ବନ୍ଧୁତ୍ବର ପରିଭାଷା
ବନ୍ଧୁତ୍ବର ପରିଭାଷା


"କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର
ଯାର ପ୍ରାପତି ଲାଗି ଦେବତା ନର"
ବେଳ ଆସି ରତରତ ହେଲାଣି।ଦୁଆର ମୁହଁରେ ଜଗି ବସିଛି ଇନ୍ଦିରା ଓରଫ ଇନ୍ଦ୍ରମଣି ବେହେରା।ପୁରୀ ଜିଲ୍ଲା ତଳଜଙ୍ଗ ଗାଁର ଏକ ନିମ୍ନ ମଧ୍ୟବିତ୍ତ ଚାଷୀ ଇନ୍ଦିରା।ବିଲରେ ଧାନ,ମୁଗ ଏଇ ଦୁଇଟି ଫସଲ ମୁଖ୍ୟତଃ କରି ପାରେ ସେ।ଘର କହିଲେ ଚାରି ପାଞ୍ଚ ବଖୁରିଆ ଏକ ଖଞ୍ଜା।ବାରିପଟେ ପାଞ୍ଚଟି ନଡିଆ ଗଛ।କୂଅ ପାଖେ ପୋଇ ମନ୍ଦାଏ ଲଗେଇ ଥିଲା ଯେ ରଞ୍ଜାରେ ଛନଛନିଆ ହୋଇ ମାଡି ମାଡି ଉପରକୁ ଉଠି ଯାଇଛି।ଲଙ୍କା ଗଛ ଦୁଇଟିରେ ତାଜା ସୂର୍ଯ୍ୟମୁଖୀ ଲଙ୍କା ଗୁଡିକ ଖୁନ୍ଦି ହୋଇ ରହିଛନ୍ତି ଓ ସୂର୍ଯ୍ୟଙ୍କ ଆଡେ ଅନେଇ କ'ଣ ଯେମିତି କହିଯାଉଛନ୍ତି।ଗୁହାଳ ଦାଢକୁ ସେଦିନ କଖାରୁ ମଞ୍ଜି କିଛି ଫୋପାଡ଼ି ଦେଇଥିଲା।ବିନା ଯତ୍ନରେ ହୁ ହୁ ହୋଇ ପତ୍ର ମେଲେଇ ବଢିଚାଲିବାର ଦେଖି ଇନ୍ଦିରା ଆଉଁଷି ଦେଲା କଅଁଳିଆ ପତ୍ର ଗୁଡିକୁ ଆଉ ଯତ୍ନକରି ତାଙ୍କୁ ସାହାରା ଦେବାଲାଗି ବାଉଁଶ କଣି ପୋତି ଚାଳକୁ ମଡାଇ ଦେଲା।ପତ୍ର ଗୁଡିକ ଏଇ ମମତାର ପରଶରେ ଆନମନା ହୋଇ ମୁଣ୍ଡ ହଲେଇ ଖୁସି ଜାହିର କରୁଥିଲେ।
ଇନ୍ଦିରାର ପରିବାର ବୋଇଲେ ପତ୍ନୀ କମଳା,ଦୁଇଝିଅ ଆଶା,ଆଭା ଓ ଦୁଇ ପୁଅ ଅରୁଣ ଓ ଅବନୀ।ଜମିଚାଷର ସୀମିତ ଆୟରେ ଚାରୋଟି ପିଲାଙ୍କୁ ତ ପଢାଇବା କସ୍ମିନକାଳେ ସମ୍ଭବ ନଥିଲା।ପୁଅ ଦୁଇଟି ଦି ଅକ୍ଷର ପଢିଥିଲେ ଆଗକୁ ରୋଜଗାରର ପନ୍ଥା ଧରି ପାରିବେ ବୋଲି ଗାଁର ମାଇନର ସ୍କୁଲରେ ପଢାଉଥିଲା ଦୁହିଁଙ୍କୁ।ମାଗଣାରେ ବହିପତ୍ର ପାଇବା ସାଙ୍ଗକୁ ଦ୍ବିପ୍ରହର ଭୋଜନ ତାଙ୍କ ପାଇଁ ଆଶୀର୍ବାଦ ପରି ଥିଲା।
ସେଇ ଗାଁର କୃଷି ସମ୍ବନ୍ଧୀୟ ତତ୍ତ୍ୱାବଧାରକ ଭାବେ ଆସନ୍ତି ଅଭୟ ବାବୁ।କୃଷି ଭବନ ,ପୁରୀ ରେ ସେ କୃଷି ବିଭାଗର ଓଭରସିୟର ଭାବେ କାମ କରନ୍ତି।ଖଣ୍ଡିଆବନ୍ଧ,ହରେକୃଷ୍ଣପୁର,ତଳଜଙ୍ଗ,ରଚପଦେଇପୁର ଇତ୍ୟାଦି ଦଶଟି ଗାଁକୁ ଯାଇ ଚାଷୀ ମାନଙ୍କୁ ଚାଷବାସ ସମ୍ବନ୍ଧୀୟ ଜ୍ଞାନ ବିତରଣ କରିବା ସହ କୀଟନାଶକ ଔଷଧ ବାବଦରେ ଶିକ୍ଷାଦାନ କରନ୍ତି।ଉନ୍ନତ ଧରଣର ବୀଜ ରୋଇ ଅଧିକ ଫସଲ ଅମଳ କରିବାର ଉପଦେଶ ଦିଅନ୍ତି ତଥା ନୂତନ କୌଶଳ ଅବଲମ୍ବନ କରି ଲାଭାନ୍ବିତ ହେବାର ପରାମର୍ଶ ଦିଅନ୍ତି।
ଅଭୟ ବାବୁ ନିଜର ସରଳ,ଅମାୟିକ ବ୍ୟବହାର ପାଇଁ ଚାଷୀ ମାନଙ୍କ ମଧ୍ୟରେ ଖୁବ ପ୍ରିୟ।ଗରିବ ଚାଷୀ ମାନଙ୍କ ଘରୁ ଅନ୍ୟ ଅଫିସର ମାନେ ପାଣି ପିଉ ନଥିବା ବେଳେ ଅଭୟ ବାବୁଙ୍କ ମନରେ ସେଭଳି ଅହଂଭାବ ନଥାଏ।ଉଦୁଉଦିଆ ଦ୍ବିପ୍ରହର ସମୟରେ କିଏ ପାଣି ମୁନ୍ଦିଏ ଦେଉ କି ଲେମ୍ବୁପାଣି ଟିକିଏ ଦେଉ ସେ ଖୁସିରେ ଗ୍ରହଣ କରନ୍ତି।କାହାକୁ ମାଗଣାରେ ଶାଗମଞ୍ଜି ତ କାହାକୁ ସାର କିଲେ,କାହାକୁ ଫୁଲଚାରା ଦେଲେଣି ତ କାହାପାଇଁ ଡିଡିଟି ।ଯଦି କେଉଁ ଗଛରେ ରୋଗ ହୋଇଛି ବା ପୋକଲାଗି ଫସଲ ନଷ୍ଟ ହେଉଛି,ତାହେଲେ ସେସବୁର ମୂଳୋତ୍ପାଟନ ନ କରିବା ପର୍ଯ୍ୟନ୍ତ ସେ ସ୍ଥିର ରହନ୍ତି ନାହିଁ।
ସେଦିନ ପ୍ରଥମାଷ୍ଟମୀ ହୋଇଥାଏ।ଘରେ ଘରେ ହଳଦୀପତ୍ର ପିଠା ହୋଇ ହଳଦୀ ପତ୍ରର ବାସନା ଚତୁର୍ଦ୍ଦିଗରେ ମହକୁଥାଏ।ଯୋଗକୁ ସେଦିନ ଅଫିସରୁ ଅଭୟ ବାବୁଙ୍କୁ ଡକାଯାଇ ତଳଜଙ୍ଗ ଗାଁର ସମସ୍ତ ଚାଷୀ ଓ ତାଙ୍କ ଚାଷବାସ ସମ୍ବନ୍ଧୀୟ ତଥ୍ୟର ବିବରଣୀ ଦେବାପାଇଁ ନିର୍ଦ୍ଦେଶ ମିଳିଲା।ଅଗତ୍ୟା ଦିନ ଦଶଟାରେ ବାହାରି ପଡିଲେ ସେ ସାଇକେଲ ଧରି।ଘଣ୍ଟାଏ ପରେ ପହଞ୍ଚିଲା ବେଳକୁ ହାଲିଆ ହୋଇସାରିଥିଲେ।ଟିକିଏ ଥକା ମେଣ୍ଟାଇବାକୁ ଗାଁ ମୁଣ୍ଡ ବରଗଛ ତଳେ ସାଇକେଲକୁ ରଖି ଗଛକୁ ଆଉଜି ବସିଗଲେ।ପୁଣି ଉଠିକି ନିଜର କାମ ଆରମ୍ଭ କରିବାକୁ
ଲାଗିଲେ।ଦିନ ଦୁଇଟା ପାଖାପାଖି ହେଲାଣି।କିଛି ଖାଇନାହାଁନ୍ତି ସେ।ଭୋକରେ ଆଉଟୁ ପାଉଟୁ ହୋଇଗଲେଣି ସେ।ନଭେମ୍ବର ମାସ।ଛାଇ ଲେଉଟୁ ଲେଉଟୁ ସନ୍ଧ୍ୟା ହୋଇଯାଏ।କାମ ସାରି ଭାବିଲେ ମୁଖ୍ୟ ରାସ୍ତା ଉପରେ ଥିବା ଜଳଖିଆ ଦୋକାନରୁ ଯାହାଟିକେ ମିଳିବ ଖାଇଦେଇ ଘରକୁ ଫେରିଯିବେ।ଖିଆପିଆ କରି ଅଫିସ ଯାଇ ରିପୋର୍ଟ ଦେବେ।
ଏକଥା ଭାବି ସାଇକେଲ ଗଡାଇ ଗଡାଇ ଆସିବା ସମୟରେ ବାବୁ ବାବୁ ବୋଲି ପଛରୁ ଡାକ ଶୁଭିଲା।ବୁଲିପଡି ଦେଖିଲା ବେଳକୁ ଇନ୍ଦିରା ଦାଣ୍ଡ ଦୁଆରୁ ଡାକ ଛାଡୁଛି।ପାଖକୁ ଆସି ହାତ ଧରି ଖୁବ ଅନୁନୟ ବିନୟ କରି ଘରକୁ ଡାକିନେଲା।ବଡଝିଅ ଆଶାକୁ କହି ପାଣି ଲୋଟା ଆଣି ଦେଇ ଗୋଡ ଧୋଇବାକୁ କହିଲା।ସେତେବେଳକୁ ପତ୍ନୀ କମଳା ଆସନ ଦୁଇଟି ପକାଇ ପାଣି ରଖି ଦୁଇଟି ଥାଳିରେ ପିଠା,ଡାଲମା,ଖିରି ସଜାଇ ପରଶି ସାରିଲାଣି।ଖୁବ ଶରଧାରେ ଅଭୟ ବାବୁଙ୍କୁ ଅନୁରୋଧ କଲା ଇନ୍ଦିରା ତା ଗରିବ କୁଡିଆରେ ଖାଦ୍ୟ ଗ୍ରହଣ କରିବା ପାଇଁ।ମନେମନେ ଅଭୟ ବାବୁ କୃତକୃତ୍ୟ ହୋଇଯାଉଥିଲେ।ଭାବୁଥିଲେ,ଇନ୍ଦ୍ରମଣି.... ତୁମ ପାଖରେ ମାନବିକତାର ଯେଉଁ ଧନ ଅଛି ତାହା ହୁଏତ ବଡ ବଡ ପ୍ରାସାଦରେ ରହୁଥିବା ଲୋକଙ୍କ ପାଖରେ ନ ଥାଇପାରେ।ମନେ ମନେ ଇନ୍ଦ୍ରମଣିକୁ ପ୍ରଶଂସାରେ ପୋତି ପକାଉଥାନ୍ତି ସେ।ପ୍ରଚଣ୍ଡ ଭୋକରେ ପରଶା ଯାଇଥିବା ଖାଦ୍ୟର ସ୍ବାଦ ଦ୍ବିଗୁଣିତ ହୋଇଯାଏ ଥାଏ।ଆତ୍ମାତୃପ୍ତି କରି ସେଦିନ ସେଇ ଯେଉଁ ଭୋଜନ ସେ କଲେ ସେଭଳି ଆତିଥ୍ୟ ସେ କାହାଠାରୁ ପାଇନଥିଲେ।ଫେରିବା ସମୟରେ ଇନ୍ଦିରାର ବଡଝିଅ ଆଶା ହାତରେ ଶହେଟି ଟଙ୍କା ଗୁଞ୍ଜିଦେଇ କହିଲେ.....ମା'ରେ ଆଜି ପ୍ରଥମାଷ୍ଟମୀ ପରା।ଏ ଟଙ୍କା ତୋର ପ୍ରଥମାଷ୍ଟମୀ ଖର୍ଚ୍ଚ। ଏତକ କହି ସମସ୍ତଙ୍କଠାରୁ ମେଲାଣି ମାଗି ଘରମୁହାଁ ହେଲେ ଅଭୟବାବୁ।
ସେଦିନ ପରଠାରୁ ସତେ ଯେମିତି କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ବ ପରି ନିବିଡ ସମ୍ପର୍କ ସ୍ଥାପନ ହୋଇଗଲା ଅଭୟ ବାବୁ ଓ ଇନ୍ଦ୍ରମଣିଙ୍କ ଭିତରେ ।ନା ଥିଲା ସେଥିରେ ବଡସାନ,ଜାତି ଗୋତ୍ରର ଭେଦଭାବ ନା ଥିଲା ସହରି ବାବୁ ଓ ଗ୍ରାମର ଏକ ଚାଷୀର ତୁଳନା ।ମଣିଷର ମାନବିକତା ଦୁଇ ଜଣଙ୍କୁ ନିକଟରୁ ଆଉରି ନିକଟତର କରିପାରିଥିଲା।