Jayashree Maharana

Others

4.0  

Jayashree Maharana

Others

ବସ୍ ଯାତ୍ରାର ଅନୁଭୂତି

ବସ୍ ଯାତ୍ରାର ଅନୁଭୂତି

3 mins
178


ଅଳ୍ପେ ବହୁତ ସମସ୍ତେ ପ୍ରାୟ ବସ୍ ରେ ଯାତ୍ରା କରିଥିବେ ନିଶ୍ଚୟ ।ଏମିତି କିଛି ତିକ୍ତ ମଧୁର ବସ୍ ଯାତ୍ରାର ଅନୁଭୂତି ବର୍ଣ୍ଣନା କରୁଛି ।


ଶିକ୍ଷକ ତାଲିମ ସମୟରେ ଆମେ ସାଙ୍ଗହୋଇ ପ୍ରତିଦିନ ତିରିଶ କିମି ବସ୍ ରେ ଯାତ୍ରା କରୁ ।ଘରଠାରୁ ବାଲୁଗାଁ ପର୍ଯ୍ୟନ୍ତ ସାଇକେଲ ରେ ପହଂଚି ସେଠାରେ ଷ୍ଟାଣ୍ଡ ପାଖରେ ସାଇକେଲ ରଖିଦେଇ ବସ୍ ରେ ଯାଉ ।ମୁଁ 2007 ମସିହା ରୁ 2009 ପର୍ଯ୍ୟନ୍ତ ଶିକ୍ଷକ ତାଲିମ ନେଉଥାଏ ।ବସ୍ ଭଡା ମାତ୍ର 3 ଟଙ୍କା ।କୌଣସି ବସ୍ ରେ ପାଞ୍ଚ ଟଙ୍କା ଦେବାକୁ ପଡେ ।ପ୍ରାୟତଃ ଛାତ୍ରଛାତ୍ରୀ ବୋଲି ସିଟ ଭାଗ୍ୟରେ ଜୁଟେନା ।ଫେରିବା ସମୟରେ ଟିକିଏ କଷ୍ଟ ପଡେ ।ସମୟ ଚାରି ଘଟିକାରେ ଆମର ଛୁଟି ହୁଏ ।4.20 ମିନିଟ ରେ ଗୋଟିଏ ବସ ଥାଏ ଯଦି କୌଣସି କାରଣରୁ ସେ ବସ୍ ଛାଡ଼ିଦେଉ ତ ପରବର୍ତ୍ତୀ ବସ୍ ବହୁତ ବିଳମ୍ବରେ ଥାଏ ।କେବେ କେବେ ଘରେ ପହଂଚିବା ବେଳକୁ ରାତି ସାତ ରୁ ଆଠ ବାଜିସାରିଥାଏ ଘଣ୍ଟାରେ ।ଏମିତି ବସ ଯାତ୍ରାର ଅନୁଭୂତି ଅପାସୋରା ।ଥରେ କଣ୍ଡକ୍ଟର ଭାଇଙ୍କର 20 ଟଙ୍କା ବସ୍ ରେ ପଡିଗଲା କିନ୍ତୁ ସେ ଜାଣିପାରିନଥିଲେ ମୁଁ ଗୋଟାଇ ଦେଇଦେଲି ।ସାଙ୍ଗମାନେ ଗାଳି ଦେଲେ କାହିଁକି ଫେରାଇଲି ବୋଲି ।କିନ୍ତୁ ଆମେ ଲୁଚାଇ ଥିଲେ ଆମର କୋଉ ବାଟରେ 40 ଟଙ୍କା ଚାଲିଯିବ ବୋଲି କହିବା ପରେ ସମସ୍ତେ ଚୁପ ରହିଥିଲେ ।


 ଥରେ ଭାଗ୍ୟବଶତଃ ଆମକୁ ବସ୍ ର ଶେଷ ସିଟ ମିଳିଯାଇଥାଏ ।ହଟାତ କୌଣସି କାରଣରୁ ଡ୍ରାଇଭର ବ୍ରେକ ମାରିବାରୁ ପ୍ରିୟଙ୍କା ଶେଷ ସିଟ ରୁ ସିଧା ଯାଇ ଆଗରେ ଠିଆ ।ଆମେ ସବୁ ସ୍ତବ୍ଧ ।କଣ କେମିତି ହେଲା ବୁଝିପାରିନଥିଲୁ ।ଯାହାହେଉ ତାହାର କିଛି ଅସୁବିଧା ହେଇନଥିଲା ।ସାମାନ୍ୟ ଭୟଭୀତ ହେବା ସହ ଖୁବ ହସିଥିଲୁ ଆମେ ।ଯେବେ ବି ସେ ଘଟଣା ମନେପଡେ ବହୁତ ହସୁ ଆମେ ।


  ଥରେ ମୋ ପାଖ ସିଟ ରେ ଜଣେ ଲୋକ ବସିଥାଏ ।କିନ୍ତୁ ବୋଧ ହୁଏ ଖରାପ ସ୍ୱଭାବର ।ଝିଅଟିଏ ପାଖରେ ବସିଛି ଦେଖି ତାହାର କୁପ୍ରକୃତି ଜାଗ୍ରତ ହେଉଥାଏ ବୋଧ ହୁଏ ।ସେ ମୋ ପାଖକୁ ପାଖକୁ ମାଡି ହୋଇ ବସୁଥାଏ ।ସେତେବେଳେ ମୋର ଗୋଟିଏ ରୋଗ ଥାଏ ।ନିଜ ପ୍ରିୟ ପରିଚିତ ପୁରୁଷଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମୋତେ ସ୍ପର୍ଶ କଲେ ମୋତେ କାହିଁକି କେଜାଣି ବାନ୍ତି ଲାଗୁଥାଏ ।ମୋତେ ଖୁବ ବାନ୍ତି ଆସୁଥାଏ ସେ ଲୋକ ର ହାତ ମୋ ଦେହରେ ବାଜିବାରୁ ।ମୁଁ ଆଉ ସମ୍ଭାଳି ପାରିଲି ନାହିଁ ।ଅନ୍ୟ ଜଣେ ପୁଅ ସାଙ୍ଗ କୁ ସେଠାରେ ବସିବାକୁ କହି ଅନ୍ୟତ୍ର ସିଟ ଖାଲି ନଥିବାରୁ ଲିପନ,ପ୍ରିୟଙ୍କା ପାଖରେ ଠିଆ ହେଲି ।ଲୋକ ସମସ୍ତେ ମୋତେ ଆଶ୍ଚର୍ଯ୍ୟ ହୋଇ ଅନାଉଥାନ୍ତି ।ଦାନୀ କର୍ଣ୍ଣ ପରି ସିଟ ଦେଇ ଠିଆ ହେଇଥିବାରୁ ।କିନ୍ତୁ ମୋ ସାଙ୍ଗମାନେ ବୁଝିସାରିଥିଲେ ।ସେମାନେ ସେଥିପାଇଁ ବହୁତ ଚିଡାଇଥିଲେ ଏପରି ଅଜବ ରୋଗ ପାଇଁ ।


  ଅନ୍ୟ ଏକ ଖରାପ ଅନୁଭୂତି ବି ପାଇଛୁ ।କୌଣସି ଏକ ବସ୍ ନାଁ ଟି ଅବଶ୍ୟ ମନେ ନାହିଁ ।ସେ ବସ୍ ର କଣ୍ଡକ୍ଟର ଖୁବ ରଙ୍ଗିନ ମିଜାଜର ।ଝିଅମାନଙ୍କୁ ଦେଖିଲେ ତାହାର କଣ ହୁଏ କେଜାଣି ଜାଣିକି ଦେହ ସହ ଘଷି ହେବ ।ସେଥିପାଇଁ ତାକୁ ଆମର ଭାରି ଡର ।ଯେହେତୁ ସେ ବସ ର ସମୟ ଆମ ପାଇଁ ସୁବିଧାଜନକ ଥିଲା ବାଧ୍ୟ ହେଇ ଆମେ ଯାଉ ।ପ୍ରତିବାଦ କରିବାର ସତସାହସ ମଧ୍ୟ ନଥିଲା ଆମର ।ସେଥିପାଇଁ ଆମେ ଉପାୟ ଚିନ୍ତା କରିଥିଲୁ ।ବସ ରେ କେବେ ବି ଆମର ବ୍ୟାଗ ପିଠି ରୁ କାଢୁନଥିଲୁ ।ସେ ବିରକ୍ତ ହେଲେ ବି ଆମେ ଶୁଣୁନଥିଲୁ ।ଏଥିପାଇଁ ଅନ୍ୟଲୋକ ମାନେ ବି ଅନେକଥର ବିରକ୍ତ ହୁଅନ୍ତି କିନ୍ତୁ ଆମର ଅସହାୟତା କୁ ସେମାନେ ବା କେମିତି ବୁଝିବେ ।



ଚାକିରୀ କରିବା ପରେ ହିଁ ଏହି ବସ୍ ହିଁ ଆମର ଯାତ୍ରା ର ମାଧ୍ୟମ ଥିଲା ।ଆମେ ତିନି ସାଙ୍ଗ ପ୍ରାୟତଃ ପାଖାପାଖି ଚାକିରୀ କରିଥିଲୁ ଗଞ୍ଜାମରେ ।ଛୁଟି ଦିନରେ ମିଶିକରି ଗାଁ କୁ ଫେରୁ ।ଆଉ ବସ୍ ରେ ଚଢ଼ିବା ମାନେ ଆମର ଗପ ଆରମ୍ଭ ହୋଇଯାଏ ।ଗପୁଡି ଦଳ ଆମର ।ଥରେ ବସ୍ ରେ ସିଟ ନଥାଏ ।ଆମେ ତିନିଜଣ ଠିଆ ହୋଇ ଗପି ଚାଲିଥାଉ ।ଆମ ଷ୍ଟପେଜ ବାଲୁଗାଁ ଠାରେ ହେଲ୍ପର ଡାକିବା ପରେ ମଧ୍ୟ ଆମେ ଗପରେ ଏତେ ମଜ୍ଜିଯାଇଥିଲୁ ଯେ ଶୁଣିପାରିନଥିଲୁ ।ଆମ ଷ୍ଟପେଜ ଡେଇଁ କିଛି ବାଟ ଯିବା ପରେ ଆମେ ବାହାରକୁ ଦେଖି ଜାଣିପାରିଲୁ ଯେ ଆମ ଷ୍ଟପେଜ ଚାଲିଗଲାଣି ।କଣ୍ଡକ୍ଟରକୁ ଅନୁରୋଧ କରିଲୁ ସେଠାରେ ରଖିବା ପାଇଁ ।କଣ୍ଡକ୍ଟର ଆମକୁ ଗାଳିଦେଲେ ।ବସ୍ ର ଅନ୍ୟଯାତ୍ରୀ ମଧ୍ୟ ବହୁତ ଗାଳି ଦେଲେ ।ଖୁବ ଲାଜ ଲାଗୁଥିଲା ଆମକୁ ।ସେଠାରେ ଓହ୍ଲାଇ ଅଟୋ ରେ ପୁଣି ନିଜ ଷ୍ଟପେଜ କୁ ଫେରିଲୁ ।ସେ ଅନୁଭୂତି କେମିତି ଆଉ କହିବି ଜାଣିପାରୁନି ।ଏତେ ପରେ ବି ସେ ଗପୁଡା ଗୁଣ ଆମର କମିନଥିଲା ।ଏବେ ତ ଆମେ ସବୁ ଅଲଗା ଅଲଗା ଜାଗାରେ ।ସଂସାର ଜଞ୍ଜାଳ ଭିତରେ ସେମାନେ ବନ୍ଦୀ ।ଏବେ ଆମର ଗପୁଡା ଗୁଣ କମିଯାଇଛି ।



 ବସ୍ ଯାତ୍ରାର ଅନେକ ଅନୁଭୂତି ସାଉଁଟିଛି ।କେବେ କେବେ ପ୍ରବଳ ଭିଡରେ ଷ୍ଟେୟାର ରେ ବି ଯାଇଚି କେବେକେବେ ସାମାନ୍ୟ କିଛି ମିନିଟ ପାଇଁ ବସ ଛାଡିଛି ।କେବେ କେବେ କଣ୍ଡକ୍ଟରର କଦର୍ଯ୍ୟ ବ୍ୟବହାର ସହିବାକୁ ପଡିଛି ତ କେବେ କୌଣସି ଯାତ୍ରୀ ସହ ଝଗଡା ହେଇଚି ଏମିତି ଅନେକ ବସ୍ ଅନୁଭୂତି ଲେଖିଲେ ବି ସରିବ ନାହିଁ ।


  ଏବେ କିନ୍ତୁ ବସ୍ ରେ କୌଣସି ଯାତ୍ରୀ ଖରାପ ବ୍ୟବହାର ଦେଖାଇବାକୁ ଚେଷ୍ଟା କଲେ ଦୃଢ଼ ଭାବରେ ପ୍ରତିବାଦ କରିପାରୁଛି ।ଘଣ୍ଟା ଘଣ୍ଟା କେବେ ଠିଆ ହୋଇଯାଉଛି ।ଅନେକ ଅନୁଭୂତି ସାଉଁଟିଛି ଏଇ ବସ୍ ଯାତ୍ରାର ।



Rate this content
Log in