Parameswar Ojha

Others

3  

Parameswar Ojha

Others

ବୋଉ

ବୋଉ

5 mins
574



   ସବୁଦିନ ଠାରୁ ଅଧିକ ଆଜି ଭାରି ତର‌ତର ଜୟନ୍ତୀ । ପ୍ରେସର କୁକର ରେ ମାଂସକୁ ରଖି ଚୁଲା ଉପରେ ବସେଇ ଦେବା ପରେ ଗ୍ୟାସ୍ ସୁଇଚ୍ ଖୋଲି ଦେଇ ଲାଇଟର୍ ମାରିଦେଲା ।


  ବୋଉ ଆଜି ଗାଁ ରୁ ଆସୁଛି । ବହୁତ ଅସୁମାରୀ ଖୁସି ଜୟନ୍ତୀ ମନରେ । ସବୁବେଳେ ଲଗେଇ ରଖେ ବୋଉକୁ ଆସିବା ପାଇଁ । ହେଲେ ବୋଉକୁ ସମୟ ମିଳିଲେ ତ । ବୋଉ ଘରକୁ ଛାଡି ଆସି ପାରୁଛି ନା ଘର ବୋଉକୁ ଛାଡୁଛି । ସତରେ କ'ଣ ବୋଉ ଏତେ ବ୍ୟସ୍ତ ?


  ଘରେ ଏମିତି କ'ଣ ଅଛି କି ? ଗାଇ ଗୋରୁ ଦିଇଟା ଆଉ ବାରିଘରେ ଯାହା ସାଧାରଣ କାମ । ଜମି ଯାହା ଦି'ମାଣେ ଅଛି ତାକୁ ତ ବାପା ଆଉ ଅନ୍ୟ ଲୋକମାନେ ମିଶିକି ଚାଷ କରୁଛନ୍ତି । ତାଛଡା ଘରେ ଭାଇ ଆଉ ଭାଉଜ ବି ଅଛନ୍ତି । ତାହେଲେ ?


ଝିଅ ଜନମ ପର ଘରକୁ ତା'ବୋଲି କ'ଣ ବୋଉ ମୋତେ ଏତେ ପର କରିଦେଇଛି ଯେ ଏ ଘରେ ଦଶ ବାର ଦିନ ରହି ପାରିବନି ? 


   ଯେତେ ଯାହା କହିଲେ ବି କ'ଣ ହେଲା ? ସବୁ ପରେ ବି ଘର ଚିନ୍ତା ସମସ୍ତ ଙ୍କ ଠୁ ବୋଉ ର ଯଥେଷ୍ଟ ଅଧିକ । କାଉ କା କରିବା ଆଗରୁ ବୋଉ ବିଛଣା ଛାଡ଼େ । ଆମେ ସମସ୍ତେ ଉଠିବା ପୂର୍ବରୁ ସେ ଘରର ସବୁ ବାସି କାମ ସାରିଦେଇ ଥାଏ । ବାରି ଘର ପହଁରିବା ପାଖରୁ ଗୋବର ପାଣି ଛିଞ୍ଚି ଏମିତିକି ବାସି ବାସନ ମାଜିବା ଯାଏ ସବୁ । ସକାଳୁ ସକାଳୁ ବାପା ବିଲକୁ ଯିବେ ସେଥିପାଇଁ ପ୍ରଥମେ କ'ଣ ଦିଇଟା ଭଜାଭଜି କରିଦେଇ ପଖାଳ ସାଙ୍ଗ ରେ ଦେଇଦିଏ । ବାପା ଗାମୁଛା ରେ ବାନ୍ଧି ନେଇଯାନ୍ତି କଂସା କୁ । ବୋଉ କଞ୍ଚା ଲଙ୍କା ଲୁଣ ଆଉ ପିଆଜ ମନ କରି ଦେଇଥାଏ ତା ସାଙ୍ଗରେ ପାଣି ବୋତଲ ବି ।


   ପୁଣି ତା ପୂର୍ବରୁ ଗୁହାଳ ସଫା କରିବା , ଗାଈ ଗୋରୁ ଙ୍କ ଆଗରେ ଛଣ ଦିବିଡା ପକେଇ ଦେବା , ପେଜ ତୋରାଣି କୁଣ୍ଡା ସହ ଗୋଳେଇ ଦେଇ ମଝିରେ ମଝିରେ ନିଜ ଛୁଆ ପରି ସେମାନଙ୍କୁ ଖୁଆଇ ଦେବା କାମଟା ସାରି ଦେଇଥାଏ ।


  ତା'ପରେ ବୋଉ ର ମୁଖ୍ୟ କାମ ପାନ ଆଠ ଖଣ୍ଡ ଭାଙ୍ଗିବା । ଚୂନ ,ଖଇର , ମୋତିଆରା , ମିଠା ଆଉ ଧଣିଆଗୁଣ୍ଡି ପାନ ।

ସେଇ ପାନ ଖାଇ ଖାଇ ଦାନ୍ତ କଳା ଆଉ ପାଟି ସାରା ଘାଆ ।

ତଥାପି କାହିଁକି ପାନକୁ ବୋଉ ଏତେ ଭଲପାଏ କେଜାଣି ?

ପାନ ପ୍ରତି କ'ଣ ପାଇଁ ଏତେ ତା ଦୁର୍ବଳତା ମୁଁ ଜାଣି ପାରେନି ।

କହିବାରୁ କହେ - ' ଏ ବଦାଭ୍ୟାସଟା ଛାଡି ଦେଲେ ହୁଅନ୍ତା । ହେଲେ ଏ ନିଆଁ ଲଗା ପାନକୁ କ'ଣ ଛାଡି ହେଉଛି । '


   ଘର ପାଖରୁ ବାହାର ଯାଏ ତା'ର ଯାବତୀୟ କାମରେ ମନ । ପ୍ରତ୍ୟେକ କାମ ଯତ୍ନ ର ସହିତ କରେ । କୋଉଠି କଖାରୁ ଫଳୁଛି ତାକୁ ଅଖା ଘୋଡା ହେବ ମାଙ୍କଡ ଦୃଷ୍ଟିରେ ନପଡିବା ପାଇଁ , ବାରିଘର ଅଳିଆ ଆବର୍ଜ୍ଜନା, ସଫା କରାହେବ ଇତ୍ୟାଦି ଇତ୍ୟାଦି ...।

  

  ସମସ୍ତ ଙ୍କ ମନକଥା ବୋଉ ଭଲକରି ବୁଝିପାରେ , ସେଇଥିପାଇଁ ତ ଭାଉଜ ଙ୍କୁ ତାଗିଦ୍ କରି କହେ ରାତି ଭାତରେ ଗୋଟା ଦିଇଟା ଆଳୁ ପକେଇ ଦେବାକୁ । ମୋ ଭାଇ ପଖାଳ ସାଙ୍ଗ ରେ ଆଳୁ ଭର୍ତା ଖାଇବାକୁ ଭଲପାଏ । ଆଉ ମୁଁ କାକୁଡି କଞ୍ଚା ଲଙ୍କା ସେଥିପାଇଁ ଖାଇବା ପୂର୍ବରୁ ବୋଉ ବାଡିରୁ କଷି କାକୁଡି କଞ୍ଚା ଲଙ୍କା ତୋଳି ଆଣି ରଖିଥାଏ । ଘରର ଯାବତୀୟ ବ୍ୟସ୍ତତା ଭିତରେ ବି ସମସ୍ତ ଙ୍କୁ ସିଏ ଭଲ ପାଇ ସ୍ନେହ ଡୋରିରେ ବାନ୍ଧି ରଖିଥାଏ । କାହାର ଦେହମୁଣ୍ଡ କ'ଣ ଯଦି ଟିକେ ହୋଇଗଲା , ଗଲା ... ନିଜ ଖାଇବା ପିଇବା ଭୁଲି ବୋଉ ସେମିତି ପାଖେ ପାଖେ ଜଗି ରହିଥିବ ସେବିକା ପରି । ଡାକ୍ତର କହିବା ମୁତାବକ ସବୁ ଧାରାରେ ସମୟାନୁସାରେ କରୁଥିବ । ଖାଦ୍ୟ ଖୁଆଇ ଦେବା ଯାଏ ବିଛଣା ସଜାଡି ଦେବା ପାଖରୁ ଦେହମୁଣ୍ଡ ଘଷି ଦେବାଯାଏ ସବୁ ସତରେ ମୋ ବୋଉ ପରି କିଏ ହେବ ?

   

   ହ୍ବିସ୍ ସ୍ ସ୍ ସ୍ ......... ............


ପ୍ରେସର୍ କୁକର ଶବ୍ଦରେ ଭାବନା ଭଗ୍ନ ହେଲା ଜୟନ୍ତୀର । ଏତେ ଦିନ ପରେ ବୋଉ ଆସୁଛି । ବୋଉ ରାଗ କମ୍ ଖାଏ ବୋଲି ଅଳ୍ପ ବାଟଣ ଦେଇ ମାଂସ କଷିଲା ଜୟନ୍ତୀ । ପାଣି ଦେଇ ଅଳ୍ପ ଚୂଲାରେ ବସେଇ ଦେଲା ତାକୁ । ଏଥର ତାର ସବୁ କାମ ସଫା । ଘରଟା ଝାଡୁ କରିଦେଇ , ପୁପୁନ୍ ଅସଜଡା କରିଥିବା ଘରକୁ ସଜାଡି ଦେଇ ଚାହିଁ ବସିଲା ବୋଉର ଆସିବା ବାଟକୁ । ଆଉ ଟିକେ ପରେ ପୁପୁନ ବି ସ୍କୁଲରୁ ପଳେଇ ଆସିବ । ବୋଉ ପୁପୁନ୍ କୁ ଦେଖିଲେ ବହୁତ ଖୁସି ହେବ । ପୁପୁନ୍ ବି ତା ଆଈ କୁ ଦେଖି ଖୁସିରେ ବୋଉ କାନ୍ଧରେ ଓହଳି ପଡ଼ିବ । ଆଈ ନାତି ଏକ ହୋଇଗଲେ ଘରଟା ସାରା ଖାଲି ଗପ ଆଉ ଗପ । ସବୁ ପ୍ରକାର ଗପ ଘର ଚାଳ ପାଖରୁ ବିମାନ ବନ୍ଦର ଯାଏ କାଶ୍ମୀର ର ସେଓ ପାଖରୁ ଶ୍ରୀଲଙ୍କା ର କ୍ରିକେଟ ଖେଳ ଯାଏ ସବୁ । କୌଣସି କଥାବି ବାଦ୍ ପଡ଼ିବନି ସେମାନଙ୍କ ଠାରେ । ଦୁଇ ଜଣ ମଣିଷରେ ବି ପାଞ୍ଚ ଜଣ ମଣିଷର ପାଟି ହୋ ହାଲ୍ଲା ଶୁଭିବ । ବାହାର ଲୋକେ ଜାଣିପାରିବେନି ସଠିକ୍ । ସେମାନେ କଳି କରୁଛନ୍ତ ନା ଖୁସିରେ ଥଟ୍ଟା ମଜା ହେଉଛନ୍ତି ।


   ଟ୍ରିଂ .... ଟ୍ରିଂ ....ଟ୍ରିଂ ....


   ହଠାତ୍ କଲିଂ ବେଲ୍ ବାଜି ଉଠିଲା । ଯାହା ହେଉ ବୋଉ ଆସିଗଲା , ଚେୟାର ଉପରୁ ଉଠିଯାଇ ଓଢଣୀକୁ ମୁଣ୍ଡ ଉପରେ 

ସଜାଡ଼ି ଦେଲା ଜୟନ୍ତୀ ବୋଉକୁ ମୁଣ୍ଡିଆ ମାରିବା ପାଇଁ । ଯେତେ ଯାହା ହେଲେ ବି ବୋଉର ଶିକ୍ଷା ନା , ନହେଲେ ସେ କ'ଣ ଭାବିବ ମୋତେ ଶିଖେଇ ଥିବା ସବୁ ସଂସ୍କାର ସଣ୍ଠଣା ମୁଁ ଭୁଲି ଯାଇଛି ବୋଲି । ତାଛଡା ବୋଉ ପାଦତଳେ ପଡ଼ି ମୁଣ୍ଡିଆ ମାରିଲେ ଯେଉଁ ଶୁଭାଶିଷ ମିଳେ ତାହା ସନ୍ତାନ ପାଇଁ ଭଗବାନଙ୍କ ଆଶୀର୍ବାଦ ଠାରୁ କୋଉ କମ୍ କି ?


  ଜୟନ୍ତୀ ଆଉ ଡେରି ନକରି ଯାଇ କବାଟ ଖୋଲିଲା ।

    

    " ମମ୍ମି............" 

ପୁପୁନ୍ ଆସି ଜୟନ୍ତୀର ଆଣ୍ଠୁ ତଳକୁ ଜାବୁଡ଼ି ଧରିଲା । " ମମ୍ମି ଆଜି ପରା ଆଈ ଆସିବେ ? କେତେବେଳେ ? ଆଈ ଆସିଲେ ଭା-ଆ-ରି ମଜା ହେବ ।

    

   ପୁପୁନର ଏପରି ହଠାତ୍ ପ୍ରବେଶ ସହିତ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଜୟନ୍ତୀ ଅପ୍ରସ୍ତୁତ ଥିଲା । ଭାବୁଥିଲା ବୋଉ ତା'ହେଲେ ଆସିନି ?

    

   ଓମ୍ ଜୟ ଜଗଦିଶ ହରେ ..........

    

  ମୋବାଇଲ୍ ବାଜି ଉଠିଲା । ପୁପୁନ୍ ମୋବାଇଲ୍ ଆଣି ତା ମମ୍ମିକୁ ଦେଲା । ଜୟନ୍ତୀ ଦେଖିଲା ଘର ନମ୍ବର ଗ୍ରହଣ କଲା । ସେ ପାଖରୁ ବୋଉ କହୁଥାଏ " ମାଆ ରେ ଆଜି ମୁଁ ଯାଇ ପାରିଲିନି  । ଠିକ୍ ବାହାରିଲା ବେଳକୁ ଚାନ୍ଦି ଟା ରଡି ଛାଡ଼ିଲା । ସେ ଗର୍ଭବତୀ ଥିଲା ତ । ଆଜି ଡାକ୍ତର ଆସିଥିଲେ ଜାଣିଛୁ ଆମ ଚାନ୍ଦି ଗୋଟାଏ ଅଣ୍ଡିରା ବାଛୁରୀ ଜନ୍ମ ଦେଇଛି । ଠିକ୍ ତା' ମା' ମୁହଁ ପରି ତା ମଥାରେ ବି ଅଧାଚାନ୍ଦ ଚିହ୍ନ । ଏ ଅବସ୍ଥାରେ ମୁଁ କେମିତି ଯାଇଥାନ୍ତି କହିଲୁ ମା ? "

   

     ବୋଉ ଏମିତି ଚିନ୍ତିତ ଅଥଚ ଖୁସି ଆନନ୍ଦରେ କହୁଥାଏ ଯେମିତି ବାଛୁରୀ ନୁହେଁ ତ ତା'ର ଆଉ ଗୋଟିଏ ନାତି ଜନ୍ମ ହୋଇଛି ।

    

    ମୋବାଇଲ୍ ରଖି ଦେଇଥିଲା ଜୟନ୍ତୀ । ସତରେ ବୋଉ ତୋର ସେଇ ଅମାପ ମମତା ସ୍ନେହ ଭଣ୍ଡାର ରୁ ସ୍ନେହ ମମତା ବାଣ୍ଟି ଦେବାରେ କାହାକୁ ବି ବଞ୍ଚିତ କରୁନୁ ତୁ ।


ତୁ ସମସ୍ତଙ୍କର ବୋଉ ଭାଇର ଭାଉଜର ମୋର ଆମ ଗାଈର ବାଡ଼ିର ବଗିଚାର ସଂପୂର୍ଣ୍ଣ ଘରର ତୁ ହେଉଛୁ ବୋଉ । ସେଇ ବୋଉ ଯୋଉ ବୋଉର କୋମଳ ସ୍ପର୍ଶରେ ମିଠା ମିଠା କଥାରେ ଘର ସାରା ଖୁସି ଝରେ । ସୁଖ ଶାନ୍ତି ଥାଏ ସବୁବେଳେ । ସାରା ଘରଟା ଯାକ ତୋତେ ଚାହାନ୍ତି ଆଉ ତୁ ଘରଟା କୁ ସୁନାର ସଂସାର କରିବା ପାଇଁ ସବୁବେଳେ ଚେଷ୍ଟିତା ଆଉ ସମର୍ପିତା । ଘର ପାଇଁ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ଟିଏ ତୁ ।

 ତୁପରା ବୋଉ ।  ତୋ ପରି ବୋଉ ପାଇ ମୁଁ ଧନ୍ୟା ।

  

   ଜୟନ୍ତୀ ସେତେବେଳେ ବୋଉର ଉପସ୍ଥିତି ଅନୁଭବ କରୁଥିଲା ନିଜ ଅନ୍ତରରେ । ନିଜ ଅଜାଣତରେ ତା ଆଖିରୁ ଗଡ଼ି ଆସିଲା ବୋଉ ପାଇଁ ଦୁଇଟୋପା ଲୁହ ।


  ---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧




Rate this content
Log in