ବି. ନିରୁପମା

Children Stories Action Thriller

4.0  

ବି. ନିରୁପମା

Children Stories Action Thriller

ଚଗଲା ବୁବୁଲା ବୁଝିଲା

ଚଗଲା ବୁବୁଲା ବୁଝିଲା

6 mins
223



     ତୁମରି ବୟସର ପିଲାଟିଏ ,ବୁବୁଲା ।ଭାରି ଦୁଷ୍ଟ । ଯାହାକୁ କହନ୍ତି ଚାଲିଗଲା ଶଗଡ଼ରେ ହାତ ମାରିବା ଵାଲା ।ମାଟି ବିରାଡ଼ି ସାପକୁ ହାତରେ ଉଠେଇ ଘୂରେଇ ଘୂରେଇ ଦୂରକୁ ଛାଟିବା, ଆଉ ପାଦରେ ଦଳି ତା' ସହ ଖେଳ ଖେଳିବା, ପୁଣି କେବେ କଙ୍କଡ଼ାବିଛାକୁ ଧରି ସୂତୁଲିରେ ବାନ୍ଧି ୟାକୁ ତାକୁ ଡରେଇ ମଜା ଦେଖିବା ହେଉଛି ତା'ର ବାଁ ହାତର ଖେଳ ।

     ଏହା ବ୍ୟତୀତ ପୋଖରୀରେ ଗାଧୋଇବାବେଳେ ସାଥୀ ପିଲାମାନଙ୍କୁ ପାଣି ମଝିକୁ ଟାଣିନେଇ ବୁଡାଇ ଆକତା ମାକତା କରିବା ଠାରୁ ଦ୍ରୁତ ଗତିରେ ଯାଉଥିବା ଭାରୀଯାନ ଆଗରେ ରାସ୍ତାର ସେ ପାଖକୁ ଦୌଡ଼ି ବାହାଦୁରି ଦେଖେଇବାରେ ସେ ଖୁବ ଆନନ୍ଦ ପାଏ ।ବୁଢ଼ା ,ବୁଢ଼ୀ ଏବଂ ଦିବ୍ୟାଙ୍ଗ ଲୋକଙ୍କୁ ଦେଖି ତାଙ୍କ କଥାବାର୍ତ୍ତା ଓ ଚାଲିକୁ ନକଲ କରି ଖତେଇ ହୁଏ । ଅନ୍ୟର ଦେହରେ ବାଇଡ଼ଙ୍କ ଆଉ ବିଛୁଆତି ବୋଳି ତାଳିମାରି ଚିଲାଏ । କେବେକେବେ ଘରଲୋକ ବୁବୁଲାକୁ ସଉଦା ପାଇଁ ଦୋକାନକୁ ପଠାନ୍ତି । ସେ କାଇଦା କରି ହାତ ସଫେଇ ଦ୍ୱାରା ଗୁଡାଏ ସରିକି ଚକୋଲେଟ, ବିସ୍କୁଟ ଆଉ ଖେଳଣା ନେଇକି ଚାଲି ଆସେ ।ପରେ ତା' ସାଙ୍ଗମାନଙ୍କ ଆଗରେ ମାଉସୀ ଦେଇଛି କହି ବଡ଼ିମା ଦେଖାଏ ।

  ଇଏତ ଗଲା ବୁବୁଲାର ଦୈନନ୍ଦିନ ଦୁଷ୍ଟାମିର ଅଳ୍ପ କିଛିଟା ସୂଚନା ।ହେଲେ ଏ ସବୁଥିରେ ସେ ଯେତିକି ଧୂରନ୍ଧର ,ପାଠପଢ଼ାରେ ସେତିକି ବଡ଼ ପାଠ ଚୋର ।

   ସ୍କୁଲ ନ ଯିବାକୁ ସେ କେତେ କ'ଣ ବାହାନା କାଢ଼େ ।କେବେ ତା'ର ପେଟ କାଟୁଛି ତ ଆଉ କେବେ ମୁଣ୍ଡ ବିନ୍ଧୁଛି । ପୁଣି କେତେବେଳେ ଲେଖିଲେଖି ତା' ହାତ ଘୋଳିହୋଇ ଯାଉଛି ।କେବେକେବେ ତ ବିଦ୍ୟାଳୟରୁ, ପାଠପଢ଼ା ଅଧାରୁ ବନ୍ଦକରି, ଲୁଚି ଚାଲିଆସେ ।

    ତା'ପରେ ଅନ୍ୟ ବାଡ଼ିରେ ପଶି ଆମ୍ବ କି ପିଜୁଳି ଚୋରି କରିବା, ଫୁଲ ଫଳ ଛିଣ୍ଡାଇ ନଷ୍ଟ କରିବା,ଗଛରେ ଚଢ଼ି ଚଢ଼େଇଛୁଆଙ୍କୁ ଧରିବା ଆଉ ବୁଲା କୁକୁର ବିଲେଇଙ୍କୁ ଢେଲା ଫୋପାଡ଼ି କିଲିବିଲା କରିବାରେ ସେ ବାକି ସମୟକୁ ବିତେଇ ଦିଏ ।

    ସେଥିପାଇଁ କିଏ ଯଦି ଆକଟ କରି କିଛି କହେ ବୁବୁଲା ଏଣୁ ତେଣୁ କଥାକହି ତାକୁ ଖତେଇ ହୁଏ । ଘରକୁ ଯାଇ ଅଭିଯୋଗ କଲେ ସେ ପ୍ରତିଶୋଧ ପରାୟଣ ହୋଇ ସେହି ଲୋକର କ୍ଷତି କରେ ।ତେଣୁ ଗାଁ ଲୋକେ ତା' ଦାଉରେ ଅତିଷ୍ଠ ହେଲେ ମଧ୍ୟ ଚୁପ ରହିବାକୁ ପସନ୍ଦ କରନ୍ତି । ବୁବୁଲା କିନ୍ତୁ ଏହାର ଭରପୁର ଫାଇଦା ଉଠାଏ ।

    ଦିନେ ସେ ପୋଖରୀ ପାଣି ଗୋଳିଆ କରୁଥିଲା ବୋଲି ଶୁକୁଟା ସାହୁ ତାକୁ ଆକଟ କଲା । ସେଇ ରାଗରେ ନିଛାଟିଆ ଦୁଇ ପହରେ ବୁଲା ଷଣ୍ଢଟାକୁ ଘଉଡାଇ ନେଇ ଶୁକୁଟାର ପରିବା ବଗିଚାରେ ଛାଡ଼ିଦେଲା ବୁବୁଲା। ଷଣ୍ଢଟା-ବିଚରା ଶୁକୁଟା ସାହୁର ପନିପରିବା କ୍ଷେତର ଅବସ୍ଥା ଯାହାକଲା ତାହା ନ କହିବା ଭଲ ।

   ଦିନକୁ ଦିନ ସୁଧୁରିବା ପରିବର୍ତ୍ତେ ବୁବୁଲାର ଦୁଷ୍ଟାମି ବଢ଼ି ଚାଲିଥାଏ । ଦୀପାବଳି ପାଖେଇ ଆସୁଥାଏ ।ବୁବୁଲା ମାଆଙ୍କ ସଞ୍ଚିଥିବା ହାତଖର୍ଚ୍ଚରୁ ଚୋରିକରି ବିଭିନ୍ନ ପ୍ରକାର ବାଣ କିଣୁଥାଏ।ହାବେଳି, ତାଳଫୋଟକା,ଚକ୍ରି,ଝରଝରି, କୁମ୍ପି, ହାବେଳି, ମକାବାଣ ଠୁ ଆରମ୍ଭ କରି ଆହୁରି କେତେ ପ୍ରକାରର।ବାପାଙ୍କ ଅଗୋଚରରେ ସେ ଦୀପାବଳିର କିଛିଦିନ ପୂର୍ବରୁ ସାଇର ଏଠି ସେଠି -ମନଇଚ୍ଛା ବାଣ ଫୁଟାଇବାରେ ଲାଗିଥାଏ ।ଥରେ ଥରେ ତ ସେ ଅନ୍ୟର ପଛକୁ ବାଣ ଫୋପାଡ଼ି ଚମକେଇ ଦେଇ ମଜା ନେଉଥାଏ ।କେହି ପ୍ରତିବାଦ କଲେ ପରିହାସ କରି ଏଡ଼ାଇ ଯାଉଥାଏ ତା' କଥାକୁ ।କହୁଥାଏ , "ଏଇଟା ପରା ଦୀପାବଳି, ବାଣ ଫୁଟାଇ ମଜା କରିବାକୁ ବର୍ଷକରେ ଗୋଟିଏ ଦିନ ଆସିଛି ,କ'ଣ ଏତିକି ଜାଣିନ ? ଏମିତି ଡରିଲେ କେମିତି ହେବ !"

     ଦୀପାବଳି ଦିନ ସକାଳୁ ବାପା କୌଣସି କାମରେ ଘରୁ ବାହାରକୁ ଗଲେ। ବୁବୁଲା ତ ଅପେକ୍ଷା କରି ରହିଥିଲା; ବାଣଫୁଟା ଅଭିଯାନ ପୁନର୍ବାର ଆରମ୍ଭ କରିଦେଲା। ଚାରି ପାଞ୍ଚଟା ତାଳଫୋଟକା ଫୁଟାଇବା ପରେ ହଠାତ ତା'ର ନଜର ପଡ଼ିଲା, ପଡ଼ିଶା ଘରର ପୋଷା କୁକୁର 'ଥୁକୁଲ' ଉପରେ । ବୋଧହୁଏ ଘର ମାଲିକ ଘରେ ନ ଥା'ନ୍ତି। ବାରଣ୍ଡାରେ ଥୁକୁଲ ନସର ପସର ହେଉଥାଏ । ହଠାତ ବୁବୁଲା ମୁଣ୍ଡକୁ ଗୋଟିଏ ଦୁଷ୍ଟବୁଦ୍ଧି ଜୁଟିଲା ।ପାଖରେ ଛିଡା ହୋଇଥିବା ମାଳତୀକୁ କହିଲା, "ମୁଁ ଏଇନେ ତୋତେ ଗୋଟିଏ ମ୍ୟାଜିକ ଦେଖେଇବି, ତୁ ଯାଇ ଘରୁ ଦୁଇଖଣ୍ଡ ବିସ୍କୁଟ ନେଇଆ।"

     ମାଳତୀ ବିସ୍କୁଟ ନେଇ ଆସିଲା। ବୁବୁଲା ତୁ ତୁ ଡାକି ଖଣ୍ଡେ ବିସ୍କୁଟ ଥୁକୁଲ ଆଗକୁ ଫୋପାଡ଼ି ଦେଲା। ଥୁକୁଲ ଥରେ ବୁବୁଲାକୁ ଆଉ ଥରେ ବିସ୍କୁଟ ଆଡକୁ ଚାହିଁଲା । ତା'ପରେ ଲାଙ୍ଗୁଡ଼ ହଲାଇ ଦୌଡ଼ି ଆସିଲା । ବିସ୍କୁଟଟି ଖାଇସାରିବା ପରେ ବୁବୁଲା ବାରଣ୍ଡା ତଳକୁ ଆର ଖଣ୍ଡିକ ଫୋପାଡ଼ି ଦେଲା । ଏଇ ମଉକାରେ ବୁବୁଲା, କୁକୁରକୁ ଟିକେ ଆଉଁସି ଦେଇ ଚତୁରତାର ସହ ତା' ଲାଙ୍ଗୁଡ଼ରେ ନେନ୍ଥାଏ ମକାବାଣ ବାନ୍ଧିଦେଲା। ତା'ପରେ ଦିଆସିଲି ଜଳାଇ ସେଥିରେ ନିଆଁ ଧରାଇ ଦେଲା ।

     ହଠାତ ମକାବାଣ ଚଡ଼ଚଡ଼ ହୋଇ ଫୁଟି ଉଠିବାରୁ ଥୁକୁଲ ଚମକିପଡ଼ିଲା । ବୁବୁଲା ତାଳିମାରି ହୋ,ହୋ ହସି ମଜା ନେଉଥାଏ । ବାଣଫୁଟିବା ଶବ୍ଦ ସହ ଲାଞ୍ଜରେ ନିଆଁ ଆଉ ଧୂଆଁ ଦେଖି ବିଚରା ପଶୁଟା ଏକଦମ ଛାନିଆ ହୋଇଗଲା। ସେ ଏବେ କରିବ କଣ! ନାଁ ଲାଞ୍ଜରୁ ଖୋଲି ପାରିବ ନାଁ କାହାକୁ ପାଟି ଖୋଲି ଏକଥା କହି ପାରିବ! ଜୀବନ ବିକଳରେ କେବଳ ଏଣେତେଣେ ଦୌଡ଼ିବାକୁ ଲାଗିଲା। 

      ଆଗରେ ବୁବୁଲା ଘରର ଧାନ ଖଳା। ଅମଳ ପାଇଁ କ୍ଷେତରୁ କଟାହୋଇ ଆସିଥିବା ଧାନ କଳେଇ। ପାଚିଲା ଧାନକେଣ୍ଡା ସହ ଶୁଖିଲା ଧାନଗଛ ସବୁ ବିଡା ବନ୍ଧା ହୋଇ ଥାକ ମାରି ରଖା ଯାଇଥାଏ। ଧାନ କଳେଇରୁ ଧାନକୁ ଅଲଗା କରାଯିବ। ଧାନକୁ ଶିଝେଇ, ପେଶୀ ଚାଉଳ ହେବ ଆଉ ସେଇ ଚାଉଳ ବର୍ଷକ ଲାଗି ଭାତ ଯୋଗାଇବ। ଚାହୁଁ ଚାହୁଁ କୁକୁର ଖଳା ଭିତରେ ପଶିଗଲା । ଥାକ ମରା ଯାଇଥିବା ଧାନଗଦାରେ ଧସେଇ ପଶି ଜାକିଜୁକି ହୋଇ ଲାଙ୍ଗୁଡ଼କୁ ଘଷି ନିଆଁ ଲିଭେଇବାକୁ ଚେଷ୍ଟା କଲା । ସଫଳ ହୋଇ ପାରିଲାନି ଗୋଟିଏ ପରେ ଆଉ ଗୋଟିଏ ଧାନ ଗଦାରେ ପଶିଲା। ପୁନଶ୍ଚ ବିଫଳ ହେବାରୁ ଜୀବନ ବିକଳରେ ଆହୁରି ଧାଇଁଲା। ଶେଷରେ ଗାଆଁମୁଣ୍ଡ ପୋଖରୀ ପାଣିରେ ପଶିଗଲା । ବୁବୁଲା କୁକୁରର ଅସହାୟ ଆଚରଣରେ ତାଳି ମାରି ମଜା ନେଉଥାଏ।

    ଏଣେ ବାଣରୁ ଛିଟିକି ପଡିଥିବା ନିଆଁ, ଶୁଖିଲା କୁଟାରେ ପଡି ଜଳିବା ଆରମ୍ଭ କରିଥିଲା। ଧୀରେ ଧୀରେ ନିଆଁ ବ୍ୟାପିବାକୁ ଲାଗିଲା ଆଉ ଧାନଗଦା ଜଳିବାକୁ ଆରମ୍ଭ କଲା। ଧୂଆଁ ଆଉ ନିଆଁ ଦେଖି ଗାଆଁଲୋକ ଡାକହାକ ହୋଇ ଧାଇଁ ଆସିଲେ । ମିଳିମିଶି ପାଣି ପକେଇ ନିଆଁ ଲିଭେଇବାକୁ ଚେଷ୍ଟାକଲେ । ଗାଁରେ ରାସ୍ତାର ଦୁଇ କଡରେ ଚାଳ ଛପରର ଘର ସବୁ ଧାଡି ହୋଇଥାଏ। ଘରକୁ ଲାଗି ଧାନ ଖଳା। ତେଣୁ ଧାନଗଦାର ନିଆଁ ଘରର ଚାଳକୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥାଏ। କେହିଜଣେ ଅଗ୍ନିଶମ କେନ୍ଦ୍ରକୁ ସୂଚନା ପଠାଇଲେ। ଦମକଳ ଆସି ପହଞ୍ଚିବା ବେଳକୁ ପାଖରେ ଥିବା ଆଉ ଗୋଟିଏ ପାଳଗଦାରେ ବି ନିଆଁ ଲାଗି ଯାଇଥାଏ ।

    ଘଡ଼ିଏ ଆଗରୁ ବାଣ ଫୁଟାଇ ମଜା ନେଉଥିବା ବୁବୁଲା, କେବେ ବି ଏମିତି ଦୁର୍ଘଟଣା ହୋଇପାରେ ବୋଲି କଳ୍ପନା କରି ପାରି ନ ଥିଲା। ଏ ଭୟଙ୍କର ଦୃଶ୍ୟଦେଖି ସେ ମନେ ମନେ ଛାନିଆ ହୋଇ ପଡ଼ିଥାଏ ।ତଥାପି ତାର ମୁହଁଟାଣ ଭାଙ୍ଗି ନ ଥାଏ। ସେ ବିଷୟରେ କାହାକୁ କିଛି ନ ଜଣାଇବାକୁ ମାଳତୀକୁ ଧମକ ଦେବାସହ ସତର୍କ କରି ଦେଇଥାଏ।

    ତେଣେ ଖବର ପାଇ ବୁବୁଲାର ବାପା ଆସି ପହଞ୍ଚିଲେ ।ସେତେବେଳକୁ ନିଆଁ ଲିଭାଇ ଦିଆଯାଇଥାଏ। ତଥାପି ଗୋଟିଏ ଧାନଗଦା ସହ ପାଖରେ ଥିବା ପାଳଗଦା ମଧ୍ୟ ପୋଡ଼ି ନଷ୍ଟ ହୋଇ ସରିଥାଏ । ସେ ଏ ଦୃଶ୍ୟଦେଖି, ଦୁଃଖରେ ମୁଣ୍ଡରେ ହାତଦେଇ ବସିପଡ଼ିଲେ । 

   "ମୋର ଛଅ ମାସର ପରିଶ୍ରମ ସାଙ୍ଗକୁ ,ସାରାବର୍ଷର ଦାନା ଗଣ୍ଡାକ ପୋଡ଼ି ପାଉଁଶ ହୋଇଗଲା ।ହାୟରେ ଦଇବ, ମୁଁ ଏବେ କଅଣ କରିବି ?ମୋ ପରିବାର ଲୋକଙ୍କ ମୁହଁରେ କେଉଁଠୁ ଆହାର ଦେବି ?" ବୁବୁଲାର ବାପା ହତାଶ ହୋଇ କହୁଥିଲେ। ହଠାତ ତାଙ୍କ ମନରେ ପ୍ରଶ୍ନ ଉଠିଲା, "ଧାନଗଦାରେ କେମିତି ନିଆଁ ଲାଗିଲା ?" 

     ସତକଥା ତ ! କିନ୍ତୁ କାହାରି ପାଖରେ ଉତ୍ତର ନଥିଲା ।ଅଚାନକ ଧାନଗଦାକୁ କେଉଁଠାରୁ ନିଆଁ ଆସିଲା,କଥାଟା ତଲାସ ହେଲା। ବୁବୁଲାର ଧମକରେ ଭୟଭୀତ ହୋଇ ମାଳତୀ କାହାକୁ କିଛି କହୁ ନ ଥାଏ । କିନ୍ତୁ ବୁବୁଲାର ଭଉଣୀ ନୀଳିମା ଆରମ୍ଭରୁ ଘଟଣାକୁ ଲକ୍ଷ୍ୟ କରିଥିଲା । ତେବେ ଦୂରରେ ଥିବାରୁ ସ୍ପଷ୍ଟ ଧାରଣା କରି ପାରି ନ ଥିଲା। ତେବେ ମାଆର ବିକଳ କାନ୍ଦଣା ଆଉ ବାପାଙ୍କର ଅସହାୟ ଅବସ୍ଥା ଦେଖି ସେ ଦେଖିଥିବା କଥାକୁ ବର୍ଣ୍ଣନା କରିବାକୁ ଉଚିତ ମଣିଲା।ବୁବୁଲା ପାଖରେ ମାଳତୀ ଥିବା କଥା ଜଣା ଯିବାରୁ ମାଳତୀକୁ ଜେରା ହେଲା। ସତ ପଦାକୁ ଆସିଲା।

    ବୁବୁଲାର ବାପା ଦାନ୍ତରଗଡ଼ି ମାଡ଼ି ଆସିଲେ ।ଶଗଡ଼ ପାଖରେ ଥୁଆ ଯାଇଥିବା ପାଞ୍ଚଣଟାକୁ ଧରି ବୁବୁଲାକୁ ଟାଣି ଆଣିଲେ ଗହଳି ଭିତରୁ ।

    "ବଦମାସ , କୁକୁର ଲାଙ୍ଗୁଡ଼ରେ ବାଣ ବାନ୍ଧି ନିଆଁ ଧରେଇ ମଜା ଦେଖୁଛୁ ତୋତେ ଟିକେ ଖରାପ ଲାଗୁନି ! ସାରା ପରିବାର ଲୋକଙ୍କର ବର୍ଷଟା ଯାକର ଆହାର ଘଡ଼ିକ ଭିତରେ ପୋଡ଼ି ପାଉଁଶ କରିଦେଲୁ !ଆଉ-କିଛି ନ ଜାଣିଲାଭଳି ଏଠି ଆସି ନସର ପସର ହେଉଛୁ !କହ,ଏ ମନ୍ଦବୁଦ୍ଧି କାହିଁକି କଲୁ ?ଧାନଗଦା ସହ ପାଳଗଦାଟା ବି ଗଲା ।ମୋ ଗାଈ ବଳଦ ଏବେ ଖାଇବେ କ'ଣ ?ଆରେ, ତୁ ଏଡ଼ିକି ନୃଶଂସ ସେ ଜୀବଟା ଦେହରେ ନିଆଁ ଧରେଇ ମଜା ଦେଖୁଛୁ !ଏହାଦ୍ୱାରା ତା'ର ଅବସ୍ଥା କ'ଣ ହେବ କେବେ ଚିନ୍ତା କରିଛୁ ? ରହ ଆଜି ତୋର ହାଡ଼ ଗୋଡ଼ ଭାଙ୍ଗି ଯଦି ସେ ବାଳୁଙ୍ଗା ବୁଦ୍ଧି ନ ଛଡେଇଛି ତା' ହେଲେ କହିବୁ ।"

    ଦୁଃଖ ଆଉ ଵିରକ୍ତିରେ ଏକଥା କହିବା ସହ ସେ ପୁଅକୁ ରାଗରେ ବାଡ଼େଇବାକୁ ଲାଗିଲେ ।ଅନ୍ୟମାନଙ୍କର ବାରଣ ସତ୍ତ୍ୱେ ତାଙ୍କ ରାଗ ଥମିଲାନି ।ଏଣେ ପାଞ୍ଚଣ ପ୍ରହାରରେ ବୁବୁଲା ଚିତ୍କାର କରୁଥାଏ ।ତା' ଆଖିରୁ ଥପଥପ ନିଗିଡ଼ି ପଡ଼ୁଥାଏ ଲୁହ ।ଶେଷକୁ ସେ କୋହ ସମ୍ଭାଳି ବିକଳ ହୋଇ କହିଲା ,

   "ମୋତେ ଆଉ ମାରନି ବାପା, ମଜା କରିବାପାଇଁ ବାଣ ଫୁଟାଇବା ବେଳେ,ଏଡ଼େ ବଡ଼ ଅଘଟଣ ଘଟିବ ବୋଲି ମୁଁ ଜମା ଭାବି ନ ଥିଲି। ତୁମ ଆଗରେ କାନଧରି କଥା ଦେଉଛି, ଆଜିଠାରୁ ଏ ଦୁର୍ବୁଦ୍ଧି ସବୁ ଛାଡ଼ିଦେବି। ମନଦେଇ ପାଠପଢ଼ି- ଭଲମଣିଷ ହେବାକୁ ଚେଷ୍ଟା କରିବି।ମଣିଷ ହେଉ କି ପଶୁ; ଆଉ କେବେ କାହାର ଅନିଷ୍ଟ କରିବିନି। କିଛି କରିବା ଆଗରୁ ତା'ର ଭଲମନ୍ଦ କଥା ଭାବି ଦେଖିବି।"

    ବୁବୁଲାର ଭୁଲ ସ୍ବୀକାରୋକ୍ତି ସହ ଦୃଢ଼ ସଂକଳ୍ପ ଶୁଣି ବାପାଙ୍କ ହୃଦୟ ତରଳି ଗଲା ।ସେ ଏକ ଦୀର୍ଘଶ୍ଵାସ ଛାଡ଼ି ଧରିଥିବା ପାଞ୍ଚଣକୁ ଫୋପାଡ଼ି ଦେଲେ ।



Rate this content
Log in