Jyotiranjan Sahu

Children Stories Inspirational

3  

Jyotiranjan Sahu

Children Stories Inspirational

ବୁଢା ପତ୍ରର ଯାତ୍ରା

ବୁଢା ପତ୍ରର ଯାତ୍ରା

4 mins
441



ଗାଁ କୁ ଲାଗିଥିଲା ବଣ ଟିଏ । ସେଇ ବଣ ଭିତରେ ଥିଲା କାହିଁ କେଉଁ ଅମଳର ବିଶାଳ ବରଗଛଟିଏ । ସବୁଜ ପତ୍ରରେ ଭରପୁର । ପକ୍ଷୀଙ୍କର କୋଳାହଳରେ ଫାଟିପଡେ ସେ ବରଗଛ ଆଉ ତା ଆଖପାଖର ପରିବେଶ । ବରଗଛର ଅନତି ଦୂରରେ ବହୁଥାଏ ଛୋଟିଆ ନାଳଟିଏ । ତାର ଦୁଇ ପାଖରେ ଛୋଟ ଛୋଟ ବୁଦାଗଛ ଭର୍ତ୍ତି । ତେବେ ଋତୁଚକ୍ରର ଆବର୍ତ୍ତନ କ୍ରମେ ସେ ବର ଗଛ ଆଜି ପତ୍ର ଝଡାଦେଇ ସବୁଜ ପତ୍ରରେ ଭରପୁର । କିନ୍ତୁ ସେହି ଗଛର ଅନେକ ଉଚ୍ଚରେ ଗୋଟିଏ ଡାଳରେ ରହିଯାଇଥିଲା ପୁରୁଣା ବୁଢା ପତ୍ରଟିଏ । ପାଚି ହଳଦିଆ ପଡିଯାଇଥାଏ । ତା ସମୟର ସବୁ ପତ୍ର ଗଛକୁ ବିଦାୟ ଜଣାଇ ସାରିଲେଣି । ସେ ଶେଷ ପତ୍ର ରହିଯାଇଛି ବିଦାୟ ଜଣାଇବାକୁ । ଆଉ ସେ ବିଦାୟଦିନ ଟା ବି ବେଶି ଦିନ ନୁହେଁ । ବୁଢା ପତ୍ର ର ଭାରି ମନ ଦୁଃଖ । କାହିଁକିନା ଏବେ ନବ ପଲ୍ଲବର ସମୟ । ତାର ଆଉ ଏଇଠି କିଛି ପ୍ରୟୋଜନ ନାହିଁ । ଏବେ ନୂଆ ପିଢୀଙ୍କ ଠାରୁ ବିଦାୟ ନେବାର ବେଳ ।


କିଛି ଦିନପରେ ସେଦିନଟା ବି ଆସିଲା ଯେଉଁଦିନ ପବନର ଏକ ମୃଦୁ ସ୍ପର୍ଶରେ ବୁଢା ପତ୍ର ଟା ଗଛର ଡାଳରୁ ଖସିପଡିଲା । ମନରେ ତାର ବିଚ୍ଛେଦର ଅନେକ ଦୁଃଖ । ' ଏତିକିରେ ହିଁ କଣ ତା ଜୀବନର ଅଧ୍ୟାୟଟା ସରିଗଲା ! ଆଉ କଣ କିଛି ନାହିଁ ତା ଜୀବନରେ । ବିଚ୍ଛେଦ ପରେ କଣ ତାର ସବୁ ମୂଲ୍ୟ ସମାପ୍ତ ହୋଇଗଲା ' ! ଏମିତି ଅନେକ କିଛି ଭାବିଭାବି ତଳକୁ ଖସୁଥାଏ ସେ ବୁଢା ପତର । ହଠାତ୍ ତାକୁ ଲାଗିଲା ସେ ଯେମିତି ପୁଣି ଉପରକୁ ଉଠୁଛି ! ଲକ୍ଷ୍ୟକଲା ଚଢେଇଟିଏ ତାକୁ ଥଣ୍ଟରେ ଧରି ଉପରକୁ ଉଡୁଛି ! କିଛି ସମୟପରେ ସେ ବୁଢା ପତର ନିଜକୁ ଗୋଟିଏ ଚଢେଇର ବସା ଭିତରେ ଆବିଷ୍କାର କଲା । ଚଢେଇଟା ନୂଆ ନୂଆ ବସା କରୁଥାଏ । କିଛିଦିନ ଭିତରେ ଚଢେଇ ଅଣ୍ଡାଦେଲା ଆଉ ସେ ଅଣ୍ଡାରୁ ଛୁଆ ଫୁଟିଲା । ତାଙ୍କର କିଚିରି ମିଚିରି ଶବ୍ଦରେ ସେ ବୁଢା ପତ୍ର ତା ମନର ସବୁ ଦୁଃଖ କଷ୍ଟ ଭୁଲିଗଲା । ଏହାଭିତରେ ତା ଦେହର ଜଳୀୟ ଅଂଶ ଶୁଖି ଶୁଖି ସେ ଶୁଷ୍କ ହେବାକୁ ଲାଗିଲା ଆଉ ତା ସହ ସେ ଚଢେଇ ଛୁଆ ମାନେବି ଧିରେଧିରେ ବଡ ହେବାରେ ଲାଗିଲେ । ଏମିତି ଦିନଟିଏ ଆସିଲା ଯେଉଁଦିନ ମା ଚଢେଇ ଚୁପ୍ ଚାପ୍ ବସାରେ ବସିଥିଲା । ମନରେ ତାର ଅନେକ ଦୁଃଖ । କାହିଁକିନା ତା ପିଲାମାନେ ଉଡିବା ଶିଖିଯାଇଥିଲେ । ସେମାନଙ୍କର ଆଉ ସେ ବସାର କୌଣସି ପ୍ରୟୋଜନ ନଥିଲା । ସେଥିପାଇଁ ସେମାନେ ମା ଚଢେଇ ଆଉ ସେ ବସାକୁ ଛାଡି ଉଡିଚାଲିଯାଇଛନ୍ତି ନୂତନ ଠିକଣାର ଅନ୍ବେଷଣରେ । ପିଲାଙ୍କୁ ହରାଇ ମା ର ମନ ବ୍ୟାକୁଳ । କାହିଁକି ନହେବ ଯେ ! ପିଲାଙ୍କୁ ନିଜେ ନଖାଇ ତାଙ୍କ ମୁହଁରେ ଆଧାର ଦେଇ ତାଙ୍କୁ ଉଡିବା ଶିଖାଇ ବଡ କଲାପରେ ପିଲାମାନେ ମୁହଁ ମୋଡିଚାଲିଯିବାଟା କେଉଁ ମା କେବେ କଣ ସହିପାରେ ? ଇଚ୍ଛା ହେଉଥାଏ ସେ ବୁଢା ପତ୍ରର ତାକୁ ଟିକିଏ ସାନ୍ତ୍ବନା ଦିଅନ୍ତା ଆଉ କହିନ୍ତା " ଏଇତ ସଂସାର ନିୟମ ! ଏଇଠି କେହି କାହାରି ନୁହଁ ; ସମସ୍ତେ ସ୍ବାର୍ଥପର । କାମ ସରିଗଲେ ଗୋଡରେ ଆଡେଇବାଟା ଏ ଦୁନିଆଁର ପରମ୍ପରା ପରା ! ଦୁଃଖ କରି କିଛି ଲାଭ ନାହିଁ " । ଏମିତି କିଛିଦିନ ଗଲାପରେ ଆଉ କେହି ଲେଉଟିଲେ ନାହିଁ ସେ ବସାକୁ । ଏକାଏକା ରହିଗଲା ବୁଢା ପତର ।

 

ଦିନେ ହଠାତ୍ କାଳ ବୈଶାଖୀର ପ୍ରଚଣ୍ଡ ପବନ ବର୍ଷାରେ ଉଡିଚାଲିଗଲା ପକ୍ଷୀଶୂନ୍ୟ ବସାଘରଟି । ଉଡିଗଲା ଶୁଖିଲା ବୁଢା ‍ପତ୍ର ପବନରେ ଆଉ ଯାଇ ଲାଗିଗଲା ନାଳ ପାଖ ବୁଦା ରେ ପାଣିକୁ ଛୁଇଁ ଯାଉଥିବା ଗୋଟିଏ ବୁଢିଆଣୀ ଜାଲରେ । ଆଶ୍ଚର୍ଯ୍ୟ ହୋଇଗଲା ବୁଢା ପତ୍ର । ଭାବିଲା ଏତେ ବର୍ଷା ପବନରେ ଯେଉଁଠି କେତେ ବଡ ବଡ ଗଛ ଉପୁଡିଗଲା ସେତେବେଳେ କଣ ଏଇଟା ଯାହା ଖାଲି ଆଖିକୁ ଭଲ କି ଦିଶୁନାହିଁ ଅଥଚ ମୋତେ ବାନ୍ଧିପାରିଛି ! ପବନର ବଳ ମଧ୍ୟ ମୋତେ ତାଠାରୁ ମୁକୁଳାଇ ପାରିଲା ନାହିଁ ! ସେତିକିବେଳକୁ ବୁଢିଆଣୀ ବୁଢାପତ୍ର ପାଖକୁ ମାଡିଆସିଲା । କହିଲା " ବୁଝିଲୁ ଏଇଟା ହେଲା ମୋ ଜାଲ । ଦେଖୁଛୁ ଜାଲ ଚାରିପାଖରେ ଥିବା ବୁଦା ମାନଙ୍କରେ କେତେ ସୁନ୍ଦରିଆ ଫୁଲ ଫୁଟିଛି ! ଯିଏ ଏ ଫୁଲ ମାୟାରେ ପାଖକୁ ଆସିବ; ସିଏ ମୋ ଜାଲରେ ପଡି ମରିବ ଆଉ ମୁଁ ତାକୁ ଖାଇବି " । ଏତିକିବେଳେ କିଛି ମହୁମାଛି ସେବାଟ ଦେଇ ଉଡିଯାଉଥିଲେ । ବୁଢାପତ୍ର ଖୁବ୍ ଜୋର ରେ ଡାକ ମାରଲା " ଆରେ ଏପଟକୁ ଆସ ନାହିଁ । ନହେଲେ ଜାଲରେ ପଡି ମରିବ ' । ବୁଢା ପତ୍ର ର କଥା ଶୁଣି କିଛି ଅଭିଜ୍ଞ ମହୁମାଛି ରହିଗଲେ । କିନ୍ତୁ କିଛି ବିଶୃଂଖଳିତ ମହୁମାଛି କହିଲେ " ସେ ବୁଢା ପତ୍ର କଥାରେ କଣ ଅଛି ! ତା କଥାରେ କଣ ଆମେ ଏ ସୁନ୍ଦରିଆ ଫୁଲ ରୁ ମହୁ ସଂଗ୍ରହ କରିବାନି ! ନିଶ୍ଚୟ କରିବା । ଆମେ ପରା ଉଡିପାରୁଛୁ । ଥରେ ଦଂଶିଦେଲେ ସବୁ ଜୀବ ମନେରଖିଥିବେ । ଆମକୁ କାହାର ଡର " । ଏହା କହି ମାଡିଆସିଲେ କିଛି ମହୁମାଛି । ଆଉ ସମସ୍ତେ ଧରାପଡିଗଲେ ସେ ବୁଢିଆଣୀ ର ବିଛାଯାଇଥିବା ମାୟାଜାଲ ଭିତରେ । ସେମାନଙ୍କର ଅବସ୍ଥା ଦେଖି ବୁଢାପତ୍ର ଖୁବ୍ ମନଦୁଃଖ କଲା । ଏଥିରେ ରାଗିଯାଇ ବୁଢିଆଣୀ ବୁଢାପତ୍ରକୁ ନାଳ ପାଣିକୁ ଖସାଇଦେଲା । ନାଳ ପାଣିରେ ନୌକା ଭଳି ଭାସିଯାଉଥାଏ ଶୁଖିଲା ବୁଢା ପତ୍ର । ହଠାତ୍ କାହାର ଚିତ୍କାର ରେ ଚମକି ଉଠିଲା ସିଏ । ଦେଖିଲା ପଛେପଛେ ସାଁବାଳୁଆଟିଏ ଭାସିଭାସି ଆସୁଛି । କୌଣସି ପ୍ରକାରେ ପହଁରି ଆସି ସାଁବାଳୁଆଟି ବୁଢା ପତ୍ର ଉପରେ ବସିପଡିଲା । ପତ୍ର ଭାସିଭାସି ତଳ ମୁଣ୍ଡରେ ଲାଗିଲା । କିନ୍ତୁ ସାଁବାଳୁଆ ଥିଲା ନିରବ । କେତେ କଥାହେଉଥାଏ ବୁଢାପତ୍ର । କିନ୍ତୁ ସାଁବାଳୁଆ ସେମିତି ଚୁପଚାପ୍ ବସିଥାଏ ତା ଉପରେ । ବୋଧହୁଏ କ୍ଳାନ୍ତି ପାଇଁ କଥା ହେଉନି ସାଁବାଳୁଆ । ଏମିତି ଦିନ ପରେ ଦିନ ବେଶ୍ କିଛିଦିନ ବିତିଗଲା । ସାଁବାଳୁଆ ସେମିତି ନିରବରେ ପତ୍ର ଉପରେ ରହିଥାଏ । ଦିନେ କିଛି ଲୋକ ବଣକୁ ଜାଳେଣି ସଂଗ୍ରହ ପାଇଁ ଆସିଲେ । ଦୁର୍ଭାଗ୍ୟ କୁ ତାଙ୍କ ବସ୍ତା ଭିତରେ ଚାଲିଗଲା ସେ ବୁଢା ପତ୍ର ଜଳିବା ପାଇଁ । ମନରେ ତାର ଭୟ । ଭୟ ନିଜେ ଜଳିଯିବା ପାଇଁ ନୁହେଁ ; ତା ଉପରେ ଆଶ୍ରାକରିଥିବା ସେ ସାଁବାଳୁଆର ଭବିଷ୍ୟତ ପାଇଁ । ବିଚରା ଅକାରଣେ ଜଳିଯିବ ମୋସହ ଭାବି ମନ କଷ୍ଟରେ ବସ୍ତା ଭିତରେ ପଡିଥାଏ ବୁଢା ପତ୍ର । କିଛି ସମୟ ପରେ ସେ ବୁଢା ଶୁଖିଲା ପତ୍ର ଆସି ଚୂଲି ମୁହଁରେ ପଡିଲା । ତାସହ ଅନେକ ଶୁଖିଲା ପତ୍ର ଜଳିଯାଉଥାଆନ୍ତି ହୁ ହୁ ହୋଇ । ଏହା ଦେଖି ସେ ବୁଢା ପତ୍ର ବ୍ୟାକୁଳ ହୋଇଉଠିଲା ସାଁବାଳୁଆ ର କଥା ଭାବି । କଣ ଆଉ ସେ କରିପାରିବ ! ହଠାତ୍ କଣ ଗୋଟିଏ ହଲଚଲ ଅନୁଭବ କଲା ସେ ବୁଢା ପତ୍ର । ତା ଦେହଟା ହାଲୁକା ଲାଗିଲା ତାକୁ । ସେପଟେ ନିଆଁ ଧାସ ତା ଆଡକୁ ମାଡି ଆସୁଥାଏ । ସେତିକିବେଳକୁ ବୁଢା ପତ୍ର ଦେଖିଲା ସେ ସାଁବାଳୁଆଟା ତା କାୟା ପରିବର୍ତ୍ତନ କରିସାରିଥିଲା । ଏବେ ସେ ସୁନ୍ଦର ପ୍ରଜାପତିଟିଏ ହୋଇ ଡେଣା ଝାଡି ଝାଡି ଉଡିଗଲା ଦୂର ଗଛ ଡାଳକୁ । ତାକୁ ଉଡିଯିବାର ଦେଖି ଶାନ୍ତିରେ ଜଳିବାକୁ ପ୍ରସ୍ତୁତ ହୋଇପଡିଲା ବୁଢା ପତ୍ର । କାହିଁକିନା ତା ଉପରେ ଆଶ୍ରା କରି ରହିଥିଲା ଜୀବନଟିଏ । ଆଜି କିନ୍ତୁ ମନରେ ଖେଳୁଛି ତାର ଚରମ ତୃପ୍ତି ଯେ ସେ ଜଳି ଯାଉଯାଉ ଅନ୍ୟ ମୁହଁରେ ଆଧାର ଦେଇ ଯାଉଛି । ଆଜି ତା ଯାତ୍ରା ସାର୍ଥକ ହେଲା । ଆଜି ତା ଯାତ୍ରା ର ଯବନିକା ପଡିଲା । ଏ ଯାତ୍ରା ତାକୁ ଶିଖାଇଦେଲା ଅନ୍ୟ ପାଇଁ ବଞ୍ଚିବା ॥


Rate this content
Log in