ବୋଉର ହାତରନ୍ଧା
ବୋଉର ହାତରନ୍ଧା


ଆଜି ଛାଡ଼ଖାଇ। ପ୍ରମୋଦ ବାବୁ ସକାଳୁ ସକାଳୁ ଖାସି ମାଂସ ଆଣି ଦେଇଗଲେ ଘରେ। ତା ସହିତ ମାଂସର ଗୁଣବତାକୁ ପ୍ରଶଂସା କରି ସ୍ତ୍ରୀ ଉଦ୍ଦେଶ୍ୟରେ କହିଲେ, ଯାହା ହେଉ ବଢିଆ ମାଂସ ମିଳିଲା। ପଚାଶ ଟଙ୍କା ଅଧିକ ହେଉ ପଛେ ପୁରା ତାଜା ଆଉ କଅଁଳିଆ(ବେଶୀ ବଡ ନୁହେଁ) ଖାସି ମାଂସ।
ସ୍ତ୍ରୀ ତାଙ୍କର ରୋଷେଇରେ ବ୍ୟସ୍ତ ରହିଲେ। କଷା ମାଂସର ବାସ୍ନାରେ ଘର ବାହାର ମହକୁଛି। ପ୍ରମୋଦ ବାବୁ ମାଂସ କଷାର ବାସ୍ନାରେ ଫେରିଗଲେ ଅତୀତକୁ। ପିଲାଦିନେ ଛେଳି ମାଂସ ଘରକୁ ଆସିବା ସ୍ବପ୍ନ। କେବେ କେମିତି ରଜ ପର୍ବରେ ଆସେ। ଆଉ ସେଦିନ ଅଲଗା ବାତାବରଣ ସୃଷ୍ଟି ହୁଏ ଘରେ। ସମସ୍ତେ ଚାହିଁ ବସନ୍ତି ରୋଷେଇ କେତେବେଳେ ସରିବ। ଅଭାବି ଘର, ବୋଉ ଅଦା ରସୁଣ ପିଆଜ ଟିକେ ଶିଳରେ ବାଟିଦେଇ ମାଂସ ରାନ୍ଦନ୍ତି। ହେଲେ ସେଥିରେ ଥାଏ ସୁଦର ସ୍ୱାଦ ଆଉ କି ସୁନ୍ଦର ତୃପ୍ତି? ଖାଲି ମାଂସ ନୁହେଁ ବୋଉ ପୁନେଇ ପର୍ବ ଭଲ ମନ୍ଦରେ ଯାହା ବି ରାନ୍ଧେ ଅମୃତ ଭଳି ଲାଗେ। ସମସ୍ତେ ହାତ ଚାଟି ଖାଆନ୍ତି। ପଞ୍ଚ ତାରକା ହୋଟେଲର ବିରିୟାନି କିମ୍ବା ଚିଲି ଚିକେନ୍ ଅପେକ୍ଷା ବୋଉର ହାତରନ୍ଧା ପଖାଳ, ବାଡ଼ି ସଜନା ଶାଗ ଭଜା କିମ୍ବା ବେସର ଦିଆ ଗୋଟା କଲରା ଭଜା ଅମୃତତୁଲ୍ୟ ପ୍ରମୋଦ ବାବୁଙ୍କ ପାଇଁ।
ପ୍ରମୋଦ ବାବୁଙ୍କର ବିଶ୍ୱାସ ପଣସ କଠା ତରକାରୀ, ଚୁନା ମାଛ ବେସର କିମ୍ବା ଦୋଳ ପୂର୍ଣ୍ଣମୀର ମଣ୍ଡା ପିଠାର ସ୍ୱାଦ ବୋଉ ଭଳି ଆଉ କେହି ଏ ସଂସାରରେ କରି ପାରିବେ ନାହିଁ।
ଭାଗ୍ୟର ବିଡମ୍ବନା! ବିଚାରି ଜୀବନ ସାରା ଅଭାବ ଅନଟନ ବ୍ୟତୀତ ଆଉ କିଛି ପାଇ ପାରିଲାନି। ଆଜି ସବୁ ଅଛି, ଟଙ୍କା, ପଇସା, ଘର ଦ୍ଵାର, ଗାଡି ଘୋଡା କିନ୍ତୁ ବୋଉ ନାହିଁ। ଯାହା ପ୍ରମୋଦ ବାବୁଙ୍କ ଜୀବନରେ ଏକ ବିରାଟ ଶୂନ୍ୟସ୍ଥାନ।
ଖାଇବା ସମୟରେ ପ୍ରମୋଦ ବାବୁ ଭାରି ଉଦାସ ଲାଗୁଥିଲେ। ସ୍ତ୍ରୀ ଏସବୁ ଲକ୍ଷ୍ୟ କରି ତାଙ୍କ ଉଦ୍ଦେଶ୍ୟରେ କହିଲେ କଣ ତରକାରୀ ଭଲ ଲାଗୁନି କି? ଅନ୍ୟମନସ୍କ ହୋଇ ପ୍ରମୋଦ ବାବୁ କହିଲେ, ହଁ ବହୁତ ଭଲ ହୋଇଛି କିନ୍ତୁ ବୋଉ ହାତରନ୍ଧା ଭଳି ନୁହେଁ। କି ଅପୂର୍ବ ସ୍ୱାଦ ଥିଲା ସେ ଖାଦ୍ୟର? ସେ ଖାଦ୍ୟର ସ୍ୱାଦ ମୁଁ କେଉଁଠି ପାଉନି...
ପିଙ୍କି ମ୍ୟାଡାମ(ପ୍ରମୋଦ ବାବୁଙ୍କ ସ୍ତ୍ରୀ) ସୁଶିକ୍ଷିତା। ବଡ଼ ଘରର ଝିଅ। ପ୍ରମୋଦ ବାବୁଙ୍କ ମୁହଁରେ କିଛି କହିଲେନି ସ୍ୱାମୀଙ୍କ ମନ ଖରାପ ହେବ ଭାବି।କିନ୍ତୁ ମୁହଁ ଫେରେଇ ନେଲେ। ଆଉ ମନେ ମନେ ଭାବୁଥିଲେ ସପ୍ତାହକୁ ଚାରି ଥର ମାଛ ମାଂସ ଖାଇଲେ ଆଉ କଣ ହେବ?