STORYMIRROR

Bimala Sankar Dash

Others

4  

Bimala Sankar Dash

Others

ବନ୍ଧୁତ୍ୱ

ବନ୍ଧୁତ୍ୱ

7 mins
166

ମୋହନ ଏକ ଦୁର୍ଘଟଣାରେ ସାଂଘାତିକ ଭାବେ ଆହତ ହେବା ପରେ ଏକ ବଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନେକ ଦିନର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ । ହସ୍ପିଟାଲରୁ ଆସିଲା ବେଳେ ବିଲ୍ ଦେଖି ତାଙ୍କ ମୁଣ୍ଡ ଘୂରେଇବାକୁ ଲାଗିଲା । ହସ୍ପିଟାଲ କର୍ମଚାରୀ ଜଣଙ୍କୁ ନେହୁରା ହୋଇ କହୁଥିଲେ ଏତେ ଟଙ୍କା ତାଙ୍କ ପାଖରେ ନାହିଁ ।

  କର୍ମଚାରୀଜଣଙ୍କ କହିଲେ- ଅଯଥାରେ ଆପଣ ବିକଳ ହେଉଛନ୍ତି । ଆପଣଙ୍କ ବିଲ୍ କେହି ଜଣେ ବାବୁ ପେମେଣ୍ଟ୍ କରି ସାରିଛନ୍ତି, ଏଇ ନିଅନ୍ତୁ ଆପଣଙ୍କ ଡିସଚାର୍ଜ ଅର୍ଡର । 


ମୋହନଙ୍କ ମୁଣ୍ଡ ବିଳ୍ ବିଳେଇବାକୁ ଲାଗିଲା । ତାଙ୍କ ପତ୍ନୀ ମିନତୀ ଏତେ ଟଙ୍କା କେମିତି ଯୋଗାଡ କରି ପାରିଲେ ମୋହନକୁ ଟିକିଏ ସନ୍ଦେହ ହେଲା - 


ସେ ବାବୁ ଜଣଙ୍କ କିଏ ? 


ଏମିତିରେ ତ ତାଙ୍କର କି ମିନତୀର କେହି ସଂପର୍କୀୟ ନଥିଲେ । ତା ହେଲେ ସେ ବାବୁ ଜଣଙ୍କ ଏତେ ଟଙ୍କା କାହିଁକି ଖର୍ଚ୍ଚ କଲେ ??  


ମିନତୀ ହସ୍ପିଟାଲ ଖର୍ଚ୍ଚ ଭରଣ କରିବା ପାଇଁ କାହିଁ ଭୁଲ ବାଟକୁ ଚାଲି ଯାଇନଥିବ ତ ?

  - ମୋହନ ମନରେ ଅନେକ କିଛି ପ୍ରଶ୍ନବାଚୀ ସୃଷ୍ଟି ହେଲା ! 


ଏମିତି ପ୍ରଶ୍ନ ସବୁ ସୃଷ୍ଟି ହେବା ସ୍ୱାଭାବିକ । କାହିଁକି ନା ଚିକିତ୍ସାରେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ତାଙ୍କର ସାଧ୍ୟ ନଥିଲା । ସେ ଯାହା ବି ରୋଜଗାର କରୁଥିଲେ ଦୁଇ ଓଳିର ଦାନାକୁ ନିଅଣ୍ଟ ଥିଲା । ସେମିତି ବେଶି କିଛି ସଞ୍ଚୟ ବି ନଥିଲା ତାଙ୍କ ପାଖରେ । 

ପତ୍ନୀଙ୍କ ଆଡକୁ ପ୍ରଶ୍ନୀଳ ଆଖିରେ ଚାହିଁଲେ । ତାଙ୍କ ଚାହାଣୀରେ ଘୃଣା ବୋଳି ହୋଇଯାଉଥାଏ । ମିନତୀ କିଛି ବୁଝିନପାରି ନିରବ ରହିଗଲେ, ପ୍ରତ୍ୟୁତ୍ତର ଦେଲେନି ।


ଶାରୀରିକ ଭାବେ ସୁସ୍ଥ ହୋଇ ଯାଇଥିଲେ ହେଁ, ଏହି ଚିନ୍ତା ମୋହନଙ୍କ ମାନସିକ ସୁସ୍ଥତାକୁ ଆଘାତ କରୁଥାଏ । ମୋହନ ଟିକିଏ ବିରକ୍ତ ପ୍ରକାଶ କରି ହସ୍ପିଟାଲରୁ ଘରକୁ ଚାଲି ଆସିଲେ । ଆଖିରେ ପଡିଲା ତାଙ୍କ ପିଲାଦିନର କେତେଜଣ ସାଙ୍ଗ ଘର ଆଗରେ ଛିଡା ହୋଇଛନ୍ତି । ମୋହନ ସେମାନଙ୍କ ସହ ଭଲ ମନ୍ଦ ଦି ପଦ କଥା ହେଲେ, କିନ୍ତୁ ସେଥିରେ ତାଙ୍କର ନା ଥିଲା ଆନ୍ତରିକତା ନା ଆପଣାର ପଣ । ସେ ସବୁବେଳେ ଭାବୁଥାଏ ତା ସାଙ୍ଗ ମାନେ ତା ଦାରିଦ୍ର୍ୟକୁ ଉପହାସ କନ୍ତି । ଏଇଥିପାଇଁ ସେ କେବେ ବି "ବଚପନ୍ କେ ଦୋସ୍ତ " ତା ସାଙ୍ଗମାନଙ୍କ ହ୍ୱାଟ୍ସ୍ଆପ୍ ଗ୍ରୁପକୁ ଗୁରୁତ୍ୱ ଦିଅନ୍ତିନି ଠିକ୍ ତାଙ୍କ ସାଙ୍ଗମାନଙ୍କ ପରି । ଗ୍ରୁପର ସମସ୍ତଙ୍କ ମେସେଜ୍ ପଢୁଥିବ କିନ୍ତୁ ନିଜ ଆଡରୁ କିଛି ବି ମେସେଜ୍ କେବେ ଲେଖୁନଥିବ ସେ । ତାଙ୍କର ବହୁ ଦିନରୁ ଧାରଣା ଥାଏ ସାଙ୍ଗ ମାନେ ଆଜି ସମାଜରେ ବହୁ ପ୍ରତିଷ୍ଠିତ, ସେମାନେ ବଡ ବଡ ପଦବୀରେ ଅଧ୍ୟୁଷିତ, କିଏ ଡାକ୍ତର ତ କିଏ ଇଞ୍ଜିନିୟର୍, ସେମାନଙ୍କ ପାଖରେ ଏଇ ଚା' ବିକାଳୀ ମୋହନର କିଛି ମୂଲ୍ୟ ହିଁ ନାହିଁ । ଅସ୍ତିତ୍ୱ ହିଁ ନାହିଁ । ହୁଏତ ମୋହନ ହୀନମନ୍ୟତାର ବଶବର୍ତ୍ତୀ ହୋଇ ସାରିଥିଲେ ନିଜ ଅଭାବପଣିଆ ପାଇଁ । ସେଇଥିପାଇଁ ସାଙ୍ଗମାନଙ୍କୁ ସେ ଅଣଦେଖା କରି ଆସନ୍ତି ଅନେକ ଦିନରୁ ।  


-କିଛି ସମୟ ପରେ ସାଙ୍ଗ ମାନେ ଚାଲିଗଲେ । 


-ମୋହନ ନାଲି ଆଖିରେ ମିନତୀ ଆଡକୁ ଦେଖିବାକୁ ଲାଗିଲେ । ସନ୍ଦେହର ଶିକୁଳିରେ ଛନ୍ଦି ହୋଇ ମିନତୀ ପ୍ରତି କଟାକ୍ଷ କଲେ । ଧିରେ ଧିରେ ଏଇ ଘୃଣା ପୁଞ୍ଜୀଭୂତ ହୋଇ ତାଙ୍କ ମସ୍ତିଷ୍କକୁ କ୍ରୋଧାଗ୍ନିରେ ଲେଲିହାନ୍ କଲା...


-ମିନତୀ ମୋହନର ଏ ଅସ୍ୱାଭାବିକ ବ୍ୟବହାରକୁ ସହଜରେ ଗ୍ରହଣ କରି ପାରୁନଥିଲେ । ମନକୁ ବୁଝେଇ ନେଲେ ହସ୍ପିଟାଲରେ ଏତେ ଦିନ ରହିବା କାରଣରୁ ହୁଏତ ତାଙ୍କର ଏଇ ପାଗଳାମୀ । ବେଶି ଦିନ ହସ୍ପିଟାଲ ବେଡରେ ଚାରି କାନ୍ଥ ଭିତରେ ପଡି ରହିଲେ ଏମିତି ବେଳେ ବେଳେ ମାନସିକ ବିକୃତି ସୃଷ୍ଟି ହୁଏ । ପୁଣି ନିଜ ପରିବେଶକୁ ଫେରି ଆସିଲେ ଆପଣା ଛାଏ ସବୁ ଠିକ୍ ହୋଇ ଯାଇଥାଏ କିଛି ଦିନ ପରେ । 


ପରିସ୍ଥିତିକୁ ଟିକେ ହାଲୁକା କରିଦେବା ପାଇଁ ମିନତୀ ଗରମା ଗରମ୍ ଚା କପଟିଏ ବଢେଇ ଦେଲେ ମୋହନଙ୍କ ହାତକୁ । 


- ମୋହନ ରାଗ ତମତମରେ ଫୁଟା ଚାହା କପ୍ ଫୋପାଡି ଦେଲେ ତାଙ୍କ ଆଡକୁ...ଟିକକରେ ବଞ୍ଚିଗଲେ ମିନତୀ ... ନ ହେଲେ ଗରମ ଚାହା ପଡି ଫୋଟକା ବାହାରି ସାରନ୍ତାଣି ମୁଁହରେ । ତଥାପି ମିନତୀ ଶାନ୍ତ ରହିଲେ ମୋହନଙ୍କ ସ୍ୱାସ୍ଥ୍ୟଗତ କାରଣକୁ ଧ୍ୟାନ ଦେଇ ।


- ତମର କ'ଣ ହୋଇଛି । ମୋର ଭୁଲ୍ କ'ଣ । ତମେ ସୁସ୍ଥ ହୋଇ ଫେରିଛ, ମୁଁ କେତେ ଖୁସି... ତମ ଦେଖାଶୁଣାରେ ଟିକିଏ ହେଲେ ଅବହେଳା କରିନି, ଦିନ ରାତି ଗୋଟିଏ କରି ତମ ସେବା କରିଛି । ତମେ ଠିକ୍ ହୋଇଯାଅ ବୋଲି କେତେ ଦିଅଁଙ୍କୁ ଡାକିଛି... ଯଦି ମୋର ଅଜାଣତରେ କିଛି ଭୁଲ୍ ହୋଇ ଯାଇଛି କ୍ଷମା କରିଦିଅ । ମୋର ଶହେ ଦୋଷ କ୍ଷମା କରିବାକୁ ତମେ ପରା ବିବାହ ବେଦୀରେ ଶପଥ ନେଇଛ... ତମେ ପରା ମୋ ଜୀବନ... ଦୟାକରି ମୋ ଉପରେ ଅଯଥାରେ ରାଗନି । 

 -ମୋହନକୁ ଶାନ୍ତ କରିବାକୁ ଚେଷ୍ଟାକରୁଥିଲେ ମିନତୀ ।


ଏ ସବୁ କଥା ମୋହନକୁ ତିଳେ ହେଲେ ପ୍ରଭାବିତ କରୁ ନଥାଏ । ଓଲଟା ତାଙ୍କ ରାଗ ବହୁଗୁଣିତ ହେବାକୁ ଲାଗିଲା । ମୋହନ ଚଢା ଗଳାରେ ମିନତୀ ଉଦ୍ଦେଶ୍ୟରେ କହିଲେ- 

     --ବନ୍ଦ କର ତମର ଏ ଫାର୍ସ । ସବୁ ନାଟକ । କିଛି ଦିନ ମୋର ହସ୍ପିଟାଲରେ ଗୋଟିଏ କୋଣରେ ପଡିରହିବାର ସୁଯୋଗରେ ତମେ ଏତେ ତଳକୁ ଖସିଯିବ ମୋର ବିଶ୍ୱାସ ନଥିଲା । ବରଂ ମୁଁ ମରି ଯାଇଥିଲେ ଭଲ ହୁଅନ୍ତା ।  


ସନ୍ଦେହୀ ମନ ମଣିଷକୁ ଏମିତି ଦୁର୍ବଳ କରିଦିଏ । ହୃଦୟରେ ଝଡ ସୃଷ୍ଟି କରେ । ସେଇ ଝଡ ବିଶ୍ୱାସର ଗଛ ଯେତେ ଡେଙ୍ଗା ହୋଇଥିଲେ ବି ତାକୁ ଉପାଡି ଫିଙ୍ଗି ଦେଇଥାଏ । ମୋହନର ପ୍ରାୟ ସେଇ ଅବସ୍ଥା ।


ମିନତୀ ହତବାକ୍ ହୋଇଗଲେ । ନିଜକୁ ନିଜେ ପଚାରିଲେ କାହିଁ ସେ ତ ଏମିତି କିଛି ଭୁଲ୍ କରି ନାହାନ୍ତି, ଯେଉଁଥିପାଇଁ ମୋହନ ତାଙ୍କୁ ଏମିତି କହିବେ...ଗାଳି ଦେବେ..ତାଙ୍କ ଅପରାଧ ବା କଣ ? କାରଣଟା ନ ଜଣେଇ ଏମିତି ମନଇଚ୍ଛା ଗାଳି ଦେବାଟା ଅନ୍ୟାୟ !


ପୁଣି ମନକୁ ବୁଝେଇ ନେଇ ମିନତୀ ଶାନ୍ତ ଗଳାରେ କହିଲେ-   


      ତମ ଦେହ ସୁସ୍ଥ ନାହିଁ ବୋଲି ମୁଁ ଚୁପ୍ ରହିବାର ଅର୍ଥ ଏୟା ନୁହଁ ଯେ ତମେ ମୁଣ୍ଡକୁ ଯାହା ଆସୁଛି କହି ଦେଇଯିବ । ସହ୍ୟ କରିବାର ବି ଗୋଟେ ସୀମା ଥାଏ । ମୋ ଉପରକୁ ଚାହା କପ୍ ଫିଙ୍ଗିଦେଲ, କିଛି କଷ୍ଟ ହେଲାନି... ହେଲେ ତମର ଏ କଥାଗୁଡାକ ମୋତେ ବହୁତ କଷ୍ଟ ଦେଉଛି, ସମ୍ପୂର୍ଣ୍ଣ ବରଦାସ୍ତର ବାହାରେ... ଦୟାକରି ମୋତେ ରଗେଇବାକୁ ଚେଷ୍ଟା କରନି... 


-ଚରିତ୍ରହୀନାମାନେ ନିଜକୁ ଏମିତି ସତୀ ସାବିତ୍ରୀ ଦେଖାଇ ହୁଅନ୍ତି...ସତକଥା ଗୁଡାକୁ ହଜମ କରି ପାରନ୍ତିନି । ଶୁଣିବାକୁ ଧୈର୍ଯ୍ୟ ନଥାଏ ସେମାନଙ୍କ ପାଖରେ । ଯଦି ତମେ ଏତେ ସତୀ ତା ହେଲେ କୁହ ସେ ବାବୁ ଜଣଙ୍କ କିଏ, ସେ କାହିଁକି ଏତେ ଟଙ୍କା ମୋ ଚିକିତ୍ସା ପାଇଁ ଖର୍ଚ୍ଚ କଲେ... କହି ପାରିବ...ଏ ଉତ୍ତର ଅଛି ତମ ପାଖରେ... 


ମିନତୀ ଖୁବ୍ ଜୋରରେ ହସିଲେ । କହିଲେ - ଓଃ ହୋ ! ଏଇ କଥା । ଏଇ କଥା ପାଇଁ ମୋ ଉପରେ ରାଗୁଛ । କେତେ ବର୍ଷ ମୋ ସହ ଘର ସଂସାର କଲେ ମୋତେ ଚିହ୍ନିପାରିବ... ଏଇ କଥା ପାଇଁ ଏତେ ରାଗ । ସିଧା ସିଧା ତ ପଚାରି ଦେଇଥାଅନ୍ତ । ତୁଛାଟାରେ ସେତେବେଳଠୁ ମୋ ଉପରେ ଗର ଗର ହେଉଛ । 


ତା ହେଲେ କୁହ - ସେ ବାବୁ କିଏ । ସେ କାହିଁକି ଆମକୁ ସାହାଯ୍ୟ କଲେ । ଆଜିକା ଦୁନିଆରେ ବିନା ମତଲବରେ କେହି ଟଙ୍କାଟିଏ ଖର୍ଚ୍ଚ କରନ୍ତିନି, ଏପରି ସ୍ଥଳେ କେହି ଜଣେ, ପୁଣି ଜଣେ ପୁରୁଷ, ଆମ ପାଇଁ ଏତେ ଟଙ୍କା ଖର୍ଚ୍ଚ କରି ଅଯଥାଚିତ ସାହାଯ୍ୟ କରିବାର ମାନେ ??


-ମିନତୀ ମୋବାଇଲ ଆଣି ମୋହନଙ୍କ ହାତରେ ଧରେଇଦେଇ କହିଲେ-

-ଏଥିରେ ସବୁ ଉତ୍ତର ରହିଛି, ଭଲକି ପଢିନିଅ, ତମ ଆଖିର ପୁଟୁଳି ଖୋଲିକି । 


ମିନତୀ ଟିକିଏ ଆଶ୍ୱସ୍ତି ପୂର୍ବକ ମୋହନକୁ ଏତକ କହିଦେଇ ତଳେ ବିଛେଇ ହୋଇ ପଡିଥିବା ଭଙ୍ଗା ଚା କପକୁ ଉଠାଉଥିଲେ ।


କିଛି ସମୟ ଚୁପ୍ ରହି ମୋହନ୍ ଟିକିଏ ମୋବାଇଲ ଆଡକୁ ଆଖି ବୁଲେଇ ଦେଖି ନେଲେ । 


ସାଙ୍ଗମାନଙ୍କ ଶୁଭେଚ୍ଛା ବାର୍ତ୍ତାରେ ମୋବାଇଲଟି ପୁରି ଯାଇଛି । ମୋହନ ପ୍ରଥମ କରି ସେଦିନ ଅନୁଭବ କଲେ ଜୀବନରେ ସାଙ୍ଗର ମହତ୍ତ୍ଵକୁ...। ସେଇ ମେସେଜ୍ ଗୁଡିକରୁ ସେ ସବୁ ଉତ୍ତର ପାଇ ସାରିଥିଲେ ବୋଧହୁଏ । 


ମୋହନକୁ ଆଉ କିଛି ଅବୁଝା ରହିଲାନି । ସେ ଅଧିକା କିଛି ପଢିବାକୁ ଚାହିଁଲେନି । ସେ ସବୁ ବୁଝିଯାଇଥିଲେ । ସନ୍ଦେହର କଳା ବାଦଲଟି ମନରୁ ହଟିଯିବା ପରେ ମିନତୀ ତାଙ୍କୁ ଅଧିକ ଉଜ୍ଜ୍ଵଳ ଦେଖାଗଲେ । ମିନତୀ ନିର୍ମଳ ଆକାଶର ତୋଫା ଜହ୍ନ ପରି ଦିଶିବାକୁ ଲାଗିଲେ । ମୋହନର ଆଖି ଛଳ ଛଳ ହୋଇଗଲା । କିଛି ନବୁଝି ନ ଶୁଝି ମିନତୀ ପ୍ରତି ଏମିତି କଦର୍ଯ୍ଯ ବ୍ଯବହାର ପାଇଁ ନିଜକୁ ଧିକ୍ କାର କରିବାକୁ ଲାଗିଲେ । କ୍ଷମା ମାଗିନେଇ ମିନତୀକୁ ଜାବୁଡି ଧରି ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ । ଆନନ୍ଦାନୁଭବରେ ଆଖିରୁ ଲୁହ ଝରିଯାଉଥାଏ ସେ ଦୁହିଁଙ୍କ । ସତେ ଯେମିତି ଝଡ ପରର ବର୍ଷା ।


ହ୍ବାଟ୍ସ୍ ଆପ୍ ଫ୍ରେଣ୍ଡ ଗ୍ରୁପରେ କେବେ ବି କୌଣସି ମେସେଜର ପ୍ରତିକ୍ରିୟା ଜଣାଉନଥିବା ମୋହନ ସେଦିନ ଲୁହ ଛଳଛଳ ହୋଇ ପ୍ରଥମକରି କୃତଜ୍ଞତା ପୂର୍ବକ ସହୃଦୟର ସହ ମେସେଜଟିଏ ଲେଖିଲେ - ଥ୍ୟାଙ୍କସ୍ ଟୁ ଅଲ୍ ମାଇ ଡିଅର୍ ଫ୍ରେଣ୍ଡସ୍ । 


-ମୋହନର ସ୍ତ୍ରୀ ବି ଗୁଣୁଗୁଣୁ ହୋଇ କହୁଥାଏ ମୋ ତରଫରୁ ବି ଧନ୍ୟବାଦ ଜଣେଇ ଦିଅ ।


କିଛି ସାଙ୍ଗ ସେପଟରୁ ପ୍ରତ୍ୟୁତ୍ତର ଦେଇ କହୁଥିଲେ.. 

-- ଓଏ... ମୋହନ !! ସାଙ୍ଗମାନଙ୍କ ଭିତରେ ନୋ ଫର୍ମାଲିଟି । ଆମେ ତୋ ପାଇଁ ଅଧିକା କିଛି କରି ଦେଇନୁ । ପିଲାବେଳେ ଆମ ପାଇଁ ତୁ କେତେ ମାଡ ଖାଇନୁ କହିଲୁ...ଆମକୁ ବଞ୍ଚାଇବାକୁ ଯାଇ ସବୁ ଭୁଲ୍ ନିଜ ମୁଣ୍ଡକୁ ନେଇଯାଇ କେତେ ବେତ ପାହାର ଖାଇଛୁ....ସବୁ ମିଶି ସ୍କୁଲ୍ କାନ୍ଥ ଘଣ୍ଟାରେ ସମୟ ଟିକେ ବଢେଇ ଦେଇଥାଉ ସଅଳ ଛୁଟି ହେବ ବୋଲି... ତା ପର ଦିନ ଦାସ ମାଷ୍ଟ୍ରେ ଗୋଟି ଗୋଟି କରି ସବୁ ପିଲାକୁ ପଚାରିବେ କିଏ ସେ କାନ୍ଥ ଘଣ୍ଟାରେ ହାତ ମାରିଥିଲା । ଆମେ ଦାସ ମାଷ୍ଟ୍ରଙ୍କ ମାଡକୁ ଡରି ତୋ ଉପରେ ସବୁ ଦୋଷ ଲଦି ଦେଇଥାଉ । ତୁ ଟିକେ ଚଗଲା ବୋଲି ବେଶି ପ୍ରମାଣ ବି ଦେବାର ଆବଶ୍ୟକତା ପଡୁ ନଥାଏ । ତୁ ବି କେବେ ପ୍ରତିବାଦ ନ କରି ଆମ ସମସ୍ତଙ୍କ ପାଇଁ ମାଡ ଖାଇଥାଉ । ହାତ ଲୁଳା ଫାଟି ଲାଲ୍ ଯାଇଥିଲେ ବି ଆମ ଆଗରେ ଲୁଚାଇ ବୀର ଦର୍ପରେ କହୁଥାଉ ଏମିତି ଏମିତି କେତେ ମାଡ ହେଲେ ବି ତୋର କିଛି ହେବନି... ।

 

ଆମ ସମସ୍ତଙ୍କ ପାଇଁ ବରକୋଳି ଗଛ ଚଢିବୁ । ପିଠି ବରକୋଳି କଣ୍ଟାରେ କୋରି ହୋଇ ରକତ ଝରୁଥିବ । ତୁ ସେଥିରେ ନିଘା ନ ରଖି ହଳଦିଆ ବରକୋଳି ସବୁ ଗଣି ଗଣି ପକେଟରେ ପୁରାଇ ପୁରା କ୍ଲାସ୍ ଯାକର ପିଲାଙ୍କୁ ବାଣ୍ଟୁ । 


...ଏପରି ଅନେକ କଥା ।

 

ସେତେବେଳେ ତ କାହିଁ ଆମେ କଉ ଥ୍ୟାଙ୍କ ୟୁ କି ଫ୍ୟାଙ୍କ୍ ୟୁ କିଛି ଜଣାଉ ନଥିଲୁ...ଆଉ ଆମ ବେଳକୁ ଏତେ ସବୁ ଫର୍ମାଲିଟି କାହିଁକି.... ତୁ ସୁସ୍ଥ ହୋଇ ଆମ ପାଖକୁ ଫେରି ଆସିଲୁ ସେତିକି ଆମ ପାଇଁ ବଡ କଥା ।


--ଆଉ କିଛି ମେସେଜ୍ ଥାଏ ଠିକ୍ ଏପରି--ମୋହନ ଖାଲି ଧନ୍ୟବାଦ କଣ ଯେ..ତୋ ଦୋକାନରେ ଆମ ସବୁକୁ ଚା ପିଆଇବାକୁ ପଡିବ ନା !!


ଗଭୀର ଭାବାବେଗରେ ମୋହନ୍ ଗଦ୍ ଗଦ୍ ହୋଇ ଉଠିଲା । ଆଉ କିଛି ମେସେଜ୍ ପଢି ପାରିଲାନି ସେ...


- ମୋହନ ହୃଦବୋଧ କଲା ତା' ସାଙ୍ଗମାନେ ତାକୁ ଏବେ ବି ମନେ ରଖିଛନ୍ତି । ଆଦୌ ଭୁଲି ନାହାନ୍ତି । ସେ ହିଁ ନିଜେ ସାଙ୍ଗମାନଙ୍କଠୁ ଦୂରେଇ ଯାଇଥିଲା ।


ଏତେ ବଡ ବଡ ପଦ ପଦବୀରେ ଥାଇ ବି ସେମାନେ ତା ପରି ଛୋଟ ଚାହା ବିକାଳୀ ସାଙ୍ଗକଥା ଭୁଲି ନାହାନ୍ତି,ଏ କଥା ଅନୁଭବ କରି ମୋହନ ସେଦିନ ଆତ୍ମହରା ହୋଇ କହୁଥାଏ ବନ୍ଧୁତା ଠାରୁ ବଡ ଧନ ଦୁନିଆରେ କିଛି ନାହିଁ.... ଆଉ ତା ମନରେ ଥିବା ନିଜ ପ୍ରତି ହୀନମନ୍ୟତା ଧୀରେ ଧୀରେ ଅପସରି ଯାଉଥାଏ ତା' ପିଲାଦିନ ସାଙ୍ଗ ମାନଙ୍କ ମେସେଜ୍ ପଢୁ ପଢୁ...  


-ଟିକିଏ ଡରି ଡରି ମିନତୀ ଚୁଲି ଶାଳରେ ଭାତ ଗାଳୁ ଗାଳୁ କ୍ଷୀଣ ଗଳାରେ କହୁଥିଲା-- 


   ତମ ଦୁର୍ଘଟଣା ଖବରଟା ମୁଁ ତୁମ ସାଙ୍ଗମାନଙ୍କୁ ଜଣାଇଦେବା ଉଚିତ୍ ମନେ କରି ତମ ସାଙ୍ଗ ଗ୍ରୁପରେ ମେସେଜଟିଏ ଲେଖି ଦେଇଥିଲି । ତମ ଚିକିତ୍ସା ପାଇଁ ଏତେ ଟଙ୍କା ଆମ ପାଖରେ ନାହିଁ ବୋଲି ଜାଣି ତମ ସାଙ୍ଗ ମାନେ ସମସ୍ତେ ମିଶି ସାହାଯ୍ୟର ହାତ ବଢେଇଲେ । ମନା କରି ପାରିଲିନି । ତମକୁ ହସ୍ପିଟାଲରୁ ଚିକିତ୍ସା ନ କରାଇ ଫେରାଇ ଆଣି ମରଣ ମୁଁହକୁ କେମିତି ଠେଲି ଦେଇ ପାରି ଥାଆନ୍ତି ଯେ । ତୁଚ୍ଛା ସ୍ୱାଭିମାନକୁ ଧରି ବସିଲେ ମୋ ଘର ଉଜୁଡି ଯାଅନ୍ତା ! ଏମିତିରେ ବି ସେମାନେ କଉ ପର ନୁହନ୍ତି, ତମର ପିଲାଦିନର ସାଙ୍ଗମାନେ । ଏହାଛଡା ତମ ସାଙ୍ଗ ମାନଙ୍କ ଆନ୍ତରିକତାପୂର୍ଣ୍ଣ ସାହାଯ୍ୟକୁ ଏଡେଇ ଦେଇ ପାରିଲିନି । ବାଧ୍ୟ ହୋଇ ସେମାନଙ୍କ ସାହାଯ୍ୟ ଗ୍ରହଣ କଲି..... । 


--ମୋହନ ପାଇଁ ଆବଶ୍ୟକ ପଡୁନଥିବା ଏମିତି କୈଫିୟତ୍ ସବୁ ଦେଇ ଚାଲିଥିଲା ମିନତୀ କେତେବେଳଠୁ ।


--ମୋହନ ନିର୍ବାକ୍ ହୋଇ ନିଜ ଆଖିର ଅନ୍ଧ ପୁଟୁଳି ଫିଟାଇ ମିନତୀ ଆଡକୁ କେବଳ ଢିମା ଢିମା ଆଖିରେ ଚାହିଁ ରହିଥାଆନ୍ତି ଗୋଟିଏ ଲୟରେ..... 



Rate this content
Log in