ଚାକିିରିଆ ବୋହୂ
ଚାକିିରିଆ ବୋହୂ
ଚାକିରିଆ ବୋହୂ । ଖାଲି ଶୁଣିଦେଲେ ସାହିପଡିଶାକଂ ପାଟିରୁ ଲାଳ ବହିପଡେ । ଆଉ ବୋହୂ ଯଦି ସରକାରୀ ଚାକିରିଆ ; ତେବେ ତ କଥା ସରିଲା । ପ୍ରଶଂସାରେ ହିଂସାର ମହମହ ବାସ୍ନା ନାକରେ ନୁହେଁ କାନରେ ବାରିହୋଇପଡେ । ଏଇ ଯେମିତି ଆମ ସାହୁଘର ବୋହୂ କଲେଯେ ବାଛିବାଛି ଚାକିରିଆ । ସମସ୍ତକଂର ଭାବନା ଯେ ଚାକିରିଆ ବୋହୂ ଆସିଛି ମାନେ ସ୍ବୟଂ ଧନଲକ୍ଷ୍ମୀ ଘରକୁ ଚାଲିଆସିଛନ୍ତି । ତାଂକ ଭାବନାକୁ ତର୍ଯ୍ୟମା କଲେ ନିଷ୍କର୍ଷ ଏଇଆ ବାହାରିବ ଯେ ଚାକିରିଆ ବୋହୂକୁ ଛାଡି ବାକି ସବୁ ବୋହୂମାନେ ଳକ୍ଷ୍ମୀଛଡା । ଘରେ ବସିବସି ଖାଲି ଅନ୍ନ ଧ୍ବଂସ କରୁଛନ୍ତି । ହେଲେ ଯାହା ଘର ପୋଡୁଛି ସେହିଁ ଜାଣେ ତାର କଣ କଣ ଯାଇଛି ! ବିବାହର ଦିନ କେଇଟା ଭିତରେ ଅନ୍ତସତ୍ତ୍ବା ସାହୁବାବୁକଂ ବୋହୂ କାବେରୀ ସାତମାସର ପେଟକୁ ଧରି ଚାକିରିକୁ ବାହାରିଯାଏ । କେବେ ବସ୍ ରେ ଧକ୍କା ଖାଇଖାଇ ତ କେବେ ଅସହ୍ୟ ଗରମ ରେ ପାଣିପାଇଁ ଆଉଟୁ ପାଉଟୁହୋଇ । ଛୁଟି ପାଇଁ ଅନୁମତି ନାହିଁ । ଆଉ ଛୁଟି ମଧ୍ୟ ଅଧିକ ଦିନ ପାଇଁ ନାହିଁ । ଅଛି ଯଦି ଅଳ୍ପଦିନର ମାତୃତ୍ବ ଛୁଟି । ସେତକ ଯଦି ସେ ଆଗରୁ ନେଇଯିବ ତେବେ ଆଗକୁ କେମିତି ପିଲାର ପାଳଣ ପୋଷଣ ହେବ ! ତେଣୁ କଷ୍ଟ ହେଉପଛେ ତାକୁ ଅଫିସ୍ ତ ଯିବାକୁ ପଡିବ । ସେପଟେ ଅଫିସ୍ ରେ ବହୁତ ୱାର୍କ ଲୋଡ୍ । ଆଜିକାଲି ଯେଭଳି ଅବସ୍ଥା ଅଫିସ୍ ମାନକଂର ; ଦଶଜଣକଂ କାମକୁ ଜଣେ କରିବାକୁ ପଡୁଛି । ଷ୍ଟାଫ୍ ସର୍ଟେଜ୍ । ଯଦି କେହି ସମୀକ୍ଷା କରେ ସେ ଠିକ୍ ବୁଝିପାରିବ ଯେ ଦୁଇ ପୁତ୍ର କଂ ମାତା ଜାନକୀ ଦୁଇପୁତ୍ରକୁଂ ସେ ଜଂଗଲ ଭିତରେ ବଡ କରିବାରେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇନଥିବେ ତାଠାରୁ ବହୁତ ଅଧିକ ଅସୁବିଧାର ସମ୍ମୁଖୀନ ବୋଧେ ଗୋଟିଏ ପିଲାକୁ ମଣିଷ କରିବା ପାଇଁ ଚାକିରିଆ ବୋହୂ ମାନକୁଂ ହେବାକୁପଡୁଛି । ଚାକିରିଆ ବୋହୂ ମାନେ ହିଁ ଦିନସାରା ର ଗୋଟିଏ ରୁଟିନ ୱାର୍କ । ଟିକିଏ ଏପଟ ସେପଟ ହେଲେ ସବୁ ବିଳମ୍ବ । ନିଜେ ବିଳମ୍ବ ହେଲେ ଅନ୍ୟ ମାନକଂ ଆଗରେ କଣ ଉଦାହରଣ ଦେବ କାବେରୀ ? କେତେ ଏକ୍ସପ୍ଲାନେସନ ଦେବ ଉପର ଅଫିସରକଂ ପାଖରେ ନିଜ ବିଳମ୍ବର ! ଏପଟେ ଶାଶୁ ଶ୍ବଶୁର ମଧ୍ୟ ବୟସର ଅପରାହ୍ନ ରେ । ତାଂକ ଠାରୁ ସାହାଯ୍ୟ ଆଶା କରିବା ଅନୁଚିତ୍ । ଚାକରାଣୀ ଟା ଆସୁଛି ଯେ ହେଲେ ତାର ନଖରାମୀ ସହିବା ମୁସ୍କିଲ୍ । କାବେରୀର ଏପରି ଅବସ୍ଥାରେ ବିଭିନ୍ନ ଆଳ ଦେଖାଇ ଚାକରାଣୀ ଟଂକା ଲୁଟିବାରେ ବ୍ୟସ୍ତ । ତେଣୁ ବେଳେବେଳେ ତ କାବେରୀର ଇଚ୍ଛା ହେଉଛି ହେଉ ପଛେ ତାକୁ ଯେତେ କଷ୍ଟ ସେ ଚାକରାଣୀ କୁ ବନ୍ଦ କରି ନିଜେ ସବୁକାମ କରିବ ! କିନ୍ତୁ କାବେରୀ ର ସ୍ବାମୀ ତାକୁ ଚୁପ୍ ରହିବାକୁ ପରାମର୍ଶ ଦିଅନ୍ତି । ହଁ ! ବୋଧହୁଏ ସେ ଠିକ୍ ଜାଣିଛନ୍ତି ଏ ପରିସ୍ଥିତିରେ ଚାକରାଣୀର ଗୁରୁତ୍ବ ଆଉ ଆବଶ୍ୟକତା କେତେ? କାହିଁକିନା ଘର କଥା ଅଫିସ୍ କଥା ବାପା ମାକଂ କଥା ବୁଝୁବୁଝୁ ନିଜ କଥା ବୁଝିବାଟା ଏହାଭିତରେ ଭୁଲିଗଲାଣି କାବେରୀ । ଦିନେଦିନେ ଅଫିସ୍ ରେ ନିରୋଳାରେ ବସି କାନ୍ଦି ପକାଏ କାବେରୀ । ମନଟାକୁ ହାଲକା କରିବାକୁ ସାଂଗମାନକଂ ପାଖକୁ ଫୋନ୍ କରିଦିଏ । ସାଂଗମାନେ କିଏ ବାଂଗାଲୁରୁ ରେ ତ କିଏ ହାଇଦ୍ରାବାଦ ନହେଲେ ଦିଲ୍ଲୀ ରେ ସେଟେଲଡ୍ । କିଛି ଅନମ୍ୟାରେଡ୍ ହୋଇ କେଉଁ ଦୂର ସହର ରେ ଚାକିରି କରି ଫୁର୍ତ୍ତି କରୁଛନ୍ତି । ସେମାନେ କାବେରୀ ର ପ୍ରେଗନେନ୍ସି ରେ ଭାରି ଖୁସି । କହନ୍ତି " ଯା ହେଉ ତୁ ବହୁତ ଭାଗ୍ୟଶାଳୀ । ତୋ ନାରୀ ଜନ୍ମର ସାର୍ଥକତା ରଖିଲୁ । ଆମେତ ଏ ନିଆଁ ଲଗା କମ୍ପାନୀ ଗୁଡାରେ କୁକୁର କଂ ଭଳିଆ ଖଟୁଛୁ । ସିଏ ଘରେ ରହିଲେ ମୋର ଡ୍ୟୁଟି ପୁଣି ମୁଁ ଘରେ ରହିଲେ ତାଂକର ଡ୍ୟୁଟି । ପିଲା ହେବ କେମିତି ? ଏ ବଡ ସହର ରେ ଦୁଇ ଜଣ ଚାକିରି ନକଲେ ପରିବାର ଚଳାଇବା ମୁସ୍କିଲ୍ । ତାପରେବି ଭୟ ଲାଗୁଛି ସାଂଗ ! ପିଲା ଜନ୍ମ କଲେତ ହୁଏନି ! ତାଂକୁ ପୁଣି କୋଳେଇ କାଖେଇ ବଡ କରିବାକୁ ପଡିବ ! ଏ ଅଜଣା ସହର ରେ ନିଜର କିଏ ଅଛି ଯେ ପିଲାକଂ ଦେଖାଶୁଣା କରିବ ! ବାପା ମା କଂର ବେଳନାହିଁ ଏଇଠି ଆସି ମାସ ମାସ ଧରି ରହିପାରିବେ ! ଦେଖାଯାଉ ଭଗବାନକଂ କେବେ ଇଚ୍ଛା " ! ସାଂଗ ମାନକଂଠାରୁ ଏପରିକଥା ଶୁଣି ନିରାଶ କାବେରୀ ମନ କାହିଁକି କେଜାଣି ଟିକିଏ ଚଳଚନ୍ଚଳ ହୋଇଉଠେ । ଏହାଭିତରେ ମାତୃତ୍ବର ସ୍ପର୍ଶ ପାଏ କାବେରୀ । ଆଖିରୁ ତାର ବହିଯାଏ ଧାରଧାର ଲୁହ । ସେ ବସ୍ ରେ ଖାଇଥିବା ଧକ୍କା , ବିଳମ୍ବରେ ଅଫିସ୍ ପହନ୍ଚୁଥିବାରୁ ଅଫିସର୍ କଂ ଗାଳି ଆଦିର ବୋଧେ ସୁଖଦ ଅନ୍ତ ତାର ମାତୃତ୍ବ ପ୍ରାପ୍ତିରେ ହୋଇଛି । ସବୁଠାରୁ ଖୁସିର ବିଷୟ ଏହାଯେ ତାପାଖରେ ବାପା ମା ଶାଶୁ ଶ୍ବଶୁର ସମସ୍ତେ ଉପସ୍ଥିତ । କିଛି ମାସର ମାତୃତ୍ବ ଛୁଟି ! ତାପରେ ପୁଣି ଅଫିସ୍ । ଚାରି ପାନ୍ଚ ମାସର କଅଁଳିଆ ଛୁଆକୁ ଅନିଚ୍ଛା ସତ୍ତ୍ବେ ଘରେ ଛାଡି ଅଫିସ୍ ଆସିବାକୁ ବାଧ୍ୟ କାବେରୀ । ଅନେକ ସମୟରେ ଶରୀର ରେ ଭରିଯାଏ ମାତୃତ୍ବ ର ଯନ୍ତ୍ରଣା । କାହାକୁ କହିବ ! କିଏ ବୁଝିବ ଅଫିସ୍ ରେ ତା କଷ୍ଟ ! ସେତେବେଳେ ଲାଗେ ଯେମିତି ମାତୃତ୍ବ ତାକୁ ଉପହାସ କରୁଛି । ସେ ଜଣେ ନାମ ମାତ୍ରକୁ ମାଁ ! ଆଜି ତ ଆଉ ବାଘ ନାହିଁ ବଉଳାକୁ ଅଟକାଇବାକୁ ! ତଥାପି ବଉଳା ଆଜି ଅସହାୟ ! ବଉଳା ଆଜି ଅଟକି ରହିଛି । ଆଉ ସତ୍ୟ ରକ୍ଷା କରିବାକୁ ମଧ୍ୟ ସୁଯୋଗ ନାହିଁ । ଆଜି ବଉଳା ବାଧ୍ୟ ଦୂରେଇଯିବାକୁ ତା ବାତ୍ସଲ୍ୟ ମମତା ଠାରୁ । ଯେମିତି ଆଜି କାବେରୀ ବିବଶ । ଅଫିସ୍ ର କାର୍ଯ୍ୟବ୍ୟସ୍ତତା ଭିତରେ ମଧ୍ୟ ତାକୁ ଶୁଣାଯାଉଛି ତା କଅଁଳ ନିଷ୍ପାପ ପିଲାଟିର କ୍ଷୁଧାର୍ତ୍ତ କ୍ରନ୍ଦନ । ଯାହା ତାର ଅନ୍ତର ର ମାତୃତ୍ବକୁ ଦୋହଲାଇଦେଉଛି । ତାର ଇଚ୍ଛା ହେଉଥାଏ ମାସ ଶେଷର ସେ ଦରମା ଗଣ୍ଡାକ ପିଂଗିଦେଇ ସବୁଦିନ ପାଇଁ ଦୌଡିଯାଆନ୍ତା ନିଜ ପିଲା ପାଖକୁ । ହେଲେ ତା ସ୍ବାମୀ କଂ କହିବା କଥା ହେଲା କିଛିଦିନ ଏମିତି କଷ୍ଟ ହେବ । ତାପରେ ପିଲା ଟିକିଏ ବଡ ହୋଇଗଲେ ସବୁ ଠିକ୍ ହୋଇଯିବ ! ଏପରି ନହେଉ କି ଭାବନାର ପ୍ରବାହରେ ଭବିଷ୍ୟତରେ ଅର୍ଥର ଅଭାବଟା ପିଲାର ଭବିଷ୍ୟତ କୁ ଅନ୍ଧକାରମୟ କରିଦେଉ ! ତେଣୁ ତା ଭବିଷ୍ୟତ ପାଇଁ କାବେରୀକୁ ଚାକିରି କରିବାକୁ ପଡିବ ! ସ୍ବାମୀକଂ କଥା ବି ବେଳେ ସଠିକ୍ ଲାଗେ କାବେରୀ କୁ । ଏତେସବୁ କଷ୍ଟ ଭିତରେ ଖାଲି ସୁଖ ଏତିକି ସେ ମାସ ଶେଷରେ ଦରମା ଗଣ୍ଡାକ । ଛୁଟିଦିନରେ ଯେବେ ଟିକିଏ ସମୟ ମିଳେ କାବେରୀ ବୁଲିଯାଏ ପଡିଶା ଘର ମାନକୁଂ । ତାଂକ ଘରେ ସେ ଅନୁଭବ କରେ ପ୍ରକୃତରେ ତାର ଆଉ ତା ପିଲା ଭିତରେ ବଢି ଯାଇଥିବା ଦୂରତାକୁ। ତା ପିଲା କିପରି ଅନୁଭବ କରେ ତାର ଅନୁପସ୍ଥିତିକୁ ! ସବୁଦିନ ସକାଳୁ ଉଠି ତାର ସେହି ଏକାପ୍ରଶ୍ନ " ମମି ! ତୁମେ ଆଜି ଅଫିସ୍ ଯିବ କି " ?ଯଦି ଉତ୍ତରଟା ହଁ ହୁଏ ତେବେ ସାଂଗେସାଂଗେ ତାର ସେ ହସିଲା ମୁହଁରେ ଉଦାସ ର ଚାହାଁଣି ଟେ ଚାହିଁ କାବେରୀକୁ ଅନୁରୋଧ କରେ " ମମି !ତୁମେ ଆଜିତ ଅଫିସ୍ ଯାଅନି ! ମୁଁ ଏକା ଏକା ବହୁତ ବୋରିଂ ଫିଲ୍ କରୁଛି " । ' ବାସ୍ତବିକ କେତେ ନିଷ୍ଠୁର ମୁଁ !! ମୁଁ କିଏ ମୋ ପିଲାଠାରୁ ତାର ଅଧିକାର ଛଡାଇବାକୁ ! ତା ଭାଗର ଇଚ୍ଛାକୁ ହତ୍ୟା କରିବାକୁ ! ମୋ ମାତୃତ୍ବ ତ ତା ପାଇଁ! ମୋ ମାତୃତ୍ବ ଉପରେ ଖାଲି ତାର ଅଧିକାର ! ଅଥଚ ସେ ତାର ଅଧିକାର ରୁ ବନ୍ଚିତ ! କାହିଁକି ! କାହିଁକି ଘର ଅଫିସ୍ କାର୍ଯ୍ୟବ୍ୟସ୍ତତା ତାର ଆଉ ତା ପିଲାର ଅଧିକାର ଭିତରେ ବିଚ୍ଛେଦର ପ୍ରାଚୀର ସୃଷ୍ଟି କରିବ ' !! ବୋଲି ବାରମ୍ବାର ନିଜକୁ ନିଜେ ପ୍ରଶ୍ନ କରୁଥାଏ କାବେରୀ । ସକାଳ ଆଠ ଟାରୁ ଅଫିସ୍ ବାହାରି ଯାଏ ଯେ ଆସୁଆସୁ ସଂଧ୍ୟା ଛଅଟା । ପିଲାକୁ ଟିକିଏ ଗେଲ କରିଛି କି ନା ନିଦ୍ରା ଦେବୀ କଂ ପଦଧ୍ବନି । ପିଲାଟା ନା ବାପ ସ୍ନେହ ଭଲରେ ଜାଣିଲା ନା ମା ର ! ବାପା ମା ଖାଲି ଦୁଇଟି ଶବ୍ଦ ହୋଇ ରହିଗଲେ ତା ଜୀବନ ରେ । ଆଜି କାବେରୀ ର ପୁଅ ବଡ ହୋଇଗଲାଣି ସତ ହେଲେ ଆଜିବି ସେ ଜାଣେ ତା ବାପା ଆଉ ମା ଘରେ ଥିବା ଗୋଟିଏ ସୁରକ୍ଷିତ ବ୍ୟାଂକ ଛଡା ବେଶିକିଛି ନୁହେଁ । ସାନ ବେଳେ ଏହି ପୁଅ ଏକା ଏକା ତା ମନକୁ ଅନେକ ବୁଝାଇଛି । ସ୍କୁଲ ରୁ ମାଡ ଗାଳି ଖାଇ ଆସି ବାପା ମାକୁଂ ଅନେକ ଖୋଜିଛି ! କିନ୍ତୁ କାହାକୁ କହିବ ସେ ! ଘରେ ତ ଖାଲି ନିଃସ୍ତବ୍ଧତା ! ତାର ପ୍ରଶ୍ନ ତା ଆଡକୁ ପ୍ରତିଧ୍ବନିତ ! କାବେରୀ ର ଶାଶୁ ଶ୍ବଶୁର କଂ ଅନ୍ତେ ପୁରା ଘର ଖାଲିଖାଲି । କାବେରୀ ର ପୁଅ ଏବଏବେ ନୂଆ କରି ଯୌବନରେ ପାଦ ଥାପିଛି । ଏକୁଟିଆ ତାକୁ ଘରେ ଛାଡି ଆସିବାଟା କେତେଦୂର ଯଥାର୍ଥ ସେ କଥା କୁ ଆଜି ମଧ୍ୟ ନିଜେ ନିଜକୁ ପ୍ରଶ୍ନ କରେ କାବେରୀ ! ହେଲେ ସେ କରିବ ବା କଣ ! ସେ ତ ଅସହାୟ । ସାରା ଜୀବନ ଟଂକା ପଛରେ ଧାଇଁ ଧାଇଁ ଥକିପଡିଲାଣି ସିଏ । କେବେ ଆଖିରେ ଚଷମା ଲାଗିଲା କେବେଠାରୁ ଧଳା ବାଳକୁ ରଂଗ କରିବା ଆରମ୍ଭ କଲା ସେ ; ସେକଥା ବି ତାର ଆଉ ମନେ ନାହିଁ ! ଯଦି ମନେ ଅଛି ଖାଲି ଅଫିସ୍ ର ଫାଇଲ୍ ଆଉ ମାସ ଶେଷରେ ସେ ଦରମା ଗଣ୍ଡାକ ବାସ୍ ! ଏମିତି କଟିଗଲା ତାର ଜୀବନ। ଟଂକା ରୋଜଗାର କରି ତାକୁ ଉପଭୋଗ ମଧ୍ୟ କରିପାରିଲା ନାହିଁ ସିଏ ! ଏଇ ଟଂକା ପଛରେ ଧାଇଁ ଧାଇଁ ଯେତିକି ପାଇଛି ତା ଠାରୁ ଅନେକ କିଛି ଅଧିକ ହରାଇ ସାରିଛି ସିଏ । ଆଜି ଚାକିରି ରୁ ଅବସର ପରେ ସିଏ ଆଉ ତା ସ୍ବାମୀ ଘରେ ଏକା ଏକା। ପୁଅ ବିଦେଶରେ । କଥା ହେବାକୁ ଘରେ କେହି ନାହିଁ । ସ୍ବାମୀ ସ୍ତ୍ରୀମଧ୍ୟରେ ନିରବତା ହିଁ ଏକ ମାତ୍ର ଭାଷା । ଘରେ ପ୍ରଚଣ୍ଡ ନିରବତା । ଆଜି କାବେରୀ ଠିକ୍ ଅନୁଭବ କରୁଛି ତା ପୁଅ ର ବେଦନା । ଠିକ୍ ଏମିତି ତା ପୁଅ ଘରେ ଏକା ଏକା ନିରବତା ସହ ବନ୍ଚିଛି । ଆଜି ସେହି ନିରବତା କୁ ନେଇ ସେମାନକୁଂ ବନ୍ଚିବାକୁ ହେବ । ବୟସର ଅପରାହ୍ନ ରେ ଯଦି କେହି ତାଂକୁ ଆଜି ପ୍ରଶ୍ନ କରନ୍ତା ତୁମେ କିଏ ? ସେ କହିଥାନ୍ତେ " ମୁଁ ଜଣେନା ମୁଁ କିଏ ? ନା ମୁଁ ଜଣେ ଭଲ ପତ୍ନୀ ଟେ ହୋଇପାରିଲି ନା ଭଲ ମା ଟିଏ ହୋଇପାରିଲା ନା ଭଲ ବୋହୂଟିଏ ହୋଇ ଶାଶୁ ଶ୍ବଶୁର କଂ ସେବା କରିପାରିଲି ! ଯଦି ମୁଁ ହୋଇପାରିଲି ବାସ୍ ଗୋଟିଏ ଶ୍ବାସ ପ୍ରଶ୍ବାସଧାରୀ ଜୀବନ୍ତ ମେସିନ୍ " । ହଠାତ୍ ଆଜି କାବେରୀ ର ପୁଅ ଫୋନ୍ ରେ କଲ୍ କରି କହିଲା " ମମି ! ଆମ ଅଫିସ୍ ର ଜଣେ ଝିଅକୁ ମୁଁ ମୋ ଲାଇଫ୍ ପାର୍ଟନର୍ ବାଛିଚି " ! ତା କଥାଶୁଣି ଚିତ୍କାରକରି କାବେରୀ କହିଲେ " ନା ! ନା ! ମୁଁ ତୋ ଜୀବନକୁ ନର୍କ କରିବାକୁ ଦେବିନି ! ଦରକାର ନାହିଁ ଚାକିରିଆ ଝିଅ ! ଦରକାର ନାହିଁ ଦରକାର ନାହିଁ " ! ଏତିକି ବେଳେ ଖୁବ୍ ଜୋର୍ ରେ କାବେରୀକୁଂ ହଲାଇଦେଲା ତା ପୁଅ । କହିଲା " ମମି ! କଣ ସ୍ବପ୍ନ ଦେଖୁଥିଲ କି " ? ଚମକି ପଡି କାବେରୀ କହିଲା " କିଛି ନୁହେଁ କିଛି ନୁହେଁ ! ଦୁଃସ୍ବପ୍ନ ଟେ ଦେଖିଲି " ! ମନେମନେ କିନ୍ତୁ ଧନ୍ୟ ମନେକରୁଥାଏ କାବେରୀ ନିଜକୁ । କାହିଁକିନା ସିଏ ଭାବୁଥାଏ ' ଆଜିକାଲିର ଦୁନିଆଁ ଯେମିତି ସେଥିରେ ପୁଅ ମୋର ଯେ ମୋ ପସନ୍ଦରେ ଝିଅ ଦେଖିବାକୁ ଯାଉଛି ସେଇଟା କଣ କମ୍ ଭାଗ୍ୟର କଥା ' ! ଏହା ଭିତରେ କାର୍ ଯାଇ ଲାଗିଯାଇଥାଏ ଝିଅଘର ଦୁଆର ମୁହଁ ପାଖରେ ॥