Parameswar Ojha

Others

4  

Parameswar Ojha

Others

ବର୍ଷା

ବର୍ଷା

3 mins
418


ଯେତେବେଳେ ନୂଆ ଆଷାଢ଼ର ପହିଲି ଝିପ୍ ଝିପ୍ ବର୍ଷା ଆସେ କିଏ ତାର ଚାରି ମହଲା ଘରର କରିଡ଼ର ରେ ବସି କବିତା ଲେଖୁଥାଏ । କିଏ ଭିଜା ମାଟିର ବାସ୍ନାରେ ନିଜକୁ ହଜଉଥାଏ । ଆଉ କିଏ ବର୍ଷାରେ ନିଜକୁ ଭିିଜେଇ ନାଚି ଝୁମି ଯାଉଥାଏ । ଆଉ କେହି ରାଧୁଆ  ଚାହା ଦୋକାନରେ ଚାହା ଆଉ ପକୋଡାର ମଜା ନେଉଥାନ୍ତି । 


  କିନ୍ତୁ ସୁମି ତା ଘର ଭିତରେ , ଘର କ'ଣ ମଦର ଭଙ୍ଗା ଛପର ଉଡା ଚାଳିଆ ଭିତରେ ଯାଗା ଯାଗା କଂସା ବାଲଟି ଗ୍ଲାସ୍ ଆଉ ଫଟା ମଗ ଥୋଉଥାଏ ଆଉ ଛାଡ଼ିବା ପର୍ଯ୍ୟନ୍ତ ଏ ବର୍ଷା କେମିତି ତାକୁ ଦିନ ରାତି ହଇରଣ କରିବ ସେ କଥା ଭାବି ଭାବି ମୁଣ୍ଡରେ ହାତ ଦିଏ । ନିଜ କପାଳକୁ ନିନ୍ଦି ଝିଅକୁ ଛାତିରେ ଜଡେଇ ଧରେ ଆଉ ଏ ନିଆଁ ଲଗା ବର୍ଷା ( ତା ପାଇଁ) କୁ ଗାଳି ଦେଉଥାଏ ଆଉ ସମ୍ପୁଥାଏ ।


 ବର୍ଷା ହେଲେ ତା ଘର ଭିତରେ ପାଣି ଚପର ଚପର ।

ଦିନ ଥିଲା ସୁମିର ଏ ଋତୁ ପରିବର୍ତ୍ତନ ରେ କିଛି ଚିନ୍ତା ନଥିଲା । ଖରା ହେଉ କି ବର୍ଷା ଶୀତ ହେଉ କି କାକର କିଛି ବି ଫରକ ପଡୁ ନଥିଲା ସବୁ ଋତୁ ତାକୁ ପ୍ରେମ ଋତୁ ପରି ଲାଗୁଥିଲା କାହିଁକି ନା ସେତେବେଳେ ତା ପାଖରେ ଅବକାଶ ଥିଲେ ।


  ଛୋଟ ବେଳୁ ମଦୁଆ ବାପର ଗଞ୍ଜଣା ସହି ସହି ଯେତେବେଳେ ଅବକାଶ ପ୍ରେମରେ ପଡ଼ି ଘର ଛାଡ଼ିଲା ସେତେବେଳେ ପ୍ରଥମ ଥର ପାଇଁ ତା ବାପା ଆଖିରେ ଲୁହ ଦେଖିଥିଲା ତା ପାଇଁ । ତା ପରଠୁ ସୁମି କେବେ ତା ବାପ ପାଖକୁ ଯାଇନି କି ଯିବାକୁ ଚାହିଁନି । ବିବାହ ପରେ ଅବକାଶ ତାକୁ ସବୁ ଦେଇଛି ସେଇ ତେଲ ଲୁଣ ସାଗ ପଖାଳର ସଂସାର ରେ ଯାହା ତା ବାପା ଠାରୁ ମଧ୍ୟ ଆଶା କରି ବି ପାଇ ନଥିଲା ତା'ହେଲା ସୁମି ଓଠରେ ଚେନାଏ ହସ ଆଉ ଶାନ୍ତିଏ ନିଦ । ସେଇ ଛୋଟ ମାଟି ଚାଳ ଘରେ ବି ସୁମି ଗୋଟେ ମହଲର ସୁଖ ଅନୁଭବ କରୁଥିଲା ଅବକାଶ ସହିତ । ଅବକାଶ ତାର ପ୍ରତ୍ୟେକ ଟିକିନିଖି କଥାର ଯତ୍ନ ନିଏ । ସଜ ପ୍ରେମିକା ପରି ଭଲପାଏ । ଡିୟୁଟି ସାରି ସଂଧ୍ୟା କୁ ଆସି ଯେତେବେଳେ ସୁମିକୁ କୁଣ୍ଢେଇ ପକାଏ । ସେତେବେଳେ ମହଣେ ଖୁସି ସୁମି ପଣତରେ ପୁଚି ଖେଳନ୍ତି । ଅବକାଶ ଦିନ ଯାକର ଘଟଣା ଗପି ବସେ ସୁମି ଆଗେ ଆଉ ସୁମି ତା ଗୋଡ଼ ହାତ ଚିପି ଦେଉ ଦେଉ ପାଦ ପାଖରେ ଢୋଳେଇ ପଡେ ଆଉ ଅବକାଶ ସୁମିକୁ ଛାତି ପାଖକୁ ଭିଡ଼ି ଆଣି ଗଭୀର ପ୍ରେମରେ ହଜେଇ ଦିଏ । 


 ସମୟ ଗୁଡା କେମିତି ଗଡ଼ି ଯାଉଥିଲା ଟିକେ ବି ଜଣା ପଡୁନଥିଲା । ସେଇ ଛୋଟିଆ ଘରେ ତାଙ୍କର କୁନି ପରିବାର ବେଶ୍ ଖୁସିରେ ଚଳିଯାଉଥିଲେ ଆଉ ଗୋଟେ ଖୁସି ଆସିବାକୁ ଅପେକ୍ଷା କରି । ସେ ଅପେକ୍ଷା ର ବି ଅନ୍ତ ଘଟିଲା , ତାଙ୍କ ପରିବାର ରେ କୁନି ସଦସ୍ୟା ସାମିଲ୍ ହେଲେ । ଖୁସି ରେ ନାଁ ଦେଇଥିଲେ ଖୁସି । କିନ୍ତୁ ଏ ଖୁସି ସୁମି କପାଳରେ ବେଶି ଦିନ ରହିଲାନି ।

ଯେତେବେଳେ ଝିଅକୁ ଆଠ ମାସ ଚାଲୁଥିଲା ସେ ତା ପାପା କୁ ଠିକ୍ ସେ ଚିହ୍ନିବା ଆଗରୁ ହିଁ ତା ପାପା ଆଖି ବୁଜି ଦେଲେ ସବୁ ଦିନ ପାଇଁ । ରାତି ଅଧରେ ଛାତିରେ ଗଭିର ଯନ୍ତ୍ରଣା ଆଉ ସକାଳକୁ ସଫା ।


 ସୁମି ସଂସାର ଟା ଭାସିଗଲା ସେହିଦିନୁ । ଗାଁ ରେ ଗାଁଏ ଲୋକ କେହିବି ସହଯୋଗ ର ହାତ ବଢାନ୍ତିନି , ସବୁ ଲୋକ ଦେଖାଣିଆ । ଯାହା ମାସକୁ ଚାଉଳ ଗଣ୍ଡାକ ପାଏ ତାକୁ ଫୁଟେଇ ଖାଏ । କିରୋସିନି ଗହମ ଯାହା ମିଳେ ତାକୁ ବିକି ସେ ଛୋଟ ଛୋଟ ଅଭାବ ମେଣ୍ଟାଏ । 


 କିନ୍ତୁ ତା'ର ସାହାରା କିଏ ହେବ ? ଏଠି ତ ସମସ୍ତେ କିଛି ବଦଳରେ କିଛି ଚାହାନ୍ତି । ଗାଁର ଅଧା ମିଣିପେ ଆଉ ବାତରା ଟୋକାଙ୍କ କଥା ଛାଡ ଯାହା ହଇରାଣ କରୁଥିଲେ ବାଟରେ ଘାଟରେ ଭଲରେ ମନ୍ଦରେ କଥାରେ ବାର୍ତ୍ତାରେ ହାବ ଭାବରେ । କିନ୍ତୁ ସେଦିନ ସୀମା ବାହାରେ ହୋଇ ଯାଇଥିଲା କଥାଟା । ଯାହା କୁ ସୁମି ଆସିବା ଦିନୁ ଦାଦା ବୋଲି ଡ଼ାକି ଆସିଛି ସେ ଦିନେ ସଂଧ୍ୟାରେ ଆସି ସୁମି ର ହାତକୁ ଧରି ପକାଇଥିଲା ଆଉ କହିଥିଲା ତୁ ଯଦି ରାଜି ହୋଇଯାନ୍ତୁ ...... । ସୁମି ଦେହ ଥରି ଉଠିଥିଲା ପାଖରେ ଥିବା ପନିକି ରେ ତା ହାତକୁ ଦେଇଥିଲା ଚୋଟେ ‌ । ସେହି ଦିନ ଠୁ କେହି ପୁରୁଷ ତା ଦୁଆର ମୁହଁକୁ ମାଡନ୍ତିନି ଜରୁରୀ କଥା କିଛି ନଥିଲେ।  


ସୁମି ବାପା ବି ଆସିଥିଲା ତାକୁ ସାଙ୍ଗରେ ନେବାକୁ ହେଲେ ସେ ସିଧା ସିଧା ମନା କରିଦେଲା - " ଚାଲିଯା ଏଠୁ ଛୋଟ ବେଳୁ ତତେ ଚିହ୍ନିବାକୁ ବାକି ରହିଛି ଯେ ପୁଣି ଚାଲି ଆସିଛୁ ମୋ ଚାଉଳ ଗହମ ରେ ନଜର ପକେଇ ବାକୁ ମୋ ଦାନା ଛଡେଇ ନେଇ ନିଜେ ମାତାଲ୍ ହେବାକୁ ।" 


 ବାସ୍ ସେହି ଦିନ ଠୁ ସୁମି ଅଲୋଡା ଅଖୋଜା ହୋଇ ପଡ଼ି ରହିଛି । ଖାଲି ଯାହା ଟିକେ ଘର ପାଖରେ ସାବି ନୂଆଉ, ଦୁବ ବଡୋଉ , ଟିକି , ମିଲି , ଝୁନା , ହୁଣ୍ଡି ମା .... ଏମାନଙ୍କ ସ୍ନେହ ଭଲପାଇବା କୁ ପାଥେୟ କରି ଅନେଇ ରହିଛି ଯାହା । ଗୋଟିଏ ବୋଲି ଆଶା ରଖିଛି । ସେ ପଛେ କଣ୍ଟା ହୋଇଯିବ ନିଜକୁ ନିଗାଡି ଦେଇ କିନ୍ତୁ ତା ଝିଅକୁ ମୁକ୍ତା ଟେ ପରି ଗଢି ତୋଳିବ । ଏ ଦୁନିଆ ଆଗରେ ସେ ତାକୁ ନୂଆ ପରିଚୟ ଦେବ ।  ଦେଖାଯାଉ କେବେ ସୁମି ଏ ବର୍ଷା କୁ ସମ୍ପିବା ବଦଳରେ ଉପଭୋଗ କରୁଛି ।





Rate this content
Log in