ଛଳନା
ଛଳନା
ହଠାତ ନିଦ ଭାଙ୍ଗି ଗଲା, ଉଠି ବସି ଦେଖିଲି ଭୋର ହବାକୁ ଆହୁରି ତିରିଶ ମିନଟ ପାଖାପାଖି, ତେବେ ଦେହ ଉପରେ ଆଖି ବୁଲେଇ ଆଣି ଦେଖିଲି, ଗେଞ୍ଜି ପୁରା ଓଦା, ସାଙ୍ଗେ ସାଙ୍ଗ ମୁଣ୍ଡ ଉପରେ ହାତ ମାରି ଦେଖିଲି ବିନ୍ଦୁ ବିନ୍ଦୁ ଝାଳ ଟୋପା ଯାକ |
ପଙ୍ଖାଟି ଖୁବ ଜୋରେ ଚାଲି ମଧ୍ୟ ଏତେ ଝାଳ, ଟିକେ ଆଖି ବୁଜିଲି, ମନେ ପଡିଲା କିଛି ଗୋଟେ ସ୍ୱପ୍ନ ଦେଖି ଉଠି ପଡିଲି...| ଉଠିକି ଫ୍ରିଜରୁ ଥଣ୍ଡା ପାଣିଟିକୁ ଢକ ଢକ ପି ସାରି ପୁଣି ଆସି ଝରକା ପାଖରେ ଥିବା ଆରାମ ଚେୟାରରେ ବସି ଝରକା ପଟେ ରାତି ସରି ଆସୁଥିବା ଆଉ ଭୋର ହଉଥିବାର କୋହଳ କରୁଥିବା ଦୃଶ୍ୟ ମନ ଭିତରେ ଚଞ୍ଚଳତାରେ ଗୋଟେ ପୂର୍ଣ୍ଣଛେଦ ଆଣିଲା ||
କିଛି କିଛି ବାଦଲ ଝାପ୍ସା ଦିଶୁଥିବା ଜହ୍ନକୁ ଘୋଡାଇ ଆସିଲା ପରି ମନରେ ପୁଣି ଉଙ୍କି ମାରିଲା ସେ କି ସ୍ୱପ୍ନ ଦେଖିକି ଝାଳ ନିଗିଡ଼ି ଥିବାର ପ୍ରଶ୍ନ | ବହୁତ ସମୟ ଯାଏଁ ନିଜର ସ୍ମରଣ ଶକ୍ତି ଉପରେ ଜୋର ଲଗେଇ ମନେ ପକେଇବାକୁ ଚେଷ୍ଟା କରିବା ସତ୍ୱେ ବିଫଳ ହେଲି...| ପୁଣି କିଛି ଜହ୍ନର ଝାପ୍ସା ଆଲୁଅ ସହ ମୃଦୁ ହାଲୁକା ପବନ ଝରକା ଦେଇ ଭିତରକୁ ପଶି ଆସିଲା.. ଅଶାନ୍ତ, ବିବ୍ରତ ମନ ଜେପରି ଶାନ୍ତ ହୋଇ ଗଲା.. ଆଖି ପତା ପୁଣି ଓଜନ ଓଜନ ଲାଗିଲା...|
ଦିବା ସ୍ୱପ୍ନ ସତ ହୁଏ ସଭିଏଁ କୁହନ୍ତି ଆଉ ସତକୁ ପ୍ରକୃତରେ ଘଟିବାକୁ ହେଲେ ଠାକୁର ଅନେକ ସଂକେତ ଦିଅନ୍ତି..| ସେମିତି ସେ ମୃଦୁ ପବନ ସତେ ଯେମିତି ମୋ ଭୁଲି ଯାଇଥିବା ସ୍ୱପ୍ନକୁ ମୋ ଆଖି ଆଗରେ ବାଏସ୍କୋପରେ ଚିତ୍ର ଦେଖାଇଲା ପରି ରିଲ ଗଡେଇ ଚାଲିଲା... | ସେଇ ନୀଳ ରଙ୍ଗର ଶାଢ଼ୀ, ଖୋଲା କେଶ, ଗୋରା, ଗହମ ବର୍ଣ୍ଣରେ ଝଲସୁଥିବା ନାଲି ବିନ୍ଦି ଓ ସବୁଠୁ ଆକର୍ଷଣୀୟ ତିନିଟି ଜିନିଷ ଧଳ ଧଳ ମୟୂରୀ ଆଖି, ଗୋଲାପ ପାଖୁଡା ପରି ସେ ନରମ ଓଠ ଓ ଶେଷରେ ଅଣ୍ଟା ବିଛାରେ ସଜ୍ଜିତ ବାଙ୍କ କଟି |
ଫିଲ୍ମରେ ପୁରା ମୁହଁଟି ଶେଷରେ ଦେଖେଇଲା ପରି ମୋ ଛବିର ପୁରା ପରିଚୟଟି ପାଇବା ପୂର୍ବରୁ ପୁଣି ନିଦ ଭାଙ୍ଗି ଗଲା, ଉଠି ଦେଖିଲି ଅଫିସ ଟାଇମ ହେଇ ଗଲାଣି, ତୁରନ୍ତ ଫ୍ରେଶ ହୋଇ ଅଫିସ ଗଲି | କିନ୍ତୁ ମନ ମୋର ସେଇ ପରିଚୟହିନ ଜଳପରି ପାଖେ ଲାଗି ଥିଲା.. ହଜାର ଥର ଆକାଉଣ୍ଟ ଡିଟେଲରେ ଭୁଲ କରି ବାରୁ ମ୍ୟାନେଜେର ଡକେଇ ପଠେଇଲେ... ତାଙ୍କ ପାଖରୁ କ୍ଷମା ମାଗି ଆସିବା ପରେ କଲିଗ ପଚାରିଲା ଦେହ ଭଲ ନାହିଁ କି??
ଅନ୍ୟମନସ୍କ ଭାବରେ ମୁଣ୍ଡ ଟୁଙ୍ଗାରି ନିଜ ଚାମ୍ବରକୁ ଗଲି ଓ ଟେବୁଲ ଉପରେ ମୁଣ୍ଡଟି ରଖି ଆଖି ବୁଜିଲି ଏତିକି ଭିତରେ ଜଣେ ମହିଳା ସ୍ୱର ତରଙ୍ଗ ସାଜି କାନକୁ ଛୁଇଁଲା ହଠାତ ଉଠି ଦେଖିଲି ସ୍ୱପ୍ନରେ ଦେଖି ଥିବା ଜଳ ପରି ମୋ ସାମ୍ନାରେ | ମୁହଁ ନ ଦେଖି ଥିଲେ ଵି ସେଇ ଆଖି, ସେଇ ନୀଳ ରଙ୍ଗ ଶାଢ଼ୀ ଓ କଟି ଦେଶରେ ଝୁଲୁଥିବା ସେଇ ଅଣ୍ଟା ବିଛା | ମତେ ଯେମିତି କିଛି ଆଉ ଶୁଭିଲାନି, କାନରେ ଖାଲି ସମୁଦ୍ର ଜୁଆରର ଶବ୍ଦ...
ମହିଳା ଜଣକ ଏଥରକ ବଡ ପାଟିରେ କହିଲେ ଏକ୍ସକ୍ୟୁଜ ମି, କହି ପାରିବେ ମ୍ୟାନେଜରଙ୍କ ଚାମ୍ବର କୋଉପଟେ ମୁଁ ଚମକି ପଡି କହିଲି ଜଳପରୀ... ସେ ମହିଳା ଜଣକ ସରି ବୋଲି ଉଚ୍ଚାରଣ କରିଲେ ଓ ହସି ଦେଇ କବାଟ ବନ୍ଦ କରି ଫେରି ଗଲେ...
ନିଜର ଅପ୍ରସ୍ତୁତ ଓ ବେଖିଆଲି ଆଚାର ପାଇଁ ଲଜ୍ଜିତ ମନେ କରି ମୁଁ ଚାମ୍ବର ବାହାରକୁ ଆସି ବ୍ୟାଙ୍କ ଭିତରେ ମହିଳା ଜଣକୁ ଖୋଜିବାକୁ ଲାଗିଲି... କଲିଗଟିକୁ ମହିଳାଙ୍କ ବିଷୟରେ ବର୍ଣ୍ଣନା ଦେଇ ସାରି ବୁଝିଲି ସେ ତାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଆସିଥିଲେ... ତାଙ୍କ ନାଆଁଟା ବୁଝି ନିଜ ମନ ଭିତର ଅଣଦେଖା ଡରକୁ ସ୍ୱୀକାର ନ କରିବା ହେତୁ ସେ ନାଆଁକୁ ଯାଇ ଫେସବୁକରେ ଖୋଜିଲି କିନ୍ତୁ ସେଥିରେ ଅନ୍ୟ କାହାର ଛବି ଥିଲା... ଅଡ୍ରେସ ବୁଝିକି ସେ ଜାଗାକୁ ଯାଇ ଦେଖିଲି ସେ ନାମର ବ୍ୟକ୍ତି ସେଠାରେ ଅଛନ୍ତି କିନ୍ତୁ ସେ ମୋ ଜଳପରୀ ନୁହଁ...
ହତାଶ ହେଇ ଆସି ରୁମରେ ପୁଣି ଯାଇ ଝରକା ପାଖ ଆରାମ ଚେୟାରରେ ବସି ଜହ୍ନକୁ ଚାହିଁ ହସିଲି... କି ମୂର୍ଖ ସତେ ମୁଁ, ଗୋଟେ ଅବାସ୍ତବ ସ୍ୱପ୍ନକୁ ବିଶ୍ୱାସ କରି ପୁରା ଦିନ ଗୋଟେ ଅଚିହ୍ନା ମଣିଷ ପଛେ ମୁଁ କଟାଇ ଦେଲି, ଯାହା ପାଇଁ ମୁଁ ଅଚିହ୍ନା ଓ ଯିଏ ମୋ ପାଇଁ ପରିଚୟହିନ...
ସତେ ଯେମିତି ଜହ୍ନ ବି ମୋ ସହ ତାଳ ଦେଇ ହସିବାକୁ ଲାଗିଲା ଓ କୋଉ କୋଣରୁ ପୁଣି ଗୋଟେ ମୃଦୁ ପବନ ଆସି କ୍ଲାନ୍ତ ମନକୁ ହାଲୁକା କରି ପୁଣି ଆଖିକୁ ଓଜନିଆ କରି ଦେଲା...
ଆଖି ଲାଖୁ ଲାଖୁ ପୁଣି ସେଇ ଜଳପରି ମୋ ହାତ ଧରି କାନରେ କହି ଗଲା ଅପେକ୍ଷା କରିବ, ମୁଁ ଫେରିବି|
ନିଶ୍ଚୟ ଫେରିବି |
ଆଜିକି ପାଞ୍ଚ ବର୍ଷ ବିତି ଗଲାଣି, ମୁଁ କଥା ମୋର ରଖିଛି, ଅପେକ୍ଷା କରିଛି... କିନ୍ତୁ ନା ଭେଟ ମିଳିଛି ନା ସନ୍ଧାନ... କିନ୍ତୁ ସେ ଦିନ ପରଠୁ ମୁଁ ଆଉ ଖୋଜିନି | କିନ୍ତୁ ସେ ଜଣେ ମୁକ୍ତା ଯିଏ କି ସମୁଦ୍ରର ଗର୍ଭ ଭିତରେ ନିଜକୁ ଅନ୍ୟ ଆଖି ଆଗରୁ ବଞ୍ଚାଇ ଚାଲିଛନ୍ତି| ଆପଣମାନଙ୍କୁ ନିଜର ଭାବି ଜଳପରୀର ବର୍ଣ୍ଣନା କରିଲି, ଖୋଜି ପାଇଲେ କହିବେ... ନିରୁର୍ଦ୍ଦିଷ୍ଟ ନୁହଁ କିନ୍ତୁ ସେ ବୋଧହୁଏ ମାୟାବିନୀ ଯିଏ ଛଳନା କରି ଶିଖିଛନ୍ତି ||
