ବନ୍ଧୁ
ବନ୍ଧୁ
ତୁ ହି ବନ୍ଧୁ ତୁ ଭରସା
....................
ହେ ନୀଳାମୟ ତୁମ କରୁଣାର ପଟାନ୍ତର ନାହିଁ। ତୁମେ ସାହା ହେଲେ ମୃତ ଦେହରେ ପ୍ରାଣ ସଞ୍ଚାର ହୁଏ। ଏ ଧରଣୀ ଗଗନ ପବନ ନଦୀ ଜଙ୍ଗଲ ସବୁ ତୁମ୍ଭର ସୃଷ୍ଟି। ତୁମେ ସୃଷ୍ଟିକର୍ତ୍ତା, ତୁମେ ହିଁ ପାଳନ କର୍ତ୍ତା। ହେଲେ ମୋ ବେଳକୁ କାହିଁକି ପ୍ରଭୁ ତୁମ କରୁଣା ବାରିର ଅଭାବ। ଏମିତି ମନେ ମନେ କାଳିଆକୁ ଧ୍ୟାନ କରି ସୁଲଗ୍ନା ନୀରବ ରୋଦନ କରୁଥାଏ।
ଆଜି ପବିତ୍ର ରଥଯାତ୍ରା। ସ୍ଵାମୀ ରାଜେନ୍ଦ୍ର ସହ ସୁଲଗ୍ନା ପୁରୀ ଆସିଛି ପୁରୀର ପବିତ୍ର ବାତାବରଣ ରେ ଗୁଣ୍ଡିଚାରୁ ବାହୁଡା ନବଦିନ ବ୍ରତ କରିବ। ହେଇପାରେ କାଳିଆର କରୁଣା ଲାଭ ହେବ। ତାର କୋଳ ପୂର୍ଣ୍ଣ ହେବ। ସେ ମା ହେବ, ମମତାର ଶୁଖିଲା ନଦୀରେ ଜଳ ପ୍ରବାହିତ ହେବ।
ବାହାଘର ଦଶବର୍ଷ ଉପରେ ହେଲାଣି। ତା ସାଙ୍ଗ ମାନଙ୍କ ପିଲାମାନେ ସ୍କୁଲରେ ପଡିଲେଣି ଅଥଚ ତା କୋଳ ଶୂନ୍ୟ। କେଉଁ ଜନ୍ମର ପାପର ଏ ଫଳ କେଜାଣି। ଜଗନ୍ନାଥ ପହଣ୍ଡି ହୋଇ ଆସୁଥାନ୍ତି ନନ୍ଦିଘୋଷ ରଥ ଉପରକୁ ଆଉ ସୁଲଗ୍ନା ମନରେ ଜଗନ୍ନାଥ ଙ୍କୁ ଚାହିଁ ସେହି ଗୋଟିଏ କାମନା... ହେ ମହାବାହୁ ମୋ ଶୂନ୍ୟ କୋଳରେ ସନ୍ତାନ ଦିଅ।
ପହଣ୍ଡି ସରିଲା। ତା ପରବର୍ତ୍ତୀ ସବୁ କାର୍ଯ୍ୟକର୍ମ ସରିଲା। ରାଜା ଛେରାପହଁରା କରି ଫେରି ଗଲେଣି। ଏଇ ରଥ ଗଡିବ। ଲୁହ ଝର ଝର ବହୁଥାଏ। ସୁଲଗ୍ନାକୁ ଲାଗୁଥାଏ ଏ ବଡ଼ଦାଣ୍ଡରେ ଆଉ କେହି ନାହିଁ। ରଥରେ ଜଗା ଓ ପଥରେ ଏକା ସେ। ହଜିଯାଇଛି ଆଜି ସୁଲଗ୍ନା ସେ କଳା ମୁହଁରେ ଚକାଆଖିରେ।
କୋଳାହଳ ପୂର୍ଣ୍ଣ ବଡ଼ଦାଣ୍ଡ କିନ୍ତୁ ସୁଲଗ୍ନାକୁ ଛୁଆର କାନ୍ଦ ପରି ଶୁଭୁଥାଏ। ଏମିତି ହେଲେ ସୁଲଗ୍ନା ନିଶ୍ଚୟ ପାଗଳୀ ହୋଇଯିବ। ହେ କଳା ସାଆନ୍ତ ସୁଲଗ୍ନା କୋଳ ପୂର୍ଣ୍ଣ କର..... ରାଜେନ୍ଦ୍ର ରଥରେ ଜଗନ୍ନାଥଙ୍କୁ ଚାହିଁ ଗୁହାରି କରୁଥାନ୍ତି।
ସେ କାହାକୁ ଅଣହେଳା କରେନି। ସେ ଭାବର ଠାକୁର। ଭକ୍ତର ମନବାଞ୍ଚା ନିଶ୍ଚୟ ପୂର୍ଣ୍ଣ କରେ। ସୁଲଗ୍ନା ସମର୍ପି ଦେଇଛି ନିଜକୁ କାଳିଆ ପାଖରେ। ଆଶା ସେ ନିଶ୍ଚୟ ଡାକ ଶୁଣିବ।
ରଥ ତିନୋଟିକୁ ଭକ୍ତ ଟାଣି ନେଉଥାନ୍ତି। ଇଚ୍ଛା ନଥିଲେ ବି ରାଜେନ୍ଦ୍ର ଓ ସୁଲଗ୍ନା ଫେରି ଆସିଲେ ରହୁଥିବା ଆପାର୍ଟମେଂଟକୁ। ମନରେ ପ୍ରଶ୍ନ ଥାଏ, କାଳିଆକୁ ମୋ କଷ୍ଟ ଦିଶିଲା ତ.... ତା ବିନା ତ ଅନ୍ୟ ଗତି ନାହିଁ। ଆୟୁର୍ବେଦ, ହୋମିଓପ୍ୟାଥିକ, ଡାକ୍ତରି ଚିକିତ୍ସା ସବୁ ସରିଲାଣି ହେଲେ ଫଳ ଶୂନ। ଏବେ ଏଇ କାଳିଆ ଭରସା।
ୟା ଭିତରେ ନଦିନ ବିତିଗଲ
ାଣି। ବାହୁଡା ଯାତ୍ରା ବି ସରିଲାଣି। ଆଜି ସୁନାବେଶ। ସୁଲଗ୍ନା ରଥ ଉପରେ ସେ ସୁନ୍ଦର ମନମୋହକ ଛବି ଦେଖି ଭାବବିହ୍ଵଳ ହେଲା। ଶେଷଥର ପାଇଁ ଆଖିରେ ଆଖିରେ ଗୁହାରି ଜଣାଇ ସେ ଚାଲିଯିବ ବୋଲି ଅଭିଯୋଗ ଓ ଅଭିମାନରେ ଚାହିଁଲା। ହେ ଜଗତ ଠାକୁର, ସମସ୍ତେ କୁହନ୍ତି ତୋ ସହ ବନ୍ଧୁ ହେଲେ ତୁ ଦୁଃଖ ଦୂର କରୁ। ହେଲେ କାଇଁ ମୋ ବେଦନାକୁ ତ ଦୂର କରୁନୁ। ହଉ ତୋ ଇଚ୍ଛା। ମୁଁ ଫେରୁଛି ତୋ ଦୁଆରୁ ସେମିତି ଶୂନ୍ୟ ହେଇ।
ଆଜି ରାତିଟା ବିତିଗଲେ ସକାଳୁ ସେମାନେ ଫେରିଯିବେ ନିଜ ଗାଁ କୁ। ରାତିରେ ରାଜେନ୍ଦ୍ରଙ୍କ ନିଦ ଭାଙ୍ଗିଲା। ସୁଲଗ୍ନା ନିଦରେ ବାଉଳି ହଉଚି । ଗୋଟିଏ ଛୁଆକୁ ଗେଲ କଲା ପରି ହାବଭାବ କରୁଛି। ଏଥର ଚିନ୍ତାରେ ପଡିଗଲେ ରାଜେନ୍ଦ୍ର। ସତରେ ସୁଲଗ୍ନା ପାଗଳୀ ହୋଇଗଲା ବୋଧହୁଏ। ଗାଁ କୁ ଫେରିବା ବାଟରେ ଭୁବନେଶ୍ୱରରେ ନିଜ ବନ୍ଧୁ ପ୍ରସିଦ୍ଧ ମନୋଚିକିତ୍ସକ ଶୁଭେନ୍ଦୁ କରଙ୍କୁ ଦେଖାକରି ଯିବାକୁ ହେବ। ସୁଲଗ୍ନାକୁ ସେ ଦେଖି କଣ କରାଯିବ କହି ପାରିବେ।
ସୁଲଗ୍ନାର ନିଦ ଭାଙ୍ଗିଗଲା। ରାଜେନ୍ଦ୍ର ବସିଥିବା ଦେଖି ଖୁସିରେ ଦେଖିଥିବା ସ୍ଵପ୍ନ କହି ଚାଲିଲା । ସ୍ଵୟଂ ଜଗନ୍ନାଥ ତା ହାତକୁ ଛୁଆଟିଏ ଟେକି ଦେଉଛନ୍ତି। ଏଥର ରାତି ପାହିନି ଶୋଇପଡ଼ କହି ସୁଲଗ୍ନା ଅଚିନ୍ତାରେ ଶୋଇଗଲା। ହେଲେ ରାଜେନ୍ଦ୍ରଙ୍କ ଆଖିରେ ନିଦ ନଥାଏ।
ସାରା ରାତି ଉଜାଗର ରହି ରାଜେନ୍ଦ୍ର କ୍ଳାନ୍ତ ଲାଗୁଥାନ୍ତି। କିନ୍ତୁ ସୁଲଗ୍ନା ପୁରାପୁରି ତାଜା। ଚାଲ ଗାଁ କୁ ଫେରି ଯିବା। ଆମେ ନିଶ୍ଚୟ ବାପା ମା ହେବା। ଜଗା ତା କଥା ରଖିବ। ଏକ ଅପୂର୍ବ ଆନନ୍ଦ ଉତ୍ସାହରେ ସେ ନୂଆ ନୂଆ ଲାଗୁଥିଲା। ତତେ ବନ୍ଧୁ କରିଚୁ, ତୁ ହି ଭରସା ଜଗା ଏତିକି କହି ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲେ।
ଗାଁରେ ପହଞ୍ଚିବାକୁ ହେଲେ ଏକ ଶୂନଶାନ୍ ଜଙ୍ଗଲ ଦେଇ କିଛି ବାଟ ଯିବାକୁ ହେବ। ଅଚାନକ ଛୁଆ କାନ୍ଦିବାର ଶୁଭିଲା। ଜିଞ୍ଜାସା ବଶତଃ ରାଜେନ୍ଦ୍ର ଓ ସୁଲଗ୍ନା ଓହ୍ଲାଇ ଦେଖିଲେ ନବଜାତ ଶିଶୁ ବୁଦା ମୂଳେ କାନ୍ଦୁଛି। ସୁଲଗ୍ନା ଛୁଆଟିକୁ କୋଳେଇ ନେଲେ। ଦେଖିଲ ଜଗା ୟାକୁ ମତେ ଦେଇଚି।
କିଛି ସମୟ ଖୋଜାଖୋଜି କରି କାହାକୁ ନ ପାଇବାରୁ ରାଜେନ୍ଦ୍ର ଗାଡି ଷ୍ଟାର୍ଟ କଲେ। ସତରେ ଜଗା ଆମକୁ ଏ ଛୁଆକୁ ଦେଇଛି। ପୋଲିସ ପାଖକୁ ଯାଇ ସବୁ ଡିଟେଲ୍ ଦେଇ ପିଲାଟିକୁ ଆଇନ ଅନୁସାରେ ନିଜର କରିନେବାକୁ ରାଜେନ୍ଦ୍ର ମନେ ମନେ ଭାବୁଥାନ୍ତି। କିନ୍ତୁ ସୁଲଗ୍ନା ପୂର୍ଣ୍ଣତା ପାଇ ମାତୃତ୍ଵର ଧାରରେ ବହି ଚାଲିଥାଏ ।।
ପଦ୍ମାଳୟା