେଲେ ।କଣ୍ଢେଇ ,ଟଙ୍କା ଓ କଲମ । ଜାଣିବାକୁ ଚାହୁଁ ଥିଲେ ଏହି ତିନୋଟିରୁ କାହାକୁ ଉଠାଉଛୁ ତୁ ଆଗ । ତୋର ଉଠାଉଥିବାରୁ ଜାଣିବାକୁ ଚାହୁଁ ଥିଲେ କି ବଡ ହୋଇ ତୁ କେଉଁ ବିଷୟକୁ ଅଧିକ ମହତ୍ତ୍ଵ ଦେବୁ । ତୋର ଅନାଗତ ଭବିଷ୍ୟତର ଡୋରି କେଉଁ ଦିଗକୁ ଟାଣୁଛି ? ତୁ ବଡ ହେଲେ କ’ଣ କରିବୁ ? କେଉଁ ବିଭାଗରେ ଚାକିରି କରିବୁ ?


ଯେମିତି କଣ୍ଢେଇ – ମତଲବ – ଆନନ୍ଦ –ଖୁସି-ପ୍ରସଂଶା –ଉପାଧି –ସମ୍ମାନ –ପଦ୍ମଶ୍ରୀ ଇତ୍ୟାଦି ।

ଯେମିତି ଟଙ୍କା –ମତଲବ – ଧନ –ସମ୍ପତ୍ତି- ବଡ ଚାକିରି –ଲକ୍ଷେ ଉପରେ ସାଲାରି –କୋଟିପତ୍ନୀ ।

ଯେମିତି କଲମ-ମତଲବ –ଲେଖିକା –କବୟତ୍ରୀ-ନାଟ୍ୟକାର –କଳାକାର –ଗାୟିକା ଇତ୍ୟାଦି ।


ଆମେ ଦୁଇ ପ୍ରାଣୀ ଏହି ସବୁ ଭାବନାକୁ ମନେ ମନେ ରଖି ଅତି ସହଜ ସରଳ ସାବଲୀଳ ଭାବରେ ଉତ୍ସୁକତାର ସହିତ ପଲକବିହୀନ ମନ-ଧ୍ୟାନ ଦେଇ ତୋତେ ଅନେଇ ବସିଥାଉଁ । କାରଣ ଆମକୁ ତୋର ନିର୍ଣ୍ଣୟ ଦେଖିବାର ଥିଲା ।ତୋର ନିଷ୍ପତି ସଠିକ ଫଇସଲା ଜାଣିବାର ଥିଲା ।


ଗୋଟେ ଜାଗାରେ ବସି ତୁ ଟୁକୁର ଟୁକୁର ଗୁଲୁର ଗୁଲୁର ସେହି ତିନି ଜିନିଷକୁ ଦେଖି ଯାଉଥିଲୁ । ତୋର ନିଷ୍ପାପ ମୁଁହ ବେଳେ ବେଳେ ଆମ ଆଡକୁ ଚାହିଁ ହସି ଦେଉଥିଲା । ମଣି ମାଣିକ୍ୟ ଯେମିତି ଖସି ପଡୁଥିଲା ।


ଆମେ ସପତ୍ନୀକ ସେହି ଜିନିଷ ଆଗରେ ଚେୟାର ଉପରେ ସ୍ଥାଣୁ ଭଳି ଚୁପ ଚାପ ବସିଥିଲୁ । କିନ୍ତୁ ଆମ ତୀକ୍ଷଣ ନଜର ତୋ ଉପରେ ତୋର ଦେବ ସୁଲଭ କାଣ୍ଡ କାରଖାନା ଉପରେ ନିବଦ୍ଧ ଥିଲା ।


ତୁ ଆଣ୍ଠୁ ଆଉ କହୁଣିର ସାହାରା ନେଇ ଠିଆ ହେଉଥିଲୁ ଆଉ ଗୁଣ୍ଠୁଣି ପୋଷା ହାତୀ ପରିକା ହଲି ଦୋହଲି ଟିକେ ଟିକେ ଆହିସ୍ତା ଆହିସ୍ତା ଆଗକୁ ଯାଉଥିଲୁ ।

ଆମେ ଦୁଇ ନିଶ୍ଵାସ –ପ୍ରଶ୍ଵାସ ବନ୍ଦ କରି ତୋତେ ଦେଖୁଥିଲେ ।


କିଛି କ୍ଷଣ ପରେ ତୁ ସେହି ଟି-ପୟ ଟେବୁଲକୁ ଧରି ଛିଡା ହେଲୁ । ଟିକେ ରାହା ଧରିଲୁ ।ସେହି ପତିତ ତିନୋଟି ବସ୍ତୁକୁ ଏପଟ ସେପଟ କରି ବୁଣି ଦେଲୁ ।ଚାରିପଟକୁ ଛାଟି ଦେଲୁ । ଆଉ ତାକୁ ପାର କରି ଆମ କୋଳକୁ ଡେଇଁ ପଡିଲୁ । ଖୁସିରେ କୁରୁଳି ଉଠିଲୁ ଯେମିତି କୋଟିନିଧି ତୋତେ ମିଳିଗଲା ।


ଆମର ସେଦିନ ଧ୍ୟାନ ହେଲା ଯେ ସେ ତିନି ବସ୍ତୁ ଠାରୁ ଆମେ ଦୁଇ ପ୍ରାଣୀ ବି ବାପା –ବୋଉର ଯୋଗଳଯୋଡି ବି ଚତୁର୍ଥ ଆଶ୍ଚର୍ଯ୍ୟ ସେହି ସମୟରେ ।


ଆଉ ସେହି ପ୍ରଥମ ଓ ଶେଷ ଥର ଝିଅ ତୁ ଆମକୁ କନ୍ଦେଇ ଦେଇ ଥିଲୁ । ବୁଝିଲୁ ପଲୁ ବହୁତ କନ୍ଦେଇ ଥିଲୁ ସେଦିନ । ଆଖିରେ ଅଶ୍ରୁ ଆକ୍ତାମାକ୍ତା ବୋଲ ମାନିବାକୁ ନାରାଜ ସେଦିନ ।ଯେମିତି ଧାରା ଶ୍ରାବଣ ପରି ଝରି ଚାଲିଥାଏ ବହି ଚାଲିଥାଏ କେଉଁ ଏକ ଦିଶା ହିନ ଅଜଣା ପ୍ରଦେଶେ ଖୁସିରେ ଆନନ୍ଦାଶ୍ରୁର ନାଁ ନେଇ ।


ପଲ୍ଲବୀ ଉଠି ଛିଡାହେଲା ଆଉ ଝରକା ପରଦା ଆଢୁଆଳରେ ଶାନ୍ତ ଶୁନଶାନ ଶିକାଗୋ ସହରକୁ ଅବଲୋକନ କରୁଥିଲା । ଆଖି କୋଣରେ କିନ୍ତୁ ସେହି ହସ-ଖୁସୀର ଲୁହ କୂଳ ଲଙ୍ଘିବାକୁ ଉଦ୍ୟତ ମୁଖର ବୋଲି ସମ୍ୟକ ସୂଚନା ମିଳୁଥିଲା ।



Rate this content
Log in