ଚାକିରି କଣ ଦରକାର
ଚାକିରି କଣ ଦରକାର


ଆରେ ତୁ ହରିଆ ଟି ? କାନ୍ଧରୁ ଘାସ ଭାରଟା ତଳେ ଥୋଇଦେଇ ହରିଆ କହିଲା , " ହଁ ଦାଦି ପ୍ରଣାମ । ସକାଳୁ ସକାଳୁ ଉଠି ଯାଇଥିଲି ଗାଈଟା ପାଇଁ ଘାସ ଦି ବିଡା କାଟିକରି ଆସୁଛି। ଗାଧୁଆ ପାଧୁଆ ସାରି କାମକୁ ଯିବି ।"
ଆଉ କଣ ଖବର ? ପିଲାପିଲି କେତେଟି ? କି କାମ କରୁଛୁ ବୋଲି ପଚାରିଲି ।
ହରିଆ କହିଲା ,"ହଁ ଦାଦି ସେମିତି ଦୁଃଖେ ସୁଖେ ଚଳି ଯାଉଛି । ସବୁଦିନେ ଆ'ର ତା'ର କାମ କରିବାକୁ ଯାଉଛି । ଦୁଆଁଳିଆ ଗାଈଟିଏ ଅଛି । ସେଥିରୁ ଦି ପଇସା ହେଉଛି। ଗୁଜୁରାଣ ମେଣ୍ଟି ଯାଉଛି । ଗୋଟିଏ ବୋଲି ତ ପୁଅ । ଏଇ ଫଗୁଣକୁ ଚାରି ପୂରିଯାଇ ପାଞ୍ଚ ପଶିବ ।"
ଗୋଟିଏ ବୋଲି ପୁଅ ତାକୁ ପାଠସାଠ ପଢେଇକି ମଣିଷ କର । ତୁ ସିନା ମୂର୍ଖ ହେଲୁ , ପୁଅଟାକୁ ବି କଣ ମୂର୍ଖ କରିବୁ ?
ମୋ ପାଟିରୁ କଥା ସରୁ ସରୁ ହରିଆ କହିଲା, "ତେମେ ତ ଶିଖିତ ଲୋକ ଦାଦି। ମୁଁ ତମକୁ କଣ ବା କହିବି ? ଆମର ତ ନଥିଲା ସଂସାର । ମୋର କୋଉଠୁ ବଳ ପାଇବ ତାକୁ ଅଧିକ ପାଠ ପଢେଇବାକୁ ? ଏବେ ସେଇ ଶଙ୍କରା ମାଷ୍ଟର ଚାହାଳିକୁ ଯାଉଛି । କଣ ପଢୁଛି କି ନପଢୁଛି ଆମେ ସ୍ୱାମୀ, ସ୍ତ୍ରୀ କିଛି ଜାଣିନୁ । ଆମେ ତ ପାଠଶାଠ ପଢିନୁ ତା ପାଠ କଥା କଣ ବା ବୁଝିବୁ । ଏବେ ତ ଛୋଟ ଅଛି କାମଦାମ କରିବାକୁ ପାଇଁ ସମର୍ଥ ହୋଇଗଲେ କାମ କରିବ । ମୋରି ପରିକା ଭଲ ମରଦଟେ ହବ । ପାଠଶାଠ ପଢିଲେ କଣ ଏ ସବୁ କାମ କରିବାକୁ ରାଜିହେବ ? ଆଜିକାଲି ଟୋକାଗୁଡାଙ୍କୁ ଦେଖୁନ ପାଠଶାଠ ପଢି ପେଣ୍ଟ୍ ସାର୍ଟ୍ ପିନ୍ଧି ବେକାର ହୋଇ ବୁଲଛନ୍ତି । ନା ଏ କୂଳର ହେଉଛନ୍ତି ନା ସେ କୂଳର । ଏତେ ଶିଖିତ ପିଲା ଯେଉଁଠି ଚାକିରି ପାଉନାହାଁନ୍ତି ଇଏ ପଢିଲେ କିଏ ଚାକିରି ଦବ । ଅଳପ ପଢିଥିଲେ ଛୋଟିଆ ମୋଟିଆ ଚାକିରି ମିଳିଲେ ରହିବାକୁ ଲାଜ କରିବନି । ନହେଲା ତ ମୋ ପରି କାମଦାମ କଲେ ମନରେ ଦୁଃଖ କରିବନି । ମୁଁ କଣ ନାକେରା କହିଲି ଦାଦି ? ନା ତେମେ କଣ କହୁଛ କହୁନ ? "
ହରିଆ କଥାର ଉତ୍ତର କିଛି ନଦେଇ ତାକୁ ଘରଆଡେ ଆସିବାକୁ କହି ଘରକୁ ପଳେଇ ଆସିଥିଲି । ସତରେ ହରିଆ ମୂର୍ଖ ହେଲେ ବି ତାର ବୁଦ୍ଧି କିଛି କମ ନୁହେଁ । ତା'ର ଛୋଟ ମୁଣ୍ଡରେ ସେ ଯାହା ଚିନ୍ତା କରିଛି , କଣ କିଛି ଭୁଲ କରିଛି ? ନା ଆପଣ କଣ ଭାବୁଛନ୍ତି ?
********