ଚପଳତା ଶିଶୁ ମନର (ଦୃଢ ବିଶ୍ୱାସ)
ଚପଳତା ଶିଶୁ ମନର (ଦୃଢ ବିଶ୍ୱାସ)
ବିଶ୍ୱାସ ଶବ୍ଦଟି ଶୁଣି ମୋ ମନରେ ଏକ କୋହ ସୃଷ୍ଟିହେଲା।ଏକ ପୁରୁଣା କଥା ମନେ ପଡି ଅନ୍ତରଟା କୋହରେ ଭରିଗଲା ଓ ଆଖିରୁ ଦୁଇଟୋପା ଲୁହ ଏରି ଆସିଲା।ପ୍ରକୃତରେ ତାହା ନିଜ ପାଇଁ ନୁହେଁ ନିଜ ଜନ୍ମିତ ସନ୍ତାନ ପାଇଁ।
ଏବେ ବୁଝି ହୁଏ ସନ୍ତାନ ମାନଙ୍କର କିଛି ବି ଅସୁବିଧା ବା ଇଛା ପୁରଣ ନହେଲେ ବାପା ମାଆଙ୍କୁ କାହିଁକି ଏତେ କଷ୍ଟ ହୁଏ।ଅନ୍ତରଟା ଦଳି ଚକଟି ହୋଇଗଲା ପରି ଲାଗେ।ଏପରି ଲାଗେ ଯେମିତି ଆମେ ନିରର୍ଥକ ଓ ଅସମର୍ଥ ସେମାନଙ୍କ ଯତ୍ନ ନେବାରେ।ଯେତେ କଲେବି ଯଦି ଟିକେ ଫିଲାଙ୍କ ଆଖିରେ ଲୁହ ଆସିଯାଏ ତେବେ ବାପା ମାଆଙ୍କ ଅନ୍ତରଟା କାନ୍ଦି ଉଠେ। ଆମେ ଆମ ବୟସରେ ଯଦି ଏପରି ଭାବୁଛେ ତେଵେ ଆମ ବାପା ମାଆ ମାନେ ଆମକୁ ନେଇ କେତେ ଚିନ୍ତା କରିନଥିବେ।ଆମେ ମଧ୍ୟ ସମୟ ସମୟରେ କେତେ କଥା କହି ତାଙ୍କ ହୃଦୟକୁ ଦୁଃଖିତ କରିଦେଉ।
ସେହି କଥାବସ୍ତୁକୁ ନେଇ ଆଜିର ଉପସ୍ଥାପନା।
ରାନୁ ଓ ରମେଶ ଉଭୟ ମଧ୍ୟବିତ୍ତ ପରିବାରର ଅଟନ୍ତି।ଉଭୟେ ସରକାରୀ ଚାକିରୀ ମଧ୍ୟ କରନ୍ତି ମାତ୍ର ତାହା ଚୁକ୍ତି ଭିତ୍ତିକ।ତେଣୁ ସ୍ୱଳ୍ପ ଦରମା । ସେହି ମଧ୍ୟରେ ସେମାନେ ଖୁସିରେ ଚଳନ୍ତି।
ସମୟକ୍ରମେ ଏକ କନ୍ୟା ସନ୍ତାନ ର ଜନକ ଓ ଜନନୀ ହେବାର ସୌଭାଗ୍ୟ ଅର୍ଜନ କରନ୍ତି।କୁନି ଝିଅଟିକୁ ନେଇ ତାଙ୍କ ସଂସାର ଖୁସିରେ ଚାଲେ।ପିଲାଟିର ଛୋଟ ଛୋଟ ଆବଶ୍ୟକତା ରେ କେବେ ଉଣା କରନ୍ତି ନାହିଁ।ଯାହା ଆବଶ୍ୟକ ତାଠାରୁ ଅଧିକ ଆଣି ଦିଅନ୍ତି।ତା ପାଇଁ ରାତି ରାତି ନଶୋଇ ଚେଇଁ ରୁହନ୍ତି।
ଏହିପରି ଖୁସିରେ ସମୟ ଗଡିଚାଲେ ଓ ତାଙ୍କ ଝିଅଟି ବଡ ହୁଏ।ନିକଟସ୍ଥ ଏକ ଭଲ ଓ ବଡ ବିଦ୍ୟାଳୟରେ ତାର ନାମ ଲେଖାହୁଏ।ପାଠପଢା ଆରମ୍ଭ ହୁଏ।ସେଥିରେ ମଧ୍ୟ କୌଣସି ଉଣା ରହେ ନାହିଁ।
ପିଲାଟି ଟିକେ ବଡ ହେଲାରୁ ରାନୁ ମନେ ମନେ ଚିନ୍ତା କରେ ଛୁଟି ହେଲେ କୁଆଡେ ଟିକେ ବୁଲି ଯିବାପାଇଁ।ସମସ୍ତେ ଖରା ଛୁଟିରେ କାଶ୍ମୀର ଯାଉଛନ୍ତି।ରମେଶକୁ କହିଲା ମାତ୍ର ଉତ୍ତର ଥିଲା ଏତେ ଅର୍ଥ ଆମ ଫାଖରେ କାହିଁ ଯେ ଆମେ ଯାଇପାରିବା।ତା ପରେ ଆମର ଚୁକ୍ତି ଭିତ୍ତିକ ଚାକିରୀ ,ଆମକୁ ଛୁଟି କିଏ ଦେବ।
ଏହା ଶୁଣି ରାନୁର ମନ ଟିକେ ଦୁଃଖ ହୁଏ।ଦିନେ ଦୁଇଦିନ ଭିତରେ ପୁଣି ଠିକ ହୋଇ ନିଜ କାର୍ଯ୍ୟ ରେ ଲାଗିପଡେ।ଛୁଟି ହେଲେ ନିଜ ଘରକୁ ଯାଇ ବାପା ମାଆଙ୍କ ସହ ସମୟ କଟାଇ ପୁଣି ଫେରିଆସେ ନିଜ କର୍ତ୍ତବ୍ୟ ସ୍ଥଳକୁ। ଏହିପରି ପ୍ରତିବର୍ଷ ମେ ମାସ ଆସିଲେ କାଶ୍ମୀର କଥା ମନେପଡେ।ସେତେବେଳେ ଆଲୋଚନା ଜୋର ଧରେ ମାତ୍ର ଅର୍ଥାଭାବରୁ ସବୁ ପାଣିଫୋଟକା ପରି ଫାଟିଯାଏ।
ଧିରେ ଧିରେ ଝିଅଟି ବଡ ହେଲା । ବିଦ୍ୟାଳୟ ରେ ତାର ସାଙ୍ଗମାନଙ୍କ ସହ ବାର୍ତ୍ତାଳାପରୁ ଜାଣେ ଯେ ଖରା ଛୁଟିରେ ତା ସାଙ୍ଗମାନେ ବୁଲିବାକୁ ଯାଉଛନ୍ତି ବରଫ ସହର କାଶ୍ମୀର କୁ।ସେ ମଧ୍ୟ ଘରେ ଆସି କୁହେ ମାମା ଆମେ ଯିବା କାଶ୍ମୀର।ପାପାଙ୍କୁ କହ ।ମୋ ସାଙ୍ଗମାନେ ସମସ୍ତେ ବୁଲିବାକୁ ଯାଉଛନ୍ତି ।ଏବର୍ଷ ଆମେ ଯିବା।ହଉ କହି କଥାଟାକୁ ଟାଳିଦେଲା ରାନୁ।
ମାତ୍ର କୋମଳ ମନ ଛନ୍ଦ ବୁଝେନା ।ତାର ଦୃଢ ବିଶ୍ୱାସ ଥିଲା ମାମା କହିଛି ମାନେ ଆମେ ଯିବା ଏବର୍ଷ ପରୀକ୍ଷା ପରେ।
ତା ପରଦିନ ବିଦ୍ୟାଳୟରେ ସବୁ ସାଙ୍ଗ ମାନଙ୍କ ସହ ଆଲୋଚନା ରେ ଲାଗିଗଲା ଅତି ଉତ୍ସାହର ସହ।ଯେଉଁ ମାନେ ଯାଇଥିଲେ ସେମାନେ ବିଭିନ୍ନ ସୌନ୍ଦର୍ଯ୍ୟ ବଖାଣିବାରେ ଲାଗିଲେ।କିପରି ବରଫର ଗୋଲା କରି ଖେଳନ୍ତି।କିପରି କାଶ୍ମୀର ଲୋକ ମାନଙ୍କର ପୋଷାକ ପିନ୍ଧି ନୌକାରେ ବସି ଫଟୋ ଉଠାନ୍ତି।କେତେ ମଜା କରନ୍ତି।ସବୁ ଶୁଣି ଆସି ତା ମାମାକୁ ଘରେ କୁହେ ଓ ପାପାକୁ ମଧ୍ୟ।ପ୍ରତ୍ୟକ ଦିନ କିଛି କିଛି ନୂଆକଥା ଶୁଣି ଆସି କହେ।
ରାନୁ ଓ ରମେଶ ବହୁତ ଚିନ୍ତା କରନ୍ତି ଓ ଯୋଜନା ମଧ୍ୟ ମାତ୍ର ସମୟ ବାହାର କଲେ ଅର୍ଥ ବାହାର କରିପାରନ୍ତି ନାହିଁ।
କିଛି ଦିନ ପରେ ଝିଅ ପଚାରେ ମାଆ ,ଟିକେଟ କଲଣି ତ।ଆମେ ଟ୍ରେନରେ ଯିବା ନା ଉଡାଜାହାଜରେ।ମୁଁ ବହୁତ କିଛି ଭାବିକି ଏକ ଖାତାରେ ଲେଖି ରଖିଛି।ଆମେ ପୁରା ୨୨ଦିନ ସେଠି ବରଫରେ ରହିବା ।ମୋର ଶୀତ ପୋଷାକ ଅଧିକ ନେବ।ମତେ ବହୁତ ଶୀତ।ଏକଥା ଶୁଣି ରାନୁ ଆଖିରେ ଲୁହ ରହେ ନାହିଁ।ଝିଅର ତା ଉପରେ ଦୃଢବିଶ୍ୱାସ ଯେ ଅଳ୍ପ ଦିନରେ ଭାଙ୍ଗିଯିବ ତାହା ଭାବି ଆଖିରେ ଲୁହ ରହୁୁ ନଥିଲା।
ସତକୁ ସତ ତାହା ହିଁ ହେଲା। ସମୟ ପହଞ୍ଚିଲା।ମାତ୍ର ଯିବାର କିଛି ସୂଚନା ପାଇଲା ନାହିଁ କୁନି ଝିଅଟି। ସବୁ ସାଙ୍ଗମାନେ ବୁଲି ଗଲେ ମାତ୍ର ସେ କୁଆଡେ ଯାଇ ପାରିଲା ନାହିଁ।ଛୁଟି ଖୋଲିଲେ କଣ କହିବ ସେ ସାଙ୍ଗମାନଙ୍କୁ।ତାକୁ ସମସ୍ତେ ଚିଡେଇବେ।ମୁଁ ଆଉ କୁଆଡେ ବି ଯିବିନି ତୁମ ସହ ମୋ ମାମୁଁ କୁ ଯାଉଛି ଫୋନ କରି ତାଙ୍କ ସହ ପଳେଇବି।ଏହାକହି ବହୁତ କାନ୍ଦିଲା।କୋମଳ ମନରେ ଆଘାତର କଷ୍ଟର ଅନୁଭବ କରିପାରୁଥିଲା ରାନୁ।କିଛି ସମୟ ତାକୁ ବୁଝେଇଲା ମାତ୍ର ନିଜ ମନ ଯୋଉଠି ବୁଝୁନି ସେଠି ଝିଅକୁ ବୁଝେଇବା କେତେ କଷ୍ଟକର ତାହା କେବଳ ଜଣେ ଭୁକ୍ତଭୋଗୀ ହିଁ କହିପାରିବ।
ବହୁ କଷ୍ଟରେ ବୁଝିଲା କୁନି ଝିଅଟି।ଆସନ୍ତା ବର୍ଷ ଯିବାର ଆଶ୍ୱାସନା ପାଇ।ବୋଧେ ଭଗବାନ କୁନି ଝିଅଟିର ବେଦନା ସହି ପାରିନଥିଲେ।ତେଣୁ ଇତି ମଧ୍ୟରେ ରମେଶର ସ୍ଥାୟୀ ଚାକିରୀ ହୋଇସାରିଥାଏ।କେହି କହିବା ଆଗରୁ ଉଡାଜାହାଜରେ କାଶ୍ମୀର ଯିବାପାଇଁ ଟିକେଟ କାଟି ଘରକୁ ଆସି ଝିଅକୁ ଜଣେଇଲା।ଏହା ଶୁଣି କୁନି ଝିଅଟି ଖୁସିରେ ନାଚି ଉଠି ଗୀତ ଗଇଲା,
କାଲି ମୁଁ ବିଦ୍ୟାଳୟରେ ମୋ ସାଙ୍ଗମାନଙ୍କୁ କହିବି,
ମୁଁ ବରଫରେ ବାଇଶି ଦିନ ରହିବି ।
ଏହା କହି ଗୀତ ଗାଇ ଗାଇ ବୁଲିଲା।ରାନୁ ଓ ରମେଶ ଙ୍କ ଆଖିରୁ ଦୁଇଧା ର ଖୁସିର ଲୁହ ଗଡିପଡିଲା ।
